ମୋ ସହର
ମୋ ସହର
ସହର
ମୋ ସହର କଣ ଏମିତି ଥିଲା!
ଥିଲା ଏତେ ଧୂଳିଧୂଆଁ !
ବୋମା ମାଡ଼ !
ଯୁଦ୍ଧର ନିଆଁ !
ଏହା ଏବେ ଗୋଟିଏ ଧୂଳିସାତ୍ ସହରର ଭଗ୍ନାବଶେଷ। ସାତ ବର୍ଷରକୁନି ପିଲାଟିଏ ମୁଁ। ମୋର ଗୋଟିଏ ଗୋଡ଼ ନାହିଁ, ମୁଣ୍ଡ ଫାଟି ରକ୍ତ ବୋହୁଛି, ଇଟା ଓ ପଥର ଗଦା ତଳେ ଚାପି ହୋଇଛି। ନିଃଶ୍ବାସ ହୁଏତ ମୋତେ ପର କରିଦେବ କିଛି କ୍ଷଣ ପରେ। ଆକୁଳ ଡାକ କାହାକୁ ଶୁଭୁନି। ଟୋପେ ପାଣି ଦିଅ, ପାଣି
ବାପା କହୁଥିଲେ ମୋଟ କମ୍ପ୍ୟୁଟର ବ୍ରେନ। ବୟସ ତୁଳନାରେ ସେ ବେଶୀ ବୁଦ୍ଧିମାନ।ସେ ତା ପିଲା ମନରେ ମଲା ପୂର୍ବରୁ ଭଗବାନ ଏବଂ ଦୁନିଆକୁ ପ୍ରଶ୍ନ କରୁଛି।
"ବା...ବା... ମା...ମା..."
ମୋ ପାଟିରୁ ଶବ୍ଦ ବାହାରୁନି। କେମିତି ଅଜବ ଗନ୍ଧଟେ ଆସୁଛି। ମୋ ନାକ ଭିତରେ ଧୂଳି, ଧୂଆଁ ଆଉ ପୋଡ଼ା ମାଂସର ଗନ୍ଧ। ମୁଁ କେଉଁଠି ଅଛି? ଆମ ନୀଳ ରଙ୍ଗର ଝରକାଟା କୁଆଡ଼େ ଗଲା? ମୁଁ ତ ମୋର ଖେଳନା ଗାଡ଼ି ସାଙ୍ଗରେ ଖେଳୁଥିଲି। ହଠାତ୍... ବହୁତ ବଡ଼ ଶବ୍ଦଟେ ହେଲା, ସବୁକିଛି ଦୋହଲିଗଲା। ଆଉ ତା'ପରେ... ଏଇ ଅନ୍ଧାର।
ମୋ ଛାତି ଉପରେ ଗୋଟେ ବିରାଟ ପଥର ଶୋଇଛି। ସେଥିପାଇଁ ମୁଁ ନିଃଶ୍ୱାସ ନେଇପାରୁନି। ମୋ ଗୋଡ଼... ମୋ ବାମ ଗୋଡ଼ଟା ମୋତେ ଦେଖାଯାଉନି। କାହିଁକି କେଜାଣି, ମୋତେ କିଛି ଅନୁଭବ ହେଉନି। କଣ ମୋ ଗୋଡ଼ ଭାଙ୍ଗିଗଲା? ଯଦି ଭାଙ୍ଗିଗଲା, ତେବେ ମୁଁ ଆଉ ଦୌଡ଼ିପାରିବିନି? ବାପା ତ କହୁଥିଲେ ମୁଁ ବଡ଼ ହେଲେ ଜଣେ ବଡ଼ ଦୌଡ଼ାଳି ହେବି। ଏବେ... ଏବେ ମୁଁ କେମିତି ଦୌଡ଼ିବି?
ମୋ ମୁଣ୍ଡରୁ କଣଟେ ବୋହିଯାଉଛି। ଗରମ ଗରମ। ସେଇଟା ମୋ ଆଖି ପତା ଉପରେ ଜମାଟ ବାନ୍ଧିଯାଉଛି। ତାହା କଣ ରକ୍ତ? ମାଆ କହେ, ରକ୍ତ ହେଉଛି ଜୀବନ। ଯଦି ସବୁ ରକ୍ତ ବୋହିଯିବ, ତେବେ ମୁଁ ମରିଯିବି? ମୁଁ କେବଳ ଖେଳିବାକୁ ଚାହେଁ। ମୋତେ ଖେଳ ପଡିଆ ଓ ସାଙ୍ଗ ଦରକାର। ମୁଁ ମରିବାକୁ ଚାହେଁ ନାହିଁ।
"ଶୋ...ଷ... ପା...ଣି... ଟୋ...ପେ ପା...ଣି..."
ମୋ ଗଳା ଶୁଖିଗଲାଣି। ମୋତେ ଲାଗୁଛି ଯେମିତି କିଏ ମୋ ଗଳା ଭିତରେ ନିଆଁ ଲଗାଇଦେଇଛି। ପାଣି କୁଆଡ଼େ ଗଲା? ଆମ ଘରେ ତ ବହୁତ ପାଣି ଥିଲା। ମୋ ଥଣ୍ଡା ପାଣି ବୋତଲଟା... ସେଇଟା କୋଉଠି ଥିବ? କଣ କିଏ ମୋତେ ଟୋପେ ପାଣି ଦେଇପାରିବେନି?
ବାପା କହୁଥିଲେ ଭଗବାନ ସବୁ ଦେଖନ୍ତି। ସେ ସମସ୍ତଙ୍କ ଭିତରେ ଅଛନ୍ତି। ସେ ସମସ୍ତଙ୍କୁ ଭଲ ପାଆନ୍ତି। ତେବେ, ସେ କଣ ଏଇ ପଥର ଗଦା ତଳେ ମୋ ସାଙ୍ଗରେ ଚାପି ହୋଇ ରହିଛନ୍ତି? ଯଦି ସେ ଅଛନ୍ତି, ତେବେ ମୋତେ ଟିକେ ପାଣି ଦେଉ ନାହାନ୍ତି କାହିଁକି?
ମାଆ କହେ ଭଗବାନ ପାଳନକର୍ତ୍ତା। ମୁଁ ଜାଣିନି ସେ ଶବ୍ଦର ଅର୍ଥ କଣ, କିନ୍ତୁ ଏହାର ଅର୍ଥ କଣ ସେ ମୋତେ ବଞ୍ଚାଇବେନି? ମୋ ମାଆ, ବାପା, ଭାଇଭଉଣୀ ସେମାନେ ସବୁ କୋଉଠି? ସେମାନେ ବି ଏମିତି କେଉଁ ପଥର ତଳେ ଚାପି ହୋଇଛନ୍ତି କି ? କେହି ଆମକୁ ବଞ୍ଚାଅ।
ମୁଁ ଶୁଣିଛି ବଡ଼ ମଣିଷମାନେ 'ଯୁଦ୍ଧ' କରନ୍ତି। ଯୁଦ୍ଧ କଣ ଖେଳ ପରି? ଯଦି ଏହା ଖେଳ, ତେବେ ଏଥିରେ ସମସ୍ତେ ମରିଯାଆନ୍ତି କାହିଁକି? ସେଇ ଉପରୁ ପଡୁଥିବା ନିଆଁ ବର୍ଷା... ଭଗବାନ ପଠାଉଛନ୍ତି କି ? ମୁଁ ଦେଖିଛି ସେଇ ଆକାଶରେ ଉଡୁଥିବା ଲୁହା ପକ୍ଷୀଗୁଡ଼ିକୁ। ସେଥିରୁ ଅଣ୍ଡା ଭଳି କଣ ସବୁ ପଡୁଛି ଆଉ ତା' ପରେ ସବୁକିଛି ଜଳିଯାଉଛି।
ମୋ ପିଲା ମୁଣ୍ଡରେ ଗୋଟିଏ ପ୍ରଶ୍ନ ବାରମ୍ବାର ଆସୁଛି, ମୁଁ କଣ ଭୁଲ କରିଥିଲି? ମୁଁ ତ କାହା ସହ ଯୁଦ୍ଧ କରିନି। ମୁଁ ତ କେବଳ ମୋର ସେଇ ପ୍ଲାଷ୍ଟିକ କଣ୍ଢେଇଟା ସହ ଖେଳୁଥିଲି। ଏବେ ମୋ କଣ୍ଢେଇର ହାତ ଭାଙ୍ଗି ଯାଇଛି, ଆଉ ମୋ ଗୋଡ଼ଟା କୁଆଡ଼େ ହଜିଯାଇଛି।
'ଯୁଦ୍ଧ' ଏତେ ଗୁରୁତ୍ୱପୂର୍ଣ୍ଣ ଯେ ମୋ ପରି ଶହଶହ ଶିଶୁଙ୍କର ଜୀବନଠାରୁ ବି ବଡ଼? ବଡ଼ ମଣିଷମାନେ କାହିଁକି ଏମିତି କରନ୍ତି? ସେମାନଙ୍କର କଣ ମୋ ପରି ଛୋଟ ଛୁଆ ନାହାନ୍ତି? ସେମାନେ କଣ ଆମକୁ ଦେଖିପାରୁନାହାନ୍ତି?
