ଥର୍ ଆଖିରେ ବନ୍ୟା
ଥର୍ ଆଖିରେ ବନ୍ୟା
ଥର୍ ଆଖିରେ ବନ୍ୟା
ତା ଆଖିରେ ଥର୍ ମରୁଭୂମି।
ସେଥିରେ ବନ୍ୟା ଆସିବା ନିହାତି ଆବଶ୍ୟକ।ନଚେତ୍ ଯାହା ନାଁ ଶୁଣିଲେ କ୍ରିମିନାଲ ଛାତି ଧଡ଼ ଧଡ଼ ହୁଏ ସେ ଦକ୍ଷ ପୋଲିସ ଅଫିସର ଟି ଆସ୍ତେ ଆସ୍ତେ ମାନସିକ ଅବସାଦ ଗ୍ରସ୍ତ ମଣିଷଟିଏ ପାଲଟିଯିବ। କେମିତି ସେ ମରୁ ଆଖିରେ ବନ୍ୟା ଆସିବ ? କେମିତି ତା ମୁହଁ ହସିବ ? ସେଦିନର ସେଇ ଦୁର୍ବଳ ହାଡ଼ ଦୁଇଖଣ୍ଡ ଥିବା ଛୁଆ ବିନୁ ଆଜିର ବଳିଷ୍ଠ ଦକ୍ଷ ପୋଲିସ ଅଫିସର।
ମନେ ପଡ଼ିଲା --
ସେଦିନ ସକାଳୁ ସକାଳୁ ପୋର୍ଟିକୋ ଗ୍ରୀଲ୍ ଖୋଲୁ ଖୋଲୁ ବିନୁ ଖୁଣ୍ଟକୁ ଆଉଜି ବସିଥିବାର ଦେଖିଲି। ଶୁଖିଲା ଆଖି ତାର ଅନେକ କିଛି କହୁଥିଲା।
କିରେ ବିନୁ ଏତେ ସକାଳୁ କାହିଁକି ଆସିଛୁ ?ମାଆ ଆଜି କାମକୁ ଆସିବିନି କି ? କହିବାକୁ ତୋତେ ପଠାଇଛି ?
କଣ ହୋଇଛି କିଛି କହୁନୁ ? ଭୋକ ହେଲାଣି ଖାଇବୁ ? ନା ଟିୟୁସନ ଫିସ୍ ଦରକାର ?
ଆସିଲୁ ଆ କହି ତଳ ଘର ଭିତରକୁ ଡାକି ଆଣିଲି। ରାତିର ରୁଟି ଓ ତରକାରୀ ଅଛି ।ଦାନ୍ତ ଘଷିଛୁ ଟି ? ନେ ଖାଇଦେ ଏତକ।
ବିନୁ ଅନ୍ୟ ଦିନ ପରି ଖାଦ୍ୟ ଦେଖି ଖୁସି ହେଲାନି ବରଂ ଭୋ ଭୋ ହୋଇ କାନ୍ଦି ପକାଇଲା।
ଆଶ୍ଚର୍ଯ୍ୟ ହେଲି। ବିନୁ କେବେ ଏପରି ହୁଏନି।
ବିନୁ, ସୁନା ପିଲା। ଦେଖିବ ଏଇଲେ କହି ଦେଵ ତାର କଣ ହୋଇଛି।
ମାଆ ...
କଣ ହେଲା ମାଆର ? ଦେହ ଖରାପ ? ଡ୍ରାଇଭରକୁ କହିବି ହସ୍ପିଟାଲ ନେଇଯିବ ?
ମାଆ କାଲି ରାତିରୁ ବିଲୁ ସହ ଘର ଛାଡ଼ି ପଳେଇଛି । ମୋତେ କହିଛି ବାପା ପାଖକୁ ଚାଲିଯିବୁ।
କଣ ପାର୍ବତୀ ତୋତେ ଛାଡ଼ି ବିଲୁ ସହ ପଳେଇଛି ? ବିଲୁ କିଏ ? ତୋ ବାପା କେଉଁଠି ରୁହେ ତୁ ଜାଣିଛୁ ?
ବରଗଡରେ।
ତୁ ଯିବୁ ତାଙ୍କ ପାଖକୁ ?
ନା ତାଙ୍କର ସେଠି ରାକ୍ଷୀ ମାଆ ଏବଂ ତାଙ୍କ ପୁଅ ଝିଅ ଅଛନ୍ତି। ଯେଉଁ ବାପା ମୋତେ ଓ ମୋ ମାଆକୁ ଛାଡ଼ି ଅନ୍ୟ ସହ ଅଛନ୍ତି ସେଠିକୁ କାହିଁକି ଯିବି ? ବାପା ଛାଡିଥିଲେ ଏବେ ମାଆ ଛାଡି ଚାଲିଗଲା। ମୁଁ କରିବି କଣ ?ମୁଁ ଅନାଥ ହୋଇଗଲି ମାମ୍।
ବ୍ୟସ୍ତ ହନା ବିନୁ। ଖାଆ ।କଣ ହୋଇଛି ମୁଁ ବୁଝୁଛି।
ବିନୁର ସେହି କାନ୍ଦଣା ଭିତରେ ଥିଲା ଅସହାୟତାର ଏକ ଗଭୀର ଆର୍ତ୍ତନାଦ। ମୁଁ ତାକୁ ଆଶ୍ୱାସନା ଦେଲି ସତ, କିନ୍ତୁ ଭିତରେ ଭିତରେ ମୁଁ ବିଚଳିତ ଥିଲି। ପାର୍ବତୀ, ଯିଏ ବର୍ଷ ବର୍ଷ ଧରି ମୋ ଘରକୁ ଆପଣାର କରି ନେଇଥିଲା, ସେ ଏପରି ହଠାତ୍ ବିଲୁ ନାମକ ଜଣେ ବ୍ୟକ୍ତି ସହ କୁଆଡ଼େ ଚାଲିଗଲା? ମାଆ ତାର ସାତ ବର୍ଷର ଛୁଆ ପୁଅକୁ କେମିତି ଛାଡି ଚାଲିଗଲା !! କେମିତିକା ମାଆ ସେ ? ମୁଁ ସ୍ଥିର କଲି ଯେ ବିନୁକୁ ମୁଁ ଅନାଥ ହେବାକୁ ଦେବିନି। ମୁଁ ତାର ପାଠପଢ଼ା, ଖାଦ୍ୟ ଓ ସୁରକ୍ଷାର ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ନେଲି। ବିନୁ ମୋ ଘରେ ରହିଲା।
ତାର ସ୍ୱପ୍ନ ଥିଲା ବଡ଼ ହୋଇ ପୋଲିସ ଅଫିସର ହେବ, ଯେମିତି ସେ ନ୍ୟାୟ ପାଇପାରିବ। ମୁଁ ତାକୁ ସେହି ସ୍ୱପ୍ନ ପୂରଣ କରିବା ପାଇଁ ସବୁ ସୁବିଧା ଯୋଗାଇ ଦେଲି। ମୋ ନାଁ ବି ଦେଲି।ବର୍ଷ ପରେ ବର୍ଷ ବିତିଲା। ବିନୁ ମେଧାବୀ ଥିଲା। ସେ କଠିନ ପରିଶ୍ରମ କଲା ଓ ଶେଷରେ ତା'ର ସ୍ୱପ୍ନ ସତ ହେଲା।ସେ ଜଣେ ଦକ୍ଷ ପୋଲିସ ଅଫିସର ହେଲା। କିନ୍ତୁ ବିଧିର ବିଧାନ ଅଲଗା ଥିଲା। କିଛି ବର୍ଷ ପରେ, ସହରରେ ଏକ ବଡ଼ ଏଟିଏମ୍ ଲୁଟ୍ ମାମଲାର ତଦନ୍ତ କରୁଥିବା ସମୟରେ ବିନୁର ସାମ୍ନା ହେଲା ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସହ।
ସିସିଟିଭି ଫୁଟେଜ୍ ଯାଞ୍ଚ କରୁ କରୁ ବିନୁ ଦେଖିଲା ଯେ ଚୋରଟି ଆଉ କେହି ନୁହେଁ, ବରଂ ତା'ର ବାପାଙ୍କର ସେହି ଦ୍ୱିତୀୟ ପତ୍ନୀଙ୍କ ପୁଅ। ବିନୁ ନିଜର କର୍ତ୍ତବ୍ୟ ପଥରୁ ଟଳିଲାନି। ସେ ନିଜ ହାତରେ ସେହି ବ୍ୟକ୍ତିକୁ ହାତକଡ଼ି ପିନ୍ଧାଇଲା, ଯିଏ ତା'ର ପାରିବାରିକ ଜୀବନକୁ ଧ୍ୱଂସ କରିବାରେ ପରୋକ୍ଷରେ ସାହାଯ୍ୟ କରିଥିଲା। ଏତିକିରେ ସରିନଥିଲା ତା ପରୀକ୍ଷା କି କଷଣ। ସେହି ଦିନ ହିଁ ଅନ୍ୟ ଏକ ଚଢ଼ଉରେ ଖବର ଆସିଲା ଯେ, ବରଗଡ଼ର ଏକ ସନ୍ଦିଗ୍ଧ ହୋଟେଲରୁ ଜଣେ ଯୁବତୀଙ୍କୁ ଧରାଯାଇଛି, ଯିଏକି ତା'ର ସେହି ବାପାଙ୍କର ଝିଅ, ଅର୍ଥାତ୍ ତା'ର ନିଜର ସାବତ ଭଉଣୀ। ସେ ମଧ୍ୟ ଅନୈତିକ କାମରେ ଲିପ୍ତ ରହି ଜେଲ୍ ଯିବାକୁ ବାଧ୍ୟ ହେଲା।
ଦିନେ ଯେଉଁ ବିନୁ ଅନାଥ ହୋଇ କାନ୍ଦୁଥିଲା, ଆଜି ସେହି ବିନୁ ନ୍ୟାୟର ପ୍ରତୀକ ପାଲଟିଛି। ତା'ର ସଂଘର୍ଷ, ତା'ର ଧୈର୍ଯ୍ୟ ଏବଂ ମୋର ସମର୍ଥନ ତାକୁ ଏହି ସ୍ଥାନରେ ପହଞ୍ଚାଇଛି। ବେଳେବେଳେ ଜୀବନରେ ଆସୁଥିବା ଦୁଃଖ ସବୁ ଅନ୍ଧାର ନୁହେଁ, ବରଂ ସେଗୁଡ଼ିକ ଆମକୁ ନୂଆ ସାହସ ଦେଇଥାଏ। ଅବଶ୍ୟ ତା ମୁହଁକୁ ମାଆର ମନ ନେଇ ମୁଁ ଯେତେବେଳେ ନିରୀକ୍ଷଣ କରେ ତା ଉଦାସ ଶୁଖିଲା ଆଖିର ନିରବ ଭାଷା ମୋ ହୃଦୟ କରତି ଦିଏ। କାମରୁ ଟିକେ ଫୁରୁସତ ପାଇଲେ ସେ ନିର୍ମିମେଷ ନୟନରେ ଆକାଶକୁ ଚାହିଁ ବସିଯାଏ।
ଶେଷରେ, ପାର୍ବତୀ ମଧ୍ୟ ଖବର ପାଇ ଫେରିଆସିଲା ପୁଅ ପାଖକୁ। ମୋତେ କ୍ଷମା କରି ଦେ ଧନ କାକୁତି ମିନତୀ ହେଲା। ତୋତେ ଏକା କରି ଯିବାର ନଥିଲା। ମୁଁ ସାମାନ୍ୟ ସୁଖ ପାଇଁ ତୋତେ ତ୍ୟାଗ କଲି। ବିନୁ ତା'ର ମାଆକୁ କ୍ଷମା କରିଦେଲା, କିନ୍ତୁ ସେ ସେହି ମାଆକୁ ଗ୍ରହଣ କଲା ନାହିଁ ଯିଏ ତାକୁ କଷ୍ଟ ଦେଇଥିଲା,ଅନାଥ କରି ନିଜ ସୁଖ ପାଇଁ ବିଲୁ ସହ ପଳେଇଥିଲା। ନ୍ୟାୟ ସାମ୍ନାରେ କାହାକୁ ବି ସେ ଛାଡ଼ିଲାନି। ଆଜିବିନୁ : ବିନୋଦ ମଲ୍ଲ ଜଣେ ସଚ୍ଚୋଟ ପୋଲିସ ଅଫିସର ।ଅପରାଧିଙ୍କର ଯମ।
କିଏ କୁହେ ପର ନିଜର ହୁଏନି ? ଦେଖ ମୋ କାମବାଲୀ ପାର୍ବତୀ ପୁଅ ବିନୁ ଏବେ ମୋତେ ମାଆ ନୁହେଁ ଦେବୀ ଭାବରେ ପୂଜେ। ମୋର ଏତେ ଟିକେ ଦୁଃଖ ଦେଖିଲେ ବିଚଳିତ ହୋଇ ପଡେ। ଦୁନିଆର ସବୁ ଖୁସି ମୋ ପାଦ ତଳେ ଅଜାଡି ଦିଏ। ପଚିଶି ବର୍ଷ ତଳେ ସକାଳେ ଖୁଣ୍ଟକୁ ଆଉଜି କାନ୍ଦୁଥିବାର ବିନୁ ଆଜିନ୍ୟାୟର ଖୁଣ୍ଟ ହୋଇ ଠିଆ ହୋଇଛି। ମୋ ନିଜ ପୁଅ ଝିଅ ଉଡ଼ି ଶିଖିଲା ପରେ ନିଜ ଇଚ୍ଛାରେ ବସା ବାନ୍ଧି ଉଡୁଛନ୍ତି। ଯେଉଁ ମାଆ ଅତି କମ ବୟସରେ ସେମାନଙ୍କ ବାପାଙ୍କୁ ହରେଇ ସେମାନଙ୍କୁ ମଣିଷ କରିଥିଲା, ଲଢ଼ିଥିଲା ସମାଜ ସହ,ଲୋଲୁପ ଆଖି ସହ ; ସେଇ ମାଆ କେମିତି ଅଛି ଜାଣିବାକୁ ସେମାନଙ୍କ ପାଖରେ ତର ନାହିଁ।
ବିନୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ମୋତେ ସାମାନ୍ୟ ଥଣ୍ଡା ହେଲେ ହସ୍ପିଟାଲ ଉଠେଇ ଆଣନ୍ତା ଘରକୁ ଯଦି ସମ୍ଭବ ହୁଅନ୍ତା । ସବୁ ତ ହେଲା।ତେବେ ବି ସେ ଉଦାସ !
ବିନୁ ।
କଣ ମାଆ ?
ବୁଢ଼ୀ ହେଲେଣି। ମୋ ପୁଅ ଝିଅ ତ ନିଜ ଇଚ୍ଛାରେ ବାହା ହୋଇ ଦେଶ ବାହାରେ ରହିଲେ। ମୋର ଗୋଟିଏ ବୋହୁ ଲୋଡ଼ା ବିନୁ। ଦେବୁନି ?
ମାଆ ଆଉ ଯାହା କହିବ ତୁମ ପାଦ ତଳେ ଗଦେଇ ଦେବି ; ଏଇ ବୋହୁ କଥା ବ୍ୟତୀତ।
ତୁ ମୋତେ ଭଲ ପାଉନୁ ବିନୁ।
ମୋ ବାପା ଓ ମାଆ ମୋ ପ୍ରତି ଯାହା କରିଛନ୍ତି ସେତିକ ଭୋଗିଲା ପରେ ସଂସାର ପ୍ରତି ମୋର ଆସକ୍ତି ନାହିଁ ମାଆ।ଝିଅଟିଏ ଆଣି ତାକୁ କାହିଁକି ଅସୁଖୀ କରିବି ? ଏଣୁ ସାରା ଜୀବନ ଭୀଷ୍ମଙ୍କ ପରି କୁମାର ରହିବି । ମୋତେ ଧର୍ମ ସଙ୍କଟ ରେ ପକାଅନି ମାଆ, ଯେଉଁ କଥା ରଖି ପାରିବି ନାହିଁ ସେ କଥା ମାଗନି।
ମୁଁ ଜାଣେ ମୋ ବିନୁ କେବଳ ଭଲ ପୁଅ,ମଣିଷ କି ପୋଲିସ ଅଫିସର ନୁହେଁ, ଜଣେ ଭଲ ପତି ବି ହେବ।
ମାଆ ମୋତେ ସେଥିରେ ପକାଅ ନାହିଁ।
ତୁ ଅମାନିଅଁ ହେବୁନି,ବିନୁ।ଯାହା କରିବି ତୋ ଭଲ ପାଇଁ ହିଁ କରିବି ଧନ।
ସେ ମୋ କଥା ନ ଶୁଣିଲା ପରି ଚାଲିଗଲା। ତା ଶୁଖିଲା ଆଖିରେ ହସ ଭରିବାକୁ ହେବ। ପିଲାଟା ବହୁ ସଂଘର୍ଷ କରି ଏଠି ପହଞ୍ଚିଛି। ମୁଁ ସ୍ଥିର କରିଛି ଏସନ ମାଘରେ ନିନି ସହ ତାର ବିବାହ କରିଦେବି। ନିନି ଆମ ପଡୋଶୀ ଘର ଶୁଭେନ୍ଦୁ ବାବୁଙ୍କ ଝିଅ। ସେ ଲୁଚେଇ ଲୁଚେଇ ବିନୁକୁ ଦେଖିବା,ଖୁସି ହେବା ମୋ ଆଖିରେ ପଡିଛି। ନିନି ତା ଜୀବନରେ ଆସିଲେ,ପ୍ରେମରେ ଭସାଇଲେ ଅବା ବିନୁର ଉଦାସ ଆଖିରେ ଭାବ ପ୍ରବଣତାର ,ପ୍ରେମର ବନ୍ୟା ଆସିପାରେ।
ନିନି ସହ ବିନୁର ଯଥାଶୀଘ୍ର ହାତ ଗଣ୍ଠି ପଡିବା ପାଇଁ ଜୋର ସୋର ଲାଗିପଡ଼ିଲି ମୁଁ।
Satyabati swain
