ତିନି ପ୍ରେମ ପକ୍ଷୀ
ତିନି ପ୍ରେମ ପକ୍ଷୀ
ପ୍ରେମ ଏକ ସ୍ୱର୍ଗୀୟ ଅନୁଭୁତିର କଥା। କିନ୍ତୁ ପ୍ରେମ କାହା ଉପରେ ଅଧିକାର ବା ଆଧିପତ୍ୟ ପାଇଁ ଅନୁମତି ଦିଏନି। ଦୁଇ ମିନିଟ୍ ର ପ୍ୟାକେଜ ଫୁଡ୍ ଭଳି ଫଟାଫଟ୍ ହେଉଛି ଏବେକାର ପ୍ରେମ। ଭୋକ ଏତେ ପ୍ରବଳ ଯେ ପ୍ୟାକେଟ ଭିତରର କଣ୍ଟେଣ୍ଟ ଦେଖିବାକୁ ତର ନାହିଁ। ଚକଚକିଆ ପ୍ୟାକିଙ୍ଗ୍ ଦେଖିବା ପରେ ଆଉ ଗୁଣ ପରଖିବାକୁ ମନ କହୁନି। ଫେସ୍ ରୁ ଆରମ୍ଭ କରି ପର୍ସୋନାଲ ଡାଟା ଯାଏଁ ସବୁଠି ମିଛର ଫିଲଟର। ମୁଁ ଭାବୁଛି ଆମ କ୍ଷେତ୍ରରେ ବୋଧେ ଏହା ନୁହେଁ। ହଉ ସେ ସବୁ କଥା ଛାଡ। ସତ କହିବି ସରୋଜ, ଆଜି ତୁ ବହୁତ ମନେ ପଡୁଛୁ। ପ୍ରଥମରୁ ଦଶମ ଯାଏଁ ଏକାଠି ପଢିଲେ, ଖେଳିଲେ, ବୁଲିଲେ। ଆଉ କଲେଜ ବେଳକୁ ତମ ପରିବାର ସହ ତୁ ଲଣ୍ଡନରେ। ସେବେଠୁ ଯାଇଛୁ ଯେ ଯାଇଛୁ। ଲଣ୍ଡନ ଗଲା ଦିନ ଏଇ ବଣି ଛୁଆଟିକୁ ମୋତେ ଧରେଇ ଯାଇଥିଲୁ। କହିଦେଇ ଯାଇଥିଲୁ "ମୋ ଟିଣ୍ଟି ତତେ ଲାଗିଲା। ଟିଣ୍ଟି କଥା ମୋର ବହୁତ ମନେ ପଡିବ। ତୋ କଥା ତ ସବୁଠୁ ଅଧିକ। ନିଜ ସହ ଟିଣ୍ଟିର ଠିକ୍ ଠାକ୍ ଜତ୍ନ ନବୁ। ଆସୁଛି ସୁଜା।" ରଖିବାକୁ ଚାହୁଁନଥିବା ଏଇ ଟିଣ୍ଟି ବୋଧହୁଏ ଆଜି ମୋର ଅମ୍ଳଜାନ। ଏଇ ଟିଣ୍ଟି ହିଁ ତୋର ଶେଷ ସନ୍ତକ। କେବେ ଫେରିବୁ? ମୁଁ ଆଉ ଟିଣ୍ଟି ଦୁହେଁ ଅପେକ୍ଷାରେ।
ହାତରେ ବଣି ଛୁଆଟିକୁ ଧରି ଏମିତି ଅନେକ କିଛି ଗପି ଯାଉଥାଏ ସୁଜାତା। ଦୁହେଁ ବିତେଇ ଥିବା ପ୍ରତି ମୁହୂର୍ତ୍ତକୁ ଏମିତି ଅନର୍ଗଳ ଗାଳି ଯାଏ ସେ। ସରୋଜକୁ ନପାଇ ଏମିତି ପାଗଳାମି କରିବା ତା'ର ନିତିଦିନିଆ କଥା।
ବଗିଚାର ମାଳୀ ଆସି ହାତରୁ ବଣି ଛୁଆଟିକୁ ନେଇ ତଳେ କଚାଡି ଦେଲା।
-ସବୁବେଳେ ଏ ଚଢ଼େଇକୁ ଧରି ଏଠି ନାଟ କରୁଛି। କେତେ ଅପରିଷ୍କାର କଲାଣି ଏ ଚଢ଼େଇ!
ସୁଜାତା ବଣି ଛୁଆଟିକୁ ଉଠେଇ- ଆରେ ଆରେ ମୋ ଟିଣ୍ଟି! ଏ କ'ଣ କଲ ତମେ! ଆ ହା.. ମୋ ଟିଣ୍ଟିକୁ କେତେ କଷ୍ଟ ହେଇଥିବ ସତେ।
-ଏଠୁ ଯାଉଛୁ ନା ପୁଣି ଦେଖିବୁ! ଯୋଉ ତ ଦିବ୍ୟ ସୁନ୍ଦରୀଟା! ଖାଲି ପ୍ରେମ ଉଛୁଳି ପଡୁଛି। ମନକୁ ମନ କୋଉ ଟୋକା ସାଥିରେ ଗପି ଚାଲିଛି। କୁଆଡୁ କୁଆଡୁ ସବୁ ଏ କଲେଜକୁ ଆସୁଛନ୍ତି କେଜାଣି।
-ହଁ ହଁ, ଆଜ୍ଞା ଯାଉଛି। ଏତେ ଆଉ କିଛି କହିବା ଦରକାର ନାହିଁ।
ଏହା କହି ସେ ଟିଣ୍ଟିକୁ ଛୋଟ ଜାଲି ବାକ୍ସରେ ରଖି ବ୍ୟାଗ୍ ରେ ଭର୍ତ୍ତି କଲା। ଆଉ ଏକା ଘରକୁ ଫେରିଲା। ସୁଜାତା ସହ ଆଗରୁ ସମସ୍ତେ ମିଶୁ ଥିଲେ, ସାଙ୍ଗସାଥୀ ହେଉଥିଲେ। ହେଲେ କିଛି ବର୍ଷ ହେବ ସମସ୍ତେ ସୁଜାତାଠୁ ଦୂରେଇ ଯାଇଛନ୍ତି। ତାକୁ ଘୃଣା କରୁଛନ୍ତି। ଏବେ ତା'ର ସବୁକିଛି ସରୋଜର ଶେଷ ସ୍ମୃତି ଟିଣ୍ଟି। ଯେଉଁଠି ମନ ହେଉଥାଏ ସେଠି ପୁଣି ଟିଣ୍ଟିକୁ ହାତରେ ଧରି କଥା ହୁଏ। ବାଟରେ ସରୋଜ ର ସାଙ୍ଗ ବିକାଶ ଦେଖାହେଲା।
ସରୋଜ କଥା ପଚାରିବାରୁ ସେ କିଛି ସମୟ ନିରବ ରହିଲା।
-କ'ଣ କହିବି ସୁଜାତା ଅପା? ସେ ଆଜି ମୋତେ ବି ଭୁଲି ସାରିଛି। ନ ହେଲେ କ'ଣ ସେ ଗାଁକୁ ଆସନ୍ତା ନି, ମୋତେ ଦେଖା କରିବାକୁ। ଆଗରୁ ତା'ର ଫୋନ୍ ନମ୍ବର ମୋ ପାଖରେ ଥିଲା। ବେଳେବେଳେ କଥା ହୁଏ। ଏବେ ବୋଧହୁଏ ସେ ନମ୍ବର ବଦଳେଇ ଦେଇଛି। ସେ ବି ଦିନେ କାଳେ ଆଉ ଫୋନ୍ କରୁନି। ତମେ ବି ତାକୁ ଭୁଲିଯାଅ ଅପା। ସେ ତ ଲଣ୍ଡନରେ ପାଠ ପଢ଼ି ବଡ଼ ଚାକିରୀ କରିବଣି। ସେ କ'ଣ ଆଉ ଗାଁକୁ ଫେରିବ? ସେ ଯଦି ସେପଟେ ଆଉ କାହାର ହେଇଯିବଣି? ଆଚ୍ଛା ଅପା, ସେ ଆଗରୁ କେବେ ତା ପଟରୁ ତମକୁ ପ୍ରବୋଜ୍ କରିଛି। ମାନେ କେବେ ତା'ର ତମ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିଛି। ଯଦି ଆଗରୁ ନ କରିଥିବ ତେବେ ଆଉ ଆଶା କରନି ତା ଠୁ। ତମେ ତ ଭଣ୍ଡାରୀ ଘରର, ଆଉ ସେ ପ୍ରଧାନ ଘର। ଏମିତିରେ ତମର ଏବେ ଯୋଉ ଅବସ୍ଥା...।
-ହଁ, କ'ଣ ହେଲା ସେଉଠୁ! ମୋ ସରୋଜଙ୍କୁ ମୁଁ ଠିକ୍ ଜାଣିଛି। ତୋର ମନେ ଅଛି ବିକାଶ, ମହାବାତ୍ୟାର ସମୟ। ତାଙ୍କ ଘରଠୁ ଆମ ଘର ଯାଏଁ କୁଢ଼ କୁଢ଼ କଞ୍ଚା ଶବ। ସାପ, ବେଙ୍ଗଙ୍କ ଗର୍ଜନରେ ଫାଟି ପଡୁଥାଏ ଗାଁ ଦାଣ୍ଡ। ତିନି ଶହ ବେଗରେ ପବନ ବହୁଥାଏ। ମୂଷଳ ଧାରାର ବର୍ଷା ସାଙ୍ଗକୁ ବଜ୍ରପାତ। ପକେଟ୍ ରେ ଦି ମୁଠା ଚୁଡ଼ା ଆଉ କଦଳୀ ଧରି ପହଞ୍ଚିଲା ଆମ ଘରେ। ଆମ ଘରର ଚାଳ ଛପର ଉଡିଯାଉଥାଏ। ଏସବୁ ଦେଖି ଅଣ୍ଟାରେ ରସି ଲଗେଇ ଆଗ ଦୈଡିଲା ତାଙ୍କ ପକ୍କା ଘରକୁ। ସେଥିରେ ଚାରି ପାଞ୍ଚ ଥର କଚାଡି ହେଇ ଗଡ଼ି ଗଡ଼ି ଯାଇଛି। ବାପାଙ୍କୁ ମୋତେ ଜୋରରେ ରସି ଧରିବାକୁ କହିଲା। ଆଉ ଜୋରରେ ଟାଣିଲା। ଝଡ ତୋଫାନ ସହ ଲଢେ଼ଇ କରି ମାତ୍ର ଆଠ ବର୍ଷ ବୟସରେ ଆମ ଦୁହିଁଙ୍କୁ ଉଦ୍ଧାରି ଥିଲା ସେ। (ଅଳ୍ପ ହସି)ସେ ପ୍ରପୋଜ୍ କରିଦେଇଥିଲେ ୟା ଠୁ ବେଶୀ କ'ଣ ଆଉ କରି ଦେଇଥାନ୍ତା ଯେ?
ଏସବୁ କହି ଆଖିରେ ଲୁହ ଜକେଇ ଆସିଲା ବେଳକୁ ବିକାଶର ଫୋନ୍ ବାଜିଲା।
-ହାଲୋ.. କିଏ?
-ଆରେ ବିକାଶ, ମୁଁ ସରୋଜ କହୁଛି।
-ସରୋଜ! ମୋ ସାଙ୍ଗ! ଆରେ କେମିତି ଅଛୁରେ। କେବେ ଆସିବୁ ଗାଁକୁ।
-ହଁ, ମୁଁ ଏଇ ରାମ ନବମୀ କୁ ଗାଁକୁ ଫେରୁଛି। ବହୁତ ମଜା କରିବା। ଏଇଆ ଜଣେଇବାକୁ କେବଳ ଫୋନ୍ କରିଥିଲି। ଏବେ ରହୁଛି।
-ଆରେ ରହ, ସୁଜାତା ଅପା ସହ ଟିକେ କଥା ହେ।
ସୁଜାତା ଅସ୍ତବ୍ୟସ୍ତ ହୋଇ ଫୋନ୍ ଟିକୁ ଟାଣି ଆଣି କହିଲା- ହାଲୋ ସରୋଜ, ହାଲୋ ହାଲୋ...!
ସେତେବେଳକୁ ଫୋନ୍ କଟି ସାରିଥିଲା। ଆଉ କିଛି ନକହି ବିକାଶ କୁ ଫୋନ୍ ଦେଇ ଚାଲିଗଲା ଘରକୁ। ସରୋଜ ର ଆସିବା ଖବର କିନ୍ତୁ ମନକୁ ତୃପ୍ତି ଦେଉଥାଏ। ମନେ ମନେ ଭାବୁଥାଏ ସରୋଜ କାହିଁକି ମୋ ସହ କଥା ହେଲେନି। ସରୋଜ କ'ଣ ଆଉ କାହାକୁ...?
ସୁଜାତାର ମନ ଆଉ ଘରର କୌଣସି କାମରେ ଲାଗୁ ନଥାଏ। କ୍ୟାଲେଣ୍ଡରର ରାମନବମୀ ତାରିଖରେ ପ୍ରତିଦିନ କଲମରେ ଗୋଲ୍ ମାରୁଥାଏ। ଅପଲକ ନୟନରେ ଚାତକ ପରି ଚାହିଁ ରହିଥାଏ ସେ ତିଥିକୁ।
ଆଜି ଗାଁ ରାମ ମନ୍ଦିରରେ ଭବ୍ୟ ଆୟୋଜନ। କୁସୁମ ଫୁଲର ଚାଦର ସାରା ପରିବେଶରେ ଆଚ୍ଛାଦିତ। ଶଙ୍ଖ, ଘଣ୍ଟ, ହୁଳହୁଳି ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଆଜି ରାମ ନବମୀ। ସୁଜାତା ଭୋରୁ ଉଠି ସାରିଛି। ସଅଳ ଗାଧୋଇ ସାରି ସରୋଜ ପାଇଁ ମନ୍ଦିରରେ ଦୀପ ଜାଳିବାକୁ ବାହାରିଗଲା। ମନ୍ଦିରରେ ପହଞ୍ଚିବା ପୂର୍ବରୁ ସରୋଜ କୁ ଦୀପ ଜାଳୁଥିବାର ଦେଖିଲା ସେ। ଏହା ସେ ସ୍ଵପ୍ନ ଦେଖୁନି ତ? ହାତକୁ ପ୍ରଥମେ ଚିମୁଟି ଦେଲା। ଜାଣିଲା ଏହା ହିଁ ବାସ୍ତବ। ସରୋଜ ଦୁଇ ପାର୍ଶ୍ଵରେ ଦୁଇଜଣ ସୁଟ୍ ବୁଟ୍ ପିନ୍ଧା ସୁନ୍ଦରୀ ଯୁବତୀ କିଛି ମିଠା କଥା ହେଉଥିଲେ। ଏହା ଦେଖି ସୁଜାତାକୁ ଯେତିକି ରାଗ ଲାଗୁଥିଲା ସେତିକି କଷ୍ଟ ବି ଲାଗୁଥିଲା। ସରୋଜ ନିଜ ଜୋତା, ମୋଜା ଖୋଲି ଭକ୍ତିରେ ଠାକୁରଙ୍କୁ ଚାହିଁ ରହିଥାଏ।
କିନ୍ତୁ ଏ ଦୁଇ ଜଣ କିଏ? ସେମାନଙ୍କର ଏ ମିଠା କଥାବାର୍ତ୍ତା, ହାବଭାବ ସୁଜାତାକୁ ବ୍ୟଥିତ କରୁଥିଲା। ଦୀପ ଧରି ମନ୍ଦିର ପାହାଚରେ ସେମିତି ଖୁଣ୍ଟଟେ ପରି ଛିଡା ହୋଇଥାଏ। ସରୋଜ ଠାକୁରଙ୍କୁ ଶେଷ ପ୍ରଣାମ କରି ଫେରୁଥାଏ। ସୁଜାତାକୁ ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା। ଆଖି ଦୁଇଟିରେ ଅନେକ ବିସ୍ମିତତା। ଦୁଇ ଯୁବତୀ ସରୋଜକୁ ହଲେଇ ଦେଇ ଜିପ୍ ରେ ବସିବାକୁ ଇସାରା କଲେ। ଆଉ ସେଠୁ ସରୋଜ ଚାଲିଗଲା। ସୁଜାତା ବୁଝି ସାରିଥିଲା ସରୋଜ ମଧ୍ୟ ସବୁ ବିଦେଶୀଙ୍କ ଭଳି ସମାନ ହୋଇଗଲାଣି। ଚେହେରା ସହ ମନ ମଳିନ ପଡି ଆସୁଥିଲା। ଆଖିରୁ ସେତେବେଳକୁ ଦି ଧାର ତତଲା ଲୁହ ଠପ୍ ଠପ୍ ନିଗିଡ଼ି ପଡ଼ୁଥିଲା। କ'ଣ କରିବ କିଛି ବୁଦ୍ଧି ବାଟ ଦିଶୁ ନଥାଏ।
ଦୀପଟିକୁ ଥୋଇଦେଇ ଦୁଇ ହାତ ଯୋଡ଼ି ଆଗକୁ ବଢିଲା। ଠାକୁରଙ୍କ ପାଖାପାଖି ହେଲାବେଳକୁ ତୋଫାନ ଭଳିଆ କେଉଁଠୁ ମେଞ୍ଚାଏ ଲୋକ ପଶି ଆସିଲେ। ଦର୍ଶନ ପାଇଁ ଚଢା ଚଢି, ଗଣ୍ଡଗୋଳ କଲେ। ଗହଳି ଭିତରେ ସୁଜାତା କାଠ ଗରଟେ ପରି ଠାକୁରଙ୍କୁ ଚାହିଁ କ୍ଷୋଭରେ ଚାହିଁ ରହିଥାଏ। କହୁଥାଏ " ପ୍ରଭୁ! ସରୋଜଙ୍କୁ ଭଲପାଇବାରେ ମୋର କେଉଁଠି ଉଣା ରହିଯାଇଥିଲା। ସେ ବି ତ ମୋତେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ। ହେଲେ ଆଜି ସେ ମୋତେ ଏମିତି ଠକି ଦେବାର କାରଣ କ'ଣ? ଚାତକ ପକ୍ଷୀଟେ ପରି ମନ ମୋ ଚାହିଁ ରହିଥିବା ସମୟ କ'ଣ ଏଇଆ। ସେ ଗଲାପରେ ମୋ ସହ ଘଟିଥିବା ପ୍ରତିଟି ଛବିକୁ ତାଙ୍କ ସାମ୍ନାରେ ଆଙ୍କି ଦେବାର ଇଚ୍ଛା ଥିଲା। ବୋଧହୁଏ ଆଜି ମୋ ଶାରୀରିକ ଛବିକୁ ଦେଖି ମୋଠୁ ଦୂରେଇ ଗଲେ। ହେଲେ କାହିଁକି?" ନିଜ ଅଭିମାନକୁ ବଖାଣୁ ବଖାଣୁ ବଦମାସ୍ ଟୋକା ରଘୁ ଖୁବ୍ ଜୋରରେ ମାଡିଆସିଲା ସୁଜାତା ଆଡ଼କୁ। ତାକୁ ପଛ ଆଡ଼ୁ କୁଣ୍ଢେଇ ଧରିବାକୁ ବସିଛି।
ହଠାତ୍ କେହିଜଣେ ସୁଜାତାର ହାତ ଧରି ଭିଡିନେଲା ବାମ ପଟକୁ। ସୁଜାତା ଚାରିପଟେ ଦୁଇ ହାତରେ ବଳୟ କରି ଭିଡ ଭିତରୁ ଟାଣି ନେଲା। ସୁଜାତା ଆଖି ଉଠେଇ ଉପରକୁ ଚାହିଁଲା। ସେ ଏ କ'ଣ ଦେଖୁଛି! ଏ ଯେ ସରୋଜ ଠିଆ ହୋଇଛି! ଆଉ ସୁଜାତାକୁ ଦୁଇ ବାହୁରେ ଜାବୁଡ଼ିକି ଧରିଛି ସେ। ଏଇଟା ସତ କି ମିଛ କେମିତି ଜାଣିବ ସେ। ସୁଜାତା ମୁହଁରୁ କଥା ବାହାରୁ ନ ଥାଏ। ସରୋଜ କିଛି ସମୟ ସୁଜାତାକୁ ସେମିତି ଧରି ରଖିବା ପରେ ନିଜେ ହାତ ବାହାର କରି ଆଣି କହିଲା-
ପ୍ଲିଜ୍ ମୋତେ ଭୁଲ୍ ଭାବିବୁନି। ପ୍ରକୃତରେ...।
ଏତିକି କହି ରହିଗଲା ସରୋଜ। ତଥାପି ସୁଜାତା ମୁହଁରୁ ଭାଷା ବାହାରୁ ନଥାଏ। ସରୋଜ ବ୍ୟଥିତ ଅପଲକ ନୟନରେ ଚାହିଁ ରହିଥାଏ ସୁଜାତାକୁ। ସୁଜାତା ମୁହଁର ସବୁ ଚମଡ଼ା ମହମ ତରଳିବା ପରି ତରଳି ଯାଇଥାଏ। ଡାହାଣ ପଟର ଆଖି ଡୋଳା ଆଖି ପତାଠୁ ଆଗକୁ ବାହାରି ଆସିଥାଏ। କେଶ ଗୁଡ଼ିକ ଅଧା ଅଧା ଛିଡି ଯାଇଥାଏ। ଏସବୁ ଦେଖି ସରୋଜ ଆଖିରେ ଅଜସ୍ର ଲୁହ ଟୋପା ଛଳଛଳ ହେଉଥିଲେ। କେଶ କୁ ଜାବୁଡ଼ି ଧରି ପାଗଳଙ୍କ ପରି ଆଚରଣ କରିବାକୁ ଲାଗିଲା ସରୋ
ଜ। କିଛି ସମୟ ପରେ ଥରଥର ପ୍ରେମ ଭରା କଣ୍ଠରେ ସେ ପୁଣି କହିଲା-
-ସୁଜା, ମୁଁ ଏ କ'ଣ ଦେଖୁଛି। ନିଜ ଆଖିକୁ ଆଜି ମୁଁ ବିଶ୍ୱାସ କରି ପାରୁନି। ଏଇଟା କ'ଣ ସତ ନାଁ ମୁଁ ଏକ ଭୟାନକ ସ୍ଵପ୍ନରେ ଅଛି? ଲଣ୍ଡନ ଯିବା ଦିନ ତୋ ସହ ଶେଷ ଦେଖାକୁ ମୁଁ ଜମା ଭୁଲିନି ସୁଜା। ମୋ ପସନ୍ଦର ଗୋଲାପୀ ରଙ୍ଗର ଫ୍ରକ୍। ମଥାରେ ସମାନ ରଙ୍ଗର କୁଙ୍କୁମ ଟିପା। ସାମାନ୍ୟ ଲମ୍ପା କେଶକୁ ଲୁଗା ଧଡ଼ିରେ ଦୁଇ ଭାଗ କରି ବାନ୍ଧି ଆଗକୁ ପକେଇ ଥିଲୁ। ମୁହଁଟି ସଜ ଫୁଟା ପଦ୍ମ ପରି ଦିଶୁଥିଲା। ସେଦିନ ତୁ ବହୁତ ସୁନ୍ଦର ଦିଶୁଥିଲୁ। ହେଲେ ଆଜି...।
-ହେଲେ ଆଜି କ'ଣ ସୁନ୍ଦର ଲାଗୁନି ସରୋଜ? ମୋର ଏଇଆ ହିଁ ଡର ଥିଲା। ଯେବେ ନିଜକୁ ଆଇନାରେ ଦେଖେ ମୋ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ସରୋଜ ମୋତେ ଦେଖି କ'ଣ ଭାବିବେ? ସେ ମୋତେ ଗ୍ରହଣ କରିବେ ତ? ଅସୁନ୍ଦରୀ କହି ମୋ ପ୍ରମକୁ ଫୁ କରି ଏଡ଼େଇ ଯିବେନି ତ? ସେବେଠୁ ନିଜକୁ ଆଇନରେ ଦେଖିବା ଭୁଲି ଗଲି। କାରଣ ଏମିତି ସବୁ ପ୍ରଶ୍ନ ମୋତେ ପ୍ରତି ମୂହୁର୍ତ୍ତରେ ଜାଳି ଜାଳି ମାରୁଥିଲା। ଆଜି ତମେ ଠିକ୍ ସେଇଆ କଲ। ପ୍ରଥମେ ଦେଖି ଅଣଦେଖା କରି ଚାଲିଗଲ। ଏବେ କାହିଁକି ଆସିଲ। ମୋ ସହ ଯାହା ଘଟିଥିଲେ ଘଟିଥାନ୍ତା।
-ନାଇଁ ସୁଜା, ତୋର ଏ ଚେହେରା ମୋତେ ବ୍ୟଥିତ କଲା। ସହି ପାରିଲିନି ତୋର ଏ ଚେହେରା ଦେଖି। କ୍ଷମା କରିପାରିଲିନି ନିଜକୁ। ସେଥିପାଇଁ କିଛି ନ କହି ଧାଉଁଥିଲି ଗାଁ ନଇ କୁ ଆତ୍ମହତ୍ୟା କରିବାକୁ।
-ସରୋଜ!!!
-ହେଲେ ଆଉ ସେ ଭୁଲ୍ କରିବିନି। ସେ ବଦମାସ୍ ଟୋକା ରଘୁ ତୋ ସହ କିଛି କରିବାର ଉଦ୍ୟମ ପରଠୁ ନିଜର ନିଷ୍ପତ୍ତି ବଦଳେଇ ନେଲି। କାରଣ ତୋତେ ମୋର ସୁରକ୍ଷା ଆବଶ୍ୟକ। କିନ୍ତୁ ତୋ ଚେହେରା ଏମିତି କେମିତି ହେଲା, କିଏ କଲା?
-ସେ ଏଇ ରଘୁ ସରୋଜ! ଯିଏ ସ୍କୁଲ ବେଳରୁ ଆମ ସମ୍ପର୍କକୁ ଭାଙ୍ଗିବାର ଅନେକ ଅପଚେଷ୍ଟା କରିଛି। ମୋ ସହ ଅନେକ ଅପବ୍ୟବହାର କରିଛି। ତୁ ଲଣ୍ଡନ ଗଲାର କେଇଟା ଦିନ ପରେ ସେ ମୋତେ କଲେଜ କରିଡ଼ରରେ ଭେଟିଲା। ତୋ ବିଷୟରେ ଅନେକ ଖରାପ କଥା କହି ଅତି ଅଭଦ୍ରାମି ସହକାରେ ସେ ମୋତେ ପ୍ରମ ନିବେଦନ କରିଥିଲା। ମୁଁ ରାଗିଯାଇ ଏକ ଶକ୍ତ ଚାପୁଡ଼ା ପକାଇଥିଲି। କହିଥଲି ତୁ ଭଲ ଭାବରେ ଜାଣିଛୁ ସରୋଜ ଆଉ ମୋର ସମ୍ପର୍କ କ'ଣ। ତା' ପରେ ବି ଏ ଅଭଦ୍ରାମି। ତା ପରଦିନ..
-କ'ଣ ହେଲା ପରଦିନ। କହ ସୁଜା କହ।
-ପରଦିନ ମୁଁ ଘରକୁ ଫେରିବା ପାଇଁ ବସ୍ ଷ୍ଟାଣ୍ଡରେ ବସିଥାଏ। ଗୋଟିଏ ବାଇକ୍ ର ପଛ ସିଟ୍ ରେ ରଘୁ ଆଉ ଆଗରେ ଗାଡ଼ି ଚଲାଉଥାଏ ତା' ସାଙ୍ଗ। ମୋ ପାଖରେ ବ୍ରେକ ଲଗାଇ ହଠାତ୍ ରଘୁ କାଚ ବୋତଲରେ ରଖିଥିବା ଏସିଡ୍ ମୋ ମୁହଁକୁ ଛାଟିଥିଲା। ସେହି ସମୟରେ ଲାଗିଲା ଯେପରି କେହି ମୋ ଦେହରେ ନିଆଁ ଲଗେଇ ଦେଲା। ନିଜ ଆଖି ସାମ୍ନାରେ ମୁହଁର ସବୁ ମାଂସ ପିଣ୍ଡୁଳା ଥପ୍ ଥପ୍ ହୋଇ ଝଡ଼ି ପଡୁଥାନ୍ତି। ବହୁତ ଯନ୍ତ୍ରଣା ହେଉଥାଏ। ବସ୍ ଷ୍ଟାଣ୍ଡରୁ ମେଡିକାଲ ଯିବା ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ହୋସ୍ ରେ ଥାଏ। ବାପା ମୋତେ ଏ ଅବସ୍ଥାରେ ଷ୍ଟ୍ରେକ୍ଚରରେ ଦେଖି କୁଣ୍ଢେଇ ଧରିଥିଲେ। ଏସିଡ୍ ର ପ୍ରଭାବରେ ତାଙ୍କ ସାର୍ଟର କିଛି ଅଂଶ ଜଳି ଯାଇଥିଲା। ବାପା ମେଡ଼ିକାଲ ଚଟାଣରେ ମୁଣ୍ଡ ପିଟି ପିଟି ଲୋଟି ଯାଉଥିଲେ। କାରଣ ଡାକ୍ତର କହି ସାରିଥିଲେ ମୁଁ ଆଉ ବଞ୍ଚିବିନି। କିନ୍ତୁ ମୋତେ ବଞ୍ଚିବାର ଥିଲା, ତୋ ପାଇଁ। ସେ ସମୟରେ ମନକୁ ଗୋଟିଏ କଥା ଆସୁଥାଏ, ମୋ ସରୋଜ ଥିଲେ ହୁଏତ ଆଜି ମୋ ସହ ଏମିତି ଘଟିନଥାନ୍ତା।
ସରୋଜ ଆଉ କିଛି ନ ଶୁଣି ସୁଜାତାକୁ ଜୋରରେ କୁଣ୍ଢେଇ ଧରିଲା। କେଶ ଗୁଡ଼ାକୁ ସଜାଡ଼ି ମଥାରେ ଚାରି ପାଞ୍ଚଟି ଚୁମ୍ବନ ଦେଇ କହିଲା- ଏମିତି ଆଉ କେବେ ହବାକୁ ଦେବିନି ଲୋ ସୁଜା। ମୁଁ ଏଇଠି ରହିବି। ତୋରି ପାଖରେ ସାରା ଜୀବନ। ଦରକାର ନାହିଁ ମୋର ସେ ବିଦେଶର ରଜା ସୁଖ। ଦରକାର କେବଳ ତୁ। ହେଲେ...।
-ହେଲେ କ'ଣ ସରୋଜ?
-ମୁଁ ଚାହିଁଲେ ତୋ ମଥାରେ ଏଇଠି ସିନ୍ଦୂର ଦେଇଦିଅନ୍ତି। ହେଲେ ପାରିବିନି। ବାବା ମୋ ବାହାଘର ଅନ୍ୟ କେଉଁଠି ଠିକ୍ କରି ଦେଇଛନ୍ତି। ବିଦେଶର ଅନେକ ପ୍ରସ୍ତାବକୁ ମୁଁ ମନା କରି ସାରିଛି ତୋ ପାଇଁ। ସେଥିପାଇଁ ବୋଧେ ବାବା ରାଗରେ ଗାଁରେ ବାହାଘର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ତ ସପରିବାର ଗାଁକୁ ଫେରିଛୁ। ବାହାଘରରେ ଇଚ୍ଛା ନଥିଲେ ମଧ୍ୟ ବାବାଙ୍କ ସାମ୍ନାରେ ଆଉ କିଛି କହି ହେଉନି। ଜାଣିଶୁଣି ଦଶ/ପନ୍ଦର ଦିନ ଠିକ୍ ଠାକ୍ ଖିଆପିଆ କଲିନି, କାଳେ ମନ କଥା ବୁଝି ପାରିବେ। ମାମାକୁ କେତେ ନେହୁରା ହେଇ ଏ ବାହାଘର ଭାଙ୍ଗିବାକୁ ବିନତି କରିଛି। ହେଲେ ସବୁ ବିଫଳ। ବାପାଙ୍କ ଏକା ଜିଦ୍ ଗାଁର କୋଉ ଝିଅ ସହ ମୋ ବାହା କରିବେ। ମୁଁ ଆଜି ନିରୁପାୟ ସୁଜାତା।
- (ଅଭିମାନରେ କହୁଥାଏ)ନିରୁପାୟ ହେବୁନି ବା କେମିତି? ଦୁଇ ଦୁଇଟି ବିଦେଶୀ ଗଲ୍ଲଫ୍ରେଣ୍ଡ୍ ଆଉ ମୋ ସହ ଛଳନା। କେମିତି ବା ସହିଥାନ୍ତେ ଠାକୁର।
-ଦୁଇ ଦୁଇଟି ଗଲ୍ଲଫ୍ରେଣ୍ଡ୍? ଛୋଟବେଳୁ ତ ଜଣକୁ ଏ ହୃଦୟରେ ଜାଗା ଦେଇଛି। ସେ ଜଣକ ହେଲୁ ତୁ।
-ମିଛ କଥା। ସେଇତ ସୁଟ୍ ବୁଟ୍ ପିନ୍ଧା ତୋର ଦୁଇ ବିଦେଶୀ ଗଲ୍ଲଫ୍ରେଣ୍ଡ୍।
-ହେ ଭଗବାନ! ଆରେ ସେ ତ ମୋର ଦୁଇଜଣ ଆସିଷ୍ଟାଣ୍ଟ।
ଏତିକି କହିବା ଭିତରେ ଦୁଇ ଲେଡି ଆସିଷ୍ଟାଣ୍ଟ ଆସି ସରୋଜକୁ ଅନଲାଇନ୍ ମିଟିଂର ସୂଚନା ଦେଲେ। ସରୋଜକୁ କାର୍ କୁ ଫେରିବାକୁ ଅନୁରୋଧ କଲେ। ସରୋଜ ମନଦୁଃଖ ରେ ସେଠାରୁ ଚାଲିଗଲା। ସୁଜାତା ଆଖିରୁ ଲୁହ ଅନର୍ଗଳ ସେମିତି ବୋହି ଚାଲିଥାଏ।
ପରଦିନ ସୁଜାତା ସକାଳ ସାତଟା ପର୍ଯ୍ୟନ୍ତ ତକିଆରେ ମୁହଁ ମାଡ଼ି ପଡ଼ିଥାଏ। ଆଖିରୁ ଲୁହ ଶୁଖିନଥାଏ। ସରୋଜ ସହ ଘଟିଥିବା ଛୋଟ ବେଳର ସବୁ ସ୍ମୃତି ରାତିସାରା ଶୋଇବାକୁ ଦେଇନାହାଁନ୍ତି। ଝରକା ସେପାଖରୁ ଜୋରରେ କିଛି ଲୋକଙ୍କ ପାଟି ଶୁଭିଲା। ସୁଜାତା ଝରକା ଫାଙ୍କରେ ଦେଖେତ ଏକ ବିଶାଳ ପଟୁଆର ସହ କିଛି ଲୋକ ଆସୁଛନ୍ତି ତାଙ୍କ ଘର ସାମ୍ନାକୁ। ଆଗରେ ସରୋଜର ବାପା। ପଛରେ ଅନେକ ପ୍ରକାରର ମିଠା, ପନିପରିବା ସାଙ୍ଗକୁ ଫଳମୂଳ ଧରି ଆସୁଥାନ୍ତି କିଛି ଲୋକ। ସୁଜାତା ଭାବୁଥାଏ ଏସବୁର ପ୍ରୟୋଜନ କ'ଣ ପାଇଁ? ଡରି ଡରି ସେଇ ଘର ଭିତରେ ଲୁଚି ରହିଥାଏ। ସେମାନେ ଗଲାପରେ ଧାଇଁ ଯାଇ କୋହ ଭରା କଣ୍ଠରେ ବାପାଙ୍କୁ ପଚାରେ-
-ବାପା ସେମାନେ ଆମ ଘରକୁ କାହିଁକି ଆସିଥିଲେ? ଏତେ ସବୁ ଜିନିଷ ଆମ ଘରେ କ'ଣ ପାଇଁ ଦେଇଗଲେ? କ'ଣ ତାଙ୍କ ପୁଅ ବାହାଘରରେ ଭଣ୍ଡାରୀ ସେବା ସମ୍ପାଦନ ପାଇଁ ନିମନ୍ତ୍ରଣ କରିଗଲେ?
-ଆଲୋ ନାଇଲୋ ହୁଣ୍ଡି। ସେ ତ ଆମ ଘରକୁ ତାଙ୍କ ପୁଅର ବାହାଘର ପ୍ରସ୍ତାବ ଆଣି ଆସିଥିଲେ! ତତେ ସେ ବୋହୂ କରିବାକୁ ନିଷ୍ପତ୍ତି ନେଇଛନ୍ତି! ଏ କଥା ଶୁଣିବା ପରେ ମୁଁ ଆଉ ମୋ ଭିତରେ ନାହିଁ ଲୋ। ଖୁସିରେ ମୋ ମନଟା ଖାଲି ନାଚି ଉଠୁଛି।
-କ'ଣ କହୁଛ ବାପା! ମାନେ ମୋ ସରୋଜଙ୍କ ମୋ ସହ...। ନାଁ ତମେ ମିଛ କହୁଛ। ସେଇ ସରୋଜ ପରି।
-ନାଇଁ ସୁଜାତା। ମୁଁ ମିଛ କହୁନି। ମିଛଟାରେ କ'ଣ ଏ ଛୋଟିଆ ମୁହଁରୁ ଏଡେ ବଡ କଥା ବାହାରି ପାରିବ। ସତ କହୁଛି ଲୋ ମା' ତୋତେ ସେ ବୋହୂ କରିବାକୁ ରାଜି।
- (ଦୁଇ ଆଖିରୁ ଲୁହ ପୋଛି)ହେଲେ ବାପା, ସେ ମୋତେ ବୋହୂ କରିବାକୁ ରାଜି ହେଲେ କେମିତି? ସେ ତ ସେମିତି ଆଗରୁ ଆମକୁ ଘୃଣା କରୁଥିଲେ। ଏବେ ପୁଣି ମୋର ଏ ଚେହେର।
-ରାଜି ହେବେନି ବା କେମିତି? ନିଜେ ଠିକ୍ କରୁଥିବା ପ୍ରସ୍ତାବକୁ ପୁଅ ଅରାଜି ହବାର କାରଣ ଜାଣିସାରିଥିଲେ ସରୋଜଙ୍କ ବାପା। ସେ ଜାଣି ପାରିଲେ ତୁମ ଦୁହିଁଙ୍କ ସମ୍ପର୍କ କେତେ ପବିତ୍ର। ତୋର ନିଷ୍ଠାପର ଭଲପାଇବାକୁ ସବୁ ବଖାଣି ସାରିଛି ତାଙ୍କ ସାମ୍ନାରେ ସରୋଜର ସାଙ୍ଗ ବିକାଶ। ପୁଅର ଖୁସିକୁ ଅଣଦେଖା ନକରି ତୋତେ ଶେଷରେ ବୋହୂ କରିବାକୁ ନିଷ୍ପତ୍ତି ନେଲେ। ଏ ସବୁ ସମ୍ଭବ କେବଳ ତୁମ ଦୁହିଁଙ୍କ ନିଷ୍ପାପ ଭଲପାଇବା ଯୋଗୁଁ। ନହେଲେ ସେ କେଉଁଠି ଆଉ ଆମେ କେଉଁଠି। ସେ ତ ବଡ ବଡିଆ ଲୋକ। ଆଉ ଆମେ ତାଙ୍କ ପାଦ ତଳର ଧୂଳି। ତୁ ଭାଗ୍ୟବତୀ ଲୋ ସୁଜାତା। ନହେଲେ ତୋର ଏ ଏସିଡ୍ ପକା ମୁହଁକୁ ଚାହିଁ କିଏବା କାହାର କୂଳବଧୁ କରିବାକୁ ରାଜି ହେଇଥାନ୍ତା। ସବୁ ସେଇ କାଳିଆର ଇଚ୍ଛା ଲୋ ମା'।
ବାବା ଠିକ୍ କରିଥିବା ଝିଅଟି ସୁଜାତା ବୋଲି ଜାଣି ଏପଟେ ସରୋଜର ପାଦ ଆଉ ମାଟିରେ ଲାଗୁନଥାଏ। ଖୁସିରେ ପାଗଳ ହୋଇ ଯାଉଥାଏ ସେ। ସେ ଆଉ ନିଜକୁ ସମ୍ଭାଳି ପାରିଲାନି। ଏ ଖୁସିକୁ ଦୁଇ ପ୍ରେମ ପକ୍ଷୀଙ୍କ ଆଖିରେ ଏକା ସାଙ୍ଗରେ ଦେଖିବାକୁ ଦୌଡିଗଲା ସୁଜାତା ପାଖକୁ। ସୁଜାତା ଗାଁ ଦାଣ୍ଡରେ ବହୁତ ଖୁସିରେ ଟିଣ୍ଟିକୁ ଧରି ଗେଲ କରୁଥାଏ। ପହଞ୍ଚିଗଲା ସରୋଜ। ସୁଜାତାର ଖୁସି ଦ୍ଵିଗୁଣିତ ହୋଇଗଲା। ସରୋଜର ଗାଁକୁ ଫେରିବା ପରଠୁ ସେ ତା' ବିଷୟରେ କେତେ କ'ଣ ଭାବି ଦେଇଥିଲା। ସରୋଜ ପାଇଁ ସେ ନିଜ ଜୀବନ ସହ କ'ଣ କ'ଣ ସବୁ କରିଦେଲା। ସେ ସବୁକୁ ଭାବି ମୁରୁକି ମୁରୁକି ହସୁଥାଏ ସୁଜାତା। ସେପଟୁ ସରୋଜ ଧିର ସ୍ଵରରେ କହିଲା- "ସତ କହିବି ସୁଜା, ଲଣ୍ଡନ ଯିବାର ଶେଷ ଦେଖାଠାରୁ ନା ତୁ ଆଜି ଅଧିକ ସୁନ୍ଦର ଦିଶୁଛୁ।" ଦୁଇ ଜଣଙ୍କ ଆଖିରୁ ଖୁସିର ଅମାନିଆ ଲୁହ ବନ୍ଧବାଡ଼ ଡେଇଁ ନିଗିଡ଼ି ପଡୁଥାନ୍ତି। ସେହି ସମୟରେ ଟିଣ୍ଟି ହଠାତ୍ ପର ଝାଡ଼ି ଉଡ଼ିଆସିଲା ସରୋଜ ପାଖକୁ। ଟିଣ୍ଟି ଆଜି କାହାକୁ ଅଧିକ ପ୍ରେମ କରିବ? ପୁଣି ସୁଜାତାକୁ ଚାହିଁ ତା' ଆଡ଼କୁ ଉଡୁଥିବା ବେଳେ ଛିଡା ହୋଇଗଲା ଅଧା ବାଟରେ। ଦୁଇ ପ୍ରେମୀ ଯୁଗଳ ଆଖିରୁ ଲୁହ ପୋଛି ଅଳ୍ପ ଅଳ୍ପ ହସିଦେଲେ। ଆଉ ଆଗକୁ ପାଦ ବଢ଼େଇ ଦୁହେଁ ମିଶି ଏକାଠି ତୋଳି ଧରିଲେ ଟିଣ୍ଟିକୁ।