STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାଜା ଜନ୍ମେଜୟଙ୍କ ଅମ୍ବାଯଜ୍ଞ   

ରାଜା ଜନ୍ମେଜୟଙ୍କ ଅମ୍ବାଯଜ୍ଞ   

3 mins
4

     ରାଜା ଜନ୍ମେଜୟଙ୍କ ଅମ୍ବାଯଜ୍ଞ   
       ================
ବ୍ୟାସଦେବ ମହାରାଜ ପରିକ୍ଷୀତଙ୍କ ପୁତ୍ର ମହାରାଜା ଜନ୍ମେଜୟଙ୍କୁ ଶ୍ରୀମଦ୍ଦେବୀ ଭାଗବତରେ ଦେବୀ ପରମେଶ୍ୱରୀଙ୍କ ବିଭିନ୍ନ ଚରିତ, କଥା, ମହିମା, ସ୍ବରୂପ ଆଦି ସମ୍ପୂର୍ଣ୍ଣ ଭାବେ ଶୁଣାଇଲେ। ଏହାପରେ ବ୍ୟାସଦେବ କହିଲେ, ହେ ରାଜା ! ତୁମର ପିତା ବ୍ରହ୍ମଶାପ ଗ୍ରସ୍ତ ହୋଇ ସର୍ପାଘାତରେ ମୃତ୍ୟୁ ବରଣ କରି ଥିବାରୁ ଦୁଃସହ ନରକକଷ୍ଟ ଭୋଗକରୁଛନ୍ତି । ପିତାଙ୍କର ନରକଯନ୍ତ୍ରଣା ଦୂର କରିବା ପାଇଁ ତୁମେ ଅମ୍ବାଯଜ୍ଞ ଅନୁଷ୍ଠାନ କରି ମହାଦେବୀ ପରମେଶ୍ୱରୀଙ୍କୁ ତୁଷ୍ଟ କର । ଏହା ଦ୍ୱାରା ଦୁଃସହ ନରକ ଯନ୍ତ୍ରଣାରୁ ତୁମ ପିତା ଉଦ୍ଧାର ପାଇବେ। ପିତାଙ୍କ ପ୍ରତି ଥିବା ତୁମର ପରମ କର୍ତ୍ତବ୍ୟ ପାଳିତ ହେବ ଏବଂ ତୁମର ପୁତ୍ରଜନ୍ମ ସାର୍ଥକହେବ। ପୁତ୍ ନାମକ ନର୍କରୁ ପିତୃଙ୍କ ଉଦ୍ଧାର ନିମନ୍ତେ ସନ୍ତାନର ନାମ ହୋଇଥାଏ ପୁତ୍ର।
ବ୍ୟାସଦେବଙ୍କ ଦ୍ଵାରା ଉପଦିଷ୍ଟ ହୋଇ ମହାରାଜ ଜନ୍ମେଜୟ ପ୍ରଣବସଂଜ୍ଞଜ ମନ୍ତ୍ରରେ ଦୀକ୍ଷିତ ହୋଇ ବ୍ୟାସଙ୍କ ପୌରୋହିତ୍ୟରେ 'ଅମ୍ବାଯଜ୍ଞ' ଅନୁଷ୍ଠାନ କଲେ। ସେହି ଅମ୍ବାଯଜ୍ଞ ଉଦ୍ଜାପିତ ହେବା ପରେ ଦେଖାଗଲା ଦେବର୍ଷି ନାରଦ ତାଙ୍କ ମହତିବୀଣା ଧ୍ୱନି କରି ଆକାଶ ମାର୍ଗରୁ ସେଠାରେ ଅବତରଣ କଲେ। ଦେବର୍ଷିଙ୍କୁ ଦେଖି, ମହାରାଜ ଜନ୍ମେଜୟ ଅତ୍ୟନ୍ତ ହୃଷ୍ଟ ଚିତ୍ତରେ ମୁନିଙ୍କୁ ପାଦ୍ୟାର୍ଘ୍ୟ ପ୍ରଦାନ ପୂର୍ବକ ତାଙ୍କୁ ଅଭ୍ୟର୍ଥନା ଜଣାଇଲେ। ଆସନରେ ଉପବିଷ୍ଟ ହେଲା ପରେ ତାଙ୍କୁ ସେ କହିଲେ, ମହର୍ଷି, ଆପଣଙ୍କ ଏହି ଆକସ୍ମିକ ଆଗମନରେ ମୁଁ ନିଜକୁ କୃତକୃତ୍ୟ ମନେ କରୁଛି। ହେ ମୁନିବର ! କୁହନ୍ତୁ, ଆପଣଙ୍କର ମୁଁ କି ସେବା କରି ପାରେ।
ମହାରାଜ ଜନ୍ମେଜୟଙ୍କ ଭବ୍ୟ ସତ୍କାରରେ ପ୍ରୀତ ହୋଇ ନାରଦ କହିଲେ, ମହରାଜ, ମୁଁ ଆପଣଙ୍କୁ ଏକ ଅଦ୍ଭୁତ ସମାଚାର ଜଣାଇ ଦେବାକୁ ଏଠାକୁ ଆସିଛି। ଆପଣ ଅନୁଷ୍ଠାନ କରି ଥିବା, ଅମ୍ବାଯଜ୍ଞ ଦ୍ୱାରା ଓ ତା' ପୂର୍ବରୁ ଆପଣ ଶ୍ରଦ୍ଧା ପୂର୍ବକ ଶ୍ରବଣ କରିଥିବା ଶ୍ରୀମଦ୍ଦେବୀ ଭାଗବତର ପୂଣ୍ୟ ଫଳରୁ ନରକଯନ୍ତ୍ରଣା ଭୋଗୁଥିବା ଆପଣଙ୍କ ପର ଲୋକ ଗତ ପିତା ପରିକ୍ଷୀତ ନରକରୁ ମୁକ୍ତ ହୋଇଛନ୍ତି। ସେ ଏବେ ଦିବ୍ୟ ଶରୀର ଧାରଣ କରି ଦେବତା ତଥା ଦିବ୍ୟାଙ୍ଗନା ମାନଙ୍କ ଦ୍ବାରା ସ୍ତୁତ, ପରିବୃତ୍ତ ଏବଂ ଶଙ୍ଖୋଳିତ ହୋଇ ମାଆ ଭୁବନେଶ୍ୱରୀଙ୍କ ଦିବ୍ୟଧାମ ମଣିଦ୍ୱୀପକୁ ଯାତ୍ରା କରିଛନ୍ତି। ପିତାଙ୍କ ଉପଯୁକ୍ତ ପୁତ୍ରଭାବେ ତୁମର ଜନ୍ମ ଏବଂ ଜୀବନ ସାର୍ଥକ ହୋଇଛି। ଦେବଲୋକ ପର୍ଯ୍ୟନ୍ତ ତୁମର ଯଶ ତଥା ପ୍ରଶଂସା ପ୍ରସାରିତ ହୋଇଛି। ନାରଦ ଏପରି ସମ୍ବାଦ ଦେଇ ହରିଧ୍ଵନି କରି ବ୍ରହ୍ମଲୋକ ପ୍ରସ୍ଥାନ କଲେ। ଦେବର୍ଷିଙ୍କ ଠାରୁ ଏହି ସମ୍ବାଦ ପାଇ ରାଜା ଜନ୍ମେଜୟଙ୍କ ତନୁ ମନ ପୁଲକିତ ହୋଇ ଉଠିଲା। କୃତାଞ୍ଜଳୀ ପୁଟ ହୋଇ ମହାମୁନି ବ୍ୟାସଙ୍କୁ ପ୍ରଣାମକରି କହିଲେ,ହେ ମହାତ୍ମା ! ଆପଣଙ୍କ ଅପାର କୃପାରୁ ମୁଁ ଆଜି କୃତାର୍ଥ ହେଲି। ଆପଣଙ୍କ ନିକଟରେ ମୁଁ ଚିରକୃତଜ୍ଞ। ଆପଣଙ୍କ କୃପା ଏହିପରି ସଦା ମୋ ଉପରେ ଲାଗି ରହିଥାଉ। ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି। ରାଜା ଜନ୍ମେଜୟଙ୍କୁ ଆଶୀର୍ବାଦକରି ବ୍ୟାସଦେବ କହିଲେ, ମହାରାଜ ! ଆପଣ ସଦା ପରମେଶ୍ଵରୀ ମାଆ ଭଗବତୀଙ୍କ ଉପାସନା କରନ୍ତୁ ଏବଂ ତାଙ୍କ ଉଦ୍ଦେଶ୍ୟରେ, ନିଷ୍ଠାର ସହ ଯଜ୍ଞାନୁଷ୍ଠାନ କରନ୍ତୁ। ତତ୍ ସହିତ ଆପଣ ପରମ କଲ୍ୟାଣ କାରୀ ଦେବୀ ଭାଗବତକୁ ନିୟମିତ ପାଠ କରନ୍ତୁ। ଭଗବତୀଙ୍କ ସଭକ୍ତି ପୂଜାର୍ଚ୍ଚନା କଲେ ଆପଣ ନିଶ୍ଚିନ୍ତ ଭାବରେ ଏହି ଭବ ବନ୍ଧନରୁ ମୁକ୍ତି ଲାଭ କରିବେ । ଦେବୀ ଭାଗବତ ପରି ସଂସାରରେ ଆଉକିଛି ଗ୍ରନ୍ଥ ନାହିଁ। ଏହି ଗ୍ରନ୍ଥରେ ଆଦ୍ୟା ପ୍ରକୃତିଙ୍କୁ ପ୍ରତିପାଦନ କରା ଯାଇଛି । ଶ୍ରୀମଦ୍ଦେବୀ ଭାଗବତ ପାଠରେ ବେଦ ପାଠର ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏପରି କହି ବ୍ୟାସଦେବ ମହାରାଜ ଜନ୍ମେଜୟଙ୍କୁ ଆଶୀର୍ବାଦ କରି ପ୍ରସ୍ଥାନ କଲେ।
ବ୍ୟାସଙ୍କ ଉପଦେଶ ଶିରୋଧାର୍ଯ୍ୟ କରି, ଜନ୍ମେଜୟ ପୃଥିବୀକୁ ଶାସନ କରିବାକୁ ଲାଗିଲେ। ପୂର୍ବେ ମହାରାଜ ଜନ୍ମେଜୟ ପିତୃହନ୍ତା ତକ୍ଷକନାଗ ଉପରେ ପ୍ରତିଶୋଧ ନେବା ପାଇଁ ଓ ସମସ୍ତ ସର୍ପକୁଳର ବିନାଶ ପାଇଁ ଉତ୍ତଙ୍କ ମୁନିଙ୍କ ପରାମର୍ଶରେ ସର୍ପଯଜ୍ଞ କରିଥିଲେ। ମାତ୍ର ଆସ୍ତିକ ଋଷିଙ୍କ ହସ୍ତକ୍ଷେପ ଫଳରେ ସେହି ଯଜ୍ଞ ବନ୍ଦହୋଇ ଯାଇ ଥିଲା। ସେହି ସମୟରେ ମହର୍ଷି ବ୍ୟାସଦେବ ଆସି ପରିକ୍ଷୀତଙ୍କ ନର୍କରୁ ମୁକ୍ତିପାଇଁ ଜନ୍ମେଜୟଙ୍କୁ ଶ୍ରୀମଦ୍ ଦେବୀ ଭାଗବତ ଶୁଣାଇ ଅମ୍ବାଯଜ୍ଞ ପାଇଁ ପରାମର୍ଶ ଦେଇଥିଲେ।                       
       ! ଜୟ ମାଆ ପରମେଶ୍ଵରୀ !
                  🙏🙏🙏
                    ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational