ଚୁଆ ପାଣିର ଚୁମ୍ମା
ଚୁଆ ପାଣିର ଚୁମ୍ମା
ଚୁଆ ପାଣିର ଚୁମ୍ମା
ସେଦିନ କଥା ମନ ପଡିଲେ ହସ ଲାଗେ।
ଖରା ଦିନେ ସକାଳୁଆ ସ୍କୁଲ। ସ୍କୁଲରୁ ଆସି ଘରେ ବେଗେ ଫୋପାଡ଼ି ଫୁକୁ,ଲୋଚନ,ସାକି,ଶିବ ଓ ମୁଁ ଦୌଡୁ ଭଗନ ପୋଖରୀକୁ। ଫୁକୁ,ଲୋଚନ ଓ ସାକି ଆମଠାରୁ ବର୍ଷେ ଲେଖାଏଁ ସାନ ହେଲେ ମଧ୍ୟ ଆମେ ପାଞ୍ଚଜଣ ଘନିଷ୍ଠ ବନ୍ଧୁ।ଭଗନ ପୋଖରୀ ଆମ ଗାଉଁଲି ପୋଖରୀ । ବିରାଟ ପୋଖରୀଟିଏ।ଏକୂଳରୁ ସେ କୂଳ ପହଁରି ପହଁରି ଯିବାକୁ ଅଧ ଘଣ୍ଟାଏ ଲାଗିଯାଏ।ମୁଁ ମୋ ଜୀବନରେ ପୋଖରୀ କୂଳରୁ ସେପଟ ଦଣ୍ଡା ଯାଏ ପହଁରି ଯାଇ ପାରିନି। ଖରା ଦିନେ ସବୁ ଆଡେ ପାଣି ଶୁଖିଯାଏ। କିନ୍ତୁ ଭଗନ ପୋଖରୀରେ ରାଉତ ଘର ତାଙ୍କ ପନି ପରିବା ଚାଷ ଜମିକୁ ପାଣି ବୁହାଇବା ପାଇଁ ଖୋଳିଥାନ୍ତି ବଡ଼ ବଡ଼ ଦୁଇଟି ଗହିରିଆ ଚୁଆ। ଚୁଆରେ ଝର ପଡିଥାଏ। ଏଣୁ ଯେତେ ଖରା ହେଲେ ବି ପାଣି ଶୁଖେନି।
ଆମେ ଘରେ ନଳକୂଅ ଥିଲେ ବି ଚୁଆରେ ବୁଡିବା ପାଇଁ ବେଗେ ଫୋପାଡ଼ି ମାରେ ଚମ୍ପଟ। ଆଗରୁ ସ୍କୁଲ ଫେରିବା ବାଟରେ ଶିଖାଶିଖି ହୋଇ ଥାଉ ଆମେ ପାଞ୍ଚ ସାଙ୍ଗ। ବୋଉ ଡାକୁଥିବ କାହ୍ନା ଯାଆନା ସେ ପୋଖରୀକୁ। ପୋଖରୀ ପାଣି ତୋ ଦେହରେ ଯିବନି। ଅସନା ଗୋଳିଆ ପାଣି। ଯାଆନା ଧନ।
ବୋଉ କଥା କି ଶୁଣେ। ଆଖି ପିଛୁଳାକେ ମାରେ ଛୁ।ଶିବ ଆଉ ମୁଁ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଓହ୍ଲାଇ ଗାମୁଛା ଟିଏ ପିନ୍ଧି ଭୁସ୍ ଭାସ୍ ଜଣକ ପରେ ଜଣେ ଡେଉଁ। ଫୁକୁ,ଲୋଚନ କି ସାକି ତାଙ୍କ ଫ୍ରକ ଆମପରି ଓହ୍ଲାନ୍ତି ନାହିଁ। ଫ୍ରକ ଥାଇ ପାଣିକୁ ଡିଅନ୍ତି କାହିଁକି ପଚାରିଲେ କୁହନ୍ତି ଲଙ୍ଗଳା ନ ହେବାକୁ ସେମାନଙ୍କ ବୋଉ ମନା କରିଛନ୍ତି। ଝିଅ ପିଲା ସେମାନେ।ଛୁଆ ହୋଇ ନାହାନ୍ତି ବଡ଼ ପିଲା ହେଲେଣି।ଅନ୍ୟ ଲୋକମାନେ ବି ଗାଧୋଉ ଥାଆନ୍ତି ସେଠି। କାରଣ ଖରା ଦିନକୁ ଝର ପାଣି ଭାରି ଥଣ୍ଡା ଲାଗେ। ଆମେ ଡେଇଁ ପାଣି ଗୋଳିଆ କରି ଦେବାରୁ ଆମକୁ ରାଗନ୍ତି। ଆମେ କେଉଁ ଶୁଣୁ ? ଚୁଆରେ ଆମେ ଯେତେ ପ୍ରକାର ପହଁରା ଶିଖୁ। ଚିତି ପହଁରା, ପଦ୍ମ ଚକା ପହଁରା, ନମସ୍କାର ପହଁରା ଇତ୍ୟାଦି।ପାଣି ଭିତରେ ବୁଡି ବୁଡି ଲୁଚକାଳି ବି ଖେଳୁ। ଭାରି ମଜା ଲାଗେ। ପାଣିରେ ବୁଡି ବୁଡି ଦେହରେ ଶିଉଳି ବସିଯାଏ ସିନା ଆମ ଗାଧୁଆ ଶେଷ ହୁଏ ନାହିଁ। ଶେଷରେ ଏମିତି ହୁଏ ବୋଉ ଗାଧୋଇ ଫେରିବା ଡେରି ହେବା ଦେଖି ବାଡ଼ି ନେଇ ଆସେ। କାଳେ ପିଟିବ ବୋଲି ତାକୁ ଦେଖୁ ଦେଖୁ ଫ୍ୟାଣ୍ଟ ସାର୍ଟ ନ ନେଇ ଜୁଡୁ ବୁଡ଼ୁ ଓଦା ହୋଇ ଲଙ୍ଗଳାମଙ୍ଗଳା ଦୌଡେ ଘରକୁ।
ଘରକୁ ଆସି ଡରରେ ଘୋଡ଼ି ପୋଡି ହୋଇ ଶୋଇ ପଡେ। ବୋଉ ଆସି ନ ଖାଇ ଶୋଇଛି ଦେଖି ଗେହ୍ଲେଇ ଡାକେ,କାହ୍ନା ଘଣ୍ଟା ଏ ପାଣିରେ ବୁଡି ବୁଡି ଆସି ନ ଖାଇ ଶୋଉଛୁ ଥଣ୍ଡା ହୋଇ ଜର ହୋଇଯିବ। ଆ ଧନ ଖାଇ ଦେଇ ଶୋ। ମୁଁ ଆଉ ଟିକେ ନଖରା ଦେଖାଏ। ନା ମୁଁ ଖାଇବି ନାହିଁ ଯାଆ। ଉଠିଗଲେ ମୋତେ ମାରିବୁ।
ବୋଉ ଆସି ମୋତେ କୋଳେଇ କାଖେଇ ନେଇ ଗୋଲେଇ ପୋଳେଇ ବହେ ଖୁଆଇ ଦିଏ। ତାପରେ ମୋତେ ଦେଖିବ କଣ ଚାଲିଲି ନଖି ଘର ଖଳା ବାଡିକୁ। ସେଠି ଅନ୍ୟ ଚାରି ଜଣ ସାଙ୍ଗ ସମସ୍ତେ ମୋତେ ଆଗରୁ ଅପେକ୍ଷା କରିଥିବେ।ସାଙ୍ଗ ହୋଇ ଖଣ୍ଡିଆ ବାଡିକୁ କଇଁଆ ପାରିବାକୁ ଯିବା ପାଇଁ। ସେ ବାଡ଼ି ଭିତରେ ବଡ଼ ବଡ଼ ଚାରିଟା ଝଙ୍କାଳିଆ ତେନ୍ତୁଳି ଗଛ ଅଛି। ଗଛ ଯେତିକି ବଡ଼ ତହୁଁ ଝଙ୍କାଳିଆ ଅଧିକ। ଏଣୁ ଗଛର ଚେହେରା ଦେଖିଲେ ଭୟ ଲାଗେ। ଅତଏବ ସେ ବାଡିକୁ ଆମର ପ୍ରାଣେ ଭୟ। ଆହୁରି ସେଠାରେ ଯେଉଁ ଖଜୁରୀ ଗଛଟି ଅଛି ସେଥିରେ ବିଷ ଖାଇ ମରିଥିବା ଲେଙ୍କା ଘର ବୋହୁ,ପବନା ବୋଉ କୁଆଡେ ଭୂତ ହୋଇ ଅଛନ୍ତି ! ଏଣୁ ପାଞ୍ଚ ସାଙ୍ଗ ଏକାଠି ହୋଇ ପାଚିଲା କଇଁଆକୁ ଫୋପଡ଼ ଫିଙ୍ଗି ପାରିବାକୁ ଯାଉ। ଶିବ ଗାମୁଛା ରେ ଅଣ୍ଟି କରିଥାଏ।ଅଣ୍ଟିଏ କଇଁଆ ହୋଇଗଲେ ଚିଲପରି ଏକ ମୁହାଁ ଇଲୋ ବୋଉଲୋ କହି ଦୌଡୁ ନଖିଘର ବାରିକୁ।
ଘରୁ ଆସିଲା ବେଳେ କିଏ ଲୁଣ,କିଏ ପିଆଜ ଓ କିଏ କଞ୍ଚା ଲଙ୍କା ଆଣିଥାଉ। ଆମର ପାଳି ହୋଇଥାଏ।କିଏ କେଉଁ ବାରରେ କଣ ଆଣିବ।ନଖି ଘରୁ କଂସା ଓ ଦାଣ୍ଡ କଳରୁ ଆସେ ପାଣି । ଲୋଚନ କଇଁଆକୁ ପାଣିରେ ଦଳେ। ବେଳେବେଳେ ରାଉତ ଘର ଡିହରୁ ପିଆଜ ସଣ୍ଢା ଆଣି କାଟି ପକାଉ।କଇଁଆ ଦଳା ସରିଲେ ମଞ୍ଜି ଗୁଡିକ କାଢି ଫିଙ୍ଗି ଦିଆଯାଏ। ଲୁଣ ପଡି ଲଙ୍କା ସେଥିରେ ଦଳା ହୁଏ। ତାପରେ ପିଆଜ ସଣ୍ଢା ଓ କଟା ହୋଇଥିବା ପିଆଜ ପଡି ଗୋଳା ଯାଏ।
କଇଁଆ ଖୋଳରେ ଲୋଚନ ପାନ ଖିଲ ପରି ଆମେ ମୋଡି ଧରିଥିବା କଦଳୀ ପତ୍ରରେ ସେ କଇଁଆ ପଣା ଦିଏ। ଖୁବ୍ ରାଗ ଓ ଟେଷ୍ଟି ହୋଇଥାଏ। ସମସ୍ତେ ସୁଡୁ ସୁଡୁ କରି ପିଇ ଦିଅନ୍ତି ଏକା ମୋତେ ଛାଡ଼ି। ମୁଁ ଥରେ ଖାଏ।କାରଣ ଏତେ ରାଗ ମୁଁ ଖାଇ ପାରେନି । କିନ୍ତୁ ସାକି କଇଁଆ ପଣା ସୁ ସୁ ହୋଇ ଅଧେ ଏକା ପିଇ ଯାଏ। ଭାରି ଖଟା ପ୍ରିୟ ସେ।ଏମିତିରେ ମୋ ଦେହରେ ଏଣୁତେଣୁ କିଛି ଯାଏନି। ଟିକେ ଟିକେ କଥାରେ ରୋଗରେ ପଡ଼ିଯାଏ। ବୟସ ତୁଳନାରେ ମୋ ଓଜନ ପୁରା କମ୍। ଡେଙ୍ଗା ସର ସର ନକ୍ ନକ୍ ଗୋରା ତକ ତକ ହାଡୁଆ ପିଲାଟିଏ।
ଥରେ ଏମିତି ହେଲା ଯେ ମୋ ଜୀବନ ସଙ୍କଟାପନ୍ନ ହୋଇଗଲା ସାଙ୍ଗ ମେଳ ଫଳରେ। ଚୁଆ ରେ ବୁଡାକୁ କଇଁଆ ପଣା ହାପୁଡା ମୋ ଚୋପା ଛଡେଇ ଦେଲା। ଏକା ସାଙ୍ଗରେ ହେଲା ଜର ଓ ଡାଇରିଆ ଝାଡା। ଗୋଟିଏ ଦିନରେ ପଚିଶ ଥର ଝାଡା କୁ ଦେହରେ ପ୍ରବଳ ଜର। ଶେଷକୁ ମୂର୍ଚ୍ଛା ହୋଇ ମେଡ଼ିକାଲରେ ଆଡ଼ମିଶନ ହେଲି। ଦେହ ଏତେ ଖରାପ ହୋଇଗଲା ଯେ ଡାକ୍ତର ମାନେ ଆଶା ଛାଡି ଦେଲେ ମୋର। ଝାଡା ବନ୍ଦ ହେଉ ନଥିଲା କି ଜର କାମୁ ନଥିଲା। ପେଟରେ କଣ ଇଂଫେକ୍ସନ ହୋଇ ଯାଇଥିଲା। ଦୁର୍ଗନ୍ଧ ଚାଉଳ ଧୁଆ ପାଣି ପରି ମିନିଟକୁ ମିନିଟ ଝାଡା ବୋହି ଯାଉଥିଲା। ଅଚେତ ଅବସ୍ଥାରେ ବି ଝାଡା ବୋହୁଥିଲା ମୋର। ତିନି ଝିଅରେ ଗୋଟିଏ ବୋଲି ପୁଅ ମୁଁ।
ଭାଲେଣି ପଡିଲା ମୋ ଅବସ୍ଥାକୁ ନେଇ। ଶେଷରେ କଟକ ନିଆ ହୋଇ ଆଇ ସି ୟୁ ରେ ରହିଲି ଆଠଦିନ।ଉଷୁନା ଧାନ ଗଜା ହେଲା ପରି ପୁର୍ନଜନ୍ମ ପାଇଲି ଜାଣ।
ଏଥିଲା ମୋ ଷଷ୍ଠ ଶ୍ରେଣୀ ପଢ଼ୁଥିବା ବେଳର କଥା। ମରୁ ମରୁ ବଞ୍ଚିଲା ପରେ ମୋତେ ମୋ ସାଙ୍ଗ ମାନଙ୍କଠାରୁ ଦୁରେଇ ରଖାଗଲା। କେତେ ଖୋଜିଲେ ମୋ ଚାରି ସାଙ୍ଗ। ମୁଁ ବି ଝୁରି ହେଲି ତାଙ୍କୁ।
ଶେଷରେ ମୋତେ ସାଙ୍ଗମାନଙ୍କ ସହ ମିଳାମିଶା ନ କରିବା ପାଇଁ ତାଗିଦ୍ କରାଗଲା। ମୋ ଚାରି ବନ୍ଧୁଙ୍କୁ ମଧ୍ୟ କଡା ଚେତାବନୀ ଦିଆଗଲା ମୋ ସହ ନ ମିଶିବା ପାଇଁ। ସେମାନଙ୍କ ବାପା ମାଆଙ୍କୁ ମୋ ଦାଦା ଗାଳି ଗୁଲଜ କଲେ। ତାଙ୍କରି ପିଲା ପାଇଁ ମୋର ଦେହ ଖରାପ ହେଲା ବୋଲି ଦୋଷାରୋପ କଲେ। ମୁଁ କେଉଁ ସେମାନଙ୍କୁ ଛାଡି ରହି ପାରୁଥିଲି। ଏଣୁ ବୋଉ ବାଧ୍ୟ ହୋଇ ଘରଦ୍ୱାର ଛାଡି ମୋତେ ସାଙ୍ଗରେ ଆଣି ବାପାଙ୍କ ଚାକିରି ଜାଗାକୁ ଆସିଲା ଘର ଭଡା ନେଇ ରହିବାକୁ। ମୋ ଗାଁ ଛାଡିବା ବେଶୀ ବାଧିଥିଲା ସାକିକୁ। ବହୁତ କାନ୍ଦିଥିଲା ସେ।
ନୂଆ ଜାଗା,ନୂଆ ସ୍କୁଲ ଓ ନୂଆ ବନ୍ଧୁଙ୍କ ଗହଣରେ ମୁଁ ଆସ୍ତେ ଆସ୍ତେ ଗାଁ କୁ ଭୁଲିଗଲି।କିନ୍ତୁ ପାଣିରେ ବୁଡି ସାକି ମୋତେ ଯେତେବେଳେ ମାଡିବସେ ସେଇ ସ୍ମୃତିଟି ଏଯାଏ ଭୁଲି ପାରିନାହିଁ। ସାକି ଆମ ପଡିଶା ଘର ଜଗୁ ଦାଦାଙ୍କ ଝିଅ। ମୋ ତଳ ଶ୍ରେଣୀରେ ପଢେ। ମୋତେ ଲାଗେ ଝିଅ ଗୁଡା ବୟସ ତୁଳନାରେ ଅଧିକ ପରିପକ୍ୱ ହୋଇ ଯାଆନ୍ତି। କାରଣ ସାକି ମୋତେ ପାଣି ଭିତରେ ମାଡି ବସି ଚୁମାଟିଏ ଦେଇ ଦିଏ। ତାପର ଦିନ ଚୁପ୍ କି ପଚାରେ ଚୁମା ଭଲ ଲାଗିଲା ନା କାହ୍ନା?
ମୁଁ କିଛି ନ କହି ତଳକୁ ମୁହଁ ପୋତିଦିଏ। ସେ ଫିକ୍ କିନା ହସିଦେଇ କୁହେ ତୁ ହେବୁନି ରେ କାହ୍ନା।
ଏବେ ଯଥେଷ୍ଟ ବଡ଼ ହୋଇଛି ମୁଁ। ସଂସାରୀଟିଏ। ସାକି ବି ବାହା ସାହା ହୋଇ ଦୁଇ ପିଲାର ମାଆ। କିନ୍ତୁ ପରିଣତ ବୟସରେ ବି ସେ ମୋତେ ଦେଖିଲେ ଲାଜ କରେ।ସିଧା ମୋ ମୁହଁକୁ ଚାହିଁ ପାରେ ନାହିଁ। ତଳକୁ ମୁହଁ ପୋତି କୁହେ
ପାଣି ଭିତରେ ବୁଡି ଚୁମା ଖାଇବା ଭୁଲି ଯାଇଛୁ କି କାହ୍ନା ?
ମୁଁ ବି ଲାଜେଇ ଯାଏ। ନିରବ ରୁହେ। ସତ କହିବାକୁ ଗଲେ ଆଦୌ ଭୁଲିନି ଏଯାଏ ସାକିର ଚୁମା କି ଚୁଆ ପାଣିରେ ବୁଡ଼ା।
Satyabati swain
