Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ଗୋକର୍ଣ୍ଣ ଉପାଖ୍ୟାନ

ଗୋକର୍ଣ୍ଣ ଉପାଖ୍ୟାନ

6 mins
434


ଶ୍ରୀପଦ୍ମପୁରାଣରୁ ଭାଗବତ ମହିମା କଥନର ଏକ ସୁନ୍ଦର ଉପାଖ୍ୟାନ । ନୈମିଷାରଣ୍ୟର ୠଷିମାନେ ସମବେତ ହୋଇ ଭାଗବତ ପାରାୟଣ କରୁଥାନ୍ତି । ଦିନେ, ଦେବର୍ଷି ନାରଦ ଆସି ସେଠାରେ ଉପସ୍ଥିତ ହୋଇ ପ୍ରଶ୍ନ କଲେ, ତୁମେମାନେ ଯେଉଁ ଭାଗବତ ଚର୍ଚ୍ଚା କରୁଛ ଏହାଦ୍ବାରା ଲାଭ କଅଣ । ଭାଗବତ ଶ୍ରବଣ ଦ୍ୱାରା କଅଣ କେହି କେବେ ପୂର୍ବେ ପବିତ୍ର ହୋଇଛନ୍ତି । ସମବେତ ୠଷିମାନେ କହିଲେ, ହେ ମୁନିବର ! ଆମେ ଆପଣଙ୍କୁ ଏହି ସମ୍ପର୍କୀୟ ଏକ ପ୍ରାଚୀନ ଇତିହାସ ଶୁଣାଉଛୁ ।


ପୂର୍ବକାଳରେ ତୁଙ୍ଗଭଦ୍ରା ନଦୀକୁଳରେ ଏକ ସୁନ୍ଦର ନଗରଥିଲା । ସେଠାରେ ସମସ୍ତେ ଧର୍ମାଚାରୀ ଏବଂ ସତ୍ କର୍ମରେ ଲିପ୍ତ ଥିଲେ । ନଗରରେ ଆତ୍ମଦେବ ନାମରେ ଜଣେ ଶାସ୍ତ୍ରଜ୍ଞ ବ୍ରାହ୍ମଣ ବାସ କରୁଥିଲେ । ସେ ଧନବାନ୍ ହୋଇ ସୁଦ୍ଧା, ପୁରୋହିତ କର୍ମକରି ଜୀବିକା ନିର୍ବାହ କରୁଥିଲେ । ବ୍ରାହ୍ମଣଙ୍କ ଧର୍ମ ପତ୍ନୀ ଥିଲେ ଧୁନ୍ଦୁଲୀ । ଧୁନ୍ଦୁଲୀ ଥିଲେ କୁଳୀନା ଓ ସୁନ୍ଦରୀ କିନ୍ତୁ ସର୍ବଦା କଳହ ପ୍ରୀୟ । ତା' ସହିତ ସେ ଥିଲେ ଅତ୍ୟନ୍ତ ଲୋଭି । ତାଙ୍କ ସୁଖି ପରିବାରରେ ଗୋଟିଏ ଦୁଃଖ ଥିଲା ତାଙ୍କର ସନ୍ତାନ ସନ୍ତତି ନଥିଲା ।


ସନ୍ତାନଟିଏ ପାଇବାପାଇଁ ସେ ନାନା ଦାନଧର୍ମ କରି ତାଙ୍କର ଅର୍ଦ୍ଧାଧିକ ସମ୍ପତ୍ତି ସାରି ଦେଲେ । କିନ୍ତୁ କିଛି ଲାଭ ହେଲାନାହିଁ । ବ୍ରାହ୍ମଣ ଅତ୍ୟନ୍ତ ଦୁଃଖିତ ହୋଇ ଦିନେ ଘରଛାଡ଼ି ବଣକୁ ଚାଲିଗଲେ । ସେ ଚାଲିଛନ୍ତି ତାଙ୍କୁ ବାଟରେ ବଡ଼ ଶୋଷ ଲାଗିଲା । ସେ ଗୋଟିଏ ପୋଖରୀ କୂଳରେ ପହଞ୍ଚିଲେ ଓ ପାଣିପିଇ ସେଇଠି ବସି ରହିଲେ । ଏହି ସମୟରେ ଜଣେ ସାଧୁ ମହାତ୍ମା ଜଳପାନ ପାଇଁ ସେଠାକୁ ଆସିଲେ । ବ୍ରାହ୍ମଣ ସାଧୁଙ୍କ ପାଖକୁ ଯାଇ ପ୍ରଣାମକଲେ । ସେ ଅତ୍ୟନ୍ତ ଦୁଃଖୀତ ଥିବା ଦେଖି, ସାଧୁ କାରଣ କଅଣ ପଚାରିଲାରୁ ସେ କହିଲେ,ହେ ମହାତ୍ମା ! ମୋ କୂଳରେ ପିତୃ ପୁରୁଷଙ୍କୁ ତୀଳାଞ୍ଜଳୀ ଦେବା ପାଇଁ କେହିନାହିଁ । ସେଥି ପାଇଁ ମୁଁ ବଡ଼ ଦୁଃଖି ହୋଇ ଯାଇଛି । ଏପରିକହି ସେ ଭୋ ଭୋ କରି କାନ୍ଦି ପକାଇଲେ ।


ସାଧୁମହାତ୍ମା ବ୍ରାହ୍ମଣର ଦୁଃଖ ଦେଖି କହିଲେ, ଧ୍ୟାନ ବଳରେ ମୁଁ ଜାଣି ପାରୁଛି ପ୍ରାରବ୍ଧ କର୍ମ ହେତୁ ସାତ ଜନ୍ମ ଯାଏ ତୁମ ଭାଗ୍ୟରେ କୌଣସି ସନ୍ତାନ ସନ୍ତତି ନାହିଁ । ଏଣୁ ତୁମେ ଏ ସଂସାର ମାୟା ଛାଡ଼ି ସନ୍ନ୍ୟାସ ଗ୍ରହଣ କର ଓ ସୁଖରେ କାଳାତିପାତ କର । ବ୍ରାହ୍ମଣ କହିଲେ ଆପଣ ସିଦ୍ଧ ପୁରୁଷ । ଆପଣ ଇଛାକଲେ ଯୋଗ ଶକ୍ତି ବଳରେ ମୋତେ ଏକ ସନ୍ତାନ ପ୍ରଦାନ କରି ପାରିବେ । ଆପଣ ଦୟାକରି ମୋତେ ପୁତ୍ରଟିଏ ଦିଅନ୍ତୁ ନୋହିଲେ ମୁଁ ଏଇଠି ଆତ୍ମାହୁତି ଦେବି ।


ସାଧୁ ବ୍ରାହ୍ମଣ ଆତ୍ମଦେବଙ୍କ ଜିଦ୍ ଦେଖି ତାଙ୍କୁ ଫଳ ଗୋଟିଏ ଦେଇ କହିଲେ," ନିଅ, ଏହି ଫଳକୁ ତୁମ ପତ୍ନୀଙ୍କୁ ଖାଇବାକୁ ଦେବ, ଏକବର୍ଷ ସେ ସଦାଚାର ମଧ୍ୟରେ ରହିଲେ, ତାଙ୍କ ଗର୍ଭରୁ ଗୁଣବାନ ପୁଅଟିଏ ଜନ୍ମହେବ । ଆତ୍ମଦେବ ଫଳକୁ ନେଇ ଆନନ୍ଦରେ ଘରକୁ ଚାଲିଗଲେ ଓ ପତ୍ନୀଙ୍କୁ ସମସ୍ତ କଥା ବୁଝାଇ ଫଳଟି ଦେଇ ଅନ୍ୟ କାମରେ ଚାଲିଗଲେ ।

ଧୁନ୍ଦୁଲୀ ଫଳଟି ପାଇ ତାର ଜଣେ ସଖିକୁ କହିଲା, ଦୂର୍ ଏ ଗର୍ଭ କଷ୍ଟ କିଏ ସହିବ, ବନ୍ଧ୍ୟା ରହିବା ହିଁ ଭଲ । ଏମିତି ଚିନ୍ତାକରି ସେ ଆଉ ଫଳକୁ ଖାଇଲା ନାହିଁ । ଦିନେ ଧୁନ୍ଦୁଲୀ ଘରକୁ ତା ଭଉଣୀ ଆସିଲା । ସେ ତାକୁ ସମସ୍ତ କଥା କହିବାରୁ ଭଉଣୀ କହିଲା, ଏବେ ମୁଁ ଗର୍ଭବତୀ ଅଛି । ମିଛରେ ଗର୍ଭ ହୋଇଛି ବୋଲି ତୁ ଛଳନାକର । ମୋର ପୁଅ ହେଲେ ତାକୁ ମୁଁ ତୋତେ ଦେଇଦେବି । ଆଉ ଏ ଫଳଟିର ସତ୍ୟା ସତ୍ୟ ପରୀକ୍ଷା କରିବା ପାଇଁ ତୁ ତାକୁ ତୋ ଗାଈକୁ ଖୁଆଇ ଦେ । 

କିଛିଦିନ ପରେ ଭଉଣୀର ପୁଅ ହେବାରୁ ସେ ଆଣି ତାକୁ ଧୁନ୍ଦୁଲୀ ପାଖରେ ପହଞ୍ଚାଇ ଦେଲା । ସ୍ତନରେ କ୍ଷୀର ହେଉ ନାହିଁ ସ୍ୱାମୀଙ୍କୁ କହି, ଧୁନ୍ଦୁଲୀ କହିଲା, ମୋ ଭଉଣୀର ପୁଅଟିଏ ହୋଇ ମରିଯାଇଛି । ତାକୁ ପୁଅଟିର ପୋଷଣ ପାଇଁ ଆମ ଘରକୁ ଘେନି ଆସ । ତାହାହିଁ ହେଲା । ପୁତ୍ର ପ୍ରାପ୍ତିରେ ଆନନ୍ଦଉତ୍ସବ କରି ଆତ୍ମଦେବ ତାର ନାମ ରଖିଲେ ଧୁନ୍ଦୁକାରୀ ।


ଏପଟେ ତିନି ମାସ ପରେ ସେ ଗାଈ ଗର୍ଭରୁ ମଣିଷ ଛୁଆଟିଏ ଜନ୍ମହେଲା । ଗାଈଠାରୁ ପୁଅହେବା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇ ଦେଖିବା ପାଇଁ ଧାଇଁଲେ । ସମସ୍ତେ ଆତ୍ମଦେବଙ୍କୁ ଭାଗ୍ୟବାନ ବୋଲି କହିଲେ ।

କିନ୍ତୁ କାହାକୁ ପଛରେ ଥିବା ରହସ୍ୟ ଜଣା ନଥିଲା । ବାଳକଟିର କାନ ଗୋରୁ କାନ ପରି ହୋଇ ଥିବାରୁ ଆତ୍ମଦେବ ତାର ନାମ ରଖିଲେ ଗୋକର୍ଣ୍ଣ ।


କାଳକ୍ରମେ ଦୁଇବାଳକ ବଡ଼ ହେଲେ । ଗୋକର୍ଣ୍ଣ ବିଦ୍ୟା ସାଧନା କରି ଜଣେ ବିଦ୍ୱାନ ହୋଇ ଗଲେ । ଧୁନ୍ଦୁକାରୀ କିନ୍ତୁ ପାଠସାଠ ନପଢ଼ି ଦୁଷ୍ଟ ଦୁରାଚାରୀ ହୋଇଗଲେ । ନାନା କୁସଙ୍ଗ କରି ବେଶ୍ୟା ଗମନ କରି ପିତାଙ୍କ ଧନ ସମ୍ପତ୍ତି ଉଡ଼ାଇ ଦେଲା । ଏଭଳି କୁପୁତ୍ରର କଥା ଭାଳିଭାଳି ଦିନେ ଆତ୍ମାଦେବ କାନ୍ଦୁ ଥାନ୍ତି ଏହିସମୟରେ ଆସି ଗୋକର୍ଣ୍ଣ ପହଞ୍ଚିଗଲେ । ପରମ ଜ୍ଞାନୀ ଗୋକର୍ଣ୍ଣ ପିତାଙ୍କୁ ଏ ଭବ ସଂସାରର ଆସାରତା ବିଷୟରେ ବହୁତ ବୁଝାଇଲେ । ପିତାଙ୍କୁ ସେ କହିଲେ ଆପଣ ଏ ମାୟା ସଂସାର ତ୍ୟାଗକରି ଅରଣ୍ୟକୁ ଚାଲି ଯାଆନ୍ତୁ । ସେଠାରେ ରହି ଆପଣ ଭଗବତ୍ ଚିନ୍ତନ ଭଜନ କରନ୍ତୁ । ତାହାହିଁ ପରମାର୍ଥ ପ୍ରାପ୍ତିର ପନ୍ଥା । ଆତ୍ମଦେବ ପୁଅ କଥାମାନି ତାହାହିଁ କଲେ ଓ ଅରଣ୍ୟରେ ରହି ଭଗବତ୍ ଚିନ୍ତନ ଦ୍ଵାରା ଅନ୍ତଃ କାଳରେ ଭଗବତ୍ ପ୍ରାପ୍ତି ହେଲେ ।

ଧୁନ୍ଦୁକାରୀର ପ୍ରବଳ ଅତ୍ୟାଚାର ସହ୍ୟ କରି ନପାରି ଦିନେ ତା ମାଆ କୂଅକୁ ଡେଇଁ ପଡ଼ିଲେ । ଧୁନ୍ଦୁକାରୀ ପାଞ୍ଚଜଣ ବେଶ୍ୟାଙ୍କ ସହ ରହୁଥାଏ । ସେ ପ୍ରତି ଦିନ ଚୋରି କରି ଆଣି ନାନା ସାମଗ୍ରୀ ବେଶ୍ୟା ମାନଙ୍କ ତୃପ୍ତି ନିମନ୍ତେ ଯୋଗାଇ ଦେଉଥାଏ । ଦିନେ ସେହି ବେଶ୍ୟାମାନେ ଚିନ୍ତାକଲେ ଆରେ ଏଇଟାତ ଚୋରି କରୁଛି । ଦିନେ ନା ଦିନେ ଧରାପଡିି ରାଜାଙ୍କ ଠାରୁ ପ୍ରାଣଦଣ୍ଡ ପାଇବ । ସେତେ ବେଳେ ଆମର ଅବସ୍ଥା କ'ଣ ହେବ । ଏପରି ବିଚାରକରି ଦିନେ ସେମାନେ ଧୁନ୍ଦୁକାରୀ ପାଟିରେ ରଡ଼ନିଆଁ ପୁରାଇ ମାରିଦେଲେ ଓ ଗୋଟିଏ ଗାତଖୋଳି ତାକୁ ପୋତିଦେଇ ପଳାଇ ଗଲେ । ଧୁନ୍ଦୁକାରୀ ନିଜର କୁ କର୍ମ ହେତୁ ଗୋଟିଏ ଭୟଂକର ପ୍ରେତ ହୋଇଗଲା ଏଵଂ ଅଶାନ୍ତ ହୋଇ ଆଶ୍ରୟହୀନ ଭାବେ ବୁଲି ଲାଗିଲା ।


କିଛିଦିନପରେ ଗୋକର୍ଣ୍ଣ ଧୁନ୍ଦୁକାରୀର ମୃତ୍ୟୁ ସମ୍ବାଦ ପାଇ ତା' ଆତ୍ମାର ସଦଗତି ପାଇଁ ଗୟା ତଥା ଅନ୍ୟ ତୀର୍ଥରେ ପିଣ୍ଡ ଦାନ କଲେ । ପିଣ୍ଡ ଦାନ ଶେଷ କରି ସେ ନିଜ ଘରକୁ ଫେରି ଆସି ରାତିରେ ଶୋଇଛନ୍ତି, ତାଙ୍କୁ ଧୁନ୍ଦୁକାରୀର ପ୍ରେତାତ୍ମା ବିଭିନ୍ନ ରୂପରେ ଆସି ଭୟଭୀତ କରାଇଲା । କୌଣସି ଏକ ଦୁର୍ଗତି ପ୍ରାପ୍ତ ଆତ୍ମା ଭାବି, ଗୋକର୍ଣ୍ଣ ତାଙ୍କୁ ପ୍ରଶ୍ନ କଲେ ତୁ କିଏ ? ତୁ କୌଣସି ପ୍ରେତ ନା ପିଶାଚ ନା ରାକ୍ଷସ? ତୋର ଏପରି ଦଶା କିପରି ହେଲା ?


ପ୍ରେତ କିଛି କହି ନପାରି ଠାରରେ ଇସାରା କଲା । ଗୋକର୍ଣ୍ଣ ତା ଉପରକୁ କିଛି ଅଭିମନ୍ତ୍ରିତ ଜଳ ଫିଙ୍ଗି ଦେବାରୁ ସେ 'ମୁଁ ତୁମ ଭାଇ' ବୋଲି କହି ତାହାର ସମସ୍ତ ବୃତ୍ତାନ୍ତକହିଲା । ଗୋକର୍ଣ୍ଣ କହିଲେ, ତୁମର ମୋକ୍ଷପାଇଁ ମୁଁ ତ ଗୟା ଆଦି ତୀର୍ଥରେ ପିଣ୍ଡ ଦାନ କଲି । ମାତ୍ର, ତୁମର ମୋକ୍ଷ ହେଲା ନାହିଁ କିପରି ? ପ୍ରେତ କହିଲା, ଶତଶତ ଗୟାପିଣ୍ଡରେ ମଧ୍ୟ ମୋର ଏ କଳୁଷିତ ଆତ୍ମା ମୋକ୍ଷ ହେବ ନାହିଁ ।


ପରଦିନ ସକାଳ ହେଲା । ଗୋକର୍ଣ୍ଣ ଆସିଛନ୍ତି ଶୁଣି, ଲୋକମାନେ ଆସି ରୁଣ୍ଡ ହେଲେ ଓ କାଲି ରାତିରେ ଘଟି ଯାଇଥିବ ଘଟଣା, ଅବଗତ ହେଲେ । ସଭିଙ୍କ ମଧ୍ୟରେ ବିଚାର ପଡ଼ିଲା ଧୁନ୍ଦୁକାରୀର ଆତ୍ମା କିପରି ମୋକ୍ଷ ହେବ । ସମସ୍ତେ ଚିନ୍ତାକରି କୌଣସି ଉପାୟ ପାଇଲେ ନାହିଁ । ଶେଷକୁ ସ୍ଥିରହେଲା ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରାଯାଉ । ଗୋକର୍ଣ୍ଣ ନିଜ ଯୋଗ ବଳରେ ସୂର୍ଯ୍ୟଙ୍କ ଗତି ରୋଧ କରି ପ୍ରାର୍ଥନା କରିବାରୁ ସୂର୍ଯ୍ୟ କହିଲେ ଧୁନ୍ଦୁକାରୀ ଆତ୍ମାର ଏକମାତ୍ର ମୁକ୍ତିର ମାର୍ଗ ଭାଗବତ ଶ୍ରବଣ । ଏଣୁ ତୁମେ ଏକ ଭାଗବତ ସପ୍ତାହର ଆୟୋଜନ କର ।

ଭାଗବତ ସପ୍ତାହ ଆରମ୍ଭ ହେଲା । ଗୋକର୍ଣ୍ଣ ବ୍ୟାସ ଆସନରେ ବସି ଭାଗବତ ପଢ଼ିଲେ । ଅନେକ ଆଡୁ ଲୋକ ଆସି ରୁଣ୍ଡ ହେଲେ ଭାଗବତ ଶୁଣିବା ପାଇଁ । ସେଠାରେ ଆସି ପହଞ୍ଚିଗଲା ଧୁନ୍ଦୁକାରିର ପ୍ରେତାତ୍ମା । କିନ୍ତୁ ସେ ବସିବ କେଉଁଠି? କୁଆଡେ଼ ସ୍ଥାନ ନ ପାଇ ସେଠାରେ ପଡ଼ିଥିବା ଗୋଟିଏ ସାତଗଣ୍ଠିଆ ବାଉଁଶ ଭିତରେ ପଶି ରହି ଭାଗବତ ଶୁଣିଲା । 


କେହି କିଛି ଜାଣି ପାରିଲେ ନାହିଁ । ସେଦିନ ପ୍ରଥମ ଦିନର ସନ୍ଧ୍ୟାରେ ଭାଗବତ ଶେଷ ହେଲାରୁ ସେହି ବାଉଁଶର ଗୋଟିଏ ଗଣ୍ଠି "ଠୋ" କରି ଫାଟି ଗଲା । ଏହିପରି ସାତଦିନରେ ବାଉଁଶର ସାତଟିଯାକ ଗଣ୍ଠି ଫାଟି ଗଲା । ଧୁନ୍ଦୁକାରୀ ବାର ସ୍କନ୍ଦ ଭାଗବତ ଶୁଣି ସେତେବେଳକୁ ପ୍ରେତ ଯୋନିରୁ ମୁକ୍ତ ହୋଇ ସାରି ଥାଏ, ସେ ସମସ୍ତଙ୍କ ସମ୍ମୁଖରେ ଏକ ଦିବ୍ୟରୂପରେ ପ୍ରକଟ ହୋଇଗଲେ । ସେ ସାନ ଭାଇ ଗୋକର୍ଣ୍ଣକୁ ପ୍ରଣାମକରି କହିଲେ, ଏହି ପ୍ରେତପୀଡ଼ା ନାଶକାରୀ ଶ୍ରୀମଦ୍ଭାଗବତ କଥା ସତରେ ଧନ୍ୟ । ତୁମେ ତାହା ଶୁଣାଇ,ମୋତେ ପ୍ରେତ ଯୋନିରୁ ମୁକ୍ତ କରିଦେଲ । ଏହି ସମୟରେ ସେଠାରେ ବୈକୁଣ୍ଠପୁରରୁ ବିଷ୍ଣୁଦୂତ ମାନଙ୍କ ସହ ଗୋଟିଏ ମଣିମୟ ଦିବ୍ୟବିମାନ ଆସି ପହଞ୍ଚିଲା ଓ ଧୁନ୍ଦୁକାରୀ ସେ ବିମାନରେ ଆରୋହଣ କରି ବୈକୁଣ୍ଠ ଗମନ କରିବାକୁ ପ୍ରସ୍ତୁତ ହେଲେ । 


ଏହା ଦେଖି ଗୋକର୍ଣ୍ଣ ବିଷ୍ଣୁଦୂତମାନଙ୍କୁ ପ୍ରଶ୍ନ କଲେ, ଶ୍ରୀମଦ୍ ଭାଗବତ କଥା ତ ସମସ୍ତେ ଶୁଣିଲେ, କିନ୍ତୁ ଧୁନ୍ଦୁକାରୀ ଏକଲା କାହିଁକି ସ୍ଵର୍ଗକୁ ଯାଉଛନ୍ତି । ବିଷ୍ଣୁ ଦୂତମାନେ କହିଲେ," ହଁ ସମସ୍ତେ ଶ୍ରବଣ କରିଛନ୍ତି ଠିକ୍ କିନ୍ତୁ ଧୁନ୍ଦୁକାରୀ ଭଳି ସମସ୍ତେ ଭାଗବତ କଥା ମନନ କରି ନାହାଁନ୍ତି । ତୁମେ ପୁନର୍ବାର ଏହି ଲୋକମାନଙ୍କୁ ଭାଗବତକଥା ଶୁଣାଅ , ସେମାନେ ଏହାକୁ ଠିକ୍ ଭାବେ ମନନ କରି ପାରିଲେ ସ୍ଵୟଂ ଭଗବାନ୍ ଆସି ତାଙ୍କୁ ଗୋଲକ ଧାମକୁ ନେଇଯିବେ । ଏପରି କହି ବିଷ୍ଣୁ ଦୂତମାନେ ହରି କୀର୍ତ୍ତନ କରି ବିମାନରେ ଧୁନ୍ଦୁକାରୀକୁ ବୈକୁଣ୍ଠ ଧାମକୁ ଘେନିଗଲେ ।


 ଶ୍ରାବଣ ମାସରେ ଗୋକର୍ଣ୍ଣ ପୁଣି ଭାଗବତ ସପ୍ତାହ କଲେ । ବିଷ୍ଣୁଦୂତ ମାନଙ୍କ କହିବାନୁଯାୟୀ ସମସ୍ତେ ଏହାକୁ ଧ୍ୟାନ ପୂର୍ବକ ଶ୍ରବଣ ମନନ କଲେ । ଶତକୁ ଶତ ବିଷ୍ଣୁଦୂତ ମାନେ ବହୁ ବିମାନରେ ଆସି ପହଁଚି ଗୋକର୍ଣ୍ଣଙ୍କ ସହିତ ସମସ୍ତଙ୍କୁ ବୈକୁଣ୍ଠ ଧାମକୁ ଘେନି ଚାଲି ଗଲେ । 


ଗୋକର୍ଣ୍ଣଙ୍କ ଏହି ପୁଣ୍ୟ ଉପାଖ୍ୟାନ କହି ସନକାଦି ମୁନିମାନେ କହିଲେ, ହେ ଦେବର୍ଷି ! ଆମେ ମାନେ ଭାଗବତଶ୍ରବଣ ଫଳ ବିଷୟରେ ଆପଣଙ୍କୁ କଅଣ ବା କହିବୁ । ଆପଣ ତ ସର୍ଵ ଜ୍ଞାତା । ଲୋକେ ବାୟୁ ଜଳ ବା ପତ୍ର ଖାଇ ଦେହକୁ ଶୁଖାଇ ଶୁଖାଇ ଏବଂ ବହୁକାଳ ତପସ୍ୟା କରି ଯେଉଁ ଗତି ପାଇ ନାହାଁନ୍ତି, ଭାଗବତ ସପ୍ତାହ ଶ୍ରବଣରେ ସେହି ଗତି ସହଜରେ ପ୍ରାପ୍ତ ହୋଇଯାଏ :-

    ବାତାମ୍ବୁପର୍ଣ୍ଣାଶନଦେହ ଶୋଷଣେଐ

    ସ୍ତପୋଭି ରୁଗ୍ରେଇ ଶ୍ଚିରକାଳ ସଞ୍ଚିତୈ ।

    ଯୋଗୌଶ୍ଚ ସଂଯାତିନ ତାଂ ଗତିଂ ବୈ 

     ସପ୍ତାହଗାଥା ଶ୍ରବଣେନ ଯାନ୍ତି ଯାମ୍ ।।

                  


Rate this content
Log in

Similar oriya story from Inspirational