ମାଆର ହୃଦୟ
ମାଆର ହୃଦୟ


ଥରେ ଗୋଟିଏ ଭୁଆଁ ବିଲେଇ ବାଟବଣା ହେଇ ସହର ଉପକଣ୍ଠରେ ଥିବା ଏକ ଜଙ୍ଗଲ ଭିତରକୁ ଚାଲିଗଲା । ସହରକୁ ଫେରିବା ପାଇଁ ବାଟ ଖୋଜୁଖୋଜୁ ଅଜାଣତରେ ଜଙ୍ଗଲ ଭିତରେ ଆହୁରି ଅଭ୍ୟନ୍ତରକୁ ଚାଲିଗଲା । ସେଇ ଜଙ୍ଗଲ ଭିତରେ ବାଘ,ସିଂହ ଓ ଭାଲୁ ଆଦି ବହୁତ ଭୟଙ୍କର ଜନ୍ତୁମାନେ ରୁହନ୍ତି ବୋଲି ସେ ଆଗରୁ ବହୁବାର ଶୁଣିଥିଲା । ସୂର୍ଯ୍ୟାସ୍ତ ହେବା ପରେ ସନ୍ଧ୍ୟା ହେବା ପୂର୍ବରୁ ଜଙ୍ଗଲ ଅନ୍ଧାରିଆ ହେବାର ଦେଖି ସେ ଖୁବ ବେଶି ଭୟପାଇ ଜୀବନ ବିକଳରେ ଗୋଟେ ଗଛ ଉପରକୁ ଚଢ଼ିଯାଇ ଗୋଟିଏ ଦୁଇକେନିଆ ମୋଟା ଡାଳରେ ବସି ଭାବିଲା ରାତିଟା ସେଇଠି କଟେଇ ସକାଳ ହେଲେ ସହରକୁ ଫେରିବା ପାଇଁ ବାଟ ଖୋଜିବ । ଅତ୍ୟଧିକ ଥକ୍କା ହେତୁ କିଛି ସମୟ ଭିତରେ ତାକୁ ଟିକେ ନିଦ ଲାଗିଗଲା ।
ମଧ୍ୟରାତ୍ର ସମୟରେ ଆସନ୍ନ ପ୍ରସବା ବାଘୁଣୀଟିଏ ସେଇ ଗଛତଳେ ବିଶ୍ରାମ ନେଉଥିବା ସମୟରେ ହଠାତ ତା'ର ଗର୍ଭଯନ୍ତ୍ରଣା ଆରମ୍ଭ ହେଇଗଲା । ବାଘୁଣୀ ର ପ୍ରସବ ବେଦନା ଜନିତ ଗର୍ଜ୍ଜନରେ ସେଠାକାର ରାତ୍ରିକାଳୀନ ବନପରିବେଶ ପ୍ରକମ୍ପିତ ହେବା ଯୋଗୁଁ ଭୟରେ ଗଛ ଉପରେ ଥିବା ଭୁଆଁ ବିଲେଇର ପିଳେହି ପାଣି ହେଇଗଲା । ସେ ବରଡାପତ୍ର ପରି ଥରୁ ଥରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିବା ସହ ବେହୋସ ହେଇଗଲା । ସେତେବେଳକୁ ବାଘୁଣୀ ତିନୋଟି ଶାବକ ଜନ୍ମ ଦେଇ ସାରି ଅର୍ଦ୍ଦମୂର୍ଛିତ ଅବସ୍ଥାରେ ଥିବାରୁ ସେକଥା ଜାଣିପାରିଲା ନାହିଁ ।
କିଛି ସମୟ ପରେ ସାମାନ୍ୟ ସୁସ୍ଥତା ଅନୁଭବ କଲା ପରେ ବାଘୁଣୀଟି ଶାବକ ମାନଙ୍କ ଦେହରୁ ଲାଳ ଚାଟି ସଫା କଲାବେଳେ ଦେଖିଲା ସେ ଜନ୍ମ ଦେଇଥିବା ତିନି ଶାବକଙ୍କ ଭିତରୁ ଗୋଟିଏ ଅନ୍ୟ ଦୁହିଁଙ୍କ ଠାରୁ ଆକାରରେ ଟିକେ ବଡ ଥିଲା ଓ ତା'ର ଗଠନ ଶୈଳୀ ମଧ୍ୟ ସାମାନ୍ୟ ଭିନ୍ନ ଥିଲା । ତାହା ଦେଖି ସେ ଅତ୍ୟନ୍ତ ଖୁସି ହେବା ସହ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଲା ଓ ଜଣଜଣ କରି ତିନି ଜଣଙ୍କୁ ଯତ୍ନର ସହ ଦାନ୍ତରେ ଧରି ନିଜର ଗୁମ୍ଫା ଭିତରକୁ ନେଇଗଲା ।
ସକାଳ ହେବା ପରେ ଭୁଆଁର ଚେତା ଫେରିଲା । ଧୀରେଧୀରେ ଆଖି ମେଲି ଗୁମ୍ଫା ଭିତରେ ବ୍ୟାଘ୍ର ଶାବକ ମାନଙ୍କ ଗହଣରେ ନିଜକୁ ସୁରକ୍ଷିତ ଦେଖି ବିସ୍ମିତ ହେବା ସହ ଅନୁମାନ ଲଗେଇ ସମ୍ପୂର୍ଣ୍ଣ ଘଟଣା ବୁଝିଗଲା । ସହର ର ଚତୁର ଲୋକମାନଙ୍କ ଘରେ ବୁଲାବୁଲି କରି,ସେମାନଙ୍କ ଘରୁ ଖିଆପିଆ କରିଥିବାରୁ ଭୁଆଁର ବୁଦ୍ଧି ମଧ୍ୟ ଖୁବ ପରିପକ୍ୱ ଥିଲା ।ତେଣୁ,କାଳବିଲମ୍ଵ ନକରି ବାଘୁଣୀ ପାଖକୁ ଯାଇ ନିର୍ଭୟରେ କ୍ଷୀରପାନ କଲା ।ଜନ୍ମ ହେବାର ମାତ୍ର କେଇଘଣ୍ଟା ଭିତରେ ଆଉଦୁଇ ଶାବକଙ୍କର ଆଖି ଖୋଲି ନଥିବାବେଳେ ଗୋଟିଏ ଶାବକ ନିଜ ପାଦରେ ସ୍ୱଚ୍ଛନ୍ଦରେ ଚାଲିପାରିବା ଏବଂ କ୍ଷୀରପାନ କରିବାର ଦେଖି ବାଘୁଣୀ ଅମାପ ଆନନ୍ଦ ଅନୁଭବ କଲା ।
ଗତାନୁଗତିକ ଭାବେ ସମୟ ଗଡି ଚାଲିଲା । ଅନ୍ୟ ଦୁଇଟି ଶାବକ ଦ୍ରୁତ ଗତିରେ ବଢ଼ୁଥିଲା ବେଳେ ପ୍ରଥମରୁ ସବଳ ଓ ସକ୍ଷମ ଥିବା ଶାବକଟିର ଶରୀରରେ ସାମାନ୍ୟ ଅଭିବୃଦ୍ଧି ନ ଘଟୁଥିବାର ଦେଖି ବାଘୁଣୀ ବହୁତ ଦୁଃଖ ଅନୁଭବ କରିବା ସଙ୍ଗେସଙ୍ଗେ ତା'ପ୍ରତି ବିଶେଷ ଯତ୍ନଶୀଳା ହେଲା । ସାମାନ୍ୟ ପାତର ଅନ୍ତର କରି ଅନ୍ୟ ଦୁହିଁଙ୍କ ଠାରୁ ତାକୁ ଟିକେ ଅଧିକ ସମୟ ସ୍ତନ୍ୟପାନ କରେଇଲା । କିଛିଦିନ ପରେ ଶିକାର କରି ଆଣି ଶାବକ ମାନଙ୍କୁ ଖୁଆଇବା ସମୟରେ ତାକୁ (ଭୁଆଁକୁ) ବାଛିବାଛି ଖାଲି କଲିଜା
ଖୁଆଇଲା । ତଥାପି କିଛି ସୁଫଳ ନମିଳିବାରୁ ଅତ୍ୟନ୍ତ ନିରାଶ ହେଇ ଅତ୍ୟଧିକ ଦୁଶ୍ଚିନ୍ତା କରିବା ଯୋଗୁଁ ଖାଦ୍ୟପେୟ ପ୍ରତି ତା ମନରେ ବିତୃଷ୍ନା ସୃଷ୍ଟି ହେଲା ଏବଂ ବେଳକୁ ବେଳ ସେ ଅଧିକ ରୁ ଅଧିକ ରୁଗ୍ଣ ହେଇଚାଲିଲା ।
କାଳେ ତାର ମୃତ୍ୟୁ ପରେ ତା'ର ଅନ୍ୟ ଦୁଇ ସକ୍ଷମ ଶାବକ ସେମାନଙ୍କ ତୁଳନାରେ ଅତ୍ୟଧିକ ଦୁର୍ବଳ ଓ ଅକ୍ଷମ ଶାବକଟିର ଯତ୍ନ ନ ନେବେ ଭାବି ଦିନେ ସନ୍ଧ୍ୟାବେଳେ ତିନି ଜଣଙ୍କୁ ପାଖରେ ବସାଇ ସେ ବିଷୟରେ ଆଲୋଚନା କରିସାରି ,ତା'ଅନ୍ତେ ସେମାନେ ସେମାନଙ୍କର ସେଇ ଦୁର୍ବଳ ଭାଇଟି ପ୍ରତି ସର୍ବଦା ସଦୟ ରହିବାପାଇଁ ପ୍ରତିଜ୍ଞାବଦ୍ଧ କରେଇ ସାମାନ୍ୟ ଆଶ୍ୱସ୍ତ ହେଲା ପରେ ସମସ୍ତେ ବିଶ୍ରାମ ନେଲେ । ଚାହୁଁଚାହୁଁ ଭୁଆଁକୁ ଛାଡି ଅନ୍ୟମାନେ ସମସ୍ତେ ଗଭୀର ନିଦରେ ଶୋଇପଡିଲେ । ତା ମନ ଭିତରେ ସେ ନିଜର ସ୍ୱାର୍ଥପରତାକୁ ବହୁତ ଧିକ୍କାର କଲା ।
"ବହୁତ ହେଇଗଲା, ଆଉ ନୁହେଁ । ଯେଉଁ ମାଆ ମୋ'ପ୍ରତି ସାମାନ୍ୟ ସନ୍ଦେହ ନକରି ନିଜ ଜନ୍ମିତ ଶାବକ ମାନଙ୍କ ଠାରୁ ମୋତେ ଅଧିକ ସ୍ନେହ କରି,ଯତ୍ନ ନେଇ ଆଜି ମୋଅରି ଚିନ୍ତାରେ ମୃତ୍ୟୁ ମୁଖକୁ ଗଲାବେଳେ ମଧ୍ୟ ମୋର ଭବିଷ୍ୟତ ସୁରକ୍ଷା ପାଇଁ ଏତେ ଭାବନା କରୁଛି, ଆପଣା ସ୍ୱାର୍ଥ ଲାଗି ତା ସହ ଛଳନା କରି ମୁଁ ଅକ୍ଷମଣୀୟ ଅପରାଧ କରିଛି । ଏବେ ସତ୍ୟ ପ୍ରକାଶ କରିବା ଅର୍ଥ ନିଶ୍ଚିନ୍ତ ମୃତ୍ୟୁ ଜାଣି ମଧ୍ୟ ଗୋଟିଏ ସ୍ନେହୀ ମାଆର ଜୀବନ ବଞ୍ଚେଇ ରଖିବା ପାଇଁ ମୋତେ ସତ କଥା ଜଣାଇ ଦେବାକୁ ପଡିବ ।" -ଏହିପରି ଚିନ୍ତାକରି ଭୁଆଁ ମନକୁ ଟାଣ କଲା ।
ତହିଁ ଆର ଦିନ ସକାଳୁ ସକାଳୁ ବାଘଛୁଆ ଦୁହେଁ ରୁଗ୍ଣ ମାଆ ଓ ଦୁର୍ବଳ ବଡଭାଇ (ଭୁଆଁ) ଙ୍କ ଆହାର ପାଇଁ କିଛି ଶିକାର ଖୋଜିବା ପାଇଁ ଜଙ୍ଗଲକୁ ବାହାରିବା ବେଳକୁ ଭୁଆଁ ସେମାନଙ୍କୁ କିଛି ବିଶେଷ କଥା କହିବାର ଅଛି କହି ଅଟକାଇ ମା'ବାଘ ଶୋଇଥିବା ପଥର ପାଖକୁ ନେଲା । ମା'ବାଘକୁ ଗେହ୍ଲା କରିସାରି କହିଲା ," ମା'ର ଆଜି ଏଇ ଅବସ୍ଥା ପାଇଁ କେବଳ ମୁହିଁ ଦାୟୀ । ସତ କହି ସାରିବା ପରେ ମୋ ଜୀବନର ପରିସମାପ୍ତି ଘଟିବ ବୋଲି ଜାଣି ସୁଦ୍ଧା ସତ୍ୟକୁ ପ୍ରକାଶ କରିଛି ତମ ଦୁହିଁଙ୍କ ସମେତ ମୋତେ ମଧ୍ୟ ଅମାପ ସ୍ନେହଶ୍ରଦ୍ଧା ଦେଇ ଆଜି ପର୍ଯ୍ୟନ୍ତ ବଞ୍ଚେଇ ରଖିଥିବା କେବଳ ଏଇ ମାଆର ଜୀବନ ବଞ୍ଚେଇବା ପାଇଁ ।"
ତାପରେ ସମସ୍ତ ଘଟଣା ବିସ୍ତୃତ ଭାବେ ବର୍ଣ୍ଣନା କରିସାରି ନିଶ୍ଚିନ୍ତ ମୃତ୍ୟୁକୁ ମୁଣ୍ଡପାତି ଗ୍ରହଣ କରିବା ପାଇଁ ଅପରାଧୀ ଭଳି ଠିଆ ହେଇ ମାଆ ବାଘ ଆଖିକୁ ଚାହିଁଲା । ମା'ବାଘ ଆଖିରୁ ବାତ୍ସଲ୍ୟର ସଂକେତ ବହନ କରୁଥିବା ଦୁଇଧାର ଆନନ୍ଦାଶ୍ରୁ ଗଡି ଆସିଲା । ସେ ଭୁଆଁକୁ ସ୍ନେହରେ କୋଳେଇ ନେଇ ତାର ମୁଣ୍ଡକୁ ଆଉଁଶୁ ଆଉଁଶୁ ପଚାରିଲା," ବାବାରେ, ତୋର କଣ ମୋ ମମତା ଉପରେ ଏତେ ଦିନ ଯାକେ ଏତିକି ଭରସା ଆସିନଥିଲା ଯେ ତୁ ଏଇ ସାମାନ୍ୟ କଥାଟିକୁ କହିବା ପାଇଁ ଏତେ ସମୟ ନେଲୁ ! ପୁନଶ୍ଚ, ଏଥିରେ ତୋର ଦୋଷ ରହିଲା କେଉଁଠି, ମୁଁ ତ ନିଜେ ତୋତେ ମୋର ପିଲା ଭାବେ ଗ୍ରହଣ କରିନେଇଥିଲି । ଆଉ ,ତୋର ଏହି ଦୁଇ ସାନଭାଇ ତୋତେ ଏଯାବତ ବଡଭାଇର ମର୍ଯ୍ୟାଦା ଦେବାରେ କୌଣସି ଅବହେଳା କରିନାହାଁନ୍ତି, ଆଉ ଆଗକୁ ମଧ୍ୟ କେବେ ସେମିତି କରିବେ ନାହିଁ । ତୋର ଅନ୍ୟ ଦୁଇଭାଇଙ୍କ ଭଳି ତୁ'ବି ମୋଅରି କ୍ଷୀରରେ ପ୍ରତିପାଳିତ । ତେଣୁ ତୁ ମଧ୍ୟ ମୋର ସନ୍ତାନ । ଜନ୍ମ ସିନା ଦେଇନାହିଁ, ଲାଳନପାଳନ ତ କରିଛି ।"
ସେ ପର୍ଯ୍ୟନ୍ତ ନୀରବ ରହି ସବୁକଥା ଶୁଣୁଥିବା ବାଘଛୁଆ ଦୁହେଁ ଭୁଆଁ ପାଖକୁ ଆସି କହିଲେ,"ହଁ ବଡ଼ଭାଇ, ମାଆ ଯାହା କହିଲା ସମ୍ପୂର୍ଣ୍ଣ ଠିକ କହିଲା । ପଛକଥା ସବୁ ପଛକୁ ପକେଇଦିଅ । ଏଣିକି ଆମେ ସମସ୍ତେ ସବୁଦିନ ପାଇଁ ମିଳିମିଶି ଖୁସିରେ ରହିବା । ମାଆ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନହେଇଛି ସେପର୍ଯ୍ୟନ୍ତ ତମେ ଗୁମ୍ଫାରେ ରହି ତା'ର ଯତ୍ନ ନେବ ଓ ଦେଖାଶୁଣା କରିବ । ଆଉ ,ଆମେ ଦୁହେଁ ଶିକାର କରି ଖାଦ୍ୟ ଯୋଗାଡ଼ କରିବୁ ।" ଏତିକି କହିସାରି ଦୁଇଜଣ ଯାକ ଖୁସି ମନରେ ଶିକାର ସନ୍ଧାନରେ ବାହାରିଗଲେ । ଭୁଆଁ ମାଆ ବାଘ ପାଖକୁ ଆସି ଆଉଥରେ ଗେହ୍ଲ କରି ତା କାନ ପାଖରେ କହିଲା," ମାଆ, ଆଜି ତୁ ପ୍ରମାଣିତ କରିଦେଲୁ ଯେ ମା'ହୃଦୟର ବିଶାଳତା ତୁଳନାରେ ଅନନ୍ତ ଆକାଶର ପରିବ୍ୟାପ୍ତି କେତେ କମ ସତରେ ।"