STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଆଲୋକର ପଛପଟ

ଆଲୋକର ପଛପଟ

8 mins
6

ସବୁ ଟେଲିଭିଜନ୍ ଚ୍ୟାନେଲ୍‌ରେ ଗୋଟିଏ ଖବର ଝଡ଼।

ସକାଳର ସମସ୍ତ ଖବରକାଗଜର ମୁଖ୍ୟ ପୃଷ୍ଠାରେ ବି ସେଇ ଗୋଟିଏ ଶିରୋନାମା। ଯେମିତି ସହରର ସବୁ କୋଳାହଳ ହଠାତ୍ ଗୋଟିଏ ଖବର ପାଖରେ ଆସି ଅଟକି ଯାଇଛି।

"ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବ୍ୟାଙ୍କର ଉଚ୍ଚପଦସ୍ଥ ମହିଳା ଅଧିକାରୀ ଅଲିଭା ପ୍ରଧାନ।"

ଖବରଟି ଉପରେ ଆଖି ପଡ଼ିବାମାତ୍ରେ ମୋ ହାତରୁ ଚା’ କପ୍‌ଟି  ଖସିପଡ଼ିଥିଲା। ଛାତି ଭିତରେ ଯେମିତି କଣ ହୋଇଗଲା।

ଅଲିଭା ଏତେ ତଳକୁ ଖସିଗଲା !

ଅଲିଭା ଜଣେ ଦୁର୍ନୀତି, ଲାଞ୍ଚ, ଠକେଇ ଅଫିସର !

କିଛି ସମୟ ଯାଏଁ ପେପର ଫଟୋଟିକୁ ଚାହିଁ ରହିଲି।  ଖୁସି ହେବି, ନା ଦୁଃଖ କରିବି, ନା ଅତୀତକୁ ମନେ ପକାଇ କାନ୍ଦିବି କିଛି ବୁଝିପାରୁ ନଥିଲି।

ଚା’ ଦୋକାନୀ ପଚାରିଲା,

କ’ଣ ହେଲା ବାବୁ? ଖବରଟା ଦେଖି ଏମିତି ଚୁପ୍ ହୋଇଗଲେ ଯେ?

ମୁଁ ଖବରକାଗଜରୁ ଆଖି ନ ଉଠାଇ କହିଲି,
କିଛି ନାହିଁ ଭାଇ। କେବଳ ଜଣେ ମଣିଷକୁ ଚିହ୍ନିବାରେ ଟିକିଏ ଡେରି ହୋଇଗଲା।

ଏଇ ଅଲିଭା ପ୍ରଧାନ ତୁମର କେହି ଆତ୍ମୀୟ କି ? ନିହାତି ଗୋଟେ ଖରାପ ଝିଅ।ଭଲ ହୋଇଛି ପୋଲିସ ଘର ରେଡ୍ କରି ଗୁଡାଏ ଟଙ୍କା, ଅଳଙ୍କାର ଓ ପାସ୍ ବୁକ ଜବତ କରିଛି।ଜେଲ ହାୱା ଖାଉଛି ବଦମାସ୍ ଝିଅଟା। ଏତେ କମ୍ ବୟସର ଝିଅ ଏପରି ଦୁର୍ନୀତି ଖୋର!

ଚା ବାଲାର କଥା ଶୁଣି ମୋତେ ନିଜ ଉପରେ ଘୃଣା ଆସୁଥିଲା। ଅଲିଭା ଏବେ ମୋର କେହି ନୁହଁ,ତଥାପି ମୁଁ ତା କଥା ଶୁଣି ଏତେ ଦୁଃଖପ୍ରକାଶ କରୁଛି କାହିଁକି ?

ଅଲିଭା ମୋ ଜୀବନର ଏକ ଅଭୁଲା ଭୁଲ୍ ଅଧ୍ୟାୟ।

ମୁଁ କବିତା ଲେଖୁଥିଲି।କେବେ ଚନ୍ଦ୍ରକୁ ଦେଖି ପ୍ରେମ କବିତା, କେବେ ବର୍ଷାକୁ ଦେଖି ବିରହର ପଦ, ଆଉ କେବେ ନିଜ ଅଭାବକୁ ନେଇ ଜୀବନର କବିତା। ଅଲିଭା ମୋ କବିତା ସେ ମନ ଦେଇ ପଢ଼ୁଥିଲା। ମୋର ଛୋଟଛୋଟ ସ୍ୱପ୍ନଗୁଡ଼ିକୁ ସେ ଏମିତି ଶୁଣୁଥିଲା, ଯେମିତି ସେଗୁଡ଼ିକ ଦିନେ ସାରା ପୃଥିବୀକୁ ବଦଳାଇଦେବ।

ଦିନେ ମୁଁ ତାକୁ ପଚାରିଥିଲି,ଅଲିଭା, ତୁ ମୋତେ କାହିଁକି ଭଲ ପାଉ?

