ଟିପୁ
ଟିପୁ
ଟିପୁ କଥା ଭାବିଲେ ଦୀର୍ଘଶ୍ବାସ ଟିଏ ମୋ ଅନ୍ଦିକନ୍ଦି ପଶି ଅଣନିଃଶ୍ବାସୀ କରି ଦିଅନ୍ତି । ସେ ମୋ ପାଇଁ ଏକ ପାଳିତ କୁକୁର ନ ଥିଲା ବରଂ ମୋ ଜୀବନର ଏକ ଅଂଶ ଓ ଅଭୁଲା ଅଧ୍ୟାୟ ଥିଲା।
ପିଲାଦିନେ ମୁଁ ଏକମାତ୍ର ସନ୍ତାନ ଥିଲି । ମୋ ଉପରେ ଜଣେ ଭାଇ ଓ ତଳେ ଭଉଣୀ ଟିଏ ହୋଇଥିଲେ ମଧ୍ୟ ମରି ଯାଇଥିଲେ। ମୋର କୁଆଡେ ଉଚ୍ଚା ରାଶି।ସେଇଥିପାଇଁ ଭାଇ ଭଉଣୀ ମୋର ତିଷ୍ଠୁ ନାହାନ୍ତି । ଘରେ ମୋତେ ଏକା ଭଲ ଲାଗୁ ନ ଥିଲା ।ସବୁବେଳେ କାନ୍ଦୁଥିଲି କାହା ସହ ଖେଳିବି ବୋଲି। ବାପା ଦିନେ ଗୋଟିଏ ଭରପୁର ନାଳ ପାଣି ସୁଅରେ ଭାସି ଯାଉଥିବା ଗୋଟେ ଡଉଲଡାଉଳ କୁକୁର ଆଣିଥିଲେ। ପାଣି ପିଇ ଛୁଆଟି ଅଧା ମଲା ହୋଇ ଯାଇଥିଲା । ବାପା ତାକୁ ପଶୁ ଡାକ୍ତରଙ୍କୁ ନେଇ ଔଷଧ ପତ୍ର ଦେଇ ସୁସ୍ଥ କଲେ।
ପ୍ରଥମେ କୁକୁରଙ୍କ ପ୍ରତି ମୋର ଭୟ ଏବଂ ଅଶ୍ରଦ୍ଧା ଥିଲା। କାରଣ ମୁଁ ସମ୍ପୂର୍ଣ୍ଣ ଡରକୁଳି ଟିଏ। ମୋ ଉପରେ ଭାଇଟିଏ ହୋଇ ମରି ଥିବାରୁ ମୋତେ ଅପ୍ରତିଆଣି ବୋଲି କୁହନ୍ତି।ଅର୍ଥାତ ଟିକେ ଟିକେ କଥାରେ ଡରେ।
କୁକୁର ଗୁଡାକ ଜିଭ ଲହ ଲହ କରି ଯେତେବେଳେ ଭୁକନ୍ତି ଓ ବେଳେବେଳେ କାମୁଡ଼ିବାକୁ ଗୋଡେଇ ଆସନ୍ତି ମୁଁ ଭୟରେ ହାଉଳି ଖାଇ ମାଆ ପଛ ପଟେ ଲୁଚେ। ଏଣୁ ସେ କୁକୁର ଛୁଆଟାକୁ ମୁଁ ଦି ଆଖିରେ ଦେଖି ପାରେନି।କେମିତି ଭଲ ହୋଇ ଆମ ଘରୁ ବିଦା ହେବ ସେଇ ଅପେକ୍ଷାରେ ଥାଏ।
ମାଆ ବି କୁକୁରଙ୍କ ଡରେ।ତାକୁ କୁଆଡେ ପିଲା ଦିନେ କୁକୁର କାମୁଡି ଥିଲା ଯେ ନାହି ଚାରିପଟେ ଇଂଜେକସନ ନେବାକୁ ପଡିଥିଲା ।ଯେଉଁ ଯନ୍ତ୍ରଣା ଓ ଭୟକୁ ସେ ଏଯାଏ ଭୁଲିନି।
କିନ୍ତୁ ଭଲ ହେଲା ପରେ ବାପା ଯେଉଁଦିନ ତାକୁ ଛାଡି ଦେବାକୁ ବ୍ୟାଗରେ ଭର୍ତ୍ତି କଲେ ସେ ଜମା ପଶିଲାନି।ଖାଲି କୁଁ କୁଁ ହୋଇ ମୋ ପାଖକୁ ଦଉଡି ଆସିଲା। ମୁଁ ଛିନ୍ ଛିନ୍ ବାଜି ଘର ଭିତରକୁ ଦୌଡ଼ିଲି ତ ସେ ବି ମୋ ପଛେ ପଛେ ଥାକୁଲ୍ ଥାକୁଲ୍ ହୋଇ ଦୌଡ଼ିଲା ତ ମାଆର ପାଟି ପଡ଼ିଗଲା ମୋ ଘର ମୀ ଘର ହୋଇ। ସେ ମୋତେ ଛାଡ଼ି ମାଆ ପାଖକୁ ଦୌଡ଼ିଲା।ମାଆ ହାସୁ ହାସୁ କଲାରୁ ବାପାଙ୍କ ପାଖକୁ ଯାଇ ଦୁଇ ଗୋଡ଼ ଭରାରେ ବସି ଅତି କରୁଣ ହୋଇ ଚାହିଁଲା। ସତେ କି ତା ଆଖି କହୁଥିଲା ମୋତେ କୁଆଡେ ଛାଡ଼ନି ।ତୁମ ପାଖରେ ରଖ। ବହୁତ ସାହାଯ୍ୟ କରିବି ତୁମର।
ବାପା ତାକୁ ଧରି ବ୍ୟାଗରେ ଭରି ବାକୁ ଯାଉଥିଲେ ତ ମୋର କଣ ହେଲା କେଜାଣି ଦଉଡି ଯାଇ କହିଲି, ନାଇଁ ନିଅନି ତାକୁ। ସେ ମୋ ସାଙ୍ଗ ହେବ ଓ ମୋ ସହିତ ଖେଳିବ।
ମାଆ କହିଲା ଛିଃ ଏ କୁକୁରଟା ତୋର ସାଙ୍ଗ ହେବ?
ବାପା କହିଲେ ମଣିଷ ବିଶ୍ୱାସ ଘାତକତା କରନ୍ତି କିନ୍ତୁ ପଶୁଜୀବ ନୁହଁନ୍ତି।ପୁଣି କୁକୁର ତ ମଣିଷର ବିଶ୍ୱସ୍ତ ସାଥି କେଉଁ ଆବାହନ କାଳରୁ। ସେ ଥାଉ ଦ୍ରାକ୍ଷା ସାଙ୍ଗରେ ଖେଳିବ, ତା ସାଙ୍ଗ ହେବ। ତାକୁ ସଫା ସୁତୁରା କରି ଔଷଧ ଓ ଇଂଜେକସନ ଦେଲେ ତା ଦାନ୍ତର ବିଷ ରହିବ ନାହିଁ। କାମୁଡ଼ିଲେ ବି କାହାର କିଛି କ୍ଷତି ହେବ ନାହିଁ।
ବାସ୍ ସେଇ ଦିନଠାରୁ ସେ କୁକୁର ଛୁଆଟି ଆମ ଘର ସଦସ୍ୟ ହୋଇଗଲା। ମୁଁ ତା ନାଁ ଦେଲି ଟିପୁ।ସତକୁ ସତ ଟିପୁ ମୋ ସାଙ୍ଗ ସାଥି ଓ ଭାଇ ଭଉଣୀ ପରି ହୋଇଗଲା।ତା ସହ ମୁଁ ଖେଳି ଖୁସି ହେଲି।ତାଙ୍କୁ ମଣିଷଙ୍କ ଚଳଣି ଶିଖାଇଲି । ଏମିତି ହେଲା ଟିପୁ ଆଉ କୁକୁର ନ ହୋଇଆମ ଘର ମଣିଷ ଟିଏ ହୋଇଗଲା । ମୋ ସହ ତାର ବି ରୁଟିନ ଲାଇଫ। ମୁଁ ଗାଧୋଇବା, ଖାଇବା,ଶୋଇବା ବେଳେ ସେ ଗାଧୋଇବ, ଖାଇବ ଏବଂ ଶୋଇବ । ଖେଳ ସମୟ ତ ତା ସହ ହିଁ କଟେ। ବଲ୍ ଖେଳୁ ,ଦୌଡା ଦୌଡ଼ି ହେଉ,ଲୁକାଛୁପି ବି ଖେଳୁ ।
ମୁଁ ଏବେ ଏବେ ଏ ଫର୍ ଆପଲ୍ ପଢିବା ଆରମ୍ଭ କଲଣି। ମୋତେ ଯେତେବେଳେ ଟିୟୁସନ ସାର୍ ଆସି ପଢ଼ାନ୍ତି ଟିପୁ ଅତି ସୁନ୍ଦର ଭାବେ ବସି ସତେକି ପାଠ ଗୁଡା ପିଇ ଯାଏ।
ଏପରି ଟିପୁ ଓ ମୋ ଭିତରେ ଏକ ଅଦ୍ଭୁତ ବନ୍ଧନ ସୃଷ୍ଟି ହୋଇଗଲା। ସେ ମୋତେ କ୍ଷଣେ ନ ଦେଖିଲେ ବଣା ମୁଁ ବି ତାକୁ ନ ଦେଖିଲେ ପାଗଳ। ଯେଉଁ ଦିନ ସ୍କୁଲ ଗଲି ସେ ମୋ ସହ ବି ବାଡ଼ିରେ ପଡିଥିବା ଚିରା ବ୍ୟାଗଟିଏ ଆଣି ତା ବେକରେ ପକେଇ ସ୍କୁଲ ବାହାରିଲା। ବାପା ମାଆ ହସି ହସି ଗଡି ଗଲେ।
ଟିପୁ ତୁ ସ୍କୁଲ ଯିବୁ ?
ମୁଣ୍ଡ ଉପର ତଳ କଲା।
ପିଲାମାନେ ତୋତେ ସେଠି ମାରିବେ।ବୁଲା କୁକୁର ତୋତେ କାମୁଡି ପକେଇବେ । ତୁ କେମିତି ଯିବୁ ?
ସବୁ ଯେମିତି ମୋ କଥା ବୁଝିଗଲା। ଚୁପଚାପ ସୁନା ପିଲା ପରି ବସିଲା। ତାକୁ ଟିକେ ଗେଲ କରି ବାପାଙ୍କ ଗାଡି ରେ ସ୍କୁଲ ଗଲି। ମୁଁ ସ୍କୁଲ ଗେଟ୍ ପାଖରେ ଗାଡିରୁ ଓହ୍ଲେଇ ଲା ବେଳକୁ ସେ ଆମ ପଛରେ ଥାଇ ହେଉଛି କୁଁ କୁଁ !
ବାପା ଆଶ୍ଚର୍ଯ୍ୟ ହୋଇ କହିଲେ ଆରେ ତୁ ଏତେ ବାଟ କେମିତି ଆସିଲୁ ?
କଳା କିଚି ମିଚି ଚିକ୍କଣ ମୁଲାୟମ ରୂପ ଭେକ ଦେଖି ସବୁ ସ୍କୁଲ ପିଲା ତାକୁ ଘେରି ଗଲେ। ସେଠିକାର କିଛି କୁକୁର ତାକୁ ଦେଖି ଭୁକିବା ଆରମ୍ଭ କରି ଦେଇଥିଲେ। ବାପା କହିଲେ ଟିପୁ ଦେଖିଲୁ ତ କଥା ନ ମାନିଲେ କଣ ହୁଏ ? ଏ କୁକୁର ତୋତେ ଏଇଲେ କାମୁଡି ରକ୍ତାକ୍ତ କରିଦେବେ।ଆଉ ଏ ପିଲାଏ ଟେକା ପଥର ଫିଙ୍ଗିବେ।କଣ କରିବୁ ?
ଜିଭ ତା ମୁହଁ ଚାରି ପଟେ ବୁଲେଇ ଆଣି ଗୋଟେ ଡିଆଁ ରେ ବସିଗଲା ଆସି ଗାଡି ଉପରେ। ପିଲା ମାନେ ତାଳି ମାରି ହସିଲେ। ଟିପୁକୁ ଛାଡି ଆଉ କେହି ସ୍କୁଲ ଭିତରକୁ ଗଲେ ନାହିଁ।ହେଡ୍ ସାର୍ ଆସି ବିରକ୍ତ ହେଲେ।ଏଇଟା ସ୍କୁଲ ; କୁକୁରକୁ କଣ ଆଣି ଆସିଛନ୍ତି? ଛୋଟ ପିଲା ପଢିବେ ନା କୁକୁର ସହ ଖେଳିବେ ?
ବାପା କହିଲେ, ଟିପୁ ସାର୍ ଙ୍କୁ ପ୍ରଣାମ କର। କାନ ଧଅ ଭୁଲ୍ କାଇଁ କଲୁ ?
ଟିପୁ ତା ଆଗ ଦୁଇ ଗୋଡ଼ ଯୋଡି ପ୍ରଣାମ କଲା ଓ କାନରେ ନେଇ ସେ ଗୋଡ଼ ଦୁଇଟି ରଖିଲା।ପୁଣି କଣ ଭାବିଲା ଗାଡିରୁ ଏକା ଡିଆଁକେ ସାର୍ ଙ୍କ ପାଖକୁ ଯାଇ ତାଙ୍କ ଗୋଡ ଧରିଲା। ସାର୍ ଓ ପିଲା ମାନେ କାବା।
ବାଃ ଚମତ୍କାର ବୁଦ୍ଧିଆ କୁକୁରଟିଏ ତ ? ଏତେ କଥା ଶିଖିଛି ?
ହଁ ସାର୍ ଆମେ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ଯାହା ଯାହା କରନ୍ତି ଏ ଟିପୁ କରେ ତଫାତ୍ କେବଳ ଆମେ ମଣିଷ ସେ ପଶୁ।ଦ୍ରାକ୍ଷା ଓ ତାର ଖୁବ୍ ସାଙ୍ଗ। ଆଜି ସେ ତାକୁ ଛାଡି ସ୍କୁଲ ଆସିଛି ତ ତେଣୁ ଟିପୁ ଚାଲି ଆସିଛି। ଆଉ କେବେ ଆସିବ ନାହିଁ।
ମନା କର ଟିପୁ ଆଉ କେବେ ଆସିବୁ ନାହିଁ।
ଗୋଟିଏ ଗୋଡ଼ ହଲେଇ ସେ ମନା କଲା।
ସମସ୍ତେ ମୋ ଟିପୁକୁ ଭାରି ପ୍ରଶଂସା କଲେ।ମୁଁ ସ୍କୁଲ ଭିତରକୁ ଗଲି ସେ ବାପାଙ୍କ ପିଠିରେ ନାଉ ହୋଇ ଗାଡ଼ିରେ ଘରକୁ ଗଲା।
ମୁଁ ସ୍କୁଲରୁ ଯିବା ଯାଏ ମୋତେ ଅନେଇ ବସିଥିବ ଦାଣ୍ଡ ବାରଣ୍ଡାରେ। ଏଣିକି ପ୍ରତିଦିନ ମୁଁ ଅଟୋରେ ସ୍କୁଲ ଯିବା ଆସିବା କଲି। ଘଣ୍ଟାକୁ ଅନେଇ ଠିକ୍ ଚାରିଟା ବାଜିଲା ମାନେ ସେ ଆସି ମୋତେ ପାଛୋଟି ନେବାକୁ ଅନେଇଁ ଥିବ।ଦେଖୁ ଦେଖୁ ମୋ ବେକ ଯାଏ ଆଗ ଚଢି ଯିବ । ମୁହଁ ଦେହ ଚାଟି ପକେଇବ।
ରାକ୍ଷୀ ଆସିଲେ ମୁଁ ତା ହାତରେ ରାକ୍ଷୀ ବାନ୍ଧେ।ତା ପାଇଁ ଭଳିକି ଭଳି ପୋଷାକ ମାଆ ତିଆରି କରେ। ଆମ ଗାଁ ସାରା ସମସ୍ତେ ତାକୁ ଯେତିକି ଭଲ ପାଆନ୍ତି ସେତିକି ଡରନ୍ତି।କାଉ ଛୁଆଟିଏ ବି ଆମ ବାଡ଼ିରେ ପୁରେଇ ଦେବ ନାହିଁ। ଦେଖିଲା ମାତ୍ରକେ ଭୁ ଭୁ ହୋଇ ଚଢି ଯିବ ଉପରେ। ଏପରିକି ମାଙ୍କଡ଼ଟିଏ ବି ଟିପୁ ଭୟରେ ଆମ ବାଡ଼ିରେ ପଶନ୍ତି ନାହିଁ। ଭୟରେ ଆମ ବାଡ଼ି ପିଜୁଳୀ କି ଆମ୍ବ ଖାଉଥିବା ପିଲା ମାନେ ବାଡ଼ିରେ ପଶିବାକୁ ଡରନ୍ତି।ଏଣୁ ମନ ଭିତରେ ଟିପୁ ପାଇଁ ରାଗ ରଖିଥାନ୍ତି।
ଦିନେ ଖରା ଦିନ ଖରାବେଳେ ବାଡ଼ି ପଟ ଦୁଆର ଘରେ ବାପା ଶୋଇଥାନ୍ତି । ମାଆ ଦାଣ୍ଡ ଖଞ୍ଜା ରେ ଚାଉଳ ପାଛୁଡୁ ଥାଏ ।ମୁଁ ଶୋଇଥାଏ। ହଠାତ୍ ଟିପୁ ଆମକୁ ଡାକିଲା ପରି ଚୋବେଇଲା। ଆମେ ତ ବୋବାରୁ ବୁଝି ଯାଉ ସେ ଖୁସିରେ ,ଦୁଃଖରେ ,ଭୟରେ କି କାହାକୁ ଦେଖି କଣ କହୁଛି। ଭୁ ଭୁ ଦୁଇ ଥର ହେଲେ ଆମକୁ କିଏ ଆସିଲେଣି ଦେଖିବାକୁ ଡାକୁଛି ବୁଝୁ।
ଭୁକ୍ ଭୁକ୍ ଭୁ ହେଲେ କାହାକୁ ଦେଖି ଭୟ କରିଛି।କୁଁ କୁଁ ହେଲେ ଭୁଲ୍ କାମ କରି କ୍ଷମା ମାଗୁଛି।ଇତ୍ୟାଦି।ତା ଭୋକିବା ଶବ୍ଦ କହୁଥିଲା କଣ ଗୋଟେ ଦେଖି ଭୟ କରି ଡାକୁଛି । ମାଆ ଯାଇ ଦେଖେ ତ ବାପାଙ୍କ ଖଟ ତଳେ ଫଣା ଟେକି ରହିଛି ଗୋଟେ ଠାକୁରଙ୍କ ସାପ। ମାଆର ପାଟି ପଡି ଗଲା । ପଡିଶା ଘର ନିଲୁ ଓ ବୁବୁ ଦାଦା ଆସି ସତର୍କତା ସହ ବାପାଙ୍କୁ ଖଟରୁ ଧୀରେ ବାହାରି ଆସିବାକୁ କହି ସାପଟିକୁ ଖଟ ତଳୁ ବାହାର କଲେ।ଓହୋ ଟିପୁ ନ ଥିଲେ କଣ ହୋଇଥାନ୍ତା !
ଆଉ ଦିନେ ମାଆ କୁ ବି ସେମିତି ଗୋଟେ ମାରଣା ଷଣ୍ଢ କବଳରୁ ସେ ରକ୍ଷା କରିଥିଲା।ଏଣୁ ଟିପୁ ଆମ ରକ୍ଷା କବଚ ଥିଲା କହିଲେ ଭୁଲ ହେବ ନାହିଁ।
ଦିନେ ରାତିରେ ଖାଇବା ବେଳକୁ ଦାଣ୍ଡ ଘରେ ସେ ନ ଥିଲା । ଏମିତି କେବେ ବ୍ୟତିକ୍ରମ ହୁଏନି। କୁଆଡେ ଗଲା।ତା ପାଇଁ ବାଢି ଦେଇ ମାଆ କହିଲା ତୁମେ ଖାଅ ସେ ଆସିଯିବ। ବଡ଼ ହେଲାଣି ତ ସାଙ୍ଗ ସାଥି ମେଳକୁ ଚାଲି ଯାଉଛି ବେଳେବେଳେ।
ମୋ ମନ ବୁଝିଲା ନାହିଁ। ବାରଣ୍ଡାକୁ ଯାଇ ଟିପୁ ଟିପୁରେ ଦୁଇ ଡାକ ମାରିଛି ତ ଆସି ହାଜର।ମୋ ଚାରିପଟେ ଆଗ ବୁଲିଗଲା ବହେ। କାନ ଧରି ଭୁଲ୍ ମାଗିଲା।
କି ଦୁଷ୍ଟ ! ଭୁଲ୍ କରି ସବୁବେଳେ ସରି କହୁଛି।ଭୁଲ୍ କରୁଛୁ କାହିଁକି ଯେ ? ତୁ କୁଆଡେ ବଡ଼ ହେଲୁଣି ? ବୁଦ୍ଧି କାଇଁ ହେଉ ନାହିଁ ? ଯା ଖାଇ ସାରେ ତୋ କଥା ଆଜି ବୁଝା ହେବ ମୁଁ କହିଲି।
ସବୁଦିନ ପରି ଖାଦ୍ୟ ଦେଖି ଖୁସି ହେଲା ନାହିଁ କି ଖାଇଲା ନାହିଁ ସେ। ଖାଲି ଦୁଇ ଗୋଡ଼ ଭରା ଦେଇ ଜିଭ ଲହ ଲହ କରି ମନ ମାରି ଦାଣ୍ଡରେ ବସିଲା।
ଇରେ ଆସି ଖାଉନୁ ? ମାଡ଼କୁ ଡ଼ରୁଛୁ କି ? ଆ ବା ମୋ ଗେହ୍ଲାଟା, ଖାଆ। ମାଆ ତା ମୁହଁ ପାଖକୁ ଖାଇବା ନେଲେ ବି ଖାଇଲା ନାହିଁ ।ଧୀରେ କି ତା ଶୋଇବା ଜାଗାକୁ ଯାଇ ଶୋଇ ପଡ଼ିଲା।
ମାଆ କହିଲା ବାହାରୁ କଣ ଆଜେ ବାଜେ ଖାଦ୍ୟ ଖାଇ ଦେଇଛି କି କଣ ? କଥା କଣ ମାନୁଛି ? ବିଭୁ ଘର ସେ ମାଈ କୁତି ଟାକୁ ଦେଖିଲେ ମାରୁଛି ଡିଆଁ ।ବୟସ ହେଲାଣି ବୋଲ ମାନୁନାହିଁ। କାଲିଠାରୁ ଚେନରେ ବନ୍ଧା ହେବୁ ରହ।
ଖାଇ ସାରି ତାକୁ ଟିକେ ଆଉଁସି ଦେଇ କହିଲି ତୁ ଦୁଷ୍ଟ ହେଉଛୁ ? ସୁନା ପିଲା ଦୁଷ୍ଟ ହୁଅନ୍ତି କି ? କଣ ଭାବିଲା କେଜାଣି ମୋ ହାତ ନେଇ ତା ପେଟରେ ଥୋଇଲା। ଦୁଇ ଥର ଭୁ ଭୁ ହେଲା। ମୋ ପାଦ ଆଉଁସିଲା । ଅର୍ଥାତ କିଛି ଅସୁବିଧା ହୋଇଛି।କିନ୍ତୁ କଣ ?
ବାପା କହିଲେ ,ହଉ ଶୋଇ ପଡ କାଲି ସକାଳ ହେଲେ ତୋତେ ଡାକ୍ତରଖାନା ନେଇଯିବି। ତା ପାଖରେ ପାଣି ଓ କିଛି ଖାଦ୍ୟ ଥୋଇ କହିଲି ଭୋକ ହେଲେ ଖାଇବୁ ଆଁ । ଏମିତି ଦିନେ ଦିନେ ଖାଏନି।ନଖରାମୀ ବାହାର କରେ । ତା ଖାଇବା ପିଇବା ଥୋଇ ଆମେ ଶୋଇ। ସେ ତାର ଭୋକ ହେଲେ ଖାଏ।
କିନ୍ତୁ ସକାଳୁ ଉଠି ଦେଖିଲା ବେଳକୁ ଟିପୁ ଖାଇ ନାହିଁ ସେମିତି ଶୋଇଛି ! ମାଆ ଆଶ୍ଚର୍ଯ୍ୟ । ଟିପୁ ଭୋର ଚାରିଟାରୁ ଉଠି ବାରି ଘର ବୁଲେ। ଆଜି କଣ ଶୋଇଛି। ହେଇଟି ଶୁଣୁଛ ସତରେ ଟିପୁର କଣ ହେଉଛି।ତାକୁ ଟିକେ ନେଇଗଲା ଡାକ୍ତର ଦେଖେଇ ଆଣିବ।
ବାପା ଆସି ଡାକିଲେ ଟିପୁ ଏ ଟିପୁ ଉଠ୍ ସଜବାଜ ହଅ । ସାତଟା ବେଳକୁ ଡାକ୍ତର ଖାନା ଯିବା। ଟିପୁ କିନ୍ତୁ ଉଠିଲା ନାହିଁ। ବାପା ତାକୁ ହଲେଇ ଦେବାକୁ ଗଲା ବେଳକୁ ଦେଖିଲେ ଟିପୁ ମରି କାଠ।ତା ମୁହଁରେ ଶୁଖି ଯାଇଛି କିଛି ଧଳା ଧଳା ଫେଣ। ତା ମାନେ ଟିପୁ କୁ କେହି ବିଷ ଦେଇ ମାରି ଦେଇଛି ! କାଲି ସେ ଆମକୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ଆମେ ମୂର୍ଖ ବୁଝି ପାରିଲୁ ନାହିଁ। ଟିପୁ ଉ ଉ ...
ମାଆ କାନ୍ଦରେ ମୋ ନିଦ ଭାଙ୍ଗିଗଲା। ମୁଁ ଆଖି ମଳି ମଳି ଦଣ୍ଡ ଘରକୁ ଗଲି। ମା ମୋତେ କୁଣ୍ଡେଇ ଧରି କହିଲା, ଦ୍ରାକ୍ଷା ଲୋ ତୋ ଟିପୁ ଆଉ ନାହିଁ।
ଏଇଠି ବା ଶୋଇଛି ନାହିଁ କଣ ?
ବାପା ମାଆ ମୋତେ ଧରି କାନ୍ଦୁଥିଲେ ଟିପୁ ଗୁଣ ବାହୁନି।
