Sunil Bastia

Inspirational

3  

Sunil Bastia

Inspirational

ନନ୍ଦିନୀ

ନନ୍ଦିନୀ

12 mins
242


୧ମ ଦୃଶ୍ୟ:

କିଛି ବର୍ଷ ପରେ..

[ମହାବିଦ୍ୟାଳୟର ଶ୍ରେଣୀ କକ୍ଷରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାର ଦୃଶ୍ୟ]

ଅଧ୍ୟାପକ- ପିଲେମାନେ ଯେହେତୁ ତମେମାନେ ସବୁ କଲେଜରେ ନୂଆନୂଆ ପାଦଥାପିଛ। ସମସ୍ତେ ତ ଗୋଟିଏ ନିହାତି ଭବିଷ୍ୟତର ସ୍ଵପ୍ନ ନେଇ ଏଠିକି ଆସିଛ। ତେଣୁ ସେ ସ୍ଵପ୍ନ କ'ଣ? ପ୍ରଥମେ ରିମା କୁହ।

ରିମା- ସାର୍ ମୋର ସ୍ଵପ୍ନ ହେଲା ମୁଁ ଜଣେ ଇଂଜିନିୟର ହେବି।

-- ସାର୍ ମୁଁ ଜଣେ ପ୍ରଫେସର ହେବି।

-- ସାର୍ ମୁଁ ଜଣେ ବଡ଼ ବ୍ୟବସାୟୀ ହେବି...।

ଅଧ୍ୟାପକ- (ଶ୍ରେଣୀ କକ୍ଷର ଶେଷ ଆଡକୁ ହାତ ଦେଖେଇ)ଲାଷ୍ଟ୍ ବେଞ୍ଚର ରାଜୁ ଆଉ ନନ୍ଦିନୀ।

ରାଜୁ- (ଡରି ଡରି)ସାର୍ ମୁଁ...। ମାନେ ମୁଁ ଜଣେ ବଡ଼ ଡାକ୍ତର ହେବି। ଏହା ମୋ ବାବା କୁହନ୍ତି। (ଏହା ଶୁଣି ସବୁ ପିଲା ହସିବାକୁ ଲାଗିଲେ)

ଅଧ୍ୟାପକ- ସମସ୍ତେ ଚୁପ୍ କର! ଦେଖୁଛ ଶାନ୍ତ ଶିଷ୍ଟ ଭଦ୍ର ଘରର ପିଲାଟି..। ହଉ ନନ୍ଦିନୀ ତୁମ ସ୍ଵପ୍ନ କ'ଣ କୁହ।

ନନ୍ଦିନୀ- ସାର୍, ଜଣେ ସେତେବେଳେ ସ୍ଵପ୍ନ ଦେଖେ ଯେତେବେଳେ ସେ ସ୍ୱପ୍ନ ଦେଖିବାର ସ୍ଵାଧୀନତା ପାଇଥାଏ। କିନ୍ତୁ ସ୍ଵାଧୀନତାର ଶଦ୍ଦକୁ ଅନୁଭବ କରିବା ପାଇଁ ଆମ ଭିତର ଅନେକଙ୍କ ପାଇଁ ତ ଏବେ ବି ସ୍ୱପ୍ନ ହୋଇ ରହିଛି। ଫିରିଙ୍ଗି ଶାସନ ଯାଇଛି କିନ୍ତୁ ସେ ମାନସିକତା ଏବେ ବି ଅନେକଙ୍କ ଭିତରେ ଜୀବନ୍ତ। ତା' ଭିତରେ ପୁଣି ପଡୋଶୀ ଶତ୍ରୁର ଅହରହ ବୋମା ମାଡର ବିକଳ ଚିତ୍କାର। ସେ ସବୁ କିଛିର ନିଆଁ କେବେ ଲିଭିବ, ପୁଣି ଆମେ କେବେ ଦେଖିବୁ ନିଜ ସ୍ଵାଧୀନତାରେ ରଙ୍ଗୀନ୍ ସ୍ୱପ୍ନ। ଆଉ ବାସ୍ତବତାର ଚୂଡାନ୍ତ ରଞ୍ଜନ ବୋଳିବୁ କେବେ। ଏ ସବୁ ପ୍ରଶ୍ନର ଉତ୍ତର ନ ମିଳିବା ପର୍ଯ୍ୟନ୍ତ କେବେ ଏ ଆଖିକୁ ଛାଇ ସ୍ଵପ୍ନ ଦେଖିବାକୁ ମଧ୍ୟ ସୁଯୋଗ ଦେବିନି।

ଅଧ୍ୟାପକ- ବାଃ ନନ୍ଦିନୀ ବାଃ। ସତରେ ତୁମେ ମହାନ୍ ତୁମ ଚିନ୍ତାଧାରା ମହାନ୍। ଦୀର୍ଘ ଚାଳିଶି ବର୍ଷର ଅଧ୍ୟାପନା ଜୀବନରେ ଏମିତି ଗୋଟିଏ ଛାତ୍ର କି ଛାତ୍ରୀ କେବେ ପାଇନଥିଲି। ତୁମକୁ ଛାତ୍ରୀ ଭାବେ ପାଇ ମୁଁ ଧନ୍ୟ। ଆଜି ଜଣେ ସାମାନ୍ୟ ଛାତ୍ରୀ ସାମ୍ନାରେ ନିଜ ମଥା ଆପେ ଆପେ ନଇଁ ଯାଉଛି।

ନନ୍ଦିନୀ- ନାଇଁ ସାର୍, ଆପଣ ଏମିତି କ'ଣ କହୁଛନ୍ତି। ଆପଣ ମୋର ଗୁରୁ। ଗୁରୁ ତ ମଣିଷ ରୂପରେ ସାକ୍ଷାତ ଈଶ୍ୱର।

ଅଧ୍ୟାପକ- ତୁମେ ଏ କଲେଜକୁ ଆସିବା ପୁର୍ବରୁ ତୁମର ବିଷୟରେ ଅନେକ ଶୁଣିଥିଲି। ମାଟ୍ରିକରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପିଲା ଆମ କଲେଜରେ ପଢିବାକୁ ନେଇ ବେଶ୍ ଖୁସି ଥିଲୁ। ହେଲେ ଏମିତି ଜଣେ ଉଜ୍ବଳ ତାରକାକୁ ପାଇ ଆମେ ଏବଂ ଆମ କଲେଜ ଗର୍ବିତ। ତେଣୁ ତୁମେ ଏକା କାହିଁକି ନନ୍ଦିନୀ ଏ ଅଧ୍ୟାପକ ସୁରେନ୍ଦ୍ର ମହାନ୍ତି ମଧ୍ୟ ତୁମ ସହ ଅଛି। ଯେବେ ଯେଉଁ ସାହାଯ୍ୟ ମୋର ଆବଶ୍ୟକ, ନିହାତି ଲୋଡିବ ନନ୍ଦିନୀ। (ଏହାରି ଭିତରେ ଛୁଟି ବେଲ୍ ବାଜିଗଲା)

×××××

ପାର୍ଥ- (ନନ୍ଦିନୀ ଯାଉଥିବା ଅବସ୍ଥାରେ ତା ବାଁ ହାତକୁ ଧରି)ଆଲୋ ହେ, ନନ୍ଦିନୀ। ଆଜି କ'ଣ କ୍ଳାସରେ ଭାଷଣ ମାରିଲୁ ମ.., ଓଃ ସତରେ ଆଜି ମୋର ଖାତିରି ବଢେଇଦେଲୁ।

ନନ୍ଦିନୀ- (ରାଗରେ ପାର୍ଥ ମୁହଁକୁ ମୁଥା ମାରି)ଆବେ ଶଳା ତୁ କିଏ ବେ! କଲେଜ ଆସିଲା ଦିନଠୁ ମୋତେ ଖାଲି ଏଣ୍ଡୁଅଟା ଭଳିଆ ଚାହିଁ ରହିଥାଉ। ଆଜି କିଛି ମାଇ କୁତାଙ୍କୁ ଧରି ଭାରି ସାହସ ବଢ଼ିଗଲା। ପୁଣି ଏ ନନ୍ଦିନୀର ହାତକୁ ମାଡିବସିଲୁ।

ପାର୍ଥର ସାଙ୍ଗ- ଇରେ ବାପରେ ବାପ୍। ଭାଉଜ ତ ଏକଦମ୍ ଗରମ ଚା' ଅଛନ୍ତି। ଖାଲି ଫୁଙ୍କିକି ପିଇ ପାରିଲେ ହେଲା। ଭାଇ ଚା' ଟା ଥଣ୍ଡା ହେଇଯିବ, ଏବେ ସାଙ୍ଗେ ସାଙ୍ଗେ ମାରିଦେଲେ ଭଲ ହୁଅନ୍ତା।

ନନ୍ଦିନୀ- (ଲାତ ମାରି)ଆବେ, ତୁ ଶଳା କ'ଣ କହିଲୁ। (ହାତକୁ ଛିଞ୍ଚାଡି ପାର୍ଥ ଆଉ ତା' ସାଙ୍ଗକୁ ନିସ୍ତୁକ ମାଡ଼ ମାରିଲା) ଶଳା ଆଉ ଦିନେ ଯଦି ମୋତେ କି କଲେଜର କୋଉ ଝିଅକୁ ବି ଆଖି ଉଠେଇ ଚାହିଁଥିବୁ ତାହାଲେ ତୋ ଆଖି ତାଡ଼ି ଦେବି, ହେଲା।

ରାଜୁ- (ନନ୍ଦିନୀକୁ ରୋକିବାକୁ ଯାଇ)ଥାଉ ନନ୍ଦିନୀ, ଏଠୁ ଚାଲ୍ ଯିବା ଭାରି। ଇଏ ଜମା ଭଲ ପିଲା ନୁହଁନ୍ତି। (ଏହା କହି ଦୁହେଁ ସେଠୁ ଚାଲିଗଲେ)

ପାର୍ଥ- ହଁ ଲୋ ମୋ ଅଣ୍ଡିରୀ ପ୍ରେମିକା, ଯୁଆଡେ ଯିବା କଥା ଯା। ହେଲେ ଦିନେ ନା ଦିନେ ଏ ପାର୍ଥର ଗୋଡ ତଳକୁ ଆସିବୁ ଲୋ।

×××××

ରାଜୁ- ଆଛା ନନ୍ଦିନୀ, ଆଜି ବାଟରେ ଗଲାବେଳେ କ'ଣ ଖାଇବା କହିଲୁ। ଗୁପଚୁପ୍ ନା ଆଇସିକ୍ରିମ୍ ନା..

ନନ୍ଦିନୀ- ଥାଉ! ଏମିତିରେ ତ ଝିପିଝିପି ବର୍ଷା ହଉଛି। ସେଥିରେ ଏଇଆକୁ ଖାଇବାକୁ ବର୍ଷାରେ ଭିଜି ଦେହ ଖରାପ କରିବୁନା କ'ଣ? ପ୍ରଥମେ କେମିତି ଘରେ ପହଞ୍ଚିବା ସେଇଟା ଭାବ୍। ହଁ ଯଦି ଖାଇବା କଥା କହୁଚୁ.. ତାହାଲେ ତୁ ଆଜି ମୋତେ କୋଉ ଗୋଟେ ଢ଼ାବାକୁ ନେଇ କଂସାଏ ପଖାଳ ସାଙ୍ଗକୁ ମାଂସ ଝୋଳ ଟିକେ ଖୁଆଇ ଦେ ବାସ୍, (ସିଟି ମାରି)ପାଗଟା ପୁରା ଜମି ଯାଆନ୍ତା ମ ସାଙ୍ଗ। ମୁଁ ନଖାଇଲେ କାଳେ ତୁ ମନ ଖରାପ କରିବୁ, ସେଇଥିପାଇଁ ଖାଇବା କଥା। ଆଉ ହଁ ତୁ ମନ ଦୁଃଖ କର ନା, ଏଥର କିନ୍ତୁ ତୋ ଖାଇବା ପଇସା ଟା ଘରକୁ ଗଲେ ନିଶ୍ଚେ ଦେଇଦେବି।

ରାଜୁ- ତୁ କାଇଁ ସେ ନିତିଦିନିଆ ବାଣୀ ଶୁଣଉଛୁ କହିଲୁ। (ପଇସା ଦେଇ)ମା' ହର ଚଣ୍ଡୀ ନେ ପଇସା ରଖ୍, ଆଉ ତୁ ଯାହା ଖାଇବା କଥା ଖାଆ। ମୁଁ ତ ଆଜି ଗୁପ୍ ଚୁପ୍ ହିଁ ଖାଇବି, ଖାସ୍ କରି ଖଟା ପାଣି।

ନନ୍ଦିନୀ- (ରାଜୁ ଗାଲରେ ଚୁମ୍ବନ ଦେଇ)ସତରେ ଦୁନିଆର ସବୁଠୁ ଭଲ ମୋ ସାଙ୍ଗ ରାଜୁ। (ଏହା ଦେଖି ସବୁ ଲୋକ ଆଶ୍ଚର୍ଯ୍ୟରେ ଚାହିଁଛନ୍ତି)

ରାଜୁ- (ଧିରେ ଧିରେ)ଆରେ ନନ୍ଦିନୀ ଏ ଲୋକ ମାନେ କ'ଣ ଏମିତି ଆମକୁ କାଲୁ ବାଲୁ କରି ଚାହିଁଛନ୍ତି କିରେ। ଆମେ ତାଙ୍କର କିଛି ଲୁଟିନେଲେ ନା କ'ଣ।

ନନ୍ଦିନୀ- ସେ ଚାହାନ୍ତୁ। ସେଥିରୁ ଆମକୁ କ'ଣ ମିଳିବ।

୨ୟ ଦୃଶ୍ୟ:

ଗାଁ ଲୋକେ- ଝୁଅ ନନ୍ଦିନୀ.. ନନ୍ଦିନୀ.. ମାଆ ନନ୍ଦିନୀ ଘରେ ଅଛୁ।

ନନ୍ଦିନୀ- (ଘରୁ ବାହାରି)ଆଜ୍ଞା କୁହନ୍ତୁ, କ'ଣ ହେଲା। ସେପଟେ ମୁଣ୍ତ ଉପରେ ପରୀକ୍ଷାଟା ତ, ପଢା ପଢି ଜୋର ସୋର ଚାଲିଛି।

ଗାଁ ଲୋକେ- (ନକ୍ସା ଦେଖେଇ)ମାଆ ରେ, ଏଇ ଦେଖ୍ ଏ ନକ୍ସାକୁ। ଏ ସବୁ ଜମି ଆମ ଗାଁ ବାଲା ଙ୍କର। କିଛି ଦିନ ତଳେ ସରକାରୀ ବାବୁ ମାନେ ଆସି ଏଠି କି ଯନ୍ତ୍ରପାତି କାରଖାନା କରିବାକୁ କହିଲେ। ତା ବଦଳରେ ସେ ଜମିର ଦୁଇ ଗୁଣା ଟଙ୍କା ଦବାକୁ କହିଲେ ସେଇଥିପାଇଁ ଆମେ ରାଜି ହେଇ ଜମି ସରକାର ହାତକୁ ଟେକି ଦେଲୁ, ହେଲେ..

ନନ୍ଦିନୀ- ହେଲେ ପୁଣି କ'ଣ। ଜମିର ତ ଦି ଗୁଣା ଟଙ୍କା ପାଇଲ, ପୁଣି ଅସୁବିଧା କୋଉଠି ରହିଲା କୁହ। ତମେ ମାନେ ନ କହିଲେ ମୁଁ କେମିତି କ'ଣ ଜାଣିବି?

ଗାଁ ଲୋକେ- ନାଇଁ ମାନେ, ସେଇ ଟଙ୍କାକୁ ନେଇ ଘରେ ବସି କିଛି ଦିନ ବେସ୍ ଖୁସି ବାସୀରେ ଚଳିଗଲୁ। ହେଲେ ଏବେ ଟଙ୍କା ସରିଲା ପରେ, ଯୋଉ ବାକି ଜମି ଗୁଣ୍ଠେ ଦି ଗୁଣ୍ଠ ପଡ଼ିଛି ସେଥିରେ ଚାଷବାସ କରି ଚଳିବା ଭାରି କଷ୍ଟ ହଉଛି। ଏମିତିରେ ତ କାରଖାନା ଗଢିବା ପାଇଁ ଭୂଇଁରେ ନଡ଼ିଆ ଖଣ୍ଡେ ବି ବାଡା ହେଇନି। ଏବେ ବି ସମୟ ଅଛି ଆମ ଜମି ଖଣ୍ଡକ ଆମ ପାଖକୁ ଫେରିବା ପାଇଁ। ତେଣୁ ମାଆ ତୁ ଯଦି ଟିକେ ଆମ ସହ କାଲି ଯାଇ ବଡ଼ ହାକିମ ଙ୍କୁ ଭେଟନ୍ତୁ ତା ହେଲେ ଟିକେ ଭଲ ହୁଅନ୍ତା। ଆଉ ହଁ, ତାଙ୍କ ଦେଇଥିବା ଟଙ୍କାକୁ ଆମେ ଧିରେ ଧିରେ ଚାଷବାସ କରି ସୁଝିଦବୁ।

ନନ୍ଦିନୀ-- ଏକଥା ତ ତୁମକୁ ଜମି ବିକ୍ରି କରିବାର ପୁର୍ବରୁ ଭାବିବାର ଥିଲା। ନେଡି ଗୁଡ କହଣିକୁ ବୋହିବା ପରେ ଚେତା ଆସୁଛି। କେମିତି ଭୁଲି ଗଲ ପିଢ଼ି ପିଢ଼ି ଧରି ପେଟକୁ ଗଣ୍ଡେ ଦାନା ଯୋଗେଇ ଆସୁଥିବା ଜମିକୁ। ଚାଷୀଭାଇର ଜମି ପରା ସ୍ତ୍ରୀ ଆଉ ତା'ର ଫସଲ ସନ୍ତାନ। ଟଙ୍କା ଲୋଭରେ ଆଜି କେମିତି ଭୁଲିଗଲ ସେ ପରିବାରକୁ।

ଗାଁ ଲୋକେ-- ଏହା ଆମର ଭୁଲ  ଥିଲା, ଏହା ଆମେ ମାନୁଛୁ..।

ଉମା- ଆଲୋ ଦେଖ ବା..। ଆମ ଦୁଆରେ କେଇଯା ନୋକ। ଆମର ଏ ଟୋକି ଖଣ୍ଡକ ତ ନାଟସାହେବ ହେଇଗଲାଣି। ଆ ପାଖକୁ ଘନାଘନ ଲୋକଙ୍କର ଭିଡ। ଛୋଟି ଟାଏ ନ ହେଇଥେଲେ ସେ ଆଉ କେତେ ମରଦ ପଣିଆ ଦେଖାନ୍ତା। ଏଠି ଠିଆ ହେଇ ନେତାଙ୍କ ଭଳିଆ ଭାଷଣ ମାରୁଛି ଭାଷଣ। ସଅଳ ଆସ୍, ସେ ହଟିଆ କି ତୋ ମାଆକୁ ଠିକରେ ଜଳଖିଆ ବି ଆସୁନି ତେଣୁ ତୁ ମୋ ପାଇଁ କରିବୁ।

ନନ୍ଦିନୀ- ହଁ ହଁ, ଯାଉଛି। ହଉ ଭାଇ ମାନେ ତୁମେ ମାନେ କାଲି ସକାଳୁ ଆସ, ଯିବା।

×××××

[ଅଫିସର ତଳକୁ ଅନାଇ କିଛି ଲେଖା ପଢା କରୁଛନ୍ତି ଆଉ ସେହି ସମୟରେ ପହଞ୍ଚିଲେ ନନ୍ଦିନୀ ଓ ଗାଁର ସବୁ ଲୋକ]

ନନ୍ଦିନୀ- ସାର୍ ଭିତରକୁ ଯାଇ ପାରିବୁ?

ଅଫିସର- ହଁ।

ନନ୍ଦିନୀ- ସାର୍ ଆପଣ ସେହି ନା, ଯିଏ ରାଇପୁର ଗାଁ କାରଖାନା ପ୍ରକଳ୍ପର ଭାରପ୍ରାପ୍ତ ଅଫିସର।

ଅଫିସର- ହଁ।

ନନ୍ଦିନୀ- ଆପଣଙ୍କୁ ତ ଏ ଲୋକ ମାନେ ଆଗରୁ ଏ ବିଷୟରେ କହିଛନ୍ତି। ମୁଁ ଆଉ ଅଧିକ ବା କ'ଣ କହିବି। ଏ ପର୍ଯ୍ୟନ୍ତ ତ ଜମିରେ ଗାର ଖଣ୍ଡେ ବି କଟା ହେଇନି। ତେଣୁ..

ଅଫିସର- (ଲେଖା ଲେଖି ବନ୍ଦ୍ କରି)କିଏରେ ମାଆ ତୁ ଝାନସୀ ରାଣୀ। ଉପରକୁ ଦେଖିବାର ଏକଦମ୍ ଚବିଶି କ୍ୟାରେଟ ସୁନା ଦିଶୁଛି ଏ, କିନ୍ତୁ କିଅଣ ପାଇଁ କଥା ବାର୍ତ୍ତା ଗୁଡାକ ପିତ୍ତଳ ଭଳିଆ ଶୁଭୁଚି ଏ। ତମ ଜମିର ତ ଦୁଇ ଗୁଣା ଟଙ୍କା ନବାର ପୁଣି ଅସୁବିଧା ଟା କିଅଣ ହେଲା ଏ। ଆଉ କିଛି ହେଇପାରିବନି ଏ। ଚୁପ୍ ଚାପ୍ ଏଠୁ ବାହାରିବାର ନହେଲେ ଗଳା ଧକ୍କା ଦେଇ ଆମେ ବାହାର କରିବାର।

ନନ୍ଦିନୀ- (ଟେବୁଲ୍କୁ ହାତରେ ବାଡେଇ)ଅଫିସର! ସବୁ ହେଇ ପାରିବ। ହେଇ ହେଇ ଥକିବ। ଏ ପ୍ରକଳ୍ପର କୌଣସି କାଗଜ ପତ୍ର ତମ ପାଖରୁ ଉପର ସ୍ତରକୁ ଯାଇନାହିଁ। ତମେ ଚାହିଁଲେ ଏ ବିଚରା ଚାଷୀଭାଇ ମାନେ ତାଙ୍କ ଦାନା ପାଣି ଗଣ୍ଡାକ ଫେରି ପାଇବେ। ଜମିର ସବୁ ଟଙ୍କା ଆମେ ଏବେ ଦେଇଦବୁ। ହେଲେ ଆମ ଜମି ଆମକୁ ଫେରିବା ଦରକାର। (ଏହା ଶୁଣି ସବୁ ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ)

ଗାଁ ଲୋକେ- ନନ୍ଦିନୀ ମାଆ। ଆମେ ଏବେ ଟଙ୍କା କୋଉଠୁ ଆଣିବା। ଆମ ପାଖରେ ତ କାଣି କଉଡିଟିଏ ବି ନାହିଁ।

ଅଫିସର- ନନ୍ଦିନୀ! ମୁଁ ଶୁଣିଥିଲି ଏ କା ଗୋଟେ ଛୋଟି ଝିଅ ନନ୍ଦିନୀ ଗୁଡାଏ ସଫଳତା ପାଇବାର, ଆନ୍ତର୍ଜାତୀୟ ସ୍ତରରେ ପାଠ ଷାଠରେ ରାଜ୍ୟ ପାଇଁ ଅନେକ ଖ୍ୟାତି ଆଣିବାର। ସମାନେକା ତମେ ସେଇ ଝିଅ ନନ୍ଦିନୀ କି ଯିଏ ଏବର୍ଷ ମାଟ୍ରିକରେ ଟପ୍ପର ହବାର।

ଗାଁ ଲୋକେ- ହଁ ହଁ, ଇଏ ଆମର ସେଇ ସୁନା ଝିଅ ନନ୍ଦିନୀ।

ଅଫିସର- (ହାତକୁ ଧରି)ମ୍ୟାଡାମ୍ କ୍ଷମା କରିବାର। ଜାଣି ପାରିଲିନି ଏ, ଏତେ ବଡ଼ ଷ୍ଟାର ଙ୍କୁ। ତମ ଜମି ମୁଁ ଏବେ ତମକୁ ଫେରେଇଦବାର। ଟଙ୍କା ପଛରେ ଦେଲେ ବି ଚଳିବ ଏ।

ନନ୍ଦିନୀ- ଧନ୍ୟବାଦ ଅଫିସର।

ଗାଁ ଲୋକେ- (ଖୁସିରେ ସମସ୍ତଙ୍କ ମୁହଁରେ ଚେନାଏ ହସ ଫୁଟିଲା ପରେ ଅଫିସର ଙ୍କ ଗୋଡ ତଳେ ପଡି )ଯା ହଉ ଅଫିସର, ତମକୁ କୋଟି କୋଟି ଧନ୍ୟବାଦ।

ଅଫିସର- ତମକୁ ନିତି କନ୍ଦେଇ ସେଠି କାରଖାନା ଠିଆ କରି ଆମେ ଖୁସିରେ ରହି ନ ପାରିବାର। ସମାନେକା ତମର ଆଜି ଏ ଖୁସି ଦେଖି ମୋତେ ଭାରି ଶାନ୍ତି ଲାଗିବାର।

୩ୟ ଦୃଶ୍ୟ:

ଶିକ୍ଷକ- ମା' ନନ୍ଦିନୀ, କଲେଜ ପଢ଼ା ତ ସରିବାକୁ ବସିଲାଣି। ଏବେ ତୋ ଇଚ୍ଛା ସବୁରେ ଡେଣା ଲଗେଇବାର ସଠିକ୍ ସମୟ ଆସିଛି। ମୁଁ ଜଣେ ବଡ଼ ଡାକ୍ତର ଙ୍କ ସହ କଥା ହୋଇ ତୋ ଗୋଡ଼କୁ ପ୍ଲାଷ୍ଟିକ ସର୍ଜରୀ କରି ଠିକ୍ କରିବାର ବନ୍ଦୋବସ୍ତ କରିଦେଇଛି।

ନନ୍ଦିନୀ- ସାର୍! ଏସବୁର କ'ଣ ଆବଶ୍ୟକ। ମୁଁ ତ ଏମିତି ବେଶ୍ ଭଲ ଅଛି।

ଶିକ୍ଷକ- ନାଇଁରେ ମା'। କେତେ ଆଉ ଆକାଶକୁ ଚାହିଁ ପାଟିର ପାଣିକୁ ଫୁ କରି ଖାଲି ନିଜକୁ ଧିକ୍କାର କରିବୁ। ଆଜି ସମୟ ଆସିଛି ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗ ହୋଇ ଉଡିଯିବାକୁ। ଯେମିତିକି ତୁ ଉଡି ତୋର ସବୁ ଆଶା ଆକାଂକ୍ଷାକୁ ପୁରା କରିପାରିବୁ।

ନନ୍ଦିନୀ- ମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି?

ଶିକ୍ଷକ- ତୋତେ ମୁଁ ବିମାନ ଚାଳକ ରୂପେ ଦେଖିବାକୁ ଚାହୁଁଛି। ଆକାଶର ଛାତିକୁ ଚିରି ଉଡି ବୁଲିବୁ ତୋ ପଡୋଶୀ ଶତ୍ରୁର ମରଣ ଦୁଆରେ। ଜବାବ୍ ଦବୁ ସବୁ ପ୍ରଶ୍ନର। ତୁ ପ୍ରତି ମୂହୁର୍ତ୍ତରେ ଯେଉଁ କଳ୍ପନା କରୁଛୁ ତାକୁ ପୁରା କରିବାରେ ଏହା ତୋ ପାଇଁ ରାମବାଣ ସାଜିବ। ତୁ ହିଁ ସବୁ ଅପେକ୍ଷାର ଅନ୍ତ ଘଟାଇ ରଚିବୁ ନୂଆ ଇତିହାସ, ସେ ଶକ୍ତି ତୋ ତୀକ୍ଷ୍ଣ ଆଖିରୁ ସ୍ପଷ୍ଟ ବାରି ହେଇପଡୁଛି। ଆଉ ତୋର ଗୁରୁ ହିସାବରେ ସୁରେନ୍ଦ୍ର ମହାନ୍ତି ଙ୍କ ଛାତ୍ରୀ ନନ୍ଦିନୀ ବୋଲି ଲିପିବଦ୍ଧ କରାଯିବା କେବଳ ମୋର ସ୍ୱାର୍ଥ, ବାସ୍। ପାରିବୁ ତ ମା'..।

ନନ୍ଦିନୀ- ଆପଣ ସଠିକ୍ ମାର୍ଗ ଦେଖେଇ ଛନ୍ତି ସାର୍। ମୁଁ ମୋର ଶେଷ ଶକ୍ତି କଣିକା ଥିବା ପର୍ଯ୍ୟନ୍ତ ଚେଷ୍ଟା କରିବି, ଜଣେ ବାୟୁ ସେନାର ଦକ୍ଷ ପାଇଲଟ୍ ହବାପାଇଁ।

ଶିକ୍ଷକ- କାଲି ସକାଳୁ ବାହାରି ପଡିବୁ। କିଛି ଦିନ ଦିଲ୍ଲୀରେ ରହିବାକୁ ପଡିବ। ସେଠି ତୋର ସର୍ଜରୀ ତା' ସହ ଏସ୍.ପି.ଏଲ୍, ସି.ପି.ଏଲ୍ ଭଳି ଲାଇସେନ୍ସ, ପଢା ପଢି, ଟ୍ରେନିଂ ପାଇଁ ଅତିକମରେ ବର୍ଷେ ଖଣ୍ଡେ ଲାଗିବ। ଆଉ ଏଥିରେ ଯାହା ସବୁ ଟଙ୍କା ଖର୍ଚ୍ଚ ହବ ସବୁ ମୁଁ କରିବି, ପରେ ତୁ ଶୁଝି ଦବୁନି।

ନନ୍ଦିନୀ- ଆଜ୍ଞା ସାର୍ ମୁଁ ଏବେ ଆସୁଛି। କାଲି ପାଇଁ ପୁଣି ପ୍ରସ୍ତୁତ ହବାକୁ ପଡିବ।

×××××

ନନ୍ଦିନୀ- (ଘରକୁ ଫେରି ଆସି)ମା'.., ଜେଜେ.., ଜେଜେ ମାଆ.., ହଟିଆ ଅଙ୍କଲ। ଓଃ ହୋ! କୁଆଡେ ଗଲ ଯେ। (ଏହା ଶୁଣି ସମସ୍ତେ ଧାଇଁ ଆସିଲେ)

ହଟିଆ- କ'ଣ ହେଲା, ନନ୍ଦିନୀ ମା'। ଘରଟାକୁ ଏମିତି ହାଟ କରି ଦଉଛ ଯେ।

ନନ୍ଦିନୀ- କଥା କ'ଣ କି, ମୁଁ କାଲି ଠାରୁ ପାଇଲଟ୍ ଟ୍ରେନିଂ ପାଇଁ ଦିଲ୍ଲୀ ବର୍ଷେ ଯାଉଛି। ଆଜି ତ ଗୋଟିଏ ଦିନ ତମ ମାନଙ୍କ ସହ ମିଶିବାକୁ ସୁଯୋଗ ପାଇବି। ସେଥିପାଇଁ ଗପିବାକୁ ଡାକି ଦଲି..।

ଉମା- କି ଟ୍ରେନିଂ? ସେଇଟା ପୁଣି କଣ ବା?

ଶଙ୍କର- ଆରେ ଉମା! ଆମ ନାତୁଣୀ ଉଡାଜାହାଜ ଚଲେଇବ ଉଡାଜାହାଜ!

ଉମା- କ'ଣ ଉଡାଜାହାଜ! ସେଇଟା ତ ମୁଁ ଦେଖିନାଇ ଯାହା ଖାଲି ଟିଭିରେ ଦେଖିଛି। ଏଇଠୁ ଯେ ଆମ ଗାଁ ମୁଣ୍ଡ ଶେଷ ଯାଇଁ ଲମ୍ବା। ଇଏତ ଛୋଟି, କୁଜି ଟୋକି ଟା। ଖାଲି ଭଲ ପାଠ ପଢିଦେଲେ କ'ଣ ହେଇଯିବ।

ନନ୍ଦିନୀ- ନାଇଁ ଲୋ ବୁଢୀ। ମୋର ଗୋଡ ପ୍ଲାଷ୍ଟିକ ସର୍ଜରୀ କରେଇ ଦେବେ ବୋଲି ଆମ ସାର୍ କହିଛନ୍ତି।

ଶଙ୍କର- ବହୁତ ଭଲରେ ମା', ବହୁତ ଭଲ। ତୁ କଠିନ ପରିଶ୍ରମ କର। ନିଶ୍ଚେ ସଫଳ ହେବୁ। ପେଟକୁ ଦି ଓଳି ଭଲ ଖାଇବାକୁ ନିଜ ପରିବାରକୁ ବି ଦବାକୁ ଆଜି ଅସମର୍ଥ ଏ ଶଙ୍କର ବାବୁ। ତୁ ତ ଛୋଟବେଳେ ଖାଲି ଶାଗ ଆଉ ଲୁଣ ଖାଇ ବଡ ହେଇଛୁ।

ହଟିଆ- ହଁ ନନ୍ଦିନୀ ମା', ତମେ ଅନେକ ପରିଶ୍ରମ କର। ସବୁ କ୍ଷେତ୍ରରେ ବିଫଳତାକୁ ହଟେଇ ସଫଳତା ପାଅ।

ପଲ୍ଲବୀ- (ଲୁହ ଭରା ଆଖିରେ)ମା' ରେ, ମୁଁ ତୋର ଜମା ବାଟ ରୋକ୍ କରିବିନି। ହେଲା ସବୁବେଳେ ସତର୍କ ଆଉ ସାବଧାନ ଥିବୁ। ଚେଷ୍ଟା କରିବୁ ଯେତେ ଶୀଘ୍ର ଫେରିଆସିବୁ। ସେଣିକି ତୁ ପାଇଲଟ୍ ହେଲେ ଖୁସି ନ ହେଲେ ମଧ୍ୟ ଖୁସି। ହେଲେ ମୁଁ ଜାଣିଛି ତୁ ସବୁ କିଛି ପାରିବୁ।

ନନ୍ଦିନୀ- ଓଃ ହୋ। ତମେ ମାନେ ଏମିତି ସବୁ କାନ୍ଦୁଛ   ଯେମିତି ମୁଁ ଶାଶୁଘର ଯାଉଛି। ଏମିତି କାନ୍ଦିଲେ ମୋତେ ସେଠି ଜମା ଭଲ ଲାଗିବନି। ବର୍ଷକ ପାଇଁଁ ଟ୍ରେନିଂରେ ଯାଉଛି, ପୁଣି ଫେରି ଆସିବିନି।

୪ର୍ଥ ଦୃଶ୍ୟ:

[ଟିଭିକୁ ଚାତକ ପରି ଚାହିଁ ଥାନ୍ତି ଶଙ୍କର ବାବୁଙ୍କ ପରିବାର। ଆଉ ଟିଭି ଭିତରୁ ଶୁଭିଲା:]

(ଜଣେ ଭିନ୍ନକ୍ଷମ ନାରୀ ହୋଇ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରି ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଜି ବାୟୁ ସେନାରେ ଯୋଗ ଦେବାର ପ୍ରଥମ ଦିନରୁ ଲଢୁଆ ବିମାନର ଲଢୁଆ ପାଇଲଟ୍ ମିସ୍ ନନ୍ଦିନୀ ରାୟ, ପ୍ରଥମେ ଚୀନ୍ ଭାରତର ସେନା ଙ୍କୁ ଆକ୍ରମଣ କରୁଥିବା ଅବସ୍ଥାରେ ଖୁବ୍ ଚତୁରତାର ସହ ଚୀନର ବିମାନକୁ ଧ୍ୱଂସ କରିଛନ୍ତି। ତା ଭିତରେ ଅଠର ଶତ୍ରୁଙ୍କୁ ନିପାତ କରି ସବୁ ଭାରତୀୟ ସେନାଙ୍କୁ ସୁରକ୍ଷିତ ଫେରେଇ ଆଣିବାରେ ସକ୍ଷମ ହୋଇଛନ୍ତି‌।)

ଶଙ୍କର- (ଖୁସିରେ)ଏ ପଲ୍ଲବୀ ଦେଖ୍ ମୋ ନନ୍ଦିକୁ, ମୋ ନନ୍ଦି ଟିଭିରେ ବାହାରିଛି। ମୋ ନନ୍ଦି ବାୟୁ ସେନାର ଉଡାଜାହାଜ ଉଡେଇ ଶତ୍ରୁ ମାନଙ୍କୁ ଠିକ୍ ଜବାବ୍ ଦେଇଛି। (କବାଟର ଖଟ୍ ଖଟ୍ ଶଦ୍ଦ)

ପଲ୍ଲବୀ ଯାଇ ଦେଖିଲୁ କିଏ। ଆଉ ତାକୁ ଘରେ ବସା ମୁଁ ମିଠା ଆଣି ଆସେ।

ପଲ୍ଲବୀ- ହଉ ବାପା। (କବାଟ ଖୋଲି ଦେଖେ ତ ରୋହିତ)

(ଆଶ୍ଚର୍ଯ଼୍ୟ ହୋଇ ଧିର କଣ୍ଠରେ)ତମେ! ତମେ ଆଉ ଏଠିକି କାହିଁକି ଆସିଛ?

ଶଙ୍କର- (ହାତରେ ମିଠା ଧରି କବାଟ ପାଖକୁ ଆସି ଚିତ୍କାର କରି)ଏ ହଟିଆ ଠେଙ୍ଗା ଆଣି ଆସ୍ରେ ଆମ ଘରେ ଡକାୟତ ପଶିଛି।

ହଟିଆ- (ଠେଙ୍ଗା ଧରି)କୋଉଠି ବାବୁ କୋଉଠି। (ଆଶ୍ଚର୍ଯ଼୍ୟରେ)ଆରେ ଇଏ ବୋଧେ ଆମ ରୋହିତ ବାବୁ ନା କ'ଣ।

ଶଙ୍କର- ଆରେ ହଁ, ଏଇତ ଡକାୟତ!

ରୋହିତ- (ପାଦତଳେ ପଡ଼ି କାନ୍ଦି)ବାପା ଆଜି ତମର ଯାହା କହିବାର କଥା କହିଯାଅ, ଯାହା ଦଣ୍ଡ ଦବାର ଅଛି ଦେଇଯାଅ। ମୁଁ ସବୁ ମଥା ନଇଁ ସହିଯିବି। ହେଲେ ମୋତେ ଘରୁ ବିହାରିବା କଥା କହିବନି। ମୋର ସବୁ ଭୁଲ  ପାଇଁ ମୁଁ ଲଜ୍ଜିତ। ଆଜି ସକାଳୁ କିଛି ସରକାରୀ ଅଧିକାରୀ ନନ୍ଦିନୀର ଏ ସଫଳତା ବିଷୟରେ କହି ମୋ ଉପସ୍ଥିତି ନିହାତି ଲୋଡିଲେ। ଏହା ସବୁ ଜାଣି ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ଭାବୁଥିଲି ମୁମ୍ବାଇରେ ଲଗ୍ନା ସହ ବେଶ୍ ଖୁସିରେ ରହିବି, ହେଲେ ସେ ମୋତେ ବାହା ହବାର ପ୍ରତିଶ୍ରୁତି ଦେଇ ମୋତେ କଳାକନା ବୁଲାଇ ଚାଲିଗଲା‌। ସେବେଠୁ ମୁଁ ମୋ ନିଜକୁ ବଦଳେଇ ସାରିଛି। ଭାରି ମନେ ପଡେ ତୁମ ମାନଙ୍କ କଥା କିନ୍ତୁ ତୁମ ମାନଙ୍କ ସାମ୍ନାକୁ ଆସିବାର ସାହସ ନ ଥିଲା। ଯଦି କହିବ ତେବେ ନିହାତି ଏଠୁ ବାହାରିଯିବି ହେଲେ ଥରେ କେବଳ ମୋ ଝିଅକୁ ଦେଖି ବାପାର ପରିଚୟ ଦେଇ ଚାଲିଯିବାର ସୁଯୋଗ ଦିଅ।

ଉମା- (ପଛରୁ ଧାଇଁ ଆସି)ମୋ ପୁଅ, ମୋ ଧନ ଆସିଛି ମୋ ପାଖକୁ। କୋଉଠି ଶାନ୍ତିରେ ଥେଲୁରେ ଏ ବୁଢା ବୁଢିଙ୍କୁ ଦାଣ୍ଡର ଭିକାରୀ କରିଦେଇ।

ରୋହିତ- ନାଁ ଲୋ ବୋଉ ଜମା ଶାନ୍ତିରେ ନ ଥିଲି, ପ୍ରତି ମୂହୁର୍ତ୍ତରେ ନିଜ ଚରିତ୍ର ପ୍ରତି ଘୃଣା ଆସୁଥିଲା। ହେଲେ ଆଜି ମୁଁ ବଦଳି ଯାଇଛି ଲୋ ବୋଉ । ତାହାଲେ କୁହ ମୋର ଏ ଘରେ ସ୍ଥାନ ଅଛିକି ନାହିଁ?

ହଟିଆ- ହୋ ଶଙ୍କର ବାବୁ କ'ଣ କହୁନା, ସାନ ବାବୁ ପରା ଘଣ୍ଟାଏ ହେଲା ପାଦ ତଳେ ପଡିଲେଣି। କେତେ ଆଉ ତାଙ୍କୁ ହଟହଟା କରିବ।

ଶଙ୍କର- (ଆଖିରୁ ଲୁହ ପୋଛି)ହଁ ହଁ ଉଠ୍। ଦେଖ ଏ ବିଧାତାର ଅଜବ ବିଧାନକୁ। ସବୁ ଦିନ ଦୁଃଖରେ ରହୁଥିବା ମଣିଷକୁ ଆଜି ଗୋଟିଏ ଦିନରେ ଏତେ ଖୁସି ଦଉଛି ଯେ, ସେ ଖୁସିକୁ ସମ୍ଭାଳି ହଉନି। ଆଜି ମୋ ଜୀବନର ସବୁଠୁ ଖୁସିର ଦିନ।

ଉମା- (ଛଳ ଛଳ ଆଖିରେ)ଯା ହଉ ମୋ ନାତୁଣୀ ନନ୍ଦିନୀ ପାଇଁ ମୋ ପୁଅକୁ ମୁଁ ଆଜି ଫେରି ପାଇଛି। ଏ ପଲ୍ଲବୀ, ତୋତେ ଆଉ ତୋ ଝୁଅକୁ ମୁଁ କେତେ କଡ଼ା କଥା ନ କହିଛି। ମୋତେ କ୍ଷମା କରିଦେ ମା'। ମୁଁ ଆଜି ମୋର ସବୁ ଭୁଲ  ବୁଝିପାରିଛି। ଯାହାକୁ ଦିନେ ପେଟରେ ମାରି ଦବାକୁ କହୁଥିଲି, ସେ ଆଜି ଆକାଶରେ ଉଡିଲାଣି। ହେଲେ ମୋ ପୁଅଟା ଆମ ସହ କ'ଣ କରିଥିଲା। ଯେତେହେଲେ ମୁଁ ତା'ର ମାଆ, ସେଥିପାଇଁ ଭଲ ହଉ କି ମନ୍ଦ ହଉ ସିଏ, ଆପଣେଇ ନେବା ତ ଏ ମନର କାମ।

(କବାଟର ଖଟ୍ ଖଟ୍ ଶଦ୍ଦ)

-- ଘରେ କିଏ ଅଛନ୍ତି? (ପୁଣି ଖଟ୍ ଖଟ୍ ଶଦ୍ଦ)

ଶଙ୍କର- ହଁ ହଁ। (କହି କବାଟ ଖୋଲିଲେ)

ସରକାରୀ ଅଧିକାରୀ- ଏଇଟା ମିସ୍ ନନ୍ଦିନୀ ରାୟ ଙ୍କ ଘର ତ?

ଶଙ୍କର- ଆଜ୍ଞା।

ସରକାରୀ ଅଧିକାରୀ- ଆପଣଙ୍କ ସପରିବାର ଯାଇ ଶୀଘ୍ର ଗାଡ଼ିରେ ବସନ୍ତୁ। ମିସ୍ ନନ୍ଦିନୀ ଙ୍କ ସ୍ଵାଗତ ସମ୍ବର୍ଦ୍ଧନାରେ ଆପଣ ମାନେ ରହିବା ନିହାତି ଆବଶ୍ୟକ।

ଶଙ୍କର- (ଖୁସିରେ ବିଭୋର ହୋଇ)ହଁ ହଁ ଶୀଘ୍ର ସମସ୍ତେ ଚାଲ, ମୋ ନନ୍ଦିକୁ ଦେଖିବାକୁ ମୋ ଗୋଡ଼ ଆଉ ତଳେ ଲାଗୁନି।

୫ମ ଦୃଶ୍ୟ:

[ସୁନ୍ଦର ଚାକଚକ୍ୟ ରଙ୍ଗିନ ମଞ୍ଚ। ମଞ୍ଚ ଉପରେ ଅନେକ ବିଶିଷ୍ଟ ପଦ ପଦବୀ ଲୋକଙ୍କ ସହ ନନ୍ଦିନୀ ବସିଛି। ଦାମି ପୋଷାକ, ଜୋତା, ଘଣ୍ଟା ପିନ୍ଧିଥାଏ ଆଉ ଦୁଇ କଡରେ ଦୁଇ ଜଣ ସୁରକ୍ଷାକର୍ମୀ। ଆଉ ମଞ୍ଚ ତଳର ଆଗ ଧାଡିରେ ସ୍ଵତନ୍ତ୍ର ସୁରକ୍ଷା ସହ ବସିଛନ୍ତି ନନ୍ଦିନୀର ପରିବାର ଲୋକ, କଲେଜ ଅଧ୍ୟାପକ ଆଉ ତା' ସାଙ୍ଗ ରାଜୁ]

ଉପସ୍ଥାପିକା- ନାରୀ ସକଳ ଶକ୍ତିର ଆଧାର। ଛୋଟବେଳୁ ଜଣେ ଦିବ୍ୟାଙ୍ଗ ହେଇ ମଧ୍ୟ ତାଙ୍କ ସାହାସିକତା ଆଉ ଦୃଢ଼ ମନୋବଳ ଆଗରେ ହାର୍ ମାନିଛି ସବୁ ପ୍ରତିବନ୍ଧକ। ଆଜି ଦିବ୍ୟାଙ୍ଗ ନନ୍ଦିନୀ ରାୟ ପରିବର୍ତ୍ତେ ବାୟୁ ସେନାର ଦକ୍ଷ ପାଇଲଟ୍ ମିସ୍ ନନ୍ଦିନୀ ରାୟ। ଅନୁରୋଧ କରିବି ସେ କିଛି କହିବେ।

ନନ୍ଦିନୀ- ପ୍ରଥମେ ପ୍ରଣାମ ମୋର ଅତି ପ୍ରିୟ ଜେଜେ, ଯାହାଙ୍କ ଆଦର୍ଶରେ ମୁଁ ଏପର୍ଯ୍ୟନ୍ତ ଆସି ପାରିଛି। ପ୍ରଣାମ ମୋର ସାର୍, (ସାରଙ୍କୁ ଚାହିଁ)ଆଜିଠୁ କିନ୍ତୁ ସାର୍ ମୁଁ ସ୍ୱପ୍ନ ଦେଖିବା ନିଶ୍ଚେ ଆରମ୍ଭ କରିବି। ପ୍ରଣାମ ମୋର ସପରିବାର, ମୋର ବନ୍ଧୁ ରାଜୁ ଆଉ ସମସ୍ତ ଶୁଭେଚ୍ଛୁ ମାନଙ୍କୁ। ଆଜି ମୁଁ ବହୁତ ଖୁସି ଯେ, ମୋ ବାପାଙ୍କ ପରିଚୟ ମୁଁ ଫେରି ପାଇଛି। ବାପା, ମୁଁ ଦୁନିଆକୁ ଆସି ଏମିତି କି ଭୁଲ  କରିଦେଲି ଯେ, ମୋ ପାଇଁ ସାରା ପରିବାରକୁ ପଚିଶି ବର୍ଷ କାଳ କନ୍ଦେଇଲ ଆଉ ମୋତେ ବାପା ଡାକରୁ ବଞ୍ଚିତ କଲ। ମୁଁ ପୁଅ ନୁହେଁ ଭିନ୍ନକ୍ଷମ ଝିଅ ଟିଏ ଥିଲି ବୋଲି, ଏହା ବୋଧ ହୁଏ ମୋର ଭୁଲ  ଥିଲା। ମୁଁ ତ କହିବି ଝିଅଟିଏ ସବୁ କିଛି ସହି ଜାଣେ, ବୋଝ ବୋହି ବି ଜାଣେ। ସେ ଆଗଭଳି ଏରୁଣ୍ଡି ବନ୍ଧ ଭିତରେ ରହି ହାତେ ଓଢ଼ଣାର କଟକଣା ଭିତରେ ନିଜକୁ ସୀମିତ ରଖିନି। ତା'ର ଦରଦି ଓଠର କଥା, ହସ ଓ ନୀରିହ ଚାହାଣୀରେ ଲେଖେ ଅନେକ ସମ୍ପର୍କ ଓ ସମନ୍ୱୟର କାହାଣୀ। ଏତେସବୁ ପରେ ବି ଏବେବି ପ୍ରତିଦିନ ଜନ୍ମ ନେବା ପାଇଁ ସଂଘର୍ଷ କରେ କୁନି ଝିଅଟିଏ। ଏହା କେତେ ଦୂର ଠିକ୍? (ଏହା ଶୁଣି ସମସ୍ତେ ଛିଡ଼ା ହୋଇ ତାଳି ମାରିବାକୁ ଲାଗିଲେ)

ରୋହିତ- (ବସିବା ସ୍ଥାନରୁ ଛିଡ଼ା ହୋଇ ମଥାକୁ ତଳକୁ କରି) ଏହା ମୋର ସମ୍ପୂର୍ଣ୍ଣ ଭୁଲ  ଥିଲାରେ ମା'। ଯେଉଁଥିପାଇଁ ମୁଁ ଆଜି ଲଜ୍ଜିତ। 

ଉପସ୍ଥାପିକା- ସେ ଯାହା ବି ହେଉ। ଏବେ ପୁଅ, ଝିଅଙ୍କ ଭିତରେ ପ୍ରାଚୀର ଭାଙ୍ଗି ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାର ସମୟ ଆସିଛି। ପୁଅଟିଏ ହୋଇଥିଲେ ଭଲ ହୋଇଥାନ୍ତା ଏ କ୍ରୁର ମାନସିକତାରେ ଏବେବି ଜିଉଁ ଥିବା ଅନେକ ଙ୍କ ପାଇଁ ନନ୍ଦିନୀ ଭଲ ଉତ୍ତର। ବର୍ତ୍ତମାନ ତାଙ୍କ ମା' ପଲ୍ଲବୀ ରାୟ ଙ୍କୁ ଷ୍ଟେଜ୍ ଉପରକୁ ଡାକିବାକୁ ଚାହିଁବୁ। ସେ ଆସି ଝିଅଙ୍କ ବିଷୟରେ କିଛି କହିବେ।

ପଲ୍ଲବୀ- କ'ଣ ବା ଆଉ କହିବି। ମୋ ସ୍ଵପ୍ନକୁ ମୋ ଝିଅ ଭିତରେ ଦେଖି ଆଜି ମୁଁ ବହୁତ ଖୁସି। ଆଜି ମନେ ପଡେ ବାପାଙ୍କ ସେଇ ପଦିକ "ଯେଉଁ ଶିକୁଳିରେ ବନ୍ଧା ତୁ ତାହା ନୁହେଁ ତୋର ବସ୍ତ୍ର, ଶିକୁଳିକୁ..." ତା' ପରେ କ'ଣ ତ...

ହଟିଆ- (ଛିଡ଼ା ହୋଇପଡି)ଶିକୁଳିକୁ ତରଳେଇ କରିଦେ ତାକୁ ଶସ୍ତ୍ର!

ପଲ୍ଲବୀ- (ବିଚଳିତ ହୋଇ)ହଁ ହଁ ଏକ୍ ଦମ୍ ଠିକ୍। ହେଲେ ହଟିଆ କାକା ତୁମେ କେମିତି...!

ହଟିଆ- ଏ ଝିଅ, ମୁଁ କହିଥିବା କଥାକୁ ମୁଁ ନିଜ ମନରୁ କେମିତି ହଟେଇଦେବି ଯେ। ମୁଁ ତୋର ପରା ସେଇ ଧୋକାଦିଆ ବାପା! ଯିଏ ଆଇସିକ୍ରିମ୍ ଆଣି ଦେବାକୁ କଥା ଦେଇ ଏଇ ଶଙ୍କର ବାବୁଙ୍କ ଘରକୁ ଚାଲିଆସିଥିଲା ଦି ପଇସା ରୋଜଗାର କରିବାକୁ। ଆରେ କୋଉ ସରକାର ନୁହେଁରେ ଏଇ ବାପଟା ତୋର ପୋଷ୍ଟ ବାଲା ସହ ନିଇତି ପଇସା ପଠଉଥିଲା ତୋ ପାଇଁ। ଆଜି ମୁଁ ବହୁତ ଖୁସି। କେବଳ ମୁଁ ନୁହେଁ, ଉପରେ ଥିବା ନର ରାକ୍ଷସଙ୍କ ଦ୍ବାରା ଧର୍ଷିତା ତୋ ମାଆ ବି ଆଜି ବେଶ୍ ଖୁସି ହଉଥିବ। ଯାହା ହଉ ତା'ର ନାତୁଣୀ ଟା ତା' ପରି କି ତା' ଝିଅ ପରି ଲାଜକୁଳୀ ପତ୍ର ନୁହେଁ ସେ ଲାଜକୁଳୀ ଲତାର ପତ୍ର ପରି ଆଉ ତା'ର କଣ୍ଟା ପରି ମଧ୍ୟ। ଆମ ସ୍ଵପ୍ନକୁ ଆମ ଝିଅ ପୁରା ନ କରି ପାରିଲେ କ'ଣ ହେଲା ମୋ ନାତୁଣୀ ତାହା କରି ଦେଖେଇଛି।

(ମଞ୍ଚ ତଳକୁ ନନ୍ଦିନୀ ଓ ପଲ୍ଲବୀ ଦୈାଡି ଆସି ହଟିଆକୁ କୁଣ୍ଢାଇ ଧରି)

ପଲ୍ଲବୀ- ବାପା..। ଆଜି ମୁଁ ମୋ ବାପାକୁ ଫେରି ପାଇଛି। ସତରେ ଆଜି ଦିନଟି ବୋଧ ହୁଏ ଆମ ପରିବାର ପାଇଁ ସବୁଠୁ ଖୁସିର ଦିନ।

(ସମସ୍ତଙ୍କ ଆଖିରେ ଲୁହ। ତା' ଭିତରେ ସପରିବାର, ଅଧ୍ୟାପକ, ରାଜୁ ସଭିଏଁ ଏକାଠି ହୋଇ ମଞ୍ଚକୁ ଚଢିଲେ ଆଉ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ ହେଲେ।)


        ସମାପ୍ତ



Rate this content
Log in

Similar oriya story from Inspirational