ପରିକ୍ଷୀତ ଓ ଶୁକ ମୁନିଙ୍କ ସାକ୍ଷାତ
ପରିକ୍ଷୀତ ଓ ଶୁକ ମୁନିଙ୍କ ସାକ୍ଷାତ
ପରିକ୍ଷୀତ ଓ ଶୁକ ମୁନିଙ୍କ ସାକ୍ଷାତ
=================
କ୍ରୋଧବଶ ହୋଇ ମହାରାଜ ପରିକ୍ଷୀତ ମହାମୁନି ଶମୀକଙ୍କ ଗଳାରେ ମୃତ ସର୍ପ ପକାଇ ଦେଇ ନିଜ ରାଜଧାନୀକୁ ଫେରି ଯାଇ ସେହି ନିନ୍ଦନୀୟ କାର୍ଯ୍ୟ ପାଇଁ ଖୁବ୍ ପଶ୍ଚାତ୍ତାପ କଲେ। ତାଙ୍କୁ ଏକ ଅପରାଧ ବୋଧ ବାରମ୍ବାର ଦଂଶନ କରିବାକୁ ଲାଗିଲା। ସେ ଭାବିବାକୁ ଲାଗିଲେ ମୋର ଏହି ନିନ୍ଦିତ କର୍ମ ପାଇଁ ମୋ' ଉପରେ କୌଣସି ଘୋର ବିପତ୍ତି ପଡୁ ଯାହା ଦ୍ୱାରା ମୋର ପାପର ପ୍ରାୟଶ୍ଚିତ ହୋଇଯିବ। ସେହି ବ୍ରାହ୍ମଣଙ୍କର କ୍ରୋଧଗ୍ନି ମୋର ରାଜ୍ୟ, ସେନା ଏବଂ ଭଣ୍ଡାରକୁ ଜାଳି ପୋଡ଼ି ପାଉଁଶ କରିଦେଉ, ଯାହା ଫଳରେ ମୁଁ ଆଉ କେବେ ବ୍ରାହ୍ମଣ, ଦେବତା ଏବଂ ଗୋଜାତି ପ୍ରତି ଏଭଳି ପାପବୁଦ୍ଧି କରିବି ନାହିଁ।
ରାଜା ପରିକ୍ଷୀତ ଏପରି ଭାବୁଛନ୍ତି ଏହି ସମୟରେ ସେ ଶୁଣିବାକୁ ପାଇଲେ ଯେ ମୁନି କୁମାରଙ୍କ ଶାପ ଫଳରେ ତାଙ୍କୁ ଆଜ ଠୁଁ ସପ୍ତମ ଦିବସରେ ତକ୍ଷକ ଦଂଶନକରିବ। କିନ୍ତୁ ପରିକ୍ଷୀତ ଏଥିରେ ବିଚଳିତ ନହୋଇ ଭାବିଲେ ବର୍ତ୍ତମାନ ମୋ ଭିତରେ ଶୀଘ୍ର ବୈରାଗ୍ୟ ଜାତହେବାର କାରଣ ଉପସ୍ଥିତ ହୋଇ ଗଲା। ସେ ତୁରନ୍ତ ସମସ୍ତ ଭୋଗ ମାୟାକୁ ତ୍ୟାଗ କରି ଦେଇ, ଆମରଣ ନିରାହାର ରହିବା ସଂକଳ୍ପ କରି, ଶ୍ରୀକୃଷ୍ଣଙ୍କ ଚରଣ କମଳରେ ଧ୍ୟାନ ଲଗାଇ ଯାଇ ଗଙ୍ଗା ତଟରେ ବସି ଗଲେ। ଏତିକି ବେଳେ ତୀର୍ଥ ଭ୍ରମଣ କରୁଥିବା ବହୁ ମୁନିଋଷି ଆସି ଗଙ୍ଗା ତଟରେ ପହଞ୍ଚିଲେ। ସେହି ଋଷି ମାନଙ୍କ ମଧ୍ୟରେ ଥିଲେ, ଅତ୍ରୀ, ବଶିଷ୍ଠ,ଚ୍ୟବନ, ସରଦ୍ୱାନ,ଅଙ୍ଗିରା ଭୃଗୁ,ପରାଶର, ବିଶ୍ୱାମିତ୍ର, ପରଶୁରାମ, ଦେବଳ, ଗୌତମ, ପିପଲ୍ଲାଦ, ମୈତ୍ରେୟ, ଔର୍ବି, ଅଷ୍ଟିଶେଣ, ଭରଦ୍ୱାଜ, କବଶ, ଅଗସ୍ତ୍ୟ, ବ୍ୟାସ, ନାରଦ ତଥା ଆହୁରି ଅନେକ ମହାତ୍ମାଗଣ । ସେଠାରେ ସମସ୍ତ ଋଷିମାନେ ଆସି ଏକତ୍ରିତ ହେଲେଣି ଦେଖି ରାଜା ପରିକ୍ଷୀତ ସେମାନଙ୍କୁ ଯଥା ଯୋଗ୍ୟ ସତ୍କାର କରି ତାଙ୍କ ଚରଣରେ ମଥା ନତକରି ନମସ୍କାର କଲେ। ସମସ୍ତେ ଆସନରେ ବସିଯିବା ପରେ ହାତଯୋଡ଼ି ପରିକ୍ଷୀତ ସମସ୍ତଙ୍କୁ କହିଲେ, ହେ ଭଗବନ୍ ! ମୁଁ ବର୍ତ୍ତମାନ୍ ମୋ ଚିତ୍ତକୁ ଶ୍ରୀକୃଷ୍ଣଙ୍କ ପଦ କମଳରେ ସମର୍ପି ଦେଇଛି। ମୋତେ ଜଣେ ଶରଣାଗତ ଜାଣି ଆପଣ ମାନେ ଓ ଗଙ୍ଗା ଦେବୀ ମୋତେ ଅନୁଗ୍ରହ କରନ୍ତୁ। ବ୍ରହ୍ମଶାପରୁ ମୋତେ ତକ୍ଷକ ଦଂଶନ କରୁ ମୋର ତହିଁକି ତିଳେ ହେଲେ ଭୟ ନାହିଁ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କମଳରେ ମୋର ସଦା ଅତୁଟ ଅନୁରାଗ ରହୁ। ତାଙ୍କ ଚରଣାଶ୍ରିତ ମହାତ୍ମାମାନଙ୍କ ଠାରେ ମୋର ବିଶେଷ ପ୍ରୀତି ରହୁ ତଥା ଜଗତର ସମସ୍ତ ପ୍ରାଣୀଙ୍କ ପ୍ରତି ମୋର ସମାନ ମୈତ୍ରୀ ରହୁ। ଆପଣ ମାନେ ମୋତେ ଏହି ଆଶୀର୍ବାଦ ଦିଅନ୍ତୁ। ପୂର୍ବରୁ ପୁତ୍ର ଜନ୍ମେଜୟଙ୍କୁ ରାଜ କାର୍ଯ୍ୟ ସମର୍ପଣ କରି ଦେଇ ଦିଗବିଜୟୀ ମହାରାଜ ପରିକ୍ଷୀତଙ୍କର ଏହି ନିର୍ଣ୍ଣୟ ଦେଖି ସ୍ୱର୍ଗରୁ ଦେବତା ମାନେ ତାଙ୍କର ପ୍ରଶଂସା କରି ଦୁନ୍ଦୁଭି ଶବ୍ଦରେ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ । ଉପସ୍ଥିତ ମୁନିଗଣ "ସାଧୁ ! ସାଧୁ !" କହି ତାଙ୍କ ନିର୍ଣ୍ଣୟକୁ ଅନୁମୋଦନ କଲେ। ପୁନଶ୍ଚ ସେମାନେ କହିଲେ, ଆପଣଙ୍କ ପରି ପାଣ୍ଡୁବଂଶୀଙ୍କ ପକ୍ଷରେ ଶ୍ରୀକୃଷ୍ଣଙ୍କ ସେବକ ଓ ଅନୁଗାମୀ ହେବା କିଛି ଆଶ୍ଚର୍ୟ୍ଯର କଥା ନୁହେଁ। ତେଣୁ ଭଗବାନଙ୍କ ଏହି ପରମ ଭକ୍ତ ପରିକ୍ଷୀତ ଯେ ପର୍ଯ୍ୟନ୍ତ ତାଙ୍କର ନଶ୍ୱର ଶରୀର ପରିତ୍ୟାଗ କରି ଭଗବତ୍ ଧାମକୁ ଚାଲି ଯାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଆମେ ସମସ୍ତେ ଏଠାରେ ରହିବୁ।
ମୁନି ମାନଙ୍କ ଠାରୁ ଏପରି ମଧୁର ସମ୍ଭାଷଣ ଶୁଣି ରାଜା ପରିକ୍ଷୀତ କହିଲେ, ହେ ମହାତ୍ମା ମାନେ ! ସମସ୍ତଙ୍କ ନିମନ୍ତେ ସବୁ ଅବସ୍ଥାରେ, ବିଶେଷ କରି ମରଣାପନ୍ନ ବ୍ୟକ୍ତି ପକ୍ଷରେ କରଣୀୟ ବିଶୁଦ୍ଧକର୍ମ କଅଣ ଆପଣମାନେ ମୋତେ ତାହା କୁହନ୍ତୁ। ମୁନି ମାନଙ୍କୁ ରାଜା ପରିକ୍ଷୀତ ଏପରି ପଚାରୁଛନ୍ତି ଏହି ସମୟରେ ସେଠାରେ ଆସି ପହଁଚିଲେ ବ୍ୟାସସୂତ ଅବଧୂତବେଶଧାରୀ ଶ୍ରୀଶୁକଦେବ। ସେ ଦିଗମ୍ବର ବେଶରେ କୌଣସି ଜଣେ ଶ୍ରେଷ୍ଠ ଦେବତାଙ୍କପରି ଦେଖା ଯାଉ ଥାନ୍ତି। ତାଙ୍କୁ ଦେଖି ସମସ୍ତ ମୁନିମାନେ ନିଜ ନିଜ ଆସନରୁ ଉଠି ପଡ଼ି ତାଙ୍କର ସମ୍ମାନ କଲେ। ଶୁକଙ୍କ ଦିଗମ୍ବର ବେଶ ଦେଖି ତାଙ୍କ ପଛେ ପଛେ ମଜାକରି ଆସିଥିବା ବାଳକ ଓ ସ୍ତ୍ରୀଲୋକ ମାନେ ତାଙ୍କର ଅଦ୍ଭୁତ ମହିମା ଦର୍ଶନକରି କିଏ କୁଆଡ଼େ ପଳାଇ ଗଲେ।
ରାଜା ପରିକ୍ଷୀତ ବ୍ରହ୍ମ ଅବଧୂତ ମହାମୁନି ଶୁକଙ୍କ ଚରଣ ବନ୍ଦନା କଲେ ଓ ତାଙ୍କର ଯଥାଵିଧି ପୂଜା ଅର୍ଚ୍ଚନା କଲେ। ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୋଇ ଶୁକଦେବ ଉତ୍ତମ ଆସନରେ ବିରାଜ ମାନ କରି ମୁନିମାନଙ୍କ ମଧ୍ୟରେ ଚନ୍ଦ୍ର ତାରାମାନଙ୍କ ମଧ୍ୟରେ ଶୋଭା ପାଇଲା ପରି ଶୋଭା ପାଇଲେ। ସେ ବସି ଯିବା ପରେ ରାଜା ପରୀକ୍ଷିତ କହିଲେ, ହେ ବ୍ରହ୍ମ ସ୍ୱରୂପ ! ମୋର ଆଜି ପରମସୌଭାଗ୍ୟ ଯେ ମୋ ପରି ଜଣେ ଅପରାଧୀ ବ୍ୟକ୍ତି ଆପଣଙ୍କର ଦର୍ଶନ ଲାଭ କଲା। ଆପଣ କୃପା ପୂର୍ବକ ଆଗମନ କରି ମୋତେ ତୀର୍ଥତୁଲ୍ୟ ପବିତ୍ର କରିଦେଲେ। ବିଷ୍ଣୁଙ୍କ ସମକ୍ଷରେ ଯେପରି ମହା ମହା ଦୈତ୍ୟ ସବୁ ରହି ପାରନ୍ତିନାହିଁ ଆପଣଙ୍କ ସନ୍ନିଧିରେ ମଧ୍ୟ ସେହିପରି ବଡ଼ ବଡ଼ ପାପମାନେ ତୁରନ୍ତ ନଷ୍ଟ ହୋଇ ଯାନ୍ତି। ଏହାପରେ ରାଜା ପରିକ୍ଷୀତ ଶୁକଙ୍କୁ ପ୍ରଣାମ କରି ଅତି ବିନୟ ହୋଇ କହିଲେ, ହେ ଭଗବତ ସ୍ୱରୂପ ମୁନିବର ! ଆପଣଙ୍କର ଦର୍ଶନ ଅତ୍ୟନ୍ତ ଦୁର୍ଲଭ । କାରଣ ଗାଈଟିଏ ଦୁହିଁବା ପାଇଁ ଯେତିକି ସମୟ ଲାଗେ, ଆପଣ କୌଣସି ଗୃହସ୍ଥଙ୍କ ଦ୍ୱାରରେ ତା' ଠାରୁ ଅଧିକସମୟ ରହନ୍ତିନାହିଁ, ମୋତେ ଆପଣ ଦୟାକରି କୁହନ୍ତୁ:-
ଦେଖ ମୋ ଜୀବ ଯିବାକାଳେ।
କିବା ସାଧିବି ମହୀତଳେ।।
କିବା ଶୁଣିବି କର୍ଣ୍ଣପଥେ।
ସ୍ମରଣ କି କରିବି ଚିତ୍ତେ।।
କିବା ବଦନେ ଉଚ୍ଚାରଣ।
ଭଜିବି କାହାର ଚରଣ।।
ମହାରାଜ ପରିକ୍ଷୀତଙ୍କ ଏଭଳି ମଧୁର ସମ୍ଭାଷଣ ତଥା ପ୍ରଶ୍ନ ଶୁଣି ଶୁକଦେବ ମୁଦ୍ରିତ ଲୋଚନରେ ଶ୍ରୀହରିଙ୍କୁ ସ୍ମରଣ କଲେ ଏବଂ ଅତି ହୃଷ୍ଟ ହୋଇ ପରିକ୍ଷୀତଙ୍କୁ ହରି କଥା ଶୁଣାଇବାରେ ଲାଗିଲେ। ଶ୍ରୀମଦ୍ ଭାଗବତ, ପ୍ରଥମ ସ୍କନ୍ଧ ଶେଷରେ ଏହା ବର୍ଣ୍ଣନା କରି କହିଲେ:-
ଏବମାଭାଷିତଃ ପୃଷ୍ଟଃ
ସ ରାଜ୍ଞା ସୂକ୍ଷ୍ମୟା ଗୀରା।
ପ୍ରତ୍ୟଭାଷତ ଧର୍ମଜ୍ଞୋ
ଭଗବାନ୍ ବାଦରୟାଣୀ।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