ସେ ହସିଦେଇ କହିଥିଲା,ଏଇଟା କି  ପ୍ରଶ୍ନଟା ?

ନା, ସତରେ ପଚାରୁଛି। ମୋ ପାଖରେ ତୋତେ ଦେବା ପାଇଁ କ’ଣ ଅଛି? ନା ଭଲ ଚାକିରି, ନା ବଡ଼ ଘର, ନା ବ୍ୟାଙ୍କ୍‌ରେ ମୋଟା ଅଙ୍କର ଜମା ପୁଞ୍ଜି। ମୋ ପାଖରେ କେବଳ କିଛି କବିତା ଅଛି ଆଉ ଅନେକ ଅପୂର୍ଣ୍ଣ ସ୍ୱପ୍ନ।

ଅର୍ପଣ, ତୁମେ ନିଜକୁ ଏତେ ଛୋଟ ଭାବୁଛ କାହିଁକି? ତୁମ ପାଖରେ ଯାହା ଅଛି, ତାହା ଅନେକ ଧନୀ ଲୋକଙ୍କ ପାଖରେ ନାହିଁ।

କ’ଣ ଅଛି ମୋ ପାଖରେ?

ଗୋଟିଏ ସଫା ହୃଦୟ। ଗୋଟିଏ ସୁନ୍ଦର ମନ। ଆଉ ଏମିତି ଏକ ପ୍ରତିଭା, ଯାହାକୁ ଦିନେ ଦୁନିଆ ଚିହ୍ନିବ।

ମନେ ରଖିଥାଅ ଅର୍ପଣ, ତୁମ ଲେଖନୀର ଦିନେ ଆକାଶ ଛୁଇଁବ। ମୋର ତୁମ ପ୍ରତି, ତୁମ ପ୍ରତିଭା ପ୍ରତି ଅଟଳ ବିଶ୍ୱାସ ଅଛି।

ସତ କହୁଛୁ ?

ବୁଦ୍ଦୁ ,କଣ ମିଛରେ କହୁଛି ।

ସେଦିନ ମୋତେ ଲାଗିଥିଲା, ପୃଥିବୀର ସମସ୍ତ ସମ୍ପତ୍ତି ମୋ ପାଦ ତଳେ । କାରଣ ଯାହାକୁ ମୁଁ ଭଲ ପାଉଥିଲି, ସେ ମୋତେ ମୋ ନିଜଠାରୁ ଅଧିକ ବିଶ୍ୱାସ କରୁଥିଲା।
ମୁଁ ଜାଣି ନଥିଲି, ଦିନେ ସେହି ବିଶ୍ୱାସ ହିଁ ମୋ ଜୀବନର ସବୁଠୁ ବଡ଼ କ୍ଷତ ହୋଇ ରହିଯିବ।

ଅଲିଭା ଘର ସ୍ୱଚ୍ଛଳ ନଥିଲା। କିନ୍ତୁ ଅଵସ୍ଥାଠାରୁ ଅନେକ ଆଗରେ ତା ସ୍ୱପ୍ନ ଥିଲା। ସ୍ୱପ୍ନ ଥିଲା ଏକ ବଡ଼ ଚାକିରି କରିବା। ସେ ଉଚ୍ଚପଦସ୍ଥ ଅଧିକାରୀ ହେବାକୁ ଚାହୁଁଥିଲା। ତା’ର ପ୍ରସ୍ତୁତି ପାଇଁ ଅନେକ ଟଙ୍କା ଦରକାର ଥିଲା। କୋଚିଂ, ବହି, ପରୀକ୍ଷା ଫିସ୍, ସହରରେ ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ସବୁ ମିଶି ମୋ ସାଧ୍ୟଠାରୁ ଅଧିକ ଥିଲା।

