ଶକ୍ତି ସ୍ୱରୂପିଣୀ
ଶକ୍ତି ସ୍ୱରୂପିଣୀ
ଅଫିସରୁ ଫେରି କ୍ୱାଟରରେ ପହଁଚିବା ମାତ୍ରେ
ଆସନ୍ତା କାଲି ଦିନ ଏଗାରଟା ବେଳେ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିରେ ଗାଆଁକୁ ଯିବବୋଲି ଗତ ଆଠ-ଦଶଦିନ ଧରି ସଜାଡିଥିବା ଟ୍ରଲି ବ୍ୟାଗଟିକୁ ଆଉଥରେ ଭଲକରି ପରଖି ନେବା ଉଦ୍ଦେଶ୍ୟରେ ବେଡ଼ ଉପରକୁ ଉଠେଇ ନେଲା ସରିତା । ପ୍ରତିଥର ଗାଁକୁ ଯିବାବେଳେ ସେଇ ଗୋଟିଏ ଭୁଲ ବାରମ୍ବାର ହୁଏ ତାର । ଯେଉଁ ଜିନିଷଟିକୁ ନିହାତି ନେବାକୁ ଭାବିଥାଏ ଶେଷବେଳକୁ ସେଇଟିକୁ ନେବାକୁ ଭୁଲି ଯାଇଥାଏ ସେ । କେବେ ଟ୍ରେନ ଗଡ଼ିବାକୁ ଆରମ୍ଭ କଲାପରେ ମନେପଡେ ତ ଆଉକେବେ ଘରେ ପହଁଚିବା ପରେ । ଖାସ ସେଇଥିପାଇଁ ଘରକୁ ଯିବାର ଆଠ-ଦଶଦିନ ଆଗରୁ ଗୋଟିଏ ଗୋଟିଏ କରି ସବୁ ଜିନିଷକୁ ବ୍ୟାଗରେ ଭରିଦିଏ ମନେ ପଡିବା ମାତ୍ରେ । ଆଗଥର ପର୍ଯ୍ୟନ୍ତ କଥା ଅଲଗା ଥିଲା ,କାରଣ ଘରୁ ପଇସା ଆଣି ହଷ୍ଟେଲରେ ରହି ପାଠ ପଢୁଥିଲା । ଏଥର କିନ୍ତୁ କଥାଟା ସମ୍ପୂର୍ଣ୍ଣ ଅଲଗା ଯେହେତୁ ଚାକିରୀରେ ଜଏନ କରିବାର ପୁରା ଛ'ମାସ ପରେ ପ୍ରଥମ ଥର ପାଇଁ ଘରକୁ ଯାଉଛି । ତାହା ପୁଣି ଦଶହରା ଛୁଟିରେ । ବାପା'ମା,ଭାଇ-ଭଉଣୀ, ଜେଜେ-ଜେଜେମା ଓ ଅତି ଘନିଷ୍ଠ ସାଙ୍ଗସାଥି ମାନଙ୍କ ପାଈଁ ନିହାତି କିଛି ନା କିଛି ନେଇକରି ଯିବାକୁ ପଡ଼ିବ । ସେଥିପାଇଁ ଶନିବାର ସନ୍ଧ୍ୟାରୁ ଗତକାଲି ପର୍ଯ୍ୟନ୍ତ ଯେତେବେଳେ ଟିକେ ସମୟ ପାଇଛି, ମାର୍କେଟରେ ବୁଲି ସମସ୍ତଙ୍କ ମନକୁ ପାଇଲା ଭଳି କିଛି ନା କିଛି ଜିନିଷ କିଣି ଆଣିଛି । ତେବେ, ସମସ୍ତଙ୍କ ଆଗରୁ ଯାହାପାଇଁ ସ୍ୱତନ୍ତ୍ର କିଛିଗୋଟେ ଜିନିଷ କିଣିବାପାଇଁ ଚାହୁଁଥିଲା ସେଇ ଜଣଙ୍କ ପାଇଁ ଏଯାଏଁ କିଛି କିଣି ପାରିନାହିଁ ସରିତା । ଯାହା ବି ହେଉନା କାହିଁକି ଆଜି ସନ୍ଧ୍ୟାରେ ସମ୍ବିତଙ୍କ ପାଇଁ କିଛିଗୋଟେ କିଣିବାକୁ ପଡିବ ଯାହା ବହୁତ ଦାମୀ ନହେଲେ ମଧ୍ୟ ସବୁଠାରୁ ସୁନ୍ଦର ହେଇଥିବ ଏବଂ ସମ୍ବିତଙ୍କ ପସନ୍ଦର ପାଖାପାଖି ପଦାର୍ଥ ହେଇଥିବ ଯଦିଓ ତାଙ୍କ ପସନ୍ଦ,ନାପସନ୍ଦ ବିଷୟରେ କିଛି ଧାରଣା ନଥିଲା ତାର ।
ଗାଁ ହାଇସ୍କୁଲରେ ପଢ଼ିଲା ବେଳେ ସମ୍ବିତ ସରିତାର ଘନିଷ୍ଠ ସାଙ୍ଗ ନଥିଲେ କିମ୍ବା ଦୁହେଁ କେବେ ପରସ୍ପର ସହ ଘନିଷ୍ଠ ଭାବରେ ମିଶି ନଥିଲେ ମଧ୍ୟ ,ସମ୍ବିତ ଯେଉଁବର୍ଷ ଏକାଦଶ ଶ୍ରେଣୀ ପରୀକ୍ଷା ଦେଲେ,ସେଇବର୍ଷ ସରିତା ନବମ ପାସ କରି ଦଶମ ଶ୍ରେଣୀକୁ ଆସିଥିଲା । ତଥାପି କାହିଁକି କେଜାଣି, ସମ୍ବିତଙ୍କର ବଳିଷ୍ଠ ବ୍ୟକ୍ତିତ୍ବ ସରିତାର ହୃଦୟ ଭିତରେ ତାଙ୍କ ନିଜପାଇଁ ସୁରକ୍ଷିତ ସ୍ଥାନଟିଏ ସଂରକ୍ଷିତ କରିନେଇଥିଲା । ସମ୍ବିତ ଏକାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିବା ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀରେ ରହୁଥିବା ତାଙ୍କ ଦାଦାଙ୍କ ପାଖକୁ ଚାଲିଯାଇଥିଲେ । ଏବେ ସେ ଏକ ରାଷ୍ଟ୍ରାୟତ୍ତ କମ୍ପାନୀର ନିର୍ଦ୍ଦେଶକ ପଦରେ ଅଧିଷ୍ଠିତ । କାଲିଭଳି ଲାଗୁଛି ସତ, ହେଲେ ୟା ଭିତରେ ଦୀର୍ଘ ଆଠବର୍ଷ ବିତିଯାଇଛି । ଏଇ ଆଠବର୍ଷ ଭିତରେ ସମ୍ବିତଙ୍କୁ ଥରେ ହେଲେ କେବେ ଦେଖି ନଥିଲେ ମଧ୍ୟ ତାଙ୍କପ୍ରତି ତା ମନରେ ଥିବା ଅନ୍ତରଙ୍ଗ ଭାବନାଠୁଁ ସରିତା ନିଜକୁ ଅଲଗା କରିନେଇ ପାରିନାହିଁ ମୁହୂର୍ତ୍ତକ ପାଇଁ । ସରିତାକୁ ଏକଥା ବି ଅଜଣା ନୁହେଁ ଯେ ଚେହେରା ତ ବହୁତ ଦୂରର କଥା ,ସମ୍ବିତଙ୍କର ତାର ନାଁ ମନେଥିବ କି ନାହିଁ । ତେବେ, ବାହା ହେବାକୁ ଆଦୌ ମନ ବଳାଉ ନଥିବା ସରିତା ଯେଉଁଦିନ ଜାଣିଲା ଯେ ସମ୍ବିତଙ୍କ ଘରୁ ତା'ପାଇଁ ବିବାହ ପ୍ରସ୍ତାବ ଆସିଛି ସେଦିନ ଅଦିନ ମେଘରେ ଅକସ୍ମାତ ଫୁଲି ଉଠିଥିବା ନଦୀଟିଏ ପରି ନିଜ ଭିତରେ ନିଜେ ଉଛୁଳି ଉଠିଥିଲା ସେ । ସମ୍ବିତଙ୍କ ସହ ବିବାହ ପ୍ରସ୍ତାବ ବିଷୟରେ ଅବଗତ ହେବାପରେ ସେ ଖୁବ ଭଲଭାବରେ ବୁଝିପାରିଥିଲା ଯେ ସେ କାହିଁକି ବିବାହ ପ୍ରତି ଏତେ ବିମୁଖ ଥିଲା । କାରଣଟା ବି ଜାଣି ନେଇଥିଲା ଯେ ସେ କାହାକୁ ଜଣକୁ ପ୍ରେମ କରୁଥିଲା ବୋଲି । ଆଉ,ସେ ଯାହାକୁ ପ୍ରେମ କରୁଥିଲା ସେ ଆଉ କେହିନୁହଁନ୍ତି, ସମ୍ବିତ । ପ୍ରକୃତରେ, କାହାକୁ ବି ହୃଦୟ ଭିତରେ ଦେବତାର ଆସନ ଦେଇ ବସେଇଦେଲେ ଏମିତି ଦିନଟିଏ ଆସେ ଯେଉଁଦିନ ସେ ଦେବତ୍ୱପ୍ରାପ୍ତ ହେଇ ସମସ୍ତ ମନୋକାମନା ପୂରଣ କରିବାକୁ ସକ୍ଷମ ହେଇଯା'ନ୍ତି ବୋଲି ଏକପ୍ରକାର ନିଶ୍ଚିନ୍ତ ହେଇଯାଇଥିଲା ସରିତା ।
ଏଥର ବିଜୟା ଦଶମୀ ଦିନ ସରିତାକୁ ଦେଖିବା ପାଇଁ ସମ୍ବିତ ତାଙ୍କର ଜଣେ ସାଙ୍ଗଙ୍କ ସହ ଆସିବେ ବୋଲି ମା ଚିଠିରେ ଜଣାଇଥିଲେ । ତାଙ୍କ ସାମ୍ନାରେ ସେ କେମିତି ବସିବ,କେମିତି ହସିବ ଆଉ କେମିତି ତାଙ୍କ ଆଖିରେ ଆଖି ମିଳେଇବ ! ଏ ବିଷୟରେ ଯେତେବେଶୀ ଭାବୁଥିଲା ସରିତା ,ସେତେବେଶୀ ଲାଜେଇ ଯାଉଥିଲା ସିଏ ଆଇ ଝାଳେଇ ଯାଉଥିଲା ତା'ର ସର୍ବାଙ୍ଗ ଶରୀର । ମନ କହୁଥିଲା,"ଆଉ ନୁହେଁ ସରିତା,ସଜେଇ ନେ ନିଜକୁ ଏବେ ସବୁଦିନ ପାଇଁ ତାଙ୍କର ହେଇଯିବା ପାଇଁ ।
ବାସ୍ତବରେ,ପ୍ରେମ ଏମିତି ଏକ ଅନୁଭବ ଯାହା ମନକୁ ଛୁଇଁଦେବା ମାତ୍ରେ ନିଜର ସତ୍ତାକୁ ହଜେଇଦେବାର ଦୁର୍ବାର ଇଛାଟିଏ ପଲ୍ଲବୀତ ହେଇ ଆଚ୍ଛାଦିତ କରିଦିଏ ବିଶ୍ୱବ୍ରହ୍ମାଣ୍ଡକୁ । ସରିତା କେମିତି ବାଦ ପଡ଼ିଥାନ୍ତା ସେଥିରୁ ଯେ !&nb
sp; ସନ୍ଧ୍ୟାରେ ସମ୍ବିତଙ୍କ ପାଇଁ କିଣିଥିବା ବ୍ରାଣ୍ଡେଡ଼ ରିଷ୍ଟୱାଚଟିକୁ ଆଉଥରେ ଭଲଭାବରେ ଦେଖିନେଇ ବ୍ୟାଗ ଭିତରେ ଯତ୍ନରେ ରଖି ଷ୍ଟେସନକୁ ବାହାରି ଗଲା ସରିତା । କୌଣସି ଅନିବାର୍ଯ୍ୟ କାରଣରୁ ଇଣ୍ଟରସିଟି ଦୁଇଘଣ୍ଟା ବିଳମ୍ବରେ ଛାଡିଥିଲା ରାଉରକେଲା ଷ୍ଟେସନ ଏବଂ ରେଢ଼ାଖୋଲ ପାରି ହେବା ପରେପରେ ଯାନ୍ତ୍ରିକ ତ୍ରୁଟି ହେତୁ ପାଖାପାଖି ତିନିଘଣ୍ଟା ଅଟକି ରହିଲା । ଅନେକ ସମୟରେ ଏମିତି ହିଁ ହୁଏ,ମନ ଯେତେବେଳେ ଅତ୍ୟଧିକ ଚଞ୍ଚଳ ହେଇଯାଏ ଠିକ ସେତିକିବେଳେ ରାସ୍ତା ଦୀର୍ଘ ହେଇଯାଏ ଏବଂ ସମୟର ଚକ ଧିମେଇ ଯାଏ । ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ରାତି ନଅଟା ପାଖାପାଖି । ଅବପାତ ଜନିତ ବୃଷ୍ଟିପାତ କବଳିତ ରାଜଧାନୀର ରାସ୍ତାଘାଟ କେବଳ ଜନଶୁନ୍ୟ ନଥିଲା ,ଯାନ ବାହନ ଶୁନ୍ୟ ଥିଲା ପରି ମନେ ହେଉଥିଲା । ବରମୁଣ୍ଡା ବସଷ୍ଟାଣ୍ଡରେ କୌଣସି ପ୍ରକାରେ ଦଶଟା ପୂର୍ବରୁ ନ ପହଞ୍ଚିଲେ ଆଠଗଡ କୁ ଯାଉଥିବା ଲାସ୍ଟ ବସ ଧରିହେବନାହିଁ । ଖୁବବେଶୀ ବ୍ୟସ୍ତ ଅନୁଭବ କରୁଥିଲା ସରିତା । ମୁଣ୍ଡ ଉପରେ ପିନ୍ଧିଥିବା ଶାଢ଼ୀର କାନୀ ଟେକିଧରି କୌଣସି ପ୍ରକାରେ ଗୋଲେଇ ଛକ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ବାହାରି ଅଳ୍ପ କେଇପାଦ ଯାଇଛି କି ନାହିଁ ବାଁ'ପାଖ ଗଳିରୁ ବାହାରି ଆସୁଥିବା କାରଟି ଅଟକିଗଲା ଠିକ ତାଆରି ସାମ୍ନାରେ ।
-"କୋଉଠିକି ଯିବେ ମାମ,ଏୟାରପୋର୍ଟ ନା ବସଷ୍ଟାଣ୍ଡ?"
-"ବରମୁଣ୍ଡା ବସଷ୍ଟାଣ୍ଡ, କେତେ ନେବେ?"
-" ଦୁଇଶହ କୋଡିଏ "
ଆଉକିଛି ପଚାରି ସମୟ ନଷ୍ଟ କରିବାକୁ ଚାହୁଁ ନ ଥିଲା ସରିତା । ଡିକି ଭିତରକୁ ଟ୍ରଲି ବ୍ୟାଗଟା ଏକରକମ ଫୋପାଡ଼ି ଦେଇ ପଛ ସିଟରେ ବସିପଡ଼ିଲା ସେ । ଗାଡି ଗଡ଼ିବା ମାତ୍ରେ ଅଧା ଓଦା କାନୀରେ ମୁହଁକୁ ପୋଛିନେଇ ଟିକେ ଭଲକରି ବସିବା ପରେ ହଠାତ କାହାର ହାତ ଧୀରେ ତା'ର ଜଙ୍ଘକୁ ଛୁଇଁଲା । ଚମକି ଉଠି ଚିତ୍କାର କଲା ସରିତା,"କିଏ?ଇଏ କି ଅଭଦ୍ରାମି? ଏଇ ଡ୍ରାଇଭର,ଗାଡିରଖ ଏଇଠି । ନହେଲେ ...." । ଗାଡି ଅଟକିଲା ନାହିଁ କିମ୍ବା ଅଟକି ଗଲାନାହିଁ ସେ ହାତ । ଗାଡିର ଗତି କମିବା ପରିବର୍ତ୍ତେ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଲା । କୌଣସି ଏକ ଭୟଙ୍କର ପଶୁର ପ୍ରଖର ଉଷ୍ମ ନିଶ୍ୱାସ କାର ଭିତରର ସୀମିତ ପରିସରକୁ ଉତପ୍ତ କରିବା ସହ ସରିତାର ଅନୁଭବକୁ ଧୀରେ ଧୀରେ ଶୀତଳ କରିବାକୁ ଲାଗିଲା । ତା'ର ଅନୁଭବ ହେଲା ସତେ ଯେମିତି ମୁହୂର୍ତ୍ତଟେ ଡେରି କରିଦେଲେ ସମ୍ବିତଙ୍କ ପାଇଁ ଏତେଦିନ ଧରି ଏତେ ଯତ୍ନରେ ସାଇତି ରଖିଥିବା ନୈବେଦ୍ୟ ଏ ଭୟଙ୍କର ଅଜଗରର ଗର୍ଭସ୍ଥ ହେଇଯିବ କ୍ଷଣକ ଭିତରେ । ସେ ତାର ଭାବିବା ଶକ୍ତିକୁ ବନ୍ଦ କରିଦେଲା ମୁହୂର୍ତ୍ତକ ପାଇଁ ଏବଂ ଆଉକିଛି ଅଘଟଣ ଘଟିବା ଆଗରୁ ପ୍ରାଣବିକଳରେ ତାର ମୁହଁ ଉପରକୁ ଝାଙ୍କି ପଡୁଥିବା ଚେହେରାଟିର ଗଳାକୁ କାମୁଡ଼ି ଧରିଲା ସରିତା । ଗଁ..ଗଁ ଶବ୍ଦ ଶୁଣି ଛାନିଆ ହେଇଗଲା ଡ୍ରାଇଭର । ତୁରନ୍ତ ବ୍ରେକ କଷି ଗାଡି ଅଟକାଇ ଗେଟଖୋଲି ତଳକୁ ଡେଇଁ ପଡିଲା ଏବଂ ପଛକୁ ନଚାହିଁ ପ୍ରାଣମୂର୍ଚ୍ଛା ଦୌଡ଼ିଦୌଡ଼ି ହଜାଇ ଦେଲା ନିଜକୁ ଆଗକୁ ଲମ୍ବିଯାଇଥିବା ପିଚୁ ସଡ଼କର କେଉଁଗୋଟେ ବୁଲାଣି ପାଖରେ ।
