ଦେବଦୂତ
ଦେବଦୂତ


ପ୍ରତିଦିନ ସକାଳୁ ଉଠି ସକାଳବୁଲା ସହ ନଟିଆ ନନା ଦୋକାନରୁ ଚା' ପିଇବା ସହ ସମବୟସ୍କଙ୍କ ଖଟି ଜମେଇବା ଓ ବିଭିନ୍ନ ଖବରକାଗଜରେ ବାହାରିଥିବା ଖବରକୁ ନେଇ ଚର୍ଚ୍ଚା କରିବା ଅବସରପ୍ରାପ୍ତ ରମେଶବାବୁଙ୍କର ଗୋଟିଏ ନିତିଦିନିଆ ସକାଳର ପ୍ରଥମ କାମ ବୋଲି ଭାବନ୍ତି । ଏମିତି ଏକ ଦିନେ ସକାଳୁ ବୁଲିବାକୁ ଯାଇ ଆସିନଥିଲେ । ସକାଳ ଯାଇ ଦ୍ଵିପ୍ରହର ହେଲା । ଘରଲୋକ ବ୍ୟତିବ୍ୟସ୍ତ ।
ହଠାତ ସରକାରୀ ଡାକ୍ତରଖାନାରୁ ଫୋନ ଆସିଲା ରମେଶ ବାବୁଙ୍କର କରୋନା ପଜିଟିଭ । ସେ ବର୍ତ୍ତମାନ ଚଉଦ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ । ତେଣୁ ଆପଣମାନେ ବ୍ୟସ୍ତ ନ ହୋଇ ପରିବାରର ସମସ୍ତଙ୍କର କରୋନା ଟେଷ୍ଟ କରେଇ ନିଅନ୍ତୁ । ସୁସ୍ଥ ରୁହନ୍ତୁ, ରମେଶ ବାବୁ ଏବେ କୋଭିଡ଼ ସେଣ୍ଟରରେ ରହିବେ, ସୁସ୍ଥ ହେବା ପରେ ହସପିଟାଲର ଆମ୍ବୁଲାନ୍ସ ତାଙ୍କୁ ନେଇ ଘରେ ଛାଡି ଆସିବେ ।
ଘରେ ପୁଅବୋହୁ ମାନେ ନାନାଦି କଥା କହୁଥାନ୍ତି, ବୁଢା ହେଲେଣି । ବାରମ୍ବାର ମନା କରିବା ପରେ ବି ବାହାରେ ବୁଲିଲେ । ବାହାର ରୋଗ ଆଣି ଘରେ ବିଞ୍ଚିଲେ ଇତ୍ୟାଦି ଇତ୍ୟାଦି ।
ବୋହୁମାନେ ନିଜ ନିଜ ଭିତରେ ଟୁପ୍ ଟାପ୍ ହେଲେ, ଭଲ ହୋଇଛି ସେ କିଛି ଦିନ ଏବେ ବାହାରେ ରହିବେ । ସବୁ କଥାରେ କଥା କହୁଥିଲେ, ପାଟି କରୁଥିଲେ, ବାରଟା ନ ବାଜୁଣୁ ଖାଇବାକୁ ଦିଅ ବୋଲି ଚିତ୍କାର କରୁଥିଲେ ।
ହେଲେ ଭିତରେ ଭିତରେ ଜଣେ କେବଳ ଚିନ୍ତା କରୁଥିଲେ ତାଙ୍କ କଥା, କଣ ଖାଉଥିବେ,କିଏ ତାଙ୍କୁ ଖାଇବାକୁ ଦେଉଥିବ । ବଡ଼ ଭୋକ ଆତୁରା । ତାଙ୍କ ମନଜାଣି କଣ ଖାଇବାକୁ ଦେଉଥିବେ,ଭଗବାନ ତାଙ୍କୁ ଜଲଦି ଜଲଦି ଭଲ କରି ଦିଅନ୍ତୁ ଇତ୍ୟାଦି ଇତ୍ୟାଦି ।
ଏମିତି ଏମିତି ଦିନ ଗଣୁଥିଲେ ରମେଶଙ୍କ ପ୍ରାଣପ୍ରିୟା କମଳିନୀ ଦେବୀ ।
ଇତିମଧ୍ୟରେ ରମେଶ ବାବୁଙ୍କର ଅଠଇଶି ଦିନ ହୋଇଗଲାଣି । ହେଲେ ହସପିଟାଲରୁ ଆସିନଥାନ୍ତି । ପିଲାମାନଙ୍କୁ ଯେତେ କହିଲେ ବି ସେମାନେ ମାଆର କଥା ଆଡେ଼ଇ ଦେଉ ଥାଆନ୍ତି । ମାଆର ମନ ବୁଝିବା ପାଇଁ କେବଳ କହୁଥାନ୍ତି ବୁଢା ଲୋକ ତ । ଭଲ ହେବାକୁ ଟିକେ ସମୟ ଲାଗିବ । ତୁ କାହିଁକି ଅଯଥାରେ ବ୍ୟସ୍ତ ହେଉଛୁ ।
ନାନା ଆଡୁ ନାନା ପ୍ରକାର କଥା ଭାବି ସକାଳୁ ସକାଳୁ ଗାଧୋଇ ପାଧୋଇ ଫୁଲଫଳ ଧରି ଜଗନ୍ନାଥ ମନ୍ଦିରକୁ ଚାଲିଗଲେ । ପ୍ରାୟ ସବୁଦିନ ନ ଗଲେ ବି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ତାଙ୍କର ଅଭ୍ୟାସ । ମନ୍ଦିରକୁ ପୂଜା କରିବା ପାଇଁ ଯାଇ ମନରେ କଣ କେଜାଣି ଚିନ୍ତା କରି ଚାଲିଗଲେ କୋଭିଡ଼ ହସପିଟାଲକୁ । ବଡ଼ ବ୍ୟସ୍ତ ହୋଇ ୟାକୁ ତାକୁ ସ୍ଵାମୀଙ୍କ ବିଷୟରେ ପଚାରିଲେ । ଯାହା ଶୁଣିଲେ ତାଙ୍କ ଆଖି ବଡ଼ବଡ଼ ହୋଇଗଲା । ଆଉ ଯାହା ଦେଖିଲେ ବି ତାଙ୍କ ନିଜ ଆଖିକୁ ବିଶ୍ଵାସ କରି ପାରିଲେ ନାହିଁ ।
ଜଣେ କର୍ମଚାରୀ ଆସି କହିଲେ କି ରମେଶ ବାବୁ ବର୍ତ୍ତମାନ କରୋନା ରୋଗୀମାନଙ୍କର ଗୁରୁ । ପ୍ରତିଦିନ ବଢିଭୋରୁ ଯୋଗ ପ୍ରାଣାୟାମ ଶିକ୍ଷା ଦେବା ସହ ଖୁବ୍ ସୁନ୍ଦର ଉତ୍ସାହପୂର୍ଣ୍ଣ ବକ୍ତବ୍ୟ ମାଧ୍ୟମରେ ରୋଗୀମାନଙ୍କୁ ଉତ୍ସାହିତ କରୁଛନ୍ତି । ନିଜେ ପ୍ଲାଜମା ଦାନ କରି ଦୁଇଜଣଙ୍କୁ ସୁସ୍ଥ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଏବେ ଏଠାରେ ଏକରକମ ଚାକିରି କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ସମସ୍ତଙ୍କୁ ଗୋଟିଏ କଥା କହୁଛନ୍ତି ପାରସ୍ପରିକ ଦୂରତା ରକ୍ଷା କରନ୍ତୁ, ଯୁକ୍ତାତ୍ମକ ଚିନ୍ତା ପୋଷଣ କରନ୍ତୁ, ମନକୁ ପ୍ରଫୁଲ୍ଲ ରଖନ୍ତୁ, ନିର୍ଦ୍ଧାରିତ ସମୟରେ ଔଷଧ ସେବନ କରନ୍ତୁ, ପରିଷ୍କାର ପରିଛନ୍ନ ରହିବା ସହ ଚାରିପାଖ ଜୀବାଣୁ ମୁକ୍ତ ପାଇଁ ବିଶୋଧନ ବ୍ୟବହାର କରନ୍ତୁ । ବାସ୍ ଏତିକିରେ ହିଁ ରୋଗୀ ସୁସ୍ଥ ହୋଇପାରିବ ।
ତାଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଦେଖନ୍ତୁ ଷାଠିଏରୁ ଉର୍ଦ୍ଧ ବ୍ୟକ୍ତି କେତେ ଖୁସି ଆନନ୍ଦରେ ଯୋଗ ପ୍ରାଣାୟାମ କରି ଆନନ୍ଦରେ ତାଙ୍କ ମୁହଁରୁ ବିଭିନ୍ନ କଥା ଶ୍ରବଣ କରୁଛନ୍ତି । ଆପଣ ଏଇଠି ରୁହନ୍ତୁ, ମୁଁ ତାଙ୍କୁ ଡାକି ଦେଉଛି । ଚାଲିଯାଇଥିଲେ କର୍ମଚାରୀ ଜଣକ ରମେଶ ବାବୁଙ୍କ ପାଖକୁ, ତାଙ୍କ ପାଖରୁ ଖବର ପାଇ ଧାଇଁ ଆସିଥିଲେ ପତ୍ନୀଙ୍କ ପାଖକୁ । ଦେଖାଯାଉଥିଲେ ସତେ ଯେମିତି କୋଡିଏ ବର୍ଷର ଯୁବକ ଭଳି । ବେଶ୍ ପ୍ରଫୁଲ୍ଲିତ ।
ଆରେ ତୁମେ ଏଠାରେ କାହିଁକି । ମୁଁ ତ ବେଶ୍ ସୁସ୍ଥ ଏଠାରେ । କାହିଁକି ଏକା ଏକା ଧାଇଁ ଆସିଛ ।
ତୁମେ ଘରକୁ ଚାଲ,ତୁମକୁ ଏତେ ଦିନ ହେଲା ନ ଦେଖି ସେଥିପାଇଁ ଚାଲି ଆସିଲି ବୋଲି କମଳିନୀ ଦେବୀ କହିଲେ ।
ଭଗବାନ ବୋଧହୁଏ ଏମାନଙ୍କ ଲାଗି ମୋତେ ଏଠାକୁ ପଠେଇଛନ୍ତି, ସେ ଘରେ ମୋର ତ ଆଉ କିଛି କାମ ନାହିଁ । ଏମିତିରେ ବି ମୋତେ ତ ସେମାନେ ଆଉ ଲୋଡୁ ନାହାଁନ୍ତି । ତେଣୁ ଏଠାରେ ଏମାନଙ୍କ ଗହଣରେ ସମୟ ବିତେଇ ବେଶ ଖୁସି ଏବେ । ତୁମେ ଯାଅ, ମୁଁ ମଝିରେ ମଝିରେ ତୁମକୁ ଦେଖିବା ପାଇଁ ଡକେଇବି,ନହେଲେ ନିଜେ ଦେଖା କରି ଆସିବି ।
ବର୍ତ୍ତମାନ ତ ମୁଁ ଆଉ କେତେଜଣଙ୍କ ପାଇଁ ଏଠାରେ ବନ୍ଧା ।
ରମେଶ ବାବୁଙ୍କର ପ୍ରସନ୍ନ ବଦନ ଦେଖି ଖୁସିର ଲୁହକୁ ଛାତିରେ ଚାପି ରଖି ଫେରି ଆସିଲେ କମଳିନୀ । ବାଟ ସାରା ଭାବି ଭାବି ଆସୁଥିଲେ ସେହି ବିଚିତ୍ର ଲୋକ କଥା ଯିଏ ଏବେ ଅନ୍ୟମାନଙ୍କ ପାଇଁ ବଞ୍ଚିବେ । ହେ ଭଗବାନ ତାଙ୍କୁ ଘଣ୍ଟ ଘୋଡେ଼ଇ ରଖିଥା । ସବୁବେଳେ ସେ ଏମିତି ପରୋପକାର କରୁଥାନ୍ତୁ ।