ଭଗବାନ ଶିବଙ୍କ ଶରଭ ଅବତାର
ଭଗବାନ ଶିବଙ୍କ ଶରଭ ଅବତାର
ଭଗବାନ ଶିବଙ୍କ ଶରଭ ଅବତାର
=================
ବିଷ୍ଣୁଭକ୍ତ ପୁତ୍ର ପ୍ରହଲାଦକୁ ପିତା ଦୈତ୍ୟ ହିରଣ୍ୟକଶିପୁ ଶତ ଚେଷ୍ଟା କରି ମଧ୍ୟ ବିଷ୍ଣୁ ଭକ୍ତି ଓ ବିଷ୍ଣୁ ଭଜନରୁ ବିରତ କରିପାରିଲା ନାହିଁ। ଶେଷରେ ସେ ବିଚାରକଲା ଏ ମୋର ପୁତ୍ର ନୁହେଁ, ଶତ୍ରୁ। ଯେଉଁ ବିଷ୍ଣୁଙ୍କୁ ମାରି ଯାହାର ନାମ ମୁଁ ସଂସାରରୁ ବୁଡ଼ାଇଦେବାକୁ ଚାହୁଛି ଇଏ ତାହାରି ଭଜନ କରୁଛି । ସେ ଦୈତ୍ୟ ମାନଙ୍କୁ ଡାକି ଆଦେଶଦେଲା ଏହାକୁ ହତ୍ୟାକର। ଆଦେଶ ପାଳିତହେଲା। ପ୍ରହ୍ଲାଦଙ୍କୁ ନେଇ ଦୈତ୍ୟ ମାନେ ନିଆଁରେ ପୋଡ଼ିଲେ, ପାଣିରେ ବୁଡ଼ାଇଲେ, ହାତୀ ଚଢ଼ାଇଲେ, ବିଷ ପାନ କରାଇଲେ, ପର୍ବତ ଉପରୁ ପକାଇଲେ । ମାତ୍ର ପ୍ରଲ୍ଲାଦଙ୍କ କିଛି ହେଲା ନାହିଁ । ଶେଷକୁ କ୍ରୁଦ୍ଧ ହିରଣ୍ୟକଶିପୁ ନିଜେ ଖଣ୍ଡା ଧରି ବାହାରି ଆସିଲା ପ୍ରହ୍ଲାଦଙ୍କୁ ହତ୍ୟା କରିବାକୁ। ସେ ପୁତ୍ରକୁ କହିଲା, ତୁ ତୋ'ର ଭଗବାନ ସବୁଠି ଅଛନ୍ତି ବୋଲି କହୁଛୁ। ମୁଁ ଏହି ଖମ୍ବକୁ ପଦାଘାତ କରୁଛି, ଯଦି ତୋତେ ସେ ରକ୍ଷାକରିବ ତେବେ ଏ ଖମ୍ବରୁ ସେ ବାହାରିଆସୁ। ଭଗଵାନ ନୃସିଂହ ସେ ଖମ୍ବରୁ ସତକୁ ସତ ବାହାରି ଆସିଲେ । ତାଙ୍କ ରୂପ ଥିଲା, "ନ ମୃଗଂ, ନ ମାନୁଷମ୍"। ରାତି ନୁହେଁ କି ଦିନ ନୁହେଁ ସମୟ ଥିଲା ସନ୍ଧ୍ୟା। ବାହାରେ ନୁହେଁ କି ଘରେ ନୁହେଁ ସ୍ଥାନ ଥିଲା ଦ୍ଵାର ବନ୍ଧ l ଭଗଵାନ ନୃସିଂହ, ହିରଣ୍ୟକଶିପୁକୁ ଘୋଷାଡ଼ି ନେଇ ତୀକ୍ଷ୍ମ ନଖରେ ତାର ବୁକୁ ବିଦାରଣ କରି ହତ୍ୟା କଲେ l
ଭଗବାନ ନୃସିଂହଙ୍କ ରୂପ ଥିଲା, ଅତ୍ୟନ୍ତ ଉଗ୍ର। ଉଗ୍ର ନୃସିଂହ, ହିରଣ୍ୟକୁ ବିଦାରଣ କଲା ବେଳେ ଅତି ମାତ୍ରାରେ କ୍ରୁଦ୍ଧହୋଇ ବିକଟାଳ ଗର୍ଜନ କରୁଥିଲେ । ତାଙ୍କ ତୀବ୍ର ଗର୍ଜନରେ ତ୍ରିପୁର କମ୍ପିବାକୁ ଲାଗିଲା। ଜଣା ଗଲା ଯେପରି ସମଗ୍ର ସୃଷ୍ଟି ଧ୍ଵଂସ ହୋଇ ଯିବ। ବ୍ରହ୍ମାଙ୍କ ସହ ଦେଵତାମାନେ କେହି ସେହି ଉଗ୍ର ମୂର୍ତ୍ତିକୁ ଚାହିଁ ପାରିଲେ ନାହିଁ । ସମସ୍ତେ ମିଶି ନୃସିଂହଙ୍କୁ ଯେତେ ସ୍ତୁତିକଲେ ମଧ୍ୟ ସେ ଶାନ୍ତ ପଡ଼ିଲେ ନାହିଁ। ସୃଷ୍ଟି ରକ୍ଷା ପାଇଁ ଦେବତା ମାନେ ପ୍ରମାଦ ଗଣିବାକୁ ଲାଗିଲେ।
ବ୍ରହ୍ମା ଓ ସମସ୍ତ ଦେବତାମାନେ ଶେଷକୁ ଯାଇ ଭଗବାନ ଶିବଙ୍କ ଶରଣ ପଶିଲେ। ଦେବ ଗଣଙ୍କୁ
ଆଶ୍ବସ୍ତ କରି, ପ୍ରଭୁ ଭୋଳାନାଥ ନିଜର ସବୁଠାରୁ ଉଗ୍ର ଏବଂ ଶକ୍ତିଶାଳୀ ରୂପ ଶରଭ ଅବତାର ଧାରଣ କଲେ। ପ୍ରଭୁ ଭୋଳାନାଥଙ୍କର ସେହି ଶରଭ ରୂପ ଥିଲା ଏକ ବିଶାଳ ପକ୍ଷୀ ଏବଂ ଅଧା ସିଂହର ରୂପ । ଶରଭଙ୍କ, ଆଠଟି ଗୋଡ଼, ଦୁଇଟି ବିଶାଳ ଡେଣା ଓ ହଜାର ହଜାର ବାହୁ ଥିଲା। ନୃସିଂହଙ୍କ ଠାରୁ ସେ ବହୁ ଗୁଣରେ ଶକ୍ତିଶାଳୀ ଥିଲେ।
ଶରଭରୂପୀ ଭଗବାନ୍ ଶିବ ଭଗବାନ୍ ନୃସିଂହଙ୍କ ନିକଟକୁ ଯାଇ ପ୍ରଥମେ ତାଙ୍କୁ ଭୟଭୀତ କରାଇ ଶାନ୍ତ କରିବାକୁ ଚେଷ୍ଟା କଲେ। ତଥାପି ସେ ଶାନ୍ତ ନ ହେବାରୁ ଶରଭ ନିଜ ଲାଞ୍ଜରେ ତାଙ୍କୁ ଗୁଡ଼ାଇ ଧରି ଆକାଶକୁ ନେଇ ଗଲେ। ମହାଦେବଙ୍କ ସ୍ପର୍ଶ ଏବଂ ଶକ୍ତି ଆଗରେ ନୃସିଂହ ଭଗବାନଙ୍କ କ୍ରୋଧ ଶାନ୍ତ ହୋଇଗଲା ଓ ସେ ଶିବଙ୍କୁ ସ୍ତୁତି କରିବାକୁ ଲାଗିଲେ ।
ଉଗ୍ର ନୃସିଂହ ଶାନ୍ତ ହେବାରୁ ତ୍ରିପୁରରେ ଉଲ୍ଲାସ ଖେଳିଗଲା। ଦେବତା ମାନେ ତାଙ୍କୁ ସ୍ତୁତି କଲେ। କିନ୍ତୁ ଏଇଠି ସମସ୍ୟାର ସମାଧାନ ହେଲା ନାହିଁ। ପୁଣି ସାରା ଜଗତ ଉଗ୍ର ଶରଭଙ୍କ ଭୟରେ ତ୍ରସ୍ତ ହେବାକୁ ଲାଗିଲା। ଦେବତା ମାନେ ଭୟଂକର ସେହି ଉଗ୍ର ଶରଭଙ୍କୁ ନାନା ସ୍ତୁତିକଲେ ମଧ୍ୟ ସେ କୌଣସି ପ୍ରକାର ଶାନ୍ତ ହେଲେ ନାହିଁ । ଶରଭଙ୍କୁ ଶାନ୍ତ କରିବା ପାଇଁ ବ୍ରହ୍ମା ଆଦି ଦେବଗଣ ଯାଇ ଭଗବାନ ନୃସିଂହଙ୍କ ଶରଣ ପଶିଲେ। ଜଗତର ଦୁର୍ଗତି ଓ ଦେବତାଙ୍କ ଆତଙ୍କ ଦେଖି, ଭଗବାନ୍ ନୃସିଂହ ଶକ୍ତିଶାଳୀ ଗଣ୍ଡଭେରଣ୍ଡ ରୂପକୁ ଧାରଣ କରି ଶରଭଙ୍କ ନିକଟରେ ପହଞ୍ଚିଲେ। ଉଭୟଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଲାଗିଲା । ସେମାନଙ୍କ ଗର୍ଜନରେ ତ୍ରିପୁର କମ୍ପମାନ ହେଲା । ପରାଜିତ ଶରଭ ଶେଷରେ ଶାନ୍ତ ହେଲେ ଏବଂ ନିଜ ମୂଳ ସ୍ୱରୂପକୁ ଫେରି ଆସିଲେ।
ଭଗବାନ୍ ନୃସିଂହଙ୍କର ସେହି ଗଣ୍ଡଭେରଣ୍ଡ ରୂପ ଥିଲା ଅତ୍ୟନ୍ତ ଭୟଂକର ଗୋଟିଏ ଦୁଇ ମୁଣ୍ଡିଆ ପକ୍ଷୀର ରୂପ। ସେହି ପକ୍ଷୀର ଥିଲା, ତୀକ୍ଷ୍ଣ ଚଞ୍ଚୁ, ବିଶାଳ ଡେଣା ଓ ମୁନିଆଁ ମୁନିଆଁ ନଖ।
! ଜୟ ପ୍ରଭୁ ଭୋଳାନାଥ !
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