କିନ୍ତୁ ଭଲ ପାଇବାର ଗୋଟିଏ ଅଜବ ନିଶା।

ଯାହାକୁ ଭଲ ପାଏ, ତା’ର ଆବଶ୍ୟକତା ଆଗରେ ମଣିଷ ନିଜ ଅସାମର୍ଥ୍ୟକୁ ମଧ୍ୟ ଭୁଲିଯାଏ।

ଦିନେ ଅଲିଭା ମୋ ପାଖରେ ବସି କହିଲା,ଅର୍ପଣ, ମୁଁ ଯଦି ଭଲ ଚାକିରିଟିଏ ପାଇଯାଆନ୍ତି, ତେବେ ଆମ ଦୁହିଁଙ୍କ ଜୀବନ ବଦଳିଯାଆନ୍ତା। ଆଉ ତୁମକୁ ଏମିତି କଷ୍ଟ କରିବାକୁ ପଡ଼ନ୍ତା ନାହିଁ। କିନ୍ତୁ ବାପା ରୋକ ଠୋକ ମନା କରିଦେଲେଣି ଆଉ ପଢ଼ାଇ ପାରିବେ ନାହିଁ। ପ୍ରସ୍ତୁତି ପାଇଁ ଟଙ୍କା ଦରକାର, ଅର୍ପଣ।

କେତେ ଟଙ୍କା ?

ବହୁତ।

ମୋ ପାଖରେ ଯାହା ଅଛି, ସବୁ ତୁମର।

ମୋ ଉତ୍ତର ଶୁଣି ତା’ ଆଖିରେ ଲୁହ ଆସିଯାଇଥିଲା। ସେ ମୋ କାନ୍ଧରେ ମୁଣ୍ଡ ରଖି କହିଥିଲା,ତୁମ ଭଳି ମଣିଷକୁ ଭଲ ପାଇ ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି।

ମୁଁ ତା ପଢ଼ାର ସମସ୍ତ ଦାୟିତ୍ୱ ବହନ କଲି।

ସେହି ଗୋଟିଏ ନିଷ୍ପତ୍ତି ମୋ ଜୀବନର ଗତିପଥ ବଦଳାଇଦେବ ବୋଲି କଳ୍ପନା ବି କରି ନଥିଲି।
ମୁଁ ମୋର ସମସ୍ତ ସଞ୍ଚୟ ତା’ ହାତରେ ଦେଇଦେଲି। ବାପା ଦେଇଯାଇଥିବା ଘରଟିକୁ ମଧ୍ୟ ବନ୍ଧକ ରଖିଲି। ସେହି ଘରର କାଗଜପତ୍ର ନେଇ ଯେତେବେଳେ ବ୍ୟାଙ୍କକୁ ଯାଇଥିଲି, ମୋ ହାତ ଥରୁଥିଲା।ଘରଟିକୁ ଦେଖି ମୋର ବାପାଙ୍କ କଥା ମନେ ପଡ଼ିଥିଲା।

ମୃତ୍ୟୁ ପୂର୍ବରୁ ବାପା ମୋ ମୁଣ୍ଡରେ ହାତ ରଖି କହିଥିଲେ,
ବାବୁ, ମୋ ପାଖରେ ତୋ ପାଇଁ ଅଧିକ କିଛି ନାହିଁ। ଏଇ ଘରଟିକୁ ତୋ ପାଇଁ ରଖିଯାଉଛି। ବାପାଙ୍କ କଥା ମନେ ପକାଇ ମୋ ଆଖି ଓଦା ହୋଇଯାଇଥିଲା।

ମୁଁ ମନେମନେ କହିଥିଲି, ‘ବାପା, ମୋତେ କ୍ଷମା କରିବ। ତୁମେ ଦେଇଥିବା ଘରଟିକୁ ମୁଁ ଅନ୍ୟ ଜଣଙ୍କ ସ୍ୱପ୍ନ ପାଇଁ ବନ୍ଧକ ରଖୁଛି। କିନ୍ତୁ ସେହି ସ୍ୱପ୍ନରେ ମୋର ଭବିଷ୍ୟତ ମଧ୍ୟ ଅଛି।

ଅଲିଭା ମୋତେ ଆଶ୍ୱାସନା ଦେଇଥିଲା,ଚିନ୍ତା କରନି। ଚାକିରି ପାଇଗଲେ ସବୁ ଟଙ୍କା ସୁଝିଦେବା। ତୁମ ଘରକୁ ଫେରାଇ ଆଣିବା। ତା’ପରେ ଆମେ ଏକାଠି ଏକ ସୁନ୍ଦର ସଂସାର ଗଢ଼ିବା।

