ଦକ୍ଷତା
ଦକ୍ଷତା
ସାମୁଦ୍ରିକ ଝଡ଼ ଫୋନି ମାଡ଼ିଆସୁଛି। ପହରଦିନ ସକାଳେ ଗୋପାଳପୁରରୁ ଚାନ୍ଦବାଲି ଭିତରେ କୌଣସି ଜାଗାରେ ଲ୍ୟାଣ୍ଡଫଲ କରିବ। ଭିନ୍ନଭିନ୍ନ ଟିଭି ଚାନେଲ ଅନୁସାରେ ଘଣ୍ଟାପ୍ରତି ଶହେରୁ ଦୁଇଶହ-ଦଶ କି.ମି. ବେଗରେ ପବନ ବୋହିବା ସହ ଦଶ ରୁ ଦୁଇଶହ ମି ମି ବୃଷ୍ଟିପାତ ହେବାର ସମ୍ଭାବନା। ସମୁଦ୍ରରେ ଦେଢ଼ ମିଟରରୁ କୋଡ଼ିଏ ମିଟର ପର୍ଯ୍ୟନ୍ତ ଢେଉ ଉଠି ସ୍ଥଳଭାଗକୁ ମାଡି ଆସିପାରେ ।
ବଜାରରେ ଭାରି ଭୀଡ଼ ଆଜି। ସବୁଠାରୁ ଅଧିକ ଭିଡ ନିଧିଆ ସାହୁ ଆଳୁ ଦୋକାନ ଆଗରେ। ବଜାରରେ ଆଳୁଦର ବଢି ରାତାରାତି କିଲୋପ୍ରତି ବାର ଟଙ୍କାରୁ କୋଡ଼ିଏ ଟଙ୍କା ହେଇଯାଇଛି। ନିଧିଆ ବିକୁଛି ଚଉଦ ଟଙ୍କାରେ ।
ଭିଡ ଠେଲି ଆଗକୁ ଆସିଲା ବଜାରର ସବୁଠାରୁ ବଡ଼ ଆଳୁ ବେପାରୀ ଚଗୁଲି ।
-"କିରେ ନିଧିଆ, ବଜାର ଦର ସତରେ ଜାଣିନୁ ନା ଜାଣି ଅଜଣା?"
-" ଜାଣିଛି ଚଗୁଲି ଭାଇ। ବିପଦ ଆସୁଛି ବୋଲି ନିତିଦିନିଆ ଗରାଖଙ୍କ ତଣ୍ଟି ଚିପିବାକୁ ମନ କହୁନି। ତଥାପି ଦି'ଟଙ୍କା ଅଧିକ ଲାଭ ରଖି ବିକୁଛି।"
-"ଆରେ,ଯାହାର ତଣ୍ଟି ଚିପିଲେ କାଟିବ ତା ତଣ୍ଟି ସିନା ଚିପିଲେ ପାପ ହେବ, ଆଉ ତଣ୍ଟି ଚିପିଲେ ଯିଏ ଖୁସିହେବ ତା ତଣ୍ଟି ଚିପିଲେ ପୁଣ୍ୟ ନୁହେଁ କି !"
- " କଣ କହୁଛ ଚଗୁଲ
ି ଭାଇ ମୁଁ କିଛି ବୁଝି ପାରୁନାହିଁ। ଟିକେ କିଲିୟର କରି କୁହ।"
-" କହିବି, ଆଗେ କହ ତୋ ପାଖରେ କେତେ ପ୍ୟାକେଟ ଆଳୁ ଅଛି ଏବେ ।"
-"ବେଶି ନାହିଁ ଭାଇ,ପଚାଶ ପାକେଟ ଖଣ୍ଡେ ଥିବ।"
- " ହଉ,କିଲୋ ପିଛା ଷୋହଳ କରି ଟଙ୍କା ଧର। ପିକ ଅପ ଭ୍ୟାନ ପଠାଉଛି। ରିଲିଫ କ୍ୟାମ୍ପକୁ ଯିବ।"
ଆଳୁ କିଣିବାକୁ ଲାଇନ ଲାଗେଇଥିବା ଲୋକମାନଙ୍କ ଭିତରୁ କେହିଜଣେ ପାଟିକରି କହିଲା," ସେକଥା ହେଇ ପାରିବନାହିଁ ଭାଇମାନେ। ଆମେ ନେଇ ସାରିବା ପରେ ଜୁଏ ନେଉଛି ନେଉ,ଯୁଆଡେ ଯାଉଛି ଯାଉ।" ସମସ୍ତେ ତାଙ୍କ ସହ ସ୍ୱର ମିଶେଇ କହିଲେ ," ହଁ, ହଁ, ଆମେ ଆଗେ ନେବୁ। "
ସେଇ ଲାଇନରେ ଥିବା ଦୁଇ ଜଣ ପୋଲିସ ଵାଲା ଲାଇନ ଆଗକୁ ଆସି ଉତକ୍ଷିପ୍ତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ବୁଝାସୁଝା ଆରମ୍ଭ କରିଦେଲେ। ଲୋକମାନେ ତଥାପି ନ ବୁଝିବାରୁ ଧମକ ଦେଇ କହିଲେ, "ସରକାର ଆଗେ ନା ତମେମାନେ ଆଗେ ହୋ ? ଭିଡ ଭାଙ୍ଗ ନହେଲେ ଥାନାରେ ପଶିବ ସମସ୍ତେ ।"
ଭିଡ ଭାଙ୍ଗିଗଲା। କିଛିକ୍ଷଣ ପରେ ପୁଣିଥରେ ଆଳୁ ପାଇଁ ଧାଡି ଲମ୍ବିଲା ଚଗୁଲି ଦୋକାନ ଆଗରେ। କିଲୋ ପଚିଶି ଟଙ୍କା ହେଲେ କଣ ହେବ,ସେଠି ଝାମେଲା ନଥିଲା। ପୁଲିସ ବାବୁ ଦୁଇଜଣ ଦକ୍ଷତାର ସହ ଭିଡ ନିୟନ୍ତ୍ରଣ କରୁଥିଲେ।