STORYMIRROR

Sunil Bastia

Drama Tragedy

3  

Sunil Bastia

Drama Tragedy

ଯୋଡା ମାସ

ଯୋଡା ମାସ

2 mins
172

"ଯେଉଁ ମା' ତା'ର ଦୁଇ ପୁଅଙ୍କୁ ଛୋଟବେଳେ ପାଖରେ ଏକାଠି ବସେଇ ନିଜ ହାତରେ ଭାତ ଖୁଆଇଛି, ସେ କ'ଣ କେବେ ଦୁଇ ପୁଅଙ୍କ ଦୁଇଟା ଭାତ ହାଣ୍ଡି ଦେଖି ପାରିବ? ଘରର ସବୁ ଜିନିଷ ଆମର କହୁଥିବା ପୁଅ ଯେବେ ମୋର କହି ଭାଗ ବାଣ୍ଟେ କୋଉ ମା' ଏସବୁ ସହିବ? ହଁ! କୋଉ ମା' ସହୁଥିବେ ହେଲେ ମୁଁ ପାରିବିନି। ଛୁଆ ଦିଟା ମୋର ଛୋଟବେଳୁ ବାପ ଛେଉଣ୍ଡ। ହେଲେ ମୁଁ ଏହା କେବେ ଅନୁଭବ କରିବାକୁ ଦେଇନି। ମୁଲ ଲାଗି ଦୁହିଁଙ୍କୁ ମଣିଷ ପରି ମଣିଷ କଲି। ଭଲ ଘରେ ବାହା ଦେଲି। ହେଲେ ଏବେ ମୋର ସୁଖ ସମୟରେ ମୋର ସଂସାରକୁ ଭାଙ୍ଗିବାକୁ ବସିଛନ୍ତି। ସିଧା ଯାଇ ଦୁହିଁଙ୍କୁ କହିବି, ମୁଁ ନ ମରିବା ଯାଏଁ ମୋ ଘରକୁ କେହି ଭାଗ କରିପାରିବେ ନାହିଁ।"

ଏମିତି କିଛି ଗପି ଯାଉଥିଲା ଝରି ମାଉସୀ ପିଣ୍ଡାଟାରେ ବସି। ବଡ ବୋହୂକୁ ଏସବୁ କହିଲା। ଘର ଭିତରେ ବଡ ପୁଅ ବି ଥାଏ। ହେଲେ ଏସବୁ କେହି ଶୁଣିବାକୁ ନାରାଜ। ସମସ୍ତେ ନିଜ କାମରେ ବ୍ୟସ୍ତ। ଆଗରୁ ମା' କେଶୁ ଡାକିଦେଲେ ଦୌଡି ଆସି ମା' ପିଠିରେ ଘଣ୍ଟା ଘଣ୍ଟା ନାଉ ହେଇ ପଡୁଥିବା ପୁଅର ଏ ବିଚିତ୍ର ବ୍ୟବହାର ଦେଖି ମା' ମନ କୋହ ଫାଟିପଡୁଥାଏ। କେଶୁ ତୁରନ୍ତ ବିଶୁକୁ ଡାକି ମା' ସାମ୍ନାରେ ଘରର ସବୁ ଆସବାବପତ୍ର ବାଣ୍ଟିବାକୁ ଲାଗିଲା। ରୋଷେଇ ପାଇଁ ଚାଉଳ ସହ ରାସନ ସାମଗ୍ରୀ ମଧ୍ୟ ବଣ୍ଟା ହୋଇଗଲା। ଘରର ଜମିବାଡ଼ି ଠାରୁ ଆରମ୍ଭ କରି ସବୁ କିଛିର ଭାଗ ପାଇଁ ଗାଁ ଲୋକଙ୍କୁ ଡକାଗଲା। ଆଖି ଆଗରେ ଭାଗ ହୋଇଗଲା ମା'ର ସୁନା ସଂସାର। କାନ୍ଥକୁ ଆଉଜି ଖୁଣ୍ଟଟେ ପରି ଚାହିଁ ରହିଥାଏ ଝରି ମାଉସୀ। ଗାଁର ଭଦ୍ର ଲୋକ ଚାଲିଗଲେ। ଦୁଇ ପୁଅ ବି ନିଜ ନିଜ ଘରକୁ ଚାଲିଗଲେ। ପିଣ୍ଡାଟାରେ ପଡି ରହିଲା ମା'। କାରଣ ଆଉ ସାହାସ ନଥାଏ ଘର ଭିତରକୁ ଯିବାକୁ। କାରଣ ସେଠି ଆଉ ତା'ର ବୋଲି କିଛି ନଥାଏ। ଦିନ ଯାଇ ରାତି ଗଡିଲା। ସବୁଦିନ ପରି ସାନ ବୋହୂ ଭାତ ଥାଳି ଧରି ଆସିଲା। ଅଳ୍ପ ଖାଇ ଶୋଇ ରହିଲା ପିଣ୍ଡାଟାରେ। ପରଦିନ ଦିନ ସରି ରାତି ଗଡିଲାଣି, ହେଲେ ଝରି ମାଉସୀ ପାଖରେ ପାଣି ଟୋପାଏ ବି ପହଞ୍ଚିଲାନି। ସାନ ବୋହୂକୁ ମାଗିବାରୁ

--ଏତେ ବୋହୂ ପ୍ରେମ ଆଉ ଦେଖାଅନି। ତମରି ନେଇ ଆଜି ଆମେ ଅଲଗା ହେଲୁ। ସବୁବେଳେ ଖାଲି କହିଲ ମୋର ବଡ ବୋହୂ ଭଲ, ଆଉ ମୁଁ ଖରାପ୍। ଯାଉନ ବଡ ବୋହୂକୁ ଖାଇବା ମାଗିବ। ମୁଁ କ'ଣ ପାଇଁ ସବୁବେଳେ ଦେବି। ସବୁଥିରେ ତ ବଡ ବୋହୂ ଭାଗ ନେଲା, ଏଥିରେ ବି ନଉ।

ସାନ ପୁଅ ବିଶୁ ବାହାରି ପଡି ସାନ ବୋହୂକୁ ଗାଳି କଲା। ବଡ ଭାଇ କେଶୁକୁ ଡାକି ଏହାର ସମାଧାନ ପାଇଁ କହିଲା। କେଶୁ ଉତ୍ତରରେ କହିଲା "ମା'କୁ ମୁଁ ମାସେ ଆଉ ତୁ ମାସଟିଏ ରଖିବୁ। ତାହାଲେ ଆଉ କିଛି ଅସୁବିଧା ହେବନି।"

ତାହା ହେଲା। ମାସ ପରେ ମାସ ବିତି ଚାଲିଗଲା। ଚୈତ୍ର ମାସରେ ସାନ ପୁଅ ବିଶୁର ପାଳି ଥାଏ। ମାସଟି ବିଶୁ ମା'କୁ ଖାଇବା ଦେଇଦେଲା। ହେଲେ ଚୈତ୍ର ମାସଟି ଯୋଡା ପଡ଼ିଥାଏ। ମାସେ ପରେ ଖାଇବା ବନ୍ଦ୍ କରିଦେଲା ବିଶୁ। ବଡ ପୁଅ କେଶୁର ଥାଏ ବୈଶାଖ ମାସଟି। ହେଲେ ଯୋଡା ମାସର ଆଉ ଏକ ଚୈତ୍ର ମା' କେମିତି କାଟିବ? ଚୈତ୍ରର ପ୍ରଥମ ମାସ ଶେଷ ପରେ ଆଉ କେହି ଖାଇବାକୁ ଆଣିଲେନି। ମା' ଚାହିଁ ରହିଥାଏ ବୈଶାଖକୁ। ହେଲେ ବୈଶାଖର ଠିକ୍ ଅଠର ଦିନ ପୂର୍ବରୁ ଚାଲିଗଲା ମା'।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama