Sunil Bastia

Children Stories Inspirational

4  

Sunil Bastia

Children Stories Inspirational

ଘାସ ଫୁଲ

ଘାସ ଫୁଲ

4 mins
474


"ଆଜି ବାଦଲ ପୁଣି ଶପଥ ନେଇଛି। ଯେଉଁଠି ମୋର ଘର ସେଇଠି ବର୍ଷା କରିବ ବୋଲି। ଯଦି ବିଜୁଳିର ଜିଦ୍ ସେଇଠି ଘଡଘଡି ଦେବା ପାଇଁ, ତେବେ ମୋର ବି ଜିଦ୍ ସେଇଠି ପୁଣି ଘର ଗଢିବା ପାଇଁ। ଜୀବନ ଅଛି ତ ସମସ୍ୟା ଅଛି। ଜୀବନକୁ ଜିଇଁବାର ଅଛି ତ ସମସ୍ୟାକୁ ସାମ୍ନା କରିବାକୁ ହିଁ ପଡ଼ିବ। ସେ ଶବ ହିଁ ହୋଇଥାଏ, ଯାହା ପାଖରେ ସମସ୍ୟା ନଥାଏ।" ଏମିତି କିଛି ଚିତ୍କାର କରି କହି ହେଉଥାଏ ଏକ ବଗିଚାର ଗୋଲାପ ଫୁଲଟିଏ।

ସେହି ବଗିଚାରେ ଅନେକ ପ୍ରଜାତିର ଫୁଲ ଗଛ ଥିଲେ। ଛୋଟଠୁ ଆରମ୍ଭ କରି ବଡ଼ ଫୁଲ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଆନନ୍ଦରେ ଖେଳି ବୁଲି ଜୀବନ ଜୀଉଁଥିଲେ। ସେଠି ଅନ୍ୟ ଏକ ଛୋଟ ଫୁଲ ଗଛଟିଏ ଥିଲା। ଯିଏ କି ଥିଲା ଘାସ ଫୁଲ। ଇଟା ପଥର ଢାଙ୍କି ହୋଇ ସବୁ ପଟରୁ ସୁରକ୍ଷିତ ଥିବା ଘାସ ଫୁଲଟି ବେଶ୍ ଛୋଟ ଥାଏ। ଭୀଷଣ ଝଡ଼ ତୋଫାନ ବି ତା'ର ପାଖ ମାଡି ପାରୁନଥିଲା। ଉତ୍ତପ୍ତ ସୂର୍ଯ୍ୟର ପ୍ରଖର କିରଣ ବି କିଛି କ୍ଷତି କରିପାରୁନଥିଲା। ମୂଷଳ ଧାରାର ବର୍ଷା ବି ତାକୁ ନଷ୍ଟ କରିପାରୁ ନଥିଲା। କାରଣ ସେ ବଡ଼ ବଡ଼ ଘାସ ଆଉ ଇଟା ପଥର ତଳେ ଲୁଚି ରହିଥିଲା। ସବୁ ପରିସ୍ଥିତି ତା' ପାଇଁ ଅନୁକୂଳ ଥିଲା। ତା'ର ମନ କିନ୍ତୁ ସବୁବେଳେ ଦୁଃଖରେ ଥାଏ। ସେ କେବେ ଖେଳେନି କି ମନ ଭରି ନାଚି ଉପଭୋଗ କରେନି। ଆଖି ସାମ୍ନାରେ ଖେଳୁଥିବା ଫୁଲଙ୍କୁ ଦେଖି ବେଳେବେଳେ ଖୁସି ହୋଇଯାଏ। ନଚେତ୍ ସଦା ମନ ମାରି ନିଜ ଜାଗାରେ ବସି ରହିଥାଏ।

ତା' ପାଖକୁ ଲାଗି ସେହି ଗୋଲାପ ଗଛଟିଏ ଥିଲା। ଯିଏ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବି ଆଜି ଦୃଢ଼ ଭାବରେ ଛିଡ଼ା ହୋଇଛି। ଶାଖା ମେଲି ନାଚି ଖେଳି ପାରୁଛି। ଜୀବନକୁ ସ୍ଵାଧୀନ ଭାବରେ ମନଭରି ଜୀଇଁ ପାରୁଛି। ସେ ଗୋଲାପକୁ ଦେଖି ବେଶ୍ ଖୁସି ହେଉଥିଲା ଘାସ ଫୁଲ। ସେ ବି ଗୋଲାପ ପରି ଖେଳିବାକୁ ଚାହୁଁଥିଲା। ତା' ଭଳି ଜୀବନ ଜୀଇଁବାକୁ ମନ କରୁଥିଲା। ଗୋଟିଏ ଦିନ ସେ ତା' ସାଥି ଘାସ ଫୁଲକୁ କହିଲା।

-- ସାଥି, ଦେଖ ତ ଥରେ ଏ ଗୋଲାପକୁ। କେତେ ସୁନ୍ଦର ତା'ର ରୂପ। କେତେ ଆଦର ତା'ର ସବୁଠି। ପ୍ରତିଦିନ ମଣିଷ ମାନେ ତା ପାଖକୁ ଆସନ୍ତି। ତାକୁ ସ୍ନେହ କରନ୍ତି। ତା' ସହ ଫଟୋ ଉଠାନ୍ତି। ତା' ସୌନ୍ଦର୍ଯ୍ୟ ଆଉ ସୁଗନ୍ଧର ଢେର୍ ପ୍ରଶଂସା କରନ୍ତି। ହେଲେ ଆମେ କାହିଁକି ଏସବୁରୁ ବାଦ୍ ପଡୁଛେ ସାଥି। ମୋତେ ବି ଗୋଲାପ ପରି ଖେଳିବାକୁ ଇଚ୍ଛା ହେଉଛି। ତାହାରି ଭଳି ସୁନ୍ଦର ବାସ୍ନାରେ ଚଉଦିଗ ମହକାଇବାର ଅଛି। ସାଥି, ମୋତେ ଗୋଲାପ ଫୁଲ ହେବାରେ ସହାୟ ହୁଅ। ଗୋଲାପ ଫୁଲ ହେବାର ଉପାୟ କୁହ।

ସାଥି ଫୁଲ ହସିଦେଇ କହିଲା।

--ମତିଭ୍ରମ ହେଲାଣି ବୋଧହୁଏ ତୋର। ବାମନ ହେଇ କ'ଣ ପାଇଁ ଚନ୍ଦ୍ରକୁ ହାତ ବଢଉଛୁ। କ'ଣ ପାଇଁ ଅସୁବିଧାରେ ପଡ଼ିବାକୁ ଚାହୁଁଛୁ। ଗୋଲାପ ଫୁଲ ହେବା ଏତେ ସହଜ କଥା ନୁହେଁ। କେବେ କେବେ ତ ଏ ଖେଳି ବି ପାରେନା। ମଣିଷ ମାନେ ଖେଳିବା ପୂର୍ବରୁ ହିଁ ତାକୁ ତୋଳି ନିଅନ୍ତି। ସୂର୍ଯ୍ୟଙ୍କ ଉତ୍ତାପ ଜାଳିଦିଏ ତା'ର ରୂପ ସୌନ୍ଦର୍ଯ୍ୟକୁ। ଅସରାଏ ବର୍ଷା ତା'ର ସବୁ ପାଖୁଡ଼ା ଭାଙ୍ଗିଦିଏ। ଝଡ ତୋଫାନ ତା'ର ମେରୁଦଣ୍ଡ ଭାଙ୍ଗି ତଳେ କଚାଡି ଦିଏ। ତୁ ତୋ ଜାଗାରେ ବହୁତ ସୁରକ୍ଷିତ ଅଛୁ। ନା କୌଣସି ମେଘ ତୋଫାନର ଭୟ ଅଛି ନା କୌଣସି ମଣିଷଙ୍କ ଭୟ। ବେଶ୍ ସୁରକ୍ଷିତ ଆଉ ଖୁସିରେ ଅଛେ ଆମେ। ଆମ ପୂର୍ବଜ ମାନେ ବି ଏହି ଭୁଲ୍ କରିଥିଲେ। ଗୋଲାପ ଫୁଲ ହେବାର ଭୁଲ୍। କିନ୍ତୁ ପରିଣାମ ଭୟଙ୍କର ହୋଇଥିଲା। ତୁ ଯେମିତି ଅଛୁ ବେଶ୍ ଭଲ ଅଛୁ। ନିଜ ସୀମା ଭିତରେ ରହ। ନଚେତ୍ ଶାସ୍ତି ଭୋଗିବା ତ ସୁନିଶ୍ଚିତ।

ପୁଣି ଘାସଫୁଲ ମୁହଁ ଫୁଲେଇ କହିଲା।

-- ନାଇଁ ସାଥି, ଏହା ଖୁସିର ଜୀବନ ନୁହେଁ। ଏହା ତ ଆମ ପାଇଁ ଅଭିଶପ୍ତ ଜୀବନ। ସେ ବଞ୍ଚିବାର ମୂଲ୍ୟ କ'ଣ? ଯେଉଁଠି ଜୀବନକୁ ନିଜ ସ୍ଵାଧୀନରେ ଜୀଇଁ ପାରୁନଥିବ। ଏମିତି କେତେ ଦିନ ମୁଁ ସମସ୍ୟାକୁ ଡରି ଏଇ ଇଟା ପଥର ତଳେ ଲୁଚି ଜୀଇଁବି? ମୁଁ କେବେ ସୂର୍ଯ୍ୟ ସହ ମିଶି ପାରୁନାହିଁ। ବର୍ଷା ସହ ସଂଘର୍ଷ କରି ଭିଜି ନାଚି ପାରୁନାହିଁ। ତୋଫାନ ସହ ଲଢି ହାତ ଖୋଲି ଖେଳି ପାରୁନି। ବହୁତ ବ୍ୟଥିତ କଲାଣି ଏ ସୁପ୍ତ ଜୀବନ।

ସାଥି ଫୁଲ-- ଆରେ ଏହା ତ ଆମ ପାଇଁ ଭଲ। ଏହାର ଆବଶ୍ୟକତା ବା କ'ଣ? ଦୁର୍ବଳ ଶରୀର ବିଶିଷ୍ଟ ଆମେ। ଏସବୁ ଆମକୁ କ୍ଷତି ପହଞ୍ଚାଇବ। ତା' ଅପେକ୍ଷା ତ ଏହି ଘନ ଘାସ ଆଉ ଇଟା ପଥର ତଳେ ଲୁଚି ସୁରକ୍ଷିତ ରହିବା। ତେଣୁ ମୋ କଥା ଅନୁଯାୟୀ ସୁରକ୍ଷିତ ରହ ଏହି ଯାଗାରେ।

ଏଥିରେ ଘାସ ଫୁଲର ମନ କିନ୍ତୁ ମାନିଲା ନାହିଁ। ସେ ଈଶ୍ଵରଙ୍କୁ ତପସ୍ୟା କଲା। କଠୋର ତପସ୍ୟା ବଳରେ ଈଶ୍ଵରଙ୍କୁ ପ୍ରସନ୍ନ କରିବାରେ ସେ ସକ୍ଷମ ହେଲା। ଈଶ୍ଵର ତପସ୍ୟାରେ ସନ୍ତୁଷ୍ଟ ହୋଇ ତା' ସାମ୍ନାରେ ଆବିର୍ଭାବ ହେଲେ। ଈଶ୍ଵର ଘାସ ଫୁଲକୁ ଗୋଟିଏ ବର ମାଗିବାକୁ କହିଲେ। ଘାସ ଫୁଲ ଅତ୍ୟନ୍ତ ଖୁସି ହେଲା। ତା'ର ଇଚ୍ଛା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ବିଳମ୍ବ ନକରି ଘାସ ଫୁଲ ଈଶ୍ଵରଙ୍କୁ ପ୍ରଣାମ କରି ତା'ର ଇଚ୍ଛା ପ୍ରକାଶ କରି କହିଲା "ହେ ଈଶ୍ଵର ମୋତେ ଗୋଲାପ ଫୁଲ କରିଦିଅ।" ଈଶ୍ଵର "ତଥାସ୍ତୁ" କହି ଉଭାନ ହୋଇଗଲେ। ଆଉ ଘାସ ଫୁଲ ସେହି ମୂହୁର୍ତ୍ତରୁ ଗୋଲାପ ଫୁଲ ହୋଇଗଲା। ଆଉ ସେଇଠୁ ଆରମ୍ଭ ହେଲା ତାହାର ସଂଘର୍ଷ।

ସନ୍ଧ୍ୟାବେଳକୁ ଜୋରରେ ପବନ ବହିବାକୁ ଲାଗିଲା। ପବନ ସହ ଖେଳିଖେଳି ଥକି ପଡିଲା ସେ। ପବନର ତୀବ୍ରତା ଦୋହଲାଇ ଦେଉଥିଲା ପିଣ୍ଡପ୍ରାଣକୁ। ପବନ ସହ ସଂଘର୍ଷ କରି ଶେଷରେ ସଫଳ ହେଲା ସେ। ପରଦିନ ସକାଳୁ ସୂର୍ଯ୍ୟଙ୍କ କଅଁଳ କିରଣ ପାଇ ବହୁତ ଖୁସି ହେଲା ସେ। ସମୟ ଗଡିବା ସହ ସୂର୍ଯ୍ୟଙ୍କ ଉତ୍ତାପ ଉତ୍ତପ୍ତ ହେଲା। ସେଥିରେ ମଉଳି ଗଲା ଫୁଲର ସୌନ୍ଦର୍ଯ୍ୟ। ସନ୍ଧ୍ୟାରେ ପୁଣି ଜୋରରେ ବର୍ଷା ପବନ ହେଲା। ପ୍ରଖର ବର୍ଷା ମାଡରେ ଗୋଲାପ ଫୁଲର ପାଖୁଡ଼ା ଗୁଡ଼ିକ ଛିଡ଼ି ତଳେ ଏଣେତେଣେ ପଡ଼ିଲା। ଶେଷରେ ବାକିଥିବା ଶେଷ ପାଖୁଡ଼ା ସହ ଛିଡ଼ି ଯାଇ ସାଥି ଘାସ ଫୁଲ ପାଖରେ ପଡ଼ିଲା। ସାଥି ଘାସ ଫୁଲ ଏହା ଦେଖି ବହୁତ ମନ ଦୁଃଖ କଲା। 

ସାଥି ଫୁଲ --ମୁଁ ତ ତୋତେ ପୂର୍ବରୁ ହିଁ ଏହା ବିଷୟରେ ବୁଝାଇଥିଲି। କ'ଣ ପାଇଁ ତୁ ଏ ମରଣକୁ ଡାକି ଆଣିଲୁ? କେତେ ଆରାମରେ ଜୀବନ ଜୀଉଁଥିଲୁ ତୁ।

ସେହି ସମୟରେ ମରିବାକୁ ଯାଉଥିବା ଗୋଲାପ ଫୁଲ ହସି ହସି କହିଲା

-- ମୁଁ ଆଜି ବହୁତ ଖୁସି ସାଥି। ଆଉ ମୁଁ ତୁମକୁ ବି ଠିକ୍ ଏହି କଥା ହିଁ କହିବି। ସାରା ଜୀବନ ଇଟା ପଥର ତଳେ ଲୁଚି ଘାସ ଫୁଲ ହେବା ଅପେକ୍ଷା ତ ବହୁତ ଭଲ ଗୋଟିଏ ଦିନ ପାଇଁ ଗୋଲାପ ଫୁଲ ହୋଇଯିବା। ମୁଁ ଆଜି ମୋ ଆତ୍ମାକୁ ପାଇ ପାଇଛି। ଆଜି ମୁଁ ଝଡ଼ ତୋଫାନ ସହ ସଂଘର୍ଷ କରିଛି। ସୂର୍ଯ୍ୟଙ୍କ ସହ ମିଶି ପାରିଛି। ବର୍ଷା ସହ ସଂଘର୍ଷ କରି ପାରିଛି। ବର୍ଷାରେ ଭିଜି ନାଚି ପାରିଛି। ତୋଫାନ ସହ ଲଢି ହାତ ଖୋଲି ଖେଳି ପାରିଛି। ମୋ ବାସ୍ନାରେ ଚଉଦିଗ ମହକାଇ ପାରିଛି। ଯେତିକି ସମୟ ବଞ୍ଚିଛି ସେପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଢେର୍ ସ୍ନେହ ଆଦର ପାଇଛି। ମୁଁ ଏମିତି ମରୁ ନାହିଁ। ମୁଁ ବଞ୍ଚିକି ମରୁଛି। ଆଉ ତୁମେ ମରି ମରି ବଞ୍ଚୁଛ। ସେ ବଞ୍ଚିବାର ମୂଲ୍ୟ କ'ଣ? ଯେଉଁଠି ପାଦ ଆଗକୁ ପକାଇବାକୁ ଭୟ ଥିବ। ଜୀବନ ନିଜର ପ୍ରକୃଷ୍ଟ ସ୍ଥଳରେ ବସି ରହିବାର ନାମ ନୁହେଁ। ଜୀବନ ତ ପ୍ରତିଦିନ କିଛି ନୂଆ ଶିଖିବାର ନାମ ଅଟେ। ପ୍ରତିଦିନ ପୂର୍ବଦିନ ଠାରୁ ଭଲ କର୍ମ କରିବାର ନାମ ଅଟେ। ସାତ ଥର ପଡି ଆଠ ଥର ଉଠିବାର ନାମ ଜୀବନ ଅଟେ। କେବେ ସମସ୍ୟା ତ ପୁଣି କେବେ ସମାଧାନ ହେଉଛି ଜୀବନ। କେବେ ସମ୍ମାନ ପୁଣି କେବେ ବଳିଦାନ ହେଇଛି ଜୀବନ। ସଂଘର୍ଷ ସହ ସଫଳତା ତ ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ଅଟେ।

        *ସମାପ୍ତ*



Rate this content
Log in