ବି. ନିରୁପମା

Children Stories

4.5  

ବି. ନିରୁପମା

Children Stories

ମଧୁ ଓ ମାଳତୀ

ମଧୁ ଓ ମାଳତୀ

5 mins
385


     ଶରଧାପୁର ରାଜ୍ୟର ରାଜକୁମାରୀ ମାଳତୀ ସୁନ୍ଦରୀ ବୃଦ୍ଧ ପିତାମାତାଙ୍କର ଏକମାତ୍ର ସନ୍ତାନ । ଧନ ସମ୍ପତ୍ତି ,ସୁଖ ଶିରୀ କୋଉଥିରେ ଅଭାବ ନାହିଁ । ଫୁଲ ଦୋଳିରେ ଝୁଲି , ସୁନା ଥାଳିରେ ଖାଆନ୍ତି ସେ । ସେବା ଲାଗି ଖଞ୍ଜା ହୋଇଥା'ନ୍ତି ଶହ ଶହ ଦାସୀ ପରିବାରୀ ।


    ରାଜକୁମାରୀଙ୍କୁ ଷୋହଳ ବର୍ଷ ପୂରିବ । ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବାକୁ ସାରା ରାଜ୍ୟ ଉଦବିଗ୍ନର ସହ ଅପେକ୍ଷା କରିଥାଆନ୍ତି । ବିଭିନ୍ନ ସ୍ଥାନରେ ଉଚ୍ଚ ତୋରଣ ସବୁ ତିଆରି ହୋଇଥାଏ । ରାଜକୁମାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥାଏ। ସର୍ବ ସାଧାରଣରେ ବିଚରଣ ନିମନ୍ତେ ତାଙ୍କୁ ବାରଣ ହୋଇଥାଏ। କାରଣ ମାଳତୀସୁନ୍ଦରୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ପଡ଼ୋଶୀ ରାଜକୁମାରଙ୍କ ଭିତରେ ପ୍ରତିଯୋଗିତା ଲାଗି ରହିଥାଏ । ସେନାପତିଙ୍କ ପୁତ୍ର ମଧୁମୋଦକ ରାଜକୁମାରୀଙ୍କ ବାଲ୍ୟକାଳ ସାଥୀ ।ହେଲେ କଡ଼ା ସୁରକ୍ଷା ବ୍ୟବସ୍ଥା କାରଣରୁ ସେ ମଧ୍ୟ ମାଳତୀଙ୍କୁ ସାକ୍ଷାତ କରିପାରୁ ନ ଥା'ନ୍ତି ।


    ଏମିତି ସବୁ ଆୟୋଜନ ଭିତରେ ଏକ ଅଘଟଣ ଘଟିଲା ।ରାଜ୍ୟର ସୀମାରେ ଥିବା ଏକ ମନ୍ଦିରକୁ ଦିଅଁ ଦର୍ଶନ କରିବାକୁ ଯାଇଥିଲେ ରାଜକୁମାରୀ । ଅଚାନକ ନାଗକର୍ଣ୍ଣ ନାମକ ଗୋଟାଏ ରାକ୍ଷସ ନିଜ ଦଳବଳ ଘେନି ପଥରୋଧ କଲା। କେହି କିଛି କହିବା ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ ଆରମ୍ଭ କରି ଦେଲେ। ଅନେକ ହତାହାତ ହେଲେ। ରାକ୍ଷସ ରାଜକୁମାରୀଙ୍କୁ ଅପହରଣ କରି ପଳାୟନ କଲା।ସାରା ରାଜ୍ୟରେ ଚହଳ ପଡ଼ିଗଲା ।ମହାରାଜ ରାଜକୁମାରୀଙ୍କ ମୁକ୍ତି ପାଇଁ ଦଶ ହଜାର ସୈନ୍ୟ ପଠାଇଲେ ।ହେଲେ ମାଳତୀସୁନ୍ଦରୀଙ୍କ ସନ୍ଧାନ ମିଳିଲାନି ।ପଡ଼ୋଶୀ ରାଜ୍ୟମାନଙ୍କର ସାହାଯ୍ୟ ଲୋଡ଼ା ଗଲା ; କିନ୍ତୁ ସବୁ ପ୍ରୟାସ ବୃଥା ହେଲା ।


    ବିବ୍ରତ ରାଜା ଅମାତ୍ୟମାନଙ୍କ ସହ ଅନେକ ବିଚାର ଆଲୋଚନା କଲେ। ଶେଷରେ, 'ଯେଉଁ ରାଜପୁତ୍ର ରାଜକୁମାରୀଙ୍କୁ ଫେରାଇ ଆଣିବ, ସେ ମାଳତୀ ସୁନ୍ଦରୀଙ୍କ ପାଣି ଗ୍ରହଣ କରିବ' ବୋଲି ମହାରାଜ ଘୋଷଣା କଲେ । ରାଜକନ୍ୟାଙ୍କୁ ବିବାହ କରିବା ଆଶାରେ ଅନେକ ଦେଶର ରାଜପୁତ୍ର, ସେନାନାୟକ ଆଉ ସାହସୀ ବୀର ଯୁବକ ପାଦ ବଢ଼ାଇଲେ ।ହେଲେ ସେମାନେ ରାଜକୁମାରୀଙ୍କୁ ଉଦ୍ଧାର କରିବା ତ ଦୂରର କଥା , କେତେକ ରାକ୍ଷସ ନାଗକର୍ଣ୍ଣ ଦ୍ୱାରା ନିହତ ହେଲେ ।


   ଏମିତି କେତେ ମାସ ବିତିଗଲା। ମାଳତୀ ସୁନ୍ଦରୀଙ୍କୁ ଫେରାଇ ଆଣିବା ସହଜ ନୁହେଁ ବୋଲି ସମସ୍ତେ ବୁଝି ସାରିଥାନ୍ତି। ଧୀରେ ଧୀରେ ରାଜକୁମାରୀଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଶିଥିଳ ହୋଇ ପଡୁଥାଏ। କିନ୍ତୁ ମାଳତୀ ସୁନ୍ଦରୀଙ୍କୁ ଖୋଜି ବାହାର କରିବାକୁ ତାଙ୍କ ପ୍ରିୟ ସାଥୀ ମଧୁମୋଦକ ବଜ୍ର ଶପଥ ନେଇଥା'ନ୍ତି ।ଉଦ୍ଧାର ନିମନ୍ତେ ବିଫଳ ହେଉଥିବା ଉଦ୍ୟମଗୁଡିକର କାରଣ ବିଷୟରେ ତର୍ଜମା କରୁଥା'ନ୍ତି ।ଏକଦା ଖୋଜି ଖୋଜି ସେ ରାଜ୍ୟ ବାହାରେ ଥିବା ଅରଣ୍ୟ ଭିତରକୁ ଚାଲିଯାଇଥା'ନ୍ତି ।


        ବନବାସୀ ସମ୍ପ୍ରଦାୟର କେତେଜଣ ସ୍ତ୍ରୀଲୋକ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥା'ନ୍ତି । ଏକ ମହାବଳ ବାଘ ହଠାତ ସେମାନଙ୍କ ଦିଗରେ ଲମ୍ଫ ପ୍ରଦାନ କଲା । ସେମାନେ ଭୟରେ ଆର୍ତ୍ତନାଦ କଲେ । ନିକଟରେ ଥିବା ମଧୁମୋଦକ, ଚିତ୍କାର ଶୁଣି ତୁରନ୍ତ ଧାଇଁ ଆସିଲେ ଏବଂ ବାଘକୁ ଅସ୍ତ୍ର ଦ୍ୱାରା ଘଉଡ଼ାଇ ଦେଇ ସେମାନଙ୍କ ପ୍ରାଣରକ୍ଷା କଲେ । ଶବ୍ଦକୁ ଅନୁସରଣ କରି, ଦୂରରେ ଥିବା କେତେଜଣ ପୁରୁଷ ବନବାସୀ ମଧ୍ୟ ଧାଇଁ ଆସିଲେ । ମଧୁମୋଦକଙ୍କ ବୀରତ୍ବ ଦେଖି ସେମାନେ ତାଙ୍କୁ ସର୍ଦ୍ଦାରଙ୍କ ପାଖକୁ ଯିବାକୁ ଅନୁରୋଧ କଲେ । ବନବାସୀଙ୍କ ଠାରୁ ସବୁ କଥା ଶୁଣି ବନବାସୀ ସର୍ଦ୍ଦାର ଆନନ୍ଦିତ ହେଲେ । ସେ ମଧୁମୋଦକଙ୍କ ସମ୍ମାନାର୍ଥେ ଏକ ଛୋଟ ଭୋଜିର ଆୟୋଜନ କଲେ। ସର୍ଦ୍ଦାରଙ୍କ ଆଗ୍ରହ କ୍ରମେ ମଧୁମୋଦକ ତାଙ୍କ ଭ୍ରମଣର ଉଦ୍ଦେଶ୍ୟ ସହ ସବୁ ଘଟଣା ବର୍ଣ୍ଣନା କଲେ ।


      ସର୍ଦ୍ଦାର ଆଗରୁ ନାଗକର୍ଣ୍ଣ ବିଷୟରେ ଅବଗତ ଥିଲେ । ତେଣୁ ରାକ୍ଷସର ଅବସ୍ଥିତି, ପରାକ୍ରମ ଏବଂ କ୍ଷମତା ବିଷୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ। ସହାୟତା ଲାଗି ସେ କେତେଜଣ ଯୁଦ୍ଧ ନିପୁଣ ଅନୁଚରଙ୍କୁ ସେନାପତି ପୁତ୍ରଙ୍କ ସହ ପଠାଇଲେ ।


        ମିଳିଥିବା ସୂଚନା ମୁତାବକ ଅରଣ୍ୟର ଏକ ନିର୍ଦ୍ଦିଷ୍ଟ ଦିଗରେ ଅଗ୍ରସର ହେଲେ ମଧୁମୋଦକ। ଆଗରେ ପରିଦୃଷ୍ଟ ହେଲା କ୍ଷୁଦ୍ର ଜଳାଧାରଟିଏ। ସତେ ଅବା ପାହାଡର ଛାତି ଚିରି ନିମ୍ନକୁ ଧାଇଁ ଆସିଛି ଝରଣାଟି ! କାଚକେନ୍ଦୁ ପରି ନିର୍ମଳ ଜଳ ଦେଖି ମଧୁ ମୋଦକ ଆଞ୍ଜୁଳାଏ ପାଣି ନେଇ ତୃଷା ନିବାରଣ କଲେ। କେତେଜଣ ଅନୁଚର ତାଙ୍କୁ ଅନୁସରଣ କଲେ।


       " ଏ ଝରଣାର ଉତ୍ପତ୍ତିସ୍ଥଳ ସେଇ ପର୍ବତରୁ ହୋଇଛି। ପର୍ବତ ଗୁହାରେ ରହିଛି କେତୋଟି ଗୁମ୍ଫା। ତାହା ରାକ୍ଷସର ସାମୟିକ ବାସସ୍ଥାନ। ଆମକୁ ମିଳିଥିବା ସୂଚନା ସତ୍ୟ ହୋଇଥିଲେ, ରାକ୍ଷସ ତାର ସମସ୍ତ ଅନୁଚରଙ୍କ ସହ ଏବେ ସେଠାରେ ବିଶ୍ରାମ କରୁଥିବ। ସନ୍ଧ୍ୟା ସମୟରେ ସେ ନୈଶ୍ୟହାର ଲାଗି ବାହାରିବ। ସେହି ସମୟରେ ଆମେ ଗୁମ୍ଫାରେ ପ୍ରବେଶ କରିବା।" ବରିଷ୍ଠ ବନବାସୀ ଅନୁଚରଟି ଜଣାଇଲା।


    "ଏଇ ଆଖପାଖରେ ମଝିରେ ମଝିରେ ଜଣେ ନାରୀ କାନ୍ଦୁଥିବାର ଶୁଣାଯାଏ ।" ଜଣେ ବନବାସୀ କହିଲେ । ଅନ୍ୟ କେତେଜଣ ମଧ୍ୟ ସେହି କଥାକୁ ସମର୍ଥନ କଲେ।

ସନ୍ଧ୍ୟା ବେଳକୁ ମଧୁମୋଦକ ନିଜ ସାଥୀଙ୍କ ସହ ପର୍ବତ ଉପରେ ଲୁଚି ଅପେକ୍ଷା କରିଥାଆନ୍ତି। ନିକଟରୁ ନାରୀ କଣ୍ଠରେ କଇଁ କଇଁ କାନ୍ଦ ଶୁଭିଲା। ସେମାନେ ସତର୍କତାର ସହ କାନ୍ଦଣା ଶୁଣାଯାଉଥିବା ଦିଗକୁ ଅଗ୍ରସର ହେଲେ । ଏକ ଗୁମ୍ଫା ଦେଖାଗଲା । ଗୁମ୍ଫାର ଦ୍ୱାରରେ ଥିବା ବିରାଟ ପଥରକୁ ଘୁଞ୍ଚାଇ କେତେଜଣ ଭିତରକୁ ପ୍ରବେଶ କଲେ ।ଆଉ କେତେଜଣ ମଧୁମୋଦକଙ୍କ ନିର୍ଦ୍ଦେଶ କ୍ରମେ ଛପି ରହିଲେ ପଥର ଓ ଗଛ ଆଢୁଆଳରେ ।


    ଗୁମ୍ଫା ଭିତରେ ରାଜକୁମାରୀ ମାଳତୀସୁନ୍ଦରୀ ବନ୍ଧନରେ ପଡ଼ି କାନ୍ଦୁଥା'ନ୍ତି । ରାକ୍ଷସର ଦୁଇଜଣ ଅନୁଚର ଶୋଇ ରହିଥାନ୍ତି। ବୋଧହୁଏ ନିଶାଶକ୍ତ ଅବସ୍ଥାରେ ଅଚେତ ହୋଇ ପଡ଼ିଥାନ୍ତି। ମଧୁମୋଦକ ତାଙ୍କ ନିକଟକୁ ଗଲେ ।ରାଜକୁମାରୀଙ୍କୁ ବନ୍ଧନମୁକ୍ତ କରିବା ସହ ବେହୋସ ଅନୁଚର ଦ୍ବୟଙ୍କୁ ଦଉଡ଼ିରେ ବାନ୍ଧି ଦେଲେ। ଏତିକିବେଳେ ରାକ୍ଷସର ଆଉକିଛି ଅନୁଚର ତାଙ୍କୁ ଆକ୍ରମଣ କଲେ । ମଧୁମୋଦକଙ୍କ ଇଶାରା ପାଇବା ମାତ୍ରେ ଆଗରୁ ସତର୍କ ହୋଇଥିବା ବନବାସୀ ସୈନ୍ୟ ଧନୁ ତୀର, ବର୍ଚ୍ଛା, ପଥର ଆଦି ସାହାଯ୍ୟରେ ପ୍ରଚଣ୍ଡ ପ୍ରତି ଆକ୍ରମଣ କରିଦେଲେ । ଶେଷରେ ସେମାନେ ରାକ୍ଷସ ଅନୁଚରମାନଙ୍କୁ ପରାସ୍ତ କରି ରାଜକୁମାରୀଙ୍କୁ ସାଥିରେ ଧରି ପ୍ରତ୍ୟାବର୍ତ୍ତନ କଲେ । ବନବାସୀ ସୈନିକ ଓ ସର୍ଦ୍ଦାରଙ୍କୁ ଧନ୍ୟବାଦ ଜଣାଇ ଉଭୟ ରାଜ୍ୟକୁ ଫେରିଲେ ।


   ରାଜକୁମାରୀଙ୍କ ଅପହରଣ ପରେ ମହାରାଜ ଅନେକ ସଂକଟରେ ପଡ଼ିଥିଲେ। ରାଜାଙ୍କ ଦୁଃଖ ଓ ଅନ୍ୟମନସ୍କତା ହେତୁ ରାଜ୍ୟ ଭିତରେ ଶାସନହୀନତା ବଢ଼ି ଚାଲିଥିଲା। ଗୃହଶତ୍ରୁ ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଏହାର ସୁଯୋଗ ନେଇ ବାହ୍ୟଶତ୍ରୁ ଆକ୍ରମଣର ପ୍ରସ୍ତୁତିରେ ମାତିଥିଲେ। ମଧୁ- ମାଳତୀ ରାଜ୍ୟରେ ପହଞ୍ଚିଲେ। ହେଲେ , ଯେଉଁ ରାଜ୍ୟକୁ ରାଜକୁମାରୀ ନିଶିଦିନ ଝୁରି ହେଉଥିଲେ ,ସେହି ରାଜ୍ୟବାସୀ ତାଙ୍କୁ ସହର୍ଷ ସ୍ୱାଗତ କରିବାକୁ କୁଣ୍ଠିତ ହେଲେ । ରାକ୍ଷସର ପ୍ରତି ଆକ୍ରମଣ ଭୟରେ ଝିଅକୁ ଗ୍ରହଣ କରିବେ କି ନାହିଁ ରାଜା ଦ୍ବନ୍ଦ୍ୱରେ ପଡ଼ିଲେ ।


       ତେଣେ ରାକ୍ଷସ ନାଗକର୍ଣ୍ଣ ଗୁମ୍ଫାକୁ ଫେରି ରାଜକୁମାରୀ ଖସି ଚାଲି ଯାଇଥିବାର ଜାଣି, ଶରଧାପୁର ଆକ୍ରମଣ କରିବାକୁ ଯୋଜନା କରୁଥାଏ । ଶେଷରେ ଆପଣା ରାଜ୍ୟର କଲ୍ୟାଣ ଲାଗି ଆଲୋଚନା କରି ମଧୁ ଆଉ ମାଳତୀ ଦୁହେଁ ରାଜ୍ୟ ଛାଡ଼ିଲେ ।ଏମିତି ଯାଉ ଯାଉ ବାଟରେ ସଞ୍ଜ ନଇଁ ଆସିଲା । ଦୁହେଁ ବନ ମଧ୍ୟରେ ଥିବା ଦେବୀ ମନ୍ଦିରରେ ଆଶ୍ରୟ ନେଲେ । ବାଲ୍ୟସାଥୀରୁ ଜୀବନସାଥୀ ହୋଇ ସବୁଦିନ ଏକାଠି ରହିବାକୁ ଶପଥ ନେଲେ। ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ବିବାହ କଲେ ।


        ରାତି ପହିବାକୁ ଅଳ୍ପ ସମୟ ବାକି ଅଛି ।ହଠାତ ଭୟଙ୍କର କୋଳାହଳ ସାଙ୍ଗକୁ ବିକଟାଳ ରଡ଼ିରେ ବନପ୍ରଦେଶ କମ୍ପି ଉଠିଲା ।ମଧୁ ,ମାଳତୀ ଉଠି ଦେଖିବାବେଳକୁ ରାକ୍ଷସ ନାଗକର୍ଣ୍ଣ ସଦଳବଳେ ତାଙ୍କରି ଆଡ଼କୁ ମାଡ଼ି ଆସୁଛି । ହେଲେ ଉଭୟ ଭୀଷଣ ଭାବରେ କ୍ଳାନ୍ତ। ରାଜ୍ୟକୁ ନ ଫେରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ବନବାସୀ ସର୍ଦ୍ଦାରଙ୍କ ନିକଟକୁ ଯାଇ ସାହାଯ୍ୟ ଲୋଡ଼ିବାକୁ ସମୟ କିମ୍ବା ସୁଯୋଗ ନାହିଁ । ଏକୁଟିଆ ଏ ଭୟଙ୍କର ରାକ୍ଷସ ଓ ଅନୁଚରଙ୍କ ସହ ଲଢ଼ି ଜିତିବା ସମ୍ଭବ ନୁହେଁ । ତେଣୁ ସଂକଟରୁ ରକ୍ଷା କରିବାକୁ ଦୁହେଁ ଦେବୀମାଆଙ୍କୁ ପ୍ରାର୍ଥନା କଲେ - " ମାଆ, ବହୁତ ଦିନ ସଂଘର୍ଷ କଲୁ। ଅଲଗା ରହିଲୁ। ଆମକୁ ଆଉ ବିଚ୍ଛିନ୍ନ କରନା। ଏବେ ଆଉ ଦୌଡ଼ିବାକୁ କି ଲଢ଼ିବାକୁ ଶକ୍ତି ନାହିଁ। ଦୟାକରି ଏ ଘୋର ବିପଦରୁ ରକ୍ଷାକର ।ତୁମ ଚରଣରେ ସବୁଦିନ ଲାଗି ଆଶ୍ରୟ ଦିଅ ।"


     ଠାକୁରାଣୀ ତାଙ୍କ ଗୁହାରି ଶୁଣିଲେ ।

     ପୂର୍ବ ଆକାଶରେ ସିନ୍ଦୁରା ଫାଟିଲା। ରାତି ପାହି ସକାଳ ହେଲା। ସୂର୍ଯ୍ୟଙ୍କ ସୁନେଲି ରଙ୍ଗର ପହିଲି କିରଣରେ ଦେଖାଗଲା ମନ୍ଦିର ବେଢ଼ାରେ ଏକ ନୂତନ ସୁନ୍ଦର ଲତାଟିଏ ଫୁଲରେ ଭର୍ତ୍ତି ହୋଇ ମୁଖଶାଳା ଉପରକୁ ଲମ୍ବି ଆସିଛି। ଫୁଲଗୁଡ଼ିକର ମିଠା ମିଠା ବାସ୍ନାରେ ଚଉଦିଗ ଚହଟି ଉଠୁଛି। ମନ୍ଦିରର ପୂଜକ ଶ୍ରଦ୍ଧାର ସହ ପେନ୍ଥାଏ ଫୁଲ ତୋଳି ନେଇ ଘୋଷଣା କଲେ, " ଏଇ ଫୁଲର ନାମ ମଧୁ ମାଳତୀ। ଦେବୀମାଆଙ୍କ ଇଚ୍ଛା, ଏଇ ଫୁଲ ତାଙ୍କ ପୂଜାରେ ବ୍ୟବହାର ହେବ।"


        କିଛି ଦୂରରେ ନାଗଫେଣି କଣ୍ଟା ଗଛଗୁଡ଼ିଏ ଧାଡ଼ି ହୋଇ ଛିଡ଼ାଥା'ନ୍ତି । ମୁଣ୍ଡ ଟୁଙ୍ଗାରି ସତେ ଯେମିତି କହୁଥା'ନ୍ତି- "ଚାହିଁଦେଖ ମଧୁ-ମାଳତୀ, ଆମେ କେମିତି ଆମ ଅପରାଧର ଉପଯୁକ୍ତ ଶାସ୍ତି ଭୋଗୁଛୁ ।"



Rate this content
Log in