Sunil Bastia

Children Stories Inspirational Children

4  

Sunil Bastia

Children Stories Inspirational Children

କଳାବତୀ ପରୀ

କଳାବତୀ ପରୀ

8 mins
451


ଅନେକ ଦିନ ତଳର କଥା... ସୁବର୍ଣ୍ଣ ନଗରୀର ରାଜା ଦୁଷ୍ମନ୍ତ ସ୍ୱଭାବରେ ବହୁତ ଦୁଷ୍ଟ ଓ ଖଳ ପ୍ରକୃତିର ଥିଲେ। ରାଜାଙ୍କ ଗୋଟିଏ ବଡ ଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନଥିଲେ। ଥରେ ରାଜାଙ୍କ ମହଲକୁ ଜଣେ ସିଦ୍ଧପୁରୁଷ ଆସିଲେ। ତାଙ୍କୁ ପରାମର୍ଶ କ୍ରମେ ଦୁଃଖି, ଦରିଦ୍ରଙ୍କୁ ପ୍ରଚୁର ଦାନ କଲେ ରାଜା। ଦାନ କରିବା ପରେ ମଧ୍ୟ ସନ୍ତାନ ଟିଏ ନପାଇ ରାଜା ମନ ଦୁଃଖରେ ବଗିଚାରେ ବସିଥାନ୍ତି। ଆକାଶ ମାର୍ଗରୁ ଶୂନ୍ୟବାଣୀ ହୁଏ "ରାଜା ଦୁଷ୍ମନ୍ତ ନିଜ ସ୍ବଭାବରେ ପରିବର୍ତ୍ତନ ଆଣ। ନିରୀହ ଲୋକଙ୍କ ଧନ ଶୋଷଣ କରି ନୁହେଁ ବରଂ ନିଜ ପରିଶ୍ରମରେ ଉପାର୍ଜିତ ଧନକୁ ଗରିବ ଲୋକଙ୍କୁ ଦାନ କର। ସେହି ଦାନ ର ଶକ୍ତି ରେ ହିଁ ତୁମକୁ ଅବଶ୍ୟ ସନ୍ତାନ ପ୍ରାପ୍ତି ହେବ।" ରାଜା ଚକିତ! ଏ ଶୂନ୍ୟବାଣୀ ଇଶ୍ଵରଙ୍କ ଭାବି ଏହାକୁ ପାଳନ କରିବାକୁ ଲାଗିଲେ

    କିଛି ଦିନ ପରେ ରାଜାଙ୍କ ପୁତ୍ର ଜନ୍ମ ନେଲା ଯାହାର ନାମ ଅଂଶୁମାନ। ରାଜାଙ୍କ ନଗରେ ଖୁସିର ନାଗରା। ଅନେକ ଅପେକ୍ଷାରେ ପୁତ୍ର ଅଂଶୁମାନ କୁ କୋଳରେ ପାଇ ରାଜା, ରାଣୀ ଙ୍କ ଖୁସି କହିଲେ ନ ସରେ। ପୁତ୍ରର ସବୁ ଇଚ୍ଛା ଅର୍ଦ୍ଦଳି କୁ ରାଜା ପୁରା କରୁଥିଲେ। ରାଜପୁତ୍ର ଅଂଶୁମାନ କୁ କଥା ଦେଇଥିଲେ ସଂସାରର ଯାହା ମାଗିବ ତାହା ଦେବା ପାଇଁ ସେ ସଦା ତତ୍ପର। ରାଜପୁତ୍ର ଅଂଶୁମାନ ଛୋଟବେଳୁ ପରୀ ଙ୍କ କାହାଣୀ ଓ ଛବି କୁ ଦେଖିବାକୁ ଭାରି ପସନ୍ଦ କରୁଥିଲା। ସମୟ ଅତିକ୍ରମରେ ରାଜ ପୁତ୍ରକୁ ୨୨ ବର୍ଷ ହେଲାଣି। ଅନେକ ଦେଶ ବିଦେଶରୁ ରାଜପୁତ୍ର ପାଇଁ ବିବାହ ପ୍ରସ୍ତାବ ଆସୁଥାଏ। ରାଜା ଦୁଷ୍ମନ୍ତ ପୁତ୍ରକୁ ବିବାହର କଥା ପଚାରିବାରୁ ପୁତ୍ର ଅଂଶୁମାନ କୁହନ୍ତି ମୋର ଏକ ପରୀ ସହ ବିବାହ କରାଯାଉ। ରାଜା ମନରେ ଭାବିଲେ ଯଦି ସତରେ ଜଣେ ପରୀ ସହ ମୋ ପୁତ୍ରର ବିବାହ ହୁଏ ତେବେ ମୋ ପୁତ୍ର ଓ ମୁଁ ଦୁହେଁ ଲାଭବାନ୍। ପରୀ ମାଧ୍ୟମରେ ଆମେ ସଂସାରର ସବୁ କିଛି ପାଇପାରିବୁ। ଆଉ ସମଗ୍ର ସଂସାରକୁ ନିଜ ଆୟତରେ ରଖିପାରିବୁ। ଅନେକ ବଡ ବଡ ପଣ୍ଡିତ ମାନଙ୍କୁ ରାଜ ଦରବାରକୁ ଡକାଗଲା। ଯେଉଁ ପଣ୍ଡିତ ମର୍ତ୍ତ୍ୟଲୋକକୁ ପରୀ ମାନେ ଆସୁଥିବା ସମୟ ବିଷୟରେ ସୂଚନା ଦେଇପାରିବେ ତାଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଗଲା।

    ପରଦିନ ଜଣେ ବିଶିଷ୍ଟ ପଣ୍ଡିତ କହିଲେ "ଆସନ୍ତା କାଲି ରାତିରେ ଜଣେ ପରୀ ଆର ଗାଁ ମୁଣ୍ଡ ମନ୍ଦିର ବେଢ଼ାକୁ ମାନବ ରୂପ ଧାରଣ କରି ଆସିବେ।" ପରଦିନ ରାତିରେ ରାଜା ଦୁଷ୍ମନ୍ତ ପୁତ୍ରକୁ ଧରି ବାହାରିଲେ ପରୀ କୁ ଆଣିବା ପାଇଁ। ସେଠି ପହଞ୍ଚିଲା ପରେ ଦେଖନ୍ତି ମନ୍ଦିର ବେଢ଼ାରେ ଜଣେ ଝିଅ ବସିଥାଏ। ତାହାର ସୁନ୍ଦର କଳା ଘନ କେଶ ରେ ପଦ୍ମ ଫୁଲ ବନ୍ଧା ହୋଇଥାଏ। ଆଖି ଦୁଇଟି ଭୟରେ ଝାଉଁଳି ପଡୁଥାଏ। ଦେହର ରଙ୍ଗ ସମ୍ପୂର୍ଣ୍ଣ କଳା ଥିଲା କିନ୍ତୁ ସେ ଦେଖିବାକୁ ଏକଦମ୍ ସୁନ୍ଦରୀ ଥିଲା। ସତେ ଯେମିତି ଚିତ୍ରକର ଟିଏ ‌ତା ତୁଳି ରେ ନିଖୁଣ ଭାବରେ ଚିତ୍ର ଟିଏ ଆଙ୍କି ଦେଇ ଯାଇଛି। ରାଜ କୁମାର ଏକ ଲୟରେ ଅନାଇ ରହିଛି ଝିଅ ଟିକୁ। ରାଜା ଦୁଷ୍ମନ୍ତ ଡେରି ନକରି କିଛି ନଭାବି ତାକୁ ଜୋର କରି ଘୋଡା ପିଠିରେ ବସାଇ ଦରବାରକୁ ନେଇଆସିଲେ। ନଗରର ସବୁ ଲୋକମାନଙ୍କୁ ଡକାଇ ଝିଅ ଟିକୁ ସାମ୍ନାରେ ଛିଡ଼ା କରି ରାଜା ଚିତ୍କାର କରି କହିଲେ "ଦେଖ ମୁଁ ଆଜି ଆକାଶ ର ପରୀ କୁ ମୋ ସାଙ୍ଗରେ ନେଇ ଆସିଛି। ବର୍ତ୍ତମାନ ସେ ମଣିଷ ରୂପ ଧାରଣ କରିଛନ୍ତି। ଆଜି ମୋ ପାଖରେ ସଂସାରର ସବୁ ଶକ୍ତି। ମୁଁ ବର୍ତ୍ତମାନ ଠାରୁ ଏ ସଂସାରର ମାଲିକ। ହା ହା ହା...।" ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ।

     ରାଜକୁମାର ସହ ଝିଅ ଟିର ଅନିଚ୍ଛା ସତ୍ତ୍ବେ ବିବାହ କରନ୍ତି ରାଜା ଦୁଷ୍ମନ୍ତ। ପର ଦିନ ରାଜା ଝିଅ ଟି ପାଖକୁ ଯାଇ ପଚାରନ୍ତି..

ରାଜା- ବୋହୂ ପରୀ ଏବେ ତ ତୁମେ ନିଜର ଅସଲ ପରିଚୟକୁ ଫେରିଆସ। ଏବେ ତୁମ ଶକ୍ତି ର ଆବଶ୍ୟକ ମୋତେ।

ଝିଅ- ମୁଁ କୈାଣସି ପରୀ ନୁହେଁ। ମୋ ନାଁ କଳାବତୀ। ଛୋଟ ବେଳୁ ଏକା ସେହି ମନ୍ଦିର ବେଢ଼ାରେ ରହେ। ତୁମେମାନେ ମୋ ସହ କାହିଁକି ଏମିତି କରୁଛ।

ରାଜାଙ୍କ ମନରେ ସନ୍ଦେହ ଆସିବାରୁ ପାଖ ଗାଁ ମୁଖିଆଙ୍କୁ ଡକାଇ ଝିଅ ଟି ବିଷୟରେ ପଚାରିଲେ, ମୁଖିଆ ଉତ୍ତରରେ ଠିକ୍ ତାହାହିଁ କହିଲେ। ଆଉ ମଧ୍ୟ କହିଲେ "ଘର ଘର ବୁଲି ସମସ୍ତଙ୍କ କାମ କରେ କିନ୍ତୁ କାହାଠୁ କାଣି କଉଡ଼ି ଟିଏ ମଧ୍ୟ ନିଏନି, ଖାଲି ପେଟକୁ ଗଣ୍ଡେ ଖାଏ। ଯାହା କୁହନ୍ତୁ ମହାରାଜ ଝିଅଟି କିନ୍ତୁ ସବୁ ଥିରେ ଭଲ, ହୀରା ଖଣ୍ଡେ ତ..। ଖାଲି ଦେଖିବାକୁ ଟିକେ କଳା।" ରାଜା ଏହା ଶୁଣି ଖୁବ୍ ଜୋର୍ ରେ ରାଗି କଳାବତୀକୁ କୁହନ୍ତି "ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇ ବାକୁ ସାହାସ କରୁଛୁ। ଆଜିଠୁ ଏ ମହଲରେ ଚାକରାଣୀ ହୋଇ ରହିବୁ ନଚେତ୍ ଚାଲିଯା ଏଠୁ।" ଏମିତି କହି ଅନେକ ଗାଳି, ମାଡ଼ ଦିଅନ୍ତି। ମହଲରେ ଚାକରାଣୀ ଭାବେ ସବୁ କାମ କରିବା ପରେ ମଧ୍ୟ ତା'ର ରଙ୍ଗ କଳା ହୋଇ ଥିବାରୁ ନାନା କଥା ଶୁଣିବାକୁ ପଡେ। ଏ ସବୁ ସହି ନପାରି ମନଦୁଃଖରେ ଦିନେ ଘରୁ ବାହାରି ଚାଲିଗଲା। ଚାଲୁଚାଲୁ ମନେ ମନେ ଦୁଃଖରେ କହୁଥାଏ "କଳା ବୋଲି କ'ଣ ମୁଁ ମଣିଷ ନୁହେଁ। ଦୁଇ ଦିନ ହେବ ମହଲରେ କେହିବି ଖାଇବାକୁ ଦେଇନାହାନ୍ତି, ହେ ଭଗବାନ କିଛି ଖାଇବାକୁ ଦିଅ।"

     ଏହା ଦେଖି ଆକାଶରେ ଉଡୁଥିବା ପରୀକୁ ବହୁତ ଦୟା ଲାଗିଲା। ସାଙ୍ଗେ ସାଙ୍ଗେ ଅନେକ ପ୍ରକାର ସ୍ୱାଦିଷ୍ଟ ଫଳ ମୂଳ ଧରି ତଳକୁ ଓହ୍ଲାଇ ଆସିଲେ। କଳାବତୀ ହଠାତ୍ ପରୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।

କଳାବତୀ- ତୁମେ କିଏ?

ପରୀ- ମୁଁ ପରୀ ରାଇଜରୁ ଆସିଛି। ତୁମ ସରଳ ଓ ସୁନ୍ଦର ହୃଦୟ ପାଇଁ ମୁଁ ତୁମ ଉପରେ ବହୁତ ଖୁସି। ଶୀଘ୍ର ଗୋଟିଏ ତୁମର ଇଚ୍ଛା ପ୍ରକାଶ କର କଳାବତୀ।

କଳାବତୀ- ସତରେ ତୁମେ ପରୀ! ତେବେ ମୋର ଇଚ୍ଛା, ଏ ସଂସାରର ସବୁ ଦୁଃଖିଙ୍କ ଦୁଃଖ ଦୂର କରିଦେଇପାରିବ?

ପରୀ- ନିଶ୍ଚୟ ପାରିବି, କିନ୍ତୁ ତୁମ ନିଜ ପାଇଁ କିଛି ତ ମାଗ କଳାବତୀ।

କଳାବତୀ- ହୁଁ... ହଁ ମୋ ଭଳି ଥିବା ସବୁ କଳା ଝିଅଙ୍କୁ ଗୋରା କରିଦିଅ। ଯାହାଦ୍ବାରା ସେମାନେ ସଂସାରରେ ଅବହେଳିତ ନ ହୋଇ ସମ୍ମାନର ସହ ଚଳିବେ।

ପରୀ- ନା ଏହା ମୁଁ ପାରିବିନି। ଏହା ଇଶ୍ଵରଙ୍କ ତୁମ ମାନଙ୍କ ପ୍ରତି ବିଶେଷ ଭଲପାଇବା। ସଂସାରର କିଛି ଭଲ ମଣିଷଙ୍କୁ ସେ ଭିନ୍ନ ରଙ୍ଗରେ ଓ ଭିନ୍ନ ଢ଼ଙ୍ଗରେ ସଜାଇଥାନ୍ତି। ଯେମିତିକି ଅତି ସହଜରେ ସେହି ମଣିଷ ମାନଙ୍କ ଉପରେ ନଜର ରଖି ପାରିବେ। ମୁଁ ତୁମର ପ୍ରଥମ ଇଚ୍ଛା ଟି ନିଶ୍ଚିତ ପୁରା କରିବି। ପ୍ରତିବଦଳରେ ତୁମକୁ ମୋତେ କିଛି ସାହାଯ୍ୟ କରିବାକୁ ପଡ଼ିବ।

କଳାବତୀ- ମୁଁ ସାମାନ୍ୟ ମଣିଷ ତୁମକୁ କି ସାହାଯ୍ୟ କରିପାରେ।

ପରୀ- ମୋତେ ଗଙ୍ଗାଜଳ ଆବଶ୍ୟକ। ଆମ ରାଣୀ ପରୀଙ୍କୁ ମୁକ୍ତ କରିବା ପାଇଁ।

କଳାବତୀ- ରାଣୀ ପରୀ? କ'ଣ ହୋଇଛି ତାଙ୍କର।

ପରୀ- ତାଙ୍କୁ ଜଣେ ଅସୁରୁଣୀ ବନ୍ଦୀ କରି ରଖିଛି। ତାଙ୍କୁ ମୁକ୍ତ କରିବା ପାଇଁ ଆଜିଠୁ ୬୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମାଠିଆରେ ଗଙ୍ଗାଜଳ ସଂଗ୍ରହ କରିବାକୁ ପଡ଼ିବ। ଠିକ୍ ୬୦ ଦିନ ପରେ ଆସୁଥିବା ପୂର୍ଣ୍ଣିମା ରାତିରେ ସବୁ ଗଙ୍ଗାଜଳକୁ ମିଶାଇ ତାଙ୍କୁ ସ୍ନାନ କରେଇବାକୁ ପଡ଼ିବ। ତା ପୁଣି ସେହି ମଣିଷ ହାତରେ ଯାହାର ମନ ଗଙ୍ଗାଜଳ ଭଳି ପବିତ୍ର ଓ ନିର୍ମଳ। ତେଣୁ ମୁଁ ଜାଣେ ତୁମେ ହିଁ ଏକା ଏହି କାମ କରିବା ପାଇଁ ଯୋଗ୍ୟ।

କଳାବତୀ- ଆପଣ ନିଶ୍ଚିତ ରୁହନ୍ତୁ। ମୁଁ ଆପଣଙ୍କ ରାଣୀ ପରୀଙ୍କୁ ଅବଶ୍ୟ ମୁକ୍ତ କରିବି।

    ସେହିଦିନଠାରୁ କଳାବତୀ ସବୁ ଦିନ ଅନେକ ବାଟ ଚାଲି ଚାଲି ଗଙ୍ଗା ନଦୀରୁ ଜଳ ପାଇଁ ଯାଏ। ପରୀ କଳାବତୀ ର ସବୁବେଳେ ପାଖେ ପାଖେ ରହୁଥାଏ। କଳାବତୀ କୁ ଭୋକ କଲେ ଖାଦ୍ୟ ଆଣିଦିଏ, ତା'ର ପୋଷାକ ସଫା କରିଦିଏ। ପରୀକୁ କିନ୍ତୁ ଗାଁ ଲୋକ କେହି ଦେଖି ପାରୁ ନଥିଲେ। ଯେଉଁ ଲୋକମାନେ କଳାବତୀ କୁ ହଇରାଣ ହରକତ କରୁଥିଲେ ସେମାନେ ଏବେ ତାକୁ ଦେଖି ଥରହର। ତା ପାଖକୁ ଖାଦ୍ୟ, ପୋଷାକ ଶୂନ୍ୟେ ରେ ଆସିବା ଦେଖି ତାକୁ ଭୂତ ସବାର ହୋଇଛି ଭାବି ତା ପାଖ ମାଡୁନଥାନ୍ତି। କଳାବତୀ ସବୁ ଦିନ ମାଠିଆରେ ଜଳ ଆଣି ଆଣି ୩୦ ଦିନ ବେଳକୁ ସେ ପୂରା ଥକି ଯାଇଥିଲା। ଥକାମାରି ନଦୀ କୂଳରେ ବସିଥାଏ, ଆଉ ଭାବୁଥାଏ ମୁଁ ସଫଳ ହେବିତ? ସେ ଦେଖେ ନଦୀକୁ ଆସୁଥିବା ସ୍ତ୍ରୀ ଲୋକମାନେ ପଥର ଖାଲ ରେ ଜଳ ପୂର୍ଣ୍ଣ ମାଠିଆ ଗୁଡ଼ିକ ଥୋଇଛନ୍ତି। ସେ ଲୋକମାନଙ୍କୁ ପଚାରେ ଯାହା ଖାଲି ପେଟକୁ ଗଣ୍ଡେ ଖାଏ। ପଥରର ଗଠନ ଏମିତି ନା ଏହା ତୁମ ମାନଙ୍କ ସୁବିଧା ପାଇଁ କରାଯାଇଛି।" ଲୋକମାନେ କୁହନ୍ତି "ନାଇଁ ଝିଅ, ସବୁଦିନ ଜଳ ଭାର ମାଠିଆ ଏହା ଉପରେ ଥୋଇବା ଯୋଗୁଁ ଧିରେ ଧିରେ ପଥର ଖାଲ ହବାକୁ ଲାଗୁଛି।" ଏହି କଥା କଳାବତୀ ମନରେ ସାହାସ ଭରିଥିଲା। ସବୁ ଦିନ ସାମାନ୍ୟ ଜଳ ଭାର ଯୋଗୁଁ ଯଦି ପଥର କ୍ଷୀଣ ହେଉଛି, ତେବେ ମୋ ସବୁଦିନର ପରିଶ୍ରମ କାଇଁ ଦିନେ ସଫଳତା ର ରୂପ ନ ନେବ। ଏହା ଭାବି ଜଳ ନେଇ ଚାଲିବାକୁ ଲାଗିଲା।

    ଦୀର୍ଘ ୬୦ ଦିନ ପରେ ପୂର୍ଣ୍ଣିମା ରାତିରେ ପରୀ ଆଉ କଳାବତୀ ଗଙ୍ଗାଜଳ ଧରି ବାହାରିଲେ ଅସୁରୁଣୀ ଗୁମ୍ଫାକୁ। ଗୁମ୍ଫାଟି ଅତି ଭୟଙ୍କର ଥିଲା। ଚାରିଆଡ଼େ ଅନ୍ଧାର। ଗଛ ଲତା ରେ ବାଟ ଦିଶୁନଥାଏ। ଗୋଟିଏ କୋଣରେ ମଶାଲ ଟିଏ ଜଳୁଥାଏ। ଭିତରକୁ ଯାଉ ଯାଉ ଗୁମ୍ପା ଦ୍ବାର ରେ ଯଗିଥିବା ବାଘ ଓ ସିଂହ ହାବୁଡ଼ରେ ପଡ଼ିଗଲେ।

ବାଘ- ଆରେ ହେ ସିଂହ ଦେଖିଲୁ ଏ କଳା ମଣିଷ ମାନଙ୍କ ମାଂସ ମିଠାତ?

ସିଂହ- ହଁ ବଡ ଭାଇନା କହୁଥିଲା ତ..। ଅନେକ ଦିନ ହେବ କଅଁଳ ଝିଅ ମାଂସ ଖାଇବାକୁ ଟିକେ ମିଳିନି କିନ୍ତୁ ଆଜି ମିଳିଛି। ଏବେ ତ ମୁଁ ନିଦରୁ ଉଠିଛି ପେଟରେ ପେଟେ ଭୋକ ଅଛି।

ପରୀ କୁ ସେମାନେ ଦେଖି ପାରୁ ନଥିଲେ। କଳାବତୀ କୁ ପରୀ ସେଠି କୈାଣସି ସାହାଯ୍ୟ କରିପାରିଲା ନାହିଁ। କାରଣ ଅଦୃଶ୍ୟ ଶକ୍ତି ଦେଖି ଥିଲେ ହୁଏତ ସେ ଦୁଇ ଜନ୍ତୁ ଅଧିକ ହିଂସ୍ର ହୋଇପଡ଼ିଥାନ୍ତେ।

କଳାବତୀ- ଶୁଣ ବାଘ ମାମୁଁ ଆଉ ସିଂହ ମଉସା ମୁଁ ତ ଜଣିଏ ମଣିଷ। ତୁମେ ଦୁଇ ଜଣଙ୍କ ଭିତରୁ ମୋତେ କିଏ ଖାଇବ କୁହ?

ବାଘ- ତୁମ କଅଁଳ ମିଠା ମାଂସ କେବଳ ମୁଁ ହିଁ ଖାଇବି। ମୁଁ ତୁମକୁ ଠାବ କରିଛି ସେ ତ ଶୋଇପଡି ଥିଲା। ଏଠି ଶୋଇଲା ପୁଅର ଭାଗ ନାହିଁ। କହିଦେଉଛି ହାଁ..

ସିଂହ- କ'ଣ ହେଲା। ଦେଖିବା ମୁଁ କେମିତି ଖାଇବିନି। ଆମେ ଦୁହେଁ ମିଶି ଖାଇବା।

କଳାବତୀ- ଶୁଣ ଶୁଣ। ମୁଁ ତ ମୋ ଘର ବାଟ ଭୁଲି ଯାଇଛି। ତୁମେ ପ୍ରଥମେ ଯାଅ ଜଙ୍ଗଲରେ ନ୍ୟାୟ ବସେଇ ଆସ। ମୋତେ କିଏ ଖାଇବ। ଆସିବା ପର୍ଯ୍ୟନ୍ତ ମୁଁ ଏଇଠି ବସିଲି।

ନିଜ ଭିତରେ ଝଗଡ଼ା କରି ବାଘ, ସିଂହ ଚାଲିଗଲେ ଜଙ୍ଗଲକୁ। ଏମାନେ ଗୁମ୍ଫା ଭିତରେ ଯାଇ ଦେଖନ୍ତି ଗୋଟେ ପଞ୍ଜୁରୀ ଭିତରେ ଶୁଆଟିକୁ ବନ୍ଦୀ କରି ରଖାଯାଇଛି। ଅସୁରୁଣୀ ମାଂସ ତରକାରୀ କରୁଥିଲା ବେଳେ ମଣିଷ ଗନ୍ଧ ଜାଣି ପାରିଲା। ଅସୁରୁଣୀଟିର ନଖ, କେଶ ଗୁଡିକ ଲମ୍ବା ଲମ୍ବା ହେଇଥାଏ ଆଉ ଭାରି ଭୟଙ୍କରୀ ଦିଶୁଥାଏ। ପରୀ ଆଉ କଳାବତୀ କୁ ଦେଖି ପଚାରିଲା "କିଏ ତୁମେ? ଚାଲିଯାଅ, ନଚେତ୍ ତୁମ ଦୁହିଁଙ୍କୁ ଏବେ ତରକାରୀ ରେ ପକେଇ ଖାଇଦେବି।" ଏହା ଶୁଣି ପରୀ ନିଜ ଶକ୍ତି ପ୍ରଦର୍ଶନ କରିବାରୁ ସଙ୍ଗେ ସଙ୍ଗେ ଦୁହିଁଙ୍କୁ ବନ୍ଦୀ କରିଦେଲା।

ଅସୁରୁଣୀ- କିଏ ଆଉ କାହିଁକି ଆସିଛ ମୋ କଳା ନଗରୀକୁ। ତୁମ ମାନଙ୍କର କୈାଣସି ଆବଶ୍ୟକ ନାହିଁ ମୋର।

କଳାବତୀ- ଅତି ଶୀଘ୍ର ଆମ ରାଣୀ ପରୀଙ୍କୁ ମୁକ୍ତ କରିଦେ।

ଅସୁରୁଣୀ- ଓଃ ହୋ! ବର୍ତ୍ତମାନ ରାଣୀ ପରୀ ତ ସବୁଦିନ ପାଇଁ ପଞ୍ଜୁରୀରେ ବନ୍ଦୀ। ବର୍ତ୍ତମାନ ତା'ର ସବୁ ଶକ୍ତି ମୋ ପାଖରେ, କାରଣ ତାର ଯାଦୁ ବାଡ଼ି ମୋ ହାତ ମୁଠାରେ। ଆଉ ତୁମ ଦୁହିଁଙ୍କୁ ବର୍ତ୍ତମାନ ତରକାରୀ ରେ ପକେଇ‌ ଭୋଜନ କରିବା ସୁନିଶ୍ଚିତ। ହା ହା ହା...

କଳାବତୀ- ନାଇଁ ନାଇଁ ଆମକୁ ଛାଡ଼ିଦିଅ। ଆମର ରାଣୀ ପରୀ ଦରକାର ନାହିଁ। ତୁମେ ତାଙ୍କୁ ଖାଅ, ଆମକୁ ନୁହେଁ। ଆଜିଠୁ ଆମେ ତୁମର ମିତ୍ର। ତୁମ ପାଖେ ପାଖେ ରହିବୁ। ତୁମେ ଯାହା କହିବ ଆମେ ସବୁ କାମ କରିବୁ।

ଅସୁରୁଣୀ- ତେବେ ତୁମକୁ ମୁକ୍ତ କଲି। ହା ହା ହା.. ଆଜି ମୁଁ ସବୁଠୁ ଶ୍ରେଷ୍ଠ।

କଳାବତୀ- ହଁ ଯେ ମିତ୍ର... କିନ୍ତୁ ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି। ପଚାରି ପାରିବି?

ଅସୁରୁଣୀ- ହଁ। ପଚାର ମୋର ଦାସୀ ମିତ୍ର।

କଳାବତୀ- ଯେତେବେଳେ ସାଧାରଣ ଲୋକ ପଚାରିବେ ଏ ଯାଦୁ ବାଡି କେଉଁଠୁ ଆଣିଲ ତେବେ ଉତ୍ତରରେ କ'ଣ କହିବ?

ଅସୁରୁଣୀ- କହିବି ରାଣୀ ପରୀ ମୋ ଉପରେ ସନ୍ତୁଷ୍ଟ ହୋଇ ଲୋକ ମାନଙ୍କ ଦୁଃଖ, କଷ୍ଟ ଦୂର କରିବା ପାଇଁ ଏ ଯାଦୁ ବାଡି ଉପହାର ଦେଇଛନ୍ତି।

    ଏହା କହୁ କହୁ ଅସୁରୁଣୀ ଭସ୍ମ ହୋଇଗଲା ଆଉ ଜାଦୁ ବାଡି ତଳେ ପଡ଼ିଗଲା। କାରଣ ଏ ଜାଦୁ ବାଡି ର ନିୟମ ଥିଲା ଯେ କେହିବି ଏହା କୁ ଧରି ମିଛ କହିବ ସେ ସଙ୍ଗେ ସଙ୍ଗେ ଭସ୍ମ ହେବ। ଅସୁରୁଣୀ କୁ ଭସ୍ମ କରିବା ପାଇଁ କଳା ବତୀ ର ଏହା ଉପାୟ ଥିଲା। କଳାବତୀ ସବୁ ଗଙ୍ଗାଜଳ କୁ ନେଇ ପଞ୍ଜୁରୀ ଭିତରେ ଥିବା ଶୁଆ ଉପରେ ଢାଳିଲା। ତା'ପରେ ରାଣୀ ପରୀ ମୁକ୍ତ ହୋଇ ନିଜ ଅବସ୍ଥା କୁ ଫେରି ଆସିଲେ। ରାଣୀ ପରୀ ନିଜ ଜାଦୁ ବାଡି ଦ୍ବାରା ସାଥି ପରୀକୁ ମୁକ୍ତ କଲା। ସାଥି ପରୀ ରାଣୀ ପରୀ କୁ କଳାବତୀ ର ନିଃସ୍ଵାର୍ଥପର ପରିଶ୍ରମ, ବୁଦ୍ଧିମତା, ସରଳତା, ପବିତ୍ରତା, ସୁଗୁଣ ଆଦି ସବୁ ବିଷୟରେ କହିଲା। ଯାହା ଶୁଣିବା ପରେ ରାଣୀ ପରୀ କଳାବତୀ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଗଲେ। ନିଜେ ଧରିଥିବା ଜାଦୁ ବାଡି କୁ କଳାବତୀ କୁ ଦେଇ କହିଲେ "ଏହା ର ବ୍ୟବହାର ପାଇଁ ମୁଁ ନୁହେଁ ବରଂ ତୁମେ ସମ୍ପୂର୍ଣ୍ଣ ଯୋଗ୍ୟ କଳାବତୀ ପରୀ।" ଏହା କହି ଦୁଇ ପରୀ କେଉଁଆଡେ ଉଭାନ ହୋଇଗଲେ।

     କଳାବତୀ ଗାଁକୁ ଯାଇ ସବୁ ଦୁଃଖି, ଦରିଦ୍ର ମାନଙ୍କ ସବୁ ଦୁଃଖ ଜାଦୁ ଝଡି ଦ୍ବାରା ଦୂର କରିଦେଲା। ସବୁ ଆଡେ ଚହଳ ପଡ଼ିଲା କଳାବତୀ ସାଧାରଣ ମଣିଷ ନୁହେଁ ସେ ଜଣେ ପରୀ। ସମସ୍ତେ ଧାଇଁଲେ କଳାବତୀ ପାଖକୁ। ଏହା ସୁବର୍ଣ୍ଣ ନଗରୀର ରାଜା ଦୁଷ୍ମନ୍ତ ଙ୍କ କାନରେ ପଡ଼ିଲା। ନିଜ ନଗରୀ ପାଇଁ ଅନେକ ଧନ ସମ୍ପତ୍ତି ପାଇବା ଆଶାରେ ପୁତ୍ର ଅଂଶୁମାନ କୁ ଧରି ବାହାରିଲେ ପରୀ ପାଖକୁ। ଠିକଣା ଅନୁସାରେ ଯାଇ ପହଞ୍ଚନ୍ତି ମନ୍ଦିର ବେଢ଼ାରେ। ଦେଖନ୍ତି ମୁଣ୍ଡରେ ହୀରା ର ମୁକୁଟ, ସୁନ୍ଦର ବହୁମୂଲ୍ୟ ପୋଷାକ ପିନ୍ଧି ହାତରେ ଜାଦୁ ବାଡି ଧରି ଲୋକଙ୍କ ଘେରରେ ବସିଛି କଳାବତୀ। ଯାହାର ଯାହା ଆବଶ୍ୟକ ତାହା ଶୂନ୍ୟ ରୁ ଆଣି ଦେଉଛି। ଏହା ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ନିଜ ଭୁଲ ବୁଝିପାରି ରାଜା ଦୁଷ୍ମନ୍ତ କଳାବତୀ ର ପାଦ ଧରି କହିଲେ "ମୋର ତୁମକୁ ବୁଝିବାରେ କିଛି ଭୁଲ୍ ରହିଯାଇଥିଲା। ମୋର ଭୁଲ୍ ପାଇଁ ମୁଁ ଲଜ୍ଜିତ। ମୋତେ କ୍ଷମା କରି ମୋ ପୁତ୍ର ସହ ବିବାହ କରନ୍ତୁ କଳାବତୀ ପରୀ।" କଳାବତୀ ପରୀ ରାଜ ପୁତ୍ର ଅଂଶୁମାନଙ୍କ ସ୍ବାର୍ଥହୀନ ଭଲପାଇବା ଓ ସୁଚରିତ୍ର ଦେଖି ଏହି ପ୍ରସ୍ତାବ ରେ ରାଜି ହୋଇଗଲା। ଠିକ୍ ୭ ଦିନ ପରେ ରାଜ ମହଲରେ ଆନନ୍ଦ ଉଲ୍ଲାସର ସହ ରାଜ ପୁତ୍ର ଅଂଶୁମାନ ସହ କଳାବତୀ ପରୀର ବିବାହ ହେଲା।

               


Rate this content
Log in