ଡାକିଲେ ସାଆନ୍ତେ
ଡାକିଲେ ସାଆନ୍ତେ
ଦୀର୍ଘ ବର୍ଷ ଯଦିଓ ନୁହେଁ ପାଖାପାଖି ଦୁଇ ବର୍ଷ ତଳର କଥା । କରୋନା ପୂର୍ବ ବର୍ଷ, ରଥଯାତ୍ରା ସମୟରେ ଗୋଟିଏ ଅନୁଭୂତି । ରଥଯାତ୍ରା ସମୟରେ ଯେଉଁ ଭଳି ଭିଡ଼ ଓଡ଼ିଶାର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ତାହା କାହାକୁ ଅଜଣା ନାହିଁ । ତେଣୁ ମନକୁ ଶ୍ରୀମନ୍ଦିର ,ବଡ଼ଦାଣ୍ଡ ଭାବି ସେହି ଶ୍ରୀମନ୍ଦିରରୁ କାଳିଆକୁ ପହଣ୍ଡିରେ ନେଇ ବଡ଼ଦାଣ୍ଡରେ ରଥରେ ଟାଣି ଆଣି ମାଉସୀମା ମନ୍ଦିରକୁ ନେଇଯାଏ । ହୁଏତ ମୁଁ ଭକ୍ତ ବଳରାମ ଦାସ ନ ହୁଏ ପଛେ । ମୋ ଭାବନାରେ, ଚିନ୍ତାରେ, ଚେତନାରେ ମୋ ଶରୀରର ପ୍ରତ୍ୟେକ ଅଣୁ ପରମାଣୁରେ ସେହି କାଳିଆର ସତ୍ତା ଅନୁଭବ କରେ । ନା ମୁଁ କାହାକୁ କହେ ନା ବାଧ୍ୟ କରେ ବୁଝିବାକୁ । ରଥଯାତ୍ରା ଦିନ ଯଥାରୀତି ମୋ କାଳିଆକୁ ମୋ ଘରେ ପୂଜା କରି ଟିଭି ଖୋଲି ରଥଯାତ୍ରା ଧାରାବିବରଣୀ ଶୁଣିବା ସହ ଦେଖିଲି, ମୁଁ ଦେଖୁଥାଏ ମୋ କାଳିଆ ଏତେ ଲୋକ ଗହଳି ଭିତରୁ ,ଏତେ ମୁଣ୍ଡମାଳ ଭିତରୁ କଣେଇ କଣେଇ ନୁହେଁ ପରିଷ୍କାର ଭାବରେ ମୋତେ ଦେଖୁଥାଏ । ମନେ ମନେ ମୁଁ କହୁଥାଏ ଆଉ ଗାଉଥାଏ ଟିଭିର ଗୀତ ତାଳରେ, ସତେ କି ଏ ଭାଗ୍ୟ ହେବ ଭଜନ । କାଳିଆରେ ,ତୋ ରଥ ଟାଣିବାକୁ,ରଥରେ ତୋତେ ଦେଖିବାକୁ ମୋ ମନପ୍ରାଣ ଖାଲି ଡ଼ହଳ ବିକଳରେ । ସତରେ କଣ ଏ ଭାଗ୍ୟ ହେବ,ତୋ ରଥ ଦଉଡି ମୁଁ ଟାଣିବି ! ଏମିତି ତ କହୁଥାଏ ସବୁ ବର୍ଷ । ଏସବୁ ଦେଖୁଥିବା ଭିତରେ ଘରେ ଖିଆପିଆ ଶେଷ ହେଲା । ଦୂରଦର୍ଶନ ବିରତି ହୋଇଗଲା, ସେତେବେଳକୁ ବଡ଼ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ରଥ ଚାଲି ଯାଇଥାଏ। ମୋ କାଳିଆ ସାଆନ୍ତ ରଥ ଚାଲି ନ ଥିଲା । ଶୋଇଗଲି ମୁଁ ,ଏହି ସମୟରେ ସ୍ବାମୀ ଫୋନ କଲେ, ତୁମେ ରଥ ଟାଣିବ କହୁଥିଲ ପରା,ଆସିବ ନା ।
ମୋର ଉତ୍ତର ଥିଲା କାଳିଆ କଣ ଦିନ ତିନିଟା ଯାଏ ମାଉସୀ ଘରକୁ ଯାଇନି ନା ,ମୋ ଟାଣିବା ଯାଏ ଅପେକ୍ଷା କରିଛି । ଅବଶ୍ୟ ଏତକ ମୁଁ ମଜାରେ କହିଲି । ସେ କହିଲେ କହିବ ତ ମୁଁ ଯାଇ ତୁମକୁ ନେଇ ଆସିବି ରଥ ଯାଏ ।
ମୁଁ କହିଲି ହେଉ, ମୁଁ ବାହାରୁଛି ଝିଅକୁ ସାଙ୍ଗରେ ଧରି ଯିବି ।
ସଙ୍ଗେ ସଙ୍ଗେ ବାହାରି ପଡିଲି, ବାବୁ ଆସିଲେ ,ତାଙ୍କ ସହିତ ଗଲି ରଥ ପାଖକୁ, ପୁରୀ ନୁହେଁ, ରହୁଥିବା ସହରର ମୁଖ୍ୟ ମନ୍ଦିର ପାଖକୁ।
କାଳିଆ ରଥରେ ବସି ଭକ୍ତ ମାନଙ୍କୁ ଚାହିଁ ରହିଥାଏ । ମୁଁ ପହଞ୍ଚିବା କ୍ଷଣି ଜଣେ ପୋଲିସ ଭାଇ କହିଲେ ମାଆ ଏଇଠି ଫାଙ୍କା ଅଛି ଦଉଡି ଧର,ସେ ଥିଲା କାଳିଆ ପାଖାପାଖି ଦଉଡି । ମୁଁ ଥରେ ତାକୁ ଚାହିଁଲି, ସେ ମୋତେ ଚାହିଁ ମୁରୁକି ହସିଦେଇ କହିଲା ଏବେ ଆଗକୁ ବଢିବା । ସତକୁ ସତ ରଥ ଟଣା ଆରମ୍ଭ ହେଲା ,କି ବିଚିତ୍ର ସେ କଥା ।
ଆଉ ଏକ କଥା-
ଆର ଥରକୁ...