STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପୁଣ୍ଡରୀକ ଓ ଅମ୍ବରୀଷଙ୍କ କଥା

ପୁଣ୍ଡରୀକ ଓ ଅମ୍ବରୀଷଙ୍କ କଥା

3 mins
3

    ପୁଣ୍ଡରୀକ ଓ ଅମ୍ବରୀଷଙ୍କ କଥା
       (ସ୍କନ୍ଦ ପୁରାଣର ଉପାଖ୍ୟାନ)   
        ===============
ପୂର୍ବ କାଳରେ ପାବନ ଭୂମି କୁରୁକ୍ଷେତ୍ରରେ ଦୁଇଜଣ ବ୍ୟକ୍ତି ଜନ୍ମ ହୋଇଥିଲେ। ସେହି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, ପୁଣ୍ଡରୀକ ଥିଲେ, ବ୍ରାହ୍ମଣ ଓ ଅନ୍ଯ ଜଣେ ଅମ୍ବରୀଷ ଥିଲେ କ୍ଷତ୍ରୀୟ। ଦୁଇଜଣ ଥିଲେ ଘନିଷ୍ଠ ମିତ୍ର । ମାତ୍ର ଦୁହେଁ ଥିଲେ, ଆଚାର ବିଚାର ଶୂନ୍ୟ, କଦାଚାରୀ। ଶୌଚ, ଆଚାର ବିହୀନ ବନ୍ଧୁ ଦ୍ୱୟ କ୍ରମେ ମଦ୍ୟ ପାନ, ବେଶ୍ୟାସକ୍ତି ଆଦି ନାନା ପାପ ଓ କୁକର୍ମରେ ଲିପ୍ତ ରହି ବିପଥ ଗାମୀ ହୋଇ ପଡ଼ିଲେ ।
ଦିନେ ବନ୍ଧୁଦ୍ୱୟ ଦିଶାହରା ହୋଇ ବୁଲୁବୁଲୁ ଯାଇ ଗୋଟିଏ ଯଜ୍ଞ ସ୍ଥଳରେ ପହଞ୍ଚିଲେ। ସେଠାରେ ବ୍ରାହ୍ମଣ ମାନଙ୍କ ବେଦଧ୍ୱନି ଶୁଣି ତାଙ୍କ ମନରେ ଭାବାନ୍ତର ଜାତ ହେଲା। ସେମାନେ କରୁ ଥିବା,   ସମସ୍ତ କୁତ୍ସିତ କର୍ମ ଓ ପାପ ପାଇଁ ଅନୁତପ୍ତ ହେବାକୁ ଲାଗିଲେ। ଦୁଇବନ୍ଧୁ ଯଜ୍ଞସ୍ଥଳରେ ଉପସ୍ଥିତ ଥିବା ବିଜ୍ଞ ପଣ୍ଡିତ ମାନଙ୍କୁ ଯାଇ ପ୍ରଣାମ କରି, ନିଜର ସମସ୍ତଦୋଷ ସ୍ୱୀକାରକରି ଏ ସମସ୍ତ ପାପରୁ ଉଦ୍ଧାରପାଇବାର ଉପାୟ ପୁଚ୍ଛାକଲେ । ବିଜ୍ଞ ବିପ୍ରଗଣ ସେମାନଙ୍କ ପାପର ବିବରଣୀ ଶୁଣି ଆଶ୍ଚର୍ୟ୍ଯ ହୋଇ କହିଲେ, ତୁମେ ମାନେ ଯେତେ ଯେତେ ପାପ କରିଛ ତହିଁରୁ ଉଦ୍ଧାର ପାଇବା ପାଇଁ ତୁମକୁ କି ଉପଦେଶ ଦେବୁ ଆମକୁ କୌଣସି ପନ୍ଥା ଦିଶୁନାହିଁ। ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବିଷ୍ଣୁଭକ୍ତ ବ୍ରାହ୍ମଣ ସେମାନଂକୁ କହିଲେ:- କ୍ଷେତ୍ରୋତ୍ତମଂ ଦାରୁମୟୋ ଯତ୍ରାସ୍ତେ ପୁରୁଷୋତ୍ତମଃ । ଇନ୍ଦ୍ରଦ୍ୟୁମ୍ନସ୍ୟ ରାଜର୍ଷେର୍ଭକ୍ତ୍ୟାନୁଗ୍ରହକୃତ ଵିଭୁଃ।।
ତମାରାଧ୍ୟ ଜଗନ୍ନାଥମ୍ ଶଙ୍ଖଚକ୍ର ଗଦାଧରମ୍। ପାପକ୍ଷୟଂ ବା ମୁକ୍ତିଂ ବା ସ୍ଵେଚ୍ଛାୟା ପ୍ରାପ୍ସ୍ୟଥୋ ଧ୍ରୁବଂ।।
ଅର୍ଥାତ୍, ସେହି ବିଷ୍ଣୁଭକ୍ତ ବ୍ରାହ୍ମଣ ତାଙ୍କୁ ପରାମର୍ଶ ଦେଲେ, ତୁମେମାନେ ଏ ବିଷମ ପାପ ରାଶିରୁ ମୁକ୍ତ ହେବାପାଇଁ ଯଥାଶୀଘ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରାକର। କ୍ଷେତ୍ରରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦାରୁମୟ ତନୁ ଧାରଣ କରି ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କୁ ଅନୁଗ୍ରହ କରି ବିରାଜମାନ କରିଛନ୍ତି। ସେହି ଶଙ୍ଖ ଚକ୍ରଧାରୀ ଶ୍ରୀ ଜଗନ୍ନାଥଙ୍କୁ ତୁମେମାନେ ଆରାଧନା କଲେ ତୁମର ସମସ୍ତ ପାପରାଶି କ୍ଷୟ ହୋଇଯିବ। ଉତ୍କଳର ଦକ୍ଷିଣ ସମୁଦ୍ର ତୀରସ୍ଥ ନୀଳଗିରି ବାସୀ କୃପାସାଗର ପ୍ରଭୁଙ୍କର ତୁମେ ଶରଣ ପଶ। ସେହି ପ୍ରଭୁ ହିଁ ତୁମମାନଙ୍କୁ ମୁକ୍ରି ଦେଇ ପାରିବେ।
ବ୍ରାହ୍ମଣଙ୍କ ଉପଦେଶ ଶ୍ରବଣକରି ଦୁହେଁ ନୀଳାଚଳ ଧାମରେ ଆସି ଉପସ୍ଥିତ ହେଲେ। ଦୁହେଁ ତୀର୍ଥରାଜ ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ତାଙ୍କ ଦର୍ଶନ ନ ପାଇ ଖୁବ୍ ବ୍ୟଥିତ ହେଲେ। ସେମାନେ ପ୍ରଭୁଙ୍କ ଦର୍ଶନ ଆଶାରେ ଅନଶନ ବ୍ରତ ଧାରଣ କରି ପ୍ରଭୁଙ୍କ ପରମ ପାବନ ନାମ କୀର୍ତ୍ତନ କରି ଦିନ କାଟିଲେ। ଅନଶନର ତୃତୀୟ ରାତ୍ରରେ ସେମାନେ ଏକ ଦିବ୍ୟ ଜ୍ୟୋତିକୁ ଦର୍ଶନକରି ଆତ୍ମ ବିଭୋର ହୋଇ ପଡ଼ିଲେ। ସେମାନେ ଅନଶନର ସପ୍ତମ ରାତ୍ରରେ ପ୍ରଭୁଙ୍କର ଦିବ୍ୟ ଦର୍ଶନ ଲାଭକରି ପାପ ମୁକ୍ତ ହୋଇଗଲେ। ସେହି ସମୟରେ ଦୁହେଁ ଦେଖିଲେ ଯେ ପ୍ରଭୁ ଦିବ୍ୟ ରୂପରେ ତାଙ୍କ ଆୟୁଧ ମାନ ଧରି, ସିଂହାସନରେ ଉପବିଷ୍ଟ ଅଛନ୍ତି। ଏହା ପରେ ସେମାନେ ମହାପ୍ରଭୁଙ୍କ ବିଭିନ୍ନ ଲୀଳା ସବୁ ଦର୍ଶନ କଲେ। ଏହି ପରି ସେମାନେ କରୁଣାମୟ ମହାପ୍ରଭୁଙ୍କ ଭାବରେ ଭାବମୟ ହୋଇ ପଡ଼ିଲେ। ସେହି ସମୟରେ ସେମାନେ ଦେଖିଲେ, ଦେବତା ମାନେ ମଧ୍ୟ ପ୍ରଭୁଙ୍କ ସ୍ତୁତି କରୁଛନ୍ତି । ସେହି ସ୍ତୁତି ଶୁଣି ସେମାନଙ୍କର ଭାବାନ୍ତର ଜାତ ହେଲା ଏବଂ ତାଙ୍କର ସମସ୍ତ କଳୁଷ କ୍ଷୟ ହୋଇଗଲା । ପ୍ରଭୁଙ୍କର ଅଦ୍ଭୁତ ଦର୍ଶନ ପାଇ ସେମାନଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ମିଳି ପାରିଛି ବୋଲି ହୃଦବୋଧ ହେଲା। କ୍ଷଣକାଳ ପାଇଁ ସେମାନେ ପାଇଥିବା ଦିବ୍ୟ ଭାବ ପରେ ମନୁଷ୍ୟ ଭାବ ପାଇ ଦେଖିଲେ ଦିବ୍ୟ ରୂପ ଧାରଣ କରି ମହାପ୍ରଭୂ ସିଂହାସନ ଉପରେ ବିରାଜମାନ କରିଛନ୍ତି। ତାଙ୍କ ସହ ବଳଦେବ ଓ ସୁଭଦ୍ରା ମଧ୍ୟ୍ୟ ବିଜେ ଅଛନ୍ତି। ବାମ ଭାଗରେ ଚକ୍ରରାଜ ସୁଦର୍ଶନ ଶୋଭା ପାଉଛନ୍ତି। ମାଆ ଲକ୍ଷ୍ମୀ ସେଠାରେ ପୃଥକ ଭାବେ ଉପସ୍ଥିତ ଅଛନ୍ତି। ଦୁଇବନ୍ଧୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରଭାତ କାଳରେ ଦର୍ଶନ କରି ସମସ୍ତ ପରିଶ୍ରମର ସୁଫଳ ପ୍ରାପ୍ତ ହେଲେ। ଏହା ପରେ, ପୁଣ୍ଡରୀକ ଓ ଅମ୍ବରୀଷ କୃତ୍ତାଞ୍ଜଳୀ ପୁଟ ହୋଇ ମହାପ୍ରଭୂଙ୍କୁ ନାନା ଭାବେ ସ୍ତୁତି କରି ଆତ୍ମ ନିବେଦନ କରିବାକୁ ଲାଗିଲେ। ସେମାନେ ପୁନଶ୍ଚ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ଲାଭ କରି କୃତ କୃତ୍ୟ ହୋଇ ପଡ଼ିଲେ। ଉଭୟଙ୍କର ସଦଜ୍ଞାନ ଓ ସଦ ବୁଦ୍ଧିର ଉଦୟ ଘଟିଲା। ପ୍ରଭୁଙ୍କ ନିକଟରେ ସେମାନେ ପୂର୍ଣ୍ଣ ଭାବେ ଆତ୍ମ ସମର୍ପଣ କରି ତାଙ୍କ ଜୀବନର ଅବଶିଷ୍ଟାଂଶ ଶ୍ରୀକ୍ଷେତ୍ରରେ ଅତିବାହିତ କରିବାକୁ ନିଷ୍ପତ୍ତି ନେଲେ । ଏପରି ନିଷ୍ପତ୍ତି ନେଇ ସେମାନେ ଶ୍ରୀକ୍ଷେତ୍ରରେ ବାସ କଲେ ଓ ଶେଷକୁ ମହାପ୍ରଭୁଙ୍କ କରୁଣାରୁ ମୁକ୍ତି ଲାଭ କଲେ।
ମୁକ୍ତିଧାମ ଶ୍ରୀକ୍ଷେତ୍ରରେ ଯମଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ଏକଥାକୁ ବୁଝାଇବାକୁ ଯାଇ ମା' ମହାଲକ୍ଷ୍ମୀ ଶମନରାଜଙ୍କୁ ଏହି ଆଖ୍ୟାୟିକା ଶୁଣାଇ ଥିଲେ। ସ୍କନ୍ଦ ପୁରାଣର, ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ଚତୁର୍ଥ ଏବଂ ପଞ୍ଚମ ଅଧ୍ୟାୟରେ ଏହି ପୁଣ୍ଡରୀକ ଓ ଅମ୍ବରୀଷ ଉପାଖ୍ୟାନ ବର୍ଣ୍ଣିତହୋଇଛି। ମହାମୁନି ଜୈମିନୀ ସମବେତ ଋଷିମାନଙ୍କୁ ଶ୍ରୀକ୍ଷେତ୍ର ଧାମର ମାହାତ୍ମ୍ୟ ଓ ଜଗନ୍ନାଥ ମହାପ୍ରଭୁଙ୍କ ଅପାର ମହିମା ବୁଝାଇବାକୁ ଯାଇ ଏହି କଥା କହିଛନ୍ତି। ତାପରେ ମୁନିମାନେ ଜୈମିନୀଙ୍କୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଅବସ୍ଥିତି ବିଷୟ ନେଇ ପ୍ରଶ୍ନ ପଚାରିଛନ୍ତି।
ଏ କାହାଣୀର ନିଷ୍କର୍ଷ ଏହି ଯେ, କୌଣସି ପ୍ରାଣୀ ସର୍ବତୋଭାବେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ ହେଲେ ମହାପ୍ରଭୁ ତାକୁ ନିଶ୍ଚୟ ସାଯୁଜ୍ୟ ମୁକ୍ତି ଦେଇଥାନ୍ତି। ଏହି କଥା ପରିପ୍ରେକ୍ଷୀରେ ମନେ ପଡ଼ିଯାଏ ଶ୍ରୀମଦ୍ ଦ୍ଭଗବତ୍ ଗୀତାର ସେହି ଦିବ୍ୟ ବାଣୀ:- ସର୍ଵଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ଵ୍ରଜ । ଅହଂ ତ୍ଵା ସର୍ଵପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।।
               🙏🙏🙏
                   ଅର୍ଜୁନୀ
                --------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational