ଶ୍ରୀମଦ୍ ଭାଗବତରେ ରୁଦ୍ର ଗୀତା
ଶ୍ରୀମଦ୍ ଭାଗବତରେ ରୁଦ୍ର ଗୀତା
ଶ୍ରୀମଦ୍ ଭାଗବତରେ ରୁଦ୍ର ଗୀତା
================
ଆମ ପୃଥିବୀ ଯାହାଙ୍କ ନାମରେ ନାମିତ ହୋଇଛି ସେ ହେଉଛନ୍ତି ପୃଥିବୀର ପ୍ରଥମ ଚକ୍ରବର୍ତ୍ତୀ ରାଜା ମହାରାଜ ପୃଥୁ। ପ୍ରୁଥୁଙ୍କ ବଂଶରେ କେତେ ପୁରୁଷ ପରେ ତାଙ୍କ ଅଣନାତି ରାଜା ହେଲେ l ତାଙ୍କ ନାମ ପ୍ରାଚୀନବର୍ହି । ସେ ସାଗରଙ୍କ କନ୍ୟା ଶତଦୃତିଙ୍କୁ ଵିଵାହ କରିଥିଲେ। ଶତଦୃତିଙ୍କ ଗର୍ଭରୁ ପ୍ରଚେତା ନାମକ ପ୍ରାଚୀନବର୍ହିଙ୍କ ଦଶଜଣ ପୁତ୍ର ଜନ୍ମ ଲାଭ କଲେ। ସେମାନଙ୍କର ସମସ୍ତଙ୍କର ଗୋଟିଏ ନାମ ଥିଲା ପ୍ରଚେତସ। ସେହି ପ୍ରଚେତସ ଗଣ ସମସ୍ତେ ଥିଲେ ଧର୍ମଜ୍ଞ, ସଦାଚାରୀ ଓ ନୀତି ନିଷ୍ଠ। ସମସ୍ତେ ସେମାନେ ଏକାଭଳି ଏକାତ୍ମ ହୋଇ ନିଜ ଜୀବନ ନିର୍ବାହ କରୁଥିଲେ।
ଦିନେ ପୁତ୍ର ପ୍ରଚେତସମାନଙ୍କୁ ପିତା ପ୍ରାଚୀନ ବର୍ହି କହିଲେ, ତୁମେମାନେ ବର୍ତ୍ତମାନ୍ ପ୍ରଜା ବୃଦ୍ଧି ପାଇଁ ସନ୍ତାନ ଉତ୍ପନ୍ନ କର। ପିତାଙ୍କ ଆଜ୍ଞା ଘେନି ସେହି ପ୍ରଚେତସ ପୁତ୍ରମାନେ ତପସ୍ୟା କରିବାପାଇଁ ଘରୁ ବାହାରି ପଶ୍ଚିମ ଦିଗକୁ ଯାତ୍ରା କଲେ। ଚାଲୁ ଚାଲୁ ସେମାନେ ଯାଇ ଗୋଟିଏ ସାଗର ପ୍ରାୟ ବିଶାଳ ଏକ ରମଣୀୟ ସରୋବର ଦେଖିଲେ। ସେମାନେ ସେଠାରେ ବିଭିନ୍ନ ବାଦ୍ୟ ମାନଙ୍କର ମୂର୍ଚ୍ଛନା ସହ ଦିବ୍ୟ ରାଗରାଗିଣୀ ଯୁକ୍ତ ସଂଗୀତର ମଧୁର ଧ୍ୱନି ଶୁଣି ଚକିତ ହେଲେ। ସେତିକି ବେଳେ ସେମାନେ ଦେଖିଲେ, ଭଗବାନ ଆଶୁତୋଷ ତାଙ୍କ ଅନୁଚର ମାନଙ୍କସହ ସେ ସରୋବରରୁ ବାହାରି ଆସୁଛନ୍ତି। ମହାଦେଵଙ୍କ ଦର୍ଶନ ପାଇ, ପ୍ରଚେତସମାନଙ୍କ ଆନନ୍ଦରସୀମା ରହିଲାନାହିଁ। ମହାଦେଵଙ୍କୁ ଯାଇ ସେମାନେ ପ୍ରଣାମ କଲେ।
ମହାଦେଵ ସେମାନଙ୍କୁ ଆଶୀର୍ବାଦ କରି କହିଲେ, ହେ ପ୍ରାଚୀନବର୍ହିଙ୍କ ପୁତ୍ରଗଣ ! ତୁମେମାନେ କଣ କରିବାକୁ ଚାହୁଁଛ ତାହା ମୁଁ ଜାଣେ। ତୁମ ମାନଙ୍କ କଲ୍ୟାଣ କରିବା ପାଇଁ, ମୁଁ ତୁମକୁ ଦର୍ଶନ ଦେଲି। ଭଗବାନ୍ ବାସୁଦେବ ହେଉ ଛନ୍ତି ଅବ୍ୟୟ ପ୍ରକୃତି ଏବଂ ଜୀବ ସଂଜ୍ଞଜ ପୁରୁଷ ମାନଙ୍କର ନିୟାମକ। ଯେଉଁମାନେ ବାସୁଦେବଙ୍କର ଶରଣ ନିଅନ୍ତି ସେମାନେ ମୋର ଅତ୍ୟନ୍ତ ପ୍ରିୟ। ହେ ପ୍ରଚେତସ ଗଣ ! ତୁମେମାନେ ଭଗବତ୍ ଭକ୍ତ ହୋଇଥିବାରୁ ମୋ ପକ୍ଷେ ଭଗବାନଙ୍କ ସଦୃଶ ପ୍ରିୟ। ବର୍ତ୍ତମାନ ତୁମକୁ ମୁଁ ଗୋଟିଏ ଅତ୍ୟନ୍ତ ପବିତ୍ର, ମଙ୍ଗଳମୟ, କଲ୍ୟାଣକାରୀ ସ୍ତୋତ୍ର କହୁଛି। ତୁମେମାନେ ଏହି ସ୍ତୋତ୍ରକୁ ଶୁଦ୍ଧଭାବ ଏବଂ ନିଷ୍ଠାର ସହ ଜପ କରିବ। ଭଗବାନ୍ ତୁମର ମଙ୍ଗଳ କରିବେ।
ଏହି ସ୍ତୋତ୍ର ପୂର୍ବକାଳରେ ଜଗତବିସ୍ତାର କରିବାପାଇଁ ଇଚ୍ଛୁକ ପ୍ରଜାପତି ମାନଙ୍କର ପତି ଭଗବାନ୍ ବ୍ରହ୍ମା ପ୍ରଜା ଉତ୍ପନ କରିବା ଇଛା ରଖିଥିବା ତାଙ୍କ ଭୃଗୁ ଆଦି ପୁତ୍ର ମାନଙ୍କୁ ଅର୍ଥାତ୍ ଆମମାନଙ୍କୁ ଏହା ଶୁଣାଇ ଥିଲେ। ଆମେମାନେ ଏହି ସ୍ତୁତିଦ୍ୱାରା ନିଜ ନିଜର ଅଜ୍ଞାନ ଦୂରକରି ଅନେକ ପ୍ରକାରର ପ୍ରଜା ଉତ୍ପନ୍ନ କରିଥିଲୁ। ତୁମେମାନେ ଏହି ସ୍ତୋତ୍ର ଗାନ ପୂର୍ବକ ପ୍ରଭୂଙ୍କୁ ପ୍ରସନ୍ନ କରି ପାରିଲେ ତାଙ୍କୁ ଯାହା ମାଗିବ, ସେ ତାହା ନିଶ୍ଚୟ ପୂର୍ଣ୍ଣ କରିବେ। ତୁମେ ମାନେ ଏହି ସ୍ତୋତ୍ରକୁ ଏକାଗ୍ର ଚିତ୍ତରେ ଜପ କରି ତପସ୍ୟା କର। ତପସ୍ୟା ପୂର୍ଣ୍ଣ ହୋଇଗଲେ ତୁମେ ମାନେ ନିଶ୍ଚୟ ଅଭୀଷ୍ଠ ଫଳ ଲାଭ କରିବ।
ଏପରି କହି ଭଗବାନ ଶଙ୍କର ପ୍ରଚେତସ ଗଣଙ୍କୁ ଭଗବାନଙ୍କ ଯଶ ତଥା ଗୁଣ କୀର୍ତ୍ତନ କରି ଛତିଶ ଗୋଟି ଶ୍ଳୋକ ଶୁଣାଇଲେ। ସେହି ସମସ୍ତ ଶ୍ଳୋକ ବ୍ୟାସ କୃତ ସଂସ୍କୃତ ଶ୍ରୀମଦ୍ ଭାଗବତର ଚତୁର୍ଥ ସ୍କନ୍ଧ, ଚତ୍ଵାରିଂଶ ଅଧ୍ୟାୟରେ ଲିପିବଦ୍ଧ ହୋଇଛି। ସେହି ଶ୍ଳୋକ ସମୁହ ରୁଦ୍ରଙ୍କ ମୁଖ ନିସୃତ ସ୍ତୋତ୍ର ହୋଇ ଥିବାରୁ ତାହା ରୁଦ୍ରଗୀତା ବୋଲି ପ୍ରସିଦ୍ଧ। ରୁଦ୍ରଗୀତାର ପ୍ରଥମ ଶ୍ଳୋକ ଏହିପରି:-
ଜିତଂତ ଆତ୍ମଚିତଧୂର୍ଯ୍ୟସ୍ଵସ୍ତୟେ ସ୍ୱସ୍ତିରସ୍ତୁ ମେ।
ଭବତାରାଧସରାଦ୍ଧମ୍ ସର୍ଵସା ଆତ୍ମନେ ନମଃ ।
ଏହି ଶ୍ଲୋକର ଭାବାର୍ଥ ଅତି ସୁନ୍ଦର ଭାବେ ଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ବ୍ୟାଖ୍ୟା କରି ବୁଝାଇ ଦେଇଛନ୍ତି:-
ନିରତିଶୟ ଯେ ପରମ ।
ଆନନ୍ଦ ସୂକ୍ଷ୍ମ ନିରଞ୍ଜନ॥
ସ୍ୱରୂପେ ସିଦ୍ଧ ହୁଅ ତୁମ୍ଭେ।
ଏଣୁ ଆନନ୍ଦ ନାମ ଭାବେ॥
ତୁମ୍ଭର ଯେବା ବଡ ପଣ ।
ଜ୍ଞାନୀଙ୍କ ଆନନ୍ଦ କାରଣ ॥
ଏଣୁ ଆନନ୍ଦଲାଭ ମୋର।
କରୁଣାକର ଚକ୍ରଧର ॥
ତୁ ସର୍ବ ଆତ୍ମା ତୋତେ ମୋର ।
ନିରତେ ହେଉ ନମସ୍କାର ॥
!!! ଓଁ ରୁଦ୍ରାୟ ନମଃ !!!
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
