Binaya Bhusan Panigrahi

Others

3  

Binaya Bhusan Panigrahi

Others

ସରଳ ସମାଧାନ

ସରଳ ସମାଧାନ

2 mins
333


ଗତକାଲି ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଚାଲୁ ରହିଥିଲା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପୂରଣ ପୁର ଅଞ୍ଚଳର ଛଅ ଜଣ ଲୋକଙ୍କର ଆକସ୍ମିକ ମୃତ୍ୟୁ ହେଇଗଲା । ଏକାପ୍ରକାରର ଯନ୍ତ୍ରଣା ଅନୁଭବ କରୁଥିବା ଆଉ ସତୁରି ଅଶୀ ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଲେ । ମୃତକ ମାନଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏବଂ ଚିକିତ୍ସାଧୀନ ବ୍ୟକ୍ତି ମାନଙ୍କର ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଲା ଯେ ବିଷାକ୍ତ ମଦ୍ୟପାନ ହିଁ ସେଇ ଅଘଟଣର କାରଣ ଥିଲା । ଅଭ୍ୟାସଗତ ଭାବେ ଉତ୍ୟକ୍ତ ହେଉଥିବା କିଛିଲୋକ ରାସ୍ତା ଉପରେ ଟାୟାର ଜାଳି ବିଶାକ୍ତ ମଦ୍ୟ ଯୋଗାଇ ନିରୀହ ତଥା ଭଦ୍ର ଲୋକ ମାନଙ୍କର ପରିବାର ଉଜାଡ଼ି ଦେଇଥିବା ଅଭିଯୋଗ କରି ନାରାବାଜି କଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବୀ କରି ସ୍ଲୋଗାନ ଦେଲେ ।

ପୁଲିସର ଉପସ୍ଥିତିରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଦେଲେ । ସେମାନେ ପ୍ରଥମେ ମୃତକ ମାନଙ୍କର ପରିବାରର ସଦସ୍ୟ ମାନଙ୍କୁ ପଚରା ଉଚରା କରି ଜାଣିଲେ ଯେ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ ସେଇ ସବୁ ଶସ୍ତା ଓ ବିଶାକ୍ତ ମଦ୍ୟ ସରକାରୀ ଦଳ ଦ୍ୱାରା ଆବଣ୍ଟନ କରଯାଇଥିଲା । ତାପରେ ସେମାନେ ଫୋରେନସିକ ଲ୍ୟାବ ଟେଷ୍ଟ ପାଇଁ ସେଇ ବିଶାକ୍ତ ମଦ୍ୟର କିଛି ନମୂନା ସଂଗ୍ରହ କରି ସେଇ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ ସେମାନଙ୍କୁ ସେଠାରେ ଉପସ୍ଥିତ ସାମ୍ବାଦିକ ମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଲା ।


-" ସାର, ଏଇ ବ୍ୟାପକ ମଦମୃତ୍ୟୁ ପାଈଁ କାହାକୁ ଦାୟୀ କରାଯିବ?"


- " ଆମେ ସଂଗ୍ରହ କରିଥିବା ନମୂନାର ଫୋରେନସିକ ଲ୍ୟାବ ଟେଷ୍ଟ ପରେ ଜଣାପଡିବ ଯେ ମଦ ବିଶାକ୍ତ ଥିଲା କି ନାହିଁ ।"


-" କିନ୍ତୁ ମେଡିକାଲ ଟେଷ୍ଟ ରିପୋର୍ଟ ଅନୁସାରେ ଏହା ବିଶାକ୍ତ ମଦ୍ୟପାନ ଜନିତ ମୃତ୍ୟୁ !"


- " ମିଳିଥିବା ଖାଲି ବୋତଲ ଅନୁସାରେ ଏ ଅଞ୍ଚଳରେ ବଣ୍ଟନ କରାଯାଇଥିବା ମଦ ନିର୍ଭରଯୋଗ୍ୟ ମଦ୍ୟ ଉତ୍ପାଦନକାରୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏବଂ ସେସବୁର ବ୍ୟବହାର ସମୟସୀମା ବଳବତ୍ତର ରହିଛି ।ତେଣୁ,ଅଧିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି ।"


-" ଯଦି ଏହା ମଦମୃତ୍ୟୁ ନୁହେଁ,ତେବେ ଏକାସଙ୍ଗେ ଏତେ ଲୋକଙ୍କର ମୃତ୍ୟୁ ଓ ଅସୁସ୍ଥତାର ଅନ୍ୟ ସମ୍ଭାବ୍ୟ କାରଣ ଆଉ କଣ ହେଇପାରେ ବୋଲି ଆପଣ କହିବେ ?"


-" ପ୍ରବଳ ଖରାଗରମରେ ଅବିଶ୍ରାନ୍ତ ଅତ୍ୟଧିକ ପରିଶ୍ରମ ଏବଂ ଅଂଶୁଘାତ ଯୋଗୁଁ ଏ ଦୁର୍ଘଟଣା ଘଟିଥାଇ ପାରେ ।"


- " ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ମଦ ବାଣ୍ଟି ଭୋଟର ମାନଙ୍କୁ ପ୍ରଭାବିତ କରିବା ଆଇନର ଅବମାନନା ନୁହେଁ କି?"


-" ସେ ବିଷୟରେ ନିର୍ବାଚନ ଆୟୋଗ ଏବଂ ସରକାରଙ୍କ ଅବକାରୀ ମନ୍ତ୍ରଣାଳୟ ଯାହାକିଛି କହିପାରିବେ । "


ଅବକାରୀ ବିଭାଗର ବାବୁମାନେ ଚାଲିଯିବାର ଅଳ୍ପ ସମୟ ପରେ ରାସ୍ତାରୋକ କରିଥିବା ଲୋକମାନେ ରାସ୍ତାରୁ ହଟିଗଲେ । ଖବର ଆସିଲା,"ଖରା ଓ ଗରମକୁ ଖାତିର ନକରି ନିର୍ବାଚନ ନିମନ୍ତେ ସରକାରୀ ଦଳ ସପକ୍ଷରେ ପ୍ରଚାର କରୁକରୁ ଅସୁସ୍ଥ ହେଇ ଅକାଳରେ ମୃତ୍ୟୁ ବରଣ କରିଥିବା ଏବଂ ଚିକିତ୍ସାଧୀନ ଥିବା ଲୋକ ମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପରିବାରକୁ ଦୁଇଲକ୍ଷ ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରିବା ସଙ୍ଗେସଙ୍ଗେ ଚିକିତ୍ସାଧୀନ ପ୍ରତ୍ୟେକ ବ୍ୟକ୍ତିଙ୍କର ପରିବାରକୁ ପଚାଶ ହଜାର ଟଙ୍କା ଦେବେ ଓ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ।

ଅଧିକ ତଦନ୍ତ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ତଦନ୍ତ ଭାର ଅର୍ପଣ କରିବେ । ତଦନ୍ତ ରିପୋର୍ଟ ହସ୍ତଗତ ହେଲେ,ଦୋଷୀ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"


ଅଞ୍ଚଳବାସୀ କୁହାକୁହି ହେଉଥିଲେ,"ସରକାର ଦକ୍ଷ ହେଇନଥିଲେ ଏତେବଡ଼ ସମସ୍ୟାର ସମାଧାନ ଏତେ ସହଜରେ କଣ କରିପାରିଥାନ୍ତେ !"


Rate this content
Log in