"ବୁଦ୍ଧିମାନ ବୃଦ୍ଧ ବ୍ରାହ୍ମଣ"
"ବୁଦ୍ଧିମାନ ବୃଦ୍ଧ ବ୍ରାହ୍ମଣ"
ବହୁବର୍ଷ ତଳର କଥା। ସେତେବେଳେ ରାଜା ମହାରାଜା ମାନଙ୍କର ଶାସନ ଚାଲୁଥିଲା। ସେଇ ସମୟରେ ଗୋଟିଏ ରାଜ୍ୟର ଏକ ଗ୍ରାମରେ ଜଣେ ବିପତ୍ନୀକ ବୃଦ୍ଧ ବ୍ରାହ୍ମଣ ରହୁଥିଲେ। ସେଇ ରାଜ୍ୟରେ ଅର୍ଥନୈତିକ ଅବସ୍ଥା,କାର୍ଯ୍ୟଦକ୍ଷତା, ଶିକ୍ଷା ଆଦିକୁ ବିଚାର ନ କରି କେବଳ ଜାତି ଆଧାରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ ଥିବା ଯୋଗୁଁ ବ୍ରାହ୍ମଣ, କରଣ ଓ କ୍ଷତ୍ରିୟ ମାନଙ୍କ ପରିବାରର ଲୋକମାନଙ୍କ ପାଇଁ ନିୟୋଜନରେ ବିଶେଷ ବାଧା ରହୁଥିଲା ଏବଂ ସେମାନେ ସମୟକ୍ରମେ ଗରିବରୁ ଅଧିକ ଗରିବ ହେଇ ଚାଲିଥିଲେ। ସେଥିପାଇଁ ତାଙ୍କର ଏକମାତ୍ର ଉଚ୍ଚଶିକ୍ଷିତ ପୁତ୍ର କୌଣସି ସରକାରୀ ଚାକିରି ନ ପାଇବାରୁ ଜୀବିକା ନିର୍ବାହ କରିବାପାଇଁ ସେଇ ରାଜ୍ୟର ରାଜଧାନୀ ରେ ବଡ଼ ବ୍ୟବସାୟୀଙ୍କ ଘରେ ରହି ତାଙ୍କର ବାରିବଗିଚା କାମ କରୁଥିଲେ। ପାରିଶ୍ରମିକ ବାବଦରେ ଯାହାକିଛି ମିଳୁଥିଲା ସେଥିରୁ ବହୁକଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଇ ସାରିବା ପରେ ସାମାନ୍ୟ ଯାହାକିଛି ବଳକା ରହୁଥିଲା ସେଇ ଅର୍ଥକୁ ମାସ ଶେଷରେ ବୃଦ୍ଧ ଙ୍କ ପାଖକୁ ପଠାଉଥିଲେ। ବୃଦ୍ଧ ଜଣଙ୍କ ସେଇ ଜତକିଞ୍ଚିତ ଅର୍ଥରେ ବହୁକଷ୍ଟ ରେ କୌଣସି ପ୍ରକାରେ ଚଳି ଯାଉଥିଲେ।
ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ମନରେ ପୁଅର ଭବିଷ୍ୟତ ନେଇ ଦୁଶ୍ଚିନ୍ତା ବଢି ଚାଲିଥାଏ। ସେ ଯେତେବେଳେ ପୁଅକୁ ବିବାହ କରିବା କଥା କହୁଥିଲେ ସେତେବେଳେ ଅଳ୍ପ ରୋଜଗାର ହେତୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେବ ବୋଲି କହି ପୁଅ ବିବାହ କରିବାକୁ ଅମଙ୍ଗ ହେଉଥିଲେ। ଅପରପକ୍ଷରେ, କନ୍ୟାପିତା ମାନେ ବିବାହ ପ୍ରସ୍ତାବ ଆସିଲେ ସର୍ବପ୍ରଥମେ ବରପାତ୍ର ର ବୃତ୍ତି ଓ ଆୟ ବାବଦରେ ଜିଜ୍ଞାସା କରୁଥିଲେ। ବ୍ରାହ୍ମଣ ଜଣଙ୍କ ମଧ୍ୟ ପୁତ୍ରର ବୃତ୍ତି ବିଷୟରେ କହିବା ପାଇଁ କୁଣ୍ଠା ବୋଧ କରୁଥିଲେ। କାରଣ,ପୁଅର ବୃତ୍ତି ତା'ର ଶିକ୍ଷାନୁପାତିକ ଓ ସମ୍ମାନସ୍ପଦ ନଥିବାରୁ କନ୍ୟାପକ୍ଷର ଲୋକମାନେ ସିଧାସିଧା ମନା କରିଦେଲେ ତାଙ୍କର ଓ ତାଙ୍କ ପୁଅର ସାମାଜିକ ସମ୍ମାନର ଅବମୂଲ୍ୟାୟନ ହେବାର ପର୍ଯ୍ୟାପ୍ତ ଆଶଙ୍କା ଥିଲା ।
