STORYMIRROR

Satyabati Swain

Inspirational

5  

Satyabati Swain

Inspirational

ପରିଚୟ

ପରିଚୟ

5 mins
0


ସେ ବର୍ଷ ମୁଁ ରେଭେନ୍ସାରେ ପ୍ଲସ୍‌ ଟୁ ପଢୁଥାଏ।

ସେଇ ବର୍ଷ ସ୍କୁଲ ଛାଡି କଲେଜ ମାଟି ମାଡ଼ିଥାଏ। ଦଶହରା ଛୁଟି ହେଲା। ଛୁଟିରେ କଲିକତା ଯିବା ପାଇଁ ବାପା ଡାକିଲେ। ବାପା କଲିକତାରେ ଚାକିରି କରନ୍ତି। ଗଙ୍ଗା ଧାର ଉପର ଦୁଇ ମହଲାରେ ତାଙ୍କ କ୍ୱାଟର। ଏ ପର୍ଯ୍ୟନ୍ତ ମୁଁ ନା କଲିକତା ନା ଗଙ୍ଗା ଦେଖିଥାଏ। ମନରେ ଅସୁମାରୀ କୌତୁହଳ ଦେଖିବି ପବିତ୍ର ଗଙ୍ଗାଙ୍କୁ ଯାହାର ଟୋପେ ପାଣି ଅପଵିତ୍ରକୁ ପବିତ୍ର କରି ଦେଇଥାଏ। ମୋ ଜୀବନରେ ଘରୁ ଗୋଡ଼ କାଢି ଏକା କୁଆଡେ ଯାଇନଥିଲି ସେଯାଏ। ବାପା ବୁଝାଇ ଦେଲେ କେମିତି ଟିକେଟ କରିବି, କେତେବେଳେ ରେଳଷ୍ଟେସନ ଆସିବି। ରାତି ଦଶଟାରେ ଟ୍ରେନ୍ କଟକ ଛାଡ଼ିବ। ଭୋର ପାଞ୍ଚଟାରେ ହାୱାଡ଼ାରେ ଲାଗିବ। ସେଠୁ ମୋ 'ରବି ଭାଇ' ଆସି ନେଇଯିବେ ମୋତେ। ରବି ଭାଇକୁ ମୁଁ 'ର ଭାଇ' ଡାକେ।

ଯିବା ପାଇଁ ସିନା ହଁ, ଏକା ଯାଇ ପାରିବି ବୋଲି କହିଦେଲି; ହେଲେ ଭାରି ଭୟ ହେଉଥାଏ। ଦିନ କଥା ଅଲଗା, ରାତିଟାରେ ଏକା ପୁଣି ଟ୍ରେନ୍‌ରେ କଲିକତା... ଭାବିଲା ବେଳକୁ ଭାରି ଭୟ ଲାଗିଲା। ଟିକେଟ୍‌ ତ ସରିଛି, ଯିବାକୁ ପଡ଼ିବ। ହସିବା କଥା, ରେଭେନ୍ସାରେ ପଢ଼ିଲେ ବି ମୁଁ ଷ୍ଟେସନରୋଡ୍ କୁଆଡେ ଜାଣି ନଥାଏ। ହଷ୍ଟେଲରୁ ରାତି ସାତଟାରେ ଶିବ ଭାଇ (ଆମ ହଷ୍ଟେଲ୍ ଇଲେକ୍ଟ୍ରିସିଆନ୍‌) ମୋତେ ନେଇ ଷ୍ଟେସନରେ ଛାଡ଼ି ଦେଇ ଆସିଲେ। ଟିକେଟ ପୂର୍ବରୁ ମୋର ଜଣେ ବନ୍ଧୁ କରି ଦେଇଥାଏ।  କାଉଣ୍ଟରରେ ଟିକେଟ୍ ଦେଖାଇଲି। ସେମାନେ ଟ୍ରେନ୍ ଆସି ଆଠଟାରେ ସାତ ନମ୍ବର ଲନ୍‌ରେ ଲାଗିବ ଓ ପାଞ୍ଚ ନମ୍ବର ବଗିରେ ମୋ ସିଟ୍ ରିଜର୍ଭ ହୋଇଛି ବୋଲି କହିଲେ। ଟ୍ରେନ୍ କିନ୍ତୁ ସାତ ନମ୍ବର ଲନ୍‌ରେ ନ ଲାଗି ତିନି ନମ୍ବରରେ ଲାଗିଲା। ଲୋକେ ଏ ପଟରୁ ସେ ପଟକୁ ଉପରେ ହୋଇଥିବା ପୋଲ ପରି ରାସ୍ତାରେ ମଡ଼ାଚକଟା ହୋଇ ଗଲେ। ମୁଁ ବି ତାଙ୍କ ସହ ଗଲି। ଭୟ କିନ୍ତୁ ମୋ ଭିତରେ ଡରାଉଥାଏ ରହି ରହି।

ଟ୍ରେନ୍ ଠିଆ ନ ହେଉଣୁ ଲୋକେ ଖପ୍‌ଖାପ୍ ଚଢ଼ିଗଲେ ପେଲାପେଲି ହୋଇ। ମୁଁ କଣ କରିବି? ଶେଷରେ ଖୋଜିଖୋଜି ମୁଁ ପାଞ୍ଚ ନମ୍ବର ବଗି ପାଇଲି ଓ ସେଥିରେ ଚଢ଼ିଗଲି। ପୂରା ଫାଙ୍କା ବଗିଟି। ଗୋଟେ ଝରକା ପଟିଆ ସିଟ୍ ଦେଖି ବସିଲି। ଭାବିଲି, ଲୋକମାନେ ଜଣକ ପରେ ଜଣେ ଆସିବେ। କିଛି ସମୟ ବିତିଗଲା। ସେ ବଗି ଭିତରକୁ ଜଣକ ପରେ ଜଣେ ବିରାଟକାୟ, ଗାଢ଼ ସବୁଜ ରଙ୍ଗର ଡ୍ରେସ୍ ପିନ୍ଧିଥିବା, ଦାଢ଼ିରେ କଳା ରଙ୍ଗର ଜାଲି ଲଗାଇଥିବା, ମୁଣ୍ଡରେ ପଗଡ଼ି ବାନ୍ଧିଥିବା ଓ ହାତରେ କଡ଼ା ପିନ୍ଧିଥିବା ବିଶାଳକାୟ କଳା ଭୁଷୁଣ୍ଡା ଲୋକଟିଏ ଆଗ ଏବଂ ତା ପରେ ଦଳେ ସେମିତିଆ ଲୋକେ ଆସିଲେ। ବୋଧେ ସୈନ୍ୟ ବିଭାଗର ଲୋକେ, ଡ୍ରେସ ଓ ଛାତିରେ ଲାଗିଥିବା  ବ୍ୟାଜରୁ ଜଣା ପଡୁଥାଏ। ପ୍ରଥମେ ଆସିଥିବା କଳା ମଚ ମଚ ଲୋକଟି ମୋତେ ଖାଲି ଖାଇଗଲା ପରି ଅନାଉଁ ଥାଏ। ଏସବୁ ଦେଖି ମୋ ପିଳେହିଁ ପାଣି! ଏକରେ ଏଡ଼େ ବଡ଼ ବଡ଼ ନିଶୁଆ ଲୋକ ଗୁଡ଼ା, ସେଥିରେ ପୁଣି ଦାଢ଼ି ! ଆରେ ବାବା, ମୋ ଭୟ ଶହେ ଗୁଣ ହୋଇଗଲା। ମୁଁ ଭୟରେ ଥରିବାକୁ ଲାଗିଲି ମନ ଭିତରେ। ବାହାରେ କିନ୍ତୁ ଦେଖାଇ ହେଲି 'ସୋ ସ୍ମାର୍ଟ'।

ସବୁଠାରୁ ବେଶୀ ଭୟ ଲାଗିଲା  ସେ ବଗିରେ ଆଦୌ ଝିଅ କି ମହିଳା ନଥିଲେ। ଏକମାତ୍ର ପନ୍ଦର-ଷୋହଳ ବର୍ଷର ଝିଅଟିଏ ମୁଁ। ବାଳିକା ଧର୍ଷଣ, ଅତ୍ୟାଚାର, ଲୋମହର୍ଷଣକାରୀ କଥା ମୁଣ୍ଡରେ ଫିଡ୍‌ ହୋଇଥିଲା ସେତେବେଳେ। ମୋତେ କାଇଁ ଭାରି ଛାନିଆଁ ଲାଗିଲା। ଟ୍ରେନ୍ ଛାଡି ଦେଇଥିଲା ସେତେବେଳେକୁ, ଓହ୍ଲାଇ ଫେରି ଯାଇ ପାରିବି ନାହିଁ। କଣ କରିବି!! ଝିଅମାନଙ୍କ ସହ ଘଟୁଥିବା ଅଘଟଣ ଦିଶିଯାଉଥାଏ ମୋତେ। ହେ ଭଗବାନ! ରକ୍ଷା କର ବୋଲି ମନେ ମନେ ଗୁହାରୀ କରୁଥାଏ। କେବଳ ଝରକା ବାହାରକୁ ଅନାଉଁଥାଏ। ବାହାରେ ରାତିର ଅନ୍ଧାର, ସେ ବି ଭୟ; ଭିତରେ ବଡ଼ ବଡ଼ ଲୋକଗୁଡ଼ାଙ୍କର ଭୟ। କଣ କରିବି? ବାହାରକୁ ଅନାଇଲେ ଅନ୍ଧାରର ଭୟ, ଭିତରକୁ ଅନାଇଲେ ସେ ଅଚିହ୍ନା ଲୋକଗୁଡ଼ାଙ୍କର ଭୟ।

ରାତି ବଢ଼ୁଥାଏ, ତା’ ସହିତ ମୋ ମନର ଭୟ ବି। ସେମାନେ ଯଦି ମୋତେ ଆଟାକ୍ କରନ୍ତି, ମୁଁ କଣ କରିବି  ସେ ଯୋଜନା ପ୍ରସ୍ତୁତ କରୁଥାଏ। ଖାଲି ଗୁଣୀ ହେଉଥାଏ। ହେ ଠାକୁରେ! ଏ ଲୋକମାନଙ୍କ କବଳରୁ ମୋତେ ବଞ୍ଚାଅ। ଆଉ କେବେ ଏକୁଟିଆ କୁଆଡ଼େ ଯିବିନାହିଁ, ପକ୍କା ପ୍ରମିଜ୍! ଏଇଥରକ କ୍ଷମା କରିଦିଅ, ଆଉ ଜୀବନରେ ଏ ଭୁଲ୍ କରିବି ନାହିଁ। ମୋ ଆଖି ଆଗରେ ସେ ଲୋକମାନେ ଆସ୍ତେ ଆସ୍ତେ ମଣିଷରୁ ବାଘ ପରି ଦିଶିଲେ। ହେ ପ୍ରଭୁ, ବଞ୍ଚାଅ ମୋତେ ।

ରାତି ବାରଟା ହେବ। ସେମାନେ ସମସ୍ତେ ଶୋଇ ପଡ଼ିଲେ, ଜଣକୁ ଛାଡ଼ି। ଲୋକଗୁଡ଼ାକ ସବୁ ପଞ୍ଜାବୀ ଲାଗୁଥାନ୍ତି। ତାଙ୍କ ଭାଷା ବି ମୁଁ ଅଳ୍ପ ଅଳ୍ପ ବୁଝି ପାରୁଥାଏ। ଚାହିଁଥିବା ଲୋକଟି ମୋତେ ପଚାରିଲା ,ଓଏ ବେଟି! ତୁମାରି ନାମ୍ କ୍ୟା ହେ? କାହାଁ ଯାଏଗି?

ଆରେ, ସମସ୍ତେ ଶୋଇଲେ, ଏ କାଳିଆ ଅସନା ଲୋକଟା ମୋତେ ମୋ ନାଁ ଗାଁ ପଚାରିଲାଣି? ବୋଧେ ବଦମାସ୍  ଅଛି। ମୋତେ ଆହୁରି ଡର ଲାଗିଲା।

ସେ ପୁଣି ପଚାରିଲା, ବୋଲେ ବେଟି! ତୁମାରି ନାମ୍ କ୍ୟା ହେ? କାହାଁସେ ଆୟି, କାହାଁ ଯାଏଗି?

ବାରମ୍ବାର ଗୋଟିଏ କଥା ଲୋକଟି ପଚାରିବାରୁ ମୁଁ କହିଲି, ମେରି ନାମ ମିଷ୍ଟ୍ରି ହେ। ମେଁ କୋଲକାତା ଯା ରହା ହୁଁ, ମେରି ପାପା କା ପାସ୍।

କ୍ୟୁ?ସେ ପୁଣି ପଚାରିଲା।

ଦଶହରା ଛୁଟି ମନାନେ କେ ଲିୟେ ଜୀ।

କୋଲକାତା ମେଁ ଦଶହେରା ଫେମସ୍ ହେ ନା ବେଟି?

ଜୀ ଜୀ। ମୁଁ କହିଲି।

ସେ ରୋଟି ଓ ଖଟା ବାହାର କଲା ଏବଂ ଖାଇବାକୁ ଆରମ୍ଭ କରିବା ପୂର୍ବରୁ ମୋତେ କହିଲା, ବେଟି ଖାଏଗି କ୍ୟା? ଥୋଡ଼ାସା ଲେ ଲୋ ରୋଟି ଔର୍ ଆଚାର୍।

ନେହିଁ ଚାହିୟେ। ମୁଁ କହିଲି।

କ୍ୟା ହେ ବେଟି, ମେଁ ଖାଉଙ୍ଗା ଔର୍ ତୁମ ଭୂଖା ରହେଙ୍ଗି କ୍ୟା?ଏ ନେହିଁ ହୋ ସକ୍‌ତା। ଲେ ଲୋ ଥୋଡ଼ାସା। ଲେ ଲୋ ନା ବେଟି।

ନେହିଁ, ମେଁ ଖା ଚୁକା ହୁଁ। ମୁଝେ ବାଧ୍ୟ ମତ୍ କିଜିଏ, ପ୍ଲିଜ୍‌।

ଏହା ପରେ ମୋ ମନର ଅବସ୍ଥା ବର୍ଣ୍ଣନା କରିବା ମୁସ୍କିଲ୍। ମୋ ନାଁ ପଚାରୁଛି, କେଉଁଠୁ ଆସିଛି, କୁଆଡ଼େ ଯାଉଛି, କାହିଁକି ଯାଉଛି  ? ମୋତେ ଖାଦ୍ୟ ଯାଚିଲାଣି, ଏହା ପରେ ହୁଏତ.... ଓଃ! ଆଉ ଭାବି ପାରିଲି ନାହିଁ। କଣ ହେବ ଲୋ ମିଷ୍ଟ୍ରି ତୋର ଏଥର?  ନିଜକୁ ନିଜେ କହିହେଲି। ହୁଏତ କାଲି ସବୁ ନ୍ୟୁଜ୍ ପେପର୍ ଶିରୋନାମାରେ ମୋ ନାମ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବ, "ଟ୍ରେନ୍‌ରେ ଜଣେ ବାଳିକାର ଚେନ୍, ମୁଦି ଲୋଭରେ କେହି ଜଣେ ଦୁର୍ବୁତ୍ତ ବାଳିକାଟିକୁ ମାରି ରେଳ ଧାରଣା କଡ଼କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଛି। ଏ କଥା ଭାବି  ଭୟରେ ଥରିବାକୁ ଲାଗିଲି। କିମ୍ବା ଏମିତି ଲେଖା ହୋଇପାରେ ,ଜଣେ ଅଚିହ୍ନା ବାଳିକାକୁ କେହି ଦୁର୍ବୁତ୍ତ ଧର୍ଷଣ ପରେ ହତ୍ୟା କରି ରେଳ ଧାରଣା କଡ଼କୁ ଫିଙ୍ଗି ଦେଇଛି। ଏପରି କେତେ ଆଜେବାଜେ କଥା ମୁଣ୍ଡକୁ ଢୁକୁଥାଏ।

ଅତି ଭୟ ହେତୁ ଆଖି ବୁଜି ଦେଲି। ଯାହା ହେବ ଦେଖାଯିବ, ମଲେ ପଛେ ମରିବି, ମୋ ହାତରେ ତ କିଛି ନାହିଁ। ଦ୍ରୌପଦୀଙ୍କ ପରି ଉପରକୁ ହାତ ଟେକି ଦେଲି। କେତେବେଳେ ମୋତେ ନିଦ ହୋଇଯାଇଛି!

ଆଖି ଖୋଲିଲା ବେଳକୁ ଭୋର ସାଢ଼େ ଚାରି। ମୋ ଦେହରେ ସେ ଲୋକର ଚଦର! ଲୋକଟି ଘୁଙ୍ଗୁଡ଼ି ମାରୁଥାଏ  ଘୋଡ଼ି ନ ହୋଇ; କାରଣ ସେତେବେଳେକୁ ପ୍ରବଳ ଶୀତ ପଡ଼ିଯାଇଥିଲା। ମୁଦିଲା ଆଖିରେ ସେ ଲୋକର ମୁହଁକୁ ଟିକିଏ ଅନେଇଲି। ଭାରି ନିଜର ନିଜର ଲାଗିଲା। ଧୀରେ ଚଦରଟି ମୋ ଦେହରୁ ଖୋଲି ତା’ ଦେହରେ ଘୋଡ଼େଇ ଦେଲି।

ନିଜକୁ ବହେ ଗାଳି କଲି ।ଭଲ ଲୋକଟି, ମୁଁ କଣ କଣ ଭାବୁଥିଲି ୟା ବିଷୟରେ! ନିଜେ ଶୀତରେ ଥରି ମୋତେ ଘୋଡ଼ାଇ ଦେଇଛି! ଖାଇବା ବି ଯାଚୁଥିଲା।

ହାତ ଯୋଡ଼ି ପ୍ରଭୁଙ୍କୁ କ୍ଷମା ମାଗିଲି। ଦୁନିଆରେ ସବୁ ଲୋକ ଖରାପ ନୁହନ୍ତି ଏ ଧାରଣାଟି ମୋର ସେଇଠାରୁ ହେଲା।

ପାଞ୍ଚଟା ବାଜି ଯାଇଥିଲା। ମୋ ରବି ଭାଇ ତିନି ନମ୍ବର ଲନ୍‌ରେ। ବାହାରେ ଠିଆ ହୋଇ ରବି ଭାଇ  ଝରକାରେ ପାଖରେ ମୋତେ ଦେଖି ହାତ ହଲାଉଥାନ୍ତି। ମୋ ଖୁସି ଗଗନ ଛୁଇଁଲାଣି ଭାଇଙ୍କୁ ଦେଖି। ବଗିରୁ ଆସିଲା ବେଳକୁ ମନ କହିଲା, ସେ ଲୋକକୁ 'ବାଏ' କହି ଆସିବାକୁ।

ମୁଁ ତାଙ୍କ ପାଖକୁ ଗଲି। ସେତେବେଳକୁ ସେ ଲୋକଟି ଉଠି ଯାଇଥାଆନ୍ତି। ତାଙ୍କ ପାଖକୁ ଯାଇ କହିଲି— "ମେଁ ଯା ରହାହୁଁ, ମେରି ଭୈୟାଜୀ ଆଗେୟା। ଶୁକ୍ରିୟା ଅଙ୍କଲ୍! ବାଏ

ସେ କହିଲେ— "ବାଏ ବେଟି! ଫିର୍ ଜରୁର୍ ମିଲେଙ୍ଗେ।

ହାଁ ଜୀ ଅଙ୍କଲ୍, ଜରୁର୍।

ଚେହେରା କି ବେଶ ପୋଷାକ ଜଣେ ମଣିଷର ଆଦୌ 'ପରିଚୟ' ନୁହେଁ ସେଦିନ ସେ ଅଙ୍କଲଙ୍କୁ ଦେଖି ବୁଝି ଗଲି।

ମୋ ଭାଇକୁ ଡାକି ଚୁପ୍ ଚୁପ୍ ସେ କଣ କହି ଲୁହ ପୋଛି ଚାଲିଗଲେ ଥରେ ପଛକୁ ମୋତେ ଚାହିଁ।

ସେ ଅଙ୍କଲଙ୍କୁ ତୁମେ କଡା କଥା କହିଲ କି ଭାଇ ? ସେ କାନ୍ଦୁଥିଲେ କାହିଁକି ? ସେ ଖୁବ୍ ଭଲ ମଣିଷ।

ରଭାଇ କହିଲେ, ତାଙ୍କର ତୋ ପରି ଗୋଟେ ଝିଅ ଥିଲା। ବର୍ଷେ ହେଲା କ୍ୟାନ୍ସରରେ ମରି ଯାଇଛି। ତୁ କାଳେ ଅବିକଳ ତାଙ୍କ ଝିଅ ପରି ଲାଗୁଛୁ।

ଓଃ ! ଗଡ଼୍

Satyabati swain



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational