ଅଦୃଶ୍ୟ ଫୁଲ
ଅଦୃଶ୍ୟ ଫୁଲ
ଅଦୃଶ୍ୟ ଫୁଲ
ସେଥିଲା ମାର୍ଚ୍ଚର ନିରୋଳା ଅପରାହ୍ନଟିଏ।
ଖରାବେଳଟା ଝାଞ୍ଜି ପିଟୁଥିଲା। ଆମ ଘର ପଛପଟ ଆମ୍ବ ଗଛ ତଳେ ସପଟିଏ ପାରି ପଢ଼ୁଥିଲି। ପ୍ଲସ୍ ଟୁ ପରେ ଆଗରେ ମୋର ଏଣ୍ଟ୍ରାନ୍ସ ପରୀକ୍ଷା ଥାଏ ।
ଜଲି ହଠାତ୍ ଆସି କହିଲା, ଏଇ ନାନୁ ଜାଣିଛୁ ତୋ ପାଇଁ ଗୋଟେ ନୂଆ ଚିଜ ଆଣିଛି।
ବହିରୁ ମୁହଁ କାଢି ତା’ କଥା ଶୁଣି ମୁଁ ଟିକେ ମୁରୁକି ହସିଲି। ଜଲିର ସବୁବେଳେ ସେମିତି କିଛି ନା କିଛି ନୂଆ ବାହାନା ଥାଏ ମୋ ପାଖକୁ ଆସିବାରେ। ଆମ କ୍ଵାଟର ପାଖରେ ତାଙ୍କ କ୍ଵାଟର। ଏଇ ପାଞ୍ଚମାସ ହେବ ତାଙ୍କ ବାପା ବଦଳି ହୋଇ ଆସିଛନ୍ତି ଆମ ସହରକୁ। ସେ କିନ୍ତୁ ମୋ ସହ କାହିଁ କେଉଁ କାଳରୁ ଚିହ୍ନା ପରି ପ୍ରଥମ ଦେଖାରୁ ଵ୍ୟବହାର କରେ। ସେ ମୋଠାରୁ ସାନ ହେଲେ ବି ଆମେ ଦୁହେଁ ଅଳ୍ପ ସମୟ ମଧ୍ୟରେ ଖୁବ୍ ସାଙ୍ଗ ହୋଇ ଯାଇଥିଲୁ।। ମୁଁ କଲେଜରୁ ଘରକୁ ଆସିବା ଶୁଣିଲେ ଦଉଡି ଆସିବ। ସବୁବେଳେ କଳ୍ପନା ରାଜ୍ୟରେ ବୁଲିବା ତାର ଏକ ରୀତିମତ ଅଭ୍ୟାସ। ମୋତେ ତୁ ତା କରେ। ମୋ ପିଠିରେ ନଦି ହୁଏ। ବେଳେବେଳେ ଥିବ ଥିବ କିଲିକିଆ ବିଧା ଦେଇ ଦୌଡ଼ି ପଳାଏ। ମୁଁ ତାକୁ କୁହେ 'ଜଲି ଓଲି। ଫୁଲ ବହୁତ ଭଲ ପାଏ ସେ। ଚିତ୍ର ଆଙ୍କିବାକୁ ମଧ୍ୟ। ବେଳେ କି ଚିତ୍ର ଆଙ୍କେ ସେ ହିଁ ଜାଣେ।
ତା କଥା ଶୁଣି ପଚାରିଲି , ନୂଆ ଚିଜ! କାଇଁ ?
ସେ କହିଲା, ଆଖିବୁଜୁ।
ମୁଁ ଆଖି ବୁଜିଲି। ଭାବିଲି ବୋଧେ କୌଣସି ଚକୋଲେଟ୍ କିମ୍ବା ବଗିଚାରୁ ଆଣିଥିବା କୌଣସି ଫୁଲ ହୋଇଥିବ। ସେ ମୋ ଖାଲି ହାତ ପାପୁଲି ଉପରେ ତାର ଖାଲି ହାତଟାକୁ ଥାପି ଦେଇ କହିଲା, ନେ।
ମୁଁ ଆଖି ଖୋଲି ଦେଖିଲି, ମୋ ହାତରେ କିଛି ନାହିଁ। ମୁଁ କହିଲି, "କିଛି ନାହିଁ ତ! ମିଛେଇ।
ତାପରେ ଆରମ୍ଭ ହେଲା ଆମ ଦୁହିଁଙ୍କର ମଧୁର ଯୁକ୍ତିତର୍କ।
ସେ କହିଲା, ତୋତେ ଦିଶୁନି! କି ସୁନ୍ଦର ଚିଜଟେ ଦେଇଛି!
