Pranati Mahapatra

Tragedy

4.0  

Pranati Mahapatra

Tragedy

ନିରାଡ଼ମ୍ବର ରଜ

ନିରାଡ଼ମ୍ବର ରଜ

2 mins
112



ରଜ ଆସିଲେ ଗାଆଁରୁ ସହର ସଭିଏଁ ଚଳଚଞ୍ଚଳ ହୋଇ ଉଠନ୍ତି ସତ, ହେଲେ ଲୌହଦାନବର ବିଭୀଷିକା ଆଜି ହଜେଇ ଦେଇଛି ସବୁରି ଓଠରୁ ହସ,ସବୁରି ଆଖରୁ ସ୍ବପ୍ନ, ସବୁରି ମନରୁ ଆନନ୍ଦ ଉଲ୍ଲାସ । 

ଆଜି ଆଉ ଗଛ ଡାଳରେ ଦଉଡ଼ି ବାନ୍ଧିବାକୁ ସାହସ କି ଧୈର୍ଯ୍ୟ ନାହିଁ, ତଥାପି ପର୍ବ ଯେତେବେଳେ ଆସିଛି ସେହି ପର୍ବକୁ ନିରାଡ଼ମ୍ବର ଭାବରେ ସଭିଏଁ ନିଶ୍ଚୟ ପାଳନ କରିବା ।

   କାହା ଘରେ ଦୋଳି ବାନ୍ଧିବାକୁ ବାପାଟିଏ ନାହିଁ ତ, କାହା ଘରେ ଦୋଳି ଖେଳିବାକୁ ଛୁଆଟିଏ ନାହିଁ, ପୁଣି କାହା ଘରେ ରଜ ପୋଡ଼ପିଠା କରିବାକୁ ମାଆଟିଏ ନାହିଁ ତ,କାହା ଘରେ ବାଉଁଶ କାଟିବାକୁ ଜେଜେ ନାହିଁ । ଏହି ନାହିଁ ନାହିଁ ର ସଂସାର ଭିତରେ ସଭିଏଁ ଆଜି ହତବାକ୍ ହୋଇ ଯାଇଛନ୍ତି । ପାଲଟି ଯାଇଛନ୍ତି ଏକରକମ ନିର୍ବାକ ମଣିଷ ! କେବଳ ମଣିଷ ନୁହଁନ୍ତି, ଗଗନ ପବନ ସ୍ତବ୍ଧ । ମୃତ୍ୟୁକୁ ଅତି ପାଖରୁ ଦେଖି ଯନ୍ତ୍ରଣାସିକ୍ତ, ବେଦନାଭରା ଚିତ୍କାର ଶୁଣି ଶୁଣି ଭୁଲି ଯାଇଛନ୍ତି ସଭିଏଁ ହସଖୁସିର ଏହି ରଜପର୍ବକୁ । କି ପାନ ଖାଇ ପାଟି ଲାଲ୍ କରିବା ଯେ ଧରଣୀ ମାଆ ମୋର ରକ୍ତର ରଙ୍ଗରେ ଲାଲ୍ ହୋଇ ଯାଇଥିଲା ସେଦିନ, ସେ ଦୃଶ୍ୟ ତ ଅତ୍ୟନ୍ତ ଦୁଃଖଦ । କି ବେଶ ହେବ ଆଜି ଏ ରଜପର୍ବରେ ସେଦିନ ଶତାବ୍ଦୀର ବଡ଼ ଦୁର୍ଘଟଣା ଜୁନ ମାସ ୨ତାରିଖ ୨୦୨୩ ମସିହା ସନ୍ଧ୍ୟା ୬ଟା୩୦ ରେ ବାହାନଗାରେ ଧାଡି ଧାଡି ହୋଇ ଶୋଇଥିବା ଶବରେ ଏ ଧରା ଶ୍ରୀହୀନ ଦିଶୁଥିଲା, ସେ ବେଶ ତ ଭୁଲିବାର ନୁହେଁ । ମାଆ କୋଳରେ ନୀରବରେ ଶହ ଶହ ସନ୍ତାନ ବିନା ପୋଷାକରେ ନିଶ୍ଚଳରେ ଶୋଇ ଯାଇଥିଲେ । କି ପିଠାପଣା କରି ଖାଇବାକୁ ଇଛା କିଏବା କରିବେ ଆଜି ଘରେ, ସେଦିନ ତ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ପୁଅଟିଏ ଝିଅଟିଏ ଅସହାୟ ହୋଇ ଜୀବନ ଛାଡି ଦେଇଥିଲା ଭୂଇଁରେ ! କି ଦୋଳି ଲଗାଇବ ଆଜି ଗଛରେ ଝୁଲିବାକୁ ,ସେଦିନ ତ ଦେହରେ ଖଣ୍ଡେ କନା ନ ଥିବା ପୁଅଝିଅ ମାନେ ଦାନବର ଇଛାରେ ଶୂନ୍ୟେ ଶୂନ୍ୟେ ଉଡିଥିଲେ । ନା ଆଜି ଇଚ୍ଛା ଅଛି ଦୋଳିରେ ଝୁଲିବାକୁ ନା ପୋଡ଼ପିଠା ଖାଇବାକୁ ନା ସଜବାଜ ହୋଇ ବୁଲିବାକୁ । ଜୀବନ କ'ଣ ସେଦିନ ସେ ଦୃଶ୍ୟ ଦେଖିଥିବା ଲୋକ ବୁଝିଛନ୍ତି । ସ୍ନେହ ,ଶ୍ରଦ୍ଧା ଓ ଭଲପାଇବା ଭିତରେ ଅନ୍ୟ ପାଇଁ ବଞ୍ଚିବାକୁ ହିଁ ଜୀବନ ବୋଲି ସଭିଏଁ ବୁଝି ଯାଇଛନ୍ତି । ଯେମିତି ଆସିଥିଲେ ସେମିତି ଚାଲିଯିବା କେହି ଯିବେନି ସାଙ୍ଗରେ ନା ଅର୍ଜନ କରିଥିବା ଧନସମ୍ପଦ ନା ପଦପଦବୀ ନା ଏ ଅହଂକାର । ଏସବୁ ଏଇଠି ଛାଡ଼ି କେବଳ ଅର୍ଜନ କରିଥିବା ଧର୍ମ ଓ ଭଲପାଇବା ନେଇ ଯିବା । 

ଆସନ୍ତୁ ସମସ୍ତେ ଅନ୍ୟ ପାଇଁ ବଞ୍ଚିବା, ବିବେକାନୁମୋଦିତ ହେବା ।

ସବୁବେଳେ ସେହି ପରଂବ୍ରହ୍ମଙ୍କ ଶରଣାପନ୍ନ ହୋଇ ଆଗକୁ ପାଦ ବଢେଇବା ।

ପବିତ୍ର ରଜପର୍ବର ଅନେକ ଅନେକ ଶୁଭେଚ୍ଛା ସହ ଶୁଭାଭିନନ୍ଦନ ।



Rate this content
Log in

Similar oriya story from Tragedy