STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଯଦୁବଂଶକୁ ଯଯାତିଙ୍କ ଅଭିଶାପ

ଯଦୁବଂଶକୁ ଯଯାତିଙ୍କ ଅଭିଶାପ

5 mins
1

     ଯଦୁବଂଶକୁ ଯଯାତିଙ୍କ ଅଭିଶାପ   
      =================
ମହାଭରତର ଶର୍ମିଷ୍ଠା ଦେବଯାନୀ ଚରିତରୁ ଜ୍ଞାତ ହୋଇଥାଏ ଯେ, ରାଜା ନହୁଷଙ୍କ ପୁତ୍ର ମହାରାଜ ଯଯାତିଙ୍କର ଦୁଇ ରାଣୀ ଥିଲେ ଦେବଯାନୀ ଏବଂ ଶର୍ମିଷ୍ଠା l ଦେବଯାନୀ ଥିଲେ, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଏବଂ ଶର୍ମିଷ୍ଠା ଥିଲେ ଦୈତ୍ୟଙ୍କ ରାଜା ବୃଷପର୍ବାଙ୍କ କନ୍ୟା l ଦେବଯାନୀ, ଘଟଣା କ୍ରମେ ରାଜା ଯଯାତିଙ୍କୁ ପ୍ରେମବିବାହ କରି ଥିଲେ। ଶର୍ମିଷ୍ଠା ଦେବଯାନୀଙ୍କ ସହ ସର୍ତ୍ତ ଅନୁଯାୟୀ ଦାସୀ ଭାବେ ଆସିଥିଲେ l କିଛିକାଳ ପରେ ଦେବଯାନୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେଲା l ଏ ଖବର ଶର୍ମିଷ୍ଠା ପାଇଲା ପରେ ଭାବିଲେ, ମୋ ରୂପ ଯୌବନ ଏହିପରି ଅତିବାହିତ ହୋଇଯିବ l ମୁଁ ଆଉ ପତି କିମ୍ବା ପୁତ୍ର ସୁଖ, ପାଇ ପାରିବି ନାହିଁ l ଏକଦା ମହାରାଜା ଯଯାତି ରାଜୋଦ୍ୟାନ ଭ୍ରମଣରେ ଆସିଥାନ୍ତି। ଉଦ୍ୟାନରେ ଏକ ସ୍ୱତନ୍ତ୍ର ଉଆସରେ ବାସ କରୁଥାନ୍ତି ଶର୍ମିଷ୍ଠା l ଉଦ୍ୟାନକୁ ଯଯାତୀଙ୍କୁ ସ୍ୱାଗତ କରି ସେ କହିଲେ, 'ମହାରାଜ, ଆପଣ ମୋର ବଂଶ ମର୍ଯ୍ୟାଦା, ରୂପ, ଗୁଣ ଓ ସ୍ଵଭାଵ ବିଷୟରେ ଅବଗତ ଅଛନ୍ତି l ଆପଣ ମୋତେ ପତ୍ନୀ ରୂପେ ଗ୍ରହଣ କରି ମୋର ନାରୀଜନ୍ମ ସାର୍ଥକ କରନ୍ତୁ l ମୋତେ ପତି ଓ ପୁତ୍ର ସୁଖ ପ୍ରଦାନ କରନ୍ତୁ l ପୁତ୍ରହୀନା ପାପରୁ ମୋତେ ଉଦ୍ଧାର କରନ୍ତୁ' l ଯଯାତି କହିଲେ, ହଁ,ମୁଁ ଜାଣେ, ତୁମେ ଅନିନ୍ଦ୍ୟ ରୂପବତୀ ଏବଂ ଉଚ୍ଚକୂଳ ସମ୍ଭୁତା l କିନ୍ତୁ ଶୁକ୍ରାଚାର୍ଯ୍ୟ ତୁମ୍ଭଙ୍କୁ ଅଙ୍କ ଶାୟୀନୀ କରିବାପାଇଁ ବାରଣକରିଛନ୍ତି ଯେ ! ଶର୍ମିଷ୍ଠା କହିଲେ, ଶାସ୍ତ୍ର ସିଦ୍ଧାନ୍ତ ମତେ ପରିହାସ ସମୟରେ, ରମଣୀମାନଙ୍କ ମନୋରଞ୍ଜନ ବେଳେ, ବିବାହ ସମୟରେ, ଜୀବନ ପ୍ରତି ଶଙ୍କଟ କାଳରେ ମିଥ୍ୟାଚରଣ କରାଯାଇ ପାରେ,ଏଥିରେ କୌଣସି ପାପ ହେବ ନାହିଁ l ଯଯାତି କହିଲେ,କିନ୍ତୁ ରାଜା ହୋଇ ମୁଁ ଯଦି ମିଥ୍ୟା ଆଚରଣ କରେ ତେବେ ମୋର ପ୍ରଜାମାନେ ଭ୍ରଷ୍ଟ ହୋଇ ଯିବେ,ମୋର ରାଜ୍ୟ ନଷ୍ଟଭ୍ରଷ୍ଟ ହୋଇଯିବ l ଶର୍ମିଷ୍ଠା କହିଲେ ଆପଣ ମୋ ସଖି ଦେବଯାନୀକୁ ବିବାହ କରି, ମୋତେ ସାଙ୍ଗରେ ଆଣିଛନ୍ତି l ଏଣୁ ଯୁକ୍ତିଯୁକ୍ତ ଭାବେ ଆପଣ ମୋର ମଧ୍ୟ ପତି, ତେଣୁ ଆପଣ ମୋତେ ଗ୍ରହଣ କରନ୍ତୁ l ଶର୍ମିଷ୍ଠାଙ୍କ ଯୁକ୍ତି ଯୁକ୍ତ କଥାରେ ଯଯାତି ସମ୍ମତହେଲେ l କିଛି ଦିନ ଉତ୍ତାରେ ଶର୍ମିଷ୍ଠାଙ୍କ ଗର୍ଭରୁ ଗୋଟିଏ ସୁନ୍ଦର ପୁତ୍ର ଜନ୍ମହେଲା l କ୍ରମେ ଦେବଯାନୀଙ୍କର ଦୁଇପୁତ୍ର ଓ ଶର୍ମିଷ୍ଠାଙ୍କ ତିନି ପୁତ୍ର ହେଲେ, ଯଥାକ୍ରମେ ଯଦୁ ଓ ତୁର୍ବସୁ ଏବଂ ଦୁହ୍ୟୁ, ଅନୁ ଓ ପୁରୁ l
 ରାଜା ଯଯାତି ଶର୍ମିଷ୍ଠାଙ୍କୁ ଗୋପନରେ ବିବାହ କରିଛନ୍ତି, ଏହା ଜାଣି ଦେବଯାନୀଙ୍କ ଦୁଃଖର ସୀମା ରହିଲା ନାହିଁ l ସେ ଯଯାତିଙ୍କୁ କହିଲେ, ତୁମେ ମୋତେ ଓ ମୋ ପିତାଙ୍କୁ ଦେଇଥିବା ବଚନ ଉଲଙ୍ଘନ କରିଛ, ତୁମେ ଆମ ସହ ପ୍ରବଞ୍ଚନା କରିଛ l ମୁଁ ଏଠାରେ ଆଉ ରହି ପାରିବି ନାହିଁ,ମୋର ପିତ୍ରାଳୟକୁ ଚାଲି ଯାଉଛି l ଦେବଯାନୀ ଯାଇ ପିତାଙ୍କୁ ସମସ୍ତ କଥା ଅବଗତ କରାଇଲେ l ସବୁକଥା ଶୁଣି ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ଅଭିଶାପ ଦେଲେ, 'ଯୌବନ ମୋହରେ ତୁମେ କାମ ବଶ ହୋଇ,ସତ୍ୟ ଭଗ୍ନ କରିଛ, ଏଣୁ ତୁମକୁ ଘୋର ଜରା ଗ୍ରାସକରୁ'l ଶାପ ଗ୍ରସ୍ତ ଯଯାତିଙ୍କୁ ଜରା ଗ୍ରାସ କଲା l ଶାପରୁ ମୁକ୍ତି ପାଇଁ ସେ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରାର୍ଥନାକରିବାରୁ ସେ କହିଲେ, ଯଦି ତୁମର ଜରା ବଦଳରେ କେହି ତୁମକୁ ଯୌବନ ଦାନକରି ପାରିବ ତେବେ ତୁମେ ତୁମ ଯୌବନ ଫେରି ପାଇବ l ଯଯାତି କହିଲେ, ତେବେ ମୋ ପୁତ୍ରମାନଙ୍କୁ ଏହା ମାଗୁଛି, ମୋତେ ଆପଣ ଅନୁମତି ଦିଅନ୍ତୁ, ମୋର ଯେଉଁ ପୁତ୍ର ତାର ଯୌବନ ଦାନ କରିବ, ସେ ମୋର ଉତ୍ତରାଧିକାରୀ ରାଜା ହେବ l ଶୁକ୍ର କହିଲେ ତାହାହିଁ ହେଉ l ଯଯାତି ପ୍ରଥମେ ତାଙ୍କ ଜ୍ୟେଷ୍ଠପୁତ୍ର ଯଦୁଙ୍କୁ ଡାକି କହିଲେ, ମୁଁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପରୁ ଯୌବନ ଶେଷ ପୂର୍ବରୁ ଜରାଗ୍ରସ୍ତ ହୋଇ ଯାଇଛି l ସମ୍ପୂର୍ଣ୍ଣ ଯୌବନକୁ ଉପଭୋଗ ନ କରି ପାରି ମୁଁ ଅତୃପ୍ତ l ତୁମେ ତୁମର ଯୌବନ ପ୍ରଦାନ କରି ମୋର ଏହି ଜରା ଗ୍ରହଣ କର l ମୁଁ ତୃପ୍ତ ହେଲା ପରେ ପୁଣି ଏହା ଫେରାଇ ଦେବି ଏବଂ ମୋ ଉତ୍ତରାଧିକାରୀ ହୋଇ ତୁମେ ରାଜା ହେବ l ଯଦୁ କହିଲେ,ପିତା ! ବୃଦ୍ଧାବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ, ଏହା ମୋତେ କୁରୂପ, କୁତ୍ସିତ କରିଦେବ,ସମସ୍ତେ ମୋତେ ଘୃଣା କରିବେ l ମୁଁ ଏପରି କରି ପାରିବି ନାହିଁ l ଏହିପରି ରାଜା ଯଯାତି ତାଙ୍କର ଦ୍ୱିତୀୟ,ତୃତୀୟ ଓ ଚତୁର୍ଥ ପୁତ୍ରକୁ ଯୌବନ ଭିକ୍ଷାକଲେ l ସମସ୍ତେ ସେହି ଗୋଟିଏ ନାସ୍ତି ବାଣୀ ଶୁଣାଇ କହିଲେ, ଏ ଦୁଃଖପୂର୍ଣ୍ଣ ବୃଦ୍ଧାବସ୍ଥା ଆମେ ଗ୍ରହଣ କରି ପାରିବୁ ନାହିଁ l ରାଜା ସମସ୍ତଙ୍କୁ ଅଭିଶାପ ଦେଲେ, ଯଦୁ ! ତୁମେ କିମ୍ୱା ତୁମର ବଂଶଧର ମାନେ କେବେ ମଧ୍ୟ ରାଜ ପଣ କରି ପାରିବେ ନାହିଁ l ତୁର୍ବସୁ ! ତୁମର ବଂଶ ଲୋପ ହେବ, ଦୃହ୍ୟୁ ! ତୁମେ କେବେ ତୁମ ଅଭୀଷ୍ଟ ଫଳ ଲାଭ କରିପାରିବ ନାହିଁ, ଅନୁ ତୁମେ ଶୀଘ୍ର ଜରାଗ୍ରସ୍ତ ହେବ ଏବଂ ତୁମର ପୁତ୍ର ମାନେ ଯୌବନ ଲାଭ ପୂର୍ବରୁ ମୃତ ହେବେ l ଯଯାତି ନିରାଶ ହୋଇ ଶେଷକୁ ସର୍ବ କନିଷ୍ଠ ତଥା ପଞ୍ଚମ ପୁତ୍ର ପୁରୁଙ୍କୁ ଅନୁରୋଧ କଲେ l ପିତୃଭକ୍ତ ପୁରୁ ଏହା ଦେବାକୁ ପ୍ରସ୍ତୁତ ହୋଇ ଗଲେ l ରାଜା ଯଯାତି ଆନନ୍ଦରେ ତାଙ୍କୁ ଆଶୀର୍ବାଦ କଲେ l ପୁତ୍ର, ପୁରୁଙ୍କ ଠାରୁ ଯୌବନ ଲାଭ କରି ଯଯାତି ବହୁବର୍ଷ ପର୍ଯ୍ୟନ୍ତ ବିଷୟ ଭୋଗରେ ବୁଡ଼ି ରହିବା ସହ ଦାନ,ଧର୍ମକର୍ମ, ସୁଶାସନ,ପ୍ରଜାପାଳନ କରି ଅତ୍ୟନ୍ତ ସନ୍ତୋଷ ଲାଭ କଲେ l କିନ୍ତୁ ସେ ଯେତେ ଭୋଗ କଲେ ମଧ୍ୟ ତୃପ୍ତ ହେଲେ ନାହିଁ l ଅଗ୍ନିରେ ଘୃତ ସମ,ତାଙ୍କର ବାସନା ଆହୁରି ପ୍ରବଳ ହେଉ ଥିଲା l ଦିନେ ତାଙ୍କର ଏସବୁ ପ୍ରତି ବିତୃଷ୍ଣା ଆସି ଗଲା l ସେ ଯାଇ ପୁତ୍ର ପୁରୁଙ୍କୁ କହିଲେ, ପୁତ୍ର ଏ କାମନା ଅସରନ୍ତି l ମୁଁ, ତୁମର ଯୌବନକୁ ଏବେ ଫେରାଇ ଦେଉଛି l ତୁମେ ପୁତ୍ରର କର୍ତ୍ତବ୍ୟ ପାଳନ କରିଛ l ତୁମକୁ ରାଜ ପଦରେ ଅଭିଷିକ୍ତ କରି ମୁଁ ଏବେ ଅରଣ୍ୟ ବାସରେ ବାହାରି ଯାଉଛି l ଏପରି କହି ମହାରାଜ ଯଯାତି ବିଳାସମୟ ରାଜ ନବର ପରିତ୍ୟାଗ ପୂର୍ବକ ବନ ଗମନ କଲେ l ମହାଭାରତକାର ଏହି କାହାଣୀ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି," ଏ ଭୋଗ ଲାଳସା ଓ କାମନାର ପରିବ୍ୟାପ୍ତି, ଅପରିସୀମ l ପୃଥିବୀରେ ଯେତେ ଧନ,ସୁନ୍ଦରୀ ସ୍ତ୍ରୀ, ସ୍ବର୍ଣ୍ଣ,ମଣି,ମାଣିକ୍ୟ ଓ ଗୋ ମହିଷାଦି ପଶୁ ଅଛନ୍ତି, ସେସବୁ କାମନାରେ ବଶବର୍ତ୍ତୀ ଜଣକପାଇଁ ମଧ୍ୟ ପର୍ଯ୍ୟାପ୍ତ ନୁହେଁ l ଏଣୁ ଏ ବିଷୟ ତୃଷ୍ଣା ସର୍ବଥା ବର୍ଜନୀୟ l ମହାଭାରତ ଶ୍ଲୋକାନୁସାରେ :- ନଜାତୁ କାମଃ କାମାନାମୁପଭୋଗେନ ଶାମ୍ୟତି, ହବିଷା କୃଷ୍ଣବତ୍ମେବ ଭୂୟଃ ଏବାଭିବର୍ଦ୍ଧତେ ll ଏହି ଶ୍ଲୋକର ଭାବାର୍ଥକୁ ପଲ୍ଲୀକବି ନନ୍ଦ କିଶୋର ବଳ ଶର୍ମିଷ୍ଠା କାବ୍ୟରେ ରାଜା ଯଯାତିଙ୍କ ମୁଖରେ ଶିକ୍ଷା ଦେଇ କହିଛନ୍ତି :- ନିରାଶ ମାନବ ଦୁଃସହ ଦୁଃଖରେ ପଡ଼ି ମୋ କାହାଣୀ ଶୁଣି l
 କାଳସିନ୍ଧୁ ନୀରେ ଜୀବନ ତରଣୀ ଚଳାଇବ ଧୀରେ ପୁଣି ll
ଯଯାତିଙ୍କ ଅଭିଶାପ ଫଳରେ ଯଦୁ ବଂଶରେ ଆଉ କେହି ରାଜପଣ କରି ନାହାଁନ୍ତି l ଏକଥା ପ୍ରମାଣିତ ହୋଇଛି, ଶ୍ରୀମଦ୍ ଭାଗବତର, ଦଶମସ୍କନ୍ଧ, ଅଷ୍ଟ ଚତ୍ଵାରିଂଶ ଅଧ୍ୟାୟରେ l ଭଗବାନ ଶ୍ରୀକୃଷ୍ଣ କଂସ ନିଧନ ପରେ ଯେତେ ବେଳେ ଅଜା ଉଗ୍ରସେନଙ୍କୁ ମଥୁରାର ରାଜା କରିବାକୁ ଚାହିଁଛନ୍ତି ସେ ଅଜାଙ୍କୁ ଡାକି କହିଛନ୍ତି, ଏଣିକି ଆପଣ ହେଲେ ଆମର ରାଜା l ଆମର ତ ଯଯାତିଙ୍କ ଅଭିଶାପ ଫଳରେ ରାଜାହେବାର ଭାଗ୍ୟନାହିଁ,ଆମେ ଦୁଇନାତି ତମ ପଛେ ପଛେ ରହିବୁ l ଏହି ମଥୁରାରେ ଏବେଠୁଁ ରାଜୁତି ଚାଲିବ, ଆମ ଅଜା ନାତିଙ୍କର l
 ଯଯାତି ନାମେ ମହାନୃପ l
 ଯଦୁଙ୍କୁ ଦେଇଅଛି ଶାପ ll
 ତେଣୁ ଯଦୁଙ୍କୁ ପାଟ ନାହିଁ l
 ରାଜା ହୋଇଲେ କ୍ଷୟ ଯାଇ ll
ଏପରି କଂସ ନିଧନ ପରେ ଉଗ୍ରସେନ ମଥୁରାରେ ରାଜା ହୋଇଛନ୍ତି l ଦ୍ୱାରକାନଗର ନିର୍ମାଣ ପରେ ଯେତେ ବେଳେ ଯାଦବ ମାନେ ସେଠାରେ ଯାଇ ରହିଲେ, ସେଠାରେ ମଧ୍ୟ ଉଗ୍ରସେନ ରାଜା ହେଲେ l ରାଜା ଉଗ୍ରସେନ ଥିଲେ, ଭୋଜ ବଂଶୀ ଯାଦବ l ଭଗବାନ ଶ୍ରୀକୃଷ୍ଣଙ୍କୁ ଦ୍ୱାରକାଧୀଶ ଅଭିହିତ କରା ଯାଉଥିଲେ ହେଁ ପ୍ରକୃତରେ ମହାରାଜ ଉଗ୍ରସେନ ଥିଲେ ଦ୍ୱାରକାର ରାଜା l
              🙏🙏🙏
                  ଅର୍ଜୁନୀ
                -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational