Binaya Bhusan Panigrahi

Tragedy

3  

Binaya Bhusan Panigrahi

Tragedy

ଅଣ୍ଡର ମାଟ୍ରିକ

ଅଣ୍ଡର ମାଟ୍ରିକ

3 mins
602


ଉଚ୍ଚକୋଟୀର ଶିକ୍ଷାଦାନ ସହ ଓ ସରକାରଙ୍କ ସର୍ବଶିକ୍ଷା ଅଭିଯାନ କୁ ଆଗେଇ ନେବାରେ ପ୍ରମୁଖ ଯୋଗଦାନ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଠାରୁ ଅନେକ ଥର ବିଭିନ୍ନ ପଦକ,ଫଳକ ଓ ମାନପତ୍ର ପାଇଥିବା ମୁକୁନ୍ଦଦେବ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ସାରଙ୍କ ମନରେ ଆଜି ସକାଳ ଦଶଟା ପରେପରେ ହଠାତ ଶିକ୍ଷକତା ପ୍ରତି ଏକ ଅହେତୁକ ଅନାଗ୍ରହ ଭାବ ସୃଷ୍ଟି ହେଇ ତାଙ୍କ ମନକୁ ବିଷାକ୍ତ କରିଦେଲା। ଯେଉଁ ସ୍କୁଲର ଛାତ୍ରଛାତ୍ରୀ ମାନେ ମ୍ୟାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ସଫଳ ହେବାସହ ପ୍ରତିବର୍ଷ ଜଣେ ଦୁଇଜଣ ପିଲା ଓଡ଼ିଶାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଉଥିଲେ ଗତବର୍ଷ ସେଇ ସ୍କୁଲର ରେଜଲ୍ଟ ପଚାଶ ପ୍ରତିଶତରୁ କମ ହେଇଥିଲା ବୋଲି ସାର ବର୍ଷସାରା ପିଲାମାନଙ୍କ ପଛରେ ଜୋକ ଭଳି ଲାଗି ରହି ପ୍ରାଣପଣେ ଚେଷ୍ଟା କରିଥିଲେ କେମିତି ସ୍କୁଲର ହୃତ ଗୌରବ ଫେରି ଆସିବ। କିନ୍ତୁ, ହେଲା କଣ? ପରୀକ୍ଷା ଦେଇଥିବା ସତୁରି ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହେଲେ ମାତ୍ର ତିନିଜଣ ,ସମସ୍ତେ ପୁଣି ତୃତୀୟ ଶ୍ରେଣୀରେ !ସାର,ଜାଣିପାରୁନଥିଲେ ପିଲା ମାନଙ୍କର ଏହି ବିଫଳତା ପାଇଁ କାହାକୁ ଦୋଷ ଦେବେ। 


  ପଞ୍ଚାୟତ ର ସରପଞ୍ଚ ବାବୁଲି ବାବୁ ଧୋତି କୁଞ୍ଚକୁ ପଞ୍ଜାବୀ ପକେଟରେ ପୁରେଇ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଅଫିସରେ ପହଞ୍ଚୁ ପହଞ୍ଚୁ ହାଁ' ପାଟିରେ କହିଲେ," କିହୋ ମାଷ୍ଟ୍ରେ,ତମେମାନେ ଏଠି କରୁଛ କଣ ମୁଁ ତ କାହିଁ କିଛି ବୁଝିପାରୁନି। ଏ ସ୍କୁଲରେ ଯିଏ ପଢିବ ସିଏ ଯଦି ଅଣ୍ଡର ମାଟ୍ରିକ ହେଇ ବାହାରିବ ତାହେଲେ ଦଶମ ଶ୍ରେଣୀଟା ରହିଛି କାହିଁକି ? "

" ବସାନ୍ତୁ ଆଜ୍ଞା, ଟିକେ ଶାନ୍ତି ପଡନ୍ତୁ ଆଲୋଚନା କରିବା।"-ରାମସାର କହୁକହୁ ଚଉକି ବଢ଼େଇ ଦେଲେ।

ଚୌକିରେ ବସୁବସୁ ବାବୁଲି ବାବୁ ପୁଣି କହିବା ଆରମ୍ଭ କରିଦେଲେ," ଜାଇଁଲ ମାଷ୍ଟ୍ରେ, ବସିବସି ଦରମା ଗଣ୍ଡାକ ପାଇଯାଉଛ ବୋଲି ତମେମାନେ ନିଜେ ତ ପାଠଶାଠ ପୋଡି ଖାଇଲଣି ପିଲାଙ୍କୁ ପଢେଇବ ଆଉ କଣ। ଖାଲି ମାଷ୍ଟର ଚାକିରୀ ଖଣ୍ଡେଖଣ୍ଡେ ପାଇନାହଁ , ଇନ୍ଦ୍ରପଦ ପାଇଯାଇଛ ତମେମାନେ। ସାରା ରାଜ୍ୟରେ ବଦନାମ କରିଦେଲ ମୋ ପଞ୍ଚାୟତକୁ ଆଉ, ମୋତେ ଛାପ ପକେଇ ନାକ ଘଷେଇ ଦେଲ। "


  ରାମସାର କିଛି କହିବାକୁ ଚାହୁଁଥିଲେ ମାତ୍ର ସୁଯୋଗ ନଥିଲା।


" ମୁଁ ତିନି ତିନିଥର ସରପଞ୍ଚ ରହିବା ଭିତରେ କଣ ନ କରିଛି ଏ ସ୍କୁଲ ପାଇଁ ? ମାଟିଘରକୁ ଭାଙ୍ଗି ପକ୍କାଘର କରେଇଛି। ପକ୍କା ବାଉଣ୍ଡାରୀ, ପକ୍କା ଗେଟ, ପକ୍କାଘର ହଷ୍ଟେଲ,ତମମାନଙ୍କ ପାଇଁ ପକ୍କାଘର କ୍ଵାଟର, ନଳକୂଅ,ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ଆହୁରି କେତେ କଣ। ଆଉ କଣ ତମ ମାଷ୍ଟର ମାନଙ୍କ ପାଇଁ ସୁନା ମୁକୁଟ ଗୋଟେଗୋଟେ ତିଆରି କରେଇଦେଲେ ପାଠ ପଢେଇବ ?"


  ଭିତରୁ କିଏ ଯେମିତି ସାରଙ୍କ ମୁଣ୍ଡର ଭସକୁ ଘାଣ୍ଟି ଗୋଳେଇ ଦେଲା। ସ୍ପ୍ରିଂଗ ଭଳି ଠିଆହେଇଯାଇ ବସିଥିବା ଚୌକିକୁ ଗୋଡ଼ରେ ପଛକୁ ଠେଲିଦେଇ ସାର ଗର୍ଜି ଉଠିଲେ,"ଚୁପ ବାବୁଲି ବାବୁ, ବିଲକୁଲ ଚୁପ। ପକ୍କା,ପକ୍କା,ପକ୍କା,ସବୁଗୁଡା ପକ୍କା କରି ପକେଇଛ ବୋଲି ବାହାସ୍ଫୋଟ ମାରୁଛ,କେତେଜଣ ମାଷ୍ଟରଙ୍କ ଚାକିରୀକୁ ପକ୍କା କରିଦେଇଛ ପନ୍ଦର ବର୍ଷ ସରପଞ୍ଚ ରହିବା ଭିତରେ? କେତେଥର ସେମାନଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲରେ ରହିବାକୁ କହି ସେମାନଙ୍କ ପାଇଁ ଅନଶନରେ ବସିଛ ଲୋୟର ପି.ଏମ.ଜି.ରେ ? କେତେଥର ମାଷ୍ଟର ମାନଙ୍କ ପିଠିରେ ପଡୁଥିବା ପୁଲିସର ପାହାର ବାଜିଛି ତମ ପିଠିରେ ?କୋଉ ଇଲେକ୍ସନରେ ଏ ସ୍କୁଲର ମାଷ୍ଟର ମାନଙ୍କୁ ନେଇ ଗାଁ ଗଣ୍ଡାର ଦୁଆର ଦୁଆର ନ ବୁଲେଇଛ କୁହ । 


 ଆଉ ଏକଥା ବି କୁହ ,ତମେ ମୋର ସେଇ ଅଯୋଗ୍ୟ ଛାତ୍ର ବାବୁଲି ଦାସ ନୁହଁ କି ଯିଏ ଏଇ ସ୍କୁଲରେ ପଢି ସେଇବର୍ଷ ଅଣ୍ଡର ମାଟ୍ରିକ ହେଇ ରହିଯାଇଥିଲା ଯେଉଁ ବର୍ଷ ଏ ସ୍କୁଲରୁ କେବଳ ତମକୁ ଛାଡି ବାକି ଅଣଚାଷ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଏବଂ ସାରା ଓଡ଼ିଶାର ବେଷ୍ଟ ଟେନ ଭିତରୁ ପ୍ରଥମ ପାଞ୍ଚଜଣ ଏଇ ସ୍କୁଲର ଛାତ୍ରଛାତ୍ରୀ ଥିଲେ ? ତମେ ସରପଞ୍ଚ ହେବା ହିଁ ଏ ସ୍କୁଲର ଦୁର୍ଭାଗ୍ୟ ବାବୁଲି ଦାସ, ତମେ ହିଁ ଏ ସ୍କୁଲଙ୍କୁ ଅଣ୍ଡର ମାଟ୍ରିକ କାରଖାନା ବନେଇଛ। ଯାଅ,ଯେତେଶିଘ୍ର ସମ୍ଭବ ଏ ପବିତ୍ର ଜ୍ଞାନ ମନ୍ଦିର ପରିସର ବାହାରକୁ ଚାଲିଯାଅ ବାବୁଲି। ଗେଟ ଆଉଟ,ଗେଟ ଲଷ୍ଟ। "


    ସ୍କୁଲର ଗେଟ ଆଡକୁ ଉଠିଥିବା ହାତ ତଳକୁ ଆସିବା ପୂର୍ବରୁ ସାମ୍ନାରେ ଥିବା ଟେବୁଲ ଉପରେ କଚାଡି ହେଇ ପଡିଗଲେ ରାମସାର। ସରପଞ୍ଚ ବାବୁଲି ଦାସ କେତେବେଳୁ ଗେଟ ବାହାରକୁ ଯାଇସାରିଥିଲେ, ଅଣ୍ଡର ମାଟ୍ରିକ ବାବୁଲି ରାମସାରଙ୍କୁ କାନ୍ଧରେ ପକେଇ ପ୍ରାଣମୂର୍ଚ୍ଛା ଧାଇଁ ଚାଲିଥିଲା ସ୍କୁଲ ଗେଟ ପାଖରୁ ଡାକେ ଦୂରରେ ଥିବା ଡିସ୍ପେନସରି ଆଡକୁ। ଧୋତିର କୁଞ୍ଚ ପଞ୍ଜାବୀ ପକେଟରୁ ମୁକ୍ତହେଇଗଲା।



Rate this content
Log in

Similar oriya story from Tragedy