ଦେଵର୍ଷି ନାରଦଙ୍କ ସୁନା ଆମ୍ବ
ଦେଵର୍ଷି ନାରଦଙ୍କ ସୁନା ଆମ୍ବ
ଦେଵର୍ଷି ନାରଦଙ୍କ ସୁନା ଆମ୍ବ
================
ଦିନେ ଦେବର୍ଷି ନାରଦ, ବୈକୁଣ୍ଠ ପୁରୀରେ ଭଗବାନ୍ ବିଷ୍ଣୁଙ୍କୁ କହିଲେ ମୁଁ କେଉଁ ଦିନରୁ ଶିବଙ୍କୁ ଦର୍ଶନ କରିନାହିଁ। ଆଜି ମୁଁ ଯାଉଛି, କୈଳାସରେ ଯାଇ ଟିକିଏ ତାଙ୍କ ଦର୍ଶନ କରି ଆସିବି। ବିଷ୍ଣୁଙ୍କୁ ଏପରି କହି ଦେବର୍ଷି କୈଳାସ ଅଭିମୁଖେ ଯାତ୍ରା କଲେ। ଖାଲି ହାତରେ କଅଣ ଯିବେ। ସେ ହାତରେ ଏକ ସୁନା ଆମ୍ବ ନେଇକରି ଗଲେ ।
ସେ ଯାଇ କୈଳାସରେ ପହଞ୍ଚିଲା ବେଳକୁ ଶିବ, ପାର୍ବତୀ, ଗଣେଶ ଓ କାର୍ତ୍ତିକ ଏକତ୍ର ବସି, ଖୁସି ଗପ କରୁଥାନ୍ତି। ନାରଦଙ୍କୁ ଆସୁଛନ୍ତି ଦେଖି ଶିବ ମାଆ ଉମାଙ୍କୁ ଚୁପକରି କହିଲେ, ଉମେ, ଦେଖ ଦେବର୍ଷି ଆସୁଛନ୍ତି। ଆଜି କଅଣ ଖେଳ କରିବେ ଦେଖ। ନାରଦ ସେଠାରେ ପହଞ୍ଚି ଶିବ ଓ ମାଆ ପାର୍ବତୀଙ୍କୁ ଯଥା ମାନ୍ୟ କଲେ ଓ ହାତରେ ଧରି ଥିବା ସୁନା ଆମ୍ବକୁ ଶିବଙ୍କୁ ବଢ଼ାଇ ଦେଲେ ।
ଶିବ ଖୁବ୍ ଆଶ୍ଚର୍ଯ୍ୟହୋଇ ଆମ୍ବଟିକୁ ହସ୍ତରେ ଧରି କହିଲେ, ଆମ୍ବଟି ଖୁବ୍ ସୁନ୍ଦର ହୋଇଛି ତ। ଏହି ଆମ୍ୱଟିକୁ ଦେବା ପାଇଁ ଆପଣ ଏତେ କଷ୍ଟ କରି କାହିଁକି କୈଳାସ ଆସିଲେ । ଏହା ଶୁଣି ନାରଦ କହିଲେ, ଏହା କୌଣସି ସାଧାରଣ ଆମ୍ବ ନୁହେଁ । ଏହା ଅତି ଦୁର୍ଲ୍ଲଭ, ଜ୍ଞାନ ପ୍ରଦାୟକ, ସୁନା ଆମ୍ବ । ଏହି ଆମ୍ବ ଯିଏ ଖାଇବ ତାକୁ ଦିବ୍ୟ ଜ୍ଞାନ ପ୍ରାପ୍ତ ହେବ। ନାରଦଙ୍କ କଥା ଶୁଣି ଶିବ ଆମ୍ବଟିକୁ ଚାରି ଫାଳ କରି କାଟିବାକୁ ଯାଉଛନ୍ତି ନାରଦ କହିଲେ, ରୁହନ୍ତୁ, ଆପଣ ଫଳଟିକୁ କାଟନ୍ତୁ ନାହିଁ। ଏହାକୁ ଖାଇବାରେ ଗୋଟିଏ ସର୍ତ୍ତ ଅଛି । ଶିବ କହିଲେ, ତାହେଲେ କୁହନ୍ତୁ କଅଣ ସର୍ତ୍ତ ଅଛି । ମୁନି ନାରଦ କହିଲେ, ଯିଏ ଖାଇବ ସିଏ ଏହି ଆମ୍ବକୁ ସମ୍ପୂର୍ଣ୍ଣ ଖାଇବ । ତେବେ ଯାଇ ତାକୁ ଦିବ୍ୟଜ୍ଞାନ ମିଳିବ।
ନାରଦଙ୍କ କଥା ଶୁଣି, ଗଣେଶ ଓ କାର୍ତ୍ତିକେୟଙ୍କ ମଧ୍ୟରେ " ମୁଁ ଖାଇବି, ମୁଁ ଖାଇବି " କରି ପ୍ରବଳ କଳି ଗୋଳ ଲାଗି ଗଲା। ଶିବ ଦ୍ଵନ୍ଦ୍ୱରେ ପଡ଼ିଲେ। ସେ ଭାବିଲେ, ନାରଦ ଭଲା ସୁନାଆମ୍ବ ଆଣିଲେ, ମୁଁ ଏବେ କଅଣ କରିବି। ଏବେ ମୁଁ ମୋର କେଉଁ ପୁଅକୁ ଏ ସୁନା ଆମ୍ବ ଖାଇବାକୁ ଦେବି। ପିଲାଙ୍କୁ ଶିବ କଳି ନ କରିବାକୁ ନିର୍ଦ୍ଦେଶ ଦେଇ କହିଲେ, ଦେବର୍ଷି ଏଠାରେ ଅଛନ୍ତି, ମୁଁ ତାଙ୍କୁ କହୁଛି, ସିଏ ଯାହାକୁ ଏ ଆମ୍ଭ ଦେବେ ସିଏ ଖାଇବ।
ଏପରି କହି ସେ ନାରଦଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଲେ। ନାରଦ ଚିନ୍ତାରେ ପଡ଼ିଲେ। କିଛି ସମୟ ଚିନ୍ତା କରି ସେ କହିଲେ, ଗୋଟିଏ ଉପାୟ ଅଛି। ମୁଁ ବର୍ତ୍ତମାନ ଗଣେଶ ଓ କାର୍ତ୍ତିକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରୁଛି। ଯିଏ ଏଥିରେ ଜିତିବ ସିଏ ଏ ଆମ୍ବଟି ପାଇବ। ସେ ପ୍ରତିଯୋଗିତାଟି ହେଲା,ତୁମେ ଦୁହେଁ ବର୍ତ୍ତମାନ୍ ବାହାରିପଡ଼ । ତିନି ଥର ବ୍ରହ୍ମାଣ୍ଡ ପରିକ୍ରମା କରି ଯିଏ ଆସି ଆଗ ପହଞ୍ଚିବ ସିଏ ଏଥିରେ ଜିତିଲା ବୋଲି ମୁଁ ଜାଣିବି ଏବଂ ତାକୁ ଏହି ସ୍ଵର୍ଣ୍ଣ ଆମ୍ବଟି ଦିଆଯିବ ।
ଏହା ଶୁଣି କାର୍ତ୍ତିକ ଖୁବ୍ ଖୁସି ହୋଇ ଯାଇ ଚିନ୍ତାକଲେ ମୁଁ ତ ଏଥିରେ ନିଶ୍ଚୟ ଜିଣିବି। ମୁଁ ମୟୂର ବାହନରେ କ୍ଷଣକ ମଧ୍ୟରେ ଏ ବ୍ରହ୍ମାଣ୍ଡ ପରିକ୍ରମା କରି ଫେରି ଆସିବି । ଏପରି କହି କାର୍ତ୍ତିକ ତାଙ୍କ ମୟୂର ବାହନରେ ବ୍ରହ୍ମାଣ୍ଡ ପରିକ୍ରମା ପାଇଁ ବାହାରିଗଲେ। ଗଣେଶଙ୍କ ବାହନତ ମୂଷିକ, ସେ କରନ୍ତି କଅଣ । ସିଏ ଭାରି ବୁଦ୍ଧିଆ । ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୁଟି ଗଲା, ସେ ଆଉ କୁଆଡ଼େ ନଯାଇ ନିଜ ମୂଷିକ ବାହନରେ, ଶିବ ଓ ପାର୍ବତୀଙ୍କୁ ତିନି ବାର ପ୍ରଦକ୍ଷୀଣ କରି ଚୁପ ହୋଇ ବସି ପଡ଼ିଲେ ।
କାର୍ତ୍ତିକ ଫେରି ଆସି ଦେଖନ୍ତି ତ ଗଣେଶ ଆଉ କୁଆଡ଼େ ଯାଇ ନାହାଁନ୍ତି । ସେ ତୁରନ୍ତ କହି ଲାଗିଲେ ମୁଁ ପ୍ରତିଯୋଗିତାରେ ଜିତି ଗଲି । ଏଣୁ ସୁନା ଆମ୍ବଟି ମୋର । ଏହି ସମୟରେ ଭଗବାନ ଶିବ ହସ୍ତକ୍ଷେପ କରି କହିଲେ, ପ୍ରୀୟ ପୁତ୍ର କାର୍ତ୍ତିକେୟ ! ଏହି ପ୍ରତିଯୋଗିତାରେ ପୁତ୍ର ଗଣେଶ ହିଁ ଜିତିଛି । କାର୍ତ୍ତିକେୟ ଆଶ୍ଚର୍ଯ୍ୟ ହୋଇ, କହିଲେ, ମୁଁ ସାରା ବ୍ରହ୍ମାଣ୍ଡ ବୁଲିଆସିଲି । ଗଣେଶତ କୁଆଡ଼େ ଯାଇନାହାଁନ୍ତି, ସେ କିପରି ଜିତିଲେ l ଏହି ସମୟରେ ଶିବ ଟିକେ ମୁନି ନାରଦଙ୍କ ଆଡ଼େ ଈଶାରା କରି ଦେବାରୁ ନାରଦ ବୁଝାଇ ଦେଲେ । ସେ କହିଲେ, ହଁ, ମୁଁ ଜାଣିଲି କାର୍ତ୍ତିକେୟ ସାରା ବ୍ରହ୍ମାଣ୍ତକୁ ତିନି ଥର ପରିକ୍ରମା କରି ଫେରି ଆସିଛନ୍ତି l ସେ କିନ୍ତୁ ପ୍ରଥମ ନୁହଁନ୍ତି । ଗଣେଶ ତାଙ୍କ ପୂର୍ବରୁ ବ୍ରହ୍ମାଣ୍ଡର ସ୍ବାମୀ ଶିବଙ୍କୁ ତ୍ରିବାର ପରିକ୍ରମା କରି ସାରିଛନ୍ତି । କାର୍ତ୍ତିକେୟ ବ୍ରହ୍ମାଣ୍ଡକୁ ପରିକ୍ରମା କରି ଆସିଲେ ସତ କିନ୍ତୁ ଗଣେଶ ତାଙ୍କ ପୂର୍ବରୁ ତ୍ରିଜଗତର ସ୍ବାମୀଙ୍କୁ ପରିକ୍ରମା କରି ସାରିଛନ୍ତି । ଏଣୁ ସେ ପ୍ରକୃତରେ ଏହି ପ୍ରତିଯୋଗିତାରେ ବିଜୟୀ ।
ସମସ୍ତେ ବୁଝିଗଲେ । ନାରଦ ଆଣିଥିବା ସୁନାର ଆମ୍ବକୁ ଗଣେଶ ପାଇଲେ । ସେ ହେଲେ ସମସ୍ତ ଜ୍ଞାନ, ପ୍ରଜ୍ଞା ଏବଂ ବିଦ୍ୟାର ଅଧିକାରୀ । କଳି ଶେଷ ହେଲା । ନାରଦ, "ଓଁ ନମଃ ଶିବାୟ,ଓଁ ନମଃ ରୁଦ୍ରାୟଃ" ଜପି ଜପି ଆକାଶ ମାର୍ଗରେ ବୈକୁଣ୍ଠ
ଅଭିମୁଖେ ପ୍ରସ୍ଥାନ କଲେ ।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
