ମାଲ୍ୟବନ୍ତରେ ବର୍ଷାକାଳ
ମାଲ୍ୟବନ୍ତରେ ବର୍ଷାକାଳ
ମାଲ୍ୟବନ୍ତରେ ବର୍ଷାକାଳ
=============
ପ୍ରଭୁ ଶ୍ରୀରାମ କିଷ୍କିନ୍ଧ୍ୟାରେ ବାଳି ବଧକରି ବାନର ରାଜ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କଲେ ଏବଂ ତାଙ୍କୁ କିଷ୍କିନ୍ଧ୍ୟାର ରାଜ ପଦରେ ଅଧିଷ୍ଠିତକଲେ l ପ୍ରତିଦାନସ୍ବରୂପ ବାନରରାଜ ସୁଗ୍ରୀବ ପ୍ରଭୁଙ୍କୁ ମାଆ ସୀତାଙ୍କ ଉଦ୍ଧାରରେ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଲେ l ପ୍ରଭୁ ତାଙ୍କୁ ବହୁ ରାଜନୀତି ଶିକ୍ଷା ଦେଇ କହିଲେ, ହେ ବାନରପତି ! ଚଉଦ ବର୍ଷ ପର୍ଯ୍ୟନ୍ତ ମୁଁ କୌଣସି ନଗରରେ ବାସ କରିବି ନାହିଁ l ଏବେ ଗ୍ରୀଷ୍ମ ଋତୁ ଯାଇ ବର୍ଷା ଋତୁ ଆସି ଗଲାଣି l ତେଣୁ ଏହି ପାଖ ମାଲ୍ୟବନ୍ତ ପର୍ବତରେ ମୁଁ ବାସକରିବି l ବର୍ଷା ଚାରି ମାସ କଟିଯାଇ କାର୍ତ୍ତିକ ମାସ ଆସିବା କ୍ଷଣି ଆମକୁ ସୀତାଙ୍କ ଉଦ୍ଧାର ନିମନ୍ତେ ଯତ୍ନଶୀଳ ହେବା ପାଇଁ ପଡ଼ିବ l ସୁଗ୍ରୀବ ଫେରି ଗଲେ l ପ୍ରଭୁ ଅନୁଜ ଲକ୍ଷ୍ମଣଙ୍କ ସହିତ ନିକଟ ମାଲ୍ୟବନ୍ତ ଗିରିର ପ୍ରସ୍ରବଣ ପର୍ବତରେ ବାସ କଲେ l ଶ୍ରୀରାମଚରିତ ମାନସରେ ପ୍ରଭୁଙ୍କ ଏହି ବାସକୁ ସନ୍ଥ ତୁଳସୀଦାସ ବର୍ଣ୍ଣନା କଲେ:-
ଦେଖି ମନୋହର ଶୈଲ ଅନୁପା l
ରହେ ତହିଁ ଅନୁଜ ସହିତ ସୁରଭୂପା ll
ମଧୁକର ଖଗ ମୃଗ ତନୁ ଧରି ଦେବା l
କରହି ସିଦ୍ଧ ମୁନି ପ୍ରଭୁକେ ସେବା ll
ଦିନେ ପ୍ରଭୁ ଶ୍ରୀରାମ ଏହି ପ୍ରସ୍ରବଣ ଗିରିରେ ବାସ କରିବେ ଜାଣି, ଦେଵତା ମାନେ ସେଠାରେ ଗୁମ୍ଫା ଗୋଟିଏ ପୁର୍ବରୁ ସଜ କରି ରଖିଥିଲେ l କୁସୁମିତ ସୁନ୍ଦର ସେହି ବନଭୂମି ପ୍ରଭୁ ଆସିଲା ଦିନରୁ ବହୁ କନ୍ଦ,ମୂଳ ଓ ଫଳରେ ପରିପୂର୍ଣ୍ଣ ହୋଇ ଉଠିଲା l ସେଠାରେ ସମସ୍ତ ଦେବତା, ସିଦ୍ଧ ଓ ମୁନି ମାନେ ନାନା ପଶୁ ପକ୍ଷୀ ଓ ଭୃଙ୍ଗ ରୂପରେ ପ୍ରଭୁଙ୍କ ସେବା କରିବାକୁ ଲାଗିଲେ l ସେଠାରେ ଗୋଟିଏ ସୁନ୍ଦର ସ୍ଫଟିକ ଶିଳା ଥାଏ l ତାହାରି ଉପରେ ଦୁଇ ଭାଇ ଯାଇ ଆନନ୍ଦରେ ବସନ୍ତି l ପ୍ରଭୁ ଅନୁଜ ଲକ୍ଷ୍ମଣଙ୍କୁ ସେଠାରେ ଭକ୍ତି, ଜ୍ଞାନ, ବୈରାଗ୍ୟ, ରାଜନୀତି ଆଦି ବିଷୟକ ବହୁ କଥା କହନ୍ତି l
ପ୍ରସ୍ରବଣ ଶୈଳର ବର୍ଷା କାଳୀନ ଶୋଭା ଅତ୍ୟନ୍ତ ମନୋମୁଗ୍ଧକର ଥାଏ l ସେସବୁ ବର୍ଣ୍ଣନା କରି ପ୍ରଭୁ ଲକ୍ଷ୍ମଣଙ୍କୁ କହିଲେ,ହେ ଲକ୍ଷ୍ମଣ ! ଦେଖ ବୈରାଗ୍ୟ ଆସି ଗଲେ ଯେପରି ଗୃହସ୍ଥ ମାନେ ବିଷ୍ଣୁ ଭକ୍ତଙ୍କୁ ଦେଖି ଆନନ୍ଦିତ ହୁଅନ୍ତି ସେହପରି ମୟୂର ମାନେ ମେଘମାଳକୁ ଦେଖି ନୃତ୍ୟ କରୁଛନ୍ତି, ମେଘମାନେ ଏକତ୍ର ହୋଇ, ଘୋର ଗର୍ଜନ କରୁଛନ୍ତି l ମେଘର ସେହି ଗର୍ଜନ ଶୁଣି ପ୍ରିୟାହୀନ ମୋର ହୃଦୟ ଥରି ଯାଉଛି l ଖଳ ପ୍ରୀତି ଯେପରି ସ୍ଥିର ରହେ ନାହିଁ l ମେଘରେ ବିଜୁଳିର ଚମକ ସେହିପରି ସ୍ଥିର ହୋଇ ରହୁନାହିଁ l ଗୋସ୍ବାମୀ ତୁଳସୀଙ୍କ ଭାଷାରେ:-
ଘନ ଘମଂଡ ନଭ ଗରଜତ ଘୋରା l
ପ୍ରିୟାହୀନ ଡରପତ ମନ ମୋରା ll
ଦାମିନୀ ଦମକ ରହ ନ ଘନ ମାହିଁ l
ଖଲ କେ ପ୍ରୀତି କଥା ଥିର ନାହିଁ ll
ପୁଣି ଶ୍ରୀରାମ କହିଲେ, ଦେଖ କିପରି ଆକାଶରେ ଆସ୍ତିକର ଆଶା ଉଜ୍ଜ୍ବଳ ମୁଖ ପରି ଇନ୍ଦ୍ରଧନୁ ଶୋଭା ପାଉଛି l ପର୍ବତ ମାନଙ୍କର ନୀଳ ବିଗ୍ରହରେ ଶୁଭ୍ର ଅଭ୍ର ପରି ମେଘ ଖଣ୍ଡ ମାନ ଲାଗି ପ୍ରତେ ହେଉଛି ଯେପରି ବିଷ୍ଣୁଙ୍କ ଅଙ୍ଗରେ କ୍ଷୀର ସାଗରର ଫେଣ ଛିଟିକି ପଡ଼ିଛି l ପ୍ରପାତ ମାନଙ୍କରୁ ଭୀଷଣ ଗର୍ଜନ କରି ଜଳଧାରା ସବୁ ଡେଇଁ ପଡ଼ୁଛନ୍ତି l ସେସବୁର ପ୍ରତ୍ତ୍ୟୁତ୍ତର ଗିରିଗୁହା ସବୁ ଦେଉଛନ୍ତି l ଦେଖ ଏହି ପର୍ବତ ମାନେ କିପରି ଖଳ ବଚନକୁ ସୁଜନ ସହ୍ୟ କଲାପରି ଭୀଷଣ ବର୍ଷା ପାତକୁ ସହ୍ୟ କରୁଛନ୍ତି l
ପାଷାଣ୍ଡ ମାନେ ସୁସଙ୍ଗ ପାଇ ହରିପ୍ରେମରେ ମତ୍ତ ହେଲା ପ୍ରାୟେ ଦେଖ ଏ ଟାଙ୍ଗର ଗିରି ମାନଙ୍କରେ କିପରି ବାରିଝର ମାନ ସୃଷ୍ଟି ହୋଇଛି l ଏ ସମସ୍ତ ଗିରି ଝର ମାନେ ମହତ ଜନଙ୍କୁ ଆଶ୍ରା କଲା ପରି ଗୋଦାବରୀକୁ ଧାବମାନ ହେଉଛନ୍ତି l
ସାତ୍ୱିକଗୁଣରେ ସାଧୁର ଅନ୍ତର ପୁରିଉଠିଲା ଭଳି ଦେଖ ସମସ୍ତ ତଟିନୀ ସରୋବର ଅବିସ୍ରାନ୍ତ ବର୍ଷା ପାତରେ ପୁରିଉଠିଲାଣି l ହରିଙ୍କୁ ଲାଭକରି ଭକ୍ତ ଯେପରି ତନ୍ମୟ ହୋଇ ପଡ଼େ ଦେଖ ସମସ୍ତ୍ ଗିରି ସରିତ ମାନେ ନିମ୍ନ ମୁଖୀ ହୋଇ, ସାଗର ମିଳନ ପାଇଁ ଧାଇଁ ଚାଲିଛନ୍ତି l କିନ୍ତୁ ଦେଖ ଲମ୍ପଟ ଜନଙ୍କ ବଚନରେ ସତୀ ମନ ନଟଳିଲା ପରି କିପରି ଏହି ଗିରିଶୃଙ୍ଗ ମାନେ ଅଟଳ ଭାବେ ମୁଣ୍ଡ ଟେକି ଠିଆ ହୋଇଛନ୍ତି l ସ୍ଵତନ୍ତ୍ରାନାରୀ ମର୍ଯ୍ୟାଦା ଲଂଘନକଲା ପରି ଦେଖ ବାରିଧାର ସବୁ କିପରି କ୍ଷେତପୂର୍ଣ୍ଣକରି ବହୁଛନ୍ତି l ବିବେକୀ ଜନମାନେ ହୃଦୟରୁ କଳୁଷ କାଳିମା ବାହାର କରି ଦେଲା ପରି କୃଷକ ମାନେ ଦେଖ, କିଆରିରୁ କିପରି ବାଳୁଙ୍ଗା ଉପାଡ଼ିଲେଣି l କଦମ୍ବ ବନ୍ଧୁ ମେଘର ମନ୍ଦ୍ର ନିସ୍ଵନରେ ଦେଖ ଗିରି କାନନ ସବୁ, କଦମ୍ବ ପୁଷ୍ପରେ ପୁରି ଉଠିଛି l ଗୁଳ୍ମ ଗହଳରେ ସବୁ ପଥ ହଜି ଗଲାଣି l ସାଧବବୋହୂ ପୋକ ସବୁ ଦେଖ କିପରି ନାଲି ଶାଢ଼ୀ ପିନ୍ଧି ଭୂମି ଉପରେ ଭ୍ରମଣ କରୁଛନ୍ତି l
ବସୁଧା ଦେଖ ଶସ୍ୟମଣ୍ଡିତ ହୋଇ କିପରି ଶୋଭା ଧାରଣ କରିଛି l ନିର୍ଗୁଣ ମୂର୍ଖ ରାଜ୍ୟରେ ଯେପରି ଗୁଣୀ ପୁରୁଷଙ୍କ ହତାଦର ହୁଏ, ସେହିପରି ଦେଖ ଆକାଶରୁ ଜ୍ୟୋତିଷ୍କ ମାନେ ଉଭେଇ ଯାଇ ତାଙ୍କ ସ୍ଥାନ ନେଲେଣିି ଜୁଳୁ ଜୁଳିଆ ପୋକମାନେ l
ଶ୍ରୀରାମ ଲକ୍ଷ୍ମଣଙ୍କୁ ପ୍ରଶ୍ରବଣ ପର୍ବତର ମନୋହର ବର୍ଷାକାଳୀନ ଦୃଶ୍ୟକୁ ଏହିଭଳି ବର୍ଣ୍ଣନା କରୁଥାନ୍ତି ଓ ସେହି ବର୍ଣ୍ଣନା ଭିତରେ ଭରି ରହିଥାଏ, ବିଭିନ୍ନ ଦାର୍ଶନିକ ତତ୍ତ୍ଵ l ବର୍ଷାକାଳରେ ସ୍ବଭାବତଃ ଭେକ ବା ବେଙ୍ଗମାନେ ଜଳ ନିକଟରେ ରବ କରୁଥାନ୍ତି l ଏତିକି ବେଳେ ଗୋଟିଏ ବିଚିତ୍ର ଘଟଣା ଘଟିଲା l ଗୋଟିଏ ବେଙ୍ଗକୁ ସାପଟିଏ ଧରି ଅର୍ଦ୍ଧଗ୍ରାସ କରି ସାରିଲାଣି l କ୍ଷଣକ ମଧ୍ୟରେ, ସେ ହୁଏତ ସାପର ଉଦରସ୍ଥ ହେବ l ବେଙ୍ଗ ଦେଖିଲା ଆଗରେ ତାର ଭକ୍ଷ କଙ୍କିଟିଏ ଉଡ଼ି ଯାଉଛି l ସାପ ମୁଖ ଭିତରେ ଥାଇ ସେ ଡେଇଁପଡ଼ି କଙ୍କିଟିକୁ ଧରି ଗିଳି ଦେଲା l ଏହାଦେଖି ପ୍ରଭୁ ଲକ୍ଷ୍ମଣଙ୍କ କହିଲେ, ଦେଖ ଦେଖ ନିଜ ପ୍ରାଣ ସଙ୍କଟରେ କିନ୍ତୁ ତାକୁ ଭ୍ରୁକ୍ଷେପ ନକରି କିପରି ଭେକଟି ନିଜ ଭୋଗ ଲାଳସା ମେଣ୍ଟାଇବା ପାଇଁ ଚେଷ୍ଟିତ l ଏହାର ଦାର୍ଶନିକ ଦିଗକୁ ନିର୍ଦ୍ଦେଶ କରି ପ୍ରଭୁ କହିଲେ :-
କାଳ କବଳେ ସିନା ଏ ରୂପେ ଭାଇ l
ଆରତେ ନର ଘାରି ହେଉଣ ଥାଇ ll
ତେବେହେଁ ମନାସଇ ଲଭି ଏ ଦଶା l
ମେଣ୍ଟାଇବାକୁ ଭବ ଭୋଗଲାଳସା ll
(ରାଧାନାଥଙ୍କ ଭାଷାରେ)
ଏହିପରି ବର୍ଣ୍ଣନା କରୁ କରୁ, ରାମ କେତେବେଳେ ପୁଣି ନିଜର ବିରହ ବ୍ୟଥା ପ୍ରକାଶ କରି ଲକ୍ଷ୍ମଣଙ୍କୁ କହୁଥିଲେ, ଲକ୍ଷ୍ମଣ ! ବାନର ରାଜ ସୁଗ୍ରୀବ ଏବେ ରାଜସମ୍ପଦ ପାଇ ବୋଧହୁଏ ଆମ କାର୍ଯ୍ୟକୁ ଭୁଲି ଯିବେଣି l କିପରି ଏହି ବର୍ଷାକାଳ ଶେଷ ହେବ ଓ ସୁଗ୍ରୀବ ପ୍ରତ୍ୟୁପକାର ଦ୍ବାରା ଆମର କାର୍ଯ୍ୟସାଧନ କରିବେ,ସେଥିପାଇଁ ମୁଁ ଅପେକ୍ଷା କରିବସିଛି l
ଏହିପରି ବର୍ଷାକାଳ କଟିଯାଇ ଶରତ କାଳ ଆସି ଉପସ୍ଥିତ ହେଲା l ମେଘମୁକ୍ତ ଆକାଶରେ ନିର୍ମଳ ଜ୍ୟୋତ୍ସ୍ନା ତା'ର ସୂଚନା ଦେଲା l ଏହି ସମୟରେ ହନୁମାନ ଯାଇ ସୁଗ୍ରୀବଙ୍କୁ ସ୍ମରଣ କରାଇଦେଲେ "ଆପଣ ବର୍ତ୍ତମାନ୍ ସମସ୍ତ କାର୍ଯ୍ୟ ଛାଡ଼ି, ମିତ୍ରଙ୍କୁ ଦେଇଥିବା ପ୍ରତିଶୃତି ପାଳନ ପାଇଁ ବ୍ରତୀ ହୁଅନ୍ତୁ l ତାହାହିଁ ଆପଣଙ୍କର ଏକମାତ୍ର କର୍ତ୍ତବ୍ୟ l
ପ୍ରଭୁ ଶ୍ରୀରାମଙ୍କ ମାଲ୍ୟବନ୍ତରେ ନିବାସ କାଳୀନ ବର୍ଷା ଋତୁର ଶୋଭା ଅତି ସୁନ୍ଦର ଭାବରେ ପୁଣ୍ୟ କାବ୍ୟ ରାମାୟଣରେ ବର୍ଣ୍ଣିତ ହୋଇଛି l କବିବର ରାଧାନାଥ ମଧ୍ୟ ରାମଙ୍କ ପ୍ରସ୍ରବଣ ଗିରି ନିବାସକୁ ତୁଳସୀ ସ୍ତବକରେ ଅତି ମନୋଜ୍ଞ ଭାବେ ବର୍ଣ୍ଣନା କରିଛନ୍ତି:-
ପ୍ରସ୍ରବଣ ଶଇଳେ କଲେ ବସତି l
ସୌମିତ୍ରି ସଙ୍ଗେ ପ୍ରଭୁ ରାଘବ ପତି ll
ବହଇ ଗୋଦାବରୀ ସେ ଗିରିପାଦେ l
ଶିଳା ବନ୍ଧୁର ଶେଯେ ଝର୍ଝର ନାଦେ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
