ଜୀବନ ବୀଣା
ଜୀବନ ବୀଣା
ଜୀବନ ବୀଣା
କି ଚମତ୍କାର ଚିତ୍ର ଗୁଡିକ !
ବୈଠକ ଘରଟି ଭିନ୍ନ ବିଭିନ୍ନ ତୈଳ ଚିତ୍ରରେ ଭର୍ତ୍ତି ହୋଇଥିଲା। ସତେକି ଏକକ ଏକ ଆର୍ଟ ଗ୍ୟାଲେରୀ ।
ଘର ଭିତରକୁ ପଶୁ ପଶୁ ବୈଠକ ଘରର ଚମତ୍କାର ଚିତ୍ର ଉପରେ ମୋ ଆଖି ଅଟକି ଗଲା। ମୋହ ମଗ୍ନ ହୋଇ ସବୁ ଚିତ୍ର ଗୁଡିକ ଦେଖି ଦେଖି ଯାଉ ଯାଉ ମୋ ନଜର ଗୋଟିଏ ଚିତ୍ର ପାଖରେ ଅଟକି ଗଲା । ଚିତ୍ର ତଳେ ଅତି ସୁନ୍ଦର ଅକ୍ଷରରେ ଲେଖା ହୋଇଥିଲା;
ଜୀବନ ବୀଣାରେ ସୁର ଛନ୍ଦହୀନ,
ତୁମକୁ ମାଗୁଛି ସୁର ଭଗବାନ।
ଏକ ସୁନ୍ଦର ବୀଣାର ଚିତ୍ର ଏବଂ ତା' ଉପରେ ଆଙ୍ଗୁଳି ଚାଳନା ଦୃଶ୍ୟ ବିସ୍ମିତ କରିଲା ପରି ହୋଇଥିଲା।
ଏହା ଥିଲା ଆମ ଡିରେକ୍ଟର ସାର୍ ପ୍ରଭୁ ନିବାସଙ୍କ ବାସସ୍ଥାନ। କଣ ଜରୁରୀ ଆବଶ୍ୟକ ପଡିବାରୁ ମୋତେ ସେ ଆଜି ଘରକୁ ଡକେଇ ପଠେଇଛନ୍ତି। ଆଜି ସାର୍ ଛୁଟିରେ ଅଛନ୍ତି।
ସମୟ ଅପରାହ୍ନ ତିନି।
ସହରର କୋଳାହଳ ଓ ବ୍ୟସ୍ତ ବିବ୍ରତ ଜୀବନଠାରୁ ଦୂରରେ ଥିବା 'ସ୍ୱାତୀ ନିବାସ'ର ଲୁହା ଗେଟ୍ ଠେଲି ମୁଁ ଯେତେବେଳେ ଭିତରକୁ ପାଦ ପକାଇଲି , ମୋର ହୃଦସ୍ପନ୍ଦନ ସାମାନ୍ୟ ବଢ଼ିଯାଇଥିଲା। ଆମର ଏ ନୂଆ ନିର୍ଦ୍ଦେଶକ ପ୍ରଭୁ ସାର୍ ଭାରି କଠୋର, ଟିଙ୍ଗା,ମିାଜିତ ଏବଂ ନିୟମାନୁବର୍ତ୍ତୀ। ଏଣୁ ତାଙ୍କୁ ମୋର ପ୍ରାଣେ ଭୟ।ତାଙ୍କ ବ୍ୟକ୍ତିଗତ ଜୀବନ ଓ ଘରର ବାତାବରଣ କିପରି ହୋଇଥିବ, ସାର୍ କାହିଁକି ଡକେଇ ପଠେଇଛନ୍ତି ଭାବି ଭାବି ମୋ ଭିତରେ ଡର ପଶିଗଲାଣି । ସେନେଇ ମୋ ମନରେ ଗୋଟିଏ ଅଜଣା କୌତୂହଳ ସାଙ୍ଗକୁ ସାମାନ୍ୟ ଭୟ ମଧ୍ୟ ଥିଲା। ।
ତାଙ୍କ ଘରର ସୁନ୍ଦର ବଗିଚା ପାରିହୋଇ ଯେତେବେଳେ ମୁଁ ମୁଖ୍ୟ ଦ୍ୱାର ଦେଇ ବୈଠକ ଘର ଭିତରକୁ ପଶିଲି, ସେତେବେଳେ ମୋର ଦୃଷ୍ଟି ସିଧାସଳଖ ସାମ୍ନା କାନ୍ଥ ଉପରେ ପଡ଼ିଲା। ସେହି ବିଶାଳ କାନ୍ଥର ଏକ ଚିତ୍ରରେ ବଡ଼ ବଡ଼ ସୁନ୍ଦର ଅକ୍ଷରରେ ଲେଖା ହୋଇ ରହିଥିଲା ଏକ ମର୍ମସ୍ପର୍ଶୀ ପଂକ୍ତି: ଜୀବନ ବୀଣାରେ ସୁର ଛନ୍ଦହୀନ, ତୁମକୁ ମାଗୁଛି ସୁର ଭଗବାନ।" ତଳେ ଥିଲା ମନମୁଗ୍ଧକର ମୟୂର ନାଚିବାର ଦୃଶ୍ୟ ଚିତ୍ର।
ଏହି ଦୃଶ୍ୟଟି ମୋତେ ସେଠାରେ କିଛି ମୁହୂର୍ତ୍ତ ପାଇଁ ସ୍ତବ୍ଧ କରିଦେଲା। ଜଣେ କର୍ପୋରେଟର ନିର୍ଦ୍ଦେଶକଙ୍କ ଘରେ ଏପରି ଏକ ଆଧ୍ୟାତ୍ମିକ, ଦାର୍ଶନିକ ଓ କାବ୍ୟକ ପରିବେଶ ମୋର ସମସ୍ତ ପୂର୍ବ ଧାରଣାକୁ ବଦଳାଇ ଦେଲା। ମୁଁ ସେହି ଚିତ୍ର ପାଖରେ କିଛି ସମୟ ଠିଆ ହୋଇ ଭାବୁଥିଲି ଜୀବନର ଏତେ ବଡ଼ ପଦବୀ, ଅର୍ଥ, ପ୍ରତିଷ୍ଠା ଏବଂ ସଫଳତା ସତ୍ତ୍ବେ, ମଣିଷ ଭିତରେ ଏପରି ଏକ ଶୂନ୍ୟତା ବା ସୁରର ଝଙ୍କାର ପାଇଁ ଏତେ ଆକୂଳତା କାହିଁକି ? ସାର୍ ଜଣେ ଉଦିୟମାନ ଯୁବକ। କଣ ଅଭାବ ଅଛି ଯେ ଏତେ ନିରାଶାବାଦ ପହଁରୁଛି ତାଙ୍କ ଘରେ ?
ହଁ ଏମିତି ବି ହୋଇପାରେ ସଉକରେ କିଣି ଆଣି ରଖିଥିବେ ଚିତ୍ର ଗୁଡିକ । ମୁଁ ଯାଏ ସାର୍ କାହିଁକି ଡାକିଛନ୍ତି ପଚାରି ବୁଝେ। ତାପରେ ମୁଁ ଘର ଭିତରକୁ ଗଲି।
ଘର ଭିତରେ ଏକ ଚେୟାରରେ ବସିଥିଲେ ସ୍ୱାତୀ ମାମ୍ ଏବଂ ତାଙ୍କ ସମଗ୍ର ଶରୀରଟି ଏକ ଚାଦରରେ ଆଚ୍ଛାଦିତ ହୋଇ ରହିଥିଲା। ମୁଁ ତାଙ୍କ ପାଖକୁ ଗଲି ଏବଂ ଭକ୍ତି ଓ ସମ୍ମାନର ସହ ପ୍ରଣାମ କଲି। ସେ କୌଣସି ଉତ୍ତର ଦେଲେ ନାହିଁ, କେବଳ ମୁହଁରେ ଏକ ପ୍ରଶାନ୍ତ ଓ ମଧୁର ହସ ଖେଳାଇ ତାଙ୍କର ଅସୀମ ଖୁସି ଟିକକ ପ୍ରକଟ କଲେ।
କି କଥା ! ପ୍ରଣାମ ହେଲି କଥା ପଦେ କହିଲେ ନାହିଁ ! ହଁ ମୁଁ ତୁଚ୍ଛା ଗୋଟେ ପିଅନ। ମୋତେ ନିର୍ଦ୍ଦେଶକ ସାର୍ ଙ୍କ ପତ୍ନୀ କହନ୍ତେ ବା କଣ ?
ଠିକ୍ ସେହି ସମୟରେ ଆଉ ଏକ ରୁମରୁ ସାର୍ ବାହାରି ଆସିଲେ। ମୋତେ ଦେଖି ତାଙ୍କ ଓଠରେ ଏକ ମୃଦୁ ହସ ଖେଳିଗଲା। ତାଙ୍କ ହସରେ ଅଫିସର କଠୋରତା କି ଟିଙ୍ଗା ଗୁଣ ନଥିଲା ବରଂ ଏକ ଆପଣାପଣ ଓ ନିବିଡ଼ତା ଥିଲା। ସେ ମୋତେ ଆଦର କରି ଡ୍ରଇଂ ରୁମ୍ ସୋଫାରେ ବସିବାକୁ କହିଲେ ଏବଂ ନିଜେ ବସିଲେ। କାମବାଲୀ ଦୁଇ କପ୍ ଚା' ଆଣି ବଢ଼ାଇ ଦେଲା।
ଆମର ଆଲୋଚନା ଅଫିସର କାମଦାମରୁ ଆରମ୍ଭ ହୋଇ କ୍ରମଶଃ ଘରୋଇ କଥାବାର୍ତ୍ତା ଆଡ଼କୁ ଗତି କଲା। କଥା ପ୍ରସଙ୍ଗରେ ମୁଁ କାନ୍ଥର ସେହି ଚିତ୍ର ଓ ପଂକ୍ତି ସମ୍ପର୍କରେ ପଚାରିବାରୁ ସାର୍ ଙ୍କର ମୁହଁର ଭାବ ସମ୍ପୂର୍ଣ୍ଣ ବଦଳିଗଲା। ସେ ଦୀର୍ଘଶ୍ୱାସଟିଏ ପକାଇ କହିଲେ ଯେ, ବୈଠକ ଘରର ସମସ୍ତ ଚିତ୍ର କୌଣସି ବାହାରର ନାମକରା ଚିତ୍ରଶିଳ୍ପୀ ଆଙ୍କି ନାହାନ୍ତି; ଏହାକୁ ଆଙ୍କିଛନ୍ତି ତାଙ୍କ ନିଜ ଧର୍ମପତ୍ନୀ ସ୍ୱାତୀ।
ସ୍ଵତୀ ମାମ୍ ଏତେ ସୁନ୍ଦର ଚିତ୍ର କରି ପାରନ୍ତି !
ଏତେବେଳେ ଯାଏ ବି ସ୍ୱାତୀ ମାମ୍ ସେଇଠି ବସିଥିଲେ ! ତାଙ୍କର କିଛି କାମ ନାହିଁ କି ! ଗୋଟିଏ ସ୍ଥାନରେ ଏତେ ସମୟ ବସିଛନ୍ତି କେମିତି ?
ଠିକ୍ ସେହି ମୁହୂର୍ତ୍ତରେ ବାହାରୁ ସ୍କୁଲ୍ ଭ୍ୟାନ୍ ର ହର୍ଣ୍ଣ ଶୁଭିଲା। ଗେଟ୍ ଖୋଲିବାର ଶବ୍ଦ ସାଙ୍ଗେ ଛୋଟ ପୁଅଟିଏ ବ୍ୟାଗ୍ ଧରି ଦୌଡ଼ି ଆସିଲା ଏବଂ "ମାମା" ବୋଲି ପାଟିକରି ସିଧାସଳଖ ତାଙ୍କ କୋଳରେ ବସି ପଡ଼ିଲା। ପୁଅର ସେହି ନିରୀହ ଏବଂ ଆବେଗପୂର୍ଣ୍ଣ ଆଲିଙ୍ଗନରେ ସ୍ୱାତୀ ମାମ୍ ଙ୍କ ଦେହରୁ ଘୋଡ଼ି ହୋଇଥିବା ଚାଦରଟି ହଠାତ୍ ଖସି ପଡ଼ିଲା।
ସେ ଦୃଶ୍ୟ ମୋ ଆଖିରେ ପଡ଼ିବାମାତ୍ରେ ମୁଁ ସ୍ତବ୍ଧ ହୋଇଗଲି; ମୋର ପାଦତଳୁ ମାଟି ଖସିଗଲା ଭଳି ଲାଗିଲା। ମୁଁ ଯାହା ଦେଖିଲି, ତାହା ବିଶ୍ୱାସ କରିବା ମୋ ପାଇଁ କଷ୍ଟକର ଥିଲା ।ତାଙ୍କର ଦୁଇ ହାତ କହୁଣୀ ତଳକୁ ଆଉ ନାହିଁ!
ସାର୍ ମୋର ଏହି ବିହ୍ୱଳ ଅବସ୍ଥାକୁ ବୁଝିପାରି ମୋତେ ବଗିଚା ଆଡ଼କୁ ଡାକି ନେଇ କହିଲେ, ସ୍ୱାତୀ ରାଷ୍ଟ୍ରପତି ଆୱାର୍ଡ ପାଇଥିବା ଜଣେ ବିଶିଷ୍ଟ ଚିତ୍ର ଶିଳ୍ପୀ। ସେ ଦିନେ ନିଜେ କାର୍ ଡ୍ରାଇଭିଂ କରି ଗୋଟିଏ ଆର୍ଟ ଗ୍ୟାଲେରୀ ଉଦଘାଟନ କରିବାକୁ ଯାଉଥିବାବେଳେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ମର୍ମନ୍ତୁଦ ଆକ୍ସିଡେଣ୍ଟରେ ସେ ତାଙ୍କର ଦୁଇ ହାତ ଏବଂ ପାଦ ଚିର ଦିନ ହରାଇ ବସିଥିଲେ।"
ଦୁଇ ପାଦ ବି ନାହିଁ !! ମୋ ମନରେ ପ୍ରଶ୍ନର ଏକ ବିରାଟ ଝଡ଼ ଉଠିଲା ।ଜଣେ ମଣିଷ କିପରି ଏତେ ବଡ଼ ଦୁର୍ଘଟଣାର ଶିକାର ହୋଇ ହସକୁ ମୁହଁରେ ପିନ୍ଧି ପାରେ ? ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେ କ'ଣ ଆଗରୁ ଜାଣିଥିଲେ ଯେ ତାଙ୍କ ସହ ଏମିତି ଏକ ଅଘଟଣ ଘଟିବ? ଯେଉଁଥିପାଇଁ ସେ ଆକ୍ସିଡେଣ୍ଟର ବହୁ ପୂର୍ବରୁ ଚିତ୍ରଟି ଆଙ୍କିଥିଲେ ଏବଂ ତା ତଳେ ଲେଖିଥିଲେ, "ଜୀବନ ବୀଣାରେ ସୁର ଛନ୍ଦହୀନ, ତୁମକୁ ମାଗୁଛି ସୁର ଭଗବାନ?" ଏହା କ'ଣ ଭବିଷ୍ୟତର ଏକ ଅଜଣା ଇଙ୍ଗିତ ଥିଲା, ନା ତାଙ୍କ ଜୀବନର କୌଣସି ଅଲୌକିକ ସତ୍ୟ ପୂର୍ବ ନିର୍ଦ୍ଧାରିତ କର୍ମ ଯୋଗୁଁ ଫଳିଲା ?
ଆହା ମାମ୍! ଆପଣ କେତେ କଷ୍ଟରେ, କେତେ ଯନ୍ତ୍ରଣା ଭିତରେ ଏ ଜୀବନ ଜୀଉଁଛନ୍ତି! ପୁଣି ହସି ବି ପାରୁଛନ୍ତି ? ମୁଁ ୟାଙ୍କ ପାଇଁ କେତେ କେତେ ଖରାପ କଥା ଭାବିଗଲିଣି ? ଛିଃ ! ଆମ ପରି ଲୋକଙ୍କୁ ପ୍ରେରଣା ଦେଉଥିବା ମାମ୍ ଙ୍କ ବିଷୟ ଖରାପ ଧାରଣା ମୋ ମନରେ ସୃଷ୍ଟି ହୋଇଥିବାରୁ,ନିଜ ଉପରେ ରାଗ ହେଲା।
ସାର୍ ଙ୍କ ଘରୁ ସନ୍ଧ୍ୟାରେ ବାହାରିଲାବେଳେ ମୋ ମନ ମାମ୍ କଥା ଭାବି ଭାରାକ୍ରାନ୍ତ ହୋଇଗଲା। ସାର୍ ଓ କୁନି ପୁଅଟି କେମିତି ବଞ୍ଚୁଛନ୍ତି ମୁଁ ବୁଝିପାରିଥିଲି ? ବାସ୍ତବରେ ଜୀବନ କେବଳ ଶରୀରର ହାତ ଓ ପାଦର ଗତିରେ ଚଳେ ନାହିଁ,ବରଂ ଏହା ଚଳେ ମନର ଅଦମ୍ୟ ଦୃଢ଼ତା, ଆତ୍ମବିଶ୍ୱାସ ଏବଂ ଭିତରର ସଙ୍ଗୀତରେ।
ସେଇ ଦିନଠାରୁ ସାର୍ ଓ ସ୍ୱାତୀ ମାମାଙ୍କର ଟିକି ନିକି ବୋଲ ହାକ ଖୁସି ଖୁସି କରିବାପାଇଁ ଅନେଇଁ ବସିଥାଏ। ମାତ୍ର କି ସ୍ୱାଭିମାନୀ ମଣିଷ ଦୁଇଟି ସାର୍ ଓ ସ୍ଵତୀ ମାମ୍ ! ଅଫିସ କାମ ବ୍ୟତୀତ ବ୍ୟକ୍ତିଗତ କାମ କୁହନ୍ତି ନାହିଁ !
ମାମ୍ ଏବେ ପାଟିରେ ତୁଳୀ ଧରି ଚିତ୍ର ଆଙ୍କିବାକୁ ଚେଷ୍ଟା କରୁଛନ୍ତି।
Satyabati swain, Balikuda, Jagatsinghpur