ଦିନେ ସନ୍ଧ୍ୟା ସମୟରେ ବୃଦ୍ଧ ବ୍ରାହ୍ମଣ ଜଣକ ଗ୍ରାମ ସନ୍ନିକଟସ୍ଥ ହାଟ ରୁ ଅଳ୍ପକିଛି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଘରକୁ ଫେରିବା ବେଳେ ବାଟରେ ଥିବା ବୁଢା ବରଗଛ ତଳେ ଝାପ୍ସା ଜହ୍ନ ଆଲୁଅରେ ତିନିଜଣ ଯୁବକ ବସି ଅସ୍ପଷ୍ଟ ସ୍ୱରରେ କିଛି କଥାଭାଷା ହେଉଥିଲେ। ତାଙ୍କୁ ଲାଗିଲା ,ସେଇ ସନ୍ଦିଗ୍ଧ ଯୁବକ ମାନେ କିଛି ଗୋଟେ ଅସାଧୁ ଯୋଜନା କରୁଥିଲେ। ମନରେ ସନ୍ଦେହ ଜାତ ହେବାରୁ ସେ ପାଦ ଚିପିଚିପି ଯାଇ ବରଗଛ ପଛପଟେ ଛୁପି ସେମାନଙ୍କ ଆଲୋଚନା କୁ କାନ ପାରିଲେ। ସେମାନଙ୍କ କଥାବାର୍ତ୍ତା ରୁ ବୃଦ୍ଧ ଜଣଙ୍କ ଜାଣିଲେ ଯେ ସେମାନେ ପେଷାଦାର ଚୋର ଥିଲେ ଓ ସେଇଦିନ ରାତିରେ ବୃଦ୍ଧଙ୍କ ଗ୍ରାମର କାହାରି ନା କାହାରି ଘରୁ ଏକ ବଡ ଧରଣର ଚୋରି କରିବା ପାଇଁ ଯୋଜନା କରୁଥିଲେ। ସେଇ ଚୋର ମାନଙ୍କ ଚୋରି ଯୋଜନା ଶୁଣିବା ମାତ୍ରେ ହଠାତ ବିଚକ୍ଷଣ ବୁଦ୍ଧି ଓ ପ୍ରବଳ ପ୍ରତ୍ୟୁତ୍ପନ୍ନମତିତା ସମ୍ପନ୍ନ ବୃଦ୍ଧ ବ୍ରାହ୍ମଣଙ୍କ ମୁଣ୍ଡ ଭିତରକୁ ସୁନ୍ଦର ଯୋଜନାଟିଏ ପଶିଲା। ସେ କୌଣସି ଶବ୍ଦ ନ କରି ଅଳ୍ପ କେଇପାଦ ପଛକୁ ଚାଲିଯାଇ ସେଠାରୁ ଖଣ୍ଡିକାଶ ଦେଇ ପୁନଶ୍ଚ ସେଇ ବରଗଛ ଆଡକୁ ଧୀରେଧୀରେ ଚାଲିକରି ଆସିଲେ। ଚୋର ତିନିଜଣ କେହିଜଣେ ଆସୁଥିବାର ଜାଣି ପାଟିଚୁପ କରି ବସି ସିଆଡକୁ ନିଘା କଲେ। ବ୍ରାହ୍ମଣ କିଛି ନ ଜାଣିବା ଭଳି ବରଗଛ ନିକଟକୁ ଆସି ମୁଣ୍ଡିଆ ମାରିସାରି ହାତଯୋଡି ଅନୁଚ୍ଚ ସ୍ୱରରେ କହିଲେ, " ହେ ବୃକ୍ଷଦେବତା, ତମରି ଅପାର କୃପାରୁ ପୁତ୍ର ମୋର ଆଜି ରାଜ ଦରବାରରେ ଏତେବଡ଼ ପଦବୀରେ ନିଯୁକ୍ତି ପାଉପାରିଛି। ତା ସେବାରେ ସନ୍ତୁଷ୍ଟ ହେଇ ମହାରାଜ ତାକୁ ଯେଉଁ ଦାମୀ ହୀରାହାର ଓ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା ଉପହାର ପ୍ରଦାନ କରିଥିଲେ ସେ ସବୁ ଘରେ ରଖିଲେ ଚୋରି ହେଇଯିବାର ଭୟ ରହୁଥିବାରୁ ରାତିରେ ମୁଁ ଟିକେ ଶାନ୍ତିରେ ଶୋଇପାରୁନାହିଁ। ତେଣୁ, ମନସ୍ଥ କରିଛି ଆଜି ଗାଁ'ର ସମସ୍ତେ ଶୋଇପଡିବା ପରେ ମଧ୍ୟରାତ୍ର ବେଳକୁ ସେସବୁକୁ ଗୋଟିଏ ଗଗରା ଭିତରେ ଭରି ଘରପଛ କୂଅ ଭିତରକୁ ପକାଇ ଦେବି। ମୁଁ ତ ବୃଦ୍ଧ ହେଇଗଲିଣି ,କେତେବେଳେ କେଉଁ ମୁହୂର୍ତ୍ତରେ ଆରପାରିକି ଚାଲିଯିବି। ତେଣୁ, ଆପଣଙ୍କୁ ବିନୀତ ପ୍ରାର୍ଥନା କରୁଛି ଯଦି ମୋ ପୁଅ ଆସିବା ପୂର୍ବରୁ ମୋର ମୃତ୍ୟୁ ହେଇଯାଇଥିବ ତେବେ ତାକୁ ସ୍ୱପ୍ନରେ ଦେଖାଦେଇ କୂଅ ଭିତରେ ଥିବା ସମ୍ପଦ ସମ୍ପର୍କରେ ଅବଗତ କରାଇ ଦେବେ।" ଏତକ କହିସାରି ବୃଦ୍ଧ ବ୍ରାହ୍ମଣ ଆଉଥରେ ଲମ୍ବଖମ୍ବ ହେଇ ବରଗଛକୁ ଦଣ୍ଡବତ ହେଇ କୁଆଡକୁ ନଚାହିଁ ଘରମୁହାଁ ଚାଲିବାକୁ ଲାଗିଲେ।
ବୃଦ୍ଧ କିଛିବାଟ ଚାଲିଯିବା ପରେ ତିନି ଚୋରଙ୍କ ଭିତରୁ ଜଣେ କହିଲା," ଭାଇମାନେ, ୟାକୁ ହିଁ କୁହନ୍ତି ଭାଗ୍ୟ। ଆଜି ଆମ କପାଳରେ ପଞ୍ଚମ ବୃହସ୍ପତି ସଂଯୋଗ ରହିଛି। ସିନ୍ଧି କାଟିବାକୁ ପଡିବ ନାହିଁ କିମ୍ବା କାନ୍ଥବାଡ଼ ଡେଇଁ ଖଣ୍ଡିଆ ଖାବରା ହେବାକୁ ପଡିବ ନାହିଁ। ବୁଢାର ଘର ପଛପାଖ ଓଳିରେ ମଧ୍ୟରାତ୍ରର ଅଳ୍ପ କିଛି ସମୟ ପୂର୍ବରୁ ଛପି ରହିବା ପରେ ବୁଢା ଯେତେବେଳେ କୂଅ ଭିତରକୁ ଗଗରା ପକାଇବାକୁ ଯିବ ସେତିକିବେଳେ ତା ହାତରୁ କେବଳ ଗଗରା ଛଡାଇ ନେଇ ଆସିଲେ କାମ ଶେଷ।" ଆଉ ଜଣେ ଚୋର କହିଲା ," ଠିକ କଥା କହିଲୁ ସାଙ୍ଗ, ଆମେ ସବୁଦିନେ ଖୋଜି ବୁଲନ୍ତି କୋଉଠୁ ମାଲ ମିଳିବ ହେଲେ ଆଜି ମାଲ ଆମକୁ ଖୋଜିଖୋଜି ଏ ଗଛମୂଳକୁ ଆସିଗଲା,ଭାଗ୍ୟଦେବୀ ଆଜି ପ୍ରସନ୍ନ ଅଛନ୍ତି ନିଶ୍ଚୟ। "
ଚୁପ ରହି ଦୁଇ ଜଣଙ୍କର କଥା ଶୁଣି ସାରିବା ପରେ ତୃତୀୟ ଚୋର, ଯିଏ ସେମାନଙ୍କ ଦଳର ସର୍ଦ୍ଦାର ଥିଲା ,ବିରକ୍ତ ହେଇ କହିଲା, " ତମେ ଦୁଇଜଣଙ୍କ ପରି ମୂର୍ଖ ଏ ଜଗତ ଭିତରେ ଆଉକେହି ନାହାନ୍ତି। ଆଉ କେତେବର୍ଷ ଚୋରି କଲାପରେ ତମ ମାନଙ୍କ ମୁଣ୍ଡ ଭିତରକୁ ଅକଲ ପଶିବ ! "
ଦୁଇଜଣ ଯାକ ଚୋର ପାଟିଚୁପ କରି ବସିବା ପରେ ସର୍ଦ୍ଦାର କହିଲା," ଯଦି ତମେ ବୁଢା ହାତରୁ ଗଗରା ଛଡେଇବ ଆଉ ସେ ଯଦି ବଡ଼ପାଟିରେ ଡାକ ପକାଇବ ତେବେ କଟୁଆଳ ଓ ଗ୍ରାମରକ୍ଷୀଙ୍କ ହାତରେ ଧରାପଡିବା ନା ନାହିଁ? ତେଣୁକରି, କେଇକ୍ଷଣ ଅପେକ୍ଷା କରିଗଲେ କୋଉ ବେଦ ଅଶୁଦ୍ଧ ହେଇଯିବ ! ବୁଢା କୂଅ ଭିତରକୁ ଗଗରା ପକାଇ ସାରିଲା ପରେ ଯେତେବେଳେ ଘରକୁ ଫେରି ଯାଇ ଶୋଇବ ସେତେବେଳେ ଆମେ ନିଶ୍ଚିନ୍ତରେ କୂଅ ଭିତରକୁ ପଶି ଗଗରା ବାହାର କରି ନେଇ ଆସିବା। କେହି ବି ଏ ଚୋରିର ଗନ୍ଧବାସ୍ନା ବାରି ପାରିବେ ନାହିଁ ।"
ଯୋଜନା ଟି ସମସ୍ତଙ୍କ ମନକୁ ପାଇଲା। ତାପରେ ସେମାନେ ମଧ୍ୟ ରାତ୍ରରେ ପୁନଶ୍ଚ ସେଇ ବରଗଛ ମୂଳେ ଏକତ୍ରିତ ହେବାପାଇଁ ସ୍ଥିର କରି ଖୁସି ମନରେ ଯେଝାଯେଝା ଘରକୁ ଚାଲିଗଲେ।
ବୃଦ୍ଧ ଜଣକ ଘରକୁ ଆସି ଗୋଟିଏ କଞ୍ଚା ମାଟି ବେକା ଭିତରେ କିଛି ଲୁଣ ଭରି ତା ମୁହଁରେ ଖଣ୍ଡେ କପଡା ବାନ୍ଧି ରଖି ସାରିବା ପରେ ସହଳ ସହଳ ରାତ୍ର ଭୋଜନ ସାରି ଶୋଇ ପଡିଲେ।
ମଧ୍ୟରାତ୍ରୀ ବେଳକୁ ଗହୀର ରୁ ବିଲୁଆ ଭୁକିଲା ମାତ୍ରେ ବୃଦ୍ଧଙ୍କର ନିଦ୍ରାଭଙ୍ଗ ହେଲା। ସେ ଆଉ ସମୟ ନଷ୍ଟ ନ କରି ମାଟି ଓ ଲୁଣ ଭରା କଞ୍ଚାମାଟି ବେକାକୁ କାନ୍ଧେଇ କାନ୍ଧେଇ କୂଅ ମୂଳକୁ ଗଲେ ଏବଂ କୂଅ ପାଖରେ ଠିଆ ହୋଇ ଅନୁଚ୍ଚ ସ୍ୱରରେ କହିଲେ," ହେ ବରୁଣ ଦେବତା, ମୋର ଏ ସମସ୍ତ ଧନ ସମ୍ପଦର ସୁରକ୍ଷା ଦାୟିତ୍ୱ ଆଜିଠୁଁ ତୁମରି ଉପରେ ନ୍ୟସ୍ତ କରୁଛି,ନିରାଶ କରିବନାହିଁ ବୋଲି ଦୃଢ଼ ବିଶ୍ୱାସ।" ଏହିପରି କହିସାରି ବେକାଟିକୁ ସେଇ ଗଭୀର କୂପ ଭିତରକୁ ସଶବ୍ଦେ ନିକ୍ଷେପ କରି ଘର ଭିତରକୁ ଫେରିଆସି ବାରି ଦୁଆର ବନ୍ଦ କରି ଦେଇସାରି ଅଧା ଆଉଜା ଝରକା ପାଖରେ ବସି କୂଅ ଆଡକୁ ଲକ୍ଷ୍ୟ କଲେ।
ଅଳ୍ପ କେଇ ମୁହୂର୍ତ୍ତ ପରେ ତିନିଜଣ ଯାକ ଚୋର କୂଅ ପାଖରେ ପହଞ୍ଚି ଗଲେ। ସର୍ଦ୍ଦାର ପ୍ରଥମ ଚୋରକୁ କୂଅ ଭିତରକୁ ପଶି ଗଗରା ବାହାର କରିବାକୁ ଆଦେଶ ଦେଲା। ପ୍ରଥମ ଚୋର କୂଅ ଭିତରକୁ ପଶି ଅକାତ କାତ ପାଣିରେ ବୁଡି ଯେତେ ଖୋଜିଲେ ମଧ୍ୟ ଗଗରା ପାଇଲା ନାହିଁ। ବାସ୍ତବରେ, ପାଣିରେ ପଡିବା ପରେ ଅଳ୍ପକେଇ ମୁହୂର୍ତ୍ତ ଭିତରେ କଞ୍ଚାମାଟିର ସେଇ ବେକା ସମେତ ତହିଁରେ ଥିବା ମାଟି ଓ ଲୁଣ ପାଣିରେ ମିଳେଇ ଯାଇଥାଏ। ବହୁତ ଖୋଜିବା ପରେ ଗଗରା ନ ମିଳିବାରୁ ସେ କହିଲା ," ସର୍ଦ୍ଦାର, କୂଅରେ ବହୁତ ପାଣି,ଥଳ ପାଉନାହିଁ। ତଥାପି ମୁଁ କୂଅ ର ପଙ୍କ ପର୍ଯ୍ୟନ୍ତ ଖୋଜି ସାରିଲିଣି ମାତ୍ର ଗଗରା ମିଳୁନାହିଁ।"
ସର୍ଦ୍ଦାର ପ୍ରଥମ ଚୋର ଉପରେ ବିରକ୍ତ ହେଇ ଦିତୀୟ ଚୋରକୁ କୂଅ ଭିତରକୁ ପଠାଇଲା। କିଛି ସମୟ ଖୋଜାଖୋଜି କରି ନ ପାଇବାରୁ ସେ ମଧ୍ୟ ସେଇ ଏକକଥା କହିବାରୁ ସର୍ଦ୍ଦାର ଭାବିଲା ବୋଧହୁଏ ଦୁଇ ଚୋର ତାକୁ ବୋକା ବନାଇବାର ଯୋଜନା କରି ପରେ ଆସି ଗଗରା ବାହାର କରି ନେଇ ଦୁହେଁ ଭାଗ କରିନେବା ପାଇଁ ସେମିତି କହୁଛନ୍ତି। ତେଣୁ,ସେ କହିଲା, "ହଉ,ତମେଦୁହେଁ ସେଇଠି ସେ କୂଅ ଭିତରେ ଥାଅ ମୁଁ ଭିତରକୁ ପଶୁଛି। ତିନିଜଣ ଯାକ ମିଶିକରି ଖୋଜିବା।" ଏକଥା କହିସାରି ସେ ମଧ୍ୟ କୂଅ ଭିତରକୁ ପଶିଗଲା।
ତିନିଚୋର କୂଅ ଭିତରକୁ ପଶିଯିବା ପରେ ବୃଦ୍ଧ ବ୍ରାହ୍ମଣ ଘର ଭିତରୁ ପଦାକୁ ବାହାରି ଆସି ଡାକ ପକାଇଲେ" ଧାଇଁ ଆସ ହୋ ଗ୍ରାମବାସିଏ ଧାଇଁ ଆସ, ମୋ ଘରୁ ଚୋରମାନେ ସବୁ ଚୋରି କରିନେଲେ।"
ମଧ୍ୟରାତ୍ରରେ ବ୍ରାହ୍ମଣଙ୍କର ଡାକଶୁଣି ଗ୍ରାମବାସୀ ମାନେ ନିଦରୁ ଉଠି ବାଡିଠେଙ୍ଗା ,ଲଣ୍ଠନ ଓ ମଶାଲ ଆଦି ଧରି ଦୌଡ଼ି ଆସିଲେ। ଚାହୁଁଚହୁଁ କଟୁଆଳ, ଗ୍ରାମରକ୍ଷୀ ଓ ଅଶ୍ବାରୋହି ସିପାହୀ ମାନେ ମଧ୍ୟ ସେଠାରେ ପହଞ୍ଚି ଗଲେ। ଘଟଣା ସମ୍ପର୍କରେ ସିପାହୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୃଦ୍ଧ ଜଣଙ୍କ କହିଲେ, "ଆଜ୍ଞା, ତିନିଜଣ ଚୋର ମୋ ଘରେ ପଶି ମୋ ଜୀବନ ଯାକର ସଞ୍ଚିତ ସମ୍ବଳ ସବୁକୁ ଚୋରେଇନେଇ ଧାଇଁ ପଳାଇଲା ବେଳେ ଅନ୍ୟମନସ୍କ ହେଇ ସେଇ ପୁରୁଣା କୂଅ ଭିତରେ ଗଳିପଡିଛନ୍ତି,ଆପଣ ମାନେ ନିଜେ ଦେଖନ୍ତୁ।"
ସିପାହୀ ମାନେ କୂଅ ପାଖରେ ପହଞ୍ଚି କୂଅ ଭିତରକୁ ମଶାଲ ଆଲୋକ ପକାଇ ତିନିଜଣ ଚୋରଙ୍କୁ ଦେଖି ଆଚମ୍ବିତ ହେଇଗଲେ। ଗତ ଦୁଇମାସ ତଳେ ରାଜକୋଷ ରୁ ବହୁ ମୂଲ୍ୟବାନ ସାମଗ୍ରୀ ଓ ରାଜ୍ୟ ସୁରକ୍ଷା ସଂକ୍ରାନ୍ତୀୟ କିଛି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଚୋରି କରି ପଡୋଶୀ ରାଷ୍ଟ୍ରକୁ ବିକ୍ରି କରିଥିବା ଯେଉଁ ଚୋର ମାନଙ୍କୁ ସେମାନେ ଖୋଜୁଥିଲେ ସେଇମାନେ ହିଁ ସେଇ ତିନିଚୋର ଥିଲେ। ରାଜ୍ୟର ସେନାପତି ନିଜେ ସେଦିନ ସାଧାରଣ ସିପାହୀ ବେଶରେ ଥିଲେ। ଚୋର ମାନଙ୍କୁ ବନ୍ଦୀ କରିବା ପରେ ମହାରାଜ ସେମାନଙ୍କ ପ୍ରତି ଦଣ୍ଡବିଧାନ କରିବା ପୂର୍ବରୁ ସେମାନଙ୍କୁ କିଛି ଅଧିକ ଦଣ୍ଡ ଦେବା ଉଦ୍ଦେଶ୍ୟରେ ସେନାପତି ସେମାନଙ୍କୁ କହିଲେ," ଯେତେବେଳ ଯାଏଁ ତମେମାନେ କୂଅ ଭିତରୁ ବ୍ରାହ୍ମଣଙ୍କର ସ୍ବର୍ଣ୍ଣମୁଦ୍ରା ପରିପୂର୍ଣ୍ଣ ଗଗରା ଖୋଜି ବାହାର ନ କରିଛ ସେପର୍ଯ୍ୟନ୍ତ ସେଇ କୂଅ ଭିତରେ ରହି ଖୋଜି ଚାଲ।"
ବିଚରା ଚୋରମାନେ ପାଣିରେ ବୁଡି ଉଠି ବହୁତ ସମୟ ଖୋଜାଖୋଜି କରିବା ପରେ ଦୈଵ ଯୋଗକୁ ସେଇ କୂଅ ଭିତରୁ ସତରେ ଏକ ଗଗରା ପାଇଗଲେ। ତାପରେ, ସେନାପତିଙ୍କ ନିର୍ଦ୍ଦେଶ କ୍ରମେ କୂଅରୁ ବାହାରକୁ ଆସି ବ୍ରାହ୍ମଣଙ୍କ ହାତକୁ ସେଇ ଗଗରା ଟି ବଢ଼ାଇ ଦେଇ ସେନାପତିଙ୍କ ସମ୍ମୁଖରେ ଆତ୍ମସମର୍ପଣ କଲେ। ସେନାପତି ବୃଦ୍ଧ ବ୍ରାହ୍ମଣଙ୍କୁ ଗଗରା ଖୋଲି ସେଥିରେ ସେ ରଖିଥିବା ଧନରତ୍ନ ସବୁ ସୁରକ୍ଷିତ ଅଛି କି ନାହିଁ ପରଖି ନେବାକୁ କହିଲେ। ଗଗରା ର ମୁହଁ ଖୋଲି ଗଣନା କରିବା ପରେ ବ୍ରାହ୍ମଣ ଆଶ୍ଚର୍ଯ୍ୟ ଚକିତ ହେଇଗଲେ।କାରଣ,ତହିଁରେ ସତକୁ ସତ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା ଓ ଗୋଟିଏ ବହୁମୂଲ୍ୟ ହୀରାହାର ଥିଲା।
ସେନାପତି ସିପାହୀ ମାନଙ୍କ ସହାୟତାରେ ତିନିଚୋରଙ୍କୁ ବନ୍ଦୀକରି ରାଜପ୍ରାସାଦ ଅଭିମୁଖେ ଗମନ କରିବା ପୂର୍ବରୁ ତହିଁପର ଦିନ ରାଜ ଦରବାରରେ ଚୋର ମାନଙ୍କ ବିଚାର ବେଳକୁ ବୃଦ୍ଧ ବ୍ରାହ୍ମଣଙ୍କୁ ସେଠାରେ ଉପସ୍ଥିତ ରହିବାକୁ ଆଦେଶ ଦେଇ ସେଠାରୁ ଚାଲିଗଲେ।
ସମସ୍ତେ ଚାଲିଯିବା ପରେ ବ୍ରାହ୍ମଣଙ୍କୁ ଆଉ ରାତିସାରା ନିଦ ହେଲାନାହିଁ। ସତସତିକା ଗଗରା କୂଅ ଭିତରକୁ କେଉଁଠୁ ଆସିଲା ! ସେଥିରେ ପୁଣି ନିର୍ଦ୍ଧିଷ୍ଟ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା ଓ ହୀରାହାର କେମିତି ରହିଲା ?? ସେ କେବଳ ଏଇକଥା ଭାବିବାକୁ ଲାଗିଲେ। ପରିଶେଷରେ ତାଙ୍କୁ ଲାଗିଲା, ନିଶ୍ଚୟ ତାଙ୍କର ସେଇ ଯୋଜନା ବିଷୟରେ ମହାରାଜ କିମ୍ବା ସେନାପତିଙ୍କୁ କୌଣସି ଆଭାସ ମିଳିସାରିଥିଲା। ଅନ୍ୟଥା ଏମିତି ଘଟଣା ସମ୍ଭବ ହେଇ ନଥାନ୍ତା। ତେଣୁ, ସେ ମନରେ କିଛି କଥା ସ୍ଥିର କରି ସକାଳ ହେବାକୁ ଅପେକ୍ଷା କଲେ।
ସକାଳ ହେବାମାତ୍ରେ, ବ୍ରାହ୍ମଣ ନିତ୍ୟକର୍ମ ସାରି,ଚନ୍ଦନ ତିଳକ ଲଗାଇ ,ଧୋତି ଓ କୁର୍ତ୍ତା ପରିଧାନ କରି କୂଅରୁ ବାହାରିଥିବା ସେଇ ଗଗରାକୁ ଯତ୍ନର ସହିତ ଶଗଡ଼ ଗାଡ଼ିରେ ରଖି ରାଜ ଉଆସ ଅଭିମୁଖେ ଯାତ୍ରାରମ୍ଭ କଲେ।
ବୃଦ୍ଧ ବ୍ରାହ୍ମଣ ଦରବାରରେ ପହଁଚିଲା ବେଳକୁ ଦରବାରକୁ ମହାରାଜ ବିଜେ କରିସାରିଥାନ୍ତି। ବ୍ରାହ୍ମଣଙ୍କୁ ଉପସ୍ଥିତ ହେବାର ଦେଖି ମହାରାଜ ତାଙ୍କୁ ଯେତେବେଳେ ତାଙ୍କର ପକ୍ଷ ରଖି ବିଗତ ରାତ୍ରିର ଘଟଣା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ପାଇଁ ଆଦେଶ ଦେଲେ ବୃଦ୍ଧ ବ୍ରାହ୍ମଣ ସିଧାସଳଖ ରାଜ ସିଂହାସନ ପାଖକୁ ଯାଇ ମହାରାଜଙ୍କ ଶ୍ରୀ ଚରଣ ତଳେ ସ୍ବର୍ଣ୍ଣମୁଦ୍ରା ଓ ହୀରାହାର ଥିବା ଗଗରା ଟିକୁ ଥୋଇଦେଇ ଆମୂଳଚୂଳ ସମ୍ପୂର୍ଣ୍ଣ ଘଟଣା କ୍ରମ ବଖାଣି ସାରି ସେଇ ଧନରତ୍ନ ପରିପୂର୍ଣ୍ଣ ଗଗରା ଟି ତାଙ୍କର ନୁହେଁ ବୋଲି ସ୍ପଷ୍ଟ କହିଦେବା ସହ ସେ ସେଇ ଗଗରା ଟି ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ମଧ୍ୟ କହିଲେ। ମହାରାଜ ବୃଦ୍ଧ ବ୍ରାହ୍ମଣଙ୍କର ଚତୁରତା ,ସାଧୁ ମନୋବୃତ୍ତି ଓ ସଚ୍ଚୋଟତା ରେ ଅତ୍ୟନ୍ତ ପ୍ରସନ୍ନ ହେଲେ। କାରଣ, ଛଦ୍ମବେଶରେ ସାନ୍ଧ୍ୟ ଭ୍ରମଣ କଲାବେଳେ ସ୍ୱୟଂ ମହାରାଜ ମଧ୍ୟ ସେଇ ବରଗଛ ଆଢୁଆଳରେ ଲୁଚିରହି ସବୁକଥା ଶୁଣି ସାରି ରାଜ ପ୍ରାସାଦକୁ ଆସି ସେନାପତିଙ୍କୁ ସେଇ ଗଗରା ଟିକୁ ନେଇ ବୃଦ୍ଧଙ୍କର କୂପ ଭିତରକୁ ନିକ୍ଷେପ କରିବା ପାଇଁ କହି ଚୋରମାନଙ୍କୁ ରଙ୍ଗୀନ ହାତରେ ଧରିବା ପାଇଁ ଆଦେଶ ପ୍ରଦାନ କରିଥିଲେ। ତାଙ୍କରି ଆଦେଶକ୍ରମେ ସ୍ୱୟଂ ସେନାପତି ସେଦିନ ରାତିରେ ସାଧାରଣ ସିପାହୀ ବେଶରେ ବୃଦ୍ଧ ବ୍ରାହ୍ମଣଙ୍କ ଗ୍ରାମରେ ପହରା ଦେଉଥିଲେ। ଚୋର ମାନଙ୍କର ବିଚାର କରି ସେମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ବିଧାନ କରିସାରିବା ପରେ ମହାରାଜ ବୃଦ୍ଧ ବ୍ରାହ୍ମଣଙ୍କୁ ପୁରସ୍କୃତ କରିବାକୁ ଯାଇ ଧନରତ୍ନ ପରିପୂର୍ଣ୍ଣ ସେଇ ଗଗରା ଟିକୁ ତାଙ୍କୁ ପ୍ରଦାନ କରିବାପାଇଁ ଘୋଷଣା କରନ୍ତେ ଚତୁର ବୃଦ୍ଧ ବ୍ରାହ୍ମଣ ଜୋଡହସ୍ତ ହେଇ ଅତି ବିନମ୍ରତାର ସହ କହିଲେ, " ମହାରାଜ,ମୁଁ ତ ପାଚିଲା ବେଲ, କେଉଁ ମୁହୂର୍ତ୍ତରେ ଯେ ଗଳିପଡିବି ତା'ର ଠିକ ଠିକଣା ନାହିଁ। ଏ ଧନରତ୍ନ ମୋର କି କର୍ମରେ ଆସିବ ! ଯଦି କିଛି ପୁରସ୍କାର ଦେବାକୁ ଚାହୁଁଛନ୍ତି ତେବେ ଅନୁମତି ଦେଲେ ମୋ ପାଇଁ ଉପଯୋଗୀ ହେଲାଭଳି ଅନ୍ୟକିଛି ନିବେଦନ କରନ୍ତି।"
ମହାରାଜ ଆନନ୍ଦରେ ସମ୍ମତି ପ୍ରଦାନ କରିବା ପରେ ବ୍ରାହ୍ମଣ କହିଲେ, "ହଜୁର, ମୋର ଏକମାତ୍ର ପୁତ୍ର ଅଂଶୁମାନ ଉଚ୍ଚଶିକ୍ଷିତ ହେଇ ସୁଦ୍ଧା ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଦରବାରରେ ଛୋଟକାଟର ନିଯୁକ୍ତିଟିଏ ପାଇବାରୁ ବଞ୍ଚିତ ହେଇ ଏଇ ସହରର ଜଣେ ବ୍ୟବସାୟୀଙ୍କ ଘରେ ରହି ନାମକୁ ମାତ୍ର ବେତନରେ ତାଙ୍କ ବଗିଚାରେ ମାଳି କାମ କରି ବହୁକଷ୍ଟ ରେ ଜୀବିକା ନିର୍ବାହ କରୁଛି। ଶିକ୍ଷାଦିକ୍ଷା ଓ ଯୋଗ୍ୟତା ଅନୁରୂପ ନିୟୋଜନ ନ ପାଇପାରିନଥିବା କାରଣରୁ ନିଜକୁ ଅତି ନ୍ୟୁନ ମନେ କରିବା ସହ ପରିବାର ପ୍ରତିପୋଷଣ ନିମିତ୍ତ ପର୍ଯ୍ୟାପ୍ତ ଆୟ କରିପାରୁ ନଥିବାରୁ ବିବାହ ବୟସ ଅତିକ୍ରାନ୍ତ ହେବାକୁ ବସିଲାଣି ଅଥଚ ସେ ବିବାହ କରିବାକୁ ସାହସ ଜୁଟାଇ ପାରୁନାହିଁ। ଇଚ୍ଛା ଥିଲା,ପୁଅ ବିବାହ କରି ଘରକୁ ବୋହୁଟିଏ ଆଣିଲେ ବୋହୁ ସେବା ପରଷା ପାଇ ନାତି-ନାତୁଣୀ ମାନଙ୍କ ସହ ହସିଖେଳି ଶେଷ ଜୀବନ ଟିକେ ସୁଖରେ ବିତେଇବା ପାଇଁ। ସେ ଇଛା ତ ଇଚ୍ଛାରେ ରହିଗଲା ତେବେ, ଛାମୁ ଚାହିଁଲେ,ସମଗ୍ର ରାଜ୍ୟର ବିକାଶ କଳ୍ପେ, ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ପରିବର୍ତ୍ତେ ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ରାଜ୍ୟର ଶିକ୍ଷିତ,ସକ୍ଷମ ,କର୍ମଠ ତଥା ପ୍ରଗତିବାଦୀ ମନୋବୃତ୍ତି ସମ୍ପନ୍ନ ଯୁବକ-ଯୁବତୀ ମାନଙ୍କ ନିମନ୍ତେ ମୁକ୍ତ ଓ ଅବାଧ ପ୍ରତିଯୋଗିତା ମାଧ୍ୟମରେ କର୍ମ ନିୟୋଜନ ବ୍ୟବସ୍ଥା କରାଇଲେ ସେମାନେ ରାଜ୍ୟର ବହୁବିଧ ଉନ୍ନତି ସାଧନ କରାଇ ରାଜ୍ୟକୁ ଉତ୍କର୍ଷତା ର ଶିଖର ଦେଶରେ ପହଞ୍ଚାଇ ପାରନ୍ତେ।"
ବୃଦ୍ଧ ବ୍ରାହ୍ମଣଙ୍କ ମୁହଁରୁ ଏସବୁ କଥା ଶୁଣିବା ପରେ ମହାରାଜଙ୍କର ଚିନ୍ତାଧାରାରେ ବୈପ୍ଲବୀକ ପରିବର୍ତ୍ତନ ଆସିଲା। ସେ ସେଇ ମୁହୂର୍ତ୍ତରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ମାନଙ୍କ ପାଇଁ କର୍ମ ନିୟୋଜନ ରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଆଦେଶ ଦେଇସାରି ଚତୁର ବୃଦ୍ଧ ବ୍ରାହ୍ମଣଙ୍କୁ ତାଙ୍କର ଅର୍ଥନୈତିକ ପରାମର୍ଶଦାତା ପଦବୀରେ ନିଯୁକ୍ତି ଦେବାସହ ତାଙ୍କର ପୁତ୍ରକୁ ରାଜ ଦରବାରରେ ଏକ ମର୍ଯ୍ୟାଦା ପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଦାନ କଲେ।
ଜଣେମାତ୍ରା ଚତୁର ବୃଦ୍ଧ ବ୍ରାହ୍ମଣଙ୍କ ବୁଦ୍ଧିମତ୍ତା ଗୋଟିଏ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତ ର ପ୍ରଗତି ପାଇଁ ପଥ ପ୍ରଦର୍ଶକ ହେଲା।
========©========
ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)
ହରସିଂହ ପୁର,ପୀରହାଟ ବଜାର
ଭଦ୍ରକ