ମୋ ଆଖି ଆଗରେ ଅନ୍ଧାର ଘୋଟି ଆସୁଛି। ମୋତେ ଲାଗୁଛି ସୂର୍ଯ୍ୟ ଦେବତା ହୁଏତ ରାଗିକି ଲିଭିଗଲେଣି। କିନ୍ତୁ ଏଇଟା ତ ମଧ୍ୟାହ୍ନ ଥିଲା। କାନ୍ଥ ତଳେ ଚାପି ହୋଇଥିବା ମୋ ସାଙ୍ଗ ରାହୁଲର ଶେଷ ନିଶ୍ୱାସର ଶବ୍ଦ ମୁଁ ଶୁଣିପାରୁଛି। ସେ ଧୀରେ ଧୀରେ ଶାନ୍ତ ହୋଇଯାଉଛି। ସେ କଣ ମରିଗଲା ?
ମୃତ୍ୟୁ କଣ ବହୁତ ଚୁପଚାପ ଶାନ୍ତ ପିଲା? ମୃତ୍ୟୁ ଯଦି ଶାନ୍ତଶିଷ୍ଟ ପିଲା ମୋତେ ଏତେ ଛଟପଟ କାହିଁକି କରୁଛି? ହେ ଭଗବାନ! ମୋତେ ଆଉ କଷ୍ଟ ଦିଅନି। ମୋତେ ମାଆ ପାଖକୁ ନେଇଯାଅ। ମାଆ କହେ, ମୃତ୍ୟୁ ପରେ ଆମେ ସମସ୍ତେ ଆକାଶରେ ତାରା ହୋଇଯାଉ। କଣ ମୁଁ ବି ତାରା ହୋଇଯିବି?
ମୋ ଶରୀର ଏବେ ଧୀରେ ଧୀରେ ହାଲୁକା ଲାଗୁଛି। ମୋତେ ଲାଗୁଛି ମୁଁ ଏଇ ପଥର ଗଦାରୁ ଉପରକୁ ଉଠିଯାଉଛି। ଦେଖ, ମୋ ମାଆ ସେଇଠି ଠିଆ ହୋଇଛି। ସେ ତା'ର ଦୁଇ ହାତ ବଢ଼ାଇ ମୋତେ ଡାକୁଛି। ତା' ଆଖିରେ ଲୁହ। ସେ ବୋଧେ କାନ୍ଦୁଛି।
ମାଆ! ମୋତେ ବହୁତ ଶୋଷ। ଟୋପେ ପାଣି... ଟୋପେ ପାଣି...।
କୁଆଡେ ଗଲ ସମସ୍ତେ? ମୋ ବାପା, ଭାଇ, ଭଉଣୀ... ସେମାନେ ସବୁ କୋଉଠି? ସେମାନେ ବି ଏମିତି ପଥର ତଳେ ଶୋଇଛନ୍ତି?
ହେ ଯୁଦ୍ଧ ଖୋର ମଣିଷମାନେ! ଆପଣମାନେ କଣ କେବେ ମୋ ପ୍ରଶ୍ନର ଉତ୍ତର ଦେଇପାରିବେ? କାହିଁକି ଆପଣମାନେ ଯୁଦ୍ଧ କରନ୍ତି? କାହିଁକି ଶହଶହ ଶିଶୁର କୁନି ଜୀବନ ଏତେ ଅସହାୟ କରିଦିଅନ୍ତି ? ଏତେ କଷ୍ଟ ଦେଇ କାହିଁକି ମାରନ୍ତି ?
ମୋ ଆଖି ବନ୍ଦ ହୋଇଯାଉଛି। ଧୂଳିଧୂଆଁ ସହରରୁ ମୁଁ ବିଦାୟ ନେଉଛି। କିନ୍ତୁ ମୋର ଏଇ ଶୋଷିଲା ଓଠର ଶେଷ ଆର୍ତ୍ତନାଦ 'ଯୁଦ୍ଧ ବନ୍ଦ ହେଉ!' ଧୂଆଁ ମୁକ୍ତ ହେଉ ମୋ ସହର। ମୋ ପରି କୌଣସି ଶିଶୁ ଅବେଳେ ଏତେ ଯନ୍ତ୍ରଣା ଭୋଗି ନ ମରନ୍ତୁ ।
ହୁଏତ ପୁଣି ସବୁ ଠିକ୍ ହୋଇପାରେ। କିନ୍ତୁ ମୁଁ କଣ ଆଉ ଫେରିବି ତୁମ ଧ୍ଵଂସ ସ୍କୁଲ ସ୍ଥାନରେ ଠିଆ ହୋଇଥିବା ନୂଆ ସ୍କୁଲରେ ପଢିବା ପାଇଁ !!!
ଆଃ ମାଆ, ବାବା ... ପାଣି ଇ ଇ ଇ। ମୋ ଚାରିପଟେ ଏତେ ଅନ୍ଧାର କାହିକ ? ଆଃ ମା ଆ ..
Satyabati swain