ମୁଁ ତା’ର କଥାକୁ ବିଶ୍ୱାସ କରିଥିଲି।କାରଣ ମୋ ପାଇଁ ପ୍ରେମ ଅର୍ଥ କେବଳ ଦୁଇଟି ମଣିଷର ଏକାଠି ହେବା ନଥିଲା। ପ୍ରେମ ଅର୍ଥ ଥିଲା ଦୁଇଟି ସ୍ୱପ୍ନର ଏକାଠି ବଞ୍ଚିବା।
ମୁଁ ତା’ ହାତରେ ମୋ ଭାଗ୍ୟର ଚାବି ଦେଇଦେଇଥିଲି।
ସେ ଚାବିରେ ମୋ ଘରର କବାଟ ଖୋଲିବ ବୋଲି ଭାବିଥିଲି। କିନ୍ତୁ ଦିନେ ସେହି ଚାବିରେ ମୋ ଜୀବନର ସବୁ ଦ୍ୱାର ବନ୍ଦ ହୋଇଯିବ, ତାହା ଜାଣି ନଥିଲି।

ଅଲିଭା ପରୀକ୍ଷାରେ ସଫଳ ହେଲା। ତା’ର ଚାକିରି ହେଲା।
ଅଲିଭା ଫୋନ୍ କରି ଖୁସିରେ କହିଥିଲା,ଅର୍ପଣ! ମୋ ଚାକିରି ହୋଇଗଲା।

ବଢିଆ ଅଲିଭା, ତୁ ଜିତିଗଲୁ! ତୁ ତୋ ସ୍ୱପ୍ନକୁ ପାଇଗଲୁ।

ମୋ ସ୍ୱପ୍ନ ନୁହଁ ଆମ ସ୍ୱପ୍ନ, ଅର୍ପଣ। ଏହା ଆମ ଦୁହିଁଙ୍କ ସ୍ୱପ୍ନର ସଫଳତା।

ସେହି ‘ଆମ’ ଶବ୍ଦଟି ମୋ ହୃଦୟରେ ଆନନ୍ଦର ସୁଅ ଛୁଟାଇ ଦେଲା।

ମୁଁ ଭାବିଥିଲି, ଏବେ ଆମ ଦୁହିଁଙ୍କ ଜୀବନରେ ସୁଖର ସକାଳ ଆସିବ। ମୋ ବନ୍ଧକ ଘରଟି ମୁକୁଳିବ। ମୁଁ ଆହୁରି ଆହୁରି ଲେଖିବି। ଅଲିଭାର ସଫଳତା ଆମ ପ୍ରେମକୁ ଆହୁରି ଦୃଢ଼ କରିବ।କିନ୍ତୁ ସେହି ସକାଳ ଆଉ ଆସିଲା ନାହିଁ।

ଅଲିଭାର ପୋଷାକ ବଦଳିଗଲା। ତା’ର ଜୀବନଶୈଳୀ ବଦଳିଗଲା। କଥା କହିବାର ଢଙ୍ଗ ବଦଳିଗଲା। ତା’ର ଫୋନ୍‌ରେ ନୂଆନୂଆ ନାମ ଯୋଡ଼ି ହେବାକୁ ଲାଗିଲା। ସହରର ବଡ଼ବଡ଼ ଅଧିକାରୀ, ଶିଳ୍ପପତି, ବ୍ୟବସାୟୀଙ୍କ ସହ ତା’ର ଉଠାବସା ଆରମ୍ଭ ହେଲା।ମୁଁ ତା’ର ଉନ୍ନତିରେ ଖୁସି ହେଉଥିଲି।

ଦିନେ ସେ ଏକ ଦାମୀ ଗାଡ଼ିରେ ମୋତେ ଦେଖା କରିବାକୁ ଆସିଲା। ତାର ବେଶଭୁଷା, ରଙ୍ଗଢ଼ଙ୍ଗ ସବୁକିଛି ତା’ର ମୋତେ  ଅପରିତ ପରି ଲାଗୁଥିଲା।

ବାଃ! ତୁ ତ ପୂରା ବଦଳିଗଲୁଣି।

ବଦଳିବାକୁ ପଡ଼େ, ଅର୍ପଣ। ଦୁନିଆ ସହ ତାଳ ମିଳାଇ ଚାଲିବାକୁ ହୁଏ।

ହଁ, ନିଶ୍ଚୟ। ମୁଁ ତୋ ପାଇଁ ବହୁତ ଖୁସି।

ସେ ମୋତେ ଉପରୁ ତଳ ପର୍ଯ୍ୟନ୍ତ ଥରେ ଚାହିଁଲା।
ମୋ ଦେହରେ ସେତେବେଳେ ଥିଲା ଏକ ସାଧାରଣ ସାର୍ଟ, ହାତରେ ପୁରୁଣା ଘଣ୍ଟା ଆଉ ପାଦରେ ଧୂଳି ଲାଗିଥିବା ଚପଲ।

ତା’ର ମୁହଁରେ କିଛି ଗୋଟାଏ ଅସନ୍ତୋଷର ଛାଇ ଖେଳିଗଲା।

ସେ ପଚାରିଲା, ତୁମେ ଏବେ ବି କବିତା ଲେଖୁଛ?

ହଁ। ସମୟ ମିଳିଲେ ଲେଖୁଛି।

ସେଥିରୁ କିଛି ରୋଜଗାର ହେଉଛି?

ରୋଜଗାର ପାଇଁ ନୁହେଁ ତୋ ପାଇଁ ମୋ ଖୁସି ପାଇଁ କବିତା ଲେଖୁଛି। ଏମିତି ଟିକେ ସ୍ୱପ୍ନ ଗୋଟେ ଆଶାରେ ଚାଲୁଛି।

ଅର୍ପଣ, ଜୀବନ କେବଳ ଆଶାରେ ଚାଲେ ନାହିଁ।

ଜାଣେ। କିନ୍ତୁ ଆଶା ନଥିଲେ ଜୀବନ କାହିଁ ?

ସେ ମୋ କଥା ଶୁଣିଲା, କିନ୍ତୁ କିଛି ଉତ୍ତର ଦେଲା ନାହିଁ।
ମୁଁ ବୁଝିପାରି ନଥିଲି, ତା’ର ନୀରବତା ଭିତରେ ମୋ ପ୍ରତି ଅବଜ୍ଞା ଭାବ ଥିଲା।

ଧୀରେଧୀରେ ଅଲିଭା ମୋଠାରୁ ଦୂରେଇବାକୁ ଲାଗିଲା।
ଆଗରୁ ମୋର ଫୋନ୍ ଆସିଲେ ସେ ଖୁସିରେ କଥା ହେଉଥିଲା। ଏବେ ଫୋନ୍ ଉଠାଇବାକୁ ବି ତା’ର ସମୟ ନଥିଲା। ଆଗରୁ ମୋ କବିତା ପଢ଼ି ଭୁଲ୍ ଧରୁଥିଲା, ପସନ୍ଦର ଧାଡ଼ିଗୁଡ଼ିକୁ ବାରମ୍ବାର ପଢ଼ୁଥିଲା। ଏବେ କବିତାର କଥା ଉଠାଇଲେ ତା’ର ମୁହଁ ବିରକ୍ତିରେ ଭରିଯାଉଥିଲା।

ଦିନେ ମୁଁ ତାକୁ ଏକ ନୂଆ କବିତା ଶୁଣାଇବାକୁ ଚାହିଁଲି।
କବିତାଟି ମୁଁ ତା’ ପାଇଁ ଲେଖିଥିଲି। କେତେ ଖୁସିରେ ମୁଁ କବିତାଟି ନେଇ ତା ପାଖକୁ ଗଲି।

ଅଲିଭା, ଟିକିଏ ସମୟ ଅଛି? ତୋତେ କିଛି ଶୁଣାଇବି।
ସେ ମୋବାଇଲ୍‌ରେ କାହା ସହ କଥା ହେଉଥିଲା। ମୋତେ ଅପେକ୍ଷା କରିବାକୁ କହିଲା। କିଛି ସମୟ ପରେ ଫୋନ୍ ରଖି କହିଲା, କ’ଣ ଶୁଣାଇବ?

ମୁଁ ଖୁସିରେ ଖାତା ଖୋଲିଲି।ତୋ ପାଇଁ ଲେଖିଛି।
ସେ କବିତାର ପ୍ରଥମ କିଛି ଧାଡ଼ି ପଢ଼ିଲା। ତା’ପରେ ଖାତାଟି ମୋ ହାତକୁ ଫେରାଇଦେଲା।

ଅର୍ପଣ, ତୁମେ ଏବେ ବି ଏସବୁରେ ସମୟ ନଷ୍ଟ କରୁଛ?

ମୁଁ ଯେମିତି ହଠାତ୍ ଶୂନ୍ୟରୁ ଖସିପଡ଼ିଲି। ସମୟ ନଷ୍ଟ?

ହଁ। ତୁମ ବୟସର ଲୋକମାନେ ଏତେବେଳକୁ ନିଜ ଜୀବନରେ କେତେ ଆଗକୁ ଚାଲିଗଲେଣି। କିଏ ଘର କରୁଛି, କିଏ ଗାଡ଼ି କିଣୁଛି, କିଏ ବ୍ୟବସାୟ କରୁଛି। ଆଉ ତୁମେ ଏବେ ବି ଖାତାରେ କବିତା ଲେଖୁଛ! ସେ ପେଟ୍ରୋଲ ପମ୍ପ ବଏ ହୋଇ କି ରୋଜଗାର କରୁଛ ?

କିନ୍ତୁ ତୁ ତ କହିଥିଲୁ ମୋ କବିତା ତୋତେ ବହୁତ ପସନ୍ଦ।ଏ କବିତା ମୋତେ ଦିନେ ଦୁନିଆଁ ଆଗରେ ପରିଚୟ ଟିଏ ଦେଵ !

ସେ ହସିଦେଲା।ସେ ହସରେ ଆଗର ପ୍ରେମ ନଥିଲା। ନଥିଲା ଆତ୍ମୀୟତା। ଥିଲା କେବଳ ଏକ  ଅବଜ୍ଞା।

ସେତେବେଳେ ଆମେ ପିଲା ଥିଲେ, ଅର୍ପଣ। ଜୀବନକୁ ନେଇ ଅନେକ କଳ୍ପନା କରୁଥିଲେ। କିନ୍ତୁ ବାସ୍ତବ ଜୀବନ କଳ୍ପନାରେ ଚାଲେ ନାହିଁ।

ମୁଁ କିଛି କହିଲି ନାହିଁ। ମୋ ହାତରେ ଥିବା ଖାତାଟି ହଠାତ୍ ଖୁବ୍ ଭାରୀ ଲାଗିଲା। ଯେମିତି ସେଥିରେ କାଗଜ ନୁହେଁ, ମୋର ସମସ୍ତ ଅପମାନ,ଅସଫଳତା ଲେଖା ହୋଇ ରହିଛି।

ମନ ହେଉଥିଲା ପଚାରିବାକୁ , ମୋ ଘର ବନ୍ଧକ ରଖିବା ବେଳେ ବାସ୍ତବ ଜୀବନ କୁଆଡ଼େ ଯାଇଥିଲା? ମୋର ସମସ୍ତ ସଞ୍ଚୟ ନେବା ବେଳେ ତୋର ସେହି ବାସ୍ତବବାଦୀ ମନ କାହିଁକି ନଥିଲା? ପେଟ୍ରୋଲପମ୍ପ ବଏ ର ରୋଜଗାର ନେଇ ପଢିଲା ବେଳେ ଏସବୁ ଭାବି ନଥିଲୁ କାହିଁକି ? ମୋ ହାତ ଧରି ଭବିଷ୍ୟତ ଗଢ଼ିବାର ପ୍ରତିଶ୍ରୁତି ଦେବାବେଳେ କାହିଁକି ମୋତେ ପିଲା ବୋଲି ଭାବି ନଥିଲୁ?

ଆମେ ଯାହାକୁ ହୃଦୟ ଦେଇ ଭଲ ପାଇଥାଉ, ତା’ ଆଗରେ ପ୍ରତିବାଦ କରିବାର ଶକ୍ତିଟି ମଧ୍ୟ ହରାଇ ବସୁ।

ଦିନ ଗଡ଼ିବା ସହିତ ଅଲିଭାର ଆଚରଣ ଆହୁରି ବଦଳିଗଲା।

ଏବେ ମୁଁ ତା’ ସହ କଥା ହେବାକୁ ଚାହିଁଲେ ସେ କାମର ବାହାନା କରୁଥିଲା। ଦେଖା କରିବାକୁ ଚାହିଁଲେ ବ୍ୟସ୍ତତା ଦେଖାଉଥିଲା। ମୁଁ ମୋ ଘରର ବନ୍ଧକ ଋଣ କଥା ଉଠାଇଲେ ସେ କହୁଥିଲା, ଟିକିଏ ଅପେକ୍ଷା କରିବାକୁ।
ମୁଁ ଅପେକ୍ଷା କରୁଥିଲି।କେବଳ ଟଙ୍କା ଫେରିପାଇବା ପାଇଁ ନୁହେଁ, ତା’ ଭିତରେ ହଜିଯାଇଥିବା ପଛର ଅଲିଭାକୁ ଫେରିପାଇବା ପାଇଁ।