ସରିତାର ଉପର ମାଢିର ଦାନ୍ତସବୁ ଓ ତଳ ମାଢିର ଦାନ୍ତ ସବୁକୁ ଛୁଇଁବାର ଅଳ୍ପ କେଇକ୍ଷଣ ପର୍ଯ୍ୟନ୍ତ ହଲଚଲ ହେଇ ସ୍ଥିର ହେଇଗଲା ମୁହୂର୍ତ୍ତକ ଆଗରୁ ଅଜଗର ଭଳି ତା ଦେହରେ ଗୁଡେ଼ଇ ହେଇ କବଳିତ କରି ନେଉଥିବା ଭୟଙ୍କର ନର ରାକ୍ଷସଟି । ନିଶ୍ଚଳ ଶବ ପିନ୍ଧିଥିବା ପ୍ୟାଣ୍ଟ ପକେଟରେ ହାତ ପୁରାଇ ରୁମାଲଟିଏ ବାହାର କରିଆଣି ମୁହଁରେ ଲାଗିଥିବା ରକ୍ତକୁ ଭଲକରି ପୋଛିସାରି ପୁଣି ସେଇ ପକେଟରେ ପୁରେଇ ଦେଇ ଗାଡିରୁ ଓହ୍ଲାଇ ଆସିଲା ସରିତା । ଡିକି ଟେକି ଟ୍ରଲି ବ୍ୟାଗଟା ବାହାର କରିସାରି ଡିକି ବନ୍ଦ କଲା ଆଉ ଆଗକୁ ପାଦ ବଢ଼େଇଲା ଏଥର । ନିଜ ଜାଣତରେ ଜୀବନରେ କେବେ ଛାରପୋକ ଗୋଟେ ମାରି ନଥିବା ଝିଅ ସରିତା ଏବେ ଖୁବ ନିଶ୍ଚିନ୍ତ ହେଇଯାଇଥିଲା ଯେ ସେ ଖାଲି ସରିତା ନାମ୍ନୀ ଦୁର୍ବଳା ନାରୀଟିଏ ନୁହେଁ, ସେ ନାରାୟଣୀ ଏବଂ ସେ ହିଁ ଦୁର୍ଗତି ନାଶିନୀ ମା' ଦୁର୍ଗା । ତା ନିଜ ଭିତରେ ସେ ଶକ୍ତି ସ୍ୱରୂ ସତେ ଯେପରି,ଏଇ ମାତ୍ର ଅଳ୍ପ ସମୟ ପୂର୍ବରୁ ସରିତା ଭିତରେ ଜାଗି ଉଠିଥିବା ଦେବୀପଣ ସମ୍ମୁଖରେ ବର୍ଷା,ଅନ୍ଧାର,ଭୟ-ଭ୍ରାନ୍ତି ଓ ଦୂରତା ଭଳି ଶବ୍ଦସବୁ ଅତ୍ୟନ୍ତ ଅସହାୟ ହେଇଗଲେ । ଦୁନିଆର ଯେଉଁସବୁ କାମ ତାକୁ କଠିନ ଓ ଅସମ୍ଭବ ମନେ ହେଉଥିଲା ସେସବୁ ସରଳ ଓ ସମ୍ପୂର୍ଣ୍ଣ ସମ୍ଭବ ମନେ ହେଲା । ନବ ପଲ୍ଲବୀତ ଆତ୍ମବିଶ୍ୱାସକୁ ଛାତି ଭିତରେ ଜଡାଇ ଧରି ଆଗକୁ ବଢିଥିବା ସରିତା ବସଷ୍ଟାଣ୍ଡ ଭିତରକୁ ପଶିଲା ବେଳକୁ ଲାଷ୍ଟ ବସ ଷ୍ଟାଣ୍ଡ ଭିତରୁ ବାହାରି ଆସୁଆସୁ ତାକୁ ଦେଖି ଅଟକିବା ମାତ୍ରେ ଲଗେଜେ କ୍ୟାରିୟର ରେ ରଖିବା ପାଇଁ ହେଲ୍ପର ହାତକୁ ଟ୍ରଲିବ୍ୟାଗ ବଢ଼େଇଦେଇ ବସ ଭିତରକୁ ପଶିଯାଇ ସାମ୍ନାରେ ଖାଲିଥିବା ସିଟରେ ବସିପଡି ଦୁଇଆଖି ମୁଦିଦେଇ କିଛି ସମୟ ପୂର୍ବର ଘଟଣାକୁ ସ୍ମୃତି ପଟହରୁ ପୋଛି ପକାଇବାର ପ୍ରୟାସ କଲା ସରିତା । ଶାରଦୀୟ ଶୀତଳ ପବନର ମୃଦୁ ଚୁମ୍ବନ ସଂଚାରି ଚାଲିଥିଲା ଏକ ସ୍ବର୍ଗୀୟ ଶିହରଣ ତା'ର ଗଙ୍ଗା ପରି ପବିତ୍ର ଶରୀରର ପ୍ରତିଟି କୋଷରେ ।