Sunil Bastia

Tragedy Classics Inspirational

4  

Sunil Bastia

Tragedy Classics Inspirational

ରାକ୍ଷୀ ଉପହାର

ରାକ୍ଷୀ ଉପହାର

6 mins
234


ଘଣ୍ଟାରେ ସମୟ ସନ୍ଧ୍ୟା ଶାଢେ ସାତଟା। ଖୁଣ୍ଟଟେ ପରି କାନ୍ଥକୁ ଆଉଜି ଘଣ୍ଟାଟିକୁ ଚାହିଁ ରହିଥାଏ ଶ୍ରଦ୍ଧା। କିଛି ପୋଡିବାର ବାସ୍ନା ଆସିଲା। ପାଖ ରୁମ୍ ରୁ ଟିଭି ଦେଖା ଛାଡି ରୋଷେଇ ଘରକୁ ଧାଇଁଲେ ଶ୍ରଦ୍ଧାର ବୋଉ। ରାତ୍ରି ଭୋଜନ ପାଇଁ ଚୁଲ୍ଲାରେ ବସିଥିବା ଡାଲମା ପୋଡି ବାସ୍ନା ଉଠିଲାଣି। ଗ୍ୟାସ୍ ବନ୍ଦ କରି ଶ୍ରଦ୍ଧାକୁ ଏକ ଧକ୍କା ପକାଇଲେ।

ମଲା ତୁ କୋଉ ରାଇଜରେ ହଜିଯାଇଛୁ ବା..? ଡାଲମା ହାଣ୍ଡିଟା ପାଖରେ ଠିଆ ହେଇ ଡାଲମାଟାକୁ ଜାଳି ପୋଡି ପାଉଁଶ କରି ସାରିଲାଣୁ। ସବୁବେଳେ ଅନ୍ୟ ମନସ୍କ! କୋଉ ଟୋକା କଥା ଇଏ ଏତେ ଭାବୁଛି କେଜାଣି।

ଶ୍ରଦ୍ଧା ସତେଜ ହୋଇ ରୋଷେଇରେ ଲାଗି ପଡିଲା। ଡାଲମା ପାଇଁ ଆଉ ଥରେ ପରିବା କାଟିବାକୁ ପଡେ। ପରିବା କାଟୁ କାଟୁ ଆଙ୍ଗୁଠିରେ ଛୁରୀ ବାଜିଗଲା। ବହୁତ ରକ୍ତସ୍ରାବ ହେଲା। ବୋଉଙ୍କ ଗାଳି ଭୟରେ ଲୁଚିକରି ହାତ ବ୍ୟାଣ୍ଡେଜ୍ କରିନିଏ ଶ୍ରଦ୍ଧା। ରୋଷେଇ ସାରି ବାପା ବୋଉଙ୍କୁ ଖାଇବାକୁ ବାଢିଦିଏ। ବାପା ଖାଇବା କଥା ପଚାରିବାରୁ ଇଚ୍ଛା ନାହିଁ କହି ନିଜ ରୁମ୍ କୁ ଚାଲିଗଲା। କବାଟ କିଳି ଛୋଟ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ସେ।


ଆଲମାରୀର ଶେଷ ଥାକରେ ଥିବା ପୁରୁଣା ବହି ଗୁଡ଼ାକ ତଳୁ ବଡ ଭାଇ ମଣ୍ଟୁର ଫଟୋ କାଢିଲା। ଧଳା ରଙ୍ଗର ଚେକ୍ ପକା ସାର୍ଟ ସାଙ୍ଗକୁ କଳା ଜିନ୍ସ ପ୍ୟାଣ୍ଟ୍ ପିନ୍ଧା ଫଟୋରେ ମଣ୍ଟୁ ଖୁବ୍ ସୁନ୍ଦର ଦିଶୁଥାଏ। ଶ୍ରଦ୍ଧାର ଆଖିରୁ ଲୁହ ଟୋପା ଗୁଡା ଠପ୍ ଠପ୍ ନିଗିଡ଼ି ପଡୁଥାନ୍ତି ଫଟୋ ଉପରେ। ପାପୁଲିରେ ଫଟୋଟିକୁ ସ୍ନେହରେ ପୋଛି ଦଉଥାଏ। ଲୁହ ପୋଛି କହୁଥାଏ

ବହୁତ ମନେ ପଡୁଛୁରେ। ଆଉ ଥରେ ଫେରି ଆସନ୍ତୁନି। ସଦା ତୋ ରକ୍ଷା କବଚ ସାଜିବି। କେବଳ ତୋ ହାତରେ ରାକ୍ଷୀ ବାନ୍ଧିବି, ଉପହାର ମାଗି ଆଉ କେବେ ମରିବାକୁ ଦେବିନି। ହଁ ମୁଁ ତୋତେ କୁଆଡେ଼ ମାରି ଦେଇଛି। ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଲ ଦୁଇ ଭାଇ। ଦୁହିଁଙ୍କ ହାତରେ ରାକ୍ଷୀ ବାନ୍ଧିଲି। ମଣ୍ଡା ପିଠା ଖୁଆଇଲି। ତୁ କହିଲୁ ତୋର ଏ ବଡ ଭାଇଠୁ କ'ଣ ଦରକାର? ମୁଁ କହିଲି ମୋର ଚକୋଲେଟ୍, ପିଜ୍ଜା କି ପଇସା ଏସବୁ କିଛି ଦରକାର ନାହିଁ। ନଇରେ ଢେର୍ କଇଁ ଫୁଟିଛି। ବାସ୍ ସେଥିରୁ କିଛିଟା ଦରକାର। ଆଣିଲେ ମିଶିକି ଘର ସଜାଇବା। ସେଦିନ ତୋ ଭଉଣୀର ଏ ରାକ୍ଷୀ ଉପହାର ମାଗିବାଟା କ'ଣ ଭୁଲ୍ ଥିଲା କି?


ନଇରେ ନୂଆ ପାଣି ପଡ଼ିଥାଏ। ଶ୍ରଦ୍ଧାକୁ ବନ୍ଧ ଉପରେ ଛିଡ଼ା କରି ନଇ ଭିତରକୁ ଚାଲିଲା ମଣ୍ଟୁ। ପାଖରୁ ଦୁଇ ଚାରୋଟି କଇଁ ଫୁଲ ତୋଳି ଫେରି ଆସୁଥାଏ। ଉପରେ ଥାଇ ଶ୍ରଦ୍ଧା ଆଉ ଆଣିବାକୁ ଅଳି କଲା। ମଣ୍ଟୁ ପୁଣି ଆଗକୁ ବଢିଲା। କଇଁ ଦଳ ପାଖରେ ପହଞ୍ଚିବା ପୂର୍ବରୁ ପାଣି କାନ୍ଧ ଛୁଇଁଲାଣି। ଆଉ ଫୁଲ ଆଣିବା ସମ୍ଭବ ନୁହେଁ ବୋଲି ନଇ ଭିତରୁ ଡାକ ଛାଡେ ମଣ୍ଟୁ। ଶ୍ରଦ୍ଧା ଏହା ଶୁଣି ମୁହଁ ଫୁଲେଇ ଲଥ୍ ମାରି ବସିପଡେ ପଥର ଉପରେ। ମଣ୍ଟୁ ବାଧ୍ୟ ହୁଏ ଆଣିବାକୁ। ପାଦେ ଆଗକୁ ବଢ଼ି ହାତ ବଢ଼ାଏ କଇଁଦଳ ଟାଣିବାକୁ। ହାତ କିନ୍ତୁ ପାଉ ନଥାଏ। ପାଣି ପାଟି ଛୁଇଁବ ଛୁଇଁବ ହଉଥାଏ। ହାତ ବଢଉ ବଢଉ ପାଦ ଉପରକୁ ଉଠିଗଲା। ଦଲକାଏ ସୁଅ ମୁହଁରେ ପଡ଼ିଗଲା ମଣ୍ଟୁ। ଆଉ ସମ୍ଭାଳି ପାରିଲାନି ନିଜକୁ। ଚିତ୍କାର କରି କରି କେଇଟା ସେକେଣ୍ଡରେ ନିରବୀ ଗଲା ମଣ୍ଟୁର କଣ୍ଠସ୍ୱର। ଶ୍ରଦ୍ଧା ନିରୁପାୟ। ଭାଇକୁ ବଞ୍ଚେଇବାକୁ ଉପାୟ ନପାଇ ଲମ୍ଫ ଦେଇଛି ନଇକୁ। ହେଲେ ସେ କିଛି କରି ପାରିଲାନି। ଆଖି ପିଛୁଳାକେ ଭାସି ଚାଲିଗଲା ବଡ ଭାଇ ମଣ୍ଟୁ।

କବାଟକୁ କେହି ଜୋରରେ ବାଡେଇବାର ଶବ୍ଦ ଶୁଭିଲା। ଚମକି ପଡ଼ିଲା ଶ୍ରଦ୍ଧା। ବାସ୍ତବତାକୁ ଫେରି ଆସିଲା ସେ। ଧଡପଡ ହୋଇ ଆଖିରୁ ଲୁହ ପୋଛି ସବୁକିଛି ସଜାଡି କବାଟ ଖୋଲିଲା। ସାମ୍ନାରେ ବୋଉ!

-- କ'ଣ ଦିଟା ବାଢିଦେଇ କବାଟ କିଳି ଶୋଇ ପଡ଼ିଲୁ। ପଛରେ ପୁଣି କିଏ ଦବ?

ମୁଣ୍ଡ ପୋତି ଡାଇନିଙ୍ଗ୍ ରୁମ୍ କୁ ଚାଲିଗଲା ଶ୍ରଦ୍ଧା। ଆଉ କିଛି ପରଶି ଦେଇ ବାଲକୁନି ଉପରକୁ ଚାଲିଗଲା।


ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ସମସ୍ତଙ୍କ ଘରେ କାଲି ପାଇଁ ପୂର୍ବ ପ୍ରସ୍ତୁତି। ପିଠାପଣା ପାଇଁ ସଉଦା ଆଉ ରାକ୍ଷୀ କିଣାବିକାରେ ଗାଁ ଦାଣ୍ଡ ଫାଟି ପଡୁଥାଏ। ଶ୍ରଦ୍ଧା ଘରେ କିନ୍ତୁ ଏସବୁ କିଛି ନାହିଁ। ମଣ୍ଟୁ ମରିବା ପରଠୁ ରାକ୍ଷୀ ପୂର୍ଣ୍ଣିମାକୁ ବାଦ୍ ଦେଲେ ପ୍ରାୟ ଅନ୍ୟ ସବୁ ପର୍ବ ପର୍ବାଣୀ ପାଳନ କରାଯାଏ। ରାକ୍ଷୀ ପୂର୍ଣ୍ଣିମା ଆସିଲା ମାତ୍ରେ ଶ୍ରଦ୍ଧା ମନ ଦୁଃଖରେ ଆଉଟୁ ପାଉଟୁ ହୁଏ। ଏମିତିରେ ମଣ୍ଟୁ ମରିବାକୁ ନେଇ ସବୁବେଳେ ଯନ୍ତ୍ରଣା ପାଉଥାଏ ସେ। ଆଉ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଏ ଘଟଣା ପୁଣି ଆଖି ଆଗରେ ତାଜା ହୋଇଯାଏ। ଯାହା ଶ୍ରଦ୍ଧାକୁ ନର୍କ ପରି ଯନ୍ତ୍ରଣା ଭୋଗ କରିବାକୁ ବାଧ୍ୟ କରାଏ।


ଶ୍ରଦ୍ଧାକୁ ଠିକ୍ ଜଣା ଥିଲା ସବୁ ବର୍ଷ ପରି କାଲି ବି ମଣ୍ଟୁ ମରିବା ରାଗରେ ବୋଉ ଠାରୁ ଗାଳି ଶୁଣିବାକୁ ପଡିବ। ଅଧିକ ରାଗି ଗଲେ ପିଠି ମୁଣ୍ଡରେ ମାଡ଼ ବି ବାଜିବ। ଆଗରୁ ବେଶ୍ ଆଦର କରୁଥିଲେ ବାପା ବୋଉ। ହେଲେ ମଣ୍ଟୁ ମରିବା ପରଠୁ ଏମିତି ଅବସ୍ଥା ଶ୍ରଦ୍ଧାର। ସବୁ ଭାଇ ଭଉଣୀଙ୍କ ମୁହଁରେ ହସ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା ପର୍ବଟି। ଆଖି ସାମ୍ନାରେ ସବୁ ଭାଇ ଭଉଣୀଙ୍କ ମଉଜ ମସ୍ତିର ଆସର। କିନ୍ତୁ ଶ୍ରଦ୍ଧା ମନରେ କେବଳ ଯନ୍ତ୍ରଣା। ସବୁ ବର୍ଷ ଭାବୁଥାଏ ସାନ ଭାଇ ଚିଣ୍ଟୁକୁ ଫୋନ୍ କରି ରାକ୍ଷୀ ପୂର୍ଣ୍ଣିମାକୁ ଘରକୁ ଆସିବାକୁ କୁହନ୍ତା। ହେଲେ ସାହାସ ପାଏନି। ବୋଉଙ୍କ ମାଡ ଗାଳିର ଭୟ ଥାଏ। ଆଉ ପାଞ୍ଚ ବର୍ଷ ପୂର୍ବେ ଘଟିଥିବା ଘଟଣା ନିରବୀ ଦିଏ ସବୁ ଆଶା ଉତ୍କଣ୍ଠାକୁ। ମଉଳି ଯାଏ ଶ୍ରଦ୍ଧାର କୋମଳ ସ୍ନେହଭରା ହୃଦୟ।


ସକାଳର ନିର୍ଦ୍ଦୟ ଦିବସ ଧରି ଉଦୟ ସୂର୍ଯ୍ୟ କିରଣ ଶ୍ରଦ୍ଧା ଅଗଣାରେ ପଡିବା ପୂର୍ବରୁ ଫୋନ୍ ବାଜି ଉଠିଲା। ନମ୍ବରଟି ଅଜଣା ଥିଲା।

ହାଲୋ..

ହଁ ଦିଦି। କେମିତି ଅଛୁ? ଆରେ ମୁଁ ଚିଣ୍ଟୁ କହୁଛି। ବାପା, ବୋଉ ଉଠିଲେଣି କି? ଯା ହଉ ତୁ ଫୋନ୍ ଉଠେଇଲୁ। ବାପା କି ବୋଉ ହେଇଥିଲେ ଅସୁବିଧା ହେଇ ଯାଇଥାନ୍ତା। କ'ଣ କିଛି କହୁନୁ ଯେ ଦିଦି। ରାଗିଚୁ କି? ହଁ ରାଗିବୁନି କେମିତି। ଘରକୁ କେବେ ଫୋନ୍ କରେନି କି କେବେ ଘରକୁ ଯାଏନି। ମୁଁ ବା ଆଉ କ'ଣ କରିବି। ସେଥିପାଇଁ କ୍ଷମା ବି ମାଗୁଛି। ବୋଉର କଡା ତାଗିଦ୍, ସବୁ କରିବୁ କିନ୍ତୁ ରାକ୍ଷୀ ପୂର୍ଣ୍ଣିମାକୁ କେବେ ଘରକୁ ଆସିବୁନି। ସେଥିଲାଗି ମୁଁ ଜମା ଘରକୁ ଯାଉନି। ଯଦି ମୋ ଦିଦି ମୋର ନୁହେଁ ତାହେଲେ ଅନ୍ୟମାନେ ବି ମୋ ପାଇଁ କିଛି ନୁହେଁ। ତୁ ଚିନ୍ତା କରନା। ମୁଁ ଆଜି ହିଁ ଘରକୁ ଫେରୁଛି। ଆଉ ତିନିରୁ ଚାରି ଘଣ୍ଟା ଭିତରେ ପହଞ୍ଚିବି। ଏବେ ଫ୍ଲାଇଟ୍ ଚଢିଲି। କ'ଣ ଦିଦି କିଛି ବି କହୁନୁ। ମୁଁ ଏକା ପାଗଳଙ୍କ ପରି ଗପି ଚାଲିଛି। ଏବେ ବି ମୋ ଉପରେ ରାଗିଛୁ ନା। ହାଲୋ ଦିଦି ହାଲୋ ହାଲୋ


ଶ୍ରଦ୍ଧା ଆଖିରେ କିଛି ଖୁସି ଆଉ କିଛି କୋହର ଲୁହ ମିଳି ନିଗିଡ଼ି ପଡୁଥାନ୍ତି। ପାଟି ଚିପି ଚିପି କୋହକୁ ଲୁଚେଇ ରଖୁଥାଏ। ଦୁଇ ଆଖିରୁ ଲୁହ ପୋଛି ଖନି ମରା ପାଟିରେ ଚିଣ୍ଟୁ ବୋଲି ଡାକିଲା।

ତୁ ସତରେ ଆସୁଛୁ। ଶୀଘ୍ର ଫେରିଆରେ। ସମସ୍ତେ ରାକ୍ଷୀ ବାନ୍ଧି ସାରିଲେଣି। ହେଲେ ବୋଉ

ତୁ ଜମା ବ୍ୟସ୍ତ ହଅନା। ତୁ ଚୁପ୍ ଚାପ୍ ରହ। ବୋଉକୁ ବୁଝେଇବା ଦାୟିତ୍ଵ ମୋର।


କିଛି ସମୟ ପରେ ଘରେ ପହଞ୍ଚେ ଚିଣ୍ଟୁ। ଚିଣ୍ଟୁକୁ ଦେଖି ବାପା, ବୋଉ ତାଜୁବ। ଚିଣ୍ଟୁ ଘର ଭିତରକୁ ଯାଇ ପ୍ରଥମେ ଭଉଣୀ ଶ୍ରଦ୍ଧାକୁ ଖୋଜିଲା। ଶ୍ରଦ୍ଧାକୁ ଦେଖି ବହୁତ ଖୁସି ହୋଇଗଲା ସେ। ପ୍ରଥମେ ହାତରେ ରାକ୍ଷୀ ବାନ୍ଧ୍ କହି ବଢେଇ ଦେଲା ହାତ। ଶ୍ରଦ୍ଧା ବି ବେଶ୍ ଖୁସି। ବାପା ବୋଉ ପାଖରେ ଛିଡ଼ା ହୋଇଥାନ୍ତି। ସବୁ ବର୍ଷ ପରି ଶ୍ରଦ୍ଧା ପାଖରେ ରାକ୍ଷୀଟିଏ ନଥାଏ ଚିଣ୍ଟୁ ହାତରେ ବାନ୍ଧିବା ପାଇଁ। କିଛି ନଭାବି ଦୌଡିଗଲା ଠାକୁର ଘରକୁ। ଠାକୁରଙ୍କ ଫଟୋ ପାଖରେ ଥିବା ନାଲି ରଙ୍ଗର ସୂତା ଆଣି ବାନ୍ଧିଦେଲା ହାତରେ। ମଥାରେ ଠାକୁରଙ୍କ ସିନ୍ଦୂର ଆଉ ଦୀପ ପୁଷ୍ପ ଦେଇ ପୂଜି ଦେଲା ଭାଇକୁ। ସବୁ ଭଉଣୀଙ୍କ ପରି ଶେଷରେ ହାତ ବଢ଼େଇ ଉପହାର ମାଗିବା ସମୟରେ ବୋଉ ଆସି ହାତ ଧରିନେଲେ। ଚିଣ୍ଟୁ ଏହା ଦେଖି ଭୀଷଣ ରାଗିଗଲା।

ବୋଉ, ଦିଦିର ହାତ ଛାଡ କହୁଛି। କହୁଛି ପରା ହାତ ଛାଡ(ଚିତ୍କାର କରି)। ଦିଦିକୁ ଆଜି ମୁଁ ରାକ୍ଷୀ ଉପହାର ତ ନିଶ୍ଚୟ ଦେବି। ଯେଉଁ ଉପହାର ମୋ ଦିଦି ପାଇଁ ଏବେ ନିହାତି ଜରୁରୀ। ସେ ଉପହାର ଦେବାରେ ମୋତେ କେହିବି ଅଟକାଇ ପାରିବେନି। ଆଉ ସେ ଉପହାରଟି ହେଲା ଦିଦିକୁ ତା' ମନର ମଣିଷ ରାଜ୍ ସହ ବିବାହ ଦେବା। ରାଜ୍ ଖୁବ୍ ଭଲ ପିଲା। ଦିଦି ତା ସହ ବେଶ୍ ଖୁସିରେ ରହିବ ସାରା ଜୀବନ। ସେଥିଲାଗି ମୁଁ ଗାଁକୁ ଫେରିଛି। ଦିଦିକୁ ବାହା ଦେଇ ଏ ନର୍କ ଯନ୍ତ୍ରଣାରୁ ତାକୁ ମୁକ୍ତି ଦେବି। ସବୁ ରାକ୍ଷୀ ପୂର୍ଣ୍ଣିମାରେ ତା' ଘରକୁ ଯାଇ ରାକ୍ଷୀ ବାନ୍ଧି ଆସିବି। ଆଉ ତା'ର ସବୁ ଇଚ୍ଛାକୁ ଉପହାର ଭାବେ ଭେଟି ଦଉଥିବି ସାରା ଜୀବନ।


ବୋଉ ଆଉ କିଛି ନକହି ଅନୁତପ୍ତ ଭରା ହୃଦୟରେ ଦୁଇ ଧାର ଲୁହ ଝରାଇ ଚାଲିଗଲେ ନିଜ ରୁମ୍ କୁ।

ଚିଣ୍ଟୁ ଅଳ୍ପ ହସି କହିଲା "ଦିଦି ଆଉ କି ରାକ୍ଷୀ ଉପହାର ଦରକାର କହ? ପୂର୍ବ କଥା ତୁ ସବୁ ଭୁଲିଯା। ତୋର ଏବେ ବି ଆଉ ଗୋଟେ ଭାଇ ଅଛି ପରା। ଏଭଳି ଦିନରେ ତୋର ଏମିତି ଶୁଖିଲା ମୁହଁ ଦେଖି ଉପରେ ଥାଇ ମଣ୍ଟୁ ଭାଇ ବହୁତ କଷ୍ଟ ପାଉଥିବ। ଟିକେ ହସିଦେ। ମଣ୍ଟୁ ଭାଇ ତୋର ସେଇ ପୂର୍ବଭଳି ହସ ହସ ଭରା ମୁହଁ ଦେଖିବାକୁ ଅପେକ୍ଷା କରିଛି।"


ଶ୍ରଦ୍ଧା ମୁହଁରେ ଅନାବନା ଖୁସି ଗୁଡା ଆପେ ଫୁଟି ଉଠୁଥାନ୍ତି। ଆଖିରେ ଖୁସିର ଅସୁମାରୀ ଲୁହ। ଶ୍ରଦ୍ଧା ସବୁକିଛି ଭୁଲି ଯାଇ ପୂର୍ବ ପରି ଟିକେ ନଟଖଟି ହବାକୁ ଚାହିଁଲା। ସେହି ସମୟରେ ଗାଁ ଦାଣ୍ଡକୁ ଦୁଇ କୁନି ଭାଇ ଭଉଣୀ ବେଲୁନ୍ ବିକିବାକୁ ଆସିଥାନ୍ତି। ଦୁହିଁଙ୍କ ଅସଜଡା କେଶ ଆଉ ଦେହରେ ଛିଣ୍ଡା ପୋଷାକ ସହ ଛିଣ୍ଡା ଚପଲ ସବୁ କିଛି ସ୍ପଷ୍ଟ କରି ଦେଉଥିଲା। ବଡ଼ ଭାଇ ହାତରେ ବନ୍ଧା ହୋଇଥାଏ ଛିଡା ପୁରୁଣା ରାକ୍ଷୀ। ଭୋକିଲା ମୁହଁ ଦୁଇଟି ମଳିନ ପଡିଲେ ମଧ୍ୟ ଖୁବ୍ ସୁନ୍ଦର ଦିଶୁଥାନ୍ତି ସେ। ବଡ ଭାଇଟି ସମସ୍ତଙ୍କୁ ଅନୁରୋଧ କରି କହୁଥାଏ "ବାବୁ କିଛି ବେଲୁନ୍ କିଣନ୍ତୁ। ମୋ ଭଉଣୀ ଦୁଇ ଦିନ ହେବ କିଛି ଖାଇନି। ଛୋଟ ପିଲାଟି ଭୋକ ସହି ନପାରି ଡହଳ ବିକଳ ହଉଛି ବାବୁ। ପଇସା ହେଲେ ସେ କିଛି ଖାଇବ।"


ଶ୍ରଦ୍ଧା ଏକ ଲୟରେ ଚାହିଁ ରହିଥାଏ ଦୁହିଁଙ୍କୁ। ଚିଣ୍ଟୁକୁ ସେ ସବୁତକ ବେଲୁନ୍ କିଣି ଦେବାକୁ ଜିଦ୍ କଲା। ଚିଣ୍ଟୁ ସଙ୍ଗେ ସଙ୍ଗେ ସବୁତକ ବେଲୁନ୍ କିଣି ନେଲା। ଦୁଇ କୁନି ଭାଇ ଭଉଣୀଙ୍କ ମୁହଁରେ ଖେଳିଗଲା ଚେନାଏ ହସ। ଶ୍ରଦ୍ଧା ଚିଣ୍ଟୁକୁ ଚାହିଁ ହସି କହିଲା "ସତ କହିବି ଚିଣ୍ଟୁ, ରାଜ୍ କୁ ମୋତେ ଉପହାର ଭେଟିଦେବାଠୁ ଏ ଉପହାରଟି ଆଜି ବେଶ୍ ଦାମି ଲାଗୁଛିରେ।"



Rate this content
Log in

Similar oriya story from Tragedy