Lipi Sahoo

Children Stories Children

4.8  

Lipi Sahoo

Children Stories Children

ସଦଗୁରୁ

ସଦଗୁରୁ

6 mins
398


ପିଲାମାନେ !! 'ସଦଗୁରୁ' କାହାକୁ କୁହନ୍ତି ଜାଣିଚ ?? ସଦଗୁରୁ ହେଉଛନ୍ତି ସେଇ ବ୍ଯକ୍ତି ଯିଏ ନିଜେ ବ୍ରହ୍ମଜ୍ଞାନୀ ଆଉ ସାଧାରଣ ମଣିଷ ମାନଙ୍କୁ ଆଧ୍ୟାତ୍ମିକ ପଥରେ ପରିଚାଳିତ କରେଇ ଜୀବନର ଚରମ ଲକ୍ଷ ରେ ପହଞ୍ଚାଇ ଦିଅନ୍ତି । ଅର୍ଥାତ୍ ମୋକ୍ଷ ପ୍ରାପ୍ତିରେ ସହାୟକ ହୁଅନ୍ତି । ଆମ ପବିତ୍ର ଭାରତବର୍ଷରେ ଅନେକ ସଦଗୁରୁ ଆବିର୍ଭୂତ ହୋଇଛନ୍ତି । ସେଇଥି ପାଇଁ ଆମ ଭାରତକୁ ଆଧ୍ୟାତ୍ମିକ ଦେଶ ବୋଲି କୁହାଯାଏ । ଆଜି ମୁଁ ସେଇଭଳି ଜଣେ ସଦଗୁରୁଙ୍କ ଜୀବନୀ ଉଲ୍ଲେଖ କରିବି ସଂକ୍ଷେପ ରେ । ତୁମେମାନେ ଖୋଜି ବାହାର କରିବ ସେ ସଦଗୁରୁ କିଏ ?? ତାଙ୍କ ନାମ କ'ଣ ?? ଯିଏ ସଠିକ୍ ନାମ କହିବ ସେ 'ପଣ୍ଡିତ ଶିରୋମଣି' ବୋଲି ଅଭିହିତ ହେବ । ଠିକ୍ ଅଛି ପିଲାମାନେ !! ମୁଁ ଆରମ୍ଭ କରୁଚି 


                  ଅବିଭାଜିତ ବଙ୍ଗର ନଦିୟା ଜିଲ୍ଲାର ମେହରପୁର ମହକୁମାରେ କୁତବପୁର ବୋଲି ଗାଁ ଟିଏ ଅଛି । ବିଭାଜନ ପରେ ବର୍ତ୍ତମାନ ଏହା ବାଙ୍ଗଲାଦେଶ ରେ ଅଛି । ସେଇ ଗାଁରେ ଭୁବନମୋହନ ଭଟ୍ଟାଚାର୍ଯ୍ୟ ବୋଲି ଜଣେ ନୈଷ୍ଠିକ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଧର୍ମପତ୍ନୀଙ୍କ ନାମ ମାଣିକ୍ଯସୁନ୍ଦରୀ । ଦୁହେଁ ଖୁବ୍ ପରୋପକାରୀ ଆଉ ଧର୍ମପରାୟଣ । ହେଲେ ଦୁଃଖ ର ବିଷୟ ସେମାନଙ୍କ ର ବିବାହ ର ୭୵ ୮ ବିତି ଯାଇଥିଲେ ବି ସନ୍ତାନ ନଥିଲେ । ହେଲେ ମାଣିକ୍ଯସୁନ୍ଦରୀ ଗ୍ରାମ ର ସମସ୍ତ ପିଲାଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ପୁତ୍ର ସନ୍ତାନ ପ୍ରାପ୍ତି ନିମିତ୍ତ କାର୍ତ୍ତିକବ୍ରତ ପାଳନ କରିବା ଆରମ୍ଭ କଲେ । ବହୁତ ନିଷ୍ଠାର ସହ ଦୁଇ ବର୍ଷ ବ୍ରତ ପାଳନ କରି ସନ୍ତାନସମ୍ଭବା ହେଲେ । ଗର୍ଭ ଧାରଣ କରିବା ପରେ ପରେ ସେ ଅନେକ ଅଲୌକିକ ସ୍ବପ୍ନ ସବୁ ଦେଖିବାକୁ ଲାଗିଲେ । ପ୍ରସବ ପୂର୍ବରୁ ପିତ୍ରାଳୟ ରାଧାକାନ୍ତପୁର କୁ ଗମନ କଲେ । ୧୮୮୦ ମସିହା ରାକ୍ଷୀପୂର୍ଣିମା ଗୁରୁବାର ରାତିରେ ଏକ ପୁତ୍ର ସନ୍ତାନ ପ୍ରାପ୍ତ ହେଲେ । 


