Pranati Mahapatra

Children

4  

Pranati Mahapatra

Children

ତଳ ବରଡା ଖସୁଛି, ଉପର ବରଡା ହସୁଛି

ତଳ ବରଡା ଖସୁଛି, ଉପର ବରଡା ହସୁଛି

4 mins
376



ଶାରଦୀୟ ପୂଜା ପେଣ୍ଡାଲରେ ସାନ୍ଧ୍ୟ ବେଳାରେ ଆଜି ବହୁତ ଭିଡ଼ । ଶରତରେ ଧରା ଆଜି ଉତ୍ସବ ମୁଖର । ନୂଆ ନୂଆ ପୋଷାକରେ ସଜବାଜ ଶସ୍ୟଶ୍ୟାମଳିମା ଧରଣୀ ବୁକୁରେ ଭାରତୀୟ ପରମ୍ପରାରେ ଥିବା ଓଡ଼ିଆ ଘରର ଲୋକମାନେ । ମାଆ ଆସୁଛନ୍ତି ଗଜ ବାହନରେ । କି ସୁନ୍ଦର ଲାଇଟରେ ଚିକମିକ କରୁଛନ୍ତି ଦଶଭୂଜା ଦେବୀ । ମାଇକରେ ଶୁଭୁଥାଏ ଯା ଦେବୀ ସର୍ବଭୂତେଷୁ ... । ଧାଡି ଧାଡିରେ ଲୋକମାନେ ଶୃଙ୍ଖଳିତ ଭାବରେ ଆସି ସଭକ୍ତିକ ପ୍ରଣାମ ନୈବେଦ୍ୟ ପୂର୍ବକ ବିଲ୍ବପତ୍ର ପ୍ରସାଦ ଗ୍ରହଣ କରି ମଥାରେ ସିନ୍ଦୁର ପିନ୍ଧି ମହାନନ୍ଦରେ ବାହୁଡି ଯାଉଛନ୍ତି ଆଉ ଏକ ମଣ୍ଡପ ପାଖକୁ । 

    ମଣ୍ଡପ ଠାରୁ ଅଦୂରରେ ଏକ କୀର୍ତ୍ତନ ମଣ୍ଡଳୀ ହରିନାମ ସଂକୀର୍ତ୍ତନ କରିବାରେ ବ୍ୟସ୍ତ । ଟିକିଏ ଦୂରରେ ବସିଥାନ୍ତି କେତେକ ଅସହାୟ, ଅପରାହ୍ନରେ ପଦାର୍ପଣ କରିଥିବା କେତେକ ମାଟିର ମଣିଷ । ପୂଜା ପେଣ୍ଡାଲରୁ ବାହୁଡି ଯାଉଥିବା ଦର୍ଶନାର୍ଥୀଙ୍କୁ ହାତ ପତାଇ ନୀରବରେ ଖାଇବାକୁ ଅଳି କରୁଥାନ୍ତି କ୍ରୋଟରାଗତ ଅଶ୍ରୁଳ ମୁଦ୍ରାରେ । ଦୟା ପରବଶ ହୋଇ କେହି ସହଯୋଗ କରୁଥାନ୍ତି ତ କେହି ଅହଙ୍କାରରେ ଉପହାସ ତ ଆଉ କେହି ଘୃଣା ଚକ୍ଷୁରେ ଚାଲି ଯାଉଥାନ୍ତି । 

     ସେମାନଙ୍କ ମଧ୍ୟରେ ଜଣେ ଅର୍ଦ୍ଧ ବୟସ୍କ ମହିଳାଟିଏ ଚାରି ପାଞ୍ଚ ବର୍ଷର ପିଲାଟିକୁ ସମ୍ବୋଧିତ କରୁଥାନ୍ତି କିଛି । ଏହି ସମୟରେ ହଳଦୀ ରଙ୍ଗର ସାର୍ଟ ପିନ୍ଧା ଯୁବକଟିଏ ଗୋଟିଏ ଗାଡ଼ିରେ ଆସିଲେ । ଗାଡ଼ିରେ ଲଦିଥିବା ଅନେକ ପ୍ୟାକେଟ ଭିତରୁ କିଛି ଖାଦ୍ୟ ପ୍ୟାକେଟ ବସିଥିବା ଅସହାୟ ମାନଙ୍କୁ ଦେଲେ , ଶିଶୁଟିକୁ ପ୍ୟାକେଟ ଦେବା ସମୟରେ ଦେଖିଲେ ତା ଜାମା ଚିରି ଯାଇଛି । ଛୁଆଟିର ମାଆଙ୍କୁ ଚାହିଁ କହିଲେ ,ମାଆ ଭେକ ଥିଲେ ଭିକ ମିଳେ । ପିଲାଟିକୁ ଭଲ ଜାମା ପ୍ୟାଣ୍ଟ ଖଣ୍ଡେ ପିନ୍ଧାଅ । ଲୋକମାନେ ଆଗ୍ରହରେ କିଛି ସାହାଯ୍ୟ କରିବେ । ବାପା ମାଆ ହୋଇ ଯାହା ବି ରୋଜଗାର କରୁଛ ,ପ୍ରଥମେ ଭଲ ବସ୍ତ୍ର ଖଣ୍ଡେ ପିନ୍ଧ ।

ମହିଳା ଜଣକ କାନ୍ଦି କାନ୍ଦି ଚିରାକାନିରେ ଲୁହପୋଛି କହିଲେ ବାବୁ, ବାହା ହୋଇଥିଲେ ସିନା ସ୍ବାମୀ ଥାଆନ୍ତା । ଏ ତ କାମୁକ ପୁରୁଷର ଭୋକଫଳ ,ଯେମିତି ମୁଁ । ଜନ୍ମରୁ ଦିନର ସୂର୍ଯ୍ୟାଲୋକ ଦେଖି ନ ଥିବା ଅନୁଢା କନ୍ୟାର ବିଷାକ୍ତ ଫଳ ମୁଁ, ଏହି ଅନ୍ଧାରିଆ ରେଳଷ୍ଟେସନ ଆମ ବାପାମାଆ । ସିମେଣ୍ଟ ଚଟାଣର ଛିଣ୍ଡା ସିମେଣ୍ଟ ବସ୍ତାରେ ରାତି ପାହେ ମୋର । ସେହି ରାତିରେ ଯେ କେତେ କ୍ଷୁଧାର୍ତ୍ତ ନିଜ ଭୋକର ଭୂଗୋଳକୁ ମୋ ଦେହରେ ଆଙ୍କି ଦିଅନ୍ତି , ନା ସେମାନଙ୍କ ଚନ୍ଦ୍ରବଦନକୁ ଦେଖିପାରେ ନା ଏ ପିଣ୍ଡରେ ସେତେବେଳେ ପ୍ରାଣ ଥାଏ ମୋର । ଚେତା ଫେରିବା ବେଳକୁ ସାରା ଶରୀରରେ କେବଳ ଉଦ୍ଧତ ବ୍ୟାଘ୍ରନଖ ସବୁ ଦେଖାଯାଏ ଏବଂ ଯନ୍ତ୍ରଣାରେ ଛଟପଟ ହେଉଥାଏ । ବାବୁ ଏପାଖରେ ଅଭାବ ଆଁ କରି ବାଟ ଜଗିଥିବା ବେଳେ

ସେପାଖରେ ପାର୍ବଣ ହାଁ କରି ମାଡ଼ି ଆସୁଛି

ବୋଝବୁହା ରାତିରେ ଭୋକର ତାତିଟା ତ ଖାଲି ଭୋକରେ ସକେଇ ହେଉଛି । ଅସଜଡା ଭାଗ୍ୟ ମୋର ପୁଣି ଅସଜଡା ସ୍ବପ୍ନ , ସବୁ ଖାଲି ପ୍ରତିକ୍ଷଣ ଭାଗ ଭାଗ ହୋଇ ଚାଲିଛନ୍ତି । ନା ନିଜ ମୁହଁକୁ ହାତ ପାଉଛି ନା ମୁଠାଏ ମାଟିକୁ ମୁଠେଇ ପାରୁଛି । ତାରାମାନଙ୍କ ଆଖି ମିଟିକା ଦେଖିଲେ ରାଗହୁଏ ଆକାଶ ଉପରେ, କାହିଁକି ନା ଏହି ଆଖି ମିଟିକାରେ କେତେ ଜଣ ଚେଇଁ ଚେଇଁ ସ୍ବପ୍ନ ଦେଖୁଥିବେ ତ କେହି କେହି ଚେଇଁ ଚେଇଁ ଚିହିଁକି ଉଠୁଥିବେ ପରଦିନର ଯନ୍ତ୍ରଣାକୁ ସ୍ବପ୍ନ ଦେଖି । ସ୍ବପ୍ନ ବି ସ୍ବପ୍ନ ଦେଖିଲାଣି ଆଜିକାଲି ବାବୁ , ଜନ୍ମରୁ ସିନା ଏନ୍ତୁଡି ନିଆଁ ନ ଥିଲା, ବଞ୍ଚିବା ମୋହ ନ ଥିଲା ହେଲେ ଏବେ ଜୁଇ ନିଆଁ ଆଉ ମୃତ୍ୟୁ ମୋହ ବହୁତ ମୋର । ଦେଇ ପାରିବ ବାବୁ ମୋତେ ଏ ଦୁଇଟିକୁ ।

ପାଖରେ ବସିଥିବା ବୁଢାଟି ସେତେବେଳକୁ କାନ୍ଦି ପକେଇଲାଣି , ହଇଓ ବାବୁ ! ଅଭାଗିନୀଟା ମନଖୋଲି ଆଜି ବହେ ଗପି ଦେଲାଣି , ତା ଛୁଆ ପାଇଁ କିଛି ଦେଇଯାଅ ମୁଁ କାଲି ବଜାର ଯାଇ ସାର୍ଟ କିଣି ଆଣିବି ।

   ପିଲାଟି ପ୍ରଥମେ ନିଜକୁ ବିଶ୍ୱାସ କରି ପାରିଲା ନାହିଁ । ପାଖକୁ ଯାଇ ଭଲ ଭାବରେ ଚାହିଁଲା ଏବଂ ଉଚ୍ଚ ସ୍ବରରେ କହିଲା ଆପଣ ! ରଘୁନାଥପୁର ଗାଆଁର ସେହି ରଞ୍ଜନ ସାର୍ ତ । ଯିଏ ଗାଆଁର ଭଲମନ୍ଦରେ ନିଶାପ କରନ୍ତି, ଅଚଳାଚଳ ସମ୍ପତ୍ତିର ମାଲିକ ,ତିନି ପୁଅ ଦୁଇ ଝିଅର ବାପା ।

ବୁଢାଟି କହିଲା , ମୋତେ କେମିତି ଚିହ୍ନିଲେ ବାବୁ । ମୁଁ ତ ଆଜିକୁ ଆଠବର୍ଷ ହେଲା ଗାଆଁ ଛାଡିଲିଣି । 

ଯୁବକ - ଆଜିକୁ ଅଠର ବର୍ଷ ତଳେ ବିନା କାରଣରେ ପତିହରା ଇନ୍ଦୁମତୀର ଦୁଇ ଡିସମିଲର ଘରଡିହକୁ ନେଇ ରାଜରାସ୍ତାକୁ ପଠେଇଥିବା ଇନ୍ଦୁମତୀର ପୁଅ ମୁଁ । ଚିହ୍ନି ପାରୁଛନ୍ତି ସାର୍ , ଖୁସିରେ ମାଆ ମୋର ନାଁ ରଖିଥିଲା କହ୍ନେଇଁ । 

ସେହି କହ୍ନେଇଁ ମୁଁ ।


ଆଜି ଆପଣଙ୍କ ଅବସ୍ଥା ଦେଖି ମନେ ପଡେ ଶୁଣାକଥା ପଦେ- ସେଥିପାଇଁ ଲୋକକଥା ଅଛି - 

ତଳ ବରଡା ଖସୁଛି

ଉପର ବରଡା ହସୁଛି

ମଝି ବରଡା ଥାଇ କହୁଛି

ରହ ରହରେ

ତୋ ବେଳକାଳ ଆସୁଛି ।

କୁହ ବାବୁ,ତୁମ ମନକୁ ଯାହା ଆସୁଛି କୁହ, ମୁଁ ତ ସେହିଭଳି ଅମଣିଷ କାମ କରିଛି । ଲୋଭ ମୋହବଶରେ ଆଜି ଯେଉଁ ଧନ ସଞ୍ଚିଥିଲି ,ତାକୁ କିଏ ଖାଉଛି। ମୋ କର୍ମଫଳ ମୁଁ ଭୁଞ୍ଜୁଛି । ତୁମେ ଇନ୍ଦୁମତୀର ପୁଅ କହ୍ନେଇଁ, ସତରେ ବାବୁ ତୁମେ କଳାକାହ୍ନୁ । ଆକାଶର ଜହ୍ନ ପୋଛିଦେଲେ ଯେମିତି ପୋଛି ହୁଏନା, ଚାନ୍ଦର ଦାଗକୁ ପୋଛିବାର ଦୁର୍ବାର ପ୍ରୟାସ ଆଜି କଳଙ୍କ ଟୀକା ପାଲଟି ଯାଇଛି ବାବୁ । ସେତେବେଳେ ସିନା ଇନ୍ଦୁମତୀକୁ ବେଘରିଆ କରି ରାବଣ ହସ ହସୁଥିଲି ,ଏହି ରାକ୍ଷସ ଔରସରୁ ଜାତ ସମସ୍ତେ ଆଜି ନରରାକ୍ଷସ ହୋଇ ସମ୍ପତ୍ତିର ମୋହରେ ମୋହାଛନ୍ନ ହୋଇ ରାଜରାସ୍ତାକୁ ପେଲିଦେଇଛନ୍ତି । ମୋ କୃତକର୍ମର ପ୍ରାୟଶ୍ଚିତ କରୁଛି ବାବୁ । ସତରେ ଉପର ବରଡାଟା ସବୁବେଳେ ଉପରେ ନ ଥାଏ କି ସେ ହସ ସବୁବେଳେ ସ୍ଥାୟୀ ନ ଥାଏ । ବଳବୟସ ହଟିଗଲେ ଆଉ ନିୟତିର ନିୟମରେ ନିଶ୍ଚୟ ଦିନେ ନା ଦିନେ ତଳକୁ ଆସେ ପୁଣି ହସ ଲିଭି ଲୁହ ଜକେଇ ଆସେ ଏ କ୍ରୋଟରାଗତ ଚକ୍ଷୁରେ । 


    ମାଆ କେମିତି ଅଛନ୍ତି ବାବୁ , କହିବ ଏ ବୁଢାଟାର ଦୋଷ କ୍ଷମା କରି ଦେବେ ।

ଯୁବକ- ଶୁଣନ୍ତୁ ସାର୍,ସେ ଗାଆଁରୁ ଫେରିବା ପରେ ପାଖ ଗାଆଁକୁ ଆସି ଜଣେ ବାବୁଙ୍କ ଘରେ ମାଆ ମୋର ବାସିପାଇଟି କଲେ ,ସେ ଘରେ ସ୍ବାମୀ ସ୍ତ୍ରୀ ଓ ପୁଅଟିଏ । ପୁଅ ତାଙ୍କର ଆମେରିକାରେ ବିବାହ କରି ରହୁଥିଲେ ,ତେଣୁ ତାଙ୍କର ସମସ୍ତ କାମ ବୋଲହାକ ମାଆ ଆଉ ମୁଁ କଲୁ । ଆଗେ ବାବୁ ସାଆନ୍ତେ ଚାଲିଗଲେ ,ସେତେବେଳେ ବି ପୁଅ ଆସିଲେ ନାହିଁ, ମାଆ ସାଆନ୍ତାଣି ବାବୁଙ୍କୁ ଝୁରି ଝୁରି ଦିନ କେଇଟାରେ ଚାଲିଗଲେ । ଯିବା ଆଗରୁ ତାଙ୍କର କିଛି ସମ୍ପତ୍ତି ମୋ ନାଆଁରେ କରିଗଲେ । ସେହି ସମ୍ପତ୍ତିର ଦେଖାରଖା ଏବେବି କରୁଛି, ତାଙ୍କ ପୁଅ ଆସିଲେ ଦେଇଦେଇ ଋଣମୁକ୍ତ ହେବୁ ମାଆ ପୁଅ । ସେଇଠି ଭଲରେ ଗଣ୍ଡେ ଖାଇ ପାଠପଢି ଆଜି ମୁଁ ଗୋଟିଏ ସରକାରୀ ଅଫିସରେ ଚାକିରୀ କରିଛି । ପ୍ରତ୍ୟେକ ମାସ କିଛି ଦରମା ଟଙ୍କାରେ ମୋ ଭଳି ଅସହାୟଙ୍କୁ ପ୍ରତି ସନ୍ଧ୍ୟାରେ ସହଯୋଗ କରିବାକୁ ଧାଇଁ ଆସେ ।


  ଭଗବାନ ତୁମର ମଙ୍ଗଳ କରନ୍ତୁ ବାବା , ଏମିତି ମହତ୍ ଚିନ୍ତା ସବୁ ପୁଅକୁ ଦିଅନ୍ତୁ ଭଗବାନ । ଆଉ ଗୋଟିଏ କଥା ସାର୍, ମୋ ମାଆ ସାଆନ୍ତାଣିଙ୍କ ଭଳି ମହତ୍ ଚିନ୍ତା ବି ସବୁ ବାପାମାଆଙ୍କ ମୁଣ୍ଡରେ ରହୁ ।  ନହେଲେ ମୁଁ କିଏ ନା ଆଜିର ଏ ଚାକିରୀ କିଏ । ତାଙ୍କର ଦୟାରେ ଆଜି ମୁଁ ମୁଣ୍ଡ ଉପରେ ଖଣ୍ଡେ ଚାଳ ପାଇଛି । ଆପଣ ଆମକୁ ବେଘରିଆ କରିଥିଲେ ବୋଲି ମହାପ୍ରଭୁ ମଜବୁତ ଘର ଖଣ୍ଡେ ଦେଲେ ।

ଆସନ୍ତୁ ମୋ ସହ ଆମ ଘରକୁ ଯିବା ।

ଅମଙ୍ଗ ହୋଇ ହୋଇ ଯୁବକ ସହ ବୁଢାବାବୁ ଗଲେ ।

ଯୁବକଟି କହିଲା, ବୁଝିଲେ ସାର୍-

କଥାରେ ଅଛି

ଇଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ

   ସମସ୍ତଙ୍କ ଭାଗ୍ୟଡୋରି,

ନିଜ ଭାଗ୍ୟଡୋରି କାଳହସ୍ତେ ଯେଣୁ

   ପକାନ୍ତି ହେଳେ ପାଶୋରି ।


  


Rate this content
Log in

Similar oriya story from Children