Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Binaya Bhusan Panigrahi

Tragedy

3  

Binaya Bhusan Panigrahi

Tragedy

ବୀତସ୍ପୃହ ବେତାଳ

ବୀତସ୍ପୃହ ବେତାଳ

5 mins
533


 

       

ଛିଃ, ତମେ ଆଖିରୁ ଲୁହ ଗଡଉଛ ! ଗଲା ଆଇଲା ବେଳେ ବାପ-ମା ଲୁହ ଗଡେଇଲେ ପିଲାମାନଙ୍କର ଅମଙ୍ଗଳ ହେବ,ଏକଥା ପରା ତମେ ନିଜେ ମୋତେ ସଦାବେଳେ କୁହ ! ସେସବୁ ଛାଡ଼ ରେଣୁ, ଆଉ, ଟିକେ ଫୁର୍ତ୍ତି ହୁଅ। ଗାଁ'ବସ ଠିକ ଦୁଇଟା ବେଳେ ଷ୍ଟାଣ୍ଡ ଛାଡିଦେବ। ଘଣ୍ଟେ-ଅଧଘଣ୍ଟେ ଆଗରୁ ନ ପହଁଚିଲେ ବସିବା ପାଇଁ ସିଟ ଗୋଟେ ମିଳିବନି। ମୁଁ ସିନା କୋଉ ସିଟରେ ଭରାଦେଇ କିମ୍ବା ରେଲିଂ ଧରି ଠିଆହେଇ କୌଣସିମତେ ଚଳେଇନେବି ହେଲେ,ତମେ ! ନା, ଆଉ ଜମା ଡେରି କରିବା ଅନୁଚିତ। ଚାଲ,ତାଲା ପକେଇ ସିକ୍ୟୁରିଟି ଗାର୍ଡ ପାଖରେ ଚାବି ଦେଇ ଅଟୋ ଧରିବା। "-କହିସାରି ଆଖିକୋଣରେ ଠୁଳ ହେଇସାରିଥିବା ଲୁହ ଟୋପାଟିକୁ ମୁଦ୍ରିକାଙ୍ଗୁଠି ଟିପ ରେ ତୋଳି ଆଣିଲେ ବ୍ରହ୍ମାନନ୍ଦ ବାବୁ। ରେଣୁକା ଦେବୀ ବାମହାତକୁ ଅଣ୍ଟାରେ ଦେଇ ଡାହାଣ ହାତରେ କାନ୍ଥକୁ ଭରାଦେଇ ବହୁକଷ୍ଟରେ ଉଠି ଠିଆ ହେଉହେଉ କହିଲେ,"ହଁ'ଗୋ, ତମେ ଠିକ କହିଲ, ପିଲାମାନେ ଅଫିସରୁ ଫେରିବା ଆଗରୁ ନଗଲେ ଆଇ ପାଦ କାଢି ହେବନାହିଁ। ଦିନସାରା କାମ କରିକରି ଦୁହେଁଯାକ ଥକି ଯାଇଥିବେ। ତାଙ୍କ ଶୁଖିଲା ମୁହଁକୁ ଦେଖିଦେଲାପରେ କୋଉ ସ୍ୱର୍ଗ କି ନର୍କକୁ ଯିବାକୁ ମନ କହିବ ଯେ !"

   

 

      ପ୍ରଥମ ଗର୍ଭରେ ପୁଅଟିଏ ଜନ୍ମ ହେଲାପରେ ଏନ୍ତୁଡ଼ି ଛାଡିବା ଆଗଦିନ ଯେଉଁଠୁ ଆସିଥିଲା ସେଇଠିକି ଚାଲିଗଲା। ତା'ପରବର୍ଷ ଆଖିରୁ ଲୁହ ଶୁଖିବା ଆଗରୁ ଭଗବାନ ଝିଅଟିଏ ଦେଲେ। ଝିଅ ପଲ୍ଲବୀକୁ ଦି'ବର୍ଷ ହେଇଥିଲା ଜନ୍ମହେଲା ପ୍ରତିଭା। ବ୍ରହ୍ମାନନ୍ଦ ବାବୁ କହିଲେ," ବାସ,ବହୁତ ହେଲା, ସେତିକି ଥାଉ। ଈଶ୍ୱର ଦେଇଥିବା ଏଇ ଦୁଇ ରତ୍ନଙ୍କୁ ବଢ଼େଇ କୁଢ଼େଇ ,ପାଠଶାଠ ପଢେଇ ବାହାସାହା କରେଇ ସାରିଲା ବେଳକୁ ଅଣ୍ଟା ଭାଙ୍ଗିଯାଇଥିବ"କି'ରେ ବାମା, ତୁ ଇଏ କି ସତ୍ୟାନାଶିଆ ସଂସାରଛଡ଼ା କଥା କହୁଛୁ ! ହଜାରେ ଝିଅ ଥାଉ,ପୁଅଟିଏ ନଥିଲେ କୂଳ ରହିବ ଟି? ମୁଁ କଣ ଝିଅ ନଥିଲି କି ମୋ ବାପର ! ପିଣ୍ଡଶ୍ରାଦ୍ଧ ତ ଦୂରର କଥା,ବାପ ଗଲାବେଳେ ମୁହଁରେ ଟିକେ ପାଣି ଦେଇପାରିଲି ନା ମୁଖାଗ୍ନି ଦେଇପାରିଲି ? ସାତ ସାତଟା ଝିଅ ଜନ୍ମ କଲାପରେ ମୋ ଦିହରେ କୋଉ ବଳ ଭୁସଭୁସ ହେଉଥିଲା ଯେ ପୁଅଟିଏ ପାଇଁ ଓଷାବ୍ରତ କରି ତୋତେ କୋଳକୁ ଆଣିଥିଲି ! କାହାରି ବୁଦ୍ଧିରେ ପଡି କୂଳ ବୁଡାନା କହୁଛି।" - ରୋକଠୋକ କହିଦେଇ ପେଟକୁ ଦାନାପାଣି ନେବା ବନ୍ଦକରିଦେଲା ମାଆ।

   


      ସବ-ରେଜିଷ୍ଟ୍ରାର ଅଫିସର କିରାଣୀ ବ୍ରହ୍ମାନନ୍ଦ ବାବୁ ମା'ମନରେ ଥିବା ଚିନ୍ତାଧାରାକୁ ରକ୍ଷଣଶୀଳ ଭାବନା ବୋଲି ଜାଣିମଧ୍ୟ ଆଡେଇଯିବାକୁ ମନାଇ ପାରିନଥିଲେ ନିଜକୁ। ରେଣୁଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପୂର୍ବରୁ ବେଶ ଭଲକରି ବୁଝେଇ ଦେଇଥିଲେ ରେଣୁକା ଦେବୀ ନିଜକୁ ନିଜେ। ବର୍ଷେ ନ ପୁରୁଣୁ ଶାଶୁଙ୍କ କୋଳକୁ ବଢ଼େଇ ଦେଇଥିଲେ ପୁଅଟିଏ।    


       ଝିଅ ଦୁହେଁ ଭଲ ପଢୁଥିଲେ ମଧ୍ୟ ମ୍ୟାଟ୍ରିକ ପରେପରେ ନିଜର ସଖ୍ୟ ମୁତାବକ ପାତ୍ର ଖୋଜି ପରଘରିଆ କରିଦେଇଥିଲେ ସେମାନଙ୍କୁ। ବାପ ହିସାବରେ ଏହା ଅବିବେକିତା ବୋଲି ଜାଣି ଥିଲେବି ପୁଅ ବିବେକର ଭବିଷ୍ୟତକୁ ଆଖିରେ ରଖି ନିଜର ସୀମିତ ଆୟରେ ଘର ଚଳେଇବା ସହ ଝିଅ ଦୁହିଁଙ୍କୁ ଅଧିକ ପଢେଇ ବାହାଦେବା ଖେଳଘର କଥା ନଥିଲା ବୋଲି ବେଶ ହୃଦୟଙ୍ଗମ କରିପାରିଥିଲେ ବ୍ରହ୍ମାନନ୍ଦ ବାବୁ ଓ ରେଣୁକା ଦେବୀ। ଝିଅ ମାନଙ୍କ ପ୍ରତି କରିଥିବା ଅବିଚାର ସେତେବେଳେ ଆଘାତ ଦେଇଥିଲା ହୃଦୟ ଭିତରେ, ଆଜି ମଧ୍ୟ ଦେଉଛି ମଝିରେ ମଝିରେ। ତେବେ, ସେଇ ଜଗନ୍ନାଥ ମହାପ୍ରୁଙ୍କ ଅସୀମ କରୁଣାରୁ ପଲ୍ଲବୀ ଓ ପ୍ରତିଭା ବେଶ ଭଲରେ ଅଛନ୍ତି,ସେଇ ସେତକ ହିଁ ଶାନ୍ତ୍ଵନା।


   ପୁଅ ବିବେକ ଓ ବୋହୁ ମାଧୁରୀ ଉଭୟ ହାଇଦ୍ରାବାଦ ର ଦୁଇ ଭିନ୍ନ ଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦସ୍ଥ ପ୍ରବନ୍ଧକ ଭାବେ କାର୍ଯ୍ୟରତ। ଦୁହିଁଙ୍କର ସମ୍ମିଳିତ ମାସିକ ଆୟ ପାଖାପାଖି ତିନିଲକ୍ଷ ଟଙ୍କା। ବିବାହର ଚାରିବର୍ଷ ପରେ ମଧ୍ୟ କିଛି ସ୍ଥିର କରିପାରିନାହାନ୍ତି ପିଲାପିଲି ବାବଦରେ। ବୋଧେ ଅପେକ୍ଷା କରୁଛନ୍ତି ଆଉଟିକେ ଅଧିକ ଆୟକୁ। କିମ୍ବା, ସେ ବିଷୟରେ ଭାବିବା ପାଇଁ ଓ କିଛି ଚୂଡାନ୍ତ ନିଷ୍ପତ୍ତି ନେବାପାଇଁ ସର୍ବନିମ୍ନ ଆବଶ୍ୟକୀୟ ସମୟ ପାଇ ପାରୁନାହାନ୍ତି ସେମାନେ। ରଙ୍ଗୀନ କାଗଜର ମୋହ ସାମ୍ନାରେ ଏବେକାର ଯୁବପୀଢ଼ିଙ୍କୁ ବ୍ୟକ୍ତିଗତ ସନ୍ତୋଷ , ପାରିବାରିକ ସୁଖ, ସାମାଜିକ ଶାନ୍ତି ଓ ସାମାଜିକ ଉତ୍ତର ଦାୟିତ୍ବ ଇତ୍ୟାଦି ନିହାତି ମଳହଣ ପଡିଯାଇଛି।


ସେମାନଙ୍କ ପାଖରୁ କାହାର ଆଶା ଆକାଂକ୍ଷା କୁ ଅପେକ୍ଷା କରିବା ଅବାଞ୍ଛିତ ମନେହେଉଛି ସେମାନଙ୍କୁ।ଏଠାକୁ ଆସିବା ପରେ ବ୍ରହ୍ମାନନ୍ଦ ବାବୁଙ୍କ ସହ ଅନେକ ଥର ଆଲୋଚନା କରି ପୁଅ-ବୋହୁଙ୍କୁ ଏକାଠି ବସାଇ ଅନେକ କଥା ପଚାରିବାକୁ ଭାବିଛନ୍ତି ରେଣୁକା ଦେବୀ। କିନ୍ତୁ, ପଚାରି ପାରିନାହାଁନ୍ତି ଗୋଟେ ବୋଲି ପ୍ରଶ୍ନ ଆଜିଯାକେ। ପ୍ରଶ୍ନ ନ ଶୁଣିବାକୁ ସେମାନଙ୍କ ପାଖରେ ନା ସମୟ ଅଛି ନା ଅଛି ମାନସିକ ପ୍ରସ୍ତୁତି। ଚବିଶ ଘଣ୍ଟାର ଦିନ ସବୁ ସେମାନଙ୍କ ପାଇଁ ଦ୍ଵିଧା ବିଭକ୍ତ। ଅର୍ଦ୍ଧାଧିକ ସମୟ ବ୍ୟସ୍ତତାକୁ ନେଇ ଓ ଅବଶିଷ୍ଟ ସ୍ୱଳ୍ପ ସମୟ ଅବସନ୍ନତାକୁ ନେଇ। ସେମାନେ ଏକାଠି ରହିବା ଲାଗି ଅବସର କାହିଁ ! ରେଣୁକା ଦେବୀଙ୍କୁ ଲାଗେ ସତେ ଯେପରି ସେମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାଁନ୍ତି କାହିଁକି ସେମାନେ ଏତେ ଅର୍ଥ ବ୍ୟୟ କରି ଦାମୀ ଘରଟିଏ କିଣିଛନ୍ତି ଯେଉଁଘରେ ସେମାନେ ଘଡ଼ିଏ ଏକାଠି ବସି କଥା ହୁଅନ୍ତିନି। ଅନୁଭବ କରି ପାରନ୍ତିନି ସେମାନଙ୍କ ଭିତରେ କିଛି ସମ୍ପର୍କ ଅଛିବୋଲି।

      

     ରେଣୁକାଙ୍କର ନାତିନାତୁଣୀ ସୋହାଗ ଅପୂର୍ତ୍ତି ଜନିତ ମାନସିକ ଦ୍ଵନ୍ଦକୁ ଦୂର କରିବାପାଇଁ ବହୁ ସମୟରେ ବ୍ରହ୍ମାନନ୍ଦ ବାବୁ କୁହନ୍ତି,"ଆରେ ପାଗଳୀ, ଯେଉଁମାନେ ନିଜପାଇଁ ନିଜେ ବଞ୍ଚିବାର କଳା କୌଶଳ ଶିଖି ପାରୁନାହାଁନ୍ତି ସେମାନଙ୍କ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ବ୍ୟତିରେକ ଅନ୍ୟ କଣ କରିପାରିବା ଆମେ ଏବେ ଏ ବୟସରେ । ଯେତେବେଳେ ଅଜ୍ଞାନତା ବଶତଃ ପିଲାମାନେ କୌଣସି ନିଷ୍ଫଳପ୍ରସୂ ପ୍ରୟାସ କରୁଥିଲେ ସେତେବେଳେ ତ ଆମେ କେବେ ଅବହେଳା କରିନାହାନ୍ତି କଳେବଳେ କୌଶଳେ ସେଇ ଭୁଲ ରାସ୍ତାରୁ ସେମାନଙ୍କ ନିର୍ବୋଧ-କଅଁଳ ପାଦକୁ ଫେରେଇ ଆଣି ସଫଳତାର ପ୍ରଶସ୍ତ ପଥରେ ପୁନଃ ପରିଚାଳିତ କରେଇବା ପାଇଁ ! ଏବେତ ସେମାନେ ଆମରି ଆଖିସାମ୍ନାରେ ଅଥଚ ଆମପାଇଁ ଅପହଞ୍ଚ ଏକ ଭିନ୍ନ ପୃଥିବୀର ମଣିଷ । ସେ ଦୁନିଆକୁ ଯେତେବେଳେ ସେମାନଙ୍କ ସହ ତାଙ୍କ ନିଜର ଅନୁଭବ ଓ ଅନୁଭୂତି ଯାଇ ପାରିଲାନି,କେମିତି ବା ଯାଇପାରିବା ଆମେ ସେ ସ୍ଥାନକୁ ! ପୁନଶ୍ଚ, ସମ୍ପର୍କ ନାମକ ଜିନିଷଟି ଠିକ ସେଇ ଶବସ୍ଥିତ ବେତାଳ ପରି,ତାକୁ ସ୍ୱଇଚ୍ଛାରେ କାନ୍ଧକୁ ଉଠେଇ ନେଇ ଆଗକୁ ବଢିବାକୁ ଚାହୁଁନଥିବା ଲୋକମାନଙ୍କ କାନ୍ଧରେ ସେମାନଙ୍କ ସୁଖଶାନ୍ତି ପାଇଁ ହକ ଦେଖାଇ ଲଦି ଦେବାକୁ ଚାହିଁଲେ ପରସ୍ପର ଠାରୁ ଦୂରେଇ ଯାଉଥିବା ଦୁଇ ପୃଥିବୀ ଭିତରର ଦୂରତା ଯେ ଆହୁରି ବଢିଯିବ ଏଥିରେ ସନ୍ଦେହ ନାହିଁ।"

ରେଣୁକା ନିଜ ମନକୁ ନିଜେ ସିନା ବୁଝେଇ ପାରନ୍ତିନାହିଁ ମାତ୍ର, ସ୍ୱାମୀଙ୍କର ପଦେ ପଦେ କଥାରେ ନିଜେ ବୁଝିଯାଆନ୍ତି ସବୁକିଛି ଖୁବ ସହଜରେ।


        ଷଷ୍ଠ ପେ-କମିଶନ ସୁପାରିଶ ଲାଗୁହେବା ତାରିଖ ପୂର୍ବରୁ ସେବାରୁ ଅବସର ଗ୍ରହଣ କରିଥିବାରୁ ପୁରୁଣା ପେ-ସ୍କେଲ ଅନୁଯାୟୀ ମିଳୁଥିବା ପେନସନକୁ ନେଇ ସ୍ୱାମୀ ସ୍ତ୍ରୀ ଦୁଇପ୍ରାଣୀ ଚଳିବା ସହ ଝିଅଯୋଇଁ, ନାତିନାତୁଣୀ ଏବଂ ଅନ୍ୟ ବନ୍ଧୁବାନ୍ଧବ ମାନଙ୍କ ପ୍ରତି ରହିଥିବା ନୈତିକ ତଥା ସାମାଜିକ ଦାୟିତ୍ବ ସୁଚାରୁ ରୁପେ ସମ୍ପାଦନ କରିବା ଅତ୍ୟନ୍ତ କଷ୍ଟକର ଥିଲେ ମଧ୍ୟ ଦୀର୍ଘ ଛଅ ବର୍ଷ ହେଲା ଗାଁ'ରେ ନିଜର ପୈତୃକ ଘରେ ରହି କଷ୍ଟେମଷ୍ଟେ କୌଣସି ପ୍ରକାରେ ଚଳେଇ ନେଉଥିଲେ ବ୍ରହ୍ମାନନ୍ଦ ବାବୁ। ବୟସ ବଢିଲେ,କାହିଁକି କେଜାଣି ଦିନ ଆଉ ରାତିସବୁ ଦିନକୁଦିନ ଦୀର୍ଘରୁ ଦୀର୍ଘତର ହେଇଯା'ନ୍ତି । ତା'ସାଙ୍ଗକୁ, ଆଗରୁ ହଜାର ଥର ସାମ୍ନା କରି ଛତ୍ରଭଙ୍ଗ ଦେଇଥିବା ରୋଗଯାକ ଖୁବ ସହଜରେ ହରାଇ ଦିଅନ୍ତି ସେଇ ମଣିଷକୁ। ରେଣୁକାଙ୍କର ଆଣ୍ଠୁଗଣ୍ଠି ବାତ ସହ ମେରୁଦଣ୍ଡ ଯନ୍ତ୍ରଣା ଜନିତ ସମସ୍ୟା ତାଙ୍କୁ ଏକପ୍ରକାର ଅଚଳ କରିଦେବା ସହ ବ୍ରହ୍ମାନନ୍ଦ ବାବୁଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଏକରକମ ବାଧ୍ୟ କରିଦେଇଥିଲା ଉଭୟଙ୍କୁ ସାତପୁରୁଷର ଭିଟାମାଟି ମୋହ ତ୍ୟାଗ କରି ସାତପର ଲାଗୁଥିବା ସହରରେ ନିଜନିଜର ଜୀବନକୁ ଠିକଭାବେ ଜୀଇଁବା ଜାଣିନଥିବା ପୁଅ-ବୋହୁଙ୍କ ପାଖକୁ ଚାଲିଆସିବା ପାଇଁ। ଉଭୟଙ୍କୁ ଜଣାଥିଲା ଯେ ସେମାନେ ନିୟମିତ ଭୋଗୁଥିବା ଯନ୍ତ୍ରଣା କାନ୍ଧ ଉପରେ ଲଦି ହେଇ ଯାଉଥିବା ବୟସର ଦାଉ ଭିନ୍ନ ଅନ୍ୟ କିଛି ନଥିଲା ଯାହା କୌଣସି ଉନ୍ନତ ଚିକିତ୍ସା ପଦ୍ଧତି ଓ ଅତ୍ୟାଧୁନିକ ଔଷଧ ଆଗରେ ହାର ମାନି ନେବନାହିଁ। ତେବେ, ପିଲା ମାନଙ୍କର ହସଖୁସି ମା-ବାପାଙ୍କ ଦେହ ଦୁଃଖକୁ କିଛିମାତ୍ରାରେ ଲାଘବ କରିଦିଏ ବୋଲି ସେମାନଙ୍କ ମନରେ ଥିବା ବିଶ୍ୱାସ ଏଇ ଦିନ କେଇଟାରେ ମୂଳ ଦୋହଲି ଯାଇଥିବା ଗଛ ପରି ଲମ୍ବି ଯାଇଛି ମାଟି ଉପରେ ସମାନ୍ତରାଳରେ। 


ବସରେ ବସିବା ପରେ ରେଣୁକା ଦେବୀ ଲୁଗା କାନୀରେ ଲୁହପୋଛି, ଝର୍କା ବାହାରକୁ ଚାହିଁଲେ ଆଉ ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଲେ,"ପିଲାମାନେ ସବୁଦିନ ପରି ଆଜି ବି ଯଦି ରାତି ନଅଟା ପରେ ଫେରିବେ ....

ତାଙ୍କ ବାକ୍ୟ ପୁରା ହେବା ପୂର୍ବରୁ ବ୍ରହ୍ମାନନ୍ଦ ବାବୁ ଧୀରେ ରେଣୁକା ଦେବୀଙ୍କ କାନ୍ଧ ଉପରେ ହାତ ରଖି ଅତି ସହଜ ସ୍ୱରରେ କହିଲେ," ଭାବିବେ, ଯୋଡ଼େ ଯୋଡ଼େ ବେତାଳ କୌଣସି ସର୍ତ୍ତମୂଳକ ପ୍ରଶ୍ନ ନକରି ସ୍ୱଇଚ୍ଛାରେ କାନ୍ଧରୁ ଓହ୍ଲେଇ ଗଲେ।"


ସ୍ବାମୀଙ୍କ ଆଡକୁ ମୁହଁ ଫେରାଇଲେ ରେଣୁକା ଦେବୀ,ଆଖିକୁ ଚାହିଁଲେ, ଆଉ ବୁଝିଗଲେ ସବୁକିଛି ଯାହା ସେ ଏପର୍ଯ୍ୟନ୍ତ ବୁଝି ପାରୁନଥିଲେ।

ବସ ଗଡ଼ିବା ଆରମ୍ଭ କଲା। ସତେ ଯେମିତି ନିଶ୍ଚଳ ଜୀବନ ପୁଣି ଧୀରେଧୀରେ ଗତିଶୀଳ ହେବାକୁ ଲାଗିଲା।



Rate this content
Log in

More oriya story from Binaya Bhusan Panigrahi

Similar oriya story from Tragedy