ସୁନ୍ଦର ଚିଜ ! କାଇଁ ,କେଉଁଠି ? ମିଛ କହନା। ମୋତେ ଦେଇଛୁ ଆଉ ଦିଶୁନି ? ହାତ ହଲେଇଲେ ଖସି ପଡ଼ନ୍ତା। ପଡୁନି ତ! କିଛି ନ ଦେଇ ମୋ ସଂଗେ ଖେଳୁଛୁ। ହଉ ରହ ଦଉଚି ଦିଟା । କେହି ମିଳିଲେ ନାହିଁ ଆସି ମୋ ସହ ଥଟ୍ଟା କରୁଛୁ ?
ସେ ମୁହଁ ଫୁଲାଇ କହିଲା, ସତରେ ତୁ ଦେଖି ପାରୁନୁ କି ବୁଝି ପାରୁନୁ ! ସେମିତି ମନ ଯାହାର ତାକୁ ସିନା ଦେଖାଯିବ। ତୋ ଭଳି ଗଵ କିଏ କହିଲୁ ?ପାଇକି ବି କହୁଛି ପାଇନି।
ସେଦିନ ବି ସେ ମୋ ପିଠିରେ ବିଧାଟେ ମାରି କହିଥିଲା, କେତେ ସୁନ୍ଦର ଫୁଲଟେ ଆଣି ଦେଲି,କହୁଛୁ ଦେଇନି ?
ତୋ ଭଳି ବଡ଼ ମିଛେଇ କିଏ ହେବ ? କିଛି ନ ଦେଇ କହୁଛି ଭଲ ଚିଜଟେ ଦେଇଛି?
ହୁଁ କହି ସେ ନାକ ଫୁଲେଇଲା। ଆଉ କହିଲା,ଆଖି ଛୁଉଁଛି ତୋ ପାଇଁ ସତେଜ, ସୁନ୍ଦର ଅଦ୍ଭୁତ ଫୁଲଟିଏ ଆଣିଥିଲି।
ଫୁଲ ! କି ଫୁଲ ! ତୁ ଫୁଲ ଦେଲୁ ଆଉ ମୁଁ ଦେଖି ପାରିଲି ନାହିଁ ! ଅଜବ କଥା କହୁଛୁ ?
ସେ ଅଳିତା ରଙ୍ଗର ଲାଜୁଆ ହସଟିଏ ଫିଙ୍ଗି କହି ଗାଲରେ ଗୋଟାଏ ଚୁମା ଦେଇ ସେ ଚିଲ ପରି ପଳାଇଥିଲା। ସେହି ଅଭୁଲା ମୁହୂର୍ତ୍ତଟି ମୋ ଜୀବନର ସବୁଠାରୁ ବଡ଼ ସ୍ମୃତି ହୋଇ ରହିଗଲା, କାରଣ ତା' ପରଦିନ ହିଁ ଜଲିକୁ ନେଇ ତା ବାପାମାଆ ସେହି ସହର ଛାଡ଼ି କୁଆଡ଼େ ଚାଲିଗଲେ।
ଦେଖୁ ଦେଖୁ ପନ୍ଦର ବର୍ଷ ବିତିଗଲା। ମୁଁ ଏବେ ସହରରେ ଜଣେ ସଫଳ ଆର୍କିଟେକ୍ଟ। ମୋ ଜୀବନରେ ଏବେ ଅନେକ ରଙ୍ଗ, କିନ୍ତୁ ସେଦିନର ସେହି 'ଅଦୃଶ୍ୟ ଫୁଲ'ର ମହକ ମୁଁ ଆଉ କେଉଁଠି ପାଇଲି ନାହିଁ। ବେଳେବେଳେ ଅଫିସରୁ ଫେରି ଏକୁଟିଆ ବସିଲେ ମୁଁ ମୋ ହାତ ପାପୁଲିକୁ ଚାହେଁ। ମୋତେ ଲାଗେ ସତେ ଯେମିତି ଜଲି ସେଇଠି କିଛି ଗୋଟେ ରଖିଦେଇ ଯାଇଛି ଯାହାକୁ ମୁଁ ଦେଖି ପାରୁଛି,ଅନୁଭବ କରି ପାରୁଛି। ପାପୁଲିକୁ ଚାହିଁ ସେଦିନ ଅଦୃଶ୍ୟ ଫୁଲ କଥା ଭାବିଲେ ରୋମାଂଚିତ ହୋଇ ଯାଏ।
ନିଜ କ୍ୟାରିୟର ଗଢ଼ିବା ନିଶାରେ ମୁଁ ଏତେ ବ୍ୟସ୍ତ ରହିଲି ଯେ ପଛକୁ ଫେରି ଚାହିଁବାକୁ ସମୟ ନଥିଲା। କିନ୍ତୁ ପ୍ରତି ମଣିଷ ଭିତରେ ଗୋଟିଏ ଲୁକାୟିତ ସ୍ଥାନ ଥାଏ ଯେଉଁଠି ଜୀବନର କିଛି ଅପାସୋରା କଥା ,ଦିନ,ମୁହଁ ,ଚିହ୍ନ କି କ୍ଷଣ ବନ୍ଦୀ ହୋଇ ରହିଥାଏ। ମୋ ପାଇଁ ସେହି ବନ୍ଦୀ ମୁହଁ ଥିଲା 'ଜଲି'। ମୁଁ ବହୁତ ଝିଅଙ୍କୁ ଭେଟିଛି, କିନ୍ତୁ ସେମାନଙ୍କ ପ୍ରେମରେ ଭାରି ସ୍ୱାର୍ଥ ଥିଲା । ମୁଁ ଖୋଜୁଥିଲି ଆତୁର ହୋଇ ଜଲିର ସେ ଅଦୃଶ୍ୟ ଫୁଲଟି। ଯାହା ଆଖିକୁ ନୁହେଁ କେବଳ ମନକୁ ଦିଶେ।
ଦିନେ ମୋ ଅଫିସକୁ ଏକ ପ୍ରୋଜେକ୍ଟ ଆସିଲା। ସହରର ଉପକଣ୍ଠରେ ଏକ ପୁରୁଣା ସରକାରୀ 'ହଲ୍'କୁ ପୁନରୁଦ୍ଧାର କରି ଏକ ଆର୍ଟ ଗ୍ୟାଲେରୀ କରାଯିବ। ସବୁ ମୋ ତତ୍ତ୍ୱାବଧାନରେ ହେବ। ଚିତ୍ରକରଙ୍କୁ ସେମାନଙ୍କ ସର୍ବୋତ୍କୃଷ୍ଟ ଚିତ୍ର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଡକା ଯାଇଥିଲା। ମୁଁ ସେଠାକୁ ଗଲି। ସେଠାରେ ଅନେକ ଚିତ୍ରକର ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହଠାତ୍ ମୋର ନଜର ପଡ଼ିଲା ଗ୍ୟାଲେରୀ କୋଣରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ। ସେ ଧଳା ରଙ୍ଗର ଏକ କ୍ୟାନ୍ଭାସ୍ ଉପରେ କେବଳ ଧଳା ରଙ୍ଗରେ କଣ ଆଙ୍କୁଥିଲା।
ଆଶ୍ଚର୍ଯ୍ୟ ହୋଇ ମୁଁ ତାଙ୍କ ପାଖକୁ ଗଲି। ତାଙ୍କ ମୁହଁ ଦେଖି ମୋ ପାଦ ଅଟକି ଗଲା। ସେହି ନାକ, ସେହି ଓଠ... କେବଳ ଆଖିରେ ଉଦାସ ଭର୍ତ୍ତି ଆଉ ମୁହଁରେ ପରିପକ୍ୱତା। ଏ ତ ଜଲି !
ଜଲି !! ତୁ
ସେ ବୁଲି ଚାହିଁଲା। ତା' ଆଖିରେ ପ୍ରଥମେ ଚିହ୍ନି ନପାରିବାର ଭାବ ଥିଲା, କିନ୍ତୁ କିଛି ମୁହୂର୍ତ୍ତ ପରେ ତା' ଓଠରେ ସେଇ ଅଭିମାନୀ ଲାଜୁଆ ହସ ଖେଳିଗଲା।
"ନାନୁ! ତୁ ଏଠି? କଣ ବାବୁ ଏତେ ବଡ଼ ସାହେବ ହେଇଗଲୁଣି?"
ନିରବରେ ଆମେ ଦୁହେଁ କିଛି ସମୟ ପାଇଁ ପିଲାଦିନକୁ ଫେରିଗଲୁ।
ଗ୍ୟାଲେରୀ ବନ୍ଦ ହେବା ପରେ ଆମେ ପାଖରେ ଥିବା ଏକ ପାର୍କରେ ଯାଇ ବସିଲୁ। ମୁଁ ତାକୁ ପଚାରିଲି, "ତୁ କେମିତି ଅଛୁ? କେଉଁଠି ଥିଲୁ ଏତେ ଦିନ? ଆଉ ସେଇଟା କି ପ୍ରକାର ଚିତ୍ର ଥିଲା? ଧଳା ଉପରେ ଦୁଇଟି ଧଳା ରଙ୍ଗର ଚିତ୍ର !
ସେ ଟିକେ ହସିଲା। "ଏଇଟା ହିଁ ତ ସତ୍ୟ ନାନୁ। ଏଠି ସବୁ ରଙ୍ଗର ଉତ୍ସ ତ ଧଳା। ଜୀବନରେ ଯାହା ସବୁଠାରୁ ନିଛକ ସତ୍ୟ, ତାହା ସାଧାରଣ ଆଖିକୁ ଦିଶେନା। ସେଦିନ ବି ତୁ କହୁଥିଲୁ ତୋତେ ଫୁଲ କିଛି ଦିଶୁ ନଥିଲା। ଆଜି ବି କହୁଛୁ କିଛି ଦିଶୁନି ?
ହେଉ ଛାଡ଼ ସେ ଚିତ୍ର ଫିତ୍ର କଥା। ତୋ କଥା କହ। ତୁ ଏଯାଏ ମ୍ୟାରେଜ କରିନୁ ଜଲି !
ମ୍ୟାରେଜ ! ତୁ କରିଛୁ କି ନାନୁ ?
ନା ଜଲି ମୋର ଜଣକୁ ଅପେକ୍ଷା ଥିଲା ।
ସେ ନିରବ ରହିଲା।
କାହାକୁ ପଚାରିବୁ ନାହିଁ ?
ସେ ଆହୁରି ନିରବ ହୋଇଗଲା।
ସନ୍ଧ୍ୟା ଯାଇ ରାତିର ବୟସ ବଢ଼ୁଥିଲା। ସେ ନୀରବତା ଭାଙ୍ଗି କହିଲା, "ନାନୁ, ସେଦିନ ତୁ କହୁଥିଲୁ ପରା ହାତ ହଲେଇଲେ ଖସି ପଡ଼ନ୍ତା ମୁଁ ଦେଇଥିବା ଫୁଲ ! କାଇଁ ପଡୁନି ତ! ସେଇଟା ସତ ଥିଲା। ମୁଁ ଦେବା ଫୁଲଟିକୁ ଧରିବା,ତା ବାସ୍ନାରେ ବିମୋହିତ ହେବା ପାଇଁ ତୁ ସମର୍ଥ ନୋହୁଁରେ । ଏଣୁ ତୋର ମୋର ଯୋଡି ସଫଳତା ଅପେକ୍ଷା ବିଫଳତା ସ୍ୱାଦ ଅଧିକ ଦେଵ। ଛାଡ଼ ସେସବୁ ।କିନ୍ତୁ ସାଧାରଣ କଥାଟିଏ କେବେ ତୋ ମନକୁ ଆସିନି ?
ମୁଁ ସେଦିନ କାହିଁକି ଯାଇଥିଲି, କୁଆଡେ ଯାଇଥିଲି ତୁ ଜାଣିଛୁ ନାନୁ ?
ନା। ତୁ କହି ନଥିଲୁ ,ମୁଁ କେମିତି ଜାଣିଥାନ୍ତି ?
ନାନୁ, ମୁଁ ଏକ ମାନସିକ ରୋଗୀ। ମୋର ଏମିତି ଏକ ମାନସିକ ଅବସ୍ଥା ଅଛି ଯେଉଁଥିରେ ମୁଁ ବାସ୍ତବତା ଆଉ କଳ୍ପନା ଭିତରେ ପାର୍ଥକ୍ୟ ବୁଝିପାରେନା। ସେଦିନ ମୁଁ ଯେଉଁ ଫୁଲଟି ତୋତେ ଦେଇଥିଲି, ସେଇଟା ମୋ କଳ୍ପନାରେ ଏତେ ଜୀବନ୍ତ ଥିଲା ଯେ ମୁଁ ଭାବିଥିଲି ତୁ ତାକୁ ଦେଖିପାରୁଛୁ। କିନ୍ତୁ ଯେତେବେଳେ ତୁ କହିଲୁ ତୋତେ ଦିଶୁନି, ସେତେବେଳେ ମୋ ସ୍ୱପ୍ନ ଭାଙ୍ଗିଗଲା। ମୁଁ ପରେ ଜାଣିବାକୁ ପାଇଲି ଯେ ମୁଁ ଜଣେ ସାଧାରଣ ଝିଅ ନୁହେଁ। ବାପାମାଆ ପିଲାଦିନୁ ମୋତେ ଚିକିତ୍ସା କରାଉଛନ୍ତି। ପ୍ରତି ଛଅ ମାସରେ ଥରେ ମୋର ଚିକିତ୍ସା ହୁଏ।ସେହି ଚିକିତ୍ସା ପାଇଁ ମୋତେ ସେ ଦୂର ଏକ ସହରକୁ ନେଇ ଯାଇଥିଲେ। ତୋ ସହ ମୋ ସମ୍ପର୍କକୁ ସେମାନେ ବୁଝି ପାରିଥିଲେ,ଯାହା କେବେ ସତ ହେବନି। ଏଣୁ ତୋଠାରୁ ଦୁରେଇ ରଖିବା ପାଇଁ ମୋ ବାପା ମୋତେ ନେଇ ବହୁ ଦୂରରେ ରହିଲେ।
ଅର୍ଥାତ୍ ତୁ ଜଣେ ମେଣ୍ଟାଲ ପେସେଣ୍ଟ !
ହଁ ଅଦ୍ଭୁତ ପେସେଣ୍ଟ।
ସେ ପୁଣି କହିଲା, ମୁଁ ଏବେ ବି ସେଇ ଚିତ୍ର ଆଙ୍କୁଛି ଯାହା କେବଳ ମୋତେ ଦିଶେ। ଲୋକଙ୍କୁ ଧଳା କ୍ୟାନ୍ଭାସ୍ ଦିଶେ, କିନ୍ତୁ ମୋତେ ସେଥିରେ ତୁ ଦିଶୁ, ଆମ୍ବ ଗଛ ଦିଶେ,ଆମ କ୍ଵାଟର ଦିଶେ ପୁଣି ଦିଶେ ସେହି ଅଦୃଶ୍ୟ ପ୍ରେମର ଫୁଲ ।
ସେ ଏଥର ଉଠି ଛିଡ଼ା ହେଲା। ମୋ ପାଖକୁ ଆସି କହିଲା,ଗୋଟେ ପାଗେଳି ସହ ସଂସାର କରି ଜୀବନ ନଷ୍ଟ କରିବୁ ? ଦେଖିନେ ତୋ ପାଇଁ ଗୋଟେ ସୁନ୍ଦର ଜୀବନ ସାଥୀ। ତା' ଆଖିରେ ଲୁହ ଥିଲା, କିନ୍ତୁ ଓଠରେ ହସ।
ସେ ବୁଲି ପଡ଼ି ଚାଲିଗଲା। ମୁଁ ତାକୁ ଡାକିବାକୁ ଚାହୁଁଥିଲି, କିନ୍ତୁ ମୋ ପାଟିରୁ ଶବ୍ଦ ବାହାରିଲା ନାହିଁ। ମୁଁ ଅନୁଭବ କଲି, ଜଲି ତାର ସେହି ଅଦୃଶ୍ୟ ଫୁଲକୁ ମୋ ଆତ୍ମାରେ ସବୁଦିନ ପାଇଁ ରୋପଣ କରିଦେଇଛି।
ଫେରିବା ବାଟରେ ନିଜ ଗାଲକୁ ଆଉଁସିଲି। ମୋତେ ଲାଗିଲା ସତେ ଯେମିତି ଜଲିର ସେଦିନର ଚୁମାର ସ୍ପର୍ଶ ଏବେ ବି ସତେଜ ଅଛି।
Satyabati swain

