Pranati Mahapatra

Inspirational

4  

Pranati Mahapatra

Inspirational

ତୁମେ ମୋ ସାବିତ୍ରୀ

ତୁମେ ମୋ ସାବିତ୍ରୀ

5 mins
329



ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥାତ ଆଜି ୧୯ତାରିଖ ସାବିତ୍ରୀ ବ୍ରତ, ଏହି ସାବିତ୍ରୀ ବ୍ରତ ସାତ ଦିନ ଆଗରୁ ସୁରାଟରେ କାର୍ଯ୍ୟରତ ଶ୍ରମିକ ଭାବରେ ଥିବା ପୁଅ ପାଖକୁ ବାପା ନିଧି ମାଝୀ ଫୋନ କଲେ, ନିଧିଆ ତୋ ସ୍ତ୍ରୀକୁ ଆଉ ଆମେ ଚଳେଇ ପାରିବୁ ନାହିଁ । ତୁ ଏଥର ଘରକୁ ଆସେ ତା ବ୍ୟବସ୍ଥା କରିବୁ ନହେଲେ ଆମେ ବୁଢାବୁଢୀ ଝିଅକୁ ଧରି ଅଲଗା ରହିବୁ ।

ପୁଅ-କି କ'ଣ କରିଛି ସେ ?

ବାପା -ଯେଉଁ ଓଷାବାର ଆସୁଛି ଖାଲି କହୁଛି ତୋ ମାଆଙ୍କୁ ମୋର ଶାଢୀ, ଚୁଡି ଇତ୍ୟାଦି ଦରକାର। କିହୋ ଏତେ ଖର୍ଚ୍ଚ କେମିତି କରିବ କିଏ ?ମାସ ଶେଷକୁ ତ ତିନି କି ଚାରି ହଜାର ତୁ ପଠେଇବୁ । ମୋର, ତୋ ମାଆର ଔଷଧ ବାବଦରେ ଦୁଇ ହଜାର ଯାଉଛି ,ଗଣ୍ଡେ ଚାଉଳ କଣ୍ଟ୍ରୋଲ ଦୋକାନୀ ଦେଉଛି ବୋଲି ସେ ଖର୍ଚ୍ଚ ରହି ଯାଉଛି ,ପନିପରିବା ସଉଦା ପରେ ଟଙ୍କା ପାଞ୍ଚଟା ବି ହାତରେ ରହୁନାହିଁ । ଭତ୍ତା ଟଙ୍କା ହଜାରେ ମାଛ ଆଇଁସ ,ବିସ୍କୁଟ କୁ ନିଅଣ୍ଟ । ଝିଅଟାର ପାଉଡ଼ର ଟିକିଲି ପାଇଁ ବି ପଇସା ନିଅଣ୍ଟ ।ମୁଁ କ'ଣ ଟଙ୍କା ଗଛ ଲଗେଇଛି ।ଓଷା ବାରରେ ତା ପାଇଁ ନଡ଼ିଆ କଦଳୀ ଆଣିବି । ତା ବାପଘର ତ କେହି ନାହିଁ, ଏତେ ଫୁଟାଣି କାହିଁକି ?


ଛୋଟ ଲୋକ ଘରର ଝିଅ, ଜୋର ଜବରଦସ୍ତ ପ୍ରତି ମାସରେ ଭତ୍ତା ଟଙ୍କାରୁ ଚାରିଶହ ରଖୁଛି ,କାହିଁକି ଏତେ ଅତ୍ୟାର ସେ କରିବ ଆମକୁ । ତୋତେ ମୋ କଥା ଶୁଭୁଛି ତ ହଁ ହଁ ବାପା ରଜ ବେଳକୁ ଗଲେ ନିଶ୍ଚୟ କଥା ହେବି ।

ରଖୁଛି ବାପା, ପ୍ରଣାମ। ଚିନ୍ତା କଲା ସୁକାନ୍ତ, ପ୍ରତି ମାସରେ ମୋ ପାଖରୁ ଛବି ଚାରିଶହ ନେଉଛି, ବାପାଙ୍କ ପାଖରୁ ଚାରିଶହ ନେଉଛି, ତଥାପି ସବୁବେଳେ ତା ଅଭାବ ଶୁଣି ବଧୀର ହୋଇ ଗଲିଣି । ବାରବର୍ଷ ଵାହାଘର ଭିତରେ ଆସିବା ଦିନରୁ ଟଙ୍କା ନେଉଛି।

ସତରେ ଏତେ ଖର୍ଚ୍ଚ କଲେ କେଉଁଠୁ ଏତେ ଟଙ୍କା ଆସିବ , ଛୁଆଟି ପାଞ୍ଚ ବର୍ଷର, ସ୍କୁଲରେ ପାଠ ପଢୁଛି ,ତା ଜାମାପଟା ଇତ୍ୟାଦି। ହେ ଭଗବାନ ମଧ୍ୟବିତ୍ତ ପରିବାରରେ ଜନ୍ମ ନେବା କ'ଣ ଭୁଲ୍ । ବି ଏ ପଢି ଆଜି ସୂତାକଳରେ ସାଧାରଣ ଶ୍ରମିକ, ମାସ ଶେଷକୁ ଦଶ ହଜାର ବି ଦରମା ନାହିଁ । ତା ସାଙ୍ଗରେ ଛଅ ପ୍ରାଣୀ ନିର୍ଭର କରୁଛନ୍ତି । 


ସାବିତ୍ରୀ ଆଉ ଗୋଟେ ଦିନ ରହିଲା ବୋହୁ ,ତୁ ପରା ଟଙ୍କା ନେଲୁ ଫଳ ସାମଗ୍ରୀ ପାଇଁ ଆଣିଲୁ ନାହିଁ କି ।

ବୋହୁ-ନାହିଁ ମାଆ, ଶାଢୀ କିଣିବାକୁ ତ ଟଙ୍କା ନାହିଁ, ଖାଲି ନଡିଆ ଆଉ ଛଅଟି କଦଳୀ, ଶଙ୍ଖା,ସିନ୍ଦୁର ନେଇ ଆସିଛି ଚାଳିଶ ଟଙ୍କାରେ, ଦଶ ଟଙ୍କା ଦକ୍ଷିଣା ଦେଇଦେବି ନନାଙ୍କୁ ।

ତୁମେ ଏତେ ବ୍ୟସ୍ତ ହୁଅ ନା ମାଆ । ଯେମିତି ହେଲେ ପୂଜା ଟିକେ କରିଦେଲେ ହେଲା ।

ସାବିତ୍ରୀ ବ୍ରତ ଦିନ ସକାଳ

ଶାଶୁ ଶ୍ବଶୁର ପିଣ୍ଢାରେ ବସି କଣ କଥା ହେଉଥାଆନ୍ତି, ଶ୍ବଶୁର କହିଲେ ସେ ତିନି ଶହ ଟଙ୍କା ନେଇ ପଚାଶ ଟଙ୍କାରେ କାମ ଚଳେଇ ଆଉ ଟଙ୍କା କଣ କଲା କି ?

ସେ ଯାହା କରୁଛି କରୁ ,ଆଜି ଭଳି ଦିନରେ ଘରେ ପାଟି କର ନାହିଁ । ସେ ଟଙ୍କା କାହାକୁ ଦେଉଛି, ସେ କଥା ବୁଝିବି ଆଜି ସାହିରେ ଯାଇ । ଅନେକ ସମୟ କଥାବାର୍ତ୍ତା ଭିତରେ ନକୁଳ ନନା ଆସିଗଲେ। କିହୋ କକା ବୋହୁ ତୋର କୁଆଡ଼େ ଗଲା । ସକା ବୋଉ,ସେ ନନା କଣ କହୁଛି, ବୋହୁକୁ କାହିଁକି ଖୋଜୁଛି।


ବରପାତ୍ର ଠିକ କରିଛି, ରଜବାସୀ ବାହାଘର ହେବ । ବରଘର ତ ଝିଅକୁ ପସନ୍ଦ କରିଛନ୍ତି,ବାହାରୁ ବାହାରୁ ଦେଖିକି । ତୁମ ବୋହୁ ବି ବରପାତ୍ର ପସନ୍ଦ କରିଛି । ପଚାଶ ହଜାର ଯୌତୁକ ବାବଦରେ ନେବେ । ତୁମ ବୋହୁ ବି ଦବାପାଇଁ ରାଜି ଅଛି । କାଲି ସକାଳେ ସେ ଆସିବେ ଲଗ୍ନ ଧରିବାକୁ । ସୁକାନ୍ତ ଆସିଲେ ବାହାଘର କରିବା । ବୋହୁକୁ ଜଣେଇ ଦେବ । ମୁଁ ଯାଉଛି। ଆଲୋ ସୁକାବୋଉ, କେତେ ହିମ୍ମତ ସେ ମଉନମୁହିଁର ଦେଖ୍,ଏତେ ବାଟ ଗଲାଣି କିଛି କହୁ ନାହିଁ, ଚାଲିଲା ପାଟିତୁଣ୍ଡ ।


ଦ୍ବିପ୍ରହର ଖିଆପିଆ ପରେ ହଠାତ ଅସୁସ୍ଥ ହୋଇଗଲେ ଶ୍ବଶୁର, ପାଠପଢୁଆ ବୋହୁ ଗାଡ଼ି ଡକେଇ କଟକ ବଡ଼ ମେଡିକାଲ ନେଇଗଲା । ସାଙ୍ଗରେ ଶାଶୁ, ଗାଁର ସାଧୁଆ ଭାଇ,ଫକୀର କକେଇ ଯାଇଥାଆନ୍ତି। ଡାକ୍ତର କହିଲେ ଗୋଟେ ଛୋଟ ବାଇପାସ ସର୍ଜରୀ ନ କଲେ ପେସେଣ୍ଟର ଜୀବନ ଉପରେ ଆସ୍ଥା କମ୍ । ଚାଳିଶ ପଚାଶ ହଜାର ଲାଗିବ । 

ବୋହୁ ଶାଶୁଙ୍କୁ, ଶାଶୁ ବୋହୁକୁ ଅନାଅନି ହେଲେ। 

ମୁଣ୍ଡକୋଡି ଶାଶୁ କାନ୍ଦୁ ଥାଆନ୍ତି, ଭଗବାନଙ୍କୁ ଡାକୁ ଥାଆନ୍ତି । ହେ ଭଗବାନ ମୋ ଶଙ୍ଖା ସିନ୍ଦୁର ରକ୍ଷା କର ।

ଏହି ସମୟରେ ବୋହୁ ଡାକ୍ତର ବାବୁଙ୍କୁ କହୁଥାଏ,ସାର୍ ଆପଣ ଅପରେସନ କରନ୍ତୁ, ଯେତେ ଖର୍ଚ୍ଚ ହେଉ ପଛେ ମୋ ବାପା ବଞ୍ଚିବା ଦରକାର । ଶାଶୁ ଅବାକ୍ ହୋଇ ଚାହିଁ ରହିଲେ। ଆପଣ କାନ୍ଦନ୍ତୁ ନାହିଁ ମାଆ, ବାପା ଦୁଇ ଚାରି ଦିନ ମଧ୍ୟରେ ଭଲ ହୋଇ ଘରକୁ ଯିବେ । ହେଲେ ଏତେ ଟଙ୍କା କେଉଁଠୁ ଆସିଲା ମାଆ, କିଏ ସେ ଦେବଦୂତ।

ତୁମେ ସେସବୁ କିଛି ଚିନ୍ତା କର ନାହିଁ । ସବୁ ଠିକ ହୋଇଯିବ ।

ଅପରେସନ ନଅ ଦିନ ପରେ ଘରକୁ ନେଇ ଆସିଲେ ସୁସ୍ଥ କରି ଶ୍ବଶୁରଙ୍କୁ । ପୁଅ ସୁକାନ୍ତ ଆସି ପହଞ୍ଚି ଯାଇଛି ।

ଏଣେ ବରପାତ୍ର ଲୋକ ଆସି କଥା ହୋଇ ଗଲେ ଜୁନ ୧୭ ବାହାଘର ପାଇଁ । 

ଆଉ ମାତ୍ର ୫ ଦିନ ପରେ ବାହାଘର । ସବୁ ଜିନିଷପତ୍ର ବୋହୁ ଯୋଗାଡ଼ କରି ବାହାଘର କରିଦେଲେ ।

ଚତୁର୍ଥୀ, ଅଷ୍ଟମଙ୍ଗୁଳା ଭାରବୋଝ ସରିଗଲା ।

ଦାଣ୍ଡ ଦୁଆରେ ବାପା, ମାଆ, ପୁଅ ବସିଥାଆନ୍ତି ।

ହଇରେ ସୁକା,ଏତେ ଟଙ୍କା କୋଉଠୁ ଆଇଲା । ଏତେ କାମ କଲୁ ।

ବାପା, ମୁଁ ସେଇକଥା କହୁଛି ଏତେ ଟଙ୍କା କେଉଁଠୁ ଆସିଲା, କଣ କେମିତି ହେଲା ।

ତୁ ଡାକିଲୁ ବୋହୁକୁ ।

ହଁ ଡାକୁଛି, ଛବି ଛବି,ଏଣେ ଆସିଲ ବାପା ଡାକୁଛନ୍ତି ।

ବୋହୁ ଆସିଲା ବାପା, ଯାହା କହିବା କଥା କୁହ।

ଆରେ ମାଆ, ମୋତେ ସତ କହିଲୁ ଏତେ ଟଙ୍କା କେଉଁଠୁ ଆଣିଲୁ ,ମୋ ଅପରେସନ, ଝିଅ ବାହାଘର ଖର୍ଚ୍ଚ ସବୁ କଲୁ କେମିତି ।

ବାପା, ତୁମ ଅପରେସନ ,ଔଷଧ ପାଇଁ ଷାଠିଏ ହଜାର, ଝିଅ ବାହାଘର ଯୌତୁକ ପଚାଶ ହଜାର ,ବାହାଘର ଭୋଜିଭାତରେ ଏମିତି ଦୁଇଲକ୍ଷରୁ କିଛି ଅଧିକ ଖର୍ଚ୍ଚ ହେଲା।

ତୁ ଏତେ ଆଣିଲୁ କେଉଁଠୁ ?


ବାପା, ପ୍ରତି ମାସରେ ତୁମ ପାଖରୁ ଚାରିଶହ ଓ ତୁମ ପୁଅ ପାଖରୁ ଚାରିଶହ ଏମିତି ଆଠଶହ,ଘରଖର୍ଚ୍ଚ ଟଙ୍କା,ଓଷାବାର ଟଙ୍କା ମିଶାଇ ୧୦୦୦ ନିଏ । ସବୁ ଟଙ୍କା ଡାକଘରେ ଜମା କରେ । ତିନି ବର୍ଷ, ପାଞ୍ଚ ବର୍ଷ କରି ଜମା କରି କରି ମୋଟ ଦୁଇ ଲକ୍ଷ ଷାଠିଏ ହଜାର ପାଇଲି । ଆଉ ତିରିଶ ହଜାର ଭଳି ଟଙ୍କା ମୋ ପାଖରେ ଏବେବି ଅଛି ।

ମୁଁ ମୋ ପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରେ ନାହିଁ । ନଣନ୍ଦ ପାଇଁ ସବୁ ସାଇତି ରଖିଥିଲି ।

ଆପଣମାନେ ସିନା ସବୁବେଳେ ମୋ ସହ କଳି କରୁଥିଲେ ହେଲେ ମୁଁ ସେସବୁ ନଜର ନ ଦେଇ ଟଙ୍କା ସାଇତି ଦେଉଥିଲି ।

ଏଥର ଆଉ ସୁକାନ୍ତ ସମ୍ଭାଳି ପାରିଲା ନାହିଁ, ବସିବା ଜାଗାରୁ ଉଠିଆସି ଛବିର ହାତ ଧରି ନେଇ ଖୁବ୍ ଜୋରରେ କାନ୍ଦିଲା । ଛବି ମୋ ଜୀବନରେ ଏକକାଳୀନ ପଚାଶ ହଜାର ଦେଖିବା କଣ ସପନରେ ଭାବିବା ବି ସମ୍ଭବ ନ ଥିଲା । ତୁମେ ଆଜି ଅଢେଇ ଲକ୍ଷ ଟଙ୍କା ସାଇତି ମୋ ବାପାଙ୍କୁ ନୂଆ ଜୀବନ ଦେବା ସହ ମୋ ଭଉଣୀର ଘର କରିଦେଲ ପୁଣି ଯୋଗ୍ୟ ପାତ୍ର ସହ । ହେଲେ ମୁଁ ଅମଣିଷ ଏଥର ଛାଡ଼ପତ୍ର ଦେବି ବୋଲି ସୁରାଟରୁ ମନସ୍ଥ କରି ଆସିଥିଲି । ବାପା ଦେଖିଲ ତ ,ତୁମ ବୋହୁର କାରନାମା ,ସବୁବେଳେ ତା ବିରୁଦ୍ଧରେ ମୋ ସହ ପାଟିତୁଣ୍ଡ କର ।

ହଁ ରେ ସୁକା, ଆମର ବହୁତ ବଡ଼ ଭୁଲ ହୋଇ ଯାଇଛି । ସେଦିନ ପା ଆମେ ଗାଁ ମୁଖିଆ ସହ କଥା ହୋଇଥିଲୁ,ପଞ୍ଚାୟତ ଡାକି ତା ଗାଆଁକୁ ବିଦା କରିଥାଆନ୍ତୁ ବୋଲି ।

ଶାଶୁ ଶ୍ବଶୁର ହାତ ଯୋଡି ବୋହୁକୁ କହିଲେ ମାଆ ଛବି ଆମକୁ କ୍ଷମା କରିଦେ,ଆମେ ତୋତେ କେତେ ଖରାପ ନଜରରେ ଦେଖିଛୁ,ହେଲେ ତୁ ତ ଏ ଘର ପାଇଁ ସାକ୍ଷାତ ଲକ୍ଷ୍ମୀ ।

ଛି ବାପା, ଛି ମାଆ, ଆପଣ ମାନେ ହାତଯୋଡି ଭୁଲ ମାଗିଲେ ମୋର ଅମଙ୍ଗଳ ହେବ । ଏମିତି ଭୁଲ୍ ବୁଝାମଣା ହୁଏ । ମୁଁ ବି ଆପଣଙ୍କୁ କିଛି ଜଣେଇ ନ ଥିଲି ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ । ଆପଣ ନିଶ୍ଚିନ୍ତରେ ଔଷଧ ଖାଇ ଖୁସି ରୁହନ୍ତୁ । କାଲି ଆମର ଦୁଇଟି ଟି ଭି ଆଣିବା,ଗୋଟିଏ ଆପଣଙ୍କ ଝିଅ ପାଇଁ ଆଉ ଗୋଟେ ଆପଣ ଆଉ ମାଆଙ୍କ ପାଇଁ । ସବୁଦିନ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୀତା, ଭାଗବତ, ପୁରାଣ ଆଲୋଚନା ଦେଖିବ ହେଲେ ସନ୍ଧ୍ୟା ସାତ ପରେ ମୁଁ ସିରିଏଲ ଦେଖିବି ।

ଦେଖୁଛ ତ ସୁକା ବାପା, ମୋ ବୋହୁକୁ, ଆମ ପାଇଁ ତାର କେତେ ଚିନ୍ତା । କେବଳ ମାନବିକତା ଥିବା ମଣିଷ ହିଁ ଏସବୁ କରି ପାରେ । ପଖାଳ ଲଙ୍କା ଖାଇ ଖାଇ ବାରବର୍ଷ ଭିତରେ ଆମକୁ କେତେ ସୁଖ ଏକାବେଳକେ ଦେଲା । ତୁ ମୋ ମାଆ, ମୋ ସାବିତ୍ରୀ, ମୋ ସ୍ବାମୀକୁ ଜୀବନ ଦାନ ଦେଇ ମୋ ଶଙ୍ଖା ସିନ୍ଦୁରକୁ ଘଣ୍ଟ ଘୋଡେଇ ଦେଇ ରକ୍ଷା କରିଛୁ ମାଆ ।

ମାଆଲୋ , ଏ ମୋ ସ୍ତ୍ରୀ ଛବି ନୁହେଁ, ଛବି ହେଉଛି ଆମ ଘରର ସତୀ ସାବିତ୍ରୀ, ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀ । ଆସ ଯିବା ବଜାରକୁ, ଟିଭି ଆଣିବା ।




Rate this content
Log in

Similar oriya story from Inspirational