ମୋର ବିଶ୍ୱାସ ଥିଲା, ଏହା ସାମୟିକ ପରିବର୍ତ୍ତନ। ନୂଆ ଚାକିରି, ନୂଆ ପରିବେଶ, ନୂଆ ଦାୟିତ୍ୱ ସବୁ ତାକୁ ବ୍ୟସ୍ତ କରି ରଖିଛି। ଦିନେ ସେ ନିଜେ ବୁଝିବ। ଦିନେ ମୋ ପାଖକୁ ଫେରି ଆସିବ।

କିନ୍ତୁ ମଣିଷ ଯେତେବେଳେ ନିଜ ସ୍ୱାର୍ଥକୁ ହୃଦୟଠାରୁ ଉପରେ ରଖିଦିଏ, ସେତେବେଳେ ତାକୁ ଫେରାଇ ଆଣିବା ପାଇଁ କେବଳ ଭଲ ପାଇବା ଯଥେଷ୍ଟ ହୁଏ ନାହିଁ।

ଦିନେ ସନ୍ଧ୍ୟାରେ ଅଲିଭା ମୋତେ ଦେଖା କରିବାକୁ ଡାକିଲା।

ମୁଁ ମନେମନେ ଖୁସି ହୋଇଗଲି। ଭାବିଲି, ବୋଧହୁଏ ସେ ପୁଣି ଆମ ସମ୍ପର୍କକୁ ନେଇ କିଛି ଭାବିଛି। ବୋଧହୁଏ ମୋ ଘରର ଋଣ ସୁଝିବା କଥା କହିବ। ବୋଧହୁଏ ଆମେ ଏଣିକି ଏକ ହୋଇଯିବୁ।

ଅର୍ପଣ, ଆମ ଦୁହିଁଙ୍କ ଜୀବନ ଏକା ଭଳି ନୁହେଁ। ତୁମର ଭାବନା ଅଲଗା, ମୋର ଜୀବନଶୈଳୀ ଅଲଗା। ତୁମେ ଏବେ ବି ଅତୀତକୁ ଧରି ବସିଛ।

ମୁଁ ଅତୀତକୁ ଧରି ବସିନାହିଁ, ଅଲିଭା। ମୁଁ କେବଳ ଆମେ ଦୁହେଁ ମିଶି ଯେଉଁ ଭବିଷ୍ୟତ ଦେଖିଥିଲେ, ତାକୁ ମନେ ପକାଉଛି।

ସେ ମୁହଁ ଫେରାଇ କହିଲା,ସେ ଭବିଷ୍ୟତ ଆଉ ସମ୍ଭବ ନୁହେଁ।

ଅର୍ପଣ, ପ୍ରେମରେ ପେଟ ଭରେ ନାହିଁ। ମୁଁ ଜଣେ ଆର୍ଥିକ ଭାବେ ସ୍ଥିର, ସଫଳ ଜୀବନସାଥୀ ଚାହେଁ। ତୁମ ସହିତ ମୋର ଭବିଷ୍ୟତ ଅନ୍ଧକାର। ଆମେ ଅଲଗା ହୋଇଯିବା ଭଲ।

ସେହି ମୁହୂର୍ତ୍ତରେ ମୋତେ ଲାଗିଲା, ପୃଥିବୀଟା ଯେମିତି ମୋ ମୁଣ୍ଡ ଉପରେ ଭାଙ୍ଗିପଡ଼ିଲା।ମୁଁ ତା’ ମୁହଁକୁ କେବଳ ଚାହିଁ ରହିଲି।

ମୋତେ ଲାଗିଲା, ମୋ ଜୀବନର ସବୁଠୁ ସୁନ୍ଦର କବିତାଟି ଆଜି ଅନ୍ୟ କାହା ଦ୍ୱାରା ନୁହେଁ, ମୋ ନିଜ ହାତରେ ହିଁ ମରିଗଲା।

କିନ୍ତୁ ଘରକୁ ଫେରିବା ବାଟରେ ମୋ ଆଖି ଆଗରେ ବାରମ୍ବାର ଭାସି ଉଠୁଥିଲା ବାପାଙ୍କ ସେହି ଛୋଟ ଘରଟି।

ଭାବୁଥିଲି, ଯେଉଁ ଘର ମୋତେ ଆଶ୍ରୟ ଦେବା ପାଇଁ ବାପା ରଖିଯାଇଥିଲେ, ସେହି ଘରକୁ ମୁଁ ଆଉ ଜଣଙ୍କ ସ୍ୱପ୍ନ ପାଇଁ ବନ୍ଧକ ରଖିଦେଲି। ଯେଉଁ ମଣିଷକୁ ଜୀବନସାରା ମୋ ପାଖରେ ରଖିବି ବୋଲି ଭାବିଥିଲି, ସେ ମୋତେ ଅଧା ରାସ୍ତାରେ ଛାଡ଼ିଦେଲା।ସେଦିନ ପ୍ରଥମଥର ପାଇଁ ମୁଁ ନିଜକୁ ଖୁବ୍ ଅସହାୟ ଓ ନିର୍ବୋଧ  ମନେ କଲି।

ମୋତେ ବଞ୍ଚିବାକୁ ଥିଲା। କାରଣ ଭାଙ୍ଗିଯାଇଥିବା ମଣିଷକୁ ବି ଭୋକ ଲାଗେ। ଋଣର କିସ୍ତି ଦେବାକୁ ହୁଏ। ଘରଭଡ଼ା ସୁଝିବାକୁ ହୁଏ। ମାଆ ପାଇଁ ଔଷଧ ଆଣିବାକୁ ପଡେ। ପୃଥିବୀ ତା’ର ଗତିରେ ଚାଲିଥାଏ, ଯଦିଓ କାହାରି ଜୀବନ ମଝି ରାସ୍ତାରେ ଅଟକି ଯାଇଥାଏ।ମୋ ଜୀବନ ବି ଅଟକି ଯାଇଥିଲା।କିନ୍ତୁ ମୁଁ ଚାଲୁଥିଲି।

ଏବେ ଆଉ ଅଲିଭାର ଫୋନ୍‌କୁ ଅପେକ୍ଷା କରୁ ନଥିଲି। ତା’ର ଫଟୋ ଦେଖିବାକୁ ଚେଷ୍ଟା କରୁ ନଥିଲି। କାହା ପାଖରୁ ତା’ର ଖବର ଶୁଣିବାକୁ ମଧ୍ୟ ଚାହୁଁ ନଥିଲି।
ତଥାପି ମନର କୌଣସି ଗୋଟିଏ ନିର୍ଜନ କୋଣରେ ସେ ଥିଲା !

ମୁଁ ଅଲିଭାକୁ ଭୁଲିଯାଇଛି ବୋଲି ନିଜକୁ କହୁଥିଲି। କିନ୍ତୁ  ରାତିରେ ସ୍ୱପ୍ନ ଦେଖୁଥିଲି,ଆମେ ଆମ ଘର ବାରଣ୍ଡାରେ ବସିଛୁ। ଅଲିଭା ମୋ କବିତା ପଢ଼ୁଛି। କହୁଛି,
ଅର୍ପଣ, ତୁମେ ଦିନେ ବହୁତ ବଡ଼ କବି ହେବ।

କିନ୍ତୁ ଆଖି ଖୋଲିବା ପରେ ଦେଖୁଥିଲି, ମୋ ଭଡ଼ାଘରର ଛାତରୁ ପାଣି ଗଳୁଛି। ଝରକା ବାହାରେ ରାତିର ଅନ୍ଧାର ବୁଲୁଛି। ମୋ ପାଖରେ ନା ଅଛି ଅଲିଭା , ନା ମୋ ବାପାଙ୍କ ଘର। ରୋଗୀଣା ମାଆ ଆଉ ମୋ ଅଧୁରା ସ୍ୱପ୍ନ ଭିତରେ କେବଳ ମୁଁ ଅଛି।ମୋ ଅଧାଲେଖା କବିତାଗୁଡ଼ିକ ଅଛି।

ଆଉ ଅଛି ଗୋଟିଏ ଦୀର୍ଘ ନୀରବତା।

ପଛକୁ ଭୁଲି ଏବେ ମୋ ପାଦକୁ ଦ୍ରୁତ କରୁଛି ।

Satyabati swain



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy