Sunil Bastia

Tragedy Inspirational

4.0  

Sunil Bastia

Tragedy Inspirational

ବଡ ଘରର ସାନ ବୋହୂ

ବଡ ଘରର ସାନ ବୋହୂ

5 mins
267


ରାତି ପ୍ରାୟ ସାଢେ଼ ଦଶଟା। ଘର ସାମ୍ନାରେ ଚେୟାର ପକେଇ ବସିଥାନ୍ତି ରାଜୁର ବାପା। ରାତି ପାହିଲେ ରାଜୁର ବାହାଘର। ବାକିଥିବା ସାଜସଜ୍ଜା ଲୋକଙ୍କ ଦ୍ଵାରା କରାଉଥାନ୍ତି। ଆଜି ଭଳି ଦିନରେ ବି ରାଜୁ ଘରେ ଉପସ୍ଥିତ ନଥିବାରୁ ବାପାଙ୍କ ମନ ଭାରି ଦୁଃଖ। ବାପାଙ୍କୁ ଅଫିସ ଯାଉଛି କହି ଏପର୍ଯ୍ୟନ୍ତ ଘରକୁ ଫେରିଲାନି। ଏଣେ ଢେର୍ କାମ ବାକି ରହିଲାଣି। ଏତେ ସବୁ କାମ ଭିତରେ ରାଜୁ ମା'ର ଚିଡ ଚିଡା କଥାକୁ ଜମା ସହ୍ୟ କରି ପାରୁନଥିଲେ ରାଜୁର ବାପା। ଦି ଜଣକ ଭିତରେ ମଧ୍ୟ ଝଗଡ଼ା ଲାଗି ଯାଉଥାଏ। ଏତିକି ବେଳେ ଘର ଆଗରେ ଲାଗିଲା ରାଜୁର କାର୍। ରାଜୁ ଜଣେ ଝିଅର ହାତ ଧରି ବାହାରିଲା କାର୍ ଭିତରୁ। ଝିଅଟିର ବେକରେ ଥାଏ ମଙ୍ଗଳ ସୂତ୍ର, ମଥାରେ ମେଞ୍ଚାଏ ସିନ୍ଦୂର। ଆଉ ଦୁହିଁଙ୍କ ବେକରେ ଥିବା ଫୁଲ ମାଳ ସବୁ କିଛି ସ୍ପଷ୍ଟ କରିଦେଉଥିଲା। ବାପା ଆଉ କିଛି ନବୁଝି ଧାଇଁ ଯାଇ ରାଜୁକୁ ଏକ ଶକ୍ତ ଚାପୁଡ଼ା ପକାଇଲେ। ଘରଟା ଯାକର ଲୋକ ତାଜୁବ।

--ଶେଷରେ ତୋର ଏଇଆ କରିବାର ଥିଲା! ବେଲଜ୍ଜ୍ୟା କୋଟିକାର! ମୁଁ ଆଉ ରାସ୍ତାରେ ମୁଣ୍ଡ ଟେକି ଚାଲି ପାରିବି ତ? କାଲି ସକାଳେ ତୋ ବାହାଘର ହୋଇଥାନ୍ତା। ଆରେ ମୁଁ ସେ ଝିଅଘର ଲୋକଙ୍କୁ କ'ଣ କହି ବୁଝେଇବି। ଯାହା ଜିଦ୍ କରି ବସିଥିଲୁ ଆଜି ସେଇଆ କଲୁ। ଛି..ଛି..ଛି। ମୋର ଆଉ ଏ ପରିବାରର ତ ସବୁ ମାନ ସମ୍ମାନ ଖାଇଲୁ। କୋଉ ମୁହଁରେ ପୁଣି ଏ ଘରକୁ ଫେରିଛୁ। ଚାଲିଯା ମୋ ଘରୁ।

ଜୋରରେ ପାଟି କରି ଏମିତି ଅନେକ ଗାଳି ଦିଅନ୍ତି ରାଜୁର ବାପା ଆଉ ବଡ଼ ଭାଇ। ରାଜୁ ଆଉ ସୁମି ମୁଣ୍ଡ ନୁଆଇଁ ଚୁପଚାପ୍ ଛିଡା ହୋଇଥାନ୍ତି। କାମ କରୁଥିବା ସବୁ ଲୋକ ନାଟକ ଦେଖିଲା ପରି ଚାହିଁ ରହିଥାନ୍ତି। ରାତିଟାରେ ଦାଣ୍ଡ ପିଣ୍ଡାରେ ଏସବୁ ଡ୍ରାମା ରାଜୁର ମା'କୁ ଜମା ଭଲ ଲାଗୁନଥାଏ। ଏସବୁର ସମାଧାନ ପାଇଁ ଦୁହିଁଙ୍କ ପାଖକୁ ଗଲେ। ଦୁହିଁଙ୍କ ହାତ ଧରି ଘର ଭିତରକୁ ପାଛୋଟି ନେଲେ ମା'। ହେଲେ ଘର ଭିତରେ ରାତିଟା ଯାକ ଏଇ କଥାକୁ ନେଇ ହୋ ହାଲ୍ଲା, ଗଣ୍ଡଗୋଳ। ଶେଷରେ ମା'ଙ୍କ ନିଷ୍ପତ୍ତି ସମସ୍ତଙ୍କୁ ମାନିବାକୁ ପଡ଼ିଲା। ଘରର ମାନ ସମ୍ମାନ ଆଖି ଆଗରେ ରଖି ରାଜୁ ସହ ସୁମିର ବୈଦିକ ରୀତିରେ ପୁନର୍ବାର ବିବାହ କରିବାକୁ ମା' ଅଳି ଧରିଲେ। ବାପାଙ୍କର ଏସବୁ ହଜମ ହେଉ ନଥାଏ। ରାତି ପାହିଥିଲେ ମନ୍ତ୍ରୀଙ୍କ ଝିଅ ସହ ବିବାହ ହୋଇଥାନ୍ତା। କେତେ ଆସବାବପତ୍ର କେତେ ବିଡା ବିଡା ଟଙ୍କା ଆଣିଥାନ୍ତା ବୋହୂ। ହେଲେ ଏ ଗରିବ ଘରର ଝିଅଟାକୁ ଆଣି ସବୁ କିଛି ସାରିଦେଲା ସେ। ଏମିତି କିଛି ଭାବି ରକ୍ତ ଚାଉଳ ଚୋବାଉଥାନ୍ତି।

ରାତି ପାହିଲା। ସବୁ ଅପେକ୍ଷାର ଅନ୍ତ ଘଟିଲା ରାଜୁ ଆଉ ସୁମି ପାଇଁ। ଆଜି ପରିବାରର ସ୍ବୀକୃତି ଆଉ ସବୁ ରୀତିନୀତି ସହ ବିବାହ ହେବ ଦୁହିଁଙ୍କ। ସକାଳର କେଇ ମୂହୁର୍ତ୍ତ ପରେ ଆରମ୍ଭ ହେଲା ବିବାହ କାର୍ଯ୍ୟ। ରାଜୁ ଏକଦମ୍ ରାଜାଙ୍କ ପରି ଦିଶୁଥାଏ। ବହୁତ ଖୁସି ମଧ୍ୟ ଜଣାପଡୁଥାଏ। କାରଣ ସେ ଆଜି ତା'ର ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଚୂଡାନ୍ତ ରୂପ ଦେବାରେ ସକ୍ଷମ। ଆରମ୍ଭ ହୋଇଗଲା ହୋମ କାର୍ଯ୍ୟ।

ପୁରୋହିତ- ଯଥାଶୀଘ୍ର କନ୍ୟାକୁ ବେଦୀକି ଆଣନ୍ତୁ...

 ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ଅଳତା ପିନ୍ଧା ପାଦରେ ଧିରେ ଧିରେ ଆସୁଥାଏ ସୁମି। ଯାହା ସୁମି ପାଇଁ ଏକ ନିଆରା ଅନୁଭବ। ଏମିତି ଦାଣ୍ଡରେ ତ ସେ କେବଳ ସାଥୀ ପିଲାଙ୍କ ସହ ଖପରା ଖେଳ ଖେଳିଛି। ଭୋକ ଉପାସକୁ ଖାତିରି ନକରି ଓଢଣୀ ଉଡେଇ ଦୁଇ ହାତ ଖୋଲି ବର୍ଷାରେ ନାଚିଛି। କିନ୍ତୁ ଆଜି ସବୁକିଛି ବଦଳିଯାଇଥିଲା। ଅଳତା ପିନ୍ଧା ପାଦରେ ଥିଲା ରୂପାର ଝୁଣ୍ଟିଆ। ହାତ ପାଦରେ ମେହେନ୍ଦି। ଦେହରେ ଲାଲ୍ ରଙ୍ଗର ଦାମି ପାଟ ଶାଢ଼ୀ ସହ ବିଭିନ୍ନ ସୁନା ଅଳଙ୍କାର। ସେଦିନ ସୁମି କଣ୍ଢେଇଟେ ପରି ଦିଶୁଥିଲା। ଆଖି ସାମ୍ନାରେ ଖେଳି ଉଠୁଥିଲା ବାପ ଘରର ଅଭାବୀ ଜୀବନ। ବାପା ମାଆଙ୍କ ଅନୁପସ୍ଥିତି ଆଖିରେ ଲୁହ ଭରିଦେଉଥାଏ। ସବୁ ପରେ ବି ମନର ମଣିଷକୁ ପାଇବା ଖୁସିରେ ମୁହଁରେ ଚେନାଏ ହସ ଖେଳିଯାଏ। କିଛି ଘଣ୍ଟା ପରେ ସମ୍ପୂର୍ଣ୍ଣ ହେଲା ବିବାହ କାର୍ଯ୍ୟ। ସବୁଦିନ ପାଇଁ ପରଘରି ହେବାର ଦୁଃଖ ମନରେ ଥାଏ। ହେଲେ କାହା କାନ୍ଧରେ ମଥା ରଖି ମନର କୋହକୁ ହାଲକା କରିବାକୁ ସାହାସ ନଥାଏ ସୁମି ପାଖରେ। ଶେଷରେ ରାଜୁର ହାତ ଧରି ଚାଲିଗଲା ଘର ଭିତରକୁ। ସ୍ଵାଗତ କରିବାକୁ ନା ଥିଲା ଧୂପ ଦୀପର ଆୟୋଜନ ନା ଶୁଭୁଥିଲା ଶଙ୍ଖ ହୁଳହୁଳିର ନାଦ। ଅଷ୍ଟ ମଙ୍ଗଳା ପରେ ସବୁ ବନ୍ଧୁ ବାନ୍ଧବ ଫେରିଗଲେ ନିଜ ନିଜ ଘରକୁ। ତା' ପରଦିନଠାରୁ ଆରମ୍ଭ ହୋଇଗଲା ସୁମି ଉପରେ ନିର୍ଯାତନା।

 ରାଜୁ ଘର ଗାଆଁରେ ହୋଇଥିବାରୁ ପ୍ରାୟ ସମସ୍ତେ ଭୂଇଁରେ ସୂର୍ଯ୍ୟ କିରଣ ପଡିବା ପୂର୍ବରୁ ଉଠିପଡ଼ନ୍ତି। ଗାଧୁଆ ସରିବା ପରେ କାମକୁ ବାହାରି ପଡ଼ନ୍ତି ସମସ୍ତେ। ବାପାଙ୍କ ସକାଳୁ କଡ଼ା ନାଲି ଚା, ମାଙ୍କ ବିନା ଚିନି ବାଲା ଚା ଜଳଖିଆ ଘର ପାଇଁ ପ୍ରଥମ କାମ। ଠାକୁର ଘରେ ପ୍ରାୟ ସବୁ ଦେବାଦେବୀଙ୍କ ଫଟୋ। ଠାକୁର ପୂଜା ନିହାତି ଘଣ୍ଟାଏ ଯାଏ। ଏସବୁ ଆଗରୁ ବଡ ବୋହୂଙ୍କ କାମ ଥିଲା। କିନ୍ତୁ ଏବେ ସବୁ କିଛି ସୁମିକୁ କରିବାକୁ ପଡ଼ିବ। ଏ ସବୁ କିଛି ସୁମି ଆଗରୁ ବୁଝି ନେଇଥିଲେ ରାଜୁ ଠାରୁ। ଭୋରୁ ଉଠିବା ନିହାତି ଆବଶ୍ୟକ ବୋଲି ଜାଣିଥିଲା ସୁମି। ପ୍ରଥମ ଦିନ ଉଠିବା ବେଳକୁ ୬ଟା ହେଲା। ତା' ପାଇଁ ଢେର୍ କଥା ଶୁଣିବାକୁ ପଡ଼ିଲା ଶଶୁରଙ୍କ ଠାରୁ। କିନ୍ତୁ ତା' ପରଦିନଠୁ ସଠିକ୍ ସମୟରେ ଉଠି ଗାଧୋଇ ଘର କାମରେ ଲାଗିପଡେ ସୁମି। ସକାଳୁ ଶୀଘ୍ର ଉଠିବା, ଗାଧୋଇବା ଆଉ ଅଣନିଃଶ୍ବାସୀ ହୋଇ କାମରେ ଲାଗିପଡିବା ଏହି କଥା ଏତେ ସହଜ ନୁହେଁ। ସକାଳୁ ଉଠିବାର କୌଣସି ସମୟ ସୀମା ନଥିବା ଝିଅ ପାଇଁ ଏହା କଷ୍ଟକର କାମ।

  କେବେ ଶାଢ଼ୀ ପିନ୍ଧିନଥିବା ଝିଅ ହଠାତ୍ ଶାଢ଼ୀ ପିନ୍ଧି ଘରର ସବୁ କାମ ତୁଲାଉଛି। ହାତରେ ମୋଟା ମୋଟା ମେଞ୍ଚାଏ ପାଣି ଚୁଡି। ମୁଣ୍ଡରେ ହାତେ ଲମ୍ବର ଓଢ଼ଣା। ସୁମିକୁ ଯେମିତି ଏକ ପ୍ରକାର ବାନ୍ଧି ରଖିଛି। ଏସବୁ ଭାରି ଅଡ଼ୁଆ ଲାଗୁଛି କହି ରାଜୁ କାନ୍ଧରେ ମୁଣ୍ଡ ରଖି ସୁମି ଫୁଲେଇ ହୋଇଯାଏ। କିନ୍ତୁ ଘରର ଅନ୍ୟ ଲୋକମାନଙ୍କ ପାଖରେ ମୁଣ୍ଡରେ ଓଢ଼ଣା ଦେବାକୁ ହାତ ଆପେ ଚାଲିଆସେ।

ରାଜୁ ବାପା ବଡ ବୋହୂର ଢେର୍ ପ୍ରଶଂସା କରିବାକୁ ଲାଗନ୍ତି। ସୁମିଠୁ ବଡ ବୋହୂକୁ ଅଧିକ ଭଲ ପାଆନ୍ତି ସେ। କାରଣ ତାଙ୍କ ପସନ୍ଦରେ ଘରକୁ ଆସିଥିଲେ ବଡ ବୋହୂ। ସାଙ୍ଗରେ ବହୁତ ଯୌତୁକ ଆଣିଥିଲେ। କିନ୍ତୁ ସୁମି ଏ ଦୌଡ଼ରେ ପଛରେ ପଡି ଯିବାରୁ ଅନେକ ନିର୍ଯ୍ୟାତନା ସହିବାକୁ ପଡୁଥିଲା। ବଡ ଜାଆର କଟୁ କଥା, ଶଶୁରଙ୍କ ସବୁଥିରେ ତାଗିଦ୍ ଆଉ ଗାଳି ଅସ୍ତବ୍ୟସ୍ତ କରୁଥିଲା ଜୀବନକୁ। ସୁମି ଉପରେ ବାପା ସବୁବେଳେ ଚିଡୁଥିଲେ। ସେ ଯେତେ ବି ଭଲ କାମ କଲେ ମଧ୍ୟ ଗାଳି ଗୁଲଜ କରନ୍ତି ବାପା। ପ୍ରତ୍ୟେକ ଦିନ ଝଗଡ଼ା ଲାଗେ ଘରେ। ବାପା କୁହନ୍ତି "ଧନୀ ଘର ଦେଖି ମୋ ପୁଅକୁ ବାହା ହେଇ ଗଲୁ। ବାପା ବାହା ଦବାକୁ ସକ୍ଷମ ନୁହଁ ବୋଲି ଏମିତି କରିବାକୁ ବୋଧହୁଏ ଶିଖେଇ ଦେଇଥିବ। ଏମିତି ଅଳିଆ ଗଦାରୁ ବୋହୂ ଗୋଟେଇ କଳଙ୍କ ବୋଳିଦେଲା ଏ ରାଜୁ।" ତା' ସତ୍ତ୍ୱେ ମଧ୍ୟ ସୁମି ହସୁଥାଏ। ସମସ୍ତଙ୍କ ପ୍ରତି ସଦା ଉଦାର ଥାଏ। ଶାଶୂ ଶଶୁରଙ୍କ ସେବାରେ ସେ କେବେ ହେଳା କରିନି।

ସବୁଦିନ ପରି ଦିନେ ସୁମିକୁ ଗାଳି କରିବା ସମୟରେ ବାପାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଲା। ଲଥ୍ ମାରି ତଳେ ପଡିଗଲେ। ହାତ ଗୋଡ଼ ବଙ୍କା ହୋଇଗଲା। ଅଙ୍ଗ ପ୍ରତ୍ୟଙ୍ଗ ସ୍ଥିର ହୋଇପଡୁଥାଏ। ଚିକିତ୍ସା ପାଇଁ ଘରକୁ ଡାକ୍ତର ଆସିଲେ। ଡାକ୍ତର କହିଲେ ସ୍ନାୟୁଘାତ ଯୋଗୁଁ ବାପା ସବୁଦିନ ପାଇଁ ଅଚଳ ହୋଇଗଲେ। ବାପାଙ୍କ ସାହା ଭରଷା ଏବେ କେବଳ ହ୍ୱିଲ ଚେୟାର। ସେବେଠୁ ବାପା ସବୁଦିନ ପାଇଁ ଅଚଳ ହୋଇ ପଡି ରହିଲେ ହ୍ୱିଲ ଚେୟାରରେ। ତାଙ୍କ ପାଟି ବି ଆଉ ଫିଟୁନଥାଏ। ତାଙ୍କ ଗାଧୋଇବା ଖାଇବା ଠାରୁ ଆରମ୍ଭ କରି ସବୁ ନିତ୍ୟକର୍ମ ଠିକ୍ ସମୟରେ ଆସି କରିଦିଏ ସାନ ବୋହୂ। ଘୃଣା କରୁଥିବା ବୋହୂର ସେବା ପାଇବାକୁ ବାଧ୍ୟ ହୁଅନ୍ତି ସେ।

ଅଚଳ ହେବା ପରଠୁ ପାଖ ମାଡନ୍ତିନି ଧନୀ ଘରର ବଡ ବୋହୂ। ଏମିତି କି ତାଙ୍କ ଆଖ ପାଖରେ ଗଲେ ମୁଣ୍ଡରେ ଲୁଗା ନୁହେଁ ନାକରେ ଲୁଗା ଦେଇ ଯିବା ଆସିବା କରିବାକୁ ଲାଗନ୍ତି। ଦିନେ ବାପାଙ୍କ ସାମ୍ନାରେ ବଡ ବୋହୂ ତାଙ୍କ ସ୍ଵାମୀଙ୍କୁ ଡାକି କହିଲେ-

-- ଭଲକରି ଦେଖ ତମ ବାପାଙ୍କୁ। ସେ ପୋଡ଼ାମୁହିଁ ସୁମି ମୋରି ରୁମ୍ ସାମ୍ନାରେ ଆଣି ଛାଡି ଦେଇଗଲା। ଛିଃ..ଛିଃ..। କେଡେ ଅପରିଷ୍କାର କଲାଣି ଏ ବୁଢା। ସତ କହୁଛି, ମୁଁ ଆଉ ଏଠି ରହି ପାରିବିନି। ଯେତେ ଶୀଘ୍ର ହବ ଅନ୍ୟ କୋଉଠି ରହିବାର ବନ୍ଦୋବସ୍ତ କର। ନହେଲେ କହି ଦଉଛି, ମୁଁ ସିଧା ଚାଲିଯିବି ମୋ ବାପ ଘରକୁ।

ବଡ଼ ପୁଅ ବି ଏଥିରେ ମୁଣ୍ଡ ଟୁଙ୍ଗାରି ହଁ ମାରିଲା।

 

ସେତେବେଳକୁ ବାପାଙ୍କ ଆଖିରେ ଆଖିଏ ଲୁହ। ସବୁ ଗର୍ବ, ଅହଙ୍କାର ଅନାବନା ହୋଇ ଲୁହ ହୋଇ ଝରି ପଡୁଥାନ୍ତି। ପୂର୍ବରୁ କରିଥିବା ସବୁ କୁକର୍ମ ଗୋଟି ଗୋଟି କରି ଆଖି ସାମ୍ନାରେ ଖେଳି ଯାଉଥାନ୍ତି। ସୁମି ଉପରେ କରିଥିବା ଅନ୍ୟାୟକୁ ସ୍ଵୀକାର କରି ମନ ଭିତରେ ପଶ୍ଚାତାପ କରୁଥାନ୍ତି। ସେତିକି ବେଳେ ସୁମି ଆସି ପଛରୁ ହ୍ୱିଲ ଚେୟାର ହ୍ୟାଣ୍ଡେଲ୍ ଧରି ଆଗକୁ ନେଲା। ସେତେବେଳେ ବାପା ସୁମିକୁ ଅନେକ କିଛି କହିବାକୁ ଚାହୁଁଥାନ୍ତି। ହେଲେ ସେ କିଛି କରିପାରୁ ନଥାନ୍ତି। ହ୍ୱିଲ ଚେୟାରରେ ବସି କେବଳ ମନେ ମନେ ସୁମିକୁ ଆଶୀର୍ବାଦ କରୁଥାନ୍ତି। ତା'ର ମଙ୍ଗଳ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥାନ୍ତି। ସେବେଠୁ ବାପାଙ୍କ ନିତିଦିନିଆ କାମ ବୋଧହୁଏ କେବଳ ଏହା ହିଁ ପାଲଟି ଗଲା।


*ସମାପ୍ତ*

✒️ Written by Sunil Bastia©

Disclaimer: This is a work of fiction. Unless otherwise indicated, all the names, characters, businesses, places, events and incidents in this book are either the product of the author's imagination or used in a fictitious manner. Any resemblance to actual persons, living or dead, or actual events is purely coincidental.


Rate this content
Log in

Similar oriya story from Tragedy