ମାତା ରୋହିଣୀ ଓ ରୋହିଣୀ କୁଣ୍ଡ
ମାତା ରୋହିଣୀ ଓ ରୋହିଣୀ କୁଣ୍ଡ
ମାତା ରୋହିଣୀ ଓ ରୋହିଣୀ କୁଣ୍ଡ
================
କୁରୁବଂଶରେ ରାଜା ପ୍ରତୀପଙ୍କର ତିନିପୁତ୍ର ଥିଲେ, ଶାନ୍ତନୁ, ବହ୍ଲୀକ ଓ ଦେବାପି । ମହାରାଜ ଶାନ୍ତନୁ କାଳ କ୍ରମେ ହସ୍ତିନାରେ ରାଜତ୍ଵ କଲେ । ଗଙ୍ଗାଙ୍କ ଗର୍ଭରୁ ଶାନ୍ତନୁଙ୍କ ଔରସରୁ ଜନ୍ମ ହେଲେ ଭୀଷଣ ପ୍ରତିଜ୍ଞାଧର, ଦେବବ୍ରତ, ଭୀଷ୍ମ । ଶାନ୍ତନୁଙ୍କୁ ଗଙ୍ଗା ତ୍ୟାଗ କରି, ଚାଲିଯିବା ପରେ ମହାରାଜ ଶାନ୍ତନୁ, କୈବର୍ତ୍ତ କନ୍ୟା ସତ୍ୟବତୀଙ୍କୁ ଵିଵାହ କରିଥିଲେ। କନ୍ୟା ଅବସ୍ଥାରେ, ସତ୍ୟବତୀଙ୍କ ଗର୍ଭରୁ, ମହର୍ଷି ପରାଶରଙ୍କ ଔରସରୁ, ବ୍ୟାସଦେବ ଜନ୍ମ ହୋଇ ଥିଲେ। ପରେ ତାଙ୍କ ଗର୍ଭରୁ ମହାରାଜ ଶାନ୍ତନୁଙ୍କ ଔରସରେ କୁରୁକୁଳର ଦାୟାଦଭାବେ ଜନ୍ମ ଲଭି ଥିଲେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ। ଏଣୁ ବହ୍ଲୀକ ମଧ୍ୟ କୁରୁକୁଳର ଜଣେ ବରିଷ୍ଠ ସଦସ୍ୟ। ବହ୍ଲୀକ ଭୀଷ୍ମଙ୍କର ହିସାବରେ କକା। ସବୁଠୁ ବୟୋଵୃଦ୍ଧ ଯୋଦ୍ଧାଭାବରେ ସେ ମହାଭାରତ ଯୁଦ୍ଧରେ ସ୍ଥାନ ପାଇଛନ୍ତି। ସେ ଭଗବାନ ଶ୍ରୀକୃଷ୍ଣଙ୍କ ପରମଭକ୍ତ ଥିଲେ। ମାତ୍ର ପରିସ୍ଥିତିରେ ପଡ଼ି ସେ କୌରଵଙ୍କ ପକ୍ଷ ଗ୍ରହଣ କରି ଥିଲେ। ତାଙ୍କ ପୁତ୍ର ସୋମଦତ୍ତ, ଓ ପୌତ୍ର ଭୁରିଶ୍ରବା ମଧ୍ୟ କୌରଵ ମାନଙ୍କ ପକ୍ଷ ଗ୍ରହଣ କରିଥିଲେ। ବହ୍ଲୀକ, ମହାଭାରତ ଯୁଦ୍ଧର ଚତୁର୍ଦ୍ଦଶ ଦିବସରେ ମହାବଳୀ ଭୀମଙ୍କ ହସ୍ତରେ ନିହତ ହୋଇଥିଲେ ।
ବଳରାମଙ୍କ ମାତା ରୋହିଣୀ, ବହ୍ଲୀକଙ୍କ କନ୍ୟା ଥିଲେ। ସେ ଭଗ୍ନୀ ପୌରବୀଙ୍କ ସହ ମଥୁରାରେ ବସୁଦେବଙ୍କୁ ଵିଵାହ କରିଥିଲେ । ଭୋଜବଂଶୀ ରାଜା ଦେଵକଙ୍କ କନ୍ୟା ଦେବକୀଙ୍କୁ ବସୁଦେବ ପୁଣି ପରେ ବିବାହକଲେ। କଂସଦ୍ୱାରା ଦେବକୀ ଏବଂ ବସୁଦେବ ବନ୍ଦୀ ହେବା ପୂର୍ବରୁ ବସୁଦେବ ରୋହିଣୀଙ୍କୁ ନେଇ ଗୋପପୁରରେ ସଖା ନନ୍ଦଙ୍କ ଗୃହରେ ଛାଡ଼ିଦେଇ ଆସିଲେ। ଶ୍ରୀହରିଙ୍କ ଦ୍ୱାରା ଆଦିଷ୍ଟ ହୋଇ, ମାଆ ଯୋଗମାୟା ଦେବକୀଙ୍କ ସପ୍ତମ ଗର୍ଭକୁ ଆକର୍ଷିତ କରିନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନକଲେ। ସେହି ସଂସ୍ଥାପିତ ଗର୍ଭରୁ ଜନ୍ମନେଲେ ପ୍ରଭୁ ବଳରାମ। ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଲେ, ଭଗବାନ୍ ଶ୍ରୀକୃଷ୍ଣ। ପ୍ରଭୁଙ୍କ ଆଦେଶରେ, ତାଙ୍କୁ ଘୋର ବର୍ଷଣ ମୁଖର ନିସ୍ତବ୍ଧ ରାତିରେ ବସୁଦେବ ନେଇ ଗୋପରେ ନନ୍ଦରାଣୀ ଯଶୋଦାଙ୍କ କୋଳରେ ଶୁଆଇ ଦେଇ ସେ ସଦ୍ୟ ପ୍ରସବ କରିଥିବା କନ୍ୟାକୁ ଘେନି ଚାଲି ଆସିଲେ। ଏହିପରି ଶ୍ରୀକୃଷ୍ଣ ମଥୁରାର କଂସ ବନ୍ଦିଶାଳାରେ ଜନ୍ମ ହୋଇ ଯାଇ ଗୋପରେ ବଢ଼ିଲେ। ଯଶୋଦା ରୋହିଣୀ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଗୋପରେ ଅତି ଆନନ୍ଦରେ ପାଳିବାକୁ ଲାଗିଲେ। ପିତା ବସୁଦେବ ଏବଂ ମାଆ ଦେବକୀ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କଂସର ବନ୍ଦୀ ଶାଳାରୁ ମୁକ୍ତି ପାଇବା ପରେ ମାତା ରୋହିଣୀଙ୍କ ଗର୍ଭରୁ ଜନ୍ମ ହେଲେ ସୁଭଦ୍ରା।
କୃଷ୍ଣ ବଳରାମ କ୍ରମେ ବଡ଼ହେଲେ। ଧରଣୀ ଭାର ଉଶ୍ୱାସପାଇଁ କଂସ, କେଶି, ଦନ୍ତ୍ୟବକ୍ର, ଶିଶୁପାଳ ଆଦି ବହୁ ପରାକ୍ରମୀ ରାକ୍ଷସ ମାନଙ୍କୁ ମାରିଲେ। କଂସ ନିଧନ ପରେ ଶ୍ୱଶୁର ଜରାସନ୍ଧ ମଥୁରାରେ ଯାଦବ ମାନଙ୍କୁ ଆଉ ରଖାଇ ଦେଲା ନାହିଁ। ସେ ମଥୁରାକୁ ବାର ବାର ଆକ୍ରମଣ କରି, ଯାଦବଙ୍କୁ ନିଃଶେଷ କରି ଦେବାକୁ ଚେଷ୍ଟା କଲା। ଶ୍ରୀକୃଷ୍ଣ ତା' ସହିତ ଯୁଦ୍ଧ ନ କରି, ଯାଦବ ମାନଙ୍କୁ ଘେନି ପଶ୍ଚିମ ସାଗର ମଧ୍ୟରେ ଦ୍ୱାରକା ନଗରୀ ନିର୍ମାଣ କରି ରହିଲେ। ଘଟଣା କ୍ରମେ, ପୁଣି ମହାଭାରତ ଯୁଦ୍ଧ ହେଲା। ଶ୍ରୀକୃଷ୍ଣଙ୍କ ସହାୟତାରେ ଯୁଧିଷ୍ଠିର ଯୁଦ୍ଧ ଜୟ କରି, ହସ୍ତିନା ସିଂହାସନରେ ଅଭିଷିକ୍ତ ହୋଇ ସସାଗରା ପୃଥିବୀକୁ ଶାସନ କଲେ।
ଶ୍ରୀକୃଷ୍ଣ ଓ ବଳରାମଙ୍କ ଦ୍ୱାପରଅବତାର ଲୀଳା ଶେଷ ହେଲା। ମର୍ତ୍ତ୍ୟ ଛାଡ଼ିବା ପୂର୍ବରୁ ଭଗବାନ୍ ଚିନ୍ତା କଲେ ଏ ଉଛ୍ରୁଙ୍ଖଳ ଯାଦବ ମାନେ ପୁନଃ ଧରଣୀର ଭାର ହୋଇ ପଡ଼ିବେ। ମାୟା ରଚନା କରି ସେ ନିଜ ବଂଶକୁ ଧ୍ୱଂସ କଲେ। ଯଦୁବଂଶ ଧ୍ଵଂସ ସମୟରେ ବସୁଦେବଙ୍କର ଯେତେବେଳେ ମହା ପ୍ରୟାଣ ହେଲା, ସେତେ ବେଳେ ରୋହିଣୀ ଵସୁଦେଵଙ୍କ ଅନ୍ଯ ତିନିପତ୍ନୀ ଦେବକୀ, ମଦିରା ଏବଂ ଭଦ୍ରାଙ୍କ ସହିତ ତାଙ୍କ ଚିତାନଳରେ ସତୀ ହୋଇ, ସ୍ୱର୍ଗବାସୀ ହେଲେ। ମାତା ରୋହିଣୀଙ୍କ ଏହା ଥିଲା ଜୀବନ ଚରିତ।
ଏହା ଥିଲା, ମାତା ରୋହିଣୀଙ୍କର ଦ୍ଵାପର ଯୁଗର ଲୀଳା। ତାଙ୍କର ଲୀଳା କଳି ଯୁଗରେ ମଧ୍ୟ ଲାଗି ରହିଛିବୋଲି ଏକ ପୌରଣିକ କିମ୍ବଦନ୍ତୀରୁ ଜ୍ଞାତ ହୋଇଥାଏ। ସେହି ଦ୍ଵାପର ଯୁଗର କଥା। ଦିନେ ଶ୍ରୀକୃଷ୍ଣ, ଶ୍ରୀରାଧାଙ୍କ ବିରହକୁ ଝୁରି ରାଧା, ରାଧା ବୋଲି ଚିତ୍କାର କଲେ। ଏଥିରେ ଖୁବ୍ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଅଷ୍ଟପାଟବଂଶୀ ମାନେ ବ୍ରଜ ଲୀଳା ବିଷୟରେ ଜାଣିବାପାଇଁ ଆଗ୍ରହ ପ୍ରକାଶ କଲେ। ସେମାନେ ବ୍ରଜଲୀଳା ବର୍ଣ୍ଣନା କରିବାକୁ ଅଭିଜ୍ଞା ମାତା ରୋହିଣୀଙ୍କୁ ଅନୁରୋଧ କଲେ। ରୋହିଣୀ ବ୍ରଜଲୀଳା ବର୍ଣ୍ଣନା କରିବାକୁ ରାଜି ହେଲେ କିନ୍ତୁ ଗୋଟିଏ ସର୍ତ୍ତରେ ଯେ, କୃଷ୍ଣ ବଳରାମ ଯେପରି ଏହା ଶ୍ରବଣ ନକରି ପାରନ୍ତି। ପ୍ରକୋଷ୍ଠକୁ ଦୁହେଁ ପ୍ରବେଶ କରି ନ ପାରିବା ପାଇଁ, ସୁଭଦ୍ରାଙ୍କୁ ଦ୍ୱାର ଦେଶରେ ଜଗାଇ ଦିଆ ଗଲା । ମାତା ରୋହିଣୀ ବ୍ରଜଲୀଳା ବର୍ଣ୍ଣନାକରି ଚାଲିଲେ। ସେହି ବର୍ଣ୍ଣନା ଏତେ ମର୍ମସ୍ପର୍ଶୀ ଥିଲା ଯେ, ତାହା ରାମ କୃଷ୍ଣଙ୍କ ଚିତ୍ତକୁ ଆନ୍ଦୋଳିତ କରିବାରେ ଲାଗିଲା। ଦୁହେଁ ଆଉ ନିଜକୁ ସମ୍ଭାଳି ନପାରି ବ୍ୟାଖାନ ପ୍ରକୋଷ୍ଟ ଆଡ଼କୁ ଅଥୟ ହୋଇ ଦୋଉଡ଼ି ଆସିଲେ। ସେହି ସମୟରେ ଦ୍ୱାରରେ ଜଗି ରହିଥିବା ସୁଭଦ୍ରା ମଧ୍ୟ ପ୍ରକୋଷ୍ଠ ଆଡ଼େ ଚାହିଁ ଖୁବ୍ ତନ୍ମୟ ହୋଇ ମାତା ରୋହିଣୀଙ୍କ କଥା ଶୁଣୁଥାନ୍ତି। ଶ୍ରୀକୃଷ୍ଣ ବଳରାମ ସୁଭଦ୍ରାଙ୍କ ଅଲକ୍ଷ୍ୟରେ ତାଙ୍କ ଦୁଇ ପାର୍ଶ୍ୱରେ ରହି ମା ରୋହିଣୀଙ୍କ ବ୍ରଜଲୀଳା ବ୍ୟାଖ୍ୟାନ ଶୁଣିଵାକୁ ଲାଗିଲେ। ସେହି ବ୍ୟାଖ୍ୟାନ ଶୁଣି କୃଷ୍ଣ ବଳରାମ ଓ ସୁଭଦ୍ରା ଭାବାବେଶରେ ଏତେଅଭିଭୂତ ହୋଇ ପଡ଼ିଲେଯେ ତାଙ୍କ କଳେବର ବିଗଳିତ ହେବାକୁ ଲାଗିଲା, ତାଙ୍କ ଚକ୍ଷୁ ବିସ୍ଫାରିତ ହୋଇଗଲା ଏବଂ ତାଙ୍କ ହସ୍ତପଦ ସଙ୍କୁଚିତ ହୋଇଗଲା। ସେମାନେ ନିଶ୍ଚଳ ହୋଇ ପଡ଼ିଲେ। ସୁଦର୍ଶନ ମଧ୍ୟ ବିଗଳିତ ହୋଇ ଏକ ସ୍ତମ୍ଭାକୃତି ଧାରଣ କଲେ।
ଏତିକି ବେଳେ ସେଠାରେ ଦେବର୍ଷି ନାରଦ ଆସି ପହଞ୍ଚିଲେ। ନାରଦ କୃଷ୍ଣ ବଳରାମ ଓ ସୁଭଦ୍ରାଙ୍କ ଏପରି ଅବସ୍ଥା ଦେଖି ଖୁବ୍ ବିସ୍ମିତ ହେଲେ। ବ୍ରଜ ଲୀଳା କଥନପରେ ସେମାନେ ପୁଣି ପୂର୍ବାବସ୍ଥାକୁ ଫେରି ଆସିଲେ। ଦେବର୍ଷି ନାରଦ ଏପରି ଅପୂର୍ଵ ଚାରି ରୂପକୁ, ଜଗତ ବାସୀଙ୍କୁ ଦର୍ଶନ କରାଇବା ପାଇଁ ପ୍ରାର୍ଥନାକରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଲେ, ଠିକ ଅଛି ! ଆପଣଙ୍କ ପ୍ରାର୍ଥନା ଆମ୍ଭେ ସ୍ୱୀକାର କଲୁ। କଳି ଯୁଗରେ ଆମ୍ଭେମାନେ ଏହି ରୂପ ଧାରଣକରି ପୁରୁଷୋତ୍ତମ କ୍ଷେତ୍ରରେ ଲୀଳା କରିବୁ। ଭକ୍ତମାନେ ଆମ୍ଭ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି କୃତାର୍ଥ ହେବେ।
ଦ୍ୱାପର ଯୁଗ ଶେଷରେ ଯଦୁବଂଶ ଧ୍ୱଂସ ହେଲା। କୃଷ୍ଣ ବଳରାମଙ୍କ ସମେତ ସବୁ ଯଦୁବଂଶୀ ମର ଶରୀର ତ୍ୟାଗକଲେ। କଳିଯୁଗ ଆରମ୍ଭ ହେଲା। ସତକୁ ସତ, ଦାରୁ କଳେବର ଧରି, ଚତୁର୍ଦ୍ଧାମୂର୍ତ୍ତି ନୀଳାଚଳରେ ବିଜେ କଲେ। ନାରଦଙ୍କୁ ଶ୍ରୀକୃଷ୍ଣ ଦେଇଥିବା ପ୍ରତଶ୍ରୁତି ସ୍ମରଣକରି ସ୍ନେହମୟୀ ମା' ରୋହିଣୀଙ୍କ ଦୃଢ଼ବିଶ୍ୱାସ ଥିଲା ଯେ ଏମାନଙ୍କର କେବେ ମୃତ୍ୟୁ ହୋଇ ନପାରେ। ଏଣୁ ସେ ଆସି ଶ୍ରୀକ୍ଷେତ୍ରରେ ଯୋଗ ସାଧନା କରି ଏକ ପାଷାଣ ଶରୀର ଧାରଣ କରି, ବହୁ କାଳ ବସି, ଲୋତକ ବର୍ଷଣ କରୁଥିଲେ। ମାତାଙ୍କ ତୀବ୍ର ସାଧନା ଏବଂ କ୍ଳେଶକୁ ମହାପ୍ରଭୁ ଜଗନ୍ନାଥ ଆଉ ସହିପାରିଲେ ନାହିଁ। ସେ ଦିନେ ନିର୍ଜନରାତିରେ ବାଳଗୋପାଳ ରୂପ ଧାରଣ କରି ଆସି ମାତାଙ୍କୁ କହିଲେ, ମାଆ ! ତୁମେ ଆଉ କାନ୍ଦ ନାହିଁ,ମୁଁ ତୁମର ଅଭିଳାଷ ବୁଝି ପାରିଛି। ତୁମର ପ୍ରଳୟକୁ ଆମନ୍ତ୍ରଣ କରିବା ଶକ୍ତି ଅଛି। ଯେତେବେଳେ ଏହି ଲୋତକାଶୟରୁ ତୁମ ଲୋତକ ଉଚ୍ଛୁଳି ପଡ଼ିବ ସେତେବେଳେ ସୃଷ୍ଟିରେ ମହାପ୍ରଳୟ ସଂଘଟିତ ହେବ। ଆଉ ସେହି ମହା ପ୍ରଳୟ ଜଳରେ ଏକ ବଟ ପତ୍ର ଉପରେ ଶୟନ କରି ମୁଁ ମାତୃ କୋଳର ଆନନ୍ଦ ପାଇବି।
ଏହାଶୁଣି ମାତା ରୋହିଣୀ ଧରଣୀ ଉପରେ ଏକ ଲବଣୀ ପିତୁଳା ପରି ଢଳି ପଡ଼ିଲେ। ସେହି ଦିନ ସେଥିରୁ ଶ୍ରୀକ୍ଷେତ୍ର ଭୁମିରେ ସୃଷ୍ଟିହେଲା ଗୋଟିଏ ମନୋରମ ତୀର୍ଥ, ରୋହିଣୀ କୁଣ୍ଡ। ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥଙ୍କ ମଧ୍ୟରେ ଏହା ଅନ୍ୟତମ। ଏହି କୁଣ୍ଡ କାରଣ ବାରିରେ ପୁର୍ଣ୍ଣ ଥାଏ। ପ୍ରଳୟ ସମୟରେ ଏଥିରୁ ଜଳ ନିର୍ଗତହୋଇ ସୃଷ୍ଟିକୁ ପ୍ଳାବିତ କରେ ଏବଂ ପ୍ରଳୟ ଶେଷରେ ସଙ୍କୁଚିତ ହୋଇ ପୁନଶ୍ଚ ଏଥିରେ ଲୀନ ହୋଇ ଯାଏ। ମାତା ରୋହିଣୀଙ୍କ ସ୍ନେହର ସ୍ମାରକୀ ବହନ କରି, ଶ୍ରୀମନ୍ଦିର ବେଢ଼ା ଭିତରେ ବାୟୁ କୋଣରେ ରହିଛି ରୋହିଣୀ କୁଣ୍ଡ। ମହାପ୍ରଭୁଙ୍କ ପ୍ରଥମ ଦାରୁ ଏହି ଠାରେ ଆବିର୍ଭୁତ ହୋଇଥିଲେ ବୋଲି, ପୌରାଣିକ ଗାଥା ରହିଛି। ରୋହିଣୀ କୁଣ୍ଡର ଜଳ ଅତ୍ୟନ୍ତ ପବିତ୍ର । ଏହାର ସ୍ପର୍ଶ ମାତ୍ରେ ଜୀବକୁ ସାଜୁଯ୍ୟ ମୁକ୍ତି ପ୍ରାପ୍ତ ହୋଇ ଥାଏ । ଥରେ ଏକ କାକ ରୋହିଣୀକୁଣ୍ଡରେ ପଡ଼ି ଚତୁର୍ଭୁଜ ହୋଇ ବିଷ୍ଣୁଧାମକୁ ଯାତ୍ରାକଲା ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି। ଭକ୍ତ ସାଲବେଗ ଏଣୁ ଲେଖିଥିଲେ:-
ରୋହିଣୀ ପାଦୁକା କୁଣ୍ଡରଜ,
ସିଂହ ମାଡ଼ି ବସିଅଛି ଗଜ,
ସତେ କି ଏ ଜନ୍ମ ସୁଫଳ ଲଭିବ
କାକ ପଡ଼ି ହେଲା ଚତୁର୍ଭୁଜ।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
