Sunil Bastia

Drama Tragedy Classics

3  

Sunil Bastia

Drama Tragedy Classics

କିଛି ଗରଳ କଥା

କିଛି ଗରଳ କଥା

7 mins
203


ଦୂର ପଶ୍ଚିମରେ ସୂର୍ଯ୍ୟ ବୁଡି ବୁଡି ଯାଉଥାନ୍ତି। ପକ୍ଷୀ ମାନେ ନିଜର ବସାକୁ ଫେରୁଥାନ୍ତି। ଆକାଶରେ ଛୋଟ ଛୋଟ କୀଟ ପତଙ୍ଗ ଖୁସିରେ ଉଡ଼ି ଉଡ଼ି ପବନ ସହ ଖେଳୁଥାନ୍ତି। ଏସବୁ ଦେଖି ମୁକ୍ତି ମୁହଁରେ ଚେନାଏ ହସ ଖେଳିଗଲା। ସେ ବୁଡି ଯାଉଥିବା ସୂର୍ଯ୍ୟଙ୍କୁ ହାତ ବଢ଼େଇ ଉପରକୁ ଉଠେଇବାର ପାଗଳାମି କରୁଥିଲା। ଉଡୁଥିବା ପକ୍ଷୀଙ୍କୁ ଗଣିବାରେ ବ୍ୟସ୍ତ ଥିଲା। ପାଟିରେ ପାଟିଏ ପାଣି ଭର୍ତ୍ତିକରି ଦୁଇହାତ ଖୋଲି ଆକାଶକୁ 'ଫୁ' କରୁଥିଲା। ହେଲେ ବାଲକୁନିର ଲୁହାର ଜାଲି ଏସବୁ ଉପଭୋଗ କରିବାରେ ବାଧା ଦେଉଥାନ୍ତି। କେବଳ ବାଲକୁନି ନୁହେଁ ଘରର ଚାରି ପାଖରେ ଲୁହାର ବଡ଼ ବଡ଼ ଛଡ ଘେରାଉ ହୋଇଥିଲା। ଛୋଟ ବେଳେ ମୁକ୍ତି ମା' ଠୁ ଶୁଣି ଥିଲା ଚୋର ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଏସବୁ ଲଗା ହୋଇଛି। କିନ୍ତୁ ଏହା ଅଧୁରା ଥିଲା।

ସତ କଥା ତ ମୁକ୍ତି କୁ ପରେ ଜଣା ପଡ଼ିଲା। ମୁକ୍ତି ର ବଡ ଭଉଣୀ ନମ୍ରତା ଘର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ଲୁଚି ପଳାଇ ଅନ୍ୟ କାହା ସହ ବିବାହ କରିଥିଲା। ସେହି ଦିନଠୁ ବାପା ରମେଶ ମଝିଆଁ ଝିଅ ସରିତା ଏବଂ ସାନ ଝିଅ ମୁକ୍ତି ର ଡେଣା କାଟି ଦେଇଥିଲେ। ଉଡ଼ିବା ତ ଦୂରର କଥା ଆକାଶକୁ ଚାହିଁବାକୁ ମଧ୍ୟ ସୁଯୋଗ ଦେଲେନି। ସେବେଠୁ ରମେଶ ସ୍ୱଭାବରେ ବହୁତ ରାଗି ହୋଇଯାଇଛନ୍ତି। ଖୁବ୍ କମ୍ କଥା କହିବାକୁ ପସନ୍ଦ କରନ୍ତି। ପୁରା ଘରକୁ ସେ ଜେଲ୍ ଖାନା ଭଳି ବନେଇ ଦେଲେ। ଉଠିବା ବସିବାଠୁ ଆରମ୍ଭ କରି ହସିବା କହିବା ପର୍ଯ୍ୟନ୍ତ ସବୁଥିରେ ନିୟମ। ତା'ପରେ ମଝିଆଁ ଝିଅ ସରିତା ର ବିବାହ ମାତ୍ର ଅଠର ବର୍ଷ ବୟସରେ କରିଦିଅନ୍ତି ରମେଶ। ଜ୍ୱାଇଁ ଘର ସମ୍ବଲପୁର। ହେଲେ ସେ ପୁନେ ରେ ଚାକିରି କରନ୍ତି। ବର୍ତ୍ତମାନ ଜ୍ୱାଇଁ, ଝିଅ ପୁନେ ରେ ରହୁଛନ୍ତି।

ଡ୍ରଇଂ ରୁମରେ ମା' ସହ ମୁକ୍ତି ବସି ଖବରକାଗଜ ପଢୁଥାଏ। ଘରର କଲିଙ୍ଗ୍ ବେଲ୍ ବାଜିଲା।

-(ମା' କହିଲେ) ମୁକ୍ତି, ଯାଇ ଦେଖ୍ କିଏ ଆସିଲା।

- (ମୁକ୍ତି ଯାଇ କବାଟ ଖୋଲିଲା)ଆରେ ସରିତା ଦିଦି, ତୁ! ଆରେ ତୁ କେବେ ସମ୍ବଲପୁର ଆସିଲୁ? ମୁହଁ ଭାରି ଶୁଖିଲା ଶୁଖିଲା ଦିଶୁଛି ଯେ? ଦିଦି ତୁ ଠିକ୍ ଅଛୁତ?

- ହଁ ମୁକ୍ତି ମୁଁ ପୁରା ଠିକ୍ ଅଛି। ମୋର କାଇଁ କ'ଣ ହବ। ଖରାରେ ଆସିଲି ତ ମୁହଁ ଏମିତି ଦିଶୁଥିବ। ଏଇ କାଲି ଗାଁକୁ ଆସିଛୁ। ଗାଁରେ ଗୋଟେ ପୂଜା ହବାର ଅଛି।

-ହଉ ହଉ ତୁ ଭିତରକୁ ଆସ୍। ଆଉ ଭାଇ କାଇଁ ଆସିଲେନି ଯେ ?

-ଭାଇ ତ ପୁନେ ରେ ସଫ୍ଟୱେର ଇଞ୍ଜନିୟର ଅଛନ୍ତି। ଗାଁକୁ ଫେରିଲେ ବି ତାଙ୍କ ପାଖରେ ତର ନାହିଁ। ଏଠିକି ଆସିବାକୁ ମୋତେ ବାରଣ କରୁଥିଲେ। ମୁଁ ଶୁଣିଲିନି। ଏକା ଅଟୋ କରି ଚାଲି ଆସିଲି।

ସରିତାର ଉତ୍ତର ଶୁଣି ମୁକ୍ତି ହସିଦେଲା। ମୁକ୍ତି କୁ ଜଣାଥିଲା କି ସରିତା ଶ୍ଵଶୁର ଘରଟି ମଧ୍ୟ ଠିକ୍ ଆମ ଘର ପରି। ଗୋଟିଏ ଜେଲ୍ ରୁ ଅନ୍ୟ ଜେଲ୍ କୁ ଯିବାରେ କ'ଣ ଖୁସି ଥାଏ କି?

କିଛିଦିନ ପରେ ମୁକ୍ତିର ସ୍କୁଲ ପାଠପଢ଼ା ଶେଷ ହୁଏ। ବଡ଼ କଲେଜରେ ପଢ଼ିବାର ବଡ ସ୍ଵପ୍ନ ତା'ର। ହେଲେ ବାପା ମହିଳା ବିଶ୍ଵବିଦ୍ୟାଳୟରେ ନାମ ଲେଖାନ୍ତି। ସବୁ ସାଙ୍ଗସାଥୀ ବଡ଼ ବଡ଼ କଲେଜରେ ଏକାଠି ପଢୁଥିଲେ। ଆଉ ମୁକ୍ତି ଏପଟେ ଏକା।

କଲେଜ ଷ୍ଟଡିଟୁର୍ ରେ ଦୁଇ ଦିନ ପାଇଁ ପୁନେ ଯାଉଥାଏ ମୁକ୍ତି। ସରିତା ରହୁଥିବା ସହରଠୁ ଅଳ୍ପ ଦୂରରେ ମୁକ୍ତି ର ଷ୍ଟଡି ଟୁର୍ ପଡ଼ିଥାଏ। ଏକଥା ମୁକ୍ତି ଫୋନ୍ କରି କହିଲା। ଭଉଣୀ ସରିତା କୁ ଦେଖା କରିବାକୁ ଡାକୁଥିଲା ସେ। "ଘରକୁ ଏକା ଅଟୋ କରି କେବେ ଯାଇଥିଲା ଦିଦି। ଆଉ ନାଁ ସେ ସମ୍ବଲପୁର ଫେରୁଛି, ନାଁ ଘରକୁ।"

ଦୀର୍ଘ ପାଞ୍ଚ ବର୍ଷ ପରେ ଦୁହିଁଙ୍କ ଦେଖା ହୋଇଥାନ୍ତା। ଏଥର ଦେଖା ନହେଲେ ଆଉକେବେ ଯେ ଦେଖାହେବ, ତା'ର ଠିକ୍ ଠିକଣା ନାହିଁ। ହେଲେ ମୁକ୍ତି କୁ ଦେଖା କରିବା ଯେମିତି ସରିତା ର ଭାଗ୍ୟରେ ନଥିଲା। ଖବର ଆସିଲା ମଉସା ଶ୍ୱଶୁର ଆଉ ମାଉସୀ ଶାଶୁ ଆସିଛନ୍ତି ବମ୍ବେ। ବମ୍ବେରୁ ପୁନେ ଆସିବେ ଆଉ ସେଇଠୁ ସରିତା, ରୋହିତ କୁ ଦେଖା କରି ଫେରିଯିବେ ଓଡ଼ିଶା। ସାଙ୍ଗରେ ଦି ଝିଅ। ଯେଉଁ ଦିନ ମୁକ୍ତି କୁ ଦେଖା କରିବାକୁ ଯିବାର ଥିଲା ସେଇଦିନ ହିଁ ତାଙ୍କର ଫେରିବା କଥା। ମଉସା ମାଉସୀ ଆସିଲେ। ବୁଲାବୁଲି ହେଲା। ଆଜି ସେ ଫେରିଯିବେ ରାତି ଟ୍ରେନ୍ ରେ। ମୁକ୍ତି ଫୋନ୍ କରିଥିଲା ଭେଟ କରିବାକୁ। ସରିତା ବି ଭାବିଲା କିଛି ନହେଲେ ନାହିଁ ଦଶ/ପନ୍ଦର ମିନିଟ୍ ପାଇଁ ଯାଇ ତାକୁ ଭେଟ କରିଦେଇ ଆସିବ। ସେତିକି ବେଳେ ସେପଟୁ ଶାଶୁ ଫୋନ୍ କରି କହିଲେ-

-ଜାଣିଲୁ ସରିତା। ସେମାନେ ତ ତୋ ଘରେ ରାତିରେ ଖାଇ ଦେଇ ଆସିବେ। ହେଲେ ପରଦିନ ପାଇଁ ସକାଳ ଜଳଖିଆ ଆଉ ଦ୍ଵିପହର ଖାଇବା ବନେଇକି ଟିକେ ଦେଇଦବୁ। ସକାଳ ପାଇଁ ପରଟା ଭଜା ଆଉ ଦ୍ଵିପହର ପାଇଁ ଖେଚୁଡ଼ି ଆଉ ଶୁଖିଲା ଆଳୁଦମ୍ କରିଦବୁ। ତାକୁ ଭଲ ଭାବରେ ଟିଫିନ୍ ରେ ଭର୍ତ୍ତି କରୁଦବୁ। ସାଙ୍ଗରେ କଦଳୀ ଆଉ ଶୁଖିଲା ମିଠା ବି ବାନ୍ଧିକି ଦବୁ। ଟ୍ରେନ କଥା ନା.। କୋଉଠି କାଳେ ଖାଇବାକୁ ମିଳିବ କି ନାହିଁ। ସାଙ୍ଗରେ ଛୁଆ ବି ତ ଅଛନ୍ତି..।ଘରୁ ଆସୁଛନ୍ତି ଯେତେବେଳେ ଘର ଖାଇବା କାଇଁ ନ ନେଇକି ଆସିବେ। ଯେମିତି ହେଲେବି ସବୁ ଭଲ ଭାବରେ ତିଆରି କରି ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ଦବୁ। ଶାଶୂଙ୍କ କଥା ଶୁଣି ସରିତା ଆଉ କ'ଣ ବା କହିଥାନ୍ତା। ହଁ କଲା।

କାଲି ପାଇଁ ତାଙ୍କର ଜଳଖିଆ ଆଉ ଦ୍ଵିପହର ଖାଇବା..। ଉପରୁ ଆଜି ରାତି ଖାଇବା ବି କରିବାକୁ ପଡ଼ିବ। ଏବେଠୁ ଆରମ୍ଭ ନକଲେ ନ ଚଳେ। ଆଉ କୁଆଡେ ଯିବ ନା ମୁକ୍ତି କୁ ଦେଖା କରିବ। ଦେଖା କଲେ ବି କୋଉ ତା' ସାଙ୍ଗେ ଦି ପଦ ଶାନ୍ତିରେ କଥା ହେଇ ପାରିବ। ରାତି ଖାଇବା ଡେରି ହେଇଗଲେ ସେପଟେ ମଉସା ମାଉସୀଙ୍କ ଟ୍ରେନ ସମୟ ବି ତ ହେଇଯିବ। ବହୁତ ଭାବିଲା ପରେ ସରିତା ମୁକ୍ତି କୁ ଫୋନ୍ କରି ଜଣେଇ ଦେଲା ତାକୁ ଭେଟିବାକୁ ଯାଇପାରିବନି! ମୁକ୍ତି ଭାରି ମନ ଦୁଃଖ କଲା। ହେଲେ ଆଉ କ'ଣ କରାଯିବ। ସରିତା ରାତି ପାଇଁ ଆଉ ପରଦିନ ପାଇଁ ସବୁ ଖାଇବା ପ୍ରସ୍ତୁତ କଲା। ଟିଫିନ୍ ରେ ସେଗୁଡିକ ପୁରାଇ ମଉସା ମାଉସୀଙ୍କୁ ଦେଲା। ମିଠା ଆଉ କଦଳୀ ମଧ୍ୟ ବାନ୍ଧି ଦେଲା। ରାତି ଟ୍ରେନ୍ ରେ ମଉସା ମାଉସୀ ଆଉ ଛୁଆ ମାନେ ଚାଲିଗଲେ।

ମୁକ୍ତି ବି ପୁନେ ଛାଡ଼ି ଓଡ଼ିଶା ଚାଲିଯାଇଥିଲା। ସରିତା କୁ ଭାରି କାନ୍ଦ ଲାଗୁଥିଲା। ହେଲେ ପରେ ଭାବିଲା ଭଉଣୀକୁ ନ ଭେଟି ପାରିଲେ କ'ଣ ହେଲା, ଯା ହଉ ଶାଶୁଘର ଲୋକଙ୍କୁ ତ ଖାଇବା ବନେଇକି ଦେଇ ପାରିଲା। ସେଇଟା ହିଁ ଭାବି ଖୁସି ହବା କଥା। ପରଦିନ ଠିକ୍ ଚାରିଟା ବେଳକୁ ସରିତା ଫୋନ୍ କଲା ମାଉସୀଙ୍କୁ। ପଚାରିଲା ସେମାନେ ଭଲରେ ପହଞ୍ଚିଲେ କି ନାହିଁ? ଟ୍ରେନରେ ଠିକ୍ ଠାକ୍ ଖାଇଲେ କି ନାହିଁ? ମାଉସୀ କହିଲେ-

- ହଁ ଭଲରେ ପହଞ୍ଚିଲୁ। ଖାଇବା କଥା କ'ଣ ଆଉ କହିବି। ପିଲାମାନେ ତ ଖାଲି ସେ ଟ୍ରେନରେ ଇଡଲି, ଦୋସା ଦେଖିକି ସେଇ ଗୁଡାକ ଖାଇବେ ବୋଲି କହିଲେ। ମଉସା ବି ସେଇଆ ଖାଇଲେ। ମୁଁ ଯାହା ଟିକେ ପରଟା ଭଜା ଖାଇଲି। ଆଉ ଦିପହର ଟ୍ରେନରେ ବଢିଆ ବିରିଆନି ମିଳୁଥିଲା। ସେଥିପାଇଁ ଲୋଭରେ ସମସ୍ତେ ସେଗୁଡା ଖାଇଦେଲୁ। ଟିଫିନ୍ ରେ ରହି ରହି ଖେଚୁଡ଼ି ଆଳୁଦମ୍ ସବୁ ଗନ୍ଧେଇ ଗଲା। ଘରେ ଆସି ସେଗୁଡାକ ଫୋପାଡିବାକୁ ପଡ଼ିଲା।

ଗୋଟିଏ ନିଃଶ୍ୱାସ ରେ ଏତିକି କହି ମାଉସୀ ସେପଟେ ଦମ୍ ମାରିଲେ। ଏପଟେ ସରିତା ର ଫୋନ୍ ରେ ମୁକ୍ତି ର ଫୋନ୍ ୱେଟିଂ ରେ ଆସୁଥିଲା। ଆଉ ଫୋନ୍ ରେ ମୁକ୍ତି ର ନାଁ ଦେଖି ସରିତା ମନର କୋହ ସବୁ ଲୁହ ହେଇ ଦୁଇ ଆଖିରୁ ବୋହିବାରେ ଲାଗିଥିଲା।

ମୁକ୍ତି ଏପଟେ ଷ୍ଟଡିଟୁର୍ ରୁ ଘରକୁ ଫେରିବା ପାଇଁ ଗୋଟିଏ ଦିନ ଡେରି କରିଦେଲା। ପୁନେରୁ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଲା ବେଳକୁ ସମୟ ରାତି ଦଶଟା। ଏତେ ରାତିରେ ଏକା ଘରକୁ ଫେରିବା ତାକୁ ଠିକ୍ ଲାଗିଲାନି। ସେଥିପାଇଁ ମୁକ୍ତି ଭୁବନେଶ୍ଵରର ତା' ସାଙ୍ଗ ଘରେ ଗୋଟିଏ ରାତି ରହିଗଲା। ସକାଳୁ ଧଡପଡ ହୋଇ ଘରକୁ ଫେରୁୁୁଥାଏ ମୁକ୍ତି। ବାପା ରମେଶ ଘର ସାମ୍ନାରେ ଅଟକାଇ କହିଲେ-

-ରହ! କାଲି ତ ତୋର ଫେରିବାର ଥିଲା, ଏବେ କ'ଣ ପାଇଁ ଫେରୁଛୁ? ରାତି ସାରା କୋଉଠି ଥିଲୁ କି?

-ମାନେ ବାପା..।

-ଥାଉ!!! ଆଉ କିଛି କହିବା ଦରକାର ନାହିଁ! ତୋର ଆଉ କଲେଜ ଯିବା ବି ଦରକାର ନାହିଁ!!! ଆଉ ଖାଲି ମାସଟେ ଘରେ ରହ। ଏହାରି ଭିତରେ ତୋ ବାହାଘରଟା କରିଦେଲେ, ମୋ କାମ ସରିଲା !

-ନାଇଁ ବାପା, ମୁଁ ଏବେ ବାହା ହବାର ନାହିଁ! ମୋର ଏପର୍ଯ୍ୟନ୍ତ ପାଠପଢ଼ା ସରିନି। ମୋର ଏପର୍ଯ୍ୟନ୍ତ ବାହା ହେବା ବୟସ ହେଇନି।

ପ୍ରଥମ ଥର ପାଇଁ ମୁକ୍ତି ବାପାଙ୍କ କଥା କୁ ଖୋଲାଖୋଲି ଭାବେ ବିରୋଧ କରିଥିଲା। ଯାହା ରମେଶ ଙ୍କୁ ପସନ୍ଦ ଆସି ନଥିଲା।

-(ମୁକ୍ତି ଉପରକୁ ହାତ ଉଠେଇ)ଚୁପ୍! ମୋ ମୁହଁରେ ପୁଣି ଜବାବ ଦଉଛୁ! ମୁଁ ତୋତେ ତୋ ଇଚ୍ଛା ପଚାରିନି। ମୁଁ ତୋର ବାପା। ମୋର ଏ ନିଷ୍ପତ୍ତି ତୋର କେବଳ ମଙ୍ଗଳ ପାଇଁ, ତୋର ଅମଙ୍ଗଳ ପାଇଁ ନୁହଁ। ଏ ଘରେ ତୋ ମଝିଆଁ ଭଉଣୀ ବି ତ ଥିଲା। କେବେ ସେ ମୋ ନିଷ୍ପତ୍ତିକୁ ଅମାନ୍ୟ କରିଛି? ବାହାଘର ପରେ ସେ ଆଜି ବହୁତ ଖୁସିରେ ପୁନେ ଭଳି ସହରରେ ଅଛି। କ'ଣ ଅଭାବ ଅଛି ଆଜି ତା'ର। ଧନ ସମ୍ପତ୍ତି, ଗାଡ଼ି ଘୋଡ଼ା କ'ଣ ନାହିଁ ତା' ପାଖରେ।

ମୁକ୍ତି ଆଉ କିଛି ନଶୁଣି ନକହି କାନ୍ଦି କାନ୍ଦି ରୁମ୍ ଭିତରକୁ ଚାଲିଗଲା। ମୁକ୍ତି ର ମା' ତା' ପାଖକୁ ଯାଇ ଧିରେ କହୁଥାନ୍ତି-

-କ'ଣ ଦରକାର ଥିଲା ମୁକ୍ତି, ବାପାଙ୍କ ମୁହଁରେ ଜବାବ ଦବା। ଜଣା ନାହିଁ ଏବେ ସେ କ'ଣ କରିବେ?

ମୁକ୍ତି ଆଖିରୁ ଲୁହ ଧାର ଜୋରରେ ବୋହିବାରେ ଲାଗିଲା। ମୁକ୍ତି ମା'ଙ୍କ କାନ୍ଧରେ ମୁଣ୍ଡ ରଖି-

- ମୁଁ କିଛି ଭୁଲ୍ କରିଛି କି ମା'? ବାପା ଯେତେବେଳେ ଆମକୁ ଜୀବନ ଦେଇଛନ୍ତି ତ ପୁଣି ଜୀବନ ଜିଇଁବା ର ଅଧିକାର କାହିଁକି ନୁହେଁ?

ଏହା ଶୁଣି ମୁକ୍ତି ର ମା' ପାଖରେ କିଛି ଜବାବ ହିଁ ନଥିଲା।

ବଢ଼ିଲା ଝିଅ ଉପରେ ହାତ ଉଠେଇବା ଭୁଲ୍ କୁ ଅନୁତାପ କରି ରାତିରେ ମୁକ୍ତି ପାଖକୁ ଯାଆନ୍ତି ରମେଶ। ମୁକ୍ତି ତା' ରୁମ୍ ରେ ନଥାଏ। ରମେଶ ଚାରିଆଡ଼େ ଖୋଜିଗଲେ। ହେଲେ କୋଉଠି ବି ପାଇଲେ ନାହିଁ।

ରାତି ଆଠଟା ରୁ ସକାଳ ଆଠଟା ହେଲାଣି। ଅପଲକ ନୟନରେ ମୁକ୍ତି କୁ ଚାହିଁ ବସିଥାନ୍ତି ତା'ର ବାପା ମା'। କଲିଙ୍ଗ୍ ବେଲ୍ ବାଜିଲା। ଦୁହେଁ ଯାଇ କବାଟ ଖୋଲି ଦେଖିଲେ ସାମ୍ନାରେ ମୁକ୍ତି। ଆଉ ତା ପଛରୁ ବାହାରି ଆସିଲା ସରିତା। ସରିତା ର ମୁଣ୍ଡରେ ଆଉ ହାତରେ ଗଭୀର ଆଘାତ ଲାଗିଥାଏ। ସେ କାନ୍ଦୁଥାଏ। ସରିତା ମା'ଙ୍କୁ କୁଣ୍ଡେଇ ଧରି ଜୋରରେ କାନ୍ଦିଲା।

ସେ ଜମା ଭଲ ଲୋକ ନୁହଁନ୍ତି ମା', ଜମା ଭଲ ନୁହଁନ୍ତି। ଛୋଟ ଛୋଟ କଥାରେ ହାତ ଉଠାନ୍ତି। ବାହାଘରର ମାତ୍ର କିଛିଦିନ ପର ଠାରୁ ଏମିତି ମୋ ସହ କରନ୍ତି। ସେ ଆଉ ତାଙ୍କ ପରିବାର ଲୋକେ। ମୁଁ ଏସବୁ ସହି ଯାଏ। ମୋ ଭିତରର ସବୁ କଷ୍ଟ କୁ ଲୁଚାଇ ରଖେ। କାରଣ ମୁଁ ଚାହୁଁ ନଥିଲି ତୁ ଆଉ ବାପା ମୋ ପାଇଁ ଦୁଃଖୀ ହୁଅ ବୋଲି। ହେଲେ କାଲି ରାତିରେ ତୋ ଜ୍ୱାଇଁ ରୋହିତ ସବୁ ସୀମା ଟପିଗଲେ। ଯଦି ମୁକ୍ତି ଗୋଟେ ଫୋନ୍ କଲ୍ ରେ ସେଠି ପହଞ୍ଚି ନଥାନ୍ତା ତାହେଲେ ବୋଧହୁଏ ତୋ ଝିଅ ଆଜି ତୋ ପାଖରେ ଆଉ ନଥାନ୍ତା।

ଗୋଟି ଗୋଟି କରି ଶାଶୁ ଶ୍ୱଶୁର ଆଉ ଜ୍ୱାଇଁ ରୋହିତ ର ନିର୍ଯାତନା ବିଷୟରେ କହୁଥାଏ ସରିତା। ରମେଶ ଆଉ କିଛି ନକହି ତାଙ୍କ ରୁମ୍ କୁ ଚାଲିଗଲେ। ରୁମ୍ ଭିତରୁ ଗୋଟିଏ କାଗଜ ଆଣି ମୁକ୍ତି ହାତରେ ଧରେଇଲେ।

-ଇଏ ଓକିଲଙ୍କ ନମ୍ବର। କଲ୍ କରି କଥା ହେଇଯା। ମୁଁ ଚାହେଁ ସେମାନଙ୍କୁ ଯେପରି କଠୋର ରୁ କଠୋର ଶାସ୍ତି ମିଳିବା ଦରକାର।

ମୁକ୍ତି କୁ ପ୍ରଥମ ଥର ପାଇଁ କୈାଣସି ଅଧିକାର ମିଳିଥିଲା ତା' ବାପାଙ୍କ ଠୁ। ଏତିକି କହି ରମେଶ ପୁନର୍ବାର ରୁମ୍ କୁ ଯିବାକୁ ଲାଗିଲେ। କିନ୍ତୁ ହଠାତ୍ ରୁମ୍ ର କବାଟ ପାଖରେ ଅଟକି ଗଲେ! ମୁକ୍ତି କୁ ପାଖକୁ ଡାକିଲେ। ଆଉ କହିଲେ "କାଲିଠାରୁ କଲେଜ ଯିବା ଆରମ୍ଭ କରିଦେ। ଏ ବୟସରେ ପାଠ ପଢ଼ାରେ ହେଳା କରିବା ଜମା ବି ଠିକ୍ ନୁହଁ।"



Rate this content
Log in

Similar oriya story from Drama