ମହାଭାରତରେ ଚନ୍ଦନ ଯାତ୍ରା
ମହାଭାରତରେ ଚନ୍ଦନ ଯାତ୍ରା
ମହାଭାରତରେ ଚନ୍ଦନ ଯାତ୍ରା
================
ପାଣ୍ଡବମାନେ କପଟ ପଶାରେ ପରାଜିତ ହୋଇ ସର୍ତ୍ତ ଅନୁସାରେ ବାରବର୍ଷ ବନବାସ ଶେଷ କରି ମତ୍ସ୍ୟ ଦେଶରେ ରାଜା ବିରାଟଙ୍କ ରାଜଧାନୀରେ ଯାଇ ଛଦ୍ମଭାବେ ଏକବର୍ଷର ଅଜ୍ଞାତ ବାସ କଲେ। ଅଜ୍ଞାତବାସ ଶେଷରେ ରାଜା ବିରାଟ ସେମାନଙ୍କ ପ୍ରକୃତ ପରିଚୟ ପାଇ, ଖୁବ୍ ଭାବ ବିହ୍ୱଳ ହୋଇ ପଡ଼ିଲେ। ମତ୍ସ୍ୟରାଜ ବିରାଟ ଆହୁରି କୃତକୃତ୍ୟ ହୋଇ ପଡ଼ିଲେ ଯେତେବେଳେ ସେ ଜାଣିଲେ ଯେ ଏମାନେ ସମସ୍ତେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଆଶ୍ରିତ ଓ ତାଙ୍କ ସଖା।
ରାଜା ବିରାଟ ଆନନ୍ଦ ଗଦଗଦ ହୋଇ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ, ହେ ମାଧବ ପ୍ରିୟ ! ଆପଣ ମାନଙ୍କ ଦ୍ୱାରା, ମୁଁ କେତେ ମାତ୍ରାରେ ଅନୁଗୃହୀତ ହୋଇଛି, ତାହା କହିବା, ମୋ ପକ୍ଷରେ ଅସମ୍ଭବ। ଶାସ୍ତ୍ରରେ କୁହା ଯାଇଛି, ସତ୍ ବ୍ୟକ୍ତିର ସାନ୍ନିଧ୍ୟରେ ଈଶ୍ୱରଦର୍ଶନ ସମ୍ଭବ ହୋଇଥାଏ। ଆପଣମାନଙ୍କ ପରି ଭଗବତ୍ ଭକ୍ତ ମାନଙ୍କର ସାନ୍ନିଧ୍ୟ ଲାଭ କରି ମୁଁ କୃତାର୍ଥ ହୋଇଛି। ଯଦି ମୋ ଉପରେ ଆପଣ ପ୍ରସନ୍ନ ତେବେ ଦୟା କରି ଆପଣମାନଙ୍କ ରକ୍ଷକ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମୋତେ ଦର୍ଶନ କରେ଼ଇ ଦିଅନ୍ତୁ। ତାଙ୍କୁ ଦର୍ଶନ କରି ମୁଁ ମୋ ନୟନ, ମନ, ଓ ଆତ୍ମାକୁ ତୃପ୍ତ କରିବି।
ଗ୍ରୀଷ୍ମ କାଳ ହୋଇଥାଏ। ଏପରି ଅନୁରୋଧ କରି ରାଜା ବିରାଟ ପ୍ରଭୁଙ୍କର ଜଳକ୍ରୀଡ଼ା ନିମନ୍ତେ ଏକ ବିରାଟ ସରୋବର ନିର୍ମାଣ କଲେ । ଜଳ ବିହାର ପାଇଁ ସରୋବରରେ ସୁସଜ୍ଜିତ ନୌକା ସବୁ ଖଞ୍ଜି ଦିଆଗଲା। ପ୍ରଭୁଙ୍କ ଅଭ୍ୟର୍ଥନା ପାଇଁ ଚନ୍ଦନ ଧୂପ ଦୀପ ଆଦିର ଅୟୋଜନ ହୋଇ ଉତ୍ସବର ତିଥୀ ସ୍ଥିର ହେଲା । ପାଞ୍ଚ ପାଣ୍ଡବଙ୍କ ଅନୁରୋଧ କ୍ରମେ ନିର୍ଦ୍ଧାରିତ ଦିବସରେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ଆସି, ବିରାଟ ରାଜାଙ୍କ ଭବ୍ୟ ଉତ୍ସବରେ ଯୋଗ ଦେଲେ। ବିରାଟରାଜାଙ୍କ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନାରେ ଦୁଇ ପ୍ରଭୁ ଅତ୍ୟନ୍ତ ପୁଲକିତ ହୋଇ ପଡ଼ିଲେ।
ଏହି ସମୟରେ ବିରାଟରାଜା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ, ହେ କେଶବ ! ଆପଣ ମୋତେ ଏହି ବର ଦିଅନ୍ତୁ, ଯେପରି ଆପଣଙ୍କର ଏହି ଲୀଳାକୁ କଳି ଯୁଗରେ ମନୁଷ୍ୟ ମାନେ ଦର୍ଶନ କରିବେ। ଅତୀବ ପ୍ରିତ ହୋଇ, ଶ୍ରୀକୃଷ୍ଣ ବିରାଟ ରାଜାଙ୍କ ପ୍ରାର୍ଥନାକୁ ସ୍ୱୀକାର ପ୍ରଦାନ କରି କହିଲେ, ରାଜନ୍ ! ତୁମ୍ଭର ଏହି ଅଭିଳାଷ ନିଶ୍ଚୟ ପୂର୍ଣ୍ଣ ହେବ। କଳି ଯୁଗରେ ଶ୍ରୀକ୍ଷେତ୍ର ନୀଳାଚଳ ଧାମରେ ମୁଁ ଆବିର୍ଭୁତ ହେବି ଏବଂ ତୁମ୍ଭର ଏହି ଉତ୍ସବର ସ୍ମୃତି ସ୍ଵରୂପେ ପାଳିତ ହେବ ଚନ୍ଦନଯାତ୍ରା। ସେହି ଚନ୍ଦନଯାତ୍ରାରେ ପଞ୍ଚୁ ପାଣ୍ଡବଙ୍କୁ ସଙ୍ଗରେ ଧରି ମୁଁ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବି, ଏବଂ ନୌକା ବିହାର ପୂର୍ବକ ଭକ୍ତ ମାନଙ୍କୁ ଆମୋଦିତ କରିବି।
ରାଜା ବିରାଟଙ୍କୁ ପ୍ରଭୁଙ୍କ ଏହି ବରର ସ୍ମୃତି ସ୍ଵରୂପ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟା ଦିନ ଠାରୁ ପାଳିତ ହୁଏ ଏକବିଂଶ ଦିନ ବ୍ୟାପି, ଚନ୍ଦନ ଯାତ୍ରା। ଏହି ଯାତ୍ରାରେ ରାମ କୃଷ୍ଣଙ୍କ ସହିତ ପଞ୍ଚପାଣ୍ଡବ ରୂପୀ ପଞ୍ଚ ମହାଦେବ ନରେନ୍ଦ୍ରସରୋବରକୁ ଯାତ୍ରାକରି ନୌକାରେ ଚାପ ଖେଳିଥାନ୍ତି। ଏଣୁ ଚନ୍ଦନଯାତ୍ରା କାରୀକ ପୁସ୍ତକରେ କୁହାଯାଇଛି:-
ମତ୍ସ୍ୟ ରାଜାନୁଭାବେନ
ବାସୁଦେବୋତ୍ସଵ ପରଂ।
ଗନ୍ଧଯାତ୍ରା ପ୍ରକୁର୍ବନ୍ତି
ପଣ୍ଡୁ ପୁତ୍ରାଦିନାଂ ସହଃ।।
ବିରାଟୋତ୍ସବ ଯ କ୍ଷାତଃ
ସୁଚିତ୍ର ଦେବଦୁର୍ଲ୍ଲଭ୍ନଂ।
ଯ ପଶ୍ୟତି ଜଗନ୍ନାଥ
ମୁକ୍ତି ତେଷାମ୍ ନସଂଶୟମ୍।।
ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ସ୍ମରଣ କରାଇ ଦେଇ ଥାଏ ଶ୍ରୀଜଗନ୍ନାଥଙ୍କ ପ୍ରତି ରାଜା ବିରାଟଙ୍କ ଭକ୍ତି। ବିରାଟ ରାଜାଙ୍କ ଭକ୍ତିର ନିଦର୍ଶନ ବହନ କରେ, ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ଅବସ୍ଥିତ କୀଚକାଇ ମଣ୍ଡପ। ସ୍କନ୍ଦ ପୁରାଣରେ କୁହା ଯାଇଛି ଭଗବାନ କୃଷ୍ଣଙ୍କୁ ଚନ୍ଦନ ଯାତ୍ରାରେ ଦର୍ଶନ କଲେ, ମନୁଷ୍ୟ ସାଜୁଜ୍ୟ ମୁକ୍ତି ଲାଭ କରେ । ସ୍କନ୍ଧପୁରାଣ ଉତ୍କଳ ଖଣ୍ଡରେ କୁହା ଯାଇଛି:-
ତସ୍ମିନ୍ କାଳେ ତୁ ଯେ କୃଷ୍ନଂ
ଭକ୍ତ୍ୟା ପଶ୍ୟନ୍ତି ମାନବାଃ।
ନ ତେଷାମ୍ ପୁନରାବୃତ୍ତିଃ
କଳ୍ପ କୋଟି ଶତୈରପି।।
🙏🙏🙏
ଅର୍ଜୁନୀ
--------------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
