STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେଶୀ ଓ ବ୍ୟୋମାସୁର ବଧ   

କେଶୀ ଓ ବ୍ୟୋମାସୁର ବଧ   

3 mins
0

        କେଶୀ ଓ ବ୍ୟୋମାସୁର ବଧ   
         ===============
ରାମ ଓ କୃଷ୍ଣଙ୍କୁ ମାରିବା ପାଇଁ କଂସ ଯେଉଁ ଷଣ୍ଢାସୁରକୁ ପଠାଇ ଥିଲା ତାକୁ କୃଷ୍ଣ ମାରି ଦେଲେ। ଦେବର୍ଷି ନାରଦ ଆସି, ଏ ଖବର କଂସକୁ ଦେଇ କହିଲେ, ବାବୁ ଦିନକୁ ଦିନ ରାମକୃଷ୍ଣ ବଳିଆର ହେଲେଣି। ସେମାନଙ୍କ ହାତରେ ତୋ ମରଣ ସୁନିଶ୍ଚିତ, ଏବେ ମଧ୍ୟ ବେଳ ଅଛି ତୁ କିଛି ଉପାୟ କର। ଏହାକହି ମୁନି ନାରଦ ପ୍ରସ୍ଥାନ କଲେ। ନାରଦ ଗଲା ପରେ କଂସ କେଶି ନାମକ ଏକ ଦୈତ୍ୟକୁ ଡକାଇ ଆଣି କହିଲା, ହେ ଭାଇ ! ତୁମେ ମୋତେ ଏହି ସଂକଟରୁ ରକ୍ଷାକର l ତୁମେ ଶୀଘ୍ର ଗୋପକୁ ଯାଇ ବସୁଦେବର ଦୁଇପୁତ୍ର ରାମ କୃଷ୍ଣଙ୍କୁ ବିନାଶ କର l ମୁଁ ତୁମକୁ ବହୁ ଗ୍ରାମ ଦେଶ ଧନରତ୍ନ ଦେବି l
କଂସ ଠାରୁ ନିର୍ଦ୍ଦେଶ ପାଇ ରାମ କୃଷ୍ଣଙ୍କୁ ମାରିବା ପାଇଁ କେଶୀ ଦୈତ୍ୟ ଗୋଟିଏ ଘୋଟକ ରୂପ ଧରି ଯାଇ ବୃନ୍ଦାବନରେ ପହଞ୍ଚିଲା। ସେ ସାରା ଅରଣ୍ୟ ପ୍ରଦେଶକୁ ଭୟଭୀତ କରିବା ପାଇଁ ପ୍ରଚଣ୍ଡ ହ୍ରେସା ରବ କରିବାକୁ ଲାଗିଲା। ଭୟ ସଞ୍ଚାର ପାଇଁ ସେ ତା' ଲାଞ୍ଜକୁ ଏକ ବିରାଟ ମେଘଖଣ୍ଡ ଭଳି ଆକାଶରେ ଘୁରାଉ ଥାଏ। କୃଷ୍ଣ ଜାଣି ପାରିଲେ ଯେ ଘୋଟକ ରୂପୀ ଅସୁର ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କରୁଛି। କୃଷ୍ଣ ତାର ଆହ୍ୱାନକୁ ଗ୍ରହଣ କରି ତା ସମ୍ମୁଖରେ ଯାଇ ଦଣ୍ଡାୟମାନ ହେଲେ। ଘୋଟକ ଭୟଙ୍କର ଗର୍ଜନ କରି କୃଷ୍ଣଙ୍କ ଆଡ଼କୁ ଧାଇଁ ଆସିଲା ଏବଂ ତା' ମୁଖକୁ ଏପରି ବିସ୍ତାର କଲା ସତେ ଯେପରି ସାରା ଆକାଶକୁ ଗିଳି ଦେବ। ସେ ମୁଣ୍ଡକୁ ବୁଲାଇ ବୁଲାଇ ଆସି କୃଷ୍ଣଙ୍କୁ ଦୁଇଟି ଶକ୍ତ ଲାତ ମାଇଲା। ସେଥିର କୃଷ୍ଣଙ୍କର କିଛି ହେଲା ନାହିଁ। କୃଷ୍ଣ ତା ପଛ ଗୋଡ଼ ଦୁଇଟିକୁ ଧରି ବୁଲାଇ ବୁଲାଇ ଫିଙ୍ଗି ଦେଲେ ଯେ, ସେ ଯାଇ ଖଣ୍ଡେ ଦୂରରେ ପଡ଼ିଲା। କ୍ଷଣକ  ମଧ୍ୟରେ ରାକ୍ଷସ ଉଠିପଡ଼ି କୃଷ୍ଣଙ୍କ ଆଡ଼କୁ ଝପଟି ଆସିଲା। କୃଷ୍ଣ ପୁଣି ପୂର୍ବବତ ତାକୁ ଫିଙ୍ଗି ଦେଲେ, ସେ ପୁଣି ଉଠି ଆସିଲା। ତା' ସାଙ୍ଗରେ କୃଷ୍ଣ ଏଭଳି ଅନେକ ସମୟ ଯାଏ ଖେଳିଲେ। ଶେଷକୁ ଘୋଡ଼ାଟି ଆଆଁ କରି କୃଷ୍ଣଙ୍କୁ କାମୁଡିବାକୁ ଦୋଉଡ଼ି ଆସିଲା। କୃଷ୍ଣ ହସି ହସି ତା ପାଟି ଭିତରେ ତାଙ୍କ ଡାହାଣ ହାତଟିକୁ ପୁରାଇ ଦେଲେ । ସେ କାମୁଡ଼ି ଦେବାକୁ ବସିଲା ବେଳକୁ ତା ଦାନ୍ତସବୁ ଖଡ ଖଡ ହୋଇ ଝଡ଼ି ପଡ଼ିଲା । କୃଷ୍ଣ ତା' ପେଟ ଭିତରକୁ ହାତପୂରେଇ ଦେବାରୁ ତାର ପେଟ ଫୁଲିଗଲା। ଆଖି ତରାଟି କରି ସେ ମଳମୂତ୍ର ତ୍ୟାଗ କରି, ବଡ଼ ଆଆଁ କରି ମରି ଗଲା। ଖେଳିଲା ପରି ତା ପାଟି ଭିତରୁ କୃଷ୍ଣ ହାତଟି କାଢ଼ି ଆଣିଲେ। କେଶୀ ଦୈତ୍ୟ ମଲାପରେ ନାରଦ ଆସି କୃଷ୍ଣଙ୍କ ପାଖରେ ପହଞ୍ଚିଲେ। କୃଷ୍ଣ ଯାହାଯାହା କରିଛନ୍ତି, ସେ ଯେ ସ୍ୱୟଂ ଭଗବାନ, ସେ ଦୁଷ୍ଟ ଦଳନ କରି ଶିଷ୍ଟଙ୍କୁ ପାଳନ କରିବେ ଏବଂ ପରେ ସେ ଯେଉଁ ଅଦ୍ଭୁତ କର୍ମମାନ କରିବେ, ଦିନେ କିବା ଦୁଇଦିନ ମଧ୍ୟରେ ସେ କିପରି ମାଲ,ହସ୍ତୀ, ଚାଣୁର ମୁଷ୍ଟିକ ଆଦିଙ୍କୁ ମାରି, କଂସକୁ ମଧ୍ୟ ମାରିବେ। ସେ ପୁଣି ପରେ ଶଙ୍ଖ, ଯବନ,ମୂର, ନରକ ଆଦିଙ୍କୁ କିପରି ମାରିବେ ଆଦି ବର୍ଣ୍ଣନା କରି କୃଷ୍ଣଙ୍କୁ ଶୁଣାଇଲେ। ତା' ପରେ ସେ କୃଷ୍ଣଙ୍କୁ ଗୁଡ଼ିଏ ସ୍ତୁତି କଲେ ଏବଂ ସେଠାରୁ ପ୍ରସ୍ଥାନ କଲେ।
ଆଉ ଦିନେ କୃଷ୍ଣ ସାଥି ଗୋପାଳ ବାଳକଙ୍କ ସାଙ୍ଗରେ ମେଣ୍ଢାଚୋରି ଖେଳ ଖେଳୁ ଥାନ୍ତି। ଏତିକିବେଳେ ମୟଦାନବ ପୁଅ ବ୍ୟୋମାସୁର ଆସି ସେଠାରେ ପହଁଚିଲା । ସେ ଗଉଡ଼ ପିଲାଙ୍କ ସାଙ୍ଗରେ ଜଣେ ଗଉଡ଼ପିଲା ହୋଇ ମିଶିଗଲା। ସେ ମେଣ୍ଢାବୋଲି ଗଉଡ଼ ପିଲା ମାନଙ୍କୁ ଗୋଟି ଗୋଟି କରି ଚୋରି କଲା। ସେମାନଙ୍କୁ ନେଇ ସେ ଏକ ବଡ଼ ଗହ୍ୱର ଭିତରେ ରଖି ଏକ ପଥର ଢାଙ୍କିଦେଇ ପୁଣି ଜଣେ ପିଲାକୁ ଚୋରାଇ ନେବାକୁ ଆସିଲା। କୃଷ୍ଣ ଜାଣି ପାରିଲେ ଇଏ ଗୋଟିଏ ଅସୁର ବୋଲି। ଶ୍ରୀକୃଷ୍ଣ ତାକୁ ମାଡ଼ି ବସିଲେ ଓ ତା' ତଣ୍ଟିକୁ ଖୁବ୍ ଜୋରରେ ଚାପି ଧରିଲେ। ସେ ପାହାଡ଼ ପରି ଗୋଟାଏ ବିରାଟ ଅସୁର ହୋଇ କୃଷ୍ଣଙ୍କ ହାତରୁ ଖସି ପଳାଇ ଯିବାକୁ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ। କୃଷ୍ଣ ତା ତଣ୍ଟିକୁ ଚିପି ତଳେ ପକାଇ ଦେଲେ। ସେ ଶ୍ୱାସରୁଦ୍ଧ ହୋଇ ଗଅଁ ଗଅଁ ଶବ୍ଦ କରି ଛଟପଟ ହୋଇ ମରିଗଲା।
ଏଇଠି ଭଗବାନଙ୍କ ଗୋପ ପୁରରେ ବାଳ କେଳୀ ଶେଷ ହେଲା। ଏହାପରେ ଆରମ୍ଭ ମଥୁରାଲୀଳା। ଏଣୁ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ, ଚାଳିଶତମ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନର ଶେଷରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ:-
ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କର୍ଣ୍ଣଦ୍ୱାରେ ॥ ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ ॥ ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ ॥ କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ ॥
 🙏🙏🙏
 ଅର୍ଜୁନୀ
 -----------
ଅର୍ଜୁନୀ ଚରଣ ବେହେରା
ମୋ - 76930 91971  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational