ପ୍ରକୃତ ଦାନୀ କିଏ
ପ୍ରକୃତ ଦାନୀ କିଏ
ପ୍ରକୃତ ଦାନୀ କିଏ
============
ଆମେ ସମସ୍ତେ ଜାଣିଛନ୍ତି ମହାଭାରତର ଯୋଦ୍ଧା ମହାବୀର କର୍ଣ୍ଣ ହେଉଛନ୍ତି ମହା ଦାନୀ l ଏପରିକି ଥରେ ପରୀକ୍ଷାଦେବାକୁ ଯାଇ ଭଗବାନଙ୍କୁ ନିଜର ଏକମାତ୍ର ପୁତ୍ର ବିଶିକେଶନର ମାଂସ ରନ୍ଧନକରି ଭୋଜନ ଦେବାକୁ ପଛାଇ ନଥିଲେ l
ମହାବୀର ଅର୍ଜୁନ ମଧ୍ୟ ବହୁଦାନ କରୁଥିଲେ, କିନ୍ତୁ ଲୋକେ କର୍ଣ୍ଣଙ୍କୁ ହିଁ ମହାଦାନୀ ବୋଲି କହୁଥିଲେ l ଏନେଇ ଅର୍ଜୁନଙ୍କ ମନରେ ସର୍ବଦା ଏକ ପ୍ରଶ୍ନବାଚି ରହିଥିଲା l ଉତ୍ତର ସେ କେଉଁଠୁ ପାଇବେ ? ସଖା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହୁଏତ ସେ ଯଥାର୍ଥ ଉତ୍ତର ଦିଅନ୍ତେ l କିନ୍ତୁ ଶ୍ରୀକୃଷ୍ଣଙ୍କୁ ପଚାରିବାକୁ ସେ ଭରସି ପାରନ୍ତି ନାହିଁ l
ଏପରି ଚିନ୍ତାରେ ଥାଆନ୍ତି ଅର୍ଜୁନ l ଦିନେ ଭଗବାନ ଶ୍ରୀକୃଷ୍ଣ କହିଲେ, ସଖା ! ଚାଲ କୁଆଡୁ ଟିକେ ବୁଲିଆସିବା l ତାଙ୍କ କଥାରେ ଅର୍ଜୁନ ତତ୍କ୍ଷଣାତ ପ୍ରସ୍ତୁତ ହୋଇ ବାହାରି ପଡ଼ିଲେ l ଦୁହେଁ ବାଟରେ କେତେସବୁ କଥା ଆଲୋଚନା କରିକରି ଚାଲିଥାନ୍ତି l ଅର୍ଜୁନଙ୍କୁ ଏଇଠି ସୁଯୋଗ ମିଳିଗଲା ମନରେ ତାଙ୍କର ଘୁରି ବୁଲୁଥିବା ପ୍ରଶ୍ନଟି ପଚାରି ଦେବା ପାଇଁ l
ଶ୍ରୀକୃଷ୍ଣଙ୍କୁ ସେ କହିଲେ, ପ୍ରଭୁ, ମୋ ମନରେ ବହୁ ଦିନରୁ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି l ଆପଣ ଯଦି ଅନୁମତି ଦିଅନ୍ତେ, ମୁଁ ତାହା ଆପଣଙ୍କୁ ପଚାରନ୍ତି l
ଶ୍ରୀକୃଷ୍ଣ କହିଲେ, ପଚାର ଅର୍ଜୁନ ! ତୁମ ମନରେ କଅଣ ପ୍ରଶ୍ନ ଅଛି l ଅର୍ଜୁନ କହିଲେ, ଆପଣ ଜାଣନ୍ତି କର୍ଣ୍ଣ ଯେପରି ଦାନକରନ୍ତି ମୁଁ ମଧ୍ୟ ସେହିପରି ବହୁ ଦାନ କରେ l କିନ୍ତୁ ସମସ୍ତେ କର୍ଣ୍ଣଙ୍କୁ କାହିଁକି ମହାଦାନୀ ବୋଲି କହନ୍ତି l ଏହାର ରହସ୍ୟ କଅଣ ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହିଁ l
ଅର୍ଜୁନଙ୍କ ପ୍ରଶ୍ନ ଶୁଣି, ଶ୍ରୀକୃଷ୍ଣ ହସି ହସି କହିଲେ, ଇଏତ ବଡ଼ ଗମ୍ଭୀର ପ୍ରଶ୍ନ l ହଉ ଠିକ୍ ଅଛି, ତୁମ
ପ୍ରଶ୍ନର ଉତ୍ତର ମୁଁ ନିଶ୍ଚୟ ଦେବି l କିନ୍ତୁ ମୋତେ ଟିକିଏ ସମୟ ଦରକାର l
ଏପରି କିଛି ଦିନ ଚାଲି ଗଲା l ପୁଣି ଦିନେ ଦୁହେଁ ଭ୍ରମଣରେ ବାହାରିଲେ l ପଥରେ ଅର୍ଜୁନ କହିଲେ, ସଖା ! ମୁଁ ପଚାରିଥିବା ପ୍ରଶ୍ନ ମନେ ଅଛି ତ l କୃଷ୍ଣ ହସି ହସି କହିଲେ, ସତେତ, ତୁମ ପ୍ରଶ୍ନକୁ ମୁଁ ପୁରା ଭୂଲି ଯାଇ ଥିଲି l ଏବେ ମୁଁ ତୁମକୁ ଉତ୍ତର ଦେବି l
ଏହା କହି, ଭଗବାନ ନିକଟସ୍ଥି ଦୁଇଟି ପାହାଡ଼କୁ ସୁନାରେ ପରିଣତ କରିଦେଇ ଅର୍ଜୁନଙ୍କୁ କହିଲେ, ହେ ପାର୍ଥ ! ତୁମେ ଏହି ଦୁଇଟି ସୁନାର ପାହାଡ଼କୁ ପାଖ ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟିଦିଅ ।
ଅର୍ଜୁନ ତୁରନ୍ତ ଯାଇ ଗାଁ ଲୋକ ମାନଙ୍କୁ କହିଲେ, ଆପଣ ମାନେ ଧାଡ଼ିରେ ଛିଡ଼ା ହୁଅନ୍ତୁ। ମୁଁ ଆପଣ ମାନଙ୍କୁ ସୁନା ବାଣ୍ଟିବି । ଏପରି କହି, ସେ ଲୋକ ମାନଙ୍କୁ ସୁନାବାଣ୍ଟିବା ଆରମ୍ଭ କଲେ । ସୁନା ପାଇ
ଗାଆଁ ଲୋକେ ଅର୍ଜୁନଙ୍କ ବହୁତ ପ୍ରଶଂସା କଲେ । ସେହି ସୁନା ପାହାଡ଼କୁ ଭାଙ୍ଗି ଅର୍ଜୁନ ଗାଁ ଲୋକଙ୍କୁ ଦୁଇଦିନ ଓ ଦୁଇରାତି ଧରି ସୁନା ବାଣ୍ଟିଲେ l
ଏତେ ପରିମାଣର ସୁନାବାଣ୍ଟିଲେ ମଧ୍ୟ ସେହି ସୁନା ପାହାଡ଼ ଦୁଇଟିର କୌଣସି କ୍ଷୟ ହେଉ ନ ଥାଏ l
ଲୋକଙ୍କୁ ସୁନା ବାଣ୍ଟି, ଅର୍ଜୁନ ନିଜକୁ ଖୁବ୍ ଗର୍ବିତ ମନେ କରୁଥାନ୍ତି l କିନ୍ତୁ ସେ ବଡ଼ ଥକି ପଡ଼ିଥାନ୍ତି l
ସେ ପ୍ରଭୁଙ୍କୁ କହିଲେ, ଏବେ ମୋଦ୍ୱାରା ଆଉ ଏହି କାମ ହୋଇ ପାରିବ ନାହିଁ। ମୋର ଟିକେ ବିଶ୍ରାମ ଦରକାର। ଶ୍ରୀକୃଷ୍ଣ କହିଲେ, ଠିକ୍ ଅଛି। ତେବେ ତୁମେ ବିଶ୍ରାମ କର ।
ଏହି ସମୟରେ ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ କହିଲେ, ତୁମେ ଏହି ପାହାଡ଼ର ସୁନା ଏହି ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅ। କର୍ଣ୍ଣ ତୁରନ୍ତ ସୁନା ବାଣ୍ଟିବାକୁ ଆରମ୍ଭ କଲେ। ସେ ଗାଁର ଲୋକ ମାନଙ୍କୁ ଡାକି କହିଲେ, "ଏହି ସୁନା ଆପଣ ମାନଙ୍କର । ଯାହାର ଯେତେ ସୁନା ଦରକାର ସେ ଏଠାରୁ ନେଇ ଯାଉ"। ଏହା କହି କର୍ଣ୍ଣ ସେଠାରୁ ଚାଲିଗଲେ।
ଏହା ଦେଖି ଅର୍ଜୁନ କହିଲେ, ପ୍ରଭୁ, ଏପରି ଚିନ୍ତା ମୋ ମନରେ କାହିଁକି ଆସିଲା ନାହିଁ? ଉତ୍ତରରେ ଶ୍ରୀକୃଷ୍ଣ କହିଲେ, ତା' ହେଲେ ଶୁଣ। ତୁମେ ସୁନା ପ୍ରତି ଖୁବ୍ ମୋହିତହୋଇ ପଡ଼ିଥିଲ। ତୁମେ ସୁନା ଦେବା ନିଷ୍ପତ୍ତି ନିଜେ ନେଉଥିଲ ଓ କେଉଁ ଗାଆଁ ଲୋକଙ୍କୁ କେତେ ସୁନା ଦେବ, ସେହି ଅନୁଯାୟୀ ପାହାଡ଼ରୁ ସୁନା ତାଡ଼ି ଦେଉଥିଲ । ତୁମ ମନରେ ଦାତା ହେବା ଭାବ ଜାଗରୁକ ହୋଇ ଉଠି ଥିଲା। କିନ୍ତୁ କର୍ଣ୍ଣ ଏପରି କଲେ ନାହିଁ। ସେ ସମସ୍ତ ସୁନା ଗାଁ ଲୋକ ମାନଙ୍କୁ ଦେଇ ସେଠାରୁ ଚାଲି ଗଲେ। ତାଙ୍କ ମନରେ ଦାତା ହେବା ଭାବ କିମ୍ବା ପ୍ରଶଂସା ପାଇବାର ସ୍ପୃହା ଆଦୌ ନଥିଲା।
ଅର୍ଜୁନ ତାଙ୍କ ପ୍ରଶ୍ନର ଉତ୍ତର ପାଇ ସାରି ଥିଲେ । ପ୍ରଭୁ ଟିକିଏ ମୃଦୁ ମୃଦୁ ହସି କହିଲେ, ପାର୍ଥ ! କିଛି ଦିନ ତଳେ ତୁମେ ମୋତେ ଯେଉଁ ପ୍ରଶ୍ନ କରିଥିଲ ତା'ର ଉତ୍ତର ପାଇ ଗଲ ତ ! ଅର୍ଜୁନଙ୍କ ପାଖରେ ଆଉକିଛି କହିବାକୁ ନଥିଲା। ପ୍ରଭୁଙ୍କୁ ବିସ୍ମୟ ବିସ୍ଫାରିତ ଚକ୍ଷୁରେ ସେ ଚାହିଁ ରହିଥିଲେ । କାହାଣୀର ଶିକ୍ଷାହେଲା, ଦାନ ଏକ ମହତ କାର୍ଯ୍ୟ । ଏଣୁ ଦାନ କଲା ବେଳେ ମନ ମଧ୍ୟରେ କୌଣସି କୁଣ୍ଠା ରଖିବା ଅନୁଚିତ । ଦାନର ପ୍ରତିଦାନ ଆଶା କରିବା ମଧ୍ୟ ଅନୁଚିତ୍ ।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
