ଶ୍ୱେତମାଧବ ଓ ଶ୍ୱେତଗଙ୍ଗାଙ୍କ କଥା
ଶ୍ୱେତମାଧବ ଓ ଶ୍ୱେତଗଙ୍ଗାଙ୍କ କଥା
ଶ୍ୱେତମାଧବ ଓ ଶ୍ୱେତଗଙ୍ଗାଙ୍କ କଥା
=================
ମହାରାଜ ଇନ୍ଦ୍ରଦ୍ୟୁମ୍ନ ନୀଳାଚଳ ଧାମରେ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠାକରି ସ୍ଵୟଂ ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ନାନା ପୂଜା ଵିଧି ଏବଂ ଯାନି ଯାତ୍ରାର ସୁଵ୍ୟଵସ୍ଥା କଲେ । ଅନ୍ତଃ କାଳରେ ଶ୍ୱେତରାଜାଙ୍କୁ ସେ ଡାକି କହିଲେ, ଦୀନ ଜନଙ୍କ ଉଦ୍ଧାର ନିମନ୍ତେ ମହାପ୍ରଭୁ ନୀଳାଚଳରେ ଦାରବତନୁ ଧାରଣ କରି ଅବତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏଠାରେ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ। ଏହି ଦାରୁ ବିଗ୍ରହ ସାକ୍ଷାତ୍ ବ୍ରହ୍ମ ସ୍ୱରୂପ। ଆପଣ ଏବେଠୁଁ ଏହି ଭୋଗ, ଓ ମୋକ୍ଷ ପ୍ରଦ ଦାରୁବ୍ରହ୍ମଙ୍କ ସେବା କରନ୍ତୁ ଓ ରାଜ୍ୟବାସୀଙ୍କ ସହ ତାଙ୍କର ଯାତ୍ରା ବିଧାନ ମାନ ଅନୁଷ୍ଠିତ କରନ୍ତୁ। ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶକୁ ଶ୍ୱେତ ରାଜା କୃତାଞ୍ଜଳୀ ପୂଟ ହୋଇ ଗ୍ରହଣକଲେ। ଏହାପରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଭଗବାନ ପୁରୁଷୋତ୍ତମଙ୍କ ପୂଜା ସାରି ନାରଦଙ୍କ ସହ ବ୍ରହ୍ମଲୋକକୁ ଯାତ୍ରା କଲେ।
ଶ୍ୱେତରାଜା ନିର୍ଦ୍ଦେଶ ଅନୁସାରେ ବ୍ରତ ଅବଲମ୍ବନ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଧି ଅନୁସାରେ ସବୁ ପୂଜା ଏବଂ ଯାତ୍ରାଦି କରିବାକୁ ଲାଗିଲେ। ପ୍ରଭୁଙ୍କ ପ୍ରୀତି ନିମନ୍ତେ ସେ ବହୁବିଧ ନୃତ୍ୟଗୀତର ମଧ୍ୟ ଵ୍ୟଵସ୍ଥା କଲେ। ସେ ବୈଷ୍ଣବ ଶାସ୍ତ୍ରରେ ନିର୍ଦ୍ଦେଶିତ ସମସ୍ତ ଭୋଗର ଵ୍ୟଵସ୍ଥା କରି ଖୁବ ନିଷ୍ଠାର ସହ ପ୍ରଭୁଙ୍କ ସେବାରେ ଲାଗିଲେ।
ଦିନେ ଶ୍ୱେତରାଜା ମହାପ୍ରଭୁଙ୍କ ପ୍ରାତଃଦର୍ଶନ ପାଇଁ ଯାଇ, ଶ୍ରୀମନ୍ଦିରରେ ପହଞ୍ଚି ଦେଖିଲେ ମହାପ୍ରଭୁଙ୍କ ପୂଜା ହେଉଛି। ସେ ମହାପ୍ରଭୁଙ୍କ ସମ୍ମୁଖରେ ସମସ୍ତ ଦିବ୍ୟ ଉପଚାର ଯୁକ୍ତ ସହସ୍ର ନୈବେଦ୍ୟ ସମୁହକୁ ଦେଖି ଭାବିଲେ, ଦେବବୃନ୍ଦ ଦିବ୍ୟ ଉପଚାର ଦ୍ୱାରା ଯାହାଙ୍କ ଅର୍ଚ୍ଚନା କରିବା ପାଇଁ ସମର୍ଥ ନୁହଁନ୍ତି ଏହି ବାହ୍ୟ ଉପଚାର ଦ୍ୱାରା ମହାପ୍ରଭୁଙ୍କ ନିଶ୍ଚୟ ପ୍ରୀତି ହେଉନଥିବ। ସ୍ଥିତପ୍ରଜ୍ଞ ମନୁଷ୍ୟମାନେ ମାନସିକ ଉପଚାର ଦ୍ୱାରା ଯାହାଙ୍କ ପୂଜା କରନ୍ତି ସେହି ପ୍ରଭୁ କଅଣ ଏହି ମନୁଷ୍ୟ କଳ୍ପିତ ଭୋଗବସ୍ତୁକୁ ଗ୍ରହଣ କରିବେ?
ରାଜା ଚକ୍ଷୁ ନିମିଳିତ କରି ଏପରି ଭାବୁ ଥାନ୍ତି ହଠାତ୍ ତାଙ୍କ ଦିବ୍ୟ ଦୃଷ୍ଟି ପଥରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଭାସି ଉଠିଲା। ଶ୍ୱେତ ରାଜା ମନଶ୍ଚକ୍ଷୁରେ ଦେଖିବାକୁ ପାଇଲେ ଦିବ୍ୟ ବସନ ପରିହିତା ସ୍ୱୟଂ ମହାଲକ୍ଷ୍ମୀ ସୁବର୍ଣ୍ଣ ଥାଳିରେ ସେହି ଭୋଗ ସାମଗ୍ରୀ ସବୁ ପରଷି ଦେଉଛନ୍ତି ଏବଂ ଠାକୁର ମାନେ ତାହା ପରମଆନନ୍ଦ ପୂର୍ବକ ଚତୁର୍ଦ୍ଦିଗରେ ବସି ଭୋଜନ କରୁଛନ୍ତି। ଶ୍ୱେତରାଜା ଏହି ଦିବ୍ୟ ଲୀଳାକୁ ଦର୍ଶନ କରି ନିଜକୁ କୃତକୃତ୍ୟ ମନେ କଲେ। ସେହିଦିନ ଠାରୁ ରାଜା ମହାପ୍ରଭୁଙ୍କ ପ୍ରତି ଅତୀବ ଭକ୍ତିମତା ହୋଇ ନିଜ ରାଜ୍ୟର ପ୍ରଜାମାନଙ୍କ ଅକାଳ ମୃତ୍ୟୁ ନାଶ ଓ ମୃତ ବ୍ୟକ୍ତିଙ୍କ ମୁକ୍ତି କାମନାରେ ଅନାହାର ବ୍ରତ ଅବଲମ୍ବନ ପୂର୍ବକ ନିଷ୍ଠାର ସହ ମହାପ୍ରଭୁଙ୍କୁ ଧ୍ୟାନ କରିବାକୁ ଲାଗିଲେ।
ଶ୍ୱେତ ରାଜାଙ୍କ ନିଷ୍ଠା ତଥା ଭକ୍ତିରେ ପ୍ରସନ୍ନ ହୋଇ ଦିନେ ଲକ୍ଷ୍ମୀଙ୍କୁ ବାମକୋଳରେ ଧରିଥିବା ନୃସିଂହ ତାଙ୍କୁ ଦର୍ଶନ ଦେଲେ। ପ୍ରଭୁଙ୍କୁ ଦର୍ଶନ କରି ଶ୍ୱେତ ରାଜା ତାଙ୍କର ଆଶୀର୍ବାଦ ଭିକ୍ଷାକଲେ। ଭଗବାନ ନୃସିଂହ ତାଙ୍କୁ ଏକ ସମୃଦ୍ଧ ରାଜ୍ୟ ଭୋଗର ଆଶୀର୍ବାଦ ପ୍ରଦାନ ପୂର୍ବକ କହିଲେ, ଅକ୍ଷୟବଟ ଓ ସାଗରର ମଧ୍ୟବର୍ତ୍ତୀ ପରମ ପାବନ ଦୁର୍ଲଭ ମୁକ୍ତିକ୍ଷେତ୍ର ସ୍ଥିତ ଆଦ୍ୟାବତାର ମତ୍ସ୍ୟ ରୂପୀ ଶ୍ରୀବିଷ୍ଣୁଙ୍କ ସମ୍ମୁଖରେ ତୁମେ ସ୍ଫଟିକ ଦେହରେ ବାସକରିବ ଏବଂ ତୁମେ ଏହି ଭୁମଣ୍ଡଳରେ ଶ୍ୱେତ ମାଧବ ଭାବେ ପରିଚିତ ହେବ। ତୁମ ନିବାସ ସ୍ଥାନ ଉତ୍ତର ଦିଗରେ ଥିବା ସର୍ଵପାପ ବିନାଶକ ଯେଉଁ ସରୋବରଟି ରହିଛି ସେଥିରେ ସ୍ନାନ ତଥା ଆଚମନ ପୂର୍ବକ ତୁମ୍ଭଙ୍କୁ ଯିଏ ଦର୍ଶନ କରିବ, ସେ ସାଜୁଜ୍ୟ ମୁକ୍ତି ଲାଭ କରିବ। ଏହା ଛଡ଼ା ମୋ ମହାପ୍ରସାଦ ଭୋଜନ କରୁଥିବା ତୁମ ରାଜ୍ୟର କୌଣସି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେବ ନାହିଁ।
ମହାପ୍ରଭୂଙ୍କ ଆଶୀର୍ବାଦରେ ତ୍ରେତୟା ଯୁଗର ଏହି ଶ୍ୱେତରାଜାଙ୍କ ସ୍ମାରକୀ ବହନ କରି ଶ୍ରୀକ୍ଷେତ୍ରରେ ବିରାଜମାନ କରୁଛନ୍ତି ଶ୍ୱେତମାଧବ ଓ ଶ୍ୱେତଗଙ୍ଗା ରୂପୀ ସେହି ପୁଷ୍କରିଣୀ। ଶ୍ଵେତରାଜା ଶ୍ୱେତମାଧବ ଓ ଶ୍ୱେତଗଙ୍ଗାଙ୍କ କଥା ଶ୍ରୀସ୍କନ୍ଦପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ସପ୍ତତ୍ରିଂଶ ଅଧ୍ୟାୟରେ ବର୍ଣ୍ଣିତ। ସେଥିରେ ଶ୍ଵେତଗଙ୍ଗା ସ୍ନାନ ଓ ଶ୍ୱେତ ମାଧବଙ୍କ ଦର୍ଶନର ଫଳ ବର୍ଣ୍ଣନାକରି କୁହା ଯାଇଛି:-
ତବୋତ୍ତରସ୍ୟ ଦିଶି
ଯତ୍ ସରଃ ପାପନିବର୍ହଣମ୍ ।
ତତ୍ର ସ୍ନାନ ଉପସ୍ପୃଶ୍ୟ
ତଦୀୟେ ଦକ୍ଷିଣେ ତଟେ ।
ୟୁବୟୋର୍ଦ୍ରୁଷ୍ଟିପୂତଃ ସଂସ୍ତ୍ୟକ୍ତ୍ୱା
ପ୍ରାଣାନ୍ ବିମୁଚ୍ୟତେ ।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
