Dr Jagatabandhu Mohapatra

Inspirational Children

4.9  

Dr Jagatabandhu Mohapatra

Inspirational Children

ସ୍ୱାବଲମ୍ବୀର ମନ୍ତ୍ର

ସ୍ୱାବଲମ୍ବୀର ମନ୍ତ୍ର

6 mins
618



ଗୋଡ ଦୁଇଟିର ପାଦ ଦୁଇଟା ତା’ର ଅସମ୍ଭବ ଭାବରେ ଫୁଲି ଯାଇଥିଲା । ଜଣା ପଡୁଥିଲା ସତେ ଯେମିତି ଜଣେ ବାତଜ୍ଵର ରୋଗୀ । ୨/୩ ଦିନ ତଳେ ଜ୍ଵର ଛାଡି ଯାଇଛି, କିନ୍ତୁ ପାଦର ଫୁଲା କମିନି । ପାଦ ଦୁଇଟା ଆଉ ଆଗକୁ ଯିବାକୁ ଇଚ୍ଛା କରୁ ନଥିଲା । ତଣ୍ଟି ଅଠା ଅଠା ହୋଇ ଆସୁଥିଲା । ଭୀଷଣ ଭୋକରେ ପେଟ ଜଳି ଉଠୁଥିଲା । ନା ଆଉ ସେ ଆଗକୁ ଯାଇ ପାରିବନି । କିଛି ଦୂରରେ ବରଗଛଟିଏ ଓ ସେହି ବରଗଛ ମୂଳେ ବିଶ୍ରାମ ନେବାକୁ ସ୍ଥିର କଲା ସେ । ବରଗଛ ଆଡକୁ ଆଗେଇଲା । ଆଜି ଭୋର ସକାଳୁ ସେ ଚାଲିବା ଆରମ୍ଭ କରିଥିଲା । ସୂର୍ଯ୍ୟ ଆସି ମୁଣ୍ଡ ଉପରକୁ ଉଠିଲାଣି । କାନ୍ଧ ଉପରେ ୪ ବର୍ଷର ଝିଅ ମୁନି, ୨ହାତରେ୨ଟା ବିରାଟ ବିରାଟ ବ୍ୟାଗ ଆଉ ସାଥିରେ ନିଜର ସ୍ତ୍ରୀ ଚାଲିଥାଏ । ଦୁହେଁ ଯାଇ ବରଗଛ ମୂଳରେ ବସି ପଡି ନିଜ ନିଜର ଥକ୍କା ମେଣ୍ଟାଇଲେ ଓ ପାଖରେ ମୁନି ଏଣେ ତେଣେ ଅନାଇ ବାପା ମାଙ୍କ ଚାରିପଟେ ଘୁରି ବୁଲୁଥାଏ ।


ଭୋକରେ ସମସ୍ତଙ୍କ ପେଟ ଆଉଟ ପାଉଟ ହେଉଥାଏ । ମୁନି ମା’କୁ ଭୋକିଲା ଆଖିରେ ଅନାଇଥାଏ ଓ ତା’ର ଶୁଖିଲା ମୁହଁରୁ ମା’ ମନଟା ବୁଝିଗଲା ତା’ ପିଲା ଅନ୍ତରର କଥା । ମୁନିର ମା ବ୍ୟାଗ ଭିତରେ ଗୋଟିଏ କନାରେ ବାନ୍ଧି ରଖିଥିବା ଚୂଡାକୁ ଖୋଲିଲା । ଗୋଟିଏ ଜାଗାରେ ଅଳ୍ପ ପାଣିରେ କିଛି ଚୂଡା ଭିଜାଇ ମୁନିକୁ ଖାଇବାକୁ ଦେଲା । ସ୍ଵାମୀ ସ୍ତ୍ରୀ ଦୁହେଁ ସେହି ଶୁଖିଲା ଚୂଡାରୁ ମୁଠେ ମୁଠେ ପାଟିରେ ପକେଇ ବ୍ୟାଗ ଭିତରେ ଥିବା ପାଣି ବୋତଲରୁ ପାଣି ପିଇ ନିଜର ଭୋକ ମେଣ୍ଟାଇଲେ । ତା’ ପରେ କିଛି ସମୟ ପାଇଁ ଦୁହେଁ ଗଛ ମୂଳରେ ଲମ୍ବେଇ ହୋଇଗଲେ ।


ଏଇ ଦୁଇ ଚରିତ୍ର ହେଉଛନ୍ତି, ଓଡିଶା ରାଜ୍ୟର । ଜଣେ ନଟିଆ ଆଉ ଜଣେ ତା’ ସ୍ତ୍ରୀ ଗୁରେଇ । କଲିକତାରେ ଦୁହେଁ ଦିନ ମଜୁରିଆ ଭାବେ କାମ କରନ୍ତି । ମାର୍ଚ୍ଚ ମାସ ବେଳକୁ ସାରା ପୃଥିବୀରେ କରୋନା ଭୂତାଣୁ ତା’ର କାୟା ବିସ୍ତାର କରିସାରିଥାଏ । ସେତେବେଳକୁ ପୃଥିବୀର କିଛି କିଛି ଦେଶ ତା’ଲୋକଙ୍କୁ ଗୃହବନ୍ଦୀ ଭାବେ ରଖିସାରିଥିଲା । ହଠାତ୍ ଦିନେ କଲିକତା ସହରର ସବୁ ଗହଳିଚହଳି ପୁରା ନିଷ୍ପ୍ରଭ ହୋଇଗଲା । ସବୁ ଯେମିତି ଗତିହୀନ ହୋଇ ପଡିଲେ । ଗାଡି, ମଟର, ଟ୍ରେନ,ଏରୋପ୍ଳେନ ସବୁ ଚାଲିବା ବନ୍ଦ ହୋଇଗଲା । ଦୋକାନ ବଜାର ସବୁ ବନ୍ଦ । କରୋନା ଭୂତାଣୁ ଭୟରେ ସାରା ଭାରତ ଯାକର ମଣିଷ ଘର ଭିତରେ ଲୁଚି ରହିବାକୁ ବାଧ୍ୟ ହେଲେ ।


ଏ ଘଟଣା ଘଟିଲା ଆମ ଦେଶରେ ମାର୍ଚ୍ଚ୨୫ ତାରିଖରେ; ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଭିରେ ଭାଷଣ ଦେଇ ଭାରତକୁ ସବୁ ସ୍ତରରେ ବନ୍ଦ କରି ଦିଆଯିବାର ଘୋଷଣା କଲେ । କାମଦାମ, ଦୋକାନବଜାର, ଗାଡି ମଟର, କଳକାରଖାନା, କମ୍ପାନୀ ସବୁ ବନ୍ଦ । ପଇସାଟିଏ କୋଉଠୁ ଆସିବାର ବାଟ ନାହିଁ । ଖାଇବାକୁ ପେଟକୁ ଦାନା ନାହିଁ ।


କେମିତି ବଞ୍ଚି ରହିବ ନଟିଆ, ତା’ ସ୍ତ୍ରୀ ଆଉ ତା’ ଝିଅ ମୁନି । ଗାଡି ମଟରରେ ଆସିବାର ଜୁ ବି ତା ପାଖରେ ନଥିଲା । ତେଣୁ ପାଦରେ ଚାଲି ଚାଲି ଗାଁକୁ ଫେରିବାର ନିଷ୍ପତ୍ତି ନେଇଥିଲେ ଉଭୟ ସ୍ଵାମୀ ସ୍ତ୍ରୀ । ନଟିଆ ତା’ ସ୍ତ୍ରୀ ଆଉ ଝିଅକୁ କଲିକତାରୁ ସୁଦୂର ଯାଜପୁରକୁ ଆଣି ଆସିଲା ।

୩ ଦିନ ହେଲା ଚାଲିଛି ନଟିଆ । ରାସ୍ତାଘାଟ ସବୁ ଶୁନ୍ ଶାନ୍ । ବାଟରେ ଦୁଇ ଜାଗାରେ କିଛି ସହୃଦୟ ବ୍ୟକ୍ତି ଓ ସ୍ଵେଚ୍ଛାସେବୀ ଭାଇ ଓ ଭଉଣୀ ନଟିଆ, ଗୁରେଇ ଓ ମୁନିକୁ ଦୁଇ ଥର ଖାଇବାକୁ ଦେଇଥିଲେ । ନିଜ ଗାଁକୁ ଆହୁରି ଦୁଇ ଦିନ ଲାଗିଯିବ । ତଥାପି ଆଶା ହରେଇ ନଥିଲା ନଟିଆ । ମନରେ ଅନେକ ଆଶା ଓ ବିଶ୍ୱାସ ଧରି ଆଗକୁ ଆଗେଇ ଥିଲା ସେ ।


ଆଜି ନଟିଆ ମନରେ ଅନେକ ଆନନ୍ଦ । ସେ ଆଜି ଭାରି ଖୁସି । ଭୋକଶୋଷ ସବୁ ଭୁଲି ଯାଇଛି ଯେପରି । ଏତେ ବାଟ ଚାଲି ଚାଲି ଆସିଥିବାର ବାଧା ଯେମିତି ଦୂରେଇ ଯାଇଛି ତା’ ଦେହରୁ । କାରଣ, ମାତ୍ର ଆଉ ୨ ଘଣ୍ଟାର ବ୍ୟବଧାନ ଭିତରେ ସେ ପହଞ୍ଚିବ ତା’ ଗାଁରେ । ତା’ ଗାଁ ମା’ପାଖରେ । ଭେଟିବ ତା’ର ପ୍ରିୟଜନମାନଙ୍କୁ । ଅନେକ ଦିନର ବ୍ୟବଧାନ ପରେ ତା’କୁ ଦେଖି ସେମାନେ କେତେ ଖୁସି ନହେବେ । ତା’ ଦାଦା, ଖୁଡୀ ଛୋଟ ବଡ ଭାଇ ଭଉଣୀମାନେ ଓ ତା’ ର ପିଲାବେଳର ସାଙ୍ଗସାଥିମାନେ । ମନରେ ତା’ର ଅସୀମ ଆନନ୍ଦ ଓ ସାହସ ଜାଗି ଉଠିଲା । ଆହୁରି ଜୋରରେ ଜୋରରେ ପାଦ ପକାଉଥିଲା ନଟିଆ ।

ଶେଷରେ ଯାଇ ପହଞ୍ଚିଲା ନଟିଆ ତା’ ନିଜ ଜନ୍ମମାଟିରେ । କିନ୍ତୁ ଗାଁରେ ପହଞ୍ଚି ନଟିଆ ଦେଖିଲା ଗାଁର କେତେଜଣ ଲୋକ ଗାଁ ମୁଣ୍ଡରେ ବାଉଁଶ ପକେଇ ରାସ୍ତାକୁ ବନ୍ଦ କରିଛନ୍ତି । ବାଉଁଶ ପାଖରେ ନଟିଆ, ତା’ ଝିଅ ଓ ସ୍ତ୍ରୀ ଗୁରେଇକୁ ଧରି ଠିଆ ହୋଇଥିଲା । ସେହି ସମୟରେ ଗାଁର ଯୁବକ ହରିଆ ଓ ନରିଆ ଆସି ପହଞ୍ଚିଲେ, ବାଉଁଶ ପାଖରେ । ନଟିଆ, ତା ସ୍ତ୍ରୀ ଓ ଝିଅକୁ ଦେଖି ସେମାନେ ବହୁତ ଖୁସି ହେଲେ । କିନ୍ତୁ କରୋନା ଯୋଗୁଁ ସରକାରଙ୍କ ତରଫରୁ ଜାରି ହୋଇଥିବା ନିୟମ ଅନୁସାରେ ସେମାନେ ସେମାନଙ୍କୁ ଗାଁକୁ ଆସିବାକୁ ମନା କଲେ ଓ ସେଥିପାଇଁ ପାଖ ଗାଁ ସ୍କୁଲରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଆଗ ୧୪ ଦିନ ରହିବାକୁ କହିଲେ ।


ଆନନ୍ଦ ଉତ୍ସାହରେ ଫାଟି ଉଠୁଥିବା ମନଟା କେମିତି ହଠାତ୍ ଉଦାସ ହୋଇ ଉଠିଲା । ଅନେକ ଦୁଃଖ ଯନ୍ତ୍ରଣା ଅଦିନ ମେଘ ପରି ହଠାତ୍ ତା’ର ମନ ଆକାଶରେ ଘୋଟି ଆସିଲା । ବ୍ୟଥା, ବେଦନା ଭରା ମନକୁ ନେଇ ପଛକୁ ଫେରିଥିଲା ନଟିଆ । ପାଖ ଗାଁ ସ୍କୁଲକୁ ନଟିଆ, ତା’ ସ୍ତ୍ରୀ ଗୁରେଇ ଓ ତା’ର ଝିଅ ଚାଲିଲେ । ୧୪ ଦିନ ଧରି ନଟିଆ, ତା’ ସ୍ତ୍ରୀ ଓ ଝିଅ ସ୍କୁଲରେ ରହିଲେ । ସେଠାରେ ସେ ତା’ ଗାଁର ଓ ପାଖ ଗାଁର କିଛି ଚିହ୍ନା ସାଥି ଯେଉଁମାନେ ଚେନ୍ନାଇ, ତିରିପୂର, ବମ୍ବେ ଆଦି ସ୍ଥାନରେ ରହି କାମ କରୁଥିଲେ ସେମାନେ ବି ଆସି ସେଠାରେ ରହୁଥିଲେ । ତା’ର ଉଦାସିଆ ମନଟା ଟିକିଏ ଉଲ୍ଲସି ଉଠିଲା ପାଖରେ କିଛି ଚିହ୍ନା ଲୋକଙ୍କୁ ପାଇ ।


ପ୍ରଥମ ଦିନଟି ସାରା ସେ ପୁରା ବିଶ୍ରାମ ନେଲା । ପରଦିନ ସେଠାରେ ରହିଥିବା ସାଥିମାନଙ୍କ ସହ କଥା ହୋଇ ସ୍କୁଲର ସଫେଇ କାମ ଆରମ୍ଭ କରିଦେଲା । ସମସ୍ତେ ମିଶି ସ୍କୁଲର ପରିବେଶକୁ ସୁସ୍ଥ ସୁନ୍ଦର କରି ଗଢି ତୋଳିଲେ । ସମସ୍ତେ ସମସ୍ତଙ୍କୁ ବହୁତ ଭଲ ପାଉଥିଲେ ଖୁସିରେ ଦିନଗୁଡିକ କଟିଯାଉଥିଲା । ନଟିଆ ସମସ୍ତଙ୍କର ପ୍ରିୟ ହୋଇଗଲା ।

୧୪ ଦିନ କେମିତି କଟିଗଲା ନଟିଆକୁ ଜଣା ପଡିଲା ନାହିଁ । ସେମାନଙ୍କୁ ପ୍ରତ୍ୟେକ ସକାଳେ ଜଳଖିଆ, ମଧ୍ୟାହ୍ନରେ ଭାତ ତରକାରୀ, ସନ୍ଧ୍ୟାରେ ଚା ବିସ୍କୁଟ ଓ ରାତିରେ ବି ଭାତ ତରକାରୀ ଖାଇବାକୁ ମିଳୁଥିଲା । ସେହି ଅଞ୍ଚଳର ସରପଞ୍ଚ ପ୍ରତ୍ୟେକ ଦିନ ଆସି ସମସ୍ତଙ୍କର ସୁବିଧା ଅସୁବିଧା ବୁଝି ଯାଉଥାନ୍ତି । ନଟିଆର କଲିକତାରୁ ଚାଲି ଚାଲି ଆସିଥିବା କଷ୍ଟଟା ଟିକିଏ ଲାଘବ ହୋଇଗଲା । ଏହି ୧୪ ଦିନର ରହଣି ସମୟ ପୂରଣ ହେବା ପୂର୍ବରୁ ଡ଼ାକ୍ତର ଆସି ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରିବାକୁ ନେଇଯାଇଥିଲେ ।


୧୫ ଦିନ ମଧ୍ୟାହ୍ନରେ ସେମାନଙ୍କର ରିପୋର୍ଟ ଆସିଗଲା । ଆଉ ସବୁଠୁ ବଡ ଖୁସିର କଥା ଯେ, ସମସ୍ତଙ୍କର ରିପୋର୍ଟରେ କରୋନା ନେଗେଟିଭ ଆସିଥିଲା । ମନଟା ଆନନ୍ଦରେ ଫାଟି ଉଠିଲା ନଟିଆର । ଆଉ ଗାଁ ମୁଣ୍ଡରେ ଥିବା ବାଉଁଶ ବାଡି ତା’କୁ ତା’ ଘରକୁ ଯିବାରେ ଅଟକେଇ ପାରିବନି I କିମ୍ବା ଆଉ କେହି ତା’କୁ ତା’ ଘରକୁ ଯିବାକୁ ବାରଣ କରିବେନି I ଏହା ଭାବି ଭାବି ମନ ଆନନ୍ଦରେ ଓ ବହୁତ ଶାନ୍ତିରେ ସେଦିନ ରାତିରେ ଶୋଇପଡିଲା ନଟିଆ I

ବହୁଦିନର ଅପେକ୍ଷା ପରେ ନଟିଆର ଫେରିବା ଦିନର ସକାଳର ସୂର୍ଯ୍ୟ ଧୀରେ ଧୀରେ ଉଇଁ ଆସିଲା । ସମସ୍ତେ ଉଠି ନିଜ ନିଜ ନିତ୍ୟ କର୍ମ ସାରି ଜଳଖିଆ ଖାଇଲେ । ସ୍କୁଲରେ ଗାଁର ସରପଞ୍ଚ, ଅଙ୍ଗନବାଡିକର୍ମୀ, ଆଶା ଦିଦି ପହଞ୍ଚିଲେ । ଯେଉଁମାନଙ୍କର ୧୪ ଦିନ ହୋଇଯାଇଥିଲା, ସମସ୍ତଙ୍କୁ ଘରକୁ ଯିବା ପାଇଁ କୁହାଗଲା । ଘରକୁ ଯିବାର ଇଚ୍ଛା ସମସ୍ତଙ୍କର ପ୍ରବଳ ଜୋର ଧରିଥିଲେ, ବି କାହିଁ କେଉଁ ଅଜଣା ମନର ଆଖିରେ ସମସ୍ତଙ୍କର ଲୁହର ଧାର ଅମାନିଆ ହୋଇ ବୋହି ଆସିଲା । ପରିବେଶଟି ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ସମସ୍ତେ ନଟିଆର କାମ ଓ ତା’ର ବ୍ୟବହାରକୁ ପ୍ରଂଶସା କରିଥିଲେ । ସମସ୍ତଙ୍କୁ ତ ଯିବାକୁ ହେଲା ନଟିଆ, ତା’ ସ୍ତ୍ରୀ ଗୁରେଇ ଓ ଝିଅ ମୁନିକୁ ନେଇ ଖୁସିରେ ଗାଁକୁ ଚାଲିଲା ।

ନଟିଆ, ଗୁରେଇ ଓ ମୁନି ଗାଁରେ ପହଞ୍ଚିବା ପରେ ଗାଁ ଓ ପରିବାରର ସମସ୍ତେ ବହୁତ ଖୁସି ହେଲେ । ସମସ୍ତଙ୍କର ଆନନ୍ଦର ସୀମା ରହିଲା ନାହିଁ । ନଟିଆର ମା’ ମୁନିକୁ ପାଖରେ ପାଇ ସବୁଠୁ ଅଧିକ ଖୁସୀ ହେଲେ ଓ ଏବେ ଆଉ କାହାକୁ ବାହାରକୁ ଛାଡିବ ନାହିଁ ବୋଲି କାନ୍ଦି କାନ୍ଦି କହି ଉଠିଲେ ।


ନଟିଆ ଓ ଗୁରେଇ ଦୁହେଁ ଆଉ ବାହାରକୁ ନ ଯାଇ ଗାଁରେ ଥିବା ଜମିରେ ଫସଲ କରି ଚଳିବା ପାଇଁ ନିଷ୍ପତ୍ତି ନେଲେ । ତା’ପରଦିନଠାରୁ ନିଜ ଘର ପଛପଟେ ଥିବା ପୋଖରୀ ପାଖ ଜମିରେ ପନିପରିବା ଚାଷ ଆରମ୍ଭ କରିଦେଲେ । କିଛିଦିନ ପରେ ଜମିଟି ପୁରା ସବୁଜ ଦେଖାଗଲା । ସେହିଥିରୁ ସେମାନେ ବିଭିନ୍ନ ପ୍ରକାର ପନିପରିବା ଫଳାଇ ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ସଫଳ ହେଲେ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ, କହିଲେ, ପ୍ରକୃତରେ ନଟିଆ ଆଜି ଆମ ସମସ୍ତଙ୍କ ଆଖି ଖୋଲିଦେଲା । କରୋନା ସମସ୍ତଙ୍କୁ ଏହି ଶିକ୍ଷା ଦେଇଛି ଯେ, ନିଜ ଗାଁ ବାହାର ଠାରୁ ଅଧିକ ସୁନ୍ଦର ଓ ଗାଁ ମାଟି ତା’ର ସମସ୍ତ ଲୋକମାନଙ୍କ ପାଇଁ ଆବଶ୍ୟକ ପରିମାଣର ଖାଇବା ରଖିଛି । ନିଜ ପ୍ରକୃତି ଆଉ ପରିବେଶକୁ ପ୍ରେମ କରିବା ସହିତ ପରିଶ୍ରମ କରି ନିଜ ଗାଁକୁ ସରସ ସୁନ୍ଦର ଗଢିତୋଳିବା ଓ ନିଜେ ଚଳିବା ଆଉ ସ୍ଵାବଲମ୍ବୀ ହେବା ।

 



Rate this content
Log in

Similar oriya story from Inspirational