ମହିମାମୟୀ ମାଆ ବାଲିହରଚଣ୍ଡୀ
ମହିମାମୟୀ ମାଆ ବାଲିହରଚଣ୍ଡୀ
ମହିମାମୟୀ ମାଆ ବାଲିହରଚଣ୍ଡୀ
=================
ଶ୍ରୀକ୍ଷେତ୍ରର ରକ୍ଷାକାରିଣୀ ଅଷ୍ଟ ଚଣ୍ଡୀଙ୍କ ମଧ୍ୟରେ ଦେବୀ, ବାଲି ହରଚଣ୍ଡୀ ହେଉଛନ୍ତି, ଅନ୍ୟତମା ।
ଅନ୍ୟ ସୁରକ୍ଷାକାରିଣୀ ଚଣ୍ଡୀ ମାନେ ହେଲେ ମା ସର୍ବମଙ୍ଗଳା, ବଟମଙ୍ଗଳା, ଦକ୍ଷିଣକାଳିକା, ମାଆ ମରିଚେଇ, ମାଆ ବାରାହୀ ଓ ମାଆ ବିଶ୍ୱେଶ୍ୱରୀ।
ମାଆ ଶ୍ରୀକ୍ଷେତ୍ରର ଉତ୍ତର ପଶ୍ଚିମ କୋଣରେ ରହି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ବ୍ରହ୍ମଗିରି ଅଞ୍ଚଳରେ ମାଆ ନିଘଞ୍ଚକାନନ ମଧ୍ୟରେ ସମୁଦ୍ରକୁ ଲାଗି ବାଲୁବନ୍ତରେ ବିଜେ କରୁଥିବାରୁ ମାଆଙ୍କର ନାମ ହୋଇଛି ବାଲି ହରଚଣ୍ଡୀ । ମାଆଙ୍କ ମହିମା ଅପାର l ସେ ଭକ୍ତବତ୍ସଳା, ସର୍ବାଭୀଷ୍ଟ ପ୍ରଦାୟକି l କରୁଣାମୟୀ ମାଆଙ୍କ ନିକଟରେ ଭକ୍ତର କୌଣସି କାମନା ଅପୂର୍ଣ୍ଣ ରହେ ନାହିଁ l
କିମ୍ବଦନ୍ତୀରୁ ଜଣାଯାଏ ଏକଦା ଜଣେ ପାଟ ବସ୍ତ୍ର ବ୍ଯବସାୟୀ ଗଞ୍ଜାମ ବ୍ରହ୍ମପୁରରୁ କିଛି ପାଟ ବସ୍ତ୍ର ଧରି ବ୍ୟବସାୟ ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ସେ ସମୟରେ ଦକ୍ଷିଣ ଯାତ୍ରୀ ମାନଙ୍କ ପାଇଁ ସ୍ଥଳ ପଥରେ ସମୁଦ୍ରର ପାର୍ଶ୍ବ ଦେଇ ଏକ ରାସ୍ତା ଶ୍ରୀକ୍ଷେତ୍ରକୁ ପଡ଼ିଥିଲା। ଏହି ରାସ୍ତାଟି ମାଆ ବାଲିହରଚଣ୍ଡୀ ବିଜେ କରିଥିବା ବାଲୁବନ୍ତ ଦେଇ ଯାଇଥିଲା। ଖରାଦିନ, ସେହିରାସ୍ତା ଦେଇ ପାଟବସ୍ତ୍ର ବ୍ଯବସାୟୀ ଜଣକ ଯାଉ ଥିଲାବେଳେ ମା ବାଲିହରଚଣ୍ଡୀଙ୍କ ବାଲୁବନ୍ତ ପାଖରେ ଏକ ଅଶ୍ୱତ୍ଥ ଗଛ ମୂଳରେ ବସି ବିଶ୍ରାମ କରୁଥାନ୍ତି। ଏହି ସମୟରେ ଜଣେ କୁମାରୀ ଆସି ତାଙ୍କୁ ଡାକିଲେ ଏବଂ କହିଲେ, ତୁମ ଗଣ୍ଠିଲି ଖୋଲିଲ, ମୁଁ ଖଣ୍ଡେ ପାଟ ଲୁଗା ପସନ୍ଦ କରି ନେବି। କୁମାରୀଙ୍କ କଥା ଶୁଣି ବ୍ୟବସାୟୀ ଗଣ୍ଠିଲି ଖୋଲିବାରୁ ସେ ଖଣ୍ଡେ ପାଟ ବସ୍ତ୍ର ହାତରେ ଧରି କହିଲେ, ମୋର ଏଇଟି ପସନ୍ଦ ହୋଇଛି, ମୁଁ ଏଇଟିକୁ ନେଇ ଯାଉଛି। ତୁମେତ ପୁରୀ ଯାଉଛ । ସେଠାରେ ମୋ' ପିତା ରାମଚନ୍ଦ୍ର ଦେବଙ୍କୁ ସାକ୍ଷାତ କରି ତୁମ ପାଉଣା ମାଗି ନେବ। ଏତକ କହି, ବାଳିକା ଜଣକ ପାଟ ଲୁଗା ଖଣ୍ଡିଏ ଧରି କୁଆଡ଼େ ଅଦୃଶ୍ଯ ହୋଇଗଲେ।
ଲୁଗା ବ୍ୟବସାୟୀ ଜଣକ ପୁରୀରେ ପହଞ୍ଚି ରାଜା ରାମଚନ୍ଦ୍ର ଦେବଙ୍କୁ ସାକ୍ଷାତ କରି ଏ ସମସ୍ତ କଥା କହିବାରୁ ସେ ଖୁବ୍ ଚକିତହୋଇ କହିଲେ, ଠିକ୍ ଏହି କଥା, ମୋତେ କାଲି ସ୍ବପ୍ନାଦେଶ ହୋଇଛି । ବ୍ଯବସାୟୀଙ୍କୁ ତାଙ୍କ ବସ୍ତ୍ରର ଯଥାମୂଲ୍ଯ ଦେଇ ରାଜା ବିଦାକଲେ। ସେ ବାଲିହରଚଣ୍ଡୀଙ୍କ ବନ୍ତକୁ ଆସି, ସ୍ୱପ୍ନରେ ଦେଖି ଥିବା ସ୍ଥାନଟିକୁ ଦେଖିଲେ। ସେ ଦେଖିଲେ, ସେହି ବାଲୁବନ୍ତକୁ ଏକ ଦିଗରେ ମହୋଦଧି ପରିବେଷ୍ଠିତ ହୋଇ ରହିଛି । ଅନ୍ୟପଟେ ଶ୍ରୀକ୍ଷେତ୍ର ଦିଗରୁ ବହି ଆସୁଥିବା ମଙ୍ଗଳା ନଈ ବନ୍ତ କଡ଼ ଦେଇ କୁଳୁ କୁଳୁ ହୋଇ ବହି ଯାଉଛି। ବହୁ ବୃକ୍ଷ ଲତାରେ ପରିପୂର୍ଣ୍ଣ ସେହି ବନ୍ତଟି କାକ, ପୀକ, ଶୁକ, କେକା ଆଦି ବିବିଧ ବିହଙ୍ଗଙ୍କ କଳ ରବରେ ମୁଖରିତ ହେଉଛି। ବନ୍ତ ନିମ୍ନ ଦେଶରେ ମୃଗ ମାନେ ଖୁବ୍ ଆନନ୍ଦରେ ବିଚରଣ କରୁଛନ୍ତି। ସେହି ମନୋରମ ଦୃଶ୍ଯ ଦେଖୁ ଦେଖୁ ରାଜା ତରୁ ମାନଙ୍କ ଶୀତଳ ଛାୟାରେ ଟିକିଏ ବସି ପଡ଼ିଲେ। ଆଃ ! କି ଦିବ୍ୟ ଅନୁଭବ। ଏହା ଯେ ସବୁ ସେହି କରୁଣାମୟୀ ମାଆଙ୍କ ଦିବ୍ୟ ବିହାରସ୍ଥଳୀ ହୋଇ ଥିବା ହେତୁ ସମ୍ଭବ ହୋଇଛି ଏକଥା ବୁଝିବା ପାଇଁ ତାଙ୍କୁ ଆଉ ବାକି ରହିଲାନାହିଁ।
ସେଦିନ ରାଜା ସେଠାରୁ ଦୃଶ୍ଯମାନ ହେଉଥିବା ନୀଳଚକ୍ରକୁ ଚାହିଁ ପ୍ରଣାମ କରି ଫେରି ଆସିଲେ।
ମାଆଙ୍କ ମହିମା ସମ୍ପର୍କରେ ରାଜା ପଣ୍ଡିତ ଓ ରାଜ ପାରିଷଦ ମାନଙ୍କ ସହ ପରାମର୍ଶ କରି ସେଠାରେ ମାଆଙ୍କ ପାଇଁ, ଦିବ୍ୟ ମନ୍ଦିର ଗୋଟିଏ ତୋଳାଇ ଦେଲେ। ସେହିଦିନୁ ବ୍ରହ୍ମଗିରିର ସେହି ନୈସର୍ଗିକ ଶୋଭା ମଣ୍ଡିତ ବ୍ରହ୍ମବନରେ ପୂଜାପାଇଲେ ମାଆ ଦୁରିତ ନାଶିନୀ ବାଲି ହରଚଣ୍ଡୀ।
ସେ ଶ୍ରୀକ୍ଷେତ୍ରକୁ ପଶ୍ଚିମ ଦିଗରୁ ସୁରକ୍ଷା ପ୍ରଦାନ କରନ୍ତି।
ମାଆ ବାଲି ହରଚଣ୍ଡୀ ମଧ୍ୟ ସାଧବ ଦେବୀ ଭାବେ ପରିଚିତା। ପୂର୍ବ କାଳରେ ସାଧବମାନେ ମାଆଙ୍କ ସୁମରଣା ପୂର୍ବକ ନିର୍ବିଘ୍ନରେ ଦରିଆପାରି ଦେଶମାନଙ୍କୁ ବଣିଜ ପାଇଁ ସାଗର ଯାତ୍ରା କରୁଥିଲେ। ଏଥି ପାଇଁ ଖୁଦୁରୁକୁଣୀ ଓଷା ବହିରେ ଏକ କଥା ରହିଛି, " ଦେବୀ ଅଛନ୍ତି ମଙ୍ଗ କୋଣେ । ବନ୍ଦାଇ ଆସ ଜଣେ ଜଣେ"।
ଶୁଣିବାକୁ ମିଳେ ଦରିଆପାରି ଦେଶମାନଙ୍କରେ ମାଆଙ୍କର ମଧ୍ୟ ଭକ୍ତ ଅଛନ୍ତି। କଥା ରହିଛି ଥରେ କଳିଙ୍ଗ ସାଗରରେ ଏକ ବୋଇତ ଅଚଳ ହୋଇ ପଡ଼ିଲା। ଶତ ଚେଷ୍ଟା ସତ୍ତ୍ୱେ ଶୁଦ୍ଧା ବଣିକ ଜଣକ ସେହି ବୋଇତକୁ ଚଳାଇବାରେ ବିଫଳ ହେଲା । ସେ ଉପାୟଶୂନ୍ୟ ହୋଇ ମାଆ ବାଲି ହରଚଣ୍ଡୀଙ୍କ ଶରଣ ପଶିବାରୁ ବୋଇତଟି ଚାଲିଲା। କିମ୍ବଦନ୍ତୀ ରହିଛି ତୋଫାନ ବାତ୍ଯା ଆସିଲେ ମାଆ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନିଜର ପନିକିଧରି ଉପଦ୍ରବ କାରୀ ତୋଫାନ, ବାତ୍ୟାକୁ ଘଉଡ଼ି ଗୋଡାଇ ଦିଅନ୍ତି। ମାଆ ବାଲି ହରଚଣ୍ଡୀଙ୍କ ନାମ ସ୍ମରଣରେ, ସମସ୍ତ ବିପଦ ଦୂରେଇଯାଏ ବୋଲି ବିଶ୍ୱାସ ରହିଛି। କୁମାରକବି ଅରକ୍ଷିତ ପ୍ରଧାନଙ୍କ ଭାଷାରେ:-
ବାଲି ହରଚଣ୍ଡୀ ନାମେ
ଦେଶ ସାରା ପଡୁଛି ଡକା ।
ଯାର ନାମ ଧରିଲେ ପାପ
ଆସିବାକୁ କରେ ଆଶଙ୍କା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ମଧ୍ୟ ମାଆଙ୍କ ସମ୍ପୃକ୍ତି ରହିଛି । ରଥ ଯାତ୍ରାରେ ମାଆଙ୍କ ନିକଟକୁ ନିମନ୍ତ୍ରଣ ଆସେ । ମାଆ ସୁଭଦ୍ରାଙ୍କ ଦେବ ଦଳନ ରଥର ରକ୍ଷାକର୍ତ୍ତ୍ରୀ ଭାବେ ଆସୀନା ହୁଅନ୍ତି। ମାଆ କୋଇଲି ବୈକୁଣ୍ଠରେ ବସୁଥିବା ଦେବ ସଭାରେ ମଧ୍ୟ ଉପସ୍ଥିତ ହୁଅନ୍ତି। ଦେବ ସଭାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ଚିଲିକା ଓ ସମୁଦ୍ର ତଟ ବର୍ତ୍ତୀ ଅଧିବାସୀଙ୍କ ଦୁଃଖ ସୁଖ ଜଣାଇଥାନ୍ତି। କବିବର ରାଧାନାଥ ରାୟ, ଏହାକୁ ଲକ୍ଷ୍ୟ କରି ଚନ୍ଦ୍ରଭାଗା କାବ୍ୟରେ ଲେଖିଛନ୍ତି :-
