ଜହ୍ନ ନା ଫହ୍ନ
ଜହ୍ନ ନା ଫହ୍ନ
ଜହ୍ନ ନା ଫହ୍ନ
ଜହ୍ନ ନା ଫହ୍ନ?
ବାଦଲ୍ ନା ଫାଦଲ୍?
ନାକ କାନ୍ଦୁରି ପାଣି ହଗୁରି ଆମ ଜହ୍ନ ଫୁଲେଇ!
ବାଦଲ ଦାଶ ସକାଳୁ ଉଠି ଖାଇବ ଗୋରୁ ମାଉଁସ।
ଦେଖିବୁ ଏଇଲେ ଓଲି କାବେଡ଼ି ଦେବି ଦିଟା ନାଦି।
ତୋତେ ଏକା ମାରିଆସେ। ମୋତେ ଆଉ ମାରି ଆସିବନି।
ଦେଖିବା ମାଇଲୁ କେତେ ଜୋର ଅଛି ତୋର ଫହ୍ନ!
ସେ ଜୋରରେ ମୁଠା ଉଠାଇ ଏମିତି ଆଣିବ ଯେପରି ମୋ ନାକ ଫଟେଇ ଦେବ। ମାତ୍ର ମୋ ନାକ ଛୁଇଁ କହିବ ବେଷ୍ଟ୍ ଫ୍ରେଣ୍ଡକୁ କେହି ମାରନ୍ତି!
ବେଷ୍ଟ୍ ନା ତୁ ସବୁଠାରୁ ମୋର ଓଷ୍ଟ୍ ଫ୍ରେଣ୍ଡ୍।
ଠିକ୍ ଅଛି ବାଦଲ ଦାଶ ମୁଁ ଯାଉଛି। କିନ୍ତୁ କହି ରଖେ ମୋ ଗଲା ପରେ ମୋତେ ଖୁବ୍ ମନେ ପକେଇବୁ।
ହେଉ ଯା ଯା! ମୋର ଗରଜ ନଥିଲା ତୋ ଭଳି ଓଲି କାବେଡ଼ିକୁ ମନେ ପକେଇବି।
ଠିକ୍ ଅଛି ଯିବି ତ?
ଯିବି ଯିବି କ'ଣ ହେଉଛୁ ଯାଉନୁ!
ସତରେ ସେ ଚାଲିଗଲା। ତା' ବାପାଙ୍କର ବଦଳି ହେଲା ଆଉ ସେ ମୋତେ ଛାଡ଼ି ସବୁଦିନ ପାଇଁ ଚାଲିଗଲା।
ଏ ଥିଲା ମୋ କୋମଳ କୈଶୋରର ଅୟୁତେ ଜିଜ୍ଞାସାର ବୟସ କଥା। ଏବେ ମୁଁ ଜଣେ ପୌଢ଼। ଜାଣେନି ସେ ଜହ୍ନ କି ଫହ୍ନ କେଉଁଠି ଅଛି। ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଯାଏ ସାଙ୍ଗ ହୋଇ ପଢ଼ିଛୁ। ତା'ପରେ ଜହ୍ନ ଚାଲିଗଲା।
ସେ ଗଲା ପରେ ସତକୁ ସତ ଭାରି ମନେ ପଡ଼ିଲା ସେ। ଖୁବ୍ ସାଧାସିଧା ଅତି ସରଳ ଝିଅଟିଏ। ଗୋଟିଏ ଚାଉଳରେ ଗଢ଼ା। କଥା କହିଲା ବେଳେ ସାମାନ୍ୟ ପାଟି ଲାଗେ। ଶୁଣିବାକୁ ତା' କଥା ବେଶ୍ ଆନନ୍ଦ ଦିଏ। ହଠାତ୍ କିଛି କଥା ସେ ବୁଝିପାରେନି ବୋଲି ମୁଁ ତାକୁ ଓଲି କାବେଡ଼ି ଜହ୍ନ ନା ଫହ୍ନ ବୋଲି ଡାକେ।
