ମହାଭାରତର ଯୋଦ୍ଧା ଧୃଷ୍ଟକେତୁ
ମହାଭାରତର ଯୋଦ୍ଧା ଧୃଷ୍ଟକେତୁ
ମହାଭାରତର ଯୋଦ୍ଧା ଧୃଷ୍ଟକେତୁ
=================
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ୍ l
ପୁରୁଜିତ୍, କୁନ୍ତିଭୋଜଶ୍ଚ ଶୈବଶ୍ଚ ନର ପୁଙ୍ଗବଃ ll
ଶ୍ରୀମଦ୍ଭଗବତ୍ ଗୀତା ପ୍ରଥମଅଧ୍ୟାୟର ଏହି ପଞ୍ଚମ ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରକୁ କହୁଛନ୍ତି ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବଙ୍କ ଯୋଦ୍ଧାମାନଙ୍କୁ ଦେଖି ଏହି ପରି ବର୍ଣ୍ଣନା କଲେ l ଏଥିରୁ ଜଣାପଡେ ଯେ ପାଣ୍ଡବଙ୍କ ପକ୍ଷରେ ଧୃଷ୍ଟକେତୁ ବୋଲି ଜଣେ କେହି ମହାଯୋଦ୍ଧା ଥିଲେ l
ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ, ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି, ଉପପ୍ଲବ୍ୟନଗର ଫେରି ଆସିଲେ l ଶାନ୍ତି ପାଇଁ ତାଙ୍କର ସବୁ ଉଦ୍ୟମ ବିଫଳ ହେବାରୁ ସେ ପାଣ୍ତବ ମାନଙ୍କୁ କହିଲେ, ଦଣ୍ଡନୀତି ପ୍ରୟୋଗ ଛଡ଼ା ଏବେ ଆଉ ଅନ୍ୟ କିଛି ଉପାୟ ନାହିଁ l
ଏହାଶୁଣି ଯୁଧିଷ୍ଠିର ଯୁଦ୍ଧପାଇଁ ଆଦେଶଦେଇ ଭାଇ ମାନଙ୍କୁ କହିଲେ, ଆମ ପାଖରେ ସାତ ଅକ୍ଷୋହିଣୀ ସେନା ଅଛନ୍ତି l ଦ୍ରୁପଦ,ବିରାଟ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ସାତ୍ୟକୀ,ଚେକିତାନ, ଧୃଷ୍ଟକେତୁ,ଭୀମସେନ ଆଦି ଆମର ଅନନ୍ୟ ମହା ଯୋଦ୍ଧା ଗୋଟିଏ ଗୋଟିଏ ଅକ୍ଷୋହିଣୀ ସେନାର ନେତୃତ୍ୱ ନିଅନ୍ତୁ l ଏମାନଙ୍କ ଭିତରୁ ଜଣେ, ପ୍ରଧାନ ସେନାପତି ନିଯୁକ୍ତ ହୁଅନ୍ତୁ, ଯିଏ କି, ଭୀଷ୍ମଙ୍କୁ ପରାଭବ ଦେବା ପାଇଁ ସମର୍ଥ ହେବେ l ଯୁଧିଷ୍ଠିରଙ୍କ ଏଥାରୁ ଜଣାପଡେ, ପାଣ୍ଡବ ସେନାଙ୍କ ମଧ୍ୟରେ ରାଜା ଧୃଷ୍ଟକେତୁ ଥିଲେ ଜଣେ ମହାନ୍ ଯୋଦ୍ଧା l ମହାଭାରତର ବିଭିନ୍ନ ଶ୍ଳୋକରୁ ଧୃଷ୍ଟକେତୁ ଜଣେ ମହାଯୋଦ୍ଧା ଥିଲେବୋଲି ଜଣା ପଡୁଥିଲେ ସୁଦ୍ଧା ତାଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥାଏ l
ମହାଭାରତର ଶ୍ଳୋକ ମାନଙ୍କୁ ତର୍ଜମା କଲେ ଜଣା ଯାଏ ଯେ ଧୃଷ୍ଟକେତୁ ଥିଲେ ଚେଦି ଦେଶର ଯୋଦ୍ଧା ଏବଂ ଶିଶୁପାଳଙ୍କ ପୁତ୍ର l ଶିଶୁପାଳ ବର ବେଶରେ ପ୍ରସ୍ତୁତ ହୋଇ ଆସି ରୁକ୍ମିଣୀଙ୍କ ସ୍ଵୟଂମ୍ବରରୁ ଫେରି ଯାଇଥିଲା l ସେ ସେହିଦିନ ଠାରୁ କୃଷ୍ଣ ଓ ବସ୍ତୁତଃ ପାଣ୍ଡବ ଦ୍ରୋହୀ ହୋଇ ପଡ଼ିଥିଲା l ସେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ, ଶ୍ରୀକୃଷ୍ଣଙ୍କୁ ନାନା ଗାଳି ଗୁଲଜ କରି ଅପମାନିତ କରିବାରୁ ପ୍ରଭୁ ସୁଦର୍ଶନ ଚକ୍ରରେ ତାର ଶିରଛେଦ କଲେ l ପିତାଙ୍କ ପରେ ଧୃଷ୍ଟକେତୁ ଶ୍ରୀକୃଷ୍ଣଙ୍କ ସ୍ୱୀକୃତିରେ, ଚେଦିର ସିଂହାସନ ମଣ୍ଡନ କଲେ ଓ ପାଣ୍ଡବଙ୍କ ସହଯୋଗୀ ହୋଇ ପଡ଼ିଲେ l ତାଙ୍କ ପୁତ୍ର ଚେକିତାନ ଥିଲେ ପାଣ୍ଡବପକ୍ଷର ଜଣେ ସେନାପତି ।
ଧୃଷ୍ଟକେତୁ ଶବ୍ଦର ଅର୍ଥ, ଧୃଷ୍ଟ ଅର୍ଥାତ୍ ଦୃଢ। ଏବଂ କେତୁ ଅର୍ଥାତ୍ କେତନ ବା ପତାକା। ଏଥିରୁ ଜଣା ପଡ଼େ ଯେ ସେ ଜଣେ ଦୃଢ଼ପ୍ରତିଜ୍ଞ ଯୋଦ୍ଧା ଥିଲେ। ତାଙ୍କ ଭାଇ ଥିଲେ, ସରଭ, ମହୀପାଳ ଓ ସୁକେତୁ ଯେଉଁ ମାନେ ସମସ୍ତେ ପାଣ୍ଡବ ସେନାରେ ଥିଲେ। ତାଙ୍କ ଭଉଣୀ ଥିଲେ କାରେଣୁମତି ଯିଏ ନକୁଳଙ୍କୁ ଵିଵାହ କରିଥିଲେ। ନକୁଳ ଏବଂ କାରେଣୁମତିଙ୍କ ପୁତ୍ର ଥିଲେ ନିରମିତ୍ର, ଯିଏ ପରେ ନକୁଳଙ୍କ ମାତୃ ରାଜ୍ୟ ଉତ୍ତର ମଦ୍ରଦେଶର ରାଜା ହେଲେ।
ମହା ଭାରତର ଆଦି ପର୍ବର ବର୍ଣ୍ଣନା ଅନୁସାରେ ଧୃଷ୍ଟକେତୁ ଥିଲେ, ଦୈତ୍ୟରାଜ ହିରଣ୍ୟକଶିପୁର ପୁତ୍ର ଅନୁହ୍ଲାଦଙ୍କ ଅବତାର। ପାଣ୍ଡବଙ୍କ ବନବାସ ଯିବା ଅବସରରେ ଧୃଷ୍ଟକେତୁ ଯାଇ ତାଙ୍କୁ ଭେଟି ଥିଲେ । ପରେ ସେ ତାଙ୍କ ଭଉଣୀ କାରେନ୍ଵତିଙ୍କୁ ନକୁଳଙ୍କୁ ବିବାହ କରାଇ, ଚିର ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ହୋଇ ଥିଲେ।
ପାଣ୍ଡବମାନଙ୍କ ବନବାସ ଓ ଅଜ୍ଞାତ ବାସ ଶେଷ ହେବା ପରେ ଏବଂ ସମସ୍ତ ଶାନ୍ତିଉଦ୍ୟମ ବିଫଳ ହେବାପରେ ଯେତେବେଳେ ଯୁଦ୍ଧର ଆୟୋଜନ ଆରମ୍ଭ ହେଲା ଯୁଧିଷ୍ଠିର ତାଙ୍କୁ ନିମନ୍ତ୍ରଣ ଦେଲେ। ନିମନ୍ତ୍ରଣ ପାଇ ତାଙ୍କ ବିରାଟ ଏକ ଅକ୍ଷ୍ୟୋହୀଣୀ ସେନାଙ୍କ ସହ ସେ ଆସି ପାଣ୍ଡବଙ୍କ ସହିତ ଯୋଗ ଦେଲେ । ଭୀଷ୍ମ ତାଙ୍କୁ ଜଣେ ମହା ଧନୁର୍ଦ୍ଧର ଏବଂ ମହାରଥୀ ବୋଲି ବର୍ଣ୍ଣନା କରିଛନ୍ତି। ମହାଯୋଦ୍ଧା ଧୃଷ୍ଟକେତୁ ମହାଭାରତ ଯୁଦ୍ଧରେ ଅନେକ ପ୍ରମୁଖ ଯୋଦ୍ଧାଙ୍କୁ ସାମ୍ନା କରି ଥିଲେ । ଧୃଷ୍ଟକେତୁ ସାମ୍ନାକରିଥିବା ପ୍ରମୁଖ ଯୋଦ୍ଧାଗଣ ଥିଲେ ବହ୍ଲୀକ, ଭୂରିଶ୍ରବା ଓ ପୌରବ । ସେ ପାଣ୍ଡବଙ୍କ ଅର୍ଦ୍ଧଚନ୍ଦ୍ର ବ୍ୟୁହର ଡାହାଣ ଅଗ୍ର ଭାଗକୁ ରକ୍ଷା କରୁଥିଲେ । କୌରବ ସେନାପତି କୃପାଚାର୍ଯ୍ୟଙ୍କ ସହ ତାଙ୍କର ଯୁଦ୍ଧ ଉଲ୍ଳେଖ ଯୋଗ୍ୟ। କୌରବ ପକ୍ଷର ଜଣେ ଯୋଦ୍ଧା ବୀରଧନ୍ବାଙ୍କୁ ସେ ନିହତ କରିଥଲେ।
କୁରୁକ୍ଷେତ୍ରଯୁଦ୍ଧର ଚତୁର୍ଦ୍ଦଶ ଦିବସରେ ଧୃଷ୍ଟକେତୁ କୌରବଙ୍କ ସେନାପତି ଦ୍ରୋଣାଚାର୍ଯ୍ୟଙ୍କ ହସ୍ତରେ ବୀରଗତି ପ୍ରାପ୍ତହୋଇଥିଲେ। ଯୁଦ୍ଧର ପରିସମାପ୍ତି ପଶ୍ଚାତ୍ ଅନ୍ଯ ସମସ୍ତ ବୀରଗତି ପ୍ରାପ୍ତ ଯୋଦ୍ଧାଙ୍କ ସହ, ଭଗବାନ ବ୍ୟାସ ଧୃଷ୍ଟକେତୁଙ୍କ ପ୍ରେତାତ୍ମାକୁ ଗଙ୍ଗାଙ୍କ ମଧ୍ୟ୍ୟରୁ ଉଦଜୀବିତ କରାଇ, ପାଣ୍ଡବଙ୍କ ଦ୍ୱାରା ତାଙ୍କର ଅନ୍ତିମ ତର୍ପଣ କରାଇଥିଲେ। ମହାଯୋଦ୍ଧା ଧୃଷ୍ଟକେତୁଙ୍କ କଥା ବିଶଦଭାବେ ମହାଭରତରେ କେଉଁଠି ବର୍ଣ୍ଣିତ ହୋଇନାହିଁ। କିନ୍ତୁ ତାଙ୍କର ନାମ ମହାଭାରତରେ ବିଭିନ୍ନ ପର୍ଵରେ ଦେଖିବାକୁ ମିଳେ। ସ୍ୱର୍ଗାରୋହଣ ପର୍ବରେ କୁହାଯାଇଛି ରାଜା ଧୃଷ୍ଟକେତୁ ମୃତ୍ୟୁ ପରେ ସ୍ୱର୍ଗରେ ଯାଇ ବିଶ୍ୱଦେବ ଭାବେ ସ୍ଥାନ ପାଇଥିଲେ।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