କେତକୀକାନନ ସଂକୁଳ
ରମ୍ୟ ସିକତାସ୍ଥଳ ।
ଛାଡ଼ି ହରଚଣ୍ଡୀ ବିଜୟଆଜି ଶ୍ରୀନୀଳାଚଳ ।।
ଶ୍ରୀମନ୍ଦିରରୁ ଲଡୁ ମହାପ୍ରସାଦ ଓ ସରପୁଳି ଆସି ମାଆଙ୍କୁ ନିତ୍ୟ ଲାଗି ହେବାର ପରମ୍ପରା ରହିଛି।
ମା' ବାଲିହରଚଣ୍ଡୀଙ୍କୁ ଜନୈକ କବି ଦୌପଦୀଙ୍କ ଅବତାର ଭାବେ ବର୍ଣ୍ଣନା କରି ଲେଖିଛନ୍ତି :-
ପାଣ୍ଡବ ପ୍ରିୟାଗୋ ଖାଣ୍ଡବ
ବନେ କରୁଛୁ ଖେଳା ।
ସାଗର ପଖାଳେ ଚରଣ
ଦେଇ ଲହରୀମାଳା ।।
ମାଆ ବାଲିହରଚଣ୍ଡୀଙ୍କ ପୀଠରେ ଦେବୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ପର୍ବ ପର୍ବାଣି ପାଳିତ ହୋଇ ଥାଏ । ଏଠାରେ ମୁଖ୍ଯ ପର୍ବ ହେଉଛି, ରଜପର୍ବ।
ମାଛବେଶର ମାଆଙ୍କର ପ୍ରିୟଭୋଗ। ଶାରଦୀୟ ଦୁର୍ଗାପୂଜାରେ ଷୋଳ ଦିନ ଧରି ମାଆଙ୍କ ଷୋଡଶ ଉପଚାରରେ ପୂଜା ହୋଇଥାଏ। ମାଆ ମଧ୍ୟ କୃଷି ଓ କୃଷକର ଦେବୀ ଭାବେ ପରିଚିତା । ମାଆ ବନ୍ଯା, ବାତ୍ଯା, ଝଡ଼ ଆଦି ପ୍ରାକୃତିକ ବିତ୍ପାତରୁ ସୁରକ୍ଷା ପ୍ରଦାନ କରି ଫସଲ ଅମଳ କରିବାରେ ସାହାଯ୍ୟକରନ୍ତି। ଏଣୁ ଶାକମ୍ଭରୀ ଭାବେ ସେ ଉପାସିତା ହୁଅନ୍ତି। ରଜ ସଂକ୍ରାନ୍ତି ଦିନ ମାଆଙ୍କୁ କୃଷକ ମାନେ ଚୁଡ଼ାଘଷା ନୈବେଦ୍ୟ ଦେଇ ନିରାଜନା କରିଥାନ୍ତି। ମାଆଙ୍କ ମୁଖ୍ୟ ଆୟୁଧ ହେଉଛି, ପନିକି । ମନ୍ଦିର ଭିତରେ ଏହା ଗୁପ୍ତରେ ପୂଜା ହୁଏ। ରଜ ପର୍ବରେ ଏହି ପନିକି ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ବାହାରକୁ
ଅଣାଯାଇ ଥାଏ।
ଆମ ଐତିହ୍ଯ ଓ ଅସ୍ମିତାର ପୀଠ ହେଉଛି ମାଆ ବାଲି ହରଚଣ୍ଡୀଙ୍କ ପୀଠ। ସରକାର ଏହି ପୀଠକୁ ଦୃଷ୍ଟି ଦେଲେ ପ୍ରାକୃତିକ ଶୋଭା ବିମଣ୍ଡିତ ଏହି ପୀଠ ନିସନ୍ଦେହରେ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇ ପାରିବ।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
