Sunil Bastia

Tragedy Classics Inspirational

4  

Sunil Bastia

Tragedy Classics Inspirational

ଧରଣୀ ଧର

ଧରଣୀ ଧର

5 mins
259


  ସାମ୍ନାରେ ମିଞ୍ଜି ମିଞ୍ଜି ଜଳୁଥିବା ଡିବିରି ଆଲୁଅ। କଂସାରେ ଦି ମୁଠା ଖୁଦ ଭଜା। ବାହାରେ ଝିପିଝିପି ବର୍ଷା। ହାତରେ ଓଡ଼ିଆ ବର୍ଣ୍ଣବୋଧ ଧରି ନିଜ ଭବିଷ୍ୟତକୁ ଏମିତି ଗଢୁଥାଏ କାଳୁ। ପାଖରେ ବସିଥାନ୍ତି କାଳୁର ବା' ଧରଣୀଧର।

--ଏ ବା'.. ମୁଁ ଆଉ ଏ ଧୂଆଁରେ ପଢ଼ି ପାରିବିନି। ଏ ଡିବିରି ଟାକୁ ଯୁଆଡେ ରଖୁଛି ତା ଧୂଆଁ ମୋରି ଆଡ଼କୁ ହିଁ ଆସୁଛି। ଏ ଖୁଦ ବି.. ନେ। ଏଗୁଡା ସବୁବେଳେ କିଏ ଖାଇକି ଶୋଇବ ମ! ମୁଁ ଯାଉଛି ସେମିତି ଶୋଇ ପଡିବି।

   ଧରଣୀଧର ଆଉ କିଛି ନକହି ଘରର ତାଟି ପକାଇ ନିଜେ ମଧ୍ୟ ଶୋଇ ପଡ଼ିଲା। ପଶ୍ଚିମ ଆକାଶରେ ବଡ ମେଘ ଧରିଥାଏ। ବାପ ପୁଅଙ୍କ କେତେଟା ଘୁଙ୍ଗୁଡ଼ି ଭିତରେ ଆକାଶ ଜୋରରେ ବର୍ଷା ଗାଳିବା ଆରମ୍ଭ କରିଦେଲା। ପବନର ଗର୍ଜନ ଶୁଭିଲା। ଦଦରା ନଡାଛପର ଉପରେ ବନ୍ଧା ହୋଇଥିବା ଜରି ଖଣ୍ଡକ ଉଡି ଗଲା। ଦେହରେ ମେଘ ପାଣି ପଡିବାରୁ ଧରଣୀଧରର ନିଦ ଭାଙ୍ଗିଗଲା। ଧଡପଡ ହୋଇ ଉଠିପଡ଼ିଲା। ପୁଅକୁ ଶେଯ ସହ ଭିଡିଆଣିଲା ଶୁଖିଲା କାନ୍ଥ କଡକୁ। ମୁଣ୍ଡରେ ଗାମୁଛା ଭିଡି, କାନ୍ଧରେ କୋଦାଳ ଆଉ ହାତରେ ଲଣ୍ଠନ ଧରି ବାହାରି ଗଲା କ୍ଷେତକୁ।

    ବାତ୍ୟା ଆସିଲା, ବାତ୍ୟା ଆସିଲା.. କହି ଗାଁ ଲୋକେ ସବୁ ଗାଈଗୋରୁ, ଛେଳି ମେଣ୍ଢା ଫିଟେଇ ଦେଉଥାନ୍ତି। ପିଲାଛୁଆ ଧରି ସମସ୍ତେ ରାତି ଅଧଟାରେ ସ୍କୁଲ ବାରଣ୍ଡାକୁ ଦୈାଡୁଥାନ୍ତି। ଧରଣୀଧର ଏସବୁ ଦେଖି ଅଣନିଃଶ୍ବାସୀ ହୋଇ ଦୌଡିଲା କ୍ଷେତକୁ। ବାରମ୍ବାର ବୋଲି ହଉଥାଏ "ମୋ ଧାନଫସଲ..! ଜଦି ଏ ସାନେ ମୋ ଫସଲ ଗଣ୍ଡାକ ଭାସିଯାଏ, ତେବେ? ଏ କାଳିଆ ରକ୍ଷା କରିବୁ ହେ ... ତୋତେ ମୋ ଦାନାପାଣି ଲାଗିଲା।"

   ଫଁ ଫଁ ହେଉଛି ବାତ୍ୟା। ମୁଣ୍ଡ ଉପରେ ଚାରି କଳା ମେଘ ଏକାଠି। ପବନ ପାଦ ସଳଖି ଦେଉନି। କ୍ଷେତରେ ପହଞ୍ଚି ପ୍ରଥମେ ହୁଡା କାଟି ପାଣି ବାହାରକଲା ଧରଣୀଧର। ପବନରେ ନଇଁ ପଡୁଥିବା ଧାନ ଗଛକୁ ସଳଖୁ ଥାଏ।

ହୁଡାର ଏପାଖ ସେପାଖ ଦୈାଡି ଫସଲକୁ ସୁରକ୍ଷା ଦେବା ଭିତରେ ପବନର ତୀବ୍ରତା ଆହୁରି ବଢ଼ିବାରେ ଲାଗିଲା। ପବନର ସ୍ରୋତ ଉଡେଇ ନେଲା ଧରଣୀଧରକୁ। କ୍ଷେତଠୁ କିଛି ଦୂରରେ ଥିବା ଏକ ଶାଳ ଗଛ ମୂଳକୁ ଜାବୁଡ଼ି ଧରି ପବନ ସହ ଲଢୁଥାଏ। ଆଖି ଆଗରେ ଭାସି ଯାଉଥାଏ ବର୍ଷ ତମାମର ଝାଳ ବୁହା ପରିଶ୍ରମ ସାଙ୍ଗକୁ ତା' ସହ ଥିବା ଅନାବିଳ ସମ୍ପର୍କ। ଆଖିରୁ ତତଲା ଲୁହ ଗୁଡା ନିଗିଡ଼ି ମେଘ ପାଣି ସହ ମିଶି ଯାଉଥାନ୍ତି। ଦୀର୍ଘ ତିନି ଘଣ୍ଟାର ଲଢେ଼ଇ ପରେ ପବନର ଟିକେ ଦମ୍ଭ କମିଲା। ମେଘ ବି ଚୁପ୍। ପରିବେଶ ଶାନ୍ତ।

  ଧରଣୀଧର ଗଛମୂଳେ ଗାଲରେ ହାତ ମାଡ଼ି ବସିଥାଏ। ସେ ଏଇ ଫସଲ ଗଣ୍ଡାକ ବିକି ଗୁମାସ୍ତାର କରଜ ଶୁଝି ଥାନ୍ତା। କିଛି ପଇସା ଅସୁବିଧା ସୁବିଧା ପାଇଁ ରଖିଥାନ୍ତା। ନଡା ଆଣି ଘର ଛପର କରିଥାନ୍ତା। ବର୍ଷ ସାରା ନିଜେ ଖାଇବା ପାଇଁ କିଛି ରଖିଥାନ୍ତା। ହେଲେ ଏସବୁ କ'ଣ ହେଇଗଲା?

--ଏ ଧରଣୀ ...

ଏଠି କଁ କରୁଛୁ। ଆରେ ଆମେ ତୋତେ କେତେ ଆଡେ ଖୋଜିଲାଣୁ। ଏଡେ ବାତ୍ୟାରେ ତୁ ଆସି ଏଇଠି ବସିଚୁ। ଧାଇଁ ଆରେ... ସରକାର ସେଣେ ରିଲିପି ଦେଲାଣି। ଆହୁରି ଚାଳ ପାଇଁ ପଲିଥିନ୍ ଜରି ଆଉ ଦି ହଜାର ଲେଖାଏଁ ଟଙ୍କା ବି ଦଉଛି। ଆସ୍, ନହେଲେ ସରିଯିବ ଯଦି ଆମ ଭେଳା ବୁଡିଲା ବୋଲି ଜାଣ।

--ଆଉ କ'ଣ ଭେଳା ବୁଡିବାକୁ ବାକି ଅଛି ସୁର ଦାଦି। ସବୁ ସରିଗଲା ଦାଦି ସବୁ ସରିଗଲା। ଆଖି ପିଛୁଳାକେ ସବୁ ପରିଶ୍ରମ ମୋର ମାଟିରେ ମିଶିଗଲା। ହେ କାଳିଆ, ତୋତେ ଏ ଗରିବ ଉପରେ ଟିକେ ଦୟା ଆସିଲାନି।

--ମନ କଷ୍ଟ କରନା ଧରଣୀ। ଦେଖିବୁ ସବୁ ଠିକ୍ ହେଇଯିବ।

--ହଁ। ବର୍ଷ ବର୍ଷ ଧରି ଏଇ ଆଶା ଟିକକ ତ ବଞ୍ଚେଇ ରଖିଛି। ହେଲେ ଏ ଦାରିଦ୍ର୍ୟ ସେ ଆଶାକୁ ହିଁ ମାରି ଦଉଛି। କୋଉ ଜନ୍ମରେ କି ପାପ କରିଥିଲି କେଜାଣି, ଏ ଜନ୍ମରେ ଚାଷୀ ହେଇ ଜନ୍ମ ନେଇଛି।

--ଚାଷ କରିବାଟା ପାପ ନୁହେଁ ଧରଣୀ। ଆମେ ଚାଷୀ ହବାଟା ପାପ। ତୁ ବ୍ୟସ୍ତ ହଅନା। ସରକାର ଅଛି। ସେ ଆମ କଥା ବୁଝିବ।

--ସରକାର!!! ସେ ଖାଲି ପମ୍ପା ସହାନୁଭୂତି, ଆଉ ଉଡା କଥା ପୁଳାଏ ଦବ। କେଇଟା ଟଙ୍କା ଦବ। ଲଙ୍ଗଳ ଧରି ଖରା ବର୍ଷାରେ ହଳକରି ବିହନ ଖତ ଦେଇ ନିଜ ହାତରେ ସୁନା ତିଆରି କରେ ଚାଷୀ। ହେଲେ ସେ ସୁନା ଫସଲଟା ଉଜୁଡି ଗଲେ ଚାଷୀକୁ କେମିତି ଲାଗେ, ସେ ସରକାର କାହୁଁ ବୁଝିବ। ପଡିଯାଇଥିବା ଲୋକଟା ଉଠିଲେ ହିଁ ଚାଲିପାରେ। ହେଲେ ଏ ଦୈବ ଆମକୁ ଉଠିବାକୁ ହିଁ ଦଉନି। କେବେ ବନ୍ୟା, କେବେ ବାତ୍ୟା, ମରୁଡି, ମହାମାରୀ। ଦଶଜଣ ପେଟକୁ ଦାନା ଦଉଥିବା ଏ ଚାଷୀ ନିଜେ ଆଜି ଭୋକିଲା ଶୋଉଛି ‌। ସ୍ଵାଧୀନତା ପରଠୁ ଦେଶ ଆଜି କେତେ ଆଗକୁ ଗଲାଣି। କିନ୍ତୁ ଚାଷୀ ଆଜି ବି ଯୋଉ ଦରିଦ୍ରକୁ ସେଇ ଦରିଦ୍ର ହେଇ ରହିଛି। ମହାଜନଠୁ କରଜ କରି ଫସଲ କରିଥିଲି‌। ଚାଷ ପାଇଁ ଆଣିଥିବା କରଜ ଶୁଝିବାଠୁ, ଆଜି କୀଟ ପାଇଁ ଆଣିଥିବା ଔଷଧ ଖାଇବାକୁ ସହଜ ଲାଗୁଛି। ଚାଷୀ ଏ ମାଟି ମାଆର ପୁଅ। ବୋଧହୁଏ ସେଥିପାଇଁ ଏସବୁ ସହିବାକୁ ପଡୁଛି।

-- ତୁ କାଇଁ ଏତେ ଚିନ୍ତା କରୁଛୁ। ସେଥିପାଇଁ ସରକାର ମୂଲ୍ୟ ଦବ।

-- ଆରେ ଫସଲକୁ ମୂଲ୍ୟ ଦବା, ମାଆ କ୍ଷୀରକୁ ମୂଲ୍ୟ ଦବା ସାଙ୍ଗେ ସମାନ। ସେ ସରକାର କେତେ ଦିନ ପାଇଁ ଖାଇବାକୁ ଦବ? ପଲିଥିନ ଜରି କେତେ ଖରା ବର୍ଷା ସହିବ? କେତେଟା ଟଙ୍କା କେଇ ଦିନ କୁଟୁମ୍ବ ପୋଷିବ? ସରକାର ଦେଇପାରିବ ଆମ ପରିଶ୍ରମର ମୂଲ୍ୟ? ନିଜର ସବୁକିଛି ସରିଗଲା ପରେ ବଞ୍ଚିବା ମରିବା ଭିତରେ କିଛି ଫରକ ନଥାଏ ରେ। କ୍ଷୟକ୍ଷତି ପାଇଁ ପଚାଶ ହଜାର ଟଙ୍କା ଦେଉଛନ୍ତି। କିନ୍ତୁ ଏ ଦୁନିଆରେ ନିଜ ଲୋକଠୁ ଅଧିକ ମୂଲ୍ୟ ଆଉ କିଛି ନାହିଁ। ମଣିଷ ବଞ୍ଚୁଛି ଚାଷୀ ପାଇଁ। ଚାଷୀ ବଞ୍ଚୁଛି ଚାଷ ପାଇଁ। ଆଉ ସେ ଚାଷ ମରିଗଲେ ଟଙ୍କା ତାକୁ କେତେଦିନ ବଞ୍ଚେଇବ। ଚାଷୀ ନାଁ କହି କିଏ କେତେ ଖାଉଛି ଆମକୁ ଜଣା ନାହିଁ। କିନ୍ତୁ ଯାହାବି ଆମ ପାଖକୁ ଆସୁଛି ସେତେବେଳକୁ ବେଶ୍ ଡେରି ହେଇଯାଉଛି। ଆମ ଦୁଃଖର ଅନ୍ତ ନାହିଁ କି ଆମ ଲୁହର ମୂଲ୍ୟ ନାହିଁ। ଛାଡ ଯାହା ଆମ ଭାଗ୍ୟରେ ଲେଖା। ଦାଦି ଗାଁରେ ସବୁ କୁଶଳ ତ?

--କୁଶଳ ଆଉ କ'ଣ? ସବୁ ତ ଛଡେଇ ନେଲା ଏ ବାତ୍ୟା। କିନ୍ତୁ ତୋ ଘର କିଛି ହେଇନି। ଖାଲି ଗୋଟାଏ ପଟ କାନ୍ଥ ଭୁଶୁଡ଼ି ଯିବାରୁ ଚାଳ ନଇଁ ପଡ଼ିଛି। ହଉ ଏବେ ଆସ୍ ଯିବା। ସବୁ ସେ କାଳିଆର ଲୀଳା। ଖାଲି ଆମ ପରି ଲୋକଙ୍କୁ ହଟହଟା କରିବା କଥା।

 ବାଟ ସାରା କୁଢ଼ କୁଢ଼ ମଲା ଗାଈ ଗୋରୁ, ଛେଳି ମେଣ୍ଢା ଆଉ ତିନି ଚାରୋଟି ମଣିଷ ଶବ। କାନ୍ଦ ବୋବାଳି ପଡ଼ିଥାଏ। ସବୁ ଘରଦ୍ଵାର ଗଛପତ୍ର ଧରାଶାୟୀ। ପତ୍ର ବିହୀନ ଗଛ ଲତା। ଘରକୁ ପାଦ ଦଉ ଦଉ ମନେ ପଡ଼ିଲା କାଳୁର କଥା। କାଳୁକୁ ସେ ତ ସେଇ କାନ୍ଥ କଡ଼ରେ ଶୁଆଇ ଦେଇ ଯାଇଥିଲା। ଯାହା ଏବେ ଭୁଶୁଡ଼ି ପଡ଼ିଛି। ଧରଣୀଧରର ମସ୍ତିଷ୍କ କିଛି ସମୟ ପାଇଁ କାମ କରିବା ବନ୍ଦ୍ କରିଦେଲା। ଗୋଟିଏ ମୁଣ୍ଡରୁ ଓଦା ମାଟିକୁ ହାତରେ ଆଡେଇବାକୁ ଲାଗିଲା। ଦିଶିଲା କାଳୁର କଅଁଳ ଦୁଇ ପାଦ। ସମ୍ପୂର୍ଣ୍ଣ ମାଟି କାଢିଲା କାଳୁ ଉପରୁ। ସେମିତି ସେ ଶୋଇ ରହିଛି ବିଛଣାଟା ଉପରେ। କିନ୍ତୁ ନିଶ୍ଵାସ ଆଉ ଚାଲୁନି। ଭେଁ ଭେଁ ପିଲାଙ୍କ ପରି କାନ୍ଦିବାକୁ ଲାଗିଲା ଧରଣୀଧର। ଏ କି ଚଣ୍ଡାଳ କାମ କଲି! ଫସଲ ଲୋଭରେ ଜନ୍ମ କଲା ପୁଅଟା କଥା ଭୁଲିଗଲି। ପୁଅଟାକୁ ନିଜ ହାତରେ ମରଣ ମୁହଁକୁ ଠେଲି ଦେଲି। ଖୁଦ ଖାଇବନି ବୋଲି ଉପାସ ଶୋଇଲା କାଲି ରାତିରେ। ବାପ ହେଇ ପୁଅକୁ ଦାନା ଗଣ୍ଡେ ଦବାକୁ ଅସମର୍ଥ। ଧିକ୍ ମୋ ବାପ ପଣିଆ। ମୋର ଏ ବାପ ଜୀବନ ଜିଇଁବାର କିଛି ବି ଅଧିକାର ନାହିଁ। ହାରି ଦେବି ମୋ ଜୀବନ।

   ଚାଳରେ ଅଧା ଥିବା କୀଟନାଶକ ଓାୖଷଧ ଆଣି ପିଇବାକୁ ମନସ୍ଥ କଲା ଧରଣୀଧର। ଠିପି ଖୋଲି ପିଇବାକୁ ଗଲା ବେଳକୁ ପଛରୁ ବା' ଡାକ ଶୁଭିଲା। ଅଟକି ଗଲା ହାତ। ପଛକୁ ଚାହିଁଲା ବେଳକୁ ଛିଡ଼ା ହୋଇଛି କାଳୁ। ବା' ତୁ ଏ କ'ଣ କରୁଛୁ? ଆତ୍ମହତ୍ୟା କରିବାକୁ ଯାଉଛୁ। ତୁ ଯଦି ଏମିତି କରିବୁ ଶନା କାକା ତେବେ କ'ଣ କରିବେ? ତାଙ୍କ ଝିଅ ଘଡଘଡିରେ ମରିଛି। ତା' ସାଙ୍ଗକୁ ପନିପରିବା ଫସଲ ବି ଉଜୁଡି ଯାଇଛି। ବଇଁଶୀ ଜେଜେ ସ୍ତ୍ରୀଙ୍କ ଗଛ ପଡ଼ି ମୃତ୍ୟୁ ହେଇଛି। ରିମା ବଡ ବୋଉର ବଉଳା ମରିଛି। ଗାଁର ପ୍ରାୟ ଘର ମାଟିରେ ମିଶିଛି। ସମସ୍ତଙ୍କ ଜୀବିକା ଉଜୁଡି ଯାଇଛି। ତୋ ଦେଖାଦେଖି ଯଦି ସେମାନେ ସେଇଆ କରିବେ? ମୋତେ ଅଧିକ କଷ୍ଟ ହବ। ମୁଁ ଜାଣେ, ତୋତେ ବି। କ'ଣ ହବ ଏ ଗାଁର ଭବିଷ୍ୟତ? କ'ଣ ହବ ମୋ ପରି ଥିବା ଗାଁର କୁନି ପୁଅ ଝିଅମାନଙ୍କ ଭବିଷ୍ୟତ? ମୋ ସହ ଘଟିବା ଘଟଣାକୁ କ'ଣ ପୁଣି କାହା ସହ ଦେଖିବାକୁ ଚାହୁଁ ବା'? ଏ ସମୟରେ ଏମିତି ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ। ମୋ ସହ ଘଟିଥିବା ଘଟଣା ଯେପରି ଆଉ କାହା ସହ ନହୁଏ ସେଥିପାଇଁ ବଞ୍ଚି ରହିବାକୁ ପଡିବ ତୋତେ। ଏ ଗାଁ ପାଇଁ ଏ ସମାଜ ପାଇଁ। ଏତିକି କହି ରହିଗଲା କାଳୁ। ଧରଣୀଧର ନିଜକୁ ବିଶ୍ଵାସ କରି ପାରୁନଥାଏ। ଦୌଡି ଯାଇ କାଳୁକୁ କୁଣ୍ଡେଇବାକୁ ଚେଷ୍ଟା କଲା ବେଳକୁ କାଳୁ ଆଉ ନାହିଁ।



Rate this content
Log in

Similar oriya story from Tragedy