ଝୁରି ହେଲି ମନ ଭିତରେ ତାକୁ ଅନେକ ଦିନ। ତା'ପରେ ଆସ୍ତେ ଆସ୍ତେ ସେ ମୋ ସ୍ମୃତି ଫରୁଆରୁ ନିଶ୍ଚିହ୍ନ ହୋଇଗଲା। ଜହ୍ନ ବୋଲି ଗୋଟିଏ ଝିଅ ଯିଏ ଦିନେ ମୋର ପ୍ରିୟ ବାନ୍ଧବୀ ଥିଲା ଏକଥା ଆଉ ମନେ ପକାଇବା ପାଇଁ ମୋ ପାଖରେ ତର ନଥିଲା। କ୍ୟାରିଅର ପଛରେ ଧାଇଁ ଧାଇଁ ମୁଁ ନିଜକୁ ବି କେଉଁଠି ହଜାଇ ଦେଉଥିଲି।
ଏବେ କ୍ୟାରିଅର ପାଇଁ ବ୍ୟାଗ ପିଠିରେ ପକାଇ କୂର୍ମ ହେବାର ବୟସ ଅତିକ୍ରାନ୍ତ ମୁଁ। ଜୀବନର ଅନେକ ବାଟ ଅତିକ୍ରମ କରି ତାରୁଣ୍ୟରୁ ପରିପକ୍ୱ ବୟସ ଆଡ଼କୁ ଆଗେଇ ଆସିଛି।
କିନ୍ତୁ ତାରୁଣ୍ୟରେ ଯେବେ କୌଣସି ଝିଅର ମୁହଁ ମୋ ମନ ଦର୍ପଣରେ ଦିଶେ ସେ ମୁହଁଟି ସେଇ ଓଲି ଜହ୍ନର ହୋଇଥାଏ!
ସମୟ ଫୁର କିନା ଉଡ଼ିଗଲା। ପାଠପଢ଼ା ଚାକିରି ସଂସାରର ଦାୟିତ୍ୱ ସାଙ୍ଗସାଥୀଙ୍କ ମେଳ ସବୁକିଛି ଭିତରେ ଜୀବନ ବ୍ୟସ୍ତ ବହୁଳ ହୋଇଗଲା। କିନ୍ତୁ ଜୀବନର କୌଣସି ଏକ ନିରୋଳା ମୁହୂର୍ତ୍ତରେ ହଠାତ୍ ଜହ୍ନ ମନେ ପଡ଼ିଯାଏ। ମନେପଡ଼ିଯାଏ ତା'ର ସେଇ ପାଟି ଲାଗୁଥିବା କଥା ,ମୁହଁ ଫୁଲା ରାଗି ଆଉ ମୋତେ ଛାଡ଼ି ଯିବା ପୂର୍ବରୁ ବାରମ୍ବାର ପଚାରିବା , ଯିବି ତ?
ପୁଣି ଭାବେ ଉଡ଼ା ଚଢ଼େଇଟିଏ କେତେଟା ଦିନ ମୋ ସହ ସାଙ୍ଗ ହେବାକୁ ଆସିଥିଲା ପୁଣି ଉଡ଼ିଗଲା। ପୁଣି ଭାବେ ଏତେ ବର୍ଷ ପରେ ସେ ମୋତେ ମନେ ରଖିଥିବ କି? କେଜାଣି ମନ କୁହେ ସେ ମୋତେ ମନେ ରଖିଥାଉ। ଯଦି ମନେ ରଖି ନଥିବ ମୋତେ ଖୁବ୍ ବାଧିବ।
ଦିନେ ଆମ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ମିଳନ ଉତ୍ସବ ଥିଲା। ମୁଁ ଆମ ବ୍ୟାଚର ସବୁଠାରୁ ସଫଳ ଛାତ୍ର କୃଷି ବିଭାଗର ନିର୍ଦ୍ଦେଶକ ହୋଇଥିବାରୁ ମୋତେ ସମ୍ବର୍ଦ୍ଧିତ କରିବା ଲାଗି ନିମନ୍ତ୍ରଣ କରିଥିଲେ। ବର୍ଷ ବର୍ଷ ପରେ ପୁରୁଣା ସ୍କୁଲର ବାରଣ୍ଡାରେ ପାଦ ଦେଉଦେଉ ଲାଗିଲା ସମୟ ସତେ ଯେମିତି ପଛକୁ ଫେରିଗଲା। ଅବଶ୍ୟ ପୁରୁଣା ଶ୍ରେଣୀଗୃହ କି ବଗିଚା ନଥିଲା। ନଥିଲା କାମିନୀ ଓ କାଞ୍ଚନ ଫୁଲ ଗଛ ଯାହା ଜହ୍ନର ଅତି ପ୍ରିୟ। ଫାଇଭ୍ ଟି ରଙ୍ଗ ବେରଙ୍ଗର ସ୍କୁଲ। ମୋର କିନ୍ତୁ ସ୍କୁଲର ନୂଆ କଳେବର ଭିତରେ ପୁରୁଣା ଶ୍ରେଣୀଗୃହଠାରୁ ଆରମ୍ଭ କରି ସବୁ ଦିଶିଗଲା। ମନ ଭିତରୁ କେହି ଯେମିତି ଜଣକୁ ଖୋଜୁଥିଲା।
ହଠାତ୍ ପଛରୁ ଶୁଭିଲା ନମସ୍କାର ଡାଇରେକ୍ଟର ସାହେବ।
ମୁଁ ଚମକି ପଡି ପଛକୁ ବୁଲି ଚାହିଁଲି।
ଜଣେ ମହିଳା ଠିଆ ହୋଇଥିଲେ। ମୁହଁରେ ବୟସର ଛାପ ଆଖିରେ ଚଷମା ଓଠରେ ମୃଦୁ ହସ। ଇଏ ତ ଜହ୍ନ!
ସାହେବ ହୋଇଗଲେ ଲୋକେ ବଦଳି ଯାଆନ୍ତି ସତ ନା?
ମୁଁ ଆହୁରି ନିରବ ହୋଇଗଲି।
ସେ ମୁଠି ଉଠେଇ କହିଲା ଦେବି ଯେ ଗୋଟେ ନାକଦଣ୍ଡା ଫାଟି ରକ୍ତ ଝରିବ। ଆସି ସାହେବ ଗିରି ଦେଖଗେଇଲା।
ମୁଁ ଜାଣି ପାରୁ ନଥିଲି କେଉଁଠି ମାଟିରେ ନା ଆକାଶରେ?
କ'ଣ ହେଲା ଷ୍ଟାଚ୍ୟୁ ହୋଇଗଲୁ? ଏତେ ଶୀଘ୍ର ଚିହ୍ନିପାରିଲୁନି?
ମୋ ଭିତରେ ଯେମିତି କେହି ଏକାଥରେ ଅନେକ ବର୍ଷର ବନ୍ଦ ଦ୍ୱାର ଖୋଲିଦେଲା।
ଜହ୍ନ!
ହୁଁ ଫହ୍ନ ମୁଁ।
ସେ ହସିଲା।
ମୁଁ ଗଦ୍ ଗଦ୍ ହୋଇଗଲି। ଯାହାକୁ ଏତେ ବର୍ଷ ମନରେ ଖୋଜିଛି ସେ ଆଜି ମୋ ସାମ୍ନାରେ। ମୋତେ ଲାଗୁଥିଲା ମୁଁ ଆଉ ତାରୁଣ୍ୟ ପାରି ହୋଇ ପୌଢ଼ତ୍ୱରେ ପାଦ ରଖିନି ବରଂ ପୁଣି ସେଇ ସ୍କୁଲ ପିଲାଟିଏ ହୋଇଯାଇଛି।
ବହୁତ କଥା ହେଲୁ। ସେ ଏବେ ବିବାହିତା। ସ୍ୱାମୀ ଓ ପିଲାମାନଙ୍କ ସହ ଅନ୍ୟ ସହରରେ ରହେ। ଜଣେ ସାଇକୋଲୋଜିର ପ୍ରାଧ୍ୟାପିକା। ମୁଁ ମଧ୍ୟ ମୋ ସଂସାର କଥା କହିଲି। ହସ ମଜା ପୁରୁଣା ସ୍ମୃତି ସବୁକିଛି ଭିତରେ ଆମେ ପୁଣି ଥରେ ସେଇ ପିଲାଦିନକୁ ଫେରିଗଲୁ।
କଥା ହେଉହେଉ ସେ ହଠାତ୍ ପଚାରିଲା।
ଆଚ୍ଛା ବାଦଲ ମୋର ଗୋଟିଏ କଥା କହିବୁ?
କ'ଣ?
ମୁଁ ଯିବା ପରେ ମୋତେ ମନେ ପକାଇଥିଲୁ?
ନା ତୋ ଭଳି ଓଲି କାବେଡ଼ିକୁ ମନେ ପକାଇବାକୁ ମୋର କ'ଣ ଗରଜ ନ ଥିଲା!
ତୁ ମୋତେ ଭୁଲିଯାଇଥିବୁ ନିଶ୍ଚିତ ଥିଲି। କିନ୍ତୁ ମୁଁ ତୋତେ ଭୁଲିପାରିନି।
ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲି।
କାହିଁକି?
ସେ ହସିଲା। ତା' ଆଖିର କୋଣରେ ଲୁହ ଜକେଇ ଆସିଥିଲା।
ତୁ ମୋତେ ସବୁବେଳେ ଚିଡ଼ାଉଥିଲୁ। ମୁଁ ରାଗୁଥିଲି। କିନ୍ତୁ ସେଦିନ ଯେତେବେଳେ ମୋ ବାପାଙ୍କର ବଦଳି ହେଲା ମୁଁ ତୋତେ ବହୁତ କଥା କହିବାକୁ ଚାହୁଁଥିଲି। ତୁ ମୋତେ ଅଟକାଇବୁ ବୋଲି ଭାବିଥିଲି। ସେଥିପାଇଁ ବାରମ୍ବାର ପଚାରୁଥିଲି ଯିବି ତ? ତୁ କିନ୍ତୁ ଯାଉନୁ ଯାଉନୁ କହି ମୋତେ ଯିବାକୁ କହିଦେଲୁ।
ମୁଁ ନିରବ ଥିଲି।
ସେ ପୁଣି କହିଲା ଘରକୁ ଯାଇ ବହୁତ କାନ୍ଦିଥିଲି। ତୋତେ ମନେ ପକାଇଥିଲି। ଭାବିଥିଲି ଦିନେ ତୁ ମୋତେ ଖୋଜିବୁ। କିନ୍ତୁ ତୁ ଆସିଲୁନି। ତା'ପରେ ଧୀରେ ଧୀରେ ନିଜକୁ ବୁଝାଇନେଲି।
ମୁଁ କିଛି କହିପାରିଲିନି। କେତେ ସହଜରେ ଆମେ ପିଲାଦିନର କଥାକୁ ହସରେ ଉଡ଼ାଇ ଦେଉ। କିନ୍ତୁ ସେଇ ହସ ଭିତରେ କାହାର ମନରେ କେତେ ଅକୁହା କଥା ଲୁଚି ରହିଥାଏ ତାହା କିଏ ଜାଣେ! ଜହ୍ନ ଅତି ସହଜରେ ତା ମନ କଥା କହିଦେଲା। କିନ୍ତୁ ମୁଁ କିଛି ବି କହିପାରିଲିନି।
ସେ ମୋ ହାତକୁ ଗୋଟିଏ ଛୋଟ ପୁରୁଣା ପକେଟ ଡାଏରୀ ବଢ଼ାଇଦେଲା।
ଏଇଟା ରଖ। ତୋ ପାଇଁ ନୁହେଁ ଆମ ପିଲାଦିନ ପାଇଁ।
ମୁଁ ସେଇଠି ଠିଆ ହୋଇ ଡାଏରୀଟି ଖୋଲିଲି। ଡାଏରୀର ଗୋଟିଏ ପୃଷ୍ଠାରେ ଗୋଲ ଗୋଲ ଅକ୍ଷରରେ ଲେଖାଥିଲା।
ବାଦଲ ମୋତେ ଖୁବ୍ ଚିଡ଼ାଏ। ତଥାପି ସେ ମୋର ସବୁଠାରୁ ଭଲ ସାଙ୍ଗ। ଦିନେ ତାକୁ ନିଶ୍ଚୟ କହିବି ମୁଁ ତାକୁ ଭାରି ଭଲ ପାଏ।
ମୁଁ ଆଉ ପୃଷ୍ଠା ଓଲଟାଇ ପାରିଲିନି।
ସେଇ ଛୋଟ ଲେଖାଟି ମୋ ମନରେ ଏକାସାଙ୍ଗରେ ଅନେକ ଭାବନା ଜଗାଇଦେଲା। ଏତେ ବର୍ଷ ଧରି ଯେଉଁ କଥାଟି ମୁଁ ଜାଣି ନଥିଲି ତାହା ଆଜି ଗୋଟିଏ ପୁରୁଣା ଡାଏରୀର ପୃଷ୍ଠାରୁ ମୋ ସାମ୍ନାକୁ ଆସିଥିଲା। ମନେ ହେଉଥିଲା ସେଦିନର ସେଇ ଛୋଟ ଜହ୍ନ ମୋ ସାମ୍ନାରେ ଠିଆ ହୋଇ ପୁଣି ଥରେ କିଛି କହିବାକୁ ଚାହୁଁଛି। ମାତ୍ର ଏଥର ବି ମୋ ପାଖରେ ଉତ୍ତର ନଥିଲା।
ବିଦାୟ ନେବାବେଳେ ମୁଁ ପଚାରିଲି।
ଜହ୍ନ ପୁଣି କେବେ ଦେଖା ହେବ ?
ଜାଣିନିରେ କହି ସେ ଚାଲିଗଲା।
ସେଦିନ ଘରକୁ ଫେରି ଡାଏରୀଟିକୁ ଛାତି ପାଖରେ ରଖିଲି। ତା'ର ସେଇ ପିଲାଦିନର ଲେଖାଟି ବାରମ୍ବାର ପଢ଼ିଲି। ଆଖି ଆଗରେ ଭାସି ଉଠୁଥିଲା ଗୋଟିଏ ମୁହଁ ଗୋଟିଏ ହସ ଆଉ ସେଇ ଅଭିମାନଭରା ପ୍ରଶ୍ନ "ଠିକ୍ ଅଛି ଯିବି ତ?'
ଆଜି ମୋତେ ଲାଗୁଛି ସେଦିନ ସେ ମୋତେ ପଚାରି ନଥିଲା ଯେ ସେ ଯିବ କି ନାହିଁ। ସେ ପଚାରୁଥିଲା ମୁଁ ତାକୁ ମନରେ ରଖିବି କି ନାହିଁ। ହାୟ! ସେତେବେଳେ ଏତିକି ବୁଝିବାର ବୟସ ଯଦି ମୋର ହୋଇଥାନ୍ତା !
ଜୀବନର ଅନେକ ସମ୍ପର୍କର ଭିଡ଼ ଭିତରେ ବି ଗୋଟିଏ ନିରୀହ ବନ୍ଧୁତାର ସ୍ମୃତି ମୋତେ ଅଜାଣତରେ ଭିଜାଇ ଦିଏ।
ଯେତେବେଳେ ଆକାଶରେ ଜହ୍ନ ଦିଶେ ମୋ ମନ ଭିତରୁ ଶୁଭିଯାଏ, ବାଦଲ୍ ନା ଫାଦଲ୍?
ମୁଁ ମନେ ମନେ ଉତ୍ତର ଦିଏ ଜହ୍ନ ନା ଫହ୍ନ ନୁହେଁରେ ତୁ ତ ମୋ ପିଲାଦିନର ସବୁଠାରୁ ସୁନ୍ଦର ଜହ୍ନ। ଯିଏ ଦୂରକୁ ଚାଲିଗଲା ହେଲେ ମୋ ମନ ଆକାଶରୁ କେବେ ଅସ୍ତ ହେବନି।
Satyabati swain
