ସ୍ୱପ୍ନ
ସ୍ୱପ୍ନ
ସ୍ୱପ୍ନ
ପ୍ରବଳ ଶୀତରେ ଥରୁଥିଲା ରାତି।
ବହଳ ଅନ୍ଧାର ଶେଯରେ ଜାଡ ମାଡ଼ରେ କୁଙ୍କୁରି କାଙ୍କୁରି ହେଉଥିଲି ମୁଁ। ଦୁଇଦିନ ହେବ ଗାଁ ରେ ବିଜୁଳି ବତୀ ନାହିଁ। କଣ ଗୋଟେ ପୋଡି ଯାଇଛି। ସେଇଟା ନ ବସିଲା ଯାଏ ଲାଇନ ଆସିବ ନାହିଁ। କେତେ ଦିନ ଲାଗିବ ଲାଇନ ଆସିବ ଜଣା ନାହିଁ।
ଶୀତ କିନ୍ତୁ ଦିନୁଦିନ ହୁ ହୁ ହୋଇ ବଢ଼ୁଛି। ଘରେ ଗୋଟିଏ ବୋଲି ପୁରୁଣା କମ୍ବଳ। ଦୁଇ ପିଲା ସହ ରମା କମ୍ବଳଟିକୁ ଘୋଡ଼ି ହେବା ପାଇଁ ଟଣା ଟଣି ହୁଅନ୍ତି। ଫାଳେ ଦିହରେ ରହିଲେ ଆର ପାଖ ମେଲା। ରମା ସବୁବେଳେ ଲଗାଇଛି, ବଡ଼ କମ୍ବଳଟିଏ କିଣିବା ପାଇଁ।
ବଡ଼ କମ୍ବଳଟିଏ କିଣିବା ପାଇଁ ସେମିତି ଟଙ୍କା ଦରକାର। ଆସିବ କେଉଁଠୁ ?ବିହି ତ ଦାଉ ସାଜି ସାତ ମାସ ହେଲାଣି ଘରେ ପକାଇଛି। ଆମ ବସ୍ ବାଡେଇ ଦେଲା ଫେରିବା ରାସ୍ତାରେ ତ ଦୁଇ ଗୋଡ଼ ଅଚଳ। ପେଟକୁ ଦୁଇ ବେଳା ଖାଇବାକୁ ମିଳୁନି ତ କମ୍ବଳ କଥା କିଏ ପଚାରେ ! ଚିରା ଫଟା ଘୋଡ଼ି ହୋଇ ହୁଏତ ଶୀତ ଦାଉ ସହି ହେବ କିନ୍ତୁ ଖାଦ୍ୟ ବିନା ପେଟ ଦାଉ ଯେ ସହିବା କଷ୍ଟ।
ରମା ଛୁଆ ଦୁଇଟିଙ୍କୁ କୋଳରେ ପୁରେଇ ଚିରା କମ୍ବଳଟି ଘୋଡ଼ି ହୋଇ ନିଦ ମାଉସୀ କୋଳରେ। ଅତ୍ୟଧିକ ଶୀତ ହେତୁ ମୁଁ ଶୋଇ ପାରୁନି।
ଶୀତ ସହି ହେଉନି ଲୋ ରମା। ଗଲୁ ସେ ଗୋଡ଼ ପୋଛା ଚିରା ଅଖାଟି ଆଣି ମୋ ଉପରେ ଘୋଡେଇ ଦେବୁ।
ରମା ଉଁ ଉଁ ହେଉଛୁ କିନ୍ତୁ ଉଠୁ ନାହିଁ। ଗୋଡ଼ ଦିଟା ଅଚଳ। ଘୁଷୁରି ଘୁଷୁରି ଯାଇ ଅସନା ଅଖାଟିକୁ ଆଣି ଦେହରେ ପକେଇଲି। ଇହିଃ କି ଗନ୍ଧ ! ଛୁଆ ଝାଡା ମାଡି ଆସି ଅଖାରେ ପୋଛିଛନ୍ତି ବୋଧେ। ଉତ୍କଟ ଗନ୍ଧ।ପେଟରୁ ଭାତ ବାହାରି ଆସିବ। କଣ କରିବି ? ଅଖାଟି ଦେହରୁ କାଢି ଫିଙ୍ଗିଦେଲି ।
ରାତି ବଢିବା ସହ ଶୀତ ବଢୁଥାଏ। ପିନ୍ଧା ଲୁଙ୍ଗିଟିକୁ ବେକ ଯାଏ ଟାଣି ଆଣି ରମା ଦେହକୁ ଲାଗି ଶୋଇବାକୁ ଚେଷ୍ଟା କଲି। କିଛି ସମୟ ପରେ ନିଦ ଲାଗିଗଲା। ନିଦ ମାଉସୀ ଆଉଁସି ଦେଉ ଦେଉ ସ୍ୱପ୍ନ ଆସି ପହଁଞ୍ଚି ଗଲା। ସ୍ୱପ୍ନରେ ବାପାବୋଉ !
ହଡା ! ଧନ ମୋର କେତେ ଦୁଃଖ ପାଉଛୁ ?କୋଳ ଛୁଆ ଦିଟା କି ହିନସ୍ତା ହେଉଛନ୍ତି !
ବୋଉ ! ବାପା ! ତୁମେ ତ ସେମିତି ଭାଗ୍ୟ ଦେଇ ଜନ୍ମ କରିଛ। ମୁଁ କଣ କରିବି !ମୋତେ ତୁମ ପାଖକୁ ନେଇ ଯାଉନ !
ତୁ ଚାଲି ଆସିବୁ ! କି ସ୍ୱାର୍ଥପର କଥା କହୁଛୁ ! ରମାର କଣ ହେବ ତୋ ବିନା ! ଜନ୍ମ ସିନା ଆମେ ଦେଇଛୁ ଭାଗ୍ୟ କଣ ଦେଇଛୁ ? ତୋ କର୍ମ ହିଁ ତୋତେ ସୁଖ ଜୀବନ ଦେଇ ପାରିଥାନ୍ତା। ତୁ କାହିଁକି ନିଶାକୁ ଆପଣେଇଲୁ ! ନିଶାରେ ଥିଲୁ ବୋଲି ସିନା ଠିକ୍ ବାଟରେ ଗଲୁ ନାହିଁ ବୋଲି ବସ୍ ପିଟିଲା ।
ବୋଉ ଏବେ ମୋ ଭୁଲ୍ ମୁଁ ବୁଝି ପାରିଛି। କିନ୍ତୁ ଅଚଳ ଗୋଡ଼ ନେଇ କଣ କରି ପାରିବି। କାଠ ଗଣ୍ଡି ପରି ପଡିଛି ଯାହା। ଏବେ ରମାର କେଉଁ କାମକୁ ମୁଁ ଯେ ? ଓଲଟି ତା ଉପରେ ବୋଝ ହୋଇଛି।
ବୋଝ ହେଲେ ମଧ୍ୟ ତୁ ତା ସାହସ,ଶକ୍ତି ଏବଂ ସୁରକ୍ଷାରେ ହଡା। କେବେ ଆମ ପାଖକୁ ଆସିବା କଥା ମନକୁ ଆଣିବୁ ନାହିଁ। ପିଲା ଦିଟା ଅନାଥ ହୋଇଯିବେ।
ବୋଉ ବାଛି ବାଛି ମୋ ନାଁ ଦେଇଥିଲୁ ହଡା। ମୁଁ କଣ ହଡା ବଳଦ ଥିଲି ! ନାଁ କୁ ଖାପ ଖାଇ ଏବର ଜୀବନ। ଅସହାୟ ହଡା ବଳଦ ଯେମିତି କୌଣସି କାମକୁ ନୁହେଁ ମୁଁ ବି ସେମିତି। ବେଳେବେଳେ ଭାବେ ଜୀବନ ହାରିଦେବି। ମାତ୍ର
ଜୀବନର ମୋହ ଏପରି ଯେ ମରି ପାରୁନି।
ପୁଅରେ !ପିଲାଦିନେ ତୋତେ ଅଲକ୍ଷଣା ପୁଅ ରୋଗ ହୋଇଥିଲା ବୋଲି ହାଡ଼ ଦିଖଣ୍ଡ ତୋ ଦେହରେ ଥିଲା। ଆଖ ପାଖ ଲୋକେ ହଡା ଡାକୁ ଡାକୁ ସେଇ ନାଁ ରହି ଗଲା।
ତୋର ସିନା ଗୋଡ଼ ଅଚଳ। ହାତ ଓ ମୁଣ୍ଡ ତ କାମ କରୁଛି। ସେଇଆକୁ କେଉଁ କାମରେ ଲଗା। ଘରେ ବସିକି କିଛି କାମ କରିବା ଯୋଜନା କର। ଦେଖିନୁ ଦିବ୍ୟାଙ୍ଗମାନଙ୍କୁ ! କି ଅସମ୍ଭବ କାମ କରି ପାରୁଛନ୍ତି। ମନରେ ସାହସ ଓ ମୁଣ୍ଡରେ ବୁଦ୍ଧି ଥିଲେ ତୁ ବି ରୋଜଗାର କ୍ଷମ ହୋଇ ପାରିବୁ ପୁଅ।
କେମିତି ବୋଉ ! କିଛି ଗୋଟେ କରିବା ପାଇଁ ଟଙ୍କା ଦରକାର ନା ?
ବିନା ପୁଞ୍ଜିରେ ବି ତୁ ରୋଜଗାର କରିପାରିବୁ। ଏଥରକ ତୋତେ ଅକ୍ଷମତା ଯୋଗୁଁ ସରକାର ଯେଉଁ ଭତ୍ତା ଦେଉଛନ୍ତି ସେଥିରୁ କିଛି ଟଙ୍କା ଥରେ ଖର୍ଚ୍ଚ କରିଦେଖେ।
କେଇଟା ଟଙ୍କା ମୋ ଔଷଧକୁ ନିଅଣ୍ଟ ବୋଉ।
କହିଲି ପରା ଗୋଟିଏ ମାସ ଟଙ୍କା କଷ୍ଟେ ମଷ୍ଟେ ଚଳି ଖର୍ଚ୍ଚ କରିବୁ।
ଏତେ କମ୍ ଟଙ୍କା ଖର୍ଚ୍ଚ କରି କଣ କରି ପାରିବି ବୋଉ?
ପିଲାଦିନେ ତୁ ମାଟିରେ ଭଲ ମୂର୍ତ୍ତି ଗଢି ପାରୁଥିଲୁ। ରମାକୁ କହିବୁ ଆମ ପୋଖରୀ ହୁଡ଼ାରୁ ମାଟି ଆଣି ଦେଵ। ତୁ ହାତରେ ଚକଟି ବିଭିନ୍ନ ମୂର୍ତ୍ତି ଗଢିବୁ। ପ୍ରଥମେ ଅଳ୍ପ ଟଙ୍କାରେ ରଙ୍ଗ ତୁଳୀ ଆଣି ମୂର୍ତ୍ତି ବ୍ୟବସାୟ ଆରମ୍ଭ କର। ଦେଖିବୁ ତୋ ପଇସା କିଏ ଖାଇବ।
ସତେ ତ ମୁଁ ଏତେ କଥା ଭାବି ନଥିଲି। ୟୁରେକା ୟୁରେକା।
ହଲେଇ ଦେଇ ରମା କହିଲା,ହେ ସକାଳ ସାତ ହେଲାଣି ବିଲିବିଲେଉଛ ନା କଣ ? କଣ ୟୁରେକା ୟୁରେକା ହେଉଛ ?
ଯା କଣ କଲୁ ମୋ ବାପା ବୋଉ ସହ କଥା ହେଉଥିଲି ସବୁ ସାରିଦେଲୁ !
ତୁମ ମୁଣ୍ଡ ଖରାପ ହୋଇ ଯାଇଛି ନା କଣ ? ବାପା ବୋଉ ସଂଗେ କଥା ହେଉଥିଲ ?
ତୁ ଗଲୁ ପୋଖରୀ ହୁଡ଼ାରୁ ମାଟି ଦି ଟୋକେଇ ଆଣିବୁ। ହଁ ଆଜି କାମରୁ ଆସିଲା ବେଳକୁ ମାଟି ମୂର୍ତ୍ତିରେ ଦେବା ରଙ୍ଗ କିଛି ଆଣିବୁ।
ରମା କିଛି ବୁଝି ନ ପାରି ବଲ ବଲ କରି ହଡା ମୁହଁକୁ ଚାହିଁଥିଲା।
ଛଅ ସାତ ମାସ ପରେ ହଡା ଓରଫ ହର୍ଷିତ ଏବେ ଜଣେ ଦକ୍ଷ ମୂର୍ତ୍ତି ଗଢ଼ା କାରିଗର ବୋଲି ଚାରିଆଡେ ଚହଳ ପଡିଗଲା। ଏବେ ତା ହାତରେ ବରାଦ ଦିଆ କାମ ଆଉ କାମ । ଏବେ ଚଳିବାରେ କିଛି ଅସୁବିଧା ନାହିଁ ହଡା ର।
ଗୋଟିଏ ଶୀତ ରାତିର ସ୍ୱପ୍ନ ହର୍ଷିତ ଜୀବନ ଜୀଇଁବା ନକ୍ସା ବଦଳେଇ ଦେଲା।
ଆଜିକାଲି ରମା ରସିକିଆ କରି କୁହେ,ହାଡୁ ବାବୁ ତୁମ ଦେହରେ ଏତେ କଳା ଥିଲାଟି ? ଲୁଚେଇଥିଲ କାହିଁକି ?
ଆଲୋ ମୋର କଣ ମନେ ଥିଲା ? ବୋଉ ସେଦିନ ହାଡ଼ ଭଙ୍ଗା ଶୀତ ରାତିରେ ସପନରେ ଆସି କହିବାରୁ ସିନା ମୋ ଭାଗ୍ୟ ବଦଳିଗଲା। ନଲେ ତ ଅଭାବ ଭୋକରେ ମରି ସାରନ୍ତେଣି ।
ଉପରକୁ ହାତ ଯୋଡି ରମା କହିଲା ,ସବୁ ସେଇ କାଳିଆର ଇଚ୍ଛା ।
Satyabati swain