                    ପିତା ଭୁବନମୋହନ ପୁତ୍ର ର ନାମକରଣ ନିମନ୍ତେ ନିଜର କୁଳଗୁରୁ ଭାସ୍କରାନନ୍ଦ ଙ୍କୁ ନିମନ୍ତ୍ରଣ କଲେ । ସେ ପୁତ୍ର ର ନାମକରଣ କଲେ । ଆଉ ତାଙ୍କ କୋଷ୍ଠୀ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ , ୟେ ବଡ ହେଇ ରାଜା ହେବ ନ ହେଲେ ସନ୍ନ୍ୟାସୀ ହେବ । ଭୁବନମୋହନ ଟିକେ ଚିନ୍ତିତ ହେଲେ କାଳେ ପୁତ୍ର ସନ୍ନ୍ୟାସୀ ହେଇଯିବ କି !! ପିଲେ ଏଠାରେ ମୁଁ ଶିଶୁଟି ର ନାମ ଉଲ୍ଲେଖ କଲି ନାହଁ । ତୁମେମାନେ ଖୋଜି ବାହାର କରିବ ମନେ ଅଛି ତ ???


                 ଧୀରେ ଧୀରେ ସେ ବଡ ହେଲେ । ଚାଟଶାଳୀ ରେ ନାମ ଲେଖାଇଲେ । ବାଲ୍ୟକାଳରେ ଖୁବ୍ ଚପଳ ଆଉ ବିଚକ୍ଷଣ ଥିଲେ । ଦିନକର ଘଟଣା ଘର ନିକଟରେ ଥିବା ଚଣ୍ଡି ମଣ୍ଡପ କୁ ସଞ ଦୀପ ଦେବାକୁ ଗଲେ । ହଠାତ୍ ଦୀପଟି ଲିଭିଗଲା ଆଉ ସ୍ବୟଂ ଦଶଭୁଜା ତାଙ୍କ ଆଗରେ ଆବିର୍ଭୂତା ହେଲେ । ଭୟରେ ରେ ଦୀପ ଫିଙ୍ଗି ଦେଇ ଧାଇଁ ପଳେଇ ଆସିଲେ । ମାଁ ତାଙ୍କୁ ବୁଝାଇ ଦେଲେ ମୁଁ ଯେମିତି ତୋର ମାଁ ସେ ସେମିତି ଜଗତର ମାଁ । ମାଁ ଙ୍କୁ କଣ କିଏ ଭୟ କରେ ?? 

                 ମାତୁଳାଳୟ କୁ ଗମନ କଲେ ପରବର୍ତ୍ତୀ ଶିକ୍ଷା ଗ୍ରହଣ ନିମନ୍ତେ । ଦଶ ବର୍ଷ ବୟସରେ ତାଙ୍କ ବ୍ରତୋପନୟନ ହେଲା । ମାମୁଁଘର ଥିବା ସମୟରେ ତାଙ୍କ ମାତୃ ବିୟୋଗ ହେଲା । ମାଁ ମୃତ୍ୟୁ ପୂର୍ବରୁ କହି ଯାଇଥିଲେ ତାକୁ କହିବ ମୁଁ ଜଗଜ୍ଜନନୀ ଙ୍କ କୋଳରେ ତାକୁ ଟେକି ଦେଇ ଯାଉଛି । ଏବେ ସେଇ ମାଁ ତାର ଭାର ନେଲେ ।

                 ହାଇସ୍କୁଲ ଶିକ୍ଷା ସାରି ସେ ସିଭିଲ ଇଞ୍ଜିନିୟରିଙ୍ଗ ରେ ଡିପ୍ଲୋମା କଲେ । ପିତା ତାଙ୍କର ବିବାହ ସୁଧାଂଶୁବାଳା ଙ୍କ ସହ କରେଇ ଦେଲେ । ସେ ସତୀ ସାଧ୍ଵୀ ଆଉ ପତିବ୍ରତା ଥିଲେ । ନାରାୟଣପୁର ରେ ଚାକିରୀ କରିବା ସମୟରେ ହଠାତ୍ ଦିନେ ନିଜ କକ୍ଷରେ ସୁଧାଂଶୁବାଳା ଙ୍କ ଛାୟାମୂର୍ତ୍ତି ଦେଖି ଚମକି ପଡିଲେ । ସେ ଖୁବ୍ ବିଚଳିତ ହେଇ ପଡିଲେ । ନିଶ୍ଚୟ ଘରେ କିଛି ଅଘଟଣ ଘଟିଛି ବୋଲି ଭାବିଲେ । ସତ କୁ ସତ ଗାଁ ରେ ପହଞ୍ଚି ଜାଣିଲେ ଯେତେବେଳ ସେ ଛାୟାମୂର୍ତ୍ତି ଦେଖିଥିଲେ ତାର କିଛ ସମୟ ପୂର୍ବ ରୁ ହିଁ ସୁଧାଂଶୁବାଳା ଦେହତ୍ୟାଗ କରିଥିଲେ । ଏଇ ଘଟଣା ପରଠାରୁ ତାଙ୍କ ଜୀବନର ମୋଡ ବଦଳି ଯାଇଥିଲା । ଆହୁରି ୨୵୪ ଥର ପତ୍ନୀଙ୍କ ଛାୟାମୂର୍ତ୍ତି ଦେଖିଲେ ଆଉ କଥୋପକଥନ ବି କଲେ । ବ୍ୟାକୁଳ ହୋଇ ଉଠିଲେ ଜାଣିବା ପାଇଁ ମୃତ୍ଯୁ ପରେ ଆତ୍ମାର କଣ ହୁଏ ସେ କୋଉଠି ରୁହେ । ତାର ଗତି କଣ ??? 

                 ସେ ପରକାଳ ବିଷୟରେ ଅଧିକ ଜାଣିବା ପାଇଁ ମାଡ୍ରାସ ର ଥିଓସୋଫିକଲ ସୋସାଇଟିରେ ଜଏନ୍ କଲେ ।ଅଳ୍ପଦିନ ଭିତରେ ସମସ୍ତ ଶିକ୍ଷା ଅକ୍ତିଆର କରିଦେଲେ । ହେଲେ ତାଙ୍କ ପିପାସା ମେଣ୍ଟିଲା ନାହିଁ । ସେ ପୁଣି ଘୂରି ବୁଲିଲେ । ଦିନେ ସ୍ବପ୍ନ ରେ ଗୋଟେ ମନ୍ତ୍ର ପ୍ରାପ୍ତ ହେଲେ ଜଣେ ସାଧୁଙ୍କ ଠାରୁ । ହେଲେ କେହି ହେଲେ ସେ ମନ୍ତ୍ର ଜପର ବିଧି ବିଷୟରେ କହି ପାରିଲେନି । ଶେଷରେ ଆତ୍ମହତ୍ୟାର ସଂକଳ୍ପ ନେଲେ । ସେଇ ଦିନ ପୁଣି ସ୍ବପ୍ନ ରେ ନିଜ ଗୁରୁଙ୍କ ବିଷୟରେ ଅବଗତ ହେଲେ ।

                 ମହାନ୍ ତାନ୍ତ୍ରିକ ବାମାକ୍ଷେପା ତାଙ୍କୁ ଶିଷ୍ଯ ରୂପେ ଗ୍ରହଣ କରି ସେଇ ନିର୍ଦ୍ଧିଷ୍ଟ ମନ୍ତ୍ର ରେ ପ୍ରାଣ ପ୍ରତିଷ୍ଠା କଲେ । ଚିତ୍ତାସାଧନା କରାଇ ଜଗଜ୍ଜନନୀ ଙ୍କ ସହ ତାଙ୍କ ସାକ୍ଷାତ କରେଇ ଦେଲେ । ସ୍ବୟଂ ଜଗଜ୍ଜନନୀ ତାଙ୍କ ସ୍ତ୍ରୀ ରୂପରେ ଯେତେବେଳ ସେ ଇଚ୍ଛା କରିବେ ଦେଖା ଦେବେ ବୋଲି କଥା ଦେଲେ । ଯେତେବେଳ ବାରମ୍ବାର ଦେଖିଲେ ମାଁ ତାଙ୍କ ଦେହରୁ ବାହାରି ତାଙ୍କ ଦେହରେ ପୁଣି ମିଶି ଯାଉଛନ୍ତି । ସେତେବେଳ ତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଲା । ସେ ପୁଣି ବାମାକ୍ଷେପାଙ୍କ ପାଖକୁ ଗଲେ । ସେ ଜ୍ଞାନ ସାଧନା କରିବାକୁ ଉପଦେଶ ଦେଲେ । 

                ପୁଣି ଘୂରି ବୁଲିଲେ ଗୁରୁ ପାଇବା ପାଇଁ । ଯେଉଁ ସାଧୁ ସ୍ବପ୍ନ ରେ ମନ୍ତ୍ର ପ୍ରଦାନ କରିଥିଲେ ସେଇ ସାଧୁଙ୍କୁ ଏକ ଧର୍ମ ସଭାରେ ଦେଖିଲେ । ତାଙ୍କ ପାଦ ଧରି ପଡିଗଲେ । ସମସ୍ତ ଘଟଣା ବଣ୍ଣନା କରି ତାଙ୍କୁ ଗୁରୁ ରୂପରେ ବରଣ କଲେ । ସେ ହେଉଛନ୍ତି ସ୍ବାମୀ ସଚ୍ଚିଦାନନ୍ଦ ସରସ୍ଵତୀ । ସେଇଠାରେ ସନ୍ନ୍ୟାସ ଗ୍ରହଣ କରି ଜ୍ଞାନ ପ୍ରାପ୍ତ ହେଲେ । ସଚ୍ଚିଦାନନ୍ଦ କହିଲେ ତମେ ଯେଉଁ ଜ୍ଞାନ ଆହରଣ କଲ ତାକୁ ଉପଲବ୍ଧି କରିବା ପାଇଁ ଯୋଗ ଶିକ୍ଷା କରିବାକୁ ପଡିବ । ଯୋଗୀଗୁରୁ ଖୋଜି ଯୋଗ ଶିକ୍ଷା କର । 


                ଯୋଗଗୁରୁ ଖୋଜି ଖୋଜି ଆସି ପହଞ୍ଚିଲେ ନିଘଞ୍ଚ ଅରଣ୍ୟ ଭିତରେ । ରାତି ହେଇ ଯିବାରୁ ଏକ ବୃକ୍ଷ କୋଟର ରେ ଆଶ୍ରୟ ନେଲେ । ସକାଳେ ଉଠି ଦେଖିଲେ । ଜଣେ ବ୍ୟକ୍ତି ବୃକ୍ଷ ତଳେ ବସି ଚିଲମ ଟାଣୁଛନ୍ତି । ଓହ୍ଲାଇ ତାଙ୍କ ପାଖକୁ ଗଲେ । ସେଇ ଥିଲେ ତାଙ୍କ ଯୋଗଗୁରୁ ସୁମେରୁ ଦାସ ଜୀ । ତାଙ୍କ ଠାରୁ ଯୋଗର ସମସ୍ତ ଶିକ୍ଷା ଶେଷ କଲେ ତିନିମାସ ଭିତରେ । ସେ କହିଲେ ଏବେ ତୁମେ ଯାହା ସବୁ ଶିକ୍ଷା କଲ ଅନୁଶୀଳନ କର । ଏଥି ନିମନ୍ତେ ପୁଷ୍ଟିକର ଖାଦ୍ଯ ଆବଶ୍ୟକ । କୌଣସି ଗୃହସ୍ଥ ଙ୍କ ଆଶ୍ରୟ ନେଇ ସାଧନାକୁ ଜାରି ରଖ । ଅଚିରେ ନିର୍ବିକଳ୍ପ ସମାଧି ଲାଭ କରିବ । 


                  ପିଲାମାନେ !! ନିର୍ବିକଳ୍ପ ସମାଧି ହେଉଛି ସମସ୍ତ ସାଧନାର ଚରମ ପରିଣତି । ଯେଉଁଠାରେ ବ୍ରହ୍ମ ସାକ୍ଷାତକାର ହୁଏ । ସେହିଠାରୁ କହି ଫେରନ୍ତି ନାହିଁ । ବ୍ରହ୍ମରେ ଲୀନ ହେଇ ଯାଆନ୍ତି । ଯିଏ ଫେରି ଆସନ୍ତି ସିଏ ଗୁରୁ ରୂପରେ ପ୍ରତିଷ୍ଠିତ ହୁଅନ୍ତି । ତାଙ୍କୁ ହିଁ କୁହାଯାଏ ସଦଗୁରୁ ।


                କାମାକ୍ଷା ର ଯଜ୍ଞେଶ୍ବର ବିଶ୍ବାସ ଙ୍କ ଗୃହରେ ରହି ସେ ଯୋଗ ସାଧନା କଲେ । ଯଜ୍ଞେଶ୍ବର ବାବୁଙ୍କ ପତ୍ନୀ ପୁତ୍ରବତ୍ ତାଙ୍କର ଯତ୍ନ ନେଲେ । ସୁଷମ ଖାଦ୍ୟପେୟ ର ବ୍ୟବସ୍ଥା କଲେ । ଦିନେ କାମାକ୍ଷା ପାହାଡରେ ବସି ଯୋଗ ସାଧନା କରୁ କରୁ ନିର୍ବିକଳ୍ପ ସମାଧି ଲାଭ କଲେ । ଆଉ 'ମୁଁ ଗୁରୁ' ଏଇ ଭାବ ନେଇ ଫେରି ଆସିଲେ । 

                କୁମ୍ଭମେଳାରେ ସଚ୍ଚିଦାନନ୍ଦ ଙ୍କ ସହ ଦେଖାହେଲା । ସେ ସମୟର ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ଉପସ୍ଥିତ ଥିଲେ । ସେ ତାଙ୍କ ଜ୍ଞାନର ପରୀକ୍ଷା ନେଇ ପରମହଂସତ୍ବ ପ୍ରଦାନ କଲେ ଆଉ ତାଙ୍କ ସନ୍ନ୍ୟାସୀ ଦଣ୍ଡୀ କାଢି ଦିଆଗଲା । ସଚ୍ଚିଦାନନ୍ଦ ତାଙ୍କୁ ଗୁରୁଭାର ଅର୍ପଣ କଲେ ।


                ପରବର୍ତ୍ତୀ ସମୟରେ କାଶୀରେ ମାତା ଅନ୍ନପୂର୍ଣ୍ଣା ଙ୍କୁ ପରୀକ୍ଷା କରିବାକୁ ଯାଇ ତାଙ୍କ ସାକ୍ଷାତକାର ପାଇଲେ । ସେହିଠାରେ ଅନ୍ନପୂର୍ଣ୍ଣା କହିଲେ ତଥାପି ତୋର ସାଧନା ପୂର୍ଣ୍ଣ ହେଇ ନାହିଁ । ଭଗବାନ ଙ୍କ ଲୀଳା ଜଗତ ବିଷୟରେ ଏବେ ବି ତୁ ଅନଭିଜ୍ଞ । ଭାବ ସାଧନା କର ତେବେ ଯାଇ ତୁ ପୂର୍ଣ୍ଣ ଜ୍ଞାନରେ ପ୍ରତିଷ୍ଠିତ ହେବୁ । 


                ଏକଦା ଜ୍ଞାନ ସାଧନା ପରେ ସଚ୍ଚିଦାନନ୍ଦ ଙ୍କ ସହ ତୀର୍ଥ ଭ୍ରମଣ ରେ ଥିବା ସମୟରେ ଗୌରୀ ମା ଙ୍କ ସହ ସାକ୍ଷାତ ହେଇଥିଲା । ସେ କହିଥିଲେ ତମେ ଯଦି କେବେ ନିର୍ବିକଳ୍ପ ସମାଧି ଲାଭ କର ତେବେ ଆସି ମୋ ସହ ସାକ୍ଷାତ କରିବ । ତାଙ୍କର ସେଇ କଥା ମନେ ପଡିଲା । ସେ ଯାଇ ଗୌରୀ ମା ଙ୍କ ପାଖରେ ପହଞ୍ଚିଲେ । ଗୌରୀ ମାଁ ଙ୍କ ଗୋଟିଏ ସ୍ପର୍ଶ ମାତ୍ରେ ହିଁ ସେ ଭାବ ସମାଧି ଲାଭ କଲେ । କୁହାଯାଏ ସେ ସମୟରେ ଗୌରୀ ମାନଙ୍କ ପ୍ରକୃତ ବୟସ ଚାରି ଶହ ବର୍ଷ ଥିଲା । କିନ୍ତୁ ସେ ୨୫୵୨୬ ବର୍ଷ ବୟସ୍କା ଦେଖା ଯାଆନ୍ତି । ସେ କାଶ୍ମୀର ର ବ୍ରାହ୍ମଣ କନ୍ୟା ଥିଲେ । ସେ ନିଜର ସମସ୍ତ ସାଧନାର ଶକ୍ତିକୁ ତାଙ୍କ ଭିତରକୁ ସଂଚାରିତ କରି ଦେଇଥିଲେ । ସେଇଥି ପାଇଁ ଗୋଟିଏ ଦିନରେ ହିଁ ଭାବ ସାଧନା ସଂପର୍ଣ୍ଣ ହେଇ ଯାଇଥିଲା ।

                ସେ ଏକମାତ୍ର ଗୁରୁ ଯିଏ ତନ୍ତ୍ର ସାଧନା , ଜ୍ଞାନ ସାଧନା , ଯୋଗ ସାଧନା ଓ ଭାବ ସାଧନା ମାତ୍ର ତିନିବର୍ଷ ଭିତରେ କରିଥିଲେ । ଭଗବତ ପ୍ରାପ୍ତି ନିମନ୍ତେ ଯେଉଁ ଚାରିପଥ ଅଛି ସେ ସମସ୍ତ ସାଧନା ସେ କରିଥିଲେ । ତେଣୁ ସେ ସାର୍ବଭୌମ ଗୁରୁ । ପିଲେ !! ଏଥର ତମେମାନେ ଖୋଜି ବାହାର କର ୟେ ଗୁରୁ କିଏ ?? ତାଙ୍କ ନାମ କଣ ?? 


                   

                

                



Rate this content